Unknown

 

 

 

 

 

 

 

 

 

 

ଚିତ୍ତବୋଧ ବା ଚିତ୍ତବିନୋଦ

(ତୃତୀୟ ଭାଗ)
ଅଚ୍ୟୁତାନନ୍ଦ ଦାସ

 

ଜଗଦାନନ୍ଦକନ୍ଦାୟପ୍ରଣତାର୍ତ୍ତିହରାୟଚ

ନୀଳାଚଳନିବାସାୟଜଗନ୍ନାଥାୟତେନମଃ ।

 

ଶ୍ରୀ ଜଗନ୍ନାଥଙ୍କ ବନ୍ଦନା

ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ନାମ

ଭବ ପାରାବାରେ ପାରି ହେବାକୁ ଆଶ୍ରମ ।

ଜଗବନ୍ଧୁ ଜଗବନ୍ଧୁ ଜଗବନ୍ଧୁ ହରି

ମହିମା କିଏ ବର୍ଣ୍ଣିବ ଆଦିଅନ୍ତ କରି ।

ବନ୍ଦଇ ଶ୍ରୀ ଜଗନ୍ନାଥ ଆରତ ଭଞ୍ଜନ

ବନ୍ଦଇ ଶ୍ରୀ ଜଗନ୍ନାଥ ଶରଣ ରକ୍ଷଣ ।

ଶରଣ ପଶିଲା ଗଜ କୁମ୍ଭୀର ଯୁଦ୍ଧରେ

ଗଜେ ରକ୍ଷାକରି ନକ୍ର ନାଶିଲେ ଚକ୍ରରେ ।

ବନ୍ଦଇ ଶ୍ରୀ ଜଗନ୍ନାଥ ଦୟାମୟ ସିନ୍ଧୁ

ବନ୍ଦଇ ଶ୍ରୀ ଜଗନ୍ନାଥ ଦୀନଜନ ବନ୍ଧୁ ।

ଦୀନ ସୁଦାମାର କଲ ଦାରିଦ୍ର୍ୟ ଭଞ୍ଜନ

ନିଜେ ବହି ଦେଇଗଲ କୋଟି ମୁଦ୍ରାମାନ ।

ରଘୁ ଅରକ୍ଷିତେ ରକ୍ଷାକଲ ଭଗବାନ

ଅରକ୍ଷିତ ବନ୍ଧୁ ନାମ କରିଲ ଅର୍ଜ୍ଜନ ।

ବନ୍ଦଇ ଶ୍ରୀ ଜଗନ୍ନାଥ ନୀଳଗିରିବାସୀ

ପତିତପାବନ ବାନା ଉଡ଼େ ଦିବାନିଶି ।

ବନ୍ଦଇ ଶ୍ରୀ ଜଗନ୍ନାଥ ଗୋଲୋକ ବିହାରୀ

ଯୁଗେ ଯୁଗେ କୀର୍ତ୍ତି ରଖ ବିଶ୍ୱେ ଅବତରି ।

ମୀନରୂପେ ଅବତରି ମାରି ଶଙ୍ଖାସୁର

ବେଦ ଉଦ୍ଧରିଣ ଦେଲ ବେଦପତି କର ।

କଚ୍ଛପ ହୋଇଣ ଧରା କରି ଉଦ୍ଧାର

ବରାହ ରୂପେ ନାଶିଲ ହିରଣାକ୍ଷ ବୀର ।

ପଶି ପ୍ରଭୁ ହେଲ ନରସିଂହ ଅବତାର

ପ୍ରହ୍ଲାଦ ଛଳେ ବଧିଲ ହିରଣ୍ୟ ଅସୁର ।

ପର୍ଶୁରାମ ଅବତାର ଏକବିଂଶ ବାର

ଧରଣୀରୁ ଦୁଷ୍ଟ କ୍ଷତ୍ରୀ କରିଲ ସଂହାର ।

ପୂର୍ଣ୍ଣବ୍ରହ୍ମ ରାମ ଅବତାର ଲୀଳା କଲ

ପିତା ସତ୍ୟ ପାଳି ବନେ ବିହାର କରିଲ ।

ବାଳି ମାରି ସୁଗ୍ରୀବକୁ କରିଲ ରାଜନ

ଲଙ୍କପତି ସୀତା ଛଳେ ହୋଇଲା ନିଧନ ।

ଅଦିତି ଗର୍ଭରୁ ଜନ୍ମ ହୋଇଲ ବାମନ

ବଳିକୁ ଛଳେଣ ପାତାଳରେ ଦେଲ ସ୍ଥାନ ।

ନନ୍ଦ ନନ୍ଦନ ଗୋବିନ୍ଦ ବୃନ୍ଦାବନ ଚନ୍ଦ୍ର

ଆଦିକନ୍ଦ ପ୍ରେମାନନ୍ଦ ଗୋକୁଳ ନରେନ୍ଦ୍ର ।

ଘୋରବନେ ମୃଗୁଣୀକୁ କରିଲ ଉଦ୍ଧାର

ଅଜାମିଳ ମହାପାପୀ ଗଲା ସ୍ଵର୍ଗପୁର ।

କୁରୁସଭା ତଳେ ପାଞ୍ଚାଳୀର ଅପମାନ

ଡାକିଲା ମାତ୍ରେ ପାଇଲା କୋଟିଏ ବସନ ।

ତୁମ୍ଭେ ପ୍ରଭୁ ଅଂଶେ ବଳରାମ ଅବତାର

ହଳ ଇଙ୍ଗଳ ଧରିଣ ରେବତୀର ବର ।

ବୁଦ୍ଧ ଅବତାରେ କଳି କଳୁଷ ନାଶନ

ଘରେ ଘରେ ଦେଲେ ଜ୍ଞାନ ଆତ୍ମ ସନାତନ ।

କଳ୍‌କୀ ରୂପେ ତୁମ୍ଭେ କର ଦୁଷ୍ଟକୁ ନାଶନ

ଅନାଦି ଅନନ୍ତ ପ୍ରଭୁ ନର ନାରାୟଣ ।

ଦାରୁବ୍ରହ୍ମ ରୂପେ କରିଅଛ କ୍ଷେତ୍ରେ ବାସ

ଭାଇ ଭଉଣୀ ସଙ୍ଗରେ ଦେବ ହୃଷୀକେଶ ।

ପତିତପାବନ ବାନା ଉଡ଼େ ଫରଫର

ବଡ଼ ଦାଣ୍ଡେ ବଡ଼ ଦେଉଳରେ ବିଜେ କର ।

ତୁମ୍ଭ ଗୁଣ ବର୍ଣ୍ଣିବାକୁ କାହିଁ ମୋ ସମର୍ଥ

ପ୍ରସନ୍ନ ହୋଇଲେ ହେବ ଚିତ୍ତବୋଧ ଗ୍ରନ୍ଥ ।

 

ଶିବଙ୍କ ବନ୍ଦନା

ବନ୍ଦଇ ପାଶ ଅଙ୍କୁଶଧାରୀ ସଦାଶିବ

ବନ୍ଦଇ ହେ କୃତ୍ତିବାସ ଶିବ ମହାଦେବ ।

ବନ୍ଦଇ କୈଳାସବାସୀ ପଞ୍ଚାନନ ହର

ବନ୍ଦଇ ଶଶାଙ୍କ ମୌଳି ଦେବ ଦିଗାମ୍ବର ।

ବନ୍ଦଇ ପନ୍ଦର ନେତ୍ର ଦେବ ପଶୁପତି

ବନ୍ଦଇ ଶ୍ରୀ ଭୂତପତି ଅଗତିର ଗତି ।

 

ଗଣେଶଙ୍କ ବନ୍ଦନା

ବନ୍ଦଇ ଶ୍ରୀ ଗଣେଶ୍ଵର ମୂଷିକ ବାହନ

ବନ୍ଦଇ ଶ୍ରୀ ଗଣେଶ୍ୱର ପାର୍ବତୀ ନନ୍ଦନ ।

ବନ୍ଦଇ ସିଦ୍ଧି ଦାୟକ ବିଦ୍ୟା ପ୍ରଦାୟକ

ବନ୍ଦଇ ଶ୍ରୀଗଜାନନ ସିଦ୍ଧ ବିନାୟକ ।

ବନ୍ଦଇ ହେ ଥୋରହସ୍ତ ଅଯୋନି ସମ୍ଭୂତ

ତୁମ୍ଭ ଦୟାରୁ ମୁଁ ମୂର୍ଖ ଲେଖିବଇଁ ଗ୍ରନ୍ଥ ।

ପଣ୍ଡିତ ଗୋଷ୍ଠୀରେ ମୋର ଆସନ ନଥାଏ

ଅଜ୍ଞାନୀ ଅସାଧୁଙ୍କ ସଙ୍ଗେ ଦିନ ବହିଯାଏ ।

ସାଧୁଙ୍କ ଚରଣ ଯୁଗ ଦିନେ ସେ ବି ନାହିଁ

ଏ ମହାନ୍ ଗ୍ରନ୍ଥ ଭାବ ପାଇବି ମୁଁ କାହିଁ ।

ମୋହ ମାୟାରେ ପୀଡ଼ିତ ହୋଇବୁଲେ ମୁହିଁ

ଅଜ୍ଞାନ ଅନ୍ଧାରେ ଛନ୍ନ ଛନ୍ନ ସଦା ଦେହୀ ।

ନ ସେବିଲି ପିତା ମାତା ଶ୍ରୀଗୁରୁ ଚରଣ

ପଢ଼ି ନାହିଁ ବହୁ ଶାସ୍ତ୍ର ବେଦ ଓ ପୁରାଣ ।

ଏହି ରାଧା କୃଷ୍ଣ ଲୀଳା ମନକୁ ଆସଇ

ତୁମ୍ଭେ ଦୟାକଲେ ଭାବୁଅଛି ଲେଖିବଇଁ ।

 

ହିଙ୍ଗୁଳାଙ୍କ ବନ୍ଦନା

ବନ୍ଦଇ ହିଙ୍ଗୁଳା ମାଗୋ ସଙ୍ଗଟ ତାରିଣୀ

ବନ୍ଦଇ ମଙ୍ଗଳା ମାଗୋ ମଙ୍ଗଳକାରିଣୀ ।

ବନ୍ଦଇ ଗ୍ରାମ ଦେବତୀ ବାଙ୍କୀ ଚର୍ଚ୍ଚିକାୟୀ

ବନ୍ଦଇ ବିରଜା ଦେବୀ ଯାଜପୁରେ ତୁହି ।

ବନ୍ଦଇ ପ୍ରକୃତି ଦେବୀ ନୃମୁଣ୍ଡ ମାଳିନୀ

ଖଣ୍ଡା ଖର୍ପର ଧାରିଣୀ ବ୍ରହ୍ମ ସନାତନୀ ।

 

Unknown

ସରସ୍ୱତୀଙ୍କ ବନ୍ଦନା

ବନ୍ଦଇ ଶ୍ରୀ ବାଣୀ ରୂପା ମାଗୋ ସରସ୍ୱତୀ

ବନ୍ଦଇ ଭାରତୀ ମାଗୋ ଧବଳ ମୂରତି ।

ବନ୍ଦଇ ହଂସ ବାହିନୀ ଶ୍ଵେତ ପଟ୍ଟବାସ

ବନ୍ଦଇ ଗୋ ମହାମାୟୀ କରୁଣା ପ୍ରକାଶ ।

ଜୟ ଜୟ ଶାରଳା ଗୋ ସତ୍ୟ ସନାତନୀ

ଜୟ ଜୟ ମହାବିଦ୍ୟା ଝଙ୍କଡ଼ ବାସିନୀ ।

ଜୟ ଜୟ ଶାରଳା ଗୋ ମୂର୍ଖ ଦୋଷ ନାଶୁ

ଜୟ ଜୟ ଶାରଳା ଗୋ କବି କଣ୍ଠେ ବସୁ ।

ଜୟ ଜୟ ଶାରଳା ଗୋ ଅଭୟ ଦାୟିନୀ

ଜୟ ଜୟ ଶାରଳା ଗୋ ଜ୍ଞାନ ଚିନ୍ତାମଣି ।

ତୋହର ସୁଦୟା ମାଗୋ ଯାହାକୁ ହୁଅଇ

ମୂର୍ଖ ହୋଇଥିଲେ ସେ ତ ପଣ୍ଡିତ ବୋଲାଇ ।

ମୁଁ ମୂଢ଼ ଅତି ଅଧମ କାହିଁ ମୋର ଜ୍ଞାନ

କୃଷ୍ଣ ରସ ଲେଖିବାକୁ ହୋଇବି ଭାଜନ ।

ପାରାବାର ଲହଡ଼ିକୁ ବାଲିବନ୍ଧ ପରି

ଶ୍ରୀକୃଷ୍ଣ ରସ ଲେଖନେ ମୁଁ କି ହେବି ସରି ।

ବାସନା କରିଛି ଯେଣୁ ଅତି ଗୁରୁତର

ଆକାଶ କୁସୁମକୁ ବାଙ୍ଗରା ହାତ ମୋର ।

ଯାର ଗୁଣ ବର୍ଣ୍ଣିବାକୁ ବେଦପତି ବଣା

ସହଜେ ମାୟାରେ ମୁଁ ଯେ ଅଟେ ଦିନକଣା ।

ତୁହି ବାକ୍ୟଦେବୀ ଯଦି ହୋଇବୁ ସହାୟ

କଣ୍ଠରେ ବସିଣ ଜ୍ଞାନ କରିବୁ ଉଦୟ ।

ଶ୍ରୀକୃଷ୍ଣ ରସରେ ଚିତ୍ତ ସରସି ଉଠିବ

ତେଣୁ ଚିତ୍ତବୋଧ ଏହି ଗ୍ରନ୍ଥ ନାମ ହେବ ।

ତୋର ଦୟାହେଲେ ମାଗୋମୂର୍ଖକାଳିଦାସ

ମହାପଣ୍ଡିତ ହୋଇଣ କଲେ କାବ୍ୟରସ ।

ସିଦ୍ଧକୁ ସାହ ଯେ ହେଲୁ ସେ ଶାରଳାଦାସ

ମହାଭାରତ ଅଠରଖଣ୍ଡ କଲେ ଶେଷ ।

ସେହି ସୁଦୟାରୁ ମାଗୋ ପାଇଲେ କିଞ୍ଚିତ

ଲେଖିବଇଁ କୃଷ୍ଣରସ ଚିତ୍ତବୋଧ ଗ୍ରନ୍ଥ ।

ଆହେ ରାଧାକାନ୍ତ ପ୍ରଭୁ କମଳ ଲୋଚନ

ତୁମ୍ଭ ଗୁଣ ଲେଖିବାକୁ କରିଅଛି ମନ ।

 

ଶ୍ରୀଗୁରୁ ବନ୍ଦନା ଓ ସ୍ୱପ୍ନ ବୃତ୍ତାନ୍ତ

ଏଥୁଅନ୍ତେ ଶୁଣ ଜନେ ଅପୂର୍ବ ଚରିତ୍ର

ଯେ ନାମ ଶୁଣିଲେ କର୍ଣ୍ଣ ହୋଇବ ପବିତ୍ର ।

ଯେଉଁ ଗ୍ରନ୍ଥେ ଶ୍ରୀକୃଷ୍ଣଙ୍କ ଭକ୍ତି ରସ ଥାଏ

କର୍ଣ୍ଣରେ ଶୁଣିଲେ ପ୍ରାଣ ମନ ପୁଲକାଏ ।

ଶତେଭାର ସୁବର୍ଣ୍ଣ ଯେ କୋଟି କନ୍ୟାଦାନ

କଲେ ହେବନାହିଁ କୃଷ୍ଣ ନାମକୁ ସମାନ ।

ନାମ ଭଜୁ ଭଜୁ ହୃଦେ ଜନ୍ମେ କୃଷ୍ଣ ନାମ

ପ୍ରେମେ ମଜ୍ଜିଗଲେ ପୁଣି ହୁଏ ରୋମଦ୍‌ଗମ ।

ବହିପଡ଼େ ନୟନରୁ ଯେଉଁ ଭାବଧାର

ତା ସାଙ୍ଗକୁ କୋଟି ତପ ଯଜ୍ଞ ନୁହେଁ ଚିର ।

ପ୍ରେମେ ଭକ୍ତ ରାମ ନାମେ ଲକ୍ଷ୍ମଣ ଭରତ

ଲଙ୍କା ରାଜା ବିଧ୍ୱଂସିଣ ପୁଣି ହନୁମନ୍ତ ।

ଅନୁରାଗ ପ୍ରେମୀ ଗୋପ ଗୋପିନୀ ସକଳ

ବୃନ୍ଦାବନଚନ୍ଦ୍ର ଶ୍ରୀକୃଷ୍ଣଙ୍କ ସଖାକୁଳ ।

ସେହି କୃଷ୍ଣ ପ୍ରେମରସ ଯହିଁରେ ଉଦ୍ଭବ

ଯେ ପଢ଼ଇ ଶୁଣୁଥାନ୍ତି ବ୍ରହ୍ମା ବିଷ୍ଣୁ ଶିବ ।

ସେହି କୃଷ୍ଣ ନାମ ମୋର ମନଟି ରସଇ

ଶ୍ରୀକୃଷ୍ଣଲୀଳା ଶୁଣିଲେ ପ୍ରେମ ପୁଲକଇ ।

ଦିନେ ଚିତ୍ତବୋଧ ଗ୍ରନ୍ଥ ପ୍ରଥମ ଦ୍ୱିତୀୟ

ପଢ଼ି ଶ୍ରୀକୃଷ୍ଣ ଭାବରେ ହୋଇଲି ତନୟ ।

ଭାଗବତ ହରିବଂଶୁ କରିଣ ଉଦ୍ଧାର

ଶ୍ରୀଗୁରୁ ଅଚ୍ୟୁତ କରିଛନ୍ତି ପଦ୍ୟାକାର ।

କେବଳ ଶ୍ରୀକୃଷ୍ଣ ଭାବ ଗୋପ ପ୍ରେମରସ

ସୁଧାଧାରା ପ୍ରାୟ ଭକ୍ତି ଭାବର ଉଲ୍ଲାସ ।

ଛାଣିଛନ୍ତି ଭାଗବତ ଦଧିଭାଣ୍ଡ ମନ୍ଥି

ଲହୁଣୀ ପରାୟେ ଚିତ୍ତବୋଧ ନାମେ ପୋଥି ।

ପ୍ରଥମ ଖଣ୍ଡର ଭାବ ଅତି ରସମୟ

ଶ୍ରୀରାଧାଙ୍କ କୃଷ୍ଣବେଶ କୃଷ୍ଣ ରାଧା ଦେହ ।

ଏହିପରି ଲୀଳା ଗୋପେ କରନ୍ତେ ମାଧବ

ଅକ୍ରୂର ପ୍ରବେଶି ପ୍ରେମ ବିଚ୍ଛେଦର ଭାବ ।

ଦ୍ୱିତୀୟ ଖଣ୍ଡେ ମଥୁରା କଂସର ନିଧନ

ଉଗ୍ରସେନ ରାଜ୍ୟଲାଭ ହୋଇଛି ବର୍ଣ୍ଣନ ।

ବ୍ରଜ ପୂର୍ଣ୍ଣତମ ଭାବ ନ ହୋଇ ପୂରଣ ।

ରହିଗଲା ଯେଣୁ ମନେ କରିଲି ସ୍ମରଣ ।

ମଥୁରା ପୂର୍ଣ୍ଣତର ଯେ ଦ୍ଵାରକାକୁ ପୂର୍ଣ୍ଣ

ରହିଗଲା ଭାବ ତେଣୁ କରି ଅଧ୍ୟୟନ ।

ହରିବଂଶ ଅଠାବନ ଅଧ୍ୟା ଭବିଷ୍ୟତ

ପୂର୍ବ ମୂଳ ସଂସ୍କୃତରୁ ପୁନର୍ମିଳନତ୍ୱ ।

ମଥୁରାରେ ପୂର୍ଣ୍ଣତର ରହି ପୀତବାସ

ପ୍ରଭାସେ ଯଜ୍ଞ ଓ ଦାନମାନ କଲେ ଶେଷ ।

ଦେବଙ୍କ ଭକ୍ତିରେ ଭକ୍ତାଧୀନ ଭାବଗ୍ରାହୀ

ବାଲ୍ୟମାଧୁର୍ଯ୍ୟ ଐଶ୍ଚର୍ଯ୍ୟ ଭାବକୁ ଦେଖାଇ ।

ଚନ୍ଦନ ଯାତ୍ରାରେ ଦୁଷ୍ଟ କଂସ ପୁତ୍ର ନାଶ

ଜରାସନ୍ଧ ଧାଡ଼ି ଆଦି ଦ୍ଵାରକା ନିବାସ ।

ଭାବେ ଭୋଳ ହୋଇ ରାତ୍ରେ କରିଲି ଶୟନ

ସ୍ୱପ୍ନେ ଗୁରୁଙ୍କ ଆଦେଶ ଶୁଭିଲା ମୋ କାନ ।

ବିନୟରେ ପଚାରିଲି ତୁମ୍ଭ ନାମ କିସ

ଶ୍ରୀଗୁରୁ ଅଚ୍ୟୁତାନନ୍ଦ ହେଲେ ହସ ହସ ।

ବୋଇଲେରେ ବତ୍ସ ମୁହିଁ ସେ ଅଚ୍ୟୁତାନନ୍ଦ

ଲେଖିଥିଲୁ ପ୍ରଥମ ଦ୍ୱିତୀୟ କରି ପଦ ।

ଉଗ୍ରସେନ ରାଜ୍ୟଲାଭ ପରେ ଏ ପ୍ରଭାସ

ଧେନୁଦାନ ଦେବତା ଦେଖିବେ ତିନି ରସ ।

ଆଉ ଯାହା ଲେଖିଯାଅ ଶ୍ରୀ କୃଷ୍ଣ ଚରିତ

ତୋତେ ଦୃଶ୍ୟହେବ ଶିଷ୍ୟଭାବେ କରବ୍ୟକ୍ତ

ଅନ୍ତର୍ଦ୍ଧାନ ହେଲେ ଯହିଁ ପାଇଲି ସଚେତ

କରିଲି ଗୁରୁ ବନ୍ଦନା ସମର୍ପିଣ ଚିତ୍ତ ।

ବନ୍ଦଇ ଶ୍ରୀଗୁରୁଦେବ ଅଭୟ ଚରଣ

ବନ୍ଦଇ ଶ୍ରୀ ଗୁରୁଦେବ ଶରଣ ରକ୍ଷଣ ।

ବନ୍ଦଇ ଶ୍ରୀଗୁରୁଦେବ ସାକ୍ଷାତ ଈଶ୍ଵର

ବନ୍ଦଇ ଶ୍ରୀଗୁରୁଦେବ ଇଷ୍ଟ ଚରାଚର ।

ବନ୍ଦଇ ଶ୍ରୀ ଗୁରୁଦେବ ଜ୍ଞାନର ଆଲୋକ

ବନ୍ଦଇ ଶ୍ରୀଗୁରୁଦେବ ତିମିର ନାଶକ ।

ବନ୍ଦଇ ଶ୍ରୀଗୁରୁଦେବ ପଥ ପ୍ରଦର୍ଶକ

ବନ୍ଦଇ ଶ୍ରୀଗୁରୁଦେବ ପାପ ବିନାଶକ ।

ଅଖଣ୍ଡ ବ୍ରହ୍ମାଣ୍ଡ କର୍ତ୍ତା ଯେଉଁ ପରାତ୍ପର

ପୂରି ରହିଛନ୍ତି ଆତ୍ମା ରୂପେ ଚରାଚର ।

ତାହାଙ୍କ ପଦକୁ ଯେବା ଦେଲା ବାଟ କହି

ସେ ଗୁରୁ ଚରଣେ ସଦା ଶରଣ ମାଗଇ ।

ଅଜ୍ଞାନ ଅନ୍ଧାର ଯେଉଁ ଗୁରୁ କଲେ ଦୂର

ତାଙ୍କରି ଚରଣେ ମୋର କୋଟି ନମସ୍କାର ।

ଶ୍ରୀଗୁରୁ ଅଚ୍ୟୁତାନନ୍ଦ ପାଦପଦ୍ମ ଧ୍ୟାୟି

ଦୀନହୀନ ଇନ୍ଦ୍ରମଣି ଗ୍ରନ୍ଥ ଲେଖୁଛଇଁ ।

 

କଂସବଧ ପରେ ସୁଧର୍ମାସଭା ଓ ଦେବତାମାନଙ୍କୁ ଶ୍ରୀକୃଷ୍ଣଙ୍କର
ତିନିରସ ଦେଖାଇବାକୁ ନାରଦଙ୍କର ପ୍ରସ୍ଥାନ

ଏଥୁଅନ୍ତେ ପରୀକ୍ଷିତ ରାଜା ହୋଇ ତୋଷ

ଶୁକ ମୁନିଙ୍କ ଚରଣେ ପୂଜିଲେ ବିଶେଷ ।

ବୋଲନ୍ତି ହେ ମୁନିବର ତୁମ୍ଭ ସୁକଲ୍ୟାଣେ

ଶ୍ରୀକୃଷ୍ଣଙ୍କ ରସାମୃତ ଶୁଣିଲି ଶ୍ରବଣେ ।

ଏଥୁଅନ୍ତେ କିସ ହେଲା କୁହ କୃଷ୍ଣଭାବ

ତୁମ ଶ୍ରୀମୁଖରୁ ଶୁଣି ଚିତ୍ତବୋଧ ହେବ ।

ମଥୁରାରେ କୃଷ୍ଣ ନାଶକରି କଂସାସୁର

ଦେବତାଗଣଙ୍କ କଷ୍ଟ କରିଲେକ ଦୂର ।

ଏହାପରେ କିସ କଲେ ସେହି କୃଷ୍ଣଚନ୍ଦ୍ର

ଲାଗୁଛି ଅମୃତ ପରି ଶୁଣିଲେ ସେ ପଦ ।

କହୁଛନ୍ତି ଶୁକମୁନି ଶୁଣ ହେ ରାଜନ

କଂସକୁ ମାରି ଶ୍ରୀକୃଷ୍ଣ ରାଇ ଉଗ୍ରସେନ ।

ମଥୁରା କଟକେ କଲେ ରାଜ୍ୟ ଅଭିଷେକ

ଦେଖି ଦେବକୁଳ ହେଲେ ଅତ୍ୟନ୍ତ ଉତ୍ସୁକ ।

ସ୍ୱର୍ଗେ ପୁରନ୍ଦର ବସିଛନ୍ତି ସିଂହାସନେ

ଗୁରୁ ବୃହସ୍ପତି ମିଳିଲେକ ସେହିସ୍ଥାନେ ।

ଆସନୁ ଉଠିଣ ମାନ୍ୟ କଲେ ସୁରପତି

ହସ୍ତ ପ୍ରସାରିଣ ଗୁରୁ କଲ୍ୟାଣ କରନ୍ତି ।

ଯଥା ଯୋଗ୍ୟ ଆସନରେ ବସିଲେକ ଯାଇ

ପଚାରନ୍ତି ସୁନାସୀର ସବିନୟ ହୋଇ ।

ଆହେ ଦେବ କଂସ ପ୍ରତାପରେ ଦେବକୁଳ

ସବୁବେଳେ ହେଉଥିଲେ ପରାଣେ ଆକୁଳ ।

ବିଷ୍ଣୁଙ୍କ ଦୟାରୁ ଦୁଷ୍ଟ ପ୍ରାଣେ ହେଲା ନାଶ

ସ୍ଵର୍ଗପୁର ଦେଖ ଏବେ ହୋଇଛି ଉଶ୍ଵାସ ।

ବୃହସ୍ପତି ବୋଇଲେ ହେ ଶୁଣ ସୁନାସୀର

ଧର୍ମ ସଭା କରିଥିଲା କଂସ ନାରଖାର ।

ଅସୁର ଔରସେ ଇନ୍ଦୁମତୀ ଗର୍ଭ ଜାତ

ଅଳପ ଦିନରେ କୀର୍ତ୍ତି କରିଲା ବହୁତ ।

ଅଳ୍ପଲୋକ ପାଇଗଲେ ଉଚ୍ଚ ଅଧିକାର

ସେ ଯେପରି କହେ ସ୍ରଷ୍ଟା ମୋ ଆଗେ କି ଛାର

ଏତେଦିନେ କୃଷ୍ଣଚନ୍ଦ୍ର ବୁଝିଲେ ସେ କଥା

ଧର୍ମର ହୋଇଲା ଜୟ ନୋହିଲା ଅନ୍ୟଥା ।

ଧର୍ମ ଯୋଗୁ ଯାର ସିନା ଯେଉଁ ଅଧିକାର

କର୍ମବଳେ କରି ଶୌଚ ନିତି ସଦାଚାର ।

ଗର୍ବ ମୋହେ ଅନ୍ଧ ହୋଇ ଧନୁ ଆଉ ବଳ

ଦେଖାଇ କହେ ମୁଁ ବୀର ପ୍ରତାପୀ କେବଳ ।

ତାର ପରିଣାମ ବିଷ୍ଣୁ ଦିଅନ୍ତି ଏପରି

ଅଳପକେ ମତ କଲା କର୍ମ ଅନୁସରି ।

ଦେବତାଙ୍କ ଶିରୋମଣି ତୁମ୍ଭେ ସୁନାସୀର

ଛାର ରାକ୍ଷସ ଗୋଟାଏ ମର୍ତ୍ତ୍ୟର ଅସୁର ।

ତୁମ୍ଭ ହସ୍ତେ କରାଇଲା ମଉଳା ବସନ

ଗରିବେ ମାନିଲା ନାହିଁ ଆମ୍ଭ ଗୁରୁଜନ ।

ଜନ୍ତୁପତି ଯମ ଅଟେ ଧର୍ମ ଅଧୀଶ୍ଵର

ବାଡ଼ି ତାଟି ଖଟେ ଭୟେ ହୋଇଣ କିଙ୍କର ।

ମୁଁ ଜ୍ୟୋତିଷ ପାଞ୍ଜିକୁହ। ବ୍ରହ୍ମାଙ୍କର ବେଦ

ତିନି ପାବଚ୍ଛ ତଳରେ କରି ଆର୍ତ୍ତନାଦ ।

ଏଥିରେ ଆୟୁଷ କାହିଁ ବଢ଼ନ୍ତା ତାହାର

ଶିଶୁହତ୍ୟା ନିର୍ଦ୍ଦୋଷୀଙ୍କୁ ଦେଇ କାରାଗାର ।

ଆୟୁଷ କର୍ମ ଆସିଲା ଅଳପ ଦିନରେ

କଥା ରହିଗଲା କାଳ କାଳକୁ ଏଥିରେ ।

ଆହେ ଦେବ ସୁନାସୀର ଏଥକୁ ବିଚାର

କ୍ରିୟାନଷ୍ଟ ହେଲା କାୟା ଅଶୁଚି ତୁମ୍ଭର ।

କ୍ରିୟା ଶୌଚ ସଦାଚାର ଯାର ଊଣା ହୁଏ

କର୍ମ ଧର୍ମ ବଳ ବୀର୍ଯ୍ୟ ତାର କ୍ଷୟ ଯାଏ ।

ଯାର ଘରେ ଯେଉଁ କ୍ରିୟା ନୀତି କର୍ମ ଥାଏ ।

ପାଳନ ନ କଲେ ସଦା ଅଶୁଚି ବୋଲାଏ ।

ଅଶୁଚି ଅନାଚାର ଯେ ପାପ ସହଚର

ଅଳ୍ପାୟୁଷ କରେ ନୀତି ଶୀସ୍ତ୍ରର ବିଚାର ।

ଏବେ ସୂମନସ ଶୌଚପାଇଁ କର୍ମକର

ସୁଧର୍ମା ସଭାକୁ ଡ଼ାକି ବେଦବିଧି ଧର ।

ଗୁରୁ ବୃହସ୍ପତିଙ୍କର ଆଜ୍ଞା ଶିରେ ଧରି

ବିନୟରେ ପୁରନ୍ଦର କହନ୍ତି ବିଚାରି ।

ଚାଲ ପିତାମହ ପାଶେ କହିବା ଏପରି

ଅସୁର ପ୍ରଭାବେ ଦେବ ଥିଲେ ହତଶିରୀ ।

କରିଛନ୍ତି ଶୌଚହୀନ କର୍ମ ଭୟାତୁରେ

କିପରି ବିଧାନ ହେବ ତାହାଙ୍କ ବିଚାରେ ।

ସଭାଗୃହ ଭାଙ୍ଗିଥିଲା ଦୁଷ୍ଟ କଂସାସୁର

ବହିନେଲା ଦେଶେ ମଣିମୟ ଉପଚାର ।

ପୁଣି ଗଢ଼ାଇବ ସଭା ଗୃହର ଆସ୍ଥାନ

କରାଇବା ସଭା ବିଧି ପାଇଁ ଆୟୋଜନ ।

ବୃହସ୍ପତି କହିଲେ ଏ ଉତ୍ତମ ବିଚାର

ଚାଲ ଦେବ ପିତାମହ ପାଶକୁ ଏଥର ।

ଗୁରୁ ସର୍ବ ଦେବତାଙ୍କୁ ଧରି ସୁରରାଜ

ବ୍ରହ୍ମାଙ୍କ ପାଶେ ମିଳନ୍ତି ଦେବତା ସମାଜ ।

ନମସ୍କାର କରି ଭକ୍ତି ଭରେ ଯୋଡ଼ିକର

ସ୍ତୁତିକଲେ ସମସ୍ୱରେ ହୋଇ ଏକାଧାର ।

ନମସ୍ତେ ବିରଞ୍ଚି ନମଃ କମଳ ଆସନ

ନମୋ ବେଦପତି ଦେବ ମରାଳ ବାହନ ।

କର ଅନୁଗ୍ରହ ପିତାମହ ଚାରିମୁଖ

ଅସୁର ଭୟେ ରହିଛୁ ଦେବକୁଳ ଦେଖ ।

କ୍ରିୟା ନଷ୍ଟ କରି ଭୟେ ଖଟିକୁ ପୟର

କଂସ ମୃତ୍ୟୁ ହେଲା କଲ ଦେବଙ୍କୁ ଉଦ୍ଧାର ।

ଶୌଚ ବିଧି ପାଇଁ କରି ସୁଧର୍ମା ମଣ୍ଡନ

କରିବୁ ଶ୍ରୀକୃଷ୍ଣ ନାମ ସଭାରେ ଗାୟନ ।

ସୁଧର୍ମା ସଭାକୁ ମାଗୁଅଛ ଅନୁମତି

ସଦୟ ହୋଇ ବିଧାନ ଦିଅ ପ୍ରଜାପତି ।

ଶୁଣି କହୁଛନ୍ତି ସନ୍ତୋଷରେ ବେଦପତି

ଶ୍ରୀକୃଷ୍ଣ ହସ୍ତରେ ମଲା କଂସ ନରପତି ।

ତାହାଙ୍କ ସନ୍ତୋଷ ପାଇଁ କର ଆୟୋଜନ

ଧର୍ମ ପାଳନ ପାଇଁକି ଜନ୍ମ ଭଗବାନ ।

ନରଦେହ ଅବତାର ଧର୍ମ ରକ୍ଷା ପାଇଁ

ନାଶ କରିବେ ଦୁଷ୍ଟଙ୍କୁ ଉଦ୍ଧରିବେ ମହୀ ।

ବିଶ୍ୱହିତ ବ୍ରତେ ସିନା ତାଙ୍କ ଅବତାର

ସହୁଛନ୍ତି ମର୍ତ୍ତ୍ୟପୁରେ ରହି ଦୁଃଖ ଘୋର ।

ଜଗତମାତା ତ୍ରିପୁରା ଲକ୍ଷ୍ମୀ ଠାକୁରାଣୀ

ଗୋପପୁରେ ହୋଇଛନ୍ତି ନିଜେ ଗୋପାଳୁଣୀ ।

ସେ ଦେବ ଦେବୀଙ୍କ ଖୁସିଲାଗି ଆୟୋଜନ

କର ଦେବଙ୍କ ପ୍ରାଶ୍ଚିତ ତା ସଙ୍ଗେ ବିଧାନ ।

ଶୁଭ ବିଧି କରି ସଭା ଦିନକୁ ବାଛିବ

ରହିବେ ତ୍ରିଦଶ କୋଟି ଦେବତା ଗନ୍ଧର୍ବ ।

ରମ୍ଭା ମେନକା ଉର୍ବଶୀ ଆଦି ଗଣିକାଏ

ନାଚିବେ ଆନନ୍ଦେ ସଭା ସମାପତ ଯାଏ ।

ବୃହସ୍ପତିଙ୍କୁ ଚାହିଁଣ ବିରଞ୍ଚି କହନ୍ତି

ଶୁଭ ଦିବସେ କରାଅ ଉତ୍ସବ ପ୍ରଭାତି ।

କହୁଛନ୍ତି ବୃହସ୍ପତି ଆହେ ଚତୁର୍ମୁଖ

କାଲି ପ୍ରଭାତରୁ କର ଉତ୍ସବ ପ୍ରତ୍ୟକ୍ଷ ।

ଶୁଣି ବେଦପତି ତାହା କଲେ ସନମତ

ଦେବେ ବିଦାୟ ହୋଇଣ ଆସିଲେ ସମସ୍ତ ।

ସୁନାସୀର ସଙ୍ଗେ ଗୁରୁ କରନ୍ତି ବିଚାର

କାଲି ଶୁଭବାସେ ଧର୍ମ ସଭାର ସମ୍ଭାର ।

ସକାଳୁ ପତାକା କୃଷ୍ଣନାମେ ଅଭ୍ୟର୍ଥନା

ଶୋଭାଯାତ୍ରା ସଙ୍ଗେ ହରିନାମେ ଉଡ଼ୁବାନା ।

ଦିବା ଛଅଘଡ଼ିଠାରେ ସର୍ବେ ରୁଣ୍ଡ ହୋଇ

ସଭା ପରିକ୍ରମା କରି ପତାକା ଉଡ଼ାଇ ।

ପରେ କରାଯିବ ବ୍ରହ୍ମେ ନୀରବ ପ୍ରାର୍ଥନା

ଚିତ୍ରପଟେ ପୁଷ୍ପାଞ୍ଜଳି ଦେବେ ଦେବାଙ୍ଗନା ।

ସଭାପତି ପଦେ ବିଧି ପାଇବେ ଆସନ

କରାଇବେ କୃଷ୍ଣଙ୍କର ଗୁଣ ସଂକୀର୍ତ୍ତନ ।

ନାଚିବେ ନର୍ତ୍ତକ ରାଧାକୃଷ୍ଣ ବେଶ ହୋଇ

କୃଷ୍ଣଭକ୍ତି ରସାମୃତ ସ୍ଵର ଛନ୍ଦ ଗାଇ ।

ପରେ କରାଯିବ ପ୍ରାୟଶ୍ଚିତ୍ତର ବିଧାନ

ଚିତ୍ତ ଶୁଦ୍ଧି ପାଇଁ ଯାହ ଅଛି ବିଧିମାନ ।

କାଲି ସଭାଗୃହ ଗୋଟି ହୋଇଥିବ ସଜ

ରାଜ୍ର ଭିତରେ କରାଅ ଏହା ସୁରରାଜ ।

ଶୁଭାରମ୍ଭ କଳସର ଆଭରଣ ଥିବ

ବେଦ ବିଧି ବାକ୍ୟ ଯାହା ସରବ ରଖିବ ।

ନିଜେ ରହି ସଭାଗୃହ କରାଅ ମଣ୍ଡନ

ଏତେ କହି ଗୁରୁଗଲେ ଆପଣା ଭୁବନ ।

ଡକାଇଲେ ସୁରପତି ବିଶ୍ଵକର୍ମା ଧୀରେ

ବିଶ୍ଵକର୍ମା ପ୍ରବେଶିଲେ ରାଜା ନିକଟରେ ।

କରଯୋଡ଼ି ଉଭାହେଲେ ଯେଣୁ କଳାକାର

କହନ୍ତି କୋମଳେ ତାକୁ ଦେବ ସୁନାସୀର ।

ଆହେ ସ୍ୱର୍ଗ ଶିଳ୍ପୀ ତୁମ୍ଭେ ଏହି ବିଭାବରୀ

କର ସୁଧର୍ମା ସଭାକୁ ଶୋଭାମୟ ଶିରୀ ।

ଭାଙ୍ଗି ଦେଇଥିଲା କଂସ କରି ଛାରଖାର

ପୁଣି ଶତଗୁଣେ ଗଢ଼ିଦିଅ ଶୋଭା ତାର ।

ମଣିମୟ କାଚ ସ୍ୱର୍ଣ୍ଣ କାଞ୍ଚନ ରଜତ

ଭଣ୍ଡାରୁ ନେଇଣ କର ପୁର ସୁଶୋଭିତ ।

ଶିଳ୍ପକଳା କୌଶଳରେ ତୁମ୍ଭ ହସ୍ତଶିରୀ

କାଲି ସଭାରେ ଦେଖିବେ ନିଜେ କୁଶଧାରୀ ।

ସମସ୍ତ ଦ୍ରବ୍ୟ ଭଣ୍ଡାରୁ ନେଇଣ ଖଞ୍ଜିବ

ଯେଉଁପରି ଶତେଗୁଣ ପୁର ଝଟକିବ ।

ଶୁଣି ବିଶ୍ଵକର୍ମା ରାଜା ଆଜ୍ଞା ଶିରେ ମାନି

ଚଳିଲେ କର୍ତ୍ତବ୍ୟ ପଥେ ସର୍ବ ଅସ୍ତ୍ର ଘେନି ।

ଚାରମାନଙ୍କୁ ଡକାଇ ରାଜା ଆଜ୍ଞା ଦେଲେ

ଶୁଭ ଉତ୍ସବ ପାଳିବେ ପ୍ରଭାତ ହୋଇଲେ

ଦ୍ଵାରେ ରମ୍ଭା ବୃକ୍ଷ ପୂର୍ଣ୍ଣକୁମ୍ଭେ ଗଙ୍ଗାନୀର

ଚୂତପତ୍ର ଡାଳେ ନାରୀକେଳ ସଙ୍ଗତର ।

ସଜାଇବ ଚୁତମାଳା ଗୃହ ଚାରିପାଶେ

ଗୋମୟ ଝୋଟି ଚିତ୍ରରେ ମଣ୍ଡିଦ୍ୱାରଦେଶେ ।

ତାରକ ବ୍ରହ୍ମ ନାମକୁ ସମ୍ମୁଖେ ଲେଖିବେ

ନାନାପୁଷ୍ପ ମାଳେ କୃଷ୍ଣ ଚିତ୍ର ସଜାଇବେ ।

ପତାକା ନିଶାଣ ମାନ ଯତନେ ଉଡ଼ାଇ

ହରି ସଂକୀର୍ତ୍ତନ ନର ନଗରେ ବେଢ଼ାଇ ।

ସୁଧର୍ମା ସଭାରେ ହେବେ ଆସି ପରବେଶ

ଆଉ ଯାହା ସଭାଠାରେ ଶୁଣିବେ ବିଶେଷ ।

ଦୁନ୍ଦୁଭି ବଜାଇ ସର୍ବେ କରିବ ଗୋଚର

ଦୁନ୍ଦୁଭି ଶ୍ରବଣେ କାର୍ଯ୍ୟ କରିବ ତତ୍ପର ।

ଏହା ଶୁଣି ଚାରମାନେ ଦୁନ୍ଦୁଭି ଧରିଣ

ପ୍ରଚାରକୁ ଗଲେ ସୁରରାଜ ଆଜ୍ଞା ଜାଣ ।

ପ୍ରଚାର କରନ୍ତେ ଦେବେ ଜାଣିଲେ ଖବର

ପୁରନ୍ଦର ଆପଣେ ଚଳିଲେ ନିଜପୁର ।

ବିଶ୍ଵକର୍ମା ରାତ୍ର ମଧ୍ୟେ ସଭାର ଗୃହରେ

କରନ୍ତି ବିବ୍ରତ ଶୋଭା ଯାକୁ ଯେଉଁଠାରେ ।

ସ୍ଵର୍ଗ କାରିଗର ବିଶ୍ଵକର୍ମା ମଣ୍ଡେ ପୁର

ମନର ଭାବନା ଥୋଇ ଭାବଗ୍ରାହୀ ଠାର ।

କାହିଁ ସୃଷ୍ଟିର ପ୍ରଳୟ ନିରାକାର ମୂର୍ତ୍ତି

ଶବ୍ଦରୂପେ ତ୍ରିପୁରା ଯେ ନୀରେ ଭାସୁଛନ୍ତି ।

ତ୍ରିପୁରା ନିରାକାରଙ୍କ ପ୍ରଣୟ ଅନ୍ତର

ଜନ୍ମ ହେଉଛନ୍ତି ବ୍ରହ୍ମା ବିଷ୍ଣୁ ଆଉ ହର ।

କାହିଁ ବିଷ୍ଣୁ ଗଢ଼ିଛନ୍ତି ଜୀବ ଜନ୍ତୁ ନର

କାହିଁ ବିଷ୍ଣୁ ହେଉଛନ୍ତି ମର୍ତ୍ତ୍ୟେ ଅବତାର ।

ମୁର ଦାରୁଣ ପ୍ରତାପେ ଦେବଙ୍କ ଲୁଚିବା

ଶେଷେ ନୃସିଂହ ଜନମି ଦୃଷ୍ଟଙ୍କୁ ନାଶିବା ।

ପୁଣି ରାବଣ ଜନମ କୁମ୍ଭକର୍ଣ୍ଣ ସଙ୍ଗେ

ଋଷି ବିପ୍ର ଦେବତାଙ୍କୁ ନାଶ କରେ ରଙ୍ଗେ ।

ରାମରୂପେ ଅବତରି ସୀତା ବିଭା ହେବା

ପିତାଙ୍କ ସତ୍ୟ ପାଳିଣ ରାମ ବନ ଯିବା ।

ମାୟାମୃଗ ବଧ ପୁଣି ସୀତା ଚୋରି ଚିତ୍ର

ବାଳୀକୁ ବଧିବା ହୋଇ ସୁଗ୍ରୀ ସଙ୍ଗେ ମିତ୍ର ।

ରାବଣ ମରଣ ପୁଣି ରାମ ଅଭିଷେକ

ସ୍ୱର୍ଗାରୋହଣ ଓ କଂସାସୁରର ଧମକ ।

କୃଷ୍ଣଜନ୍ମ ବନ୍ଦିଘରେ ହୋଇଅଛି ଚିତ୍ର

ଗୋପେ ବସୁଦେବ ନେବା ଯମୁନା ପବିତ୍ର ।

ଏହିପରି ନାନା ଚିତ୍ର କରି ବିଶ୍ଵକର୍ମା

ଦେବାଙ୍ଗ ଉପଚାରକୁ କଲା ତହିଁ ଜମା ।

ଗୋଟି ଗୋଟି କରି ଖଣ୍ଡିଲାକ ରତ୍ନମାନ

ଯାହାର ପାଶକୁ ଯାହା ହୋଇବ ଘଟନ ।

ହୀରାନୀଳା ପ୍ରବାଳ ଯେ ମୁକୁତା ଝାଲେରୀ

ସଜାଇଲେ ବିଶ୍ଵକର୍ମା କରି କେରି କେରି ।

କାହିଁ ପ୍ରବାଳର ଝରା ମୁକୁତାର ଫୁଲ

ରଜତ ମଣି ମାଣିକ୍ୟ ହୋଇଛି ଡଉଲ ।

ସ୍ଵର୍ଗର ସୁଧର୍ମା ସଭା ସ୍ୱର୍ଗ ଶିଳ୍ପୀ ହାତ

ନିନ୍ଦା କରିବାକୁ କାର ନ ଥାଏ ସମର୍ଥ ।

ମାଣିକ୍ୟ ଖମ୍ବରେ ଶୋଭା ଇନ୍ଦ୍ର ନୀଳମଣି

ପଦ୍ମ କୁମୁଦର ଆକୃତିରେ ଶୋଭା ଜିଣି ।

ହୀରା ନୀଳା ବଇଡୁର୍ଯ୍ୟ ମରିରତ୍ନ ହେମ

ପଟାନ୍ତର ନାହିଁ ତାକୁ ଅତୁଳିତ କମ ।

ଅପୂର୍ବ ମଣ୍ଡପ ଆୟତନେ ବେନି କ୍ରୋଶ

ଶୁଦ୍ଧ ସ୍ଫଟିକରେ ମେଢ଼ ପ୍ରାଙ୍ଗଣ ଚୌପାଶ ।

ମାରାଗ ରତନ ଖମ୍ବ ସପ୍ତତାଳ ଉଚ୍ଚ

ବାଙ୍କ ଚକ୍ର ନାହିଁ ତାର ଘଟଣା ସୁସଞ୍ଚ ।

ସୁବର୍ଣ୍ଣ ଜଡ଼ିତ ରୁଅ ରୌପ୍ୟ ଶେଣୀ କାଣ୍ଡ

ଗଜଦନ୍ତରେ ପଲଙ୍କ କରିଅଛି ରୁଣ୍ଡ ।

ଝିଙ୍କର ଛାଏଣି ଚାଳ ଦିଶେ ଶୁକ୍ଳ ଜ୍ୟୋତି

ଝରା ଝୁମ୍ପାମାନ ଲମ୍ବ ଶୋହେ ଚଉକତି ।

ସ୍ୱର୍ଣ୍ଣ କଳସ ଉପରେ ଚିତ୍ରଧ୍ୱଜ ଉଡେ

ବଉଦ ମେଘରୁ ଖସି ବିଜୁଳି କି ପଡ଼େ ।

ଆଗେ ଉଭା କ୍ରୋଶ ଖମ୍ବ ବିଚିତ୍ର ମଣ୍ଡଣି

ସର୍ବ ସୌନ୍ଦର୍ଯ୍ୟ ସମ୍ପଦ ଆଣିଛି କି ଛାଣି ।

ନେତ ପତନିପାଟରେ ଧବଳ ସୁଝଟ

ବସନ୍ତ ସୁପୀତ ନୀଳ ନାନାରଙ୍ଗେ ପାଟ ।

ଖମ୍ବେ ଖମ୍ବେ ବାନ୍ଧିଅଛି ବାଛି ନୂଆ ନୂଆ

ଉପର ସୁଚିତ୍ର ଇନ୍ଦ୍ର ଗୋବିନ୍ଦ ଚାନ୍ଦୁଆ ।

ବଖରାକେ ମଣ୍ଡାଇଛି ଭିନ୍ନ ଭିନ୍ନ କରି

ବିଚିତ୍ର ଶ୍ୱେତ ଚାମର ଲମ୍ବେ କେରି କେରି ।

ସେବତୀ ମର୍ଲ୍ଲିକା ଜାଈ ମାଳତୀ ବକୁଳ

ପୁନ୍ନାଗ ପାଟଳି ଚମ୍ପା ନାଗେଶ୍ୱର ମାଳ ।

କାଞ୍ଚନ ଯେ ପାରିଜାତ ଅଶୋକା ଦୟଣା

ନୀଳୋତ୍ପଳ ଆଦି ପୁଷ୍ପେ ଏକ ଏକ ଜିଣା ।

ସୁଗନ୍ଧ ସୌରଭ ବାସେ ଚହଟିବ ସଭା

ରାତି ମଧ୍ୟେ ବିଶ୍ୱକର୍ମା ମଣ୍ଡାଇଲେ ଶୋଭା ।

ବିରାଜଇ ଚାନ୍ଦୁଆର ଚିତ୍ର ମନ ଲୋଭା

ମାନସରୋବରେ ହଂସ ଦିଶନ୍ତି କି ଶୋଭା ।

ଧନ୍ୟ ଧନ୍ୟ ସୁଧର୍ମା ସଭାର ମନୋରମ

ନିଜେ ବିଶ୍ଵକର୍ମା କରିଅଛନ୍ତି ସୁଷମ ।

ସଭାମଧ୍ୟେ ଶୋଭାପାଏ ରତ୍ନ ସିଂହାସନ

ତହିଁରେ ହୋଇବ ସଭାପତିଙ୍କ ଆସନ ।

ଚାରିପାଖେ ରମ୍ଭାବୃକ୍ଷ ଫଳେ ଭରା ହୋଇ

ଧାଡ଼ି ଧାଡ଼ି ଚଉପାଶେ ରୋପିଲେକ ନେଇ ।

ଚୂତପତ୍ର ମାଳ କରି ବିବିଧ ମଣ୍ଡଣି

ପଦ୍ମରକ୍ତ କୁମୁଦରେ କରିଛନ୍ତି ବେଣୀ ।

ବେଢ଼ାଇ ଅଛରି ସଭା ଗୃହ ଚାରିପାଶ

କାନ୍ଥପରେ ଚିତ୍ର ନାନାରଙ୍ଗେ କୃଷ୍ଣରସ ।

ସମ୍ମୁଖେ କୁଞ୍ଜ ଲତିକା ଥାଏ ଛାତ ପରି

ମଧୁମାଳତୀ ଲତାରେ ଫୁଲ ଥାଏ ଭରି ।

ସୁଧର୍ମ ସଭାର ଶୋଭା ଅତି ମନୋହର

ନିଜ ହାତେ ବିଶ୍ଵକର୍ମା କରନ୍ତି ସମ୍ଭାର ।

ରାଜାଙ୍କ ଆଦେଶ କରି ସଭାକୁ ମଣ୍ଡନ

ପ୍ରଭାତେ ଯାଇଁ ରାଜାଙ୍କୁ ଦେଲେ ଦରଶନ ।

ପୁରନ୍ଦର ନିଜେ ଆସି କରିଲେ ଦର୍ଶନ

ହରଷରେ କହନ୍ତି ହେ କଳାକାର ଧନ୍ୟ ।

କରିଅଛି ଚିତ୍ର ଯେହ୍ନେ ଜୀବନ୍ତ ପ୍ରତିମ

ଆଜି କରି ସର୍ବେ ଶୁଭଦିନ ଗାଇ ନାମ ।

ପ୍ରଭାତ ହୁଅନ୍ତେ ଦେବେ ସନ୍ତୋଷ ହୋଇଣ

କରିଲେ ନିଜ ଆଳୟେ ଉତ୍ସବ ଭିଆଣ ।

ମୁଖରାବ ଶବଦରେ କମ୍ପେ ସ୍ଵର୍ଗପୁର

କୃଷ୍ଣ ପ୍ରେମେ ରତ ହୋଇ ଥାଆନ୍ତି ମଧୁର ।

ବୃହସ୍ପତି ଧନ୍ୱନ୍ତରୀ ବରୁଣ କୁବେର

ସର୍ବ ଦେବତାଙ୍କୁ ଘେନି ମିଳିଲେ ସଭାର ।

ଇନ୍ଦ୍ରଙ୍କ ପାଶେ ମିଳିଣ ସକଳ ଦେବତା

ସୁଧର୍ମା ସଭାର ବେଶ ଦେଖି କଲେ ଚିନ୍ତା ।

ଅସୁର ନାଶିଲା ଦିନ ଏ ସଭା ମଣ୍ଡଣି

କେହି ଦେବ ଏ ଠାବକୁ ନ ଆସନ୍ତି ଜାଣି ।

ଅବସନ୍ତରେ ବହିଲା ବସନ୍ତ ପବନ

ଗାଇଲେ କୋକିଳ ଚୂତଡାଳେ ଘନ ଘନ ।

ମନ୍ଦ ମନ୍ଦ ପ୍ରସରିଲା ଧୀରେ ସମୀରଣ

କୁସୁମ ସୁରଭି କରେ ବାସ ବିତରଣ ।

କମଣ୍ଡଳ ହସ୍ତେ ବେଦପତି ପରବେଶ

ସଭାର ମଣ୍ଡଣି ଦେଖି ମନେ ହେଲେ ତୋଷ ।

ଏହି ସୁଧର୍ମା ସଭାକୁ କରି ଛାରଖାର

ମଣି ମାଣିକ୍ୟ ଛଡ଼ାଇ ନେଲା କସାଂସୁର ।

ଦେବତାମାନଙ୍କୁ କରିଥିଲା ଶିରୀହୀନ

କାହାର ନ ଥିଲା ମନେ ହରଷ ବଦନ ।

ସ୍ଵର୍ଗଶିରୀ ସମ୍ପଦ ହରିଲା ନିଶାଚର

ତାର ପ୍ରତାପେ କମ୍ପଇ ଦେବଙ୍କ ମନ୍ଦିର ।

ଅତି ଦୁଷ୍ଟପଣ କରି ଅଳ୍ପ ଦିନେ ମଲା

ଶ୍ରୀକୃଷ୍ଣ ମହତ ପ୍ରଭାବରୁ ଏହା ହେଲା ।

ସର୍ବଦେବେ ମାନ୍ୟ କଲେ ବିଧିଙ୍କୁ ଦେଖିଣ

ତାହାପରେ ନୀରବରେ ସାବିତ୍ରୀ ରମଣ ।

କଲେ ଶୁଦ୍ଧମନେ ସର୍ବେ ନୀରବ ପ୍ରାର୍ଥନା

ଜୟକୃଷ୍ଣ ଦୀନବନ୍ଧୁ ଜୟ ନନ୍ଦ କାହ୍ନା ।

ଜୟ ହେ ଅଚ୍ୟୁତ ଜୟ ଚରାଚର ନାଥ

ଦେବଗଣ ହିତେ ମର୍ତ୍ତ୍ୟେ ଜନ୍ମିଲେ ଅନନ୍ତ ।

ଜୟ କଂସ ବିନାଶକ କାଳୀୟ ଦଳନ

ଜୟ ଦେବକୀ ନନ୍ଦନ ଜଗତ ବନ୍ଦନ ।

ଦୁଷ୍ଟ ନିବାରିଣ ଧର୍ମ ପାଳୁ ଏ ଜଗତେ

ବହୁକଷ୍ଟ ପାଇଅଛ ଦେବଙ୍କର ହିତେ ।

ତୁମ୍ଭେ ନ ରଖିଲେ ନ ଥାନ୍ତା ଏ ଦେବକୁଳ

ତୁମ୍ଭରି ରକ୍ଷଣ ଏହି ଦେବତା ସକଳ ।

ଜୟ ଯଶୋଦା ନନ୍ଦନ ମଦନ ଗୋପାଳ

ଜୟ ପୁତନା ପରାଣଖିଆ ଆଦିମୂଳ ।

ଜୟ ବକାଚିରା ଜୟ ବତ୍ସା ପ୍ରାଣଖିଆ

ଜୟ ଶକଟ ଭଞ୍ଜନ ଯମୁନା କୂଳିଆ ।

ଜୟ ଶ୍ରୀ ନନ୍ଦ ନନ୍ଦନ ଜଗ ବନ୍ଦନ

ଜୟ ହେ ବାଙ୍କଚୂଳିଆ ଜୟ ଜନାର୍ଦ୍ଦନ ।

ଜୟ ଷଣ୍ଢା ଅଘା ବକା ଧେନୁକାର କାଳ

ଜୟ ଗିରି ଗୋବର୍ଦ୍ଧନଧାରୀ ଆଦିମୂଳ ।

ଜୟ ଚିନ୍ତାମଣି ତୁମ୍ଭେ ଚରାଚର ନାଥ

ଅନାଦି ଅନନ୍ତ ପରଂବ୍ରହ୍ମ ହେ ଅଚ୍ୟୁତ ।

ମାୟାଧର ମାୟାମୟ ଦେବ ହୃଷୀକେଶ

କରୁଣା ସାଗର କୃପାନିଧି ଶ୍ରୀନିବାସ ।

କ୍ଷୀରସିନ୍ଧୁ ତଟ କଳ୍ପବଟ ଦଇତାରି

ଦେବହିତେ ମର୍ତ୍ତ୍ୟେ ଭ୍ରମ ନାନା ରୂପ ଧରି ।

ତୋ କରୁଣା ସୁଧା ଦେବମାନଙ୍କ ଆଶ୍ରୟ

ତୁହି ଧର୍ମରୂପୀ ସନାତନ ଦୟାମୟ ।

ଅଣାକାର ପୁରୁଷକୁ କିଏ ବା ଚିହ୍ନିବ

କେଉଁଠାରେ କେଉଁ ରୂପେ ହେଉ ତୁ ଉଦ୍ଭବ ।

ତୋର ଇଛା ଇଛାମୟ ତୁ କରୁ ପୁରଣ

ତୁହି ଜାଣୁ ତୋର ଭାବ ସଗୁଣ ନିର୍ଗୁଣ ।

ତୁହି ଜୀବ ତୁ ପରମ ତୁ ପରମାନନ୍ଦ

ଅନନ୍ତ ଅଙ୍କବିହାରୀ ଆହେ ଆଦିକନ୍ଦ ।

ତୋର ରକ୍ଷଣ ଦେବତା ତୁହି ଦେବାଦେବ

ବ୍ରହ୍ମାଣ୍ଡ କରତା ତୁହି ତୋ ରଖନ୍ତା ସର୍ବ ।

ତୋର ଯୋଗୁ କଂସାସୁର ହେଲା ପ୍ରାଣେ ବଧ

ତେଣୁ ତୋ ଦେବମଣ୍ଡଳ ହେଉଛୁ ଆନନ୍ଦ ।

ଆହେ କରୁଣା ନିଦାନ ପ୍ରଭୁ ଭଗବାନ

ଦେବଗଣଙ୍କ ଭକତି ତୋ ପଦ ଦର୍ଶନ ।

ଏତେକହି ବେଦପତି ନମସ୍କାର କରି

ସଭା ଆସନେ ବସିଲେ କହି ହରିହରି ।

ତଥା ଯୋଗ୍ୟ ଆସନ ଯେ ଥିଲା ସଜହୋଇ

ଇନ୍ଦ୍ର ଆଦି ଦେବତାଏ ବିଜେ କଲେ ତହିଁ ।

ବୃହସ୍ପତି ଧନ୍ୱନ୍ତରୀ କବି ଓ ପଣ୍ଡିତ

ଯଥାବିଧି ଆସନରେ ବସିଲେ ସମସ୍ତ ।

ବୃହସ୍ପତି ଉଠି କହୁଛନ୍ତି ତୋଷ ହୋଇ

ଏତେକଷ୍ଟେ ରିଷ୍ଟ ଖଣ୍ଡିଲେକ ଭାବଗ୍ରାହୀ ।

ଦୁଷ୍ଟ କଂସର ପ୍ରତାପ ଏଠାରେ ପଡ଼ିଲା ।

ସୁଧର୍ମା ସଭାର ଅଙ୍ଗ ଭାଙ୍ଗି ଘେନିଗଲା ।

ସୃଷ୍ଟିର ଆରମ୍ଭ କାଳୁ ବେଦର ଜନମ

ବେନି ହେଲା ସମାଜର ଶୃଙ୍ଖଳା ନିୟମ ।

ସେହୁ ଶୃଙ୍ଖଳାକୁ ଧର୍ମ ବୋଲି କୁହାଯାଏ

ଧର୍ମ ଅଧର୍ମ କିପରି ଆଲୋଚନା ହୁଏ ।

ଆଲୋଚନା ପାଇଁ ଏତେ ସତଧର୍ମ ନୀତି

ସୁଧର୍ମା ସଭାକୁ ଗଢ଼ିଥିଲେ ବେଦପତି ।

ଧର୍ମ ବିଷୟରେ କହିବାକୁ ଥିଲେ କାର

ରହିଅଛି ଏ ସଭାର ପୂର୍ଣ୍ଣ ଅଧିକାର ।

ଯେଡ଼େ ବଡ଼ କର୍ମ କ୍ଲାନ୍ତ ହୋଇଣ ଦେବତା

ଆସିଲେ ଏଠାକୁ ହରିଯାଏ ଦୁଃଖଚିନ୍ତା ।

ସୃଷ୍ଟିର ଆରମ୍ଭ ସଙ୍ଗେ କର୍ମ ନିରୂପଣ

କର୍ମର ଚାଳକ ଧର୍ମ ନ୍ୟାୟନୀତି ଗୁଣ ।

ଶୁଣିଲେ ଦୁଃଖ ଟଳଇ ପାଳେ ଯେ ଦେବତା

ସୁଧର୍ମା ସଭାର ଏହି ଧର୍ମର ବ୍ୟବସ୍ଥା ।

ନାହିଁ ରାଜା ନାହିଁ ପ୍ରଜା ସମାନ ବିଚାର

ଧର୍ମ ସ୍ଵର୍ଗ ଅଧିକାର ବିଧର୍ମୀକୁ ଦୂର ।

ଯେଉଁ ଦେବକୁଳ ଧର୍ମ ରକ୍ଷାପାଇଁ ବିଶ୍ୱେ

ଦିନରାତି କର୍ମ କର ସ୍ୱାର୍ଥ ନାହଁ ଲେଶେ ।

ସେମାନଙ୍କୁ ବଳେ ଧରି ଦୁଷ୍ଟ କଂସାସୁର

ନିଶଙ୍କାରେ ଖଟାଇଲା ନେଇ ପାଶେ ତାର ।

ସେହି ଦୋଷ ନାରାୟଣ ନରଦେହ ଧରି ।

ଅକାଳରେ ଅସୁରକୁ ଦେଲେ ଯମପୁରୀ ।

ସୁଧର୍ମା ସଭାଟି ଆଜି ଦିଶେ କି ହରଷ

ଆନନ୍ଦରେ ଗାଅ ଦେବେ ଶ୍ରୀକୃଷ୍ଣଙ୍କ ରସ ।

ଯେଉଁ କୃଷ୍ଣ ନାମେ ହୁଏ ପାପ-ତାପ ଦୂର

ସୁଧର୍ମା ସଭାରେ ସେହି କୃଷ୍ଣ ନାମ ଧର ।

ଦୂର ହେବ ମନୋଗ୍ଲାନି କିବା ଅନାଚାର

ଶ୍ରୀକୃଷ୍ଣ ନାମରେ ହେବ ସେ ପାପ ସଂହାର ।

କୁଳବୃଦ୍ଧ ଧନ୍ୱନ୍ତରୀ ଆସନୁ ଉଠିଣ

କହନ୍ତି ସଭାପତିଙ୍କ ସମ୍ମାନ କରିଣ ।

ବୋଲନ୍ତି କଥାଏ ଶୁଣ ସର୍ବ ଦେବତାଏ

ମଥୁରା କଟକେ ଶ୍ରୀକୃଷ୍ଣଙ୍କ ପୂଜା ହୁଏ ।

ଦିନକୁ ଦିନ ସେ ପୂଜା ପାଆନ୍ତି ବହୁତ

ରାଜାଙ୍କ ଉପରେ ହୋଇ ମହାରାଜା ଖ୍ୟାତ ।

ଚୌରାଶି କୋଟି ଯାଦବଗଣଙ୍କ ଉପରେ

ଅଗ୍ରମାନ୍ୟ ହୋଇ ରହିଲେଣି ସେହିଠାରେ ।

ରାମକୃଷ୍ଣ ସଙ୍ଗେ ଘେନି ଉଗ୍ରସେନ ମାଏ

ମଥୁରା ସିଂହାସନରେ ବସି ପୂଜାପାଏ ।

ସାତବଂଶ ଯଦୁବୀରେ ଅଛନ୍ତି ଆବୋରି

ପାତ୍ରମନ୍ତ୍ରୀ ଅମାନତ୍ୟ ରହିଛନ୍ତି ପୂରି ।

ଆଲଟ ଚାମର ଛତ୍ର ଧରିଛନ୍ତି କରେ

ଆସ୍ଥାନରୁ ପଢ଼ିହାରୀ ଲୋକ ଦୂରକରେ ।

ଚନ୍ଦନ ଚୁଆ ପନିର ଗୁଆ ଘୃତ ଧୂପେ

ଆମୋଦ ଚହଟି ଉଠେ ସେ ସଭା ମଣ୍ଡପେ ।

ଅଶ୍ଵଗଜ ପଦାତି ଯେ ଛନ୍ତି ଅପ୍ରମିତ

ବାର ବିଳା ସିନୀ ମାନେ କରୁଛନ୍ତି ନୃତ୍ୟ ।

ଦେଶାଉର ବାର୍ତ୍ତା ବୁଝୁଛନ୍ତି ମିଳି ଆଗେ

ପାତ୍ରମନ୍ତ୍ରୀ ଖଟିଛନ୍ତି ଯେ ଯାହା ନିଯୋଗେ ।

ରଖିଥିଲା ଧନ ଅପ୍ରମିତ କଂସରାୟେ

ଦେବତା ଗନ୍ଧର୍ବ ନର କରିଣ ସେ ଜୟେ ।

ଅକଣ୍ଟକ ମଧୁବନ ଦେଶ ଅକଳନା

ଚୌରାଶି କୋଟି ଯାଦବେ ଏକୁ ଏକ ଜିଣା ।

ଅଠାଶୀ ମର୍ଭୁତ ଘର ସେ ଦେଶରେ ଅଛି

କୁବେର ପରାୟ ଧନ ସେ ଦେଶେ ପୁରିଛି ।

ଯମୁନା ନଦୀ ଦକ୍ଷିଣ ଦିଗେ ସେ ନଗର

ପୂର୍ବେ ସରସ୍ୱତୀ ନଦୀ ଉତ୍ତରକୁ ଧାର ।

ଦକ୍ଷିଣକୁ ମଧୁଗିରି ନାମେ ପରବତ

ତିନି ଯୋଜନା ଅଟଇ ତାହାର ବିସ୍ତୃତ ।

ତାର ପାଶେ ରହିଅଛି ମଥୁରା ପର୍ବତ

ବାସ୍ତରି ପର୍ବତ ଚାରି ପାରୁଶରେ ସ୍ଥିତ ।

ଅଷ୍ଟଧାତୁ ଗଳୁଅଛି ତାହାର ଭିତରୁ

ପାରା ଗନ୍ଧକ ଖପର ସରିତାଳ ଗେରୁ ।

ସୀସକ ହିଙ୍ଗୁଳା ଲୁହା ତମ୍ବା ଯେ ଟାଙ୍ଗଣା

ବତିଶ ଭାଗ ରୂପାକୁ ଶତାବନ ସୁନା ।

ଦୁଇଲକ୍ଷ ମୁକ୍ତା ତହିଁ ହୁଏ ଯେ ଉଦ୍ଧାର

ଏପରି ଭୂଖଣିଜ ଯେ ମଥୁରା ଦେଶର ।

ଏବସନ୍ତେ ବହେ ତହିଁ ବସନ୍ତ ମଳୟ

ଶ୍ରୀକୃଷ୍ଣ ବିଜେକୁ ବିଶ୍ଵକର୍ମା କରି ସ୍ନେହ ।

ନିର୍ମାଣ କରନ୍ତି ପୁର ଅତି ମନୋହର

କୃଷ୍ଣ ବିଜେକଲେ ହସେ ମଥୁରା ନଗର ।

ମଥୁରାବାସୀଙ୍କ ତପ କେ ପାରିବ କହି

ପରଂବ୍ରହ୍ମ ଦେଖି ପାପତାପ ଦେଲେ ଦହି ।

ଏପରି ସୁଖରେ କୃଷ୍ଣ ଛନ୍ତି ମଥୁରାରେ

ଗୋପପୁର ପରିକ୍ରୀଡ଼ା କରିବେ ତହିଁରେ ।

ଦୁଷ୍ଟ ଲୋକ ମାରିବାକୁ ତାଙ୍କ ଅବତାର

ପ୍ରେମେ ବଶ ହୋଇ ରହିଗଲେ ମଥୁରାର ।

ପ୍ରେମମୟ ସେ ତ ସଦା ପ୍ରେମର ଅଧୀନ

ଗୋପ ମଥୁରାର ପ୍ରେମ କରିବେ ବନ୍ଧନ ।

କଂସ ପୁତ୍ର ମଲ୍ଲପୁତ୍ର ପାରିବେ ମୁରାରି

କଂସ ପରି ବହୁବଳ ଅଛନ୍ତି ସେ ଧରି ।

ଦୁଷ୍ଟ ପଣେ ନାହାନ୍ତି କେ ଆଉ ତାଙ୍କ ପରି

କ୍ରୀଡ଼ା ବିନୋଦେ ମାରିବେ ତାଙ୍କୁ ଗିରିଧାରୀ ।

କାଳିଦମନ ଓ ଜରାସନ୍ଧ ଶିଶୁପାଳ

ଏହାଙ୍କ ଦର୍ପ ଧରଣୀ ହୁଏ ଟଳମଳ ।

ଗୋସିଂହ ଓ କୃତବର୍ମା ଆଦି ଦୁଷ୍ଟଗଣ

ଦ୍ଵାରକାରେ ରହି କୃଷ୍ଣ କରିବେ ଦଳନ ।

ମହାଭାରତରେ ଦୁଷ୍ଟ ଦୁର୍ଯ୍ୟୋଧନ ରାଜା

ଶତଭ୍ରାତା ସଙ୍ଗେ ଦର୍ପେ ପାଇବ ସେ ରାଜା ।

ଅର୍ଜ୍ଜୁନ ସଙ୍ଗରେ ରହି ନର ନାରାୟଣ

ଦୁଷ୍ଟମାନଙ୍କୁ ସଂହାରି ଆସିବେ ଫେରିଣ ।

ଦ୍ଵାରକାରେ ରହି କୃଷ୍ଣ ବହୁଲୀଳା କରି

ଯଦୁବଂଶ ନାଶି ଫେରି ଆସିବେ ଶ୍ରୀହରି ।

କିପରି ଦେବତା କର୍ମ ହୋଇବ ସାଧନ

କର ସୁରପତି ତାର ପାଇଁ ଆୟୋଜନ ।

ମଥୁରା ରାଜସୁଖରେ ଭୋଳହୋଇ ହରି

ଭକ୍ତାଧୀନ ସେତ ପୁଣି ଥିବ ଭକ୍ତ ଡୋରି ।

ଏକାଳେ ମିଳିଲେ ବିଧିପୁତ୍ର ତପୋଧନ

କୃଷ୍ଣନାରାୟଣ ନାମ ବୀଣାରେ ଗାଇଣ ।

ହସ୍ତେ କମଣ୍ଡଳୁ ଶୋଭେ କାଖେ କୁଶବିଡ଼ି

ବେଦକାଣ୍ଡ କକ୍ଷା ବାସି ଉତ୍ତରୀ ପଗଡ଼ି ।

ତୁଳସୀମାଳ ଭୂଷଣ ଭାଲେ ଭସ୍ମଚିତା

ତ୍ରି କଚ୍ଛି ବସନ ଶୋହେ କନ୍ଧରେ ପଇତା ।

ପ୍ରତ୍ୟକ୍ଷ ସେ ବ୍ରହ୍ମଋଷି ବ୍ରହ୍ମ ଅବତାର

ଉଜ୍ଜ୍ୱଳ ତେଜେ ଦିଶନ୍ତି କିବା ଦିବାକର ।

ଦେବମନ୍ତ୍ର ପଢ଼ି ମୂନି ହୋଇଲେ ପ୍ରବେଶ

ନିଷ୍ପାପଶରୀର ମୋହୁଥାଏ ଦଶଦିଶ ।

ପିତାମହଙ୍କ ପାଦରେ ହୋଇ ନମସ୍କାର

ଫେରିଆସି ବସିଲେ ଆପଣା ଆସନର ।

ଉଠ ସୁନାସୀର କରି ସଭାପତି ମାନ୍ୟ

ବୋଇଲେ ଆଜି ମୋହର ଏ ଜୀବନ ଧନ୍ୟ ।

ଧନ୍ୟ ବାରସ୍ଵତୀ ପୁର ସୁଧର୍ମା ବିଧାନ

ଯହିଁ ବିଜେ କରୁଛନ୍ତି ବହୁ ଗଣ୍ୟମାନ୍ୟ ।

କୃଷ୍ଣ ନାମ ସୁଧା ଯହିଁ ହୁଏ ବରଷଣ

ନାଚୁଛନ୍ତି ନର୍ତ୍ତକୀଏ ଗାଇ କୃଷ୍ଣ ଗୁଣ ।

ଧନ୍ୟ ହେଲି ଧନ୍ୟ ହେଲି ଧନ୍ୟ ଆଜଦିନ

ସମସ୍ୱରେ ହେଲା ଯହିଁ କୃଷ୍ଣ ସଂକୀର୍ତ୍ତନ ।

କଂସାସୁର ଭୟ ଥିଲା ସର୍ବଦା ଅନ୍ତରେ

କାଳେ ଦୁଷ୍ଟ କିସ କରେ କେଉଁ ମୁହୁର୍ତ୍ତରେ ।

ଆଜି ହୋଇଅଛି ସେହି ଭୟ ଅବସାନ

ଶ୍ରୀକୃଷ୍ଣଙ୍କ ହସ୍ତେ ମଲା ଦୁଷ୍ଟ ଯାତୁଧାନ ।

କଂସ ବଧକରି କୃଷ୍ଣ ମଥୁରାରେ ଛନ୍ତି

ଗୋପେ ବାଲ୍ୟଲୀଳା ଯାହାକଲେ ଶିରୀପତି ।

ଏପରି କେଉଁଠି କେଉଁ ଅବତାର ହୋଇ

କାହ୍ନା ଅବତାର ପରି ହୋଇ ନାହିଁ କାହିଁ ।

ଆଠ ବରଷ ଭିତରେ ଲୀଳା ଗୁରୁତର

ସ୍ୱଚ୍ଛ ପ୍ରେମଧାରା କଲେ ଗୋପରେ ପ୍ରଚାର ।

ନନ୍ଦ ଯଶୋଦାଙ୍କ ପୁତ୍ର ସ୍ନେହ ଆକର୍ଷଣ

ତରଳାଇ ଦେଲା ବୃନ୍ଦାବନର ପାଷାଣ ।

ତିନିଦିନ ଶେଯଛୁଆ ମାରିଲେ ପୁତନା

ଗୋଡ ହଲାଇ କରିଲେ ଶକଟାକୁ ଚୂନା ।

ସାତଦିତ ଧରି ନେଇଥିଲା ତୃଣାବର୍ତ୍ତ

ଆକାଶୁ ପଡ଼ିଲେ ତଳେ ମରିଲା ଦଇତ ।

ଏହିପରି ନାନାଭାବ କଲେ ରାମହରି

ହୋଇ ନଥିବ କେଉଁଠି ଆଉ ଏହିପରି ।

ଯଶୋଦାଙ୍କ ସରପୁଳି ଦିଆ କ୍ଷୀରଖିଆ

ଯେ ଦେଖୁଛି ଦେଖିବାକୁ ଭାବେ ନୂଆ ନୂଆ ।

ହତଭାଗା ଆମ୍ଭେ କଂସ ଭୟ ହୃଦେ ଧରି

ନ ଦେଖିଲୁ ବାଲ୍ୟଲୀଳା କାଳ ଗଲା ସରି ।

ଦୁଷ୍ଟ କଂସ ଭୟ ପୁଣି ତାର ଅପମାନ

ଭୟ ଦେବେ ନ କରିଲେ ବାତ୍ସଲ୍ୟ ଦର୍ଶନ ।

ବହିଗଲା ଜଳ ପରି ଦିନ ଚାଲିଗଲା

କୃଷ୍ଣ ବାଲ୍ୟଲୀଳା ସରି ଐଶ୍ଚର୍ଯ୍ୟ ହୋଇଲା ।

ଦିବାରାତି କଂସ ଡରେ କଟିଯାଏ ଦିନ

କୃଷ୍ଣ ବାଲ୍ୟଲୀଳା ନ ଦେଖିଲୁ ଦେବଗଣ ।

ଏତେ କହି ପୁରନ୍ଦର ହୋଇଲେ ମଉନ

ସର୍ବ ଦେବତାଙ୍କ ମନ କୃଷ୍ଣରସେ ଲୀନ ।

ଶୁଣି ବେଦପତି କହନ୍ତେ ହେ ଦେବକୁଳ

ଯାହାପାଇଁ ମନେ ମନେ ହେଉଛି ବ୍ୟାକୁଳ ।

ବହିଗଲା କଥା ପୁଣି ଦେଖିବାକୁ ଆସ

ବର୍ତ୍ତମାନ ଶ୍ରୀକୃଷ୍ଣଙ୍କ ଐଶ୍ଚର୍ଯ୍ୟ ପ୍ରବେଶ ।

ନରଦେହେ ତିନିକାଳ ହୁଅଇ ପ୍ରାଣୀର

ବାଲ୍ୟ ଯୌବନ ଓ ଜରା ହୁଅଇ ଶରୀର ।

ଯାହାପରେ ଯେଉଁକାଳ ହୁଏ ଉପଗତ

ପୁଣି କାଳ ଲେଉଟିବ ହୁଏ ଅସଙ୍ଗତ ।

ଯଦି ତୁମ୍ଭର ମାନସ ଥାଏ ଭକ୍ତିଭରେ

ନାରଦ ମହର୍ଷି ଛନ୍ତି ବୁଝିବେ ସେ ପରେ ।

ବର୍ତ୍ତମାନ ସଭାକାର୍ଯ୍ୟ କର ସମାପନ

ଧନ୍ୱନ୍ତରୀ ବୃହସ୍ପତି କହିଲେ ଯେସନ ।

ଦେବକାର୍ଯ୍ୟ ବିଶ୍ୱହିତ ପାଇଁ ନରହରି

ଯାଇଛନ୍ତି ପ୍ରେମମୟ ଗୋଲକ ବିହାରୀ ।

ସେହି ହିତ କାର୍ଯ୍ୟ ଯେହ୍ନେ ହୁଏ ସମାପନ

ସେହି ମର୍ମେ ଦେବେ କର ପଥ ପ୍ରଦର୍ଶନ ।

ଭକ୍ତାଧୀନ ଭଗବାନ ଅଟନ୍ତି ପ୍ରେମିକ ।

ପ୍ରେମ ବନ୍ଧନଟି କୃଷ୍ଣ ତାହାର ତିଳକ ।

ସର୍ବଦେବ କର ସଦା ଉପାୟ ଭିଆଣ

ଯେଉଁପରି ବଧ ହେବେ ଯେତେ ଦୁଷ୍ଟଗଣ ।

ବାଲ୍ୟ ଐଶ୍ଚର୍ଯ୍ୟ ମମତା ତିନିକାଳ ରସ

ଧେନୁଦାନ ବେଳେ ଯଜ୍ଞ କରି ପୀତବାସ ।

କଂସ ପୁତ୍ର ମରାଇବେ ଭିଆଇ ଚନ୍ଦନ

ଦେବର୍ଷି ନାରଦ ପାଶେ କର ନିବେଦନ ।

ଏତେକହି ସଭାଭଙ୍ଗ ଆଦେଶ ଦେଇଣ

ବେଦପତି ଚଳିଗଲେ ଆପଣା ଭବନ ।

କିଛି ଦୂର ପାଛୋଟିଣ ପିତାମହ ପଦେ

ପ୍ରଣମି ମେଲାଣି ଘେନି ସର୍ବ ଦେବବୃନ୍ଦେ ।

ଦେବର୍ଷି ନାରଦଙ୍କୁ ଆସନେ ବସାଇଣ

ସୁରପତି ସହ ଦେବେ କଲେ ନିବେଦନ ।

ଆହେ ବିଧିସୁତ ତୁମ୍ଭେ ଯଦି କୃପାକର

ଶ୍ରୀକୃଷ୍ଣଙ୍କ ବାଲ୍ୟରସ ଦେଖିବୁ ନିକର ।

ଭକ୍ତ ଭଗବାନ ଯେଣୁ ନୁହେଁ କିଛି ଭିନ୍ନ

ନିଶ୍ଚୟ ଦେବର୍ଷି କରି ପାରିବେ ଏମାନ ।

ଜୟ ବୀଣା ଧାରଣ ହେ ଦେବର୍ଷିଙ୍କ ଶ୍ରେଷ୍ଠ

ଜୟ ପରମେଷ୍ଟି ପୁତ୍ର ପୁଣି ସର୍ବ ଜ୍ୟେଷ୍ଠ ।

ବ୍ରହ୍ମମୟ ବ୍ରହ୍ମଚାରୀ ନିରଆଡ଼ମ୍ବର

ଜୟ ହେ ଜ୍ଞାନ ଭୂଷଣ ଭକ୍ତଙ୍କ ଶେଖର ।

ଅନନ୍ତ ଅଙ୍କବିହାରୀ ଯେଉଁ ନାରାୟଣ

ଗୋପେ ଆସି ବାଲ୍ୟଭାବ କରିଲେ ଭିଆଣ ।

ନ ଦେଖିଲେ ଦେବତାଏ ଶ୍ରୀକୃଷ୍ଣଙ୍କ ଭାବ

ଯଶୋବନ୍ତୀ କୋଳେ କ୍ଷୀର ଖାଇଲେକେଶବ

ଆହେ ବିରଞ୍ଚି ନନ୍ଦନ ଯୋଗୀ ସର୍ବଜ୍ଞାତା

ଭୂତ ଭବିଷ୍ୟତ ଜାଣିପାର ସର୍ବକଥା ।

ଜାଣିଅଛ ତ୍ରିକାଳଜ୍ଞ ଆହେ ତପୋଧନ

କରିପାର ଅକ୍ଳେଶରେ ଅସାଧ୍ୟ ସାଧନ ।

ଶ୍ରୀକୃଷ୍ଣଙ୍କ ଭକ୍ତ ପୁଣି ନିଜେ ବ୍ରହ୍ମଚାରୀ

ଭକ୍ତିରେ ବଶ କରିଛ ଗୋଲକ ବିହାରୀ ।

କଂସ ମରଣରେ ଦେବେ ହୋଇଲୁ ଆନନ୍ଦ

ସୁଧର୍ମା ସଭାରେ ଶୁଣିଗଲ ଭଲମନ୍ଦ ।

ନରସିଂହ ରୂପେ ମାରି ମୁର ଓ ଦାରୁଣ

ବଦ୍ରିକାରେ ବ୍ରାହ୍ମଣ ବେଶରେ ନାରାୟଣ ।

କ୍ଷତ୍ରିକୁଳେ ଅବତରି ରାମ ରୂପ ଧରି

ରାବଣ କୁମ୍ଭକର୍ଣ୍ଣକୁ ନାଶିଲେ ଶ୍ରୀହରି ।

ଦୃମିଲା ଔରସେ ଜନ୍ମହେଲା କଂସାସୁର

ଖଟାଇଲା ଦେବତାଙ୍କୁ କରିଣ କିଙ୍କର ।

କାହ୍ନାରୂପେ ଗୋପେ ଲୀଳା କରିହେ ପ୍ରଚାର

ଆଖିରେ ଦେଖି ମରିଲା ପ୍ରତାପୀ ଅସୁର ।

କଂସଭୟେ ଗୋପେ ନ ଦେଖିଲେ କୃଷ୍ଣଲୀଳା

ଯେ ଦେଖିଛି କୃଷ୍ଣରସ ହୋଇଛି ପାଗଳା ।

ଯାର ଭାଗ୍ୟ ହୀନ ସେ କି କରିବ ଦର୍ଶନ

ତାରି ଆଖି ଥିଲେ ସେ ତ ନ ଥିଲା ସମାନ ।

କାନ ଥାଇ କୃଷ୍ଣ ରସ ନ କରେ ଶ୍ରବଣ

ସେ କାନ ନ ଥିଲା ପରି ହୁଏ ଅକାରଣ ।

ଏପରି କହନ୍ତେ ନାରଦଙ୍କୁ ପୁରନ୍ଦର

ଆଉ କି ଦେଖିବା ସେହି ବାଲ୍ୟରସ ସାର ।

ହେ ବିଧି କୁମର ଯେଣୁ ଥିଲା କଂସ ଡର

ନିତି ଦେବେ ଖଟୁଥିଲେ ତାହାର ପୟର ।

ଧନ୍ୟ ଯେ ଦେଖିଲା କାହ୍ନା ବେଶ ବାଲ୍ୟଲୀଳା

ତାହାର ଧନ୍ୟ ଜୀବନ ପିତାମାତା କଳା ।

କୃଷ୍ଣରସେ ଚିତ୍ତବୋଧ ନ ହୁଏ ଯାହାର

ସଂସାରରେ ତ ସମାନ କେବା କୁଳାଙ୍ଗାର ।

ଏବେ ବାଲ୍ୟଲୀଳା ପ୍ରଭୁ କରି ସମାପନ

ଐଶ୍ଚର୍ଯ୍ୟ ଭୋଗ କରନ୍ତି ମଥୁରା ଭୁବନ ।

ଶ୍ରୀକୃଷ୍ଣଙ୍କ ବାଲ୍ୟରସ କାହ୍ନା ଅବତାର

ବହିଗଲା ଯେଣୁ ଜନ୍ମ ବିଫଳ ଆମ୍ଭର ।

ଏତେକହି ଦେବକୁଳ ସଙ୍ଗେ ପୁରନ୍ଦର

ବହିଯାଏ କୃଷ୍ଣ ପ୍ରେମେ ନୟନରୁ ନୀର ।

ଦେବକୀ ଆକୁଳ ଦେଖି ଦେବର୍ଷି ନାରଦ

ପ୍ରବୋଧ ଦେଇ କହନ୍ତି ଶୁଣ ଦେବବୃନ୍ଦ ।

ଭକ୍ତଭାବେ ଭଗବାନ ନାନାରୂପ ଧରି

ଭକ୍ତ ଭାବକୁ ନିକଟ ଯେଣୁ ଦଇତାରି ।

ତୁମ୍ଭମାନଙ୍କର ଭକ୍ତି ଯଦି ଥିବ ଧରି

ନିଶ୍ଚୟ ଭକ୍ତବାନ୍ଧବ ପୁଣି ଲୀଳାକରି ।

ଦେଖାଇବେ ବାତ୍ସଲ୍ୟ ବେଶକୁ ନାରାୟଣ

ମୁହିଁ ତାଙ୍କ ଦୟା ପାଇଁ ହୋଇବି ଶରଣ ।

ପିତାମହ ଯାହା ମୋତେ ଦେଲେଟି ସୂଚାଇ

ପ୍ରଭାସେ ଯଜ୍ଞ କରିବେ ନିଶ୍ଚେ ଭାବଗ୍ରାହୀ ।

ଦେବକୀ ଦେବକୀ ଅଛି ଦାନ ମାନସିକ

ଲକ୍ଷେ ଧେନୁ ଦାନ ଦେବେ କରାଇବି ଠିକ ।

ଭକ୍ତିରେ ଯଦି ଶ୍ରୀକୃଷ୍ଣଙ୍କର ତୃଷ୍ଣା ଥିବ

ଏକସଙ୍ଗେ ତିନିରସ ତହିଁ ଦେଖାଇବ ।

ଦେବତାଙ୍କୁ ନାରଦ ଯେ ଭରସା ଦେଇଣ

ବୋଲନ୍ତି ଯାଉଛୁ ଆମ୍ଭେ ମଥୁରା ଭୁବନ ।

ପୁରନ୍ଦର ସହଦେବ ଆନନ୍ଦିତ ହୋଇ

ନମସ୍କାର କରି ପୁରେ ଗଲେ ତୋଷ ହୋଇ ।

ମନ ଯାନରେ ନାରଦ ମଥୁରାକୁ ଗଲେ

କୃଷ୍ଣରସ ସୁମରିଣ ବିଭୋଳ ହୋଇଲେ ।

ଭାବକୁ ନିକଟ ପ୍ରଭୁ ଅଭାବକୁ ଦୂର

ଯାର ମାୟା ବ୍ରହ୍ମାଶିବେ ସଦା ଅଗୋଚର ।

ମୁଁ କାହିଁ ଲେଖିବି ପୁଣି ନରଦେହ ଧରି

ଜ୍ଞାନ ହେବା ଦିନୁ କୃଷ୍ଣରସ ଖୋଜିକରି ।

ବାର୍ଦ୍ଧକ୍ୟ ହେଲାଣି ତାର ପାଉ ନାହିଁ ଶେଷ

ଦିନକୁ ଦିନ ଦେଖୁଛି ନୂଆ ନୂଆ ରସ ।

ଚିତ୍ତବୋଧ କୃଷ୍ଣରସ ଅଟେ ରସ ଶିରୀ

ପାନକଲା ଲୋକ ଖୋଜେ ଆହୁରି ଆହୁରି ।

ଶ୍ରୀଗୁରୁ ଅଚ୍ୟୁତାନନ୍ଦ ପାଦପଦ୍ମ ଧ୍ୟାୟି

ଦୀନ ଇନ୍ଦ୍ରମଣି ସାହୁ ପଦ୍ୟରେ ଲେଖଇ ।

 

Unknown

ନାରଦଙ୍କର ମଥୁରାରେ ପ୍ରବେଶ ଓ
ଦେବକୀଙ୍କ ଦାନ ପାଇଁ ସୂଚନା

ଏଥୁ ଅନନ୍ତରେ ଯେ ପରୀକ୍ଷ ନରପତି

ଶୁକମୁନି ଚରଣରେ ସେବା କରୁଛନ୍ତି ।

ପଚାରନ୍ତି ଆହେ ମୁନି ଚିତ୍ତବୋଧ ଗ୍ରନ୍ଥ

ଶୁଣାଇଲେ ଯାହା ଶ୍ରୀକୃଷ୍ଣଙ୍କ ରସାମୃତ ।

କୁହ ଦେବ ନାରଦ ମଥୁରା ଯାଉଛନ୍ତି

କିସ ତାଙ୍କ ମନରେ ବା ବିଚାର କରନ୍ତି ।

ଶୁକ କହନ୍ତି ହେ ଶୁଣ ପରୀକ୍ଷ ରାଜନ

ମଥୁରାକୁ ଯାଉଛନ୍ତି ବିରଞ୍ଚ ନନ୍ଦନ ।

ମନେ ବିଚାରନ୍ତି ଏ କୃଷ୍ଣଙ୍କ ରସାମୃତ

ନିଜେ ଗଢ଼ାଇବି କୃଷ୍ଣ କରିବେ ଯେମନ୍ତ ।

ଭକ୍ତ ଭଗବାନଙ୍କର ଭିନ୍ନାଭିନ୍ନ ନାହିଁ

କୃଷ୍ଣ ରସ ରସାମୃତ ପିଇବଇଁ ମୁହିଁ ।

ନାରାୟଣ ପୁରୁଷ ସେ ସଗୁଣ ନିର୍ଗୁଣ

ଯଶୋବନ୍ତୀଠାରୁ କ୍ଷୀର ଖାଇବଟି ପୁଣ ।

ଦେବଗଣ ସହ ମୁହିଁ ସେରୂପ ଦେଖିବି

ଗୋପୀଙ୍କ ବିରହେ ସଖୀ ପ୍ରେମ କରାଇବି ।

ଧନ୍ୟ ସେ ମଥୁରାବାସୀ କେଡ଼େ ଭାଗ୍ୟବାନ

ନିତି ଦେଖୁଛନ୍ତି ପ୍ରଭୁ ରାଜୀବ ଲୋଚନ ।

ଏତେ କହି ମନଯାନେ ଗଲେ ତପୋଧନ

ଦେଖିଲେ ମଥୁରାପୁରୀ ଅତି ଶୋଭାବନ ।

ପୁଣି ବିଚାରିଲେ ପୂର୍ବେ ଦେଖିଥିଲି ମୁହିଁ

ଶିରୀହୀନା ବିଧବା ପରାୟେ ଥିଲା ଏହି ।

ନିତି କଂସ ରଡ଼ି ଶୁଣି ଦେଶ ଥରୁଥିଲା

ଧରାରାଣୀ ଧରି ଭୂମି କମ୍ପିଯାଉଥିଲା ।

ଆଜି ତ ହସୁଛି ଏହି ଗିରି ମାଳାମାନ

ଝର ଜଳ ଯମୁନାରେ କଳ କଳ ସ୍ଵନ ।

ଅବସନ୍ତେ ଋତୁରାଜ ମଣ୍ଡିଅଛି ଶୋଭା

କୋକିଳର କୁହୁତାନ କରେ ମନଲୋଭା ।

ପର୍ବତେ ଶିଖର ଚୂଳ ଦିଶେ ମନୋହର

ମୟୂର ସଙ୍ଗେ ମୟୂରୀ ନାଚେ କି ସୁନ୍ଦର ।

ବହଇ ପର୍ବତ ପାଦ ଦେଶୁ ବହୁ ଝର

ସୁବିମଳ ଜଳରାଶି ନିମ୍ନେ ଛୁଟେ ଧାର ।

ଯମୁନା ଜଳ ବହଇ କଳ କଳ ହୋଇ

ବନମାଳ ମୁକ୍ତାହାର ପରାଏ ଦିଶଇ ।

ବୃକ୍ଷମାନଙ୍କର ଶୋଭା ଅତି ମନୋରମ

କୋମଳ ପତ୍ର ବଲ୍ଲରୀ ଶ୍ୟାମଳ ସୁଷମ ।

କାହିଁ ଫୁଲର କଳିକା ହୁଏ ପ୍ରସ୍ଫୁଟିତ

ବୃକ୍ଷେ ଫୁଲଗଭା ପିନ୍ଧି ଯୌବନେ ଭୂଷିତ ।

ଚମ୍ପା ନାଗେଶ୍ଵରୀ ମଲ୍ଲୀ ପୁନ୍ନାଗ ଦୟଣା

ମଧୁମାଳତୀ ବିଚିତ୍ର ରଙ୍ଗେ ଶୋଭା ଜିଣା ।

ପଳାଶ ଶିରିଷ ଶ୍ୱେତ ମନ୍ଦାର ନିଆଳୀ

ଗେଣ୍ଡୁ ଫୁଲେ ପ୍ରଜାପତି କରୁଛନ୍ତି କେଳି ।

ସୁରଭିତ ବନରାଜି ଫୁଲେ ପ୍ରସ୍ଫୁଟିତ

ସିଙ୍ଗଡ଼ାହାର ସୁବାସ ଚୋରା ମଧୁବ୍ରତ ।

ଅଗରୁ ଚୂତ ବୃକ୍ଷରେ ଗାଏ କଳାପିକ

ମନ୍ଦ ସମୀରଣ ବହି ଆଣଇ ମାଦକ ।

କୋକନଦ କଞ୍ଜ କହ୍ନାର ଗଙ୍ଗଶିଉଳି

ସୁନ୍ଦର ପୁଷ୍କରିଣୀର ରୂପ ଉଠେ ଝଳି ।

ସୁବିମଳ ଜଳରାଶି ଦିଶଇ ନିର୍ମଳ

ଖେଳୁଛନ୍ତି ତା ଗର୍ଭରେ ରାଜହଂସ ଦଳ ।

ନଗରୀ ଶୋଭାକୁ କିସ ଉପମା ଦେବଇଁ

ନିଜେ ବିଶ୍ଵକର୍ମା ଗୁପ୍ତେ ଗଢ଼ିଛନ୍ତି ରହି ।

କାହିଁ ନୃତ୍ୟ ଗୀତ କାହିଁ ଖେଳ କଉତୁକ

ନାନା କାର୍ଯେ ମାତିଛନ୍ତି କେଉଁଠି କୃଷକ ।

ବିପଣୀ ପୂରି ରହିଛି ନାନା ରତ୍ନମାନ

ବିକ୍ରୟ କରନ୍ତି ସାଧବ ଯେ ହୋଇ ଗଣ୍ୟ ।

ଶାକର ଖଣ୍ଡର ଫେଣି ଛତୁଆ ସହିତେ

କର୍ପୂର କସ୍ତୁରୀ ଗନ୍ଧ ଆଦି କରି ଯେତେ ।

ନାନାବିଧି ଉପଚାର ନାନାବିଧି କାମ

ବିବିଧ ଯୋଗାଡ଼ ପୁଣି ଅଳଙ୍କାର ହୋମ ।

କୋଟିରତ୍ନ ଆଭରଣ କୋଟିଏ ବସନ

ପୂରି ରହିଛି ବଜାର ହାଟ ବାଟ ମାନ ।

ବରାହ ପୁଚ୍ଛ ଚାମର ଠାବେ ଠାବେ ଅଛି

ହଂସୁଲୀ ତୁଳି ମୁଚୁଳା ବିଚିତ୍ର ହୋଇଛି ।

ଆପଣେ ଶ୍ରୀ ଅନ୍ତର୍ଯ୍ୟାମୀ ପୁରୁଷ ଶ୍ରୀକୃଷ୍ଣ

ଥିବାରୁ ଲକ୍ଷ୍ମୀ ଆସିଣ ବିରାଜନ୍ତି ପୃଷ୍ଠ ।

କାହିଁ ଗଜ ଯୁଥ କାହିଁ ଘୋଡା ପନ୍ତି ପନ୍ତି

କେଉଁଠାରେ ବାଡ଼ି ଖଣ୍ଡା ପାଇବେ ସାଧନ୍ତି ।

ସବୁଙ୍କ ମନ ହରଷ ବିରସ କେ ନାହିଁ

ଯହିଁ ବିଜେ କରିଛନ୍ତି ବ୍ରହ୍ମାଣ୍ଡ ଗୋସାଇଁ ।

ରଙ୍ଗସଭାର ଆସ୍ଥାନ ଦେଖିଲେକ ମୁନି

ପାଞ୍ଚସହସ୍ର ବଖରା ବିଚିତ୍ର ମଣ୍ଡଣି ।

ଅସୁର ବାରସ୍ଵତୀ ଯେ ନୁହେଁ ପଟାନ୍ତର

କଂସରାଜା କରିଥିଲା ରଙ୍ଗ ସଭା ପୁର ।

ମାରାଗ ରତନ ପୀଢ଼ ତିନି ତାଳ ଉଚ୍ଚ

ଶିଶୁକାଠେ ବାଡ଼ମାନ ଅତ୍ୟନ୍ତ ସୁସଞ୍ଚ ।

ରଜତ ଖମ୍ବ ଉପରେ ସୁବର୍ଣ୍ଣର ଶେଣୀ

ଉପରେ ଧବଳ ଛାତ ଝିଙ୍କର ଛାଏଣି ।

ହୀରା ପଗଡ଼ର କାଟ ନନ୍ଦାବର୍ତ୍ତ କମ

ଗଜଦନ୍ତ ପିତୁଳାରେ ଝମକଇ ହେମ ।

ହୀରା ନୀଳା ବଇଡୁର୍ଯ୍ୟ ଲମ୍ବେ କେରି କେରି

ପିତୁଳାମାନଙ୍କ ରୂପ ଦିଶେ ପରୀ ପରି ।

ମାଣିକ୍ୟର ଦୀପାବଳୀ ଜଳେ ଚଉକତି

ଶରତ ଚନ୍ଦ୍ରମା ଉଦେ ପ୍ରାୟ ତାର ଜ୍ୟୋତି ।

ଖମ୍ବପରେ ଖଞ୍ଜାଅଛି ମାଣିକ୍ୟ ଓ ମଣି

ତେଜ ନିନ୍ଦୁଅଛି କେବା ଉଦେ ଦିନମଣି ।

ନିଜେ ବିଶ୍ୱକର୍ମା ଆସି ଗଢ଼ିଛି ସେ ସଭା

ବକ୍ର ନାହିଁ କାହିଁ ଦିଶୁଅଛି ଦିବ୍ୟଶୋଭା ।

ନାନାବର୍ଣ୍ଣେ ସଜାଇଛି ସୂଚିକାମ ନୂଆ

ପ୍ରତି ଘରମାନଙ୍କରେ ବିଚିତ୍ର ଚାନ୍ଦୁଆ ।

ବୀରକେଦାର ଚାମର ସୁବାସିତ ପୃଷ୍ପ

ମେଲାକାଠ ମଣ୍ଡଣିରେ ଲମ୍ବେ ଚଉପାଶ ।

ଧାଡ଼ି ଧାଡ଼ି ରେଖ ରେଖ ଦିଶେ ପନ୍ତି ପନ୍ତି

ନକ୍ଷତ୍ର ମାଳା ଉଦୟ ପ୍ରାୟ ଶୋଭା ପାନ୍ତି ।

ଅଳକା ଭୁବନ ପ୍ରାୟ ଦିଶଇ ସେ ଶୋଭା

ବାରସ୍ଵତୀ ଭୁବନରୁ ବଳି ଦିଶେ ଶୋଭା ।

ମଧ୍ୟେ ରାଜ ସିଂହାସନ ରହିଅଛି ମାଡ଼ି

ହଂସୁଲୀ ତୁଳିକା ଶେଯ ରହିଛି ସଜାଡ଼ି ।

ପାବଚ୍ଛରେ ବେନିସିଂହ ରହିଛନ୍ତି ମାଡ଼ି

ତାର ପଛେ ପ୍ରହରୀ ଯେ ଛନ୍ତି ଯୋଡ଼ି ଯୋଡ଼ି ।

ଶୁଣିବାକୁ ଆଗୋଚର ଦେଖିବା ଦୁର୍ଲ୍ଲଭ

ମଥୁରା ନଗରୀ ବାରସ୍ଵତୀରୁ ବଳିବ ।

ଉଗ୍ରସେନ କୋଳେ ରାମକୃଷ୍ଣ ସିଂହାସନେ

ମିଳିଲେ ନାରଦ ଯାଇ ତାଙ୍କ ସନ୍ନିଧାନେ ।

କନ୍ଧେ ଝୁଲା ବୀଣାଧରି ମିଳିଲେକ ମୁନି

ରାମ ତାରକ ମନ୍ତ୍ରକୁ କଣ୍ଠେ ଛନ୍ତି ଘେନି ।

କଷା କଉପୀନ କନ୍ଧେ ତ୍ରିକଚ୍ଛ ବସନ

ଯଜ୍ଞୋପବୀତ କନ୍ଧରେ ଭସ୍ନ ବିଲେପନ ।

ଆସନୁ ଉଠିଣ ଉଭା ହେଲେ ବେନିଭାଇ

ମୁନିଙ୍କ ଚରଣେ ପ୍ରଣମିଲେ ଖୁସି ହୋଇ ।

ହସ୍ତ ପ୍ରସାରିଣ ମୁନି କରନ୍ତି କଲ୍ୟାଣ

ଧନ୍ୟ ହେଲି ଦେଖି ଆଜ ରାଜୀବଚରଣ ।

ଧନ୍ୟ ଧନ୍ୟ ଧନ୍ୟ ଏହି ମଥୁରା ନଗର

ଯହିଁ ପ୍ରେତପରି ଗର୍ଜ୍ଜୁ ଥିଲା କଂସାସୁର ।

ଭୟରେ ଖଟୁଣ ଥିଲେ ସାରା ନଗ୍ରଯାକ

ଦିବାକର ଡାକୁଥିଲେ ସୃଷ୍ଟିକର୍ତ୍ତା ରଖ ।

କିହୋ ଉଗ୍ରସେନ ତୁ ତ କଂସ ଚଉକିଆ

ରାତିସାରା ହୋଇଥାଉ ନଗର ଡାକୁଆ ।

ଆଜି କିସ ଦେଖୁଅଛି ବଡ ଆଚମ୍ବିତ

ରତ୍ନ ସିଂହାସନେ ନାତି ଖେଳାଉଛୁ ତୁ ତ ।

କିଏ କରିଲା ହୋ ତୋତେ ଏବେ ଭାଗ୍ୟବାନ

କଂସ ପରା ପୁତ୍ର ମଲା ତୋର ଶୁଭଦିନ ।

କର୍ଣ୍ଣରେ କୁଣ୍ଡଳ ଶିରେ ଦିଶୁଛି ମୁକୁଟ

ମଣିଗଣ କିରଣରେ ଦିଶେ ଝଟ ଝଟ ।

ରାମକୃଷ୍ଣ ବେନିଭାଇ ବସାଇଛୁ କୋଳେ

ପଟୁଆରେ ବେଢ଼ିଛନ୍ତି ରଙ୍ଗସଭା ତଳେ ।

ବକ୍ଷସ୍ଥଳେ ଲମ୍ବିଅଛି ନବରତ୍ନ ହାର

ବିଦମୁଦି କଙ୍କଣରେ ସଜାଇଛୁ କର ।

ପୁଣି ଯୁବା ପରି ତୋର ହେଲା କଳେବର

ଯୁବା ପୁତ୍ର ମଶାଣିରେ ଏ କେଉଁ ବିଚାର ।

ଶୁଣି କହୁଛନ୍ତି ଭାବେ ଭାବ ବିନୋଦିଆ

କାଲି ଅଜା ପରା ଯେ ଆଈକୁ ହେବେ ବାହା ।

ସଭାସ୍ଥିତ ଲୋକେ ଶୁଣି ହେଲେ ହସ ହସ

ଉଗ୍ରସେନ କହୁଛନ୍ତି ମନେ ହୋଇ ତୋଷ ।

ଏ ସଂସାର ଚଳାଉଛି ଭାବ ଲମ୍ଫଟିଆ

କେତେବେଳେ କେଉଁ ରୂପେ ସଜାଏ ନାଟୁଆ ।

କିଏ ସେ ଉବୁରି ଯିବ ମାୟାରୁ ତାହାର

ମାୟାଧର ମାୟା ଯେ ଦେବଙ୍କୁ ଅଗୋଚର ।

କିଏ ତାର ପୁତ୍ର ଜାୟା ବନ୍ଧୁ ସହୋଦର

ମିଛଟାକୁ ମୋର ମୋର କେ ନୁହେଁ କାହର ।

କରମ ଅପକରମ ନୀତି ବା ଅନୀତି

ଯେ ଯାହା କରିବ ଫଳ ପାଇବ ଝଟତି ।

ଭଲ କର୍ମ କଲେ ତାର ମିଳେ ଭଲ ଫଳ

ମନ୍ଦ କାମ ଯୋଗେ ପୂର୍ବ ହେଲା କଂସ କାଳ ।

ସେହିପରି ଅଟେ ଏହି ସଂସାରର ନୀତି

ଚାଳକ ଇଚ୍ଛାରେ ଚଳେ ଭଲ ମନ୍ଦ ଗତି ।

ଶୁଣି ଉଗ୍ରସେନ ବାଣୀ ବିରଞ୍ଚି ନନ୍ଦନ

ବୋଇଲେ ମୁଁ ଆସିନାହିଁ ଗଲା ବହୁ ଦିନ ।

ଦେବକୀ ମାତାର ମନ ଥିଲା ବିଚଳିତ

ନନ୍ଦଘରେ ଯେଣୁ ଥିଲେ ରାମ ଜଗନ୍ନାଥ ।

ଆଜି ପୁତ୍ରଙ୍କର ମୁଖ ଦେଖନ୍ତି ଜନନୀ

ଦେଖାକରି ଆସିବି ମୁଁ ସଭା ସ୍ଥାନେ ପୁଣି ।

ଏହା କହି ବିଧି ପୁତ୍ର ବୀଣାକୁ ବଜାଇ

କୃଷ୍ଣ କୃଷ୍ଣ କହି ଅନ୍ତଃପୁରେ ହେଲେ ଯାଇ ।

ବୃଦ୍ଧାରାଣୀ ଇନ୍ଦୁମତୀ ମୁନିଙ୍କୁ ଦେଖିଣ

ଅର୍ଘ୍ୟ ଥାଳି ଆଣି କଲେ ଚରଣ ବନ୍ଦନ ।

କଲ୍ୟାଣ କରିଣ ତାଙ୍କୁ ଦେବର୍ଷି ନାରଦ

ବୋଇଲେ କିମ୍ପାଇଁ ମାତା ମନରେ ବିଷାଦ ।

ବିନୟରେ ଇନ୍ଦୁମତୀ କହନ୍ତି ବଚନ

ବୃଦ୍ଧକାଳେ ପୁତ୍ର କଷ୍ଟ ଦେଲେ ନାରାୟଣ ।

ମୃତ୍ୟୁକାଳେ ମୁଖେ ଜଳ ଦେବାକୁ କେ ନାହିଁ

ଏହାଠାରୁ ବଳି ଦୁଃଖ ଅଛି କି ଗୋସାଇଁ ।

ପ୍ରବୋଧି କହନ୍ତି ତାଙ୍କୁ ବିରଞ୍ଚି ନନ୍ଦନ

ଯାହା ଥିବ ତୋର ରାଣୀ ଭାଗ୍ୟରେ ଘଟନ ।

ଥାଉଁ ଥାଉଁ ପୁତ୍ର ମୃତ୍ୟୁ କାଳେ ହୁଏ ଆନ

ଜଳ ଦେବା ପାଇଁ ମୁଖେ ନ ହୁଏ ଭାଜନ ।

ଶୁଣିଛୁ ତୁ ରାମାୟଣ ଆଗୋ ରାଜରାଣୀ

ଦଶରଥ କୋଳେ ପୁତ୍ର ଜନ୍ମିଥିଲେ ପୁଣି ।

ରାମଲକ୍ଷ୍ମଣ ଭରତ ଆଉ ଶତ୍ରୁଘନ

ବହୁତପସ୍ୟାରେ ହେଲେ ଚାରୋଟି ନନ୍ଦନ ।

କିନ୍ତୁ ମୃତ୍ୟୁକାଳେ କେହି ପାଖେଲେ ନାହିଁ

ଜଳ ନ ପାଇ ମରିଲେ ଦଶରଥ ତହିଁ ।

ଭାଗ୍ୟେ ଥିଲେ ନିଶ୍ଚେ କେହି ଦେବଟି ମୁଖରେ

ସେ ପାଇଁ ଦୁଃଖ କରିବା ଅଟେ ଅବିଚାରେ ।

ବିଷ୍ଣୁ ମାୟାରେ ଚଳଇ ଜୀବ ଏ ସଂସାରେ

ହାଟୁଆ ପରାଏ ସାଙ୍ଗ ପୁତ୍ର ପରିବାରେ ।

ଇନ୍ଦୁମତୀକି ପ୍ରବୋଧ ଦେଇ ବିଧି ସୁତ

ଦେବକୀର ବାସ ଗୃହେ ମିଳିଲେ ତୁରିତ ।

ଅଦିତି କଶ୍ୟପ ବସୁଦେବ ଓ ଦେବକୀ

ଦେବକାର୍ଯ୍ୟେ ମର୍ତ୍ତ୍ୟେ ଜନ୍ମି ହୋଇଛନ୍ତି ସୁଖୀ ।

ଯୁଗେ ଯୁଗେ ବିଷ୍ଣୁ ମାତା ପିତା ଏହି ଦୁଇ

ଦର୍ଶନ କରିଲେ ମୁନି ଆନନ୍ଦିତ ହୋଇ ।

ଦେଖି କୃଷ୍ଣଙ୍କ ଜନନୀ ବହି ମନେ ତୋଷ

ନାରଦଙ୍କୁ ଭକ୍ତଭରେ ହୋଇଣ ନମସ୍ୟ ।

ବୋଇଲେ ହେ ତପୋଧନ ଭାଗ୍ୟ ଆଜି ମୋର

କୃଷ୍ଣ ପ୍ରେମାନନ୍ଦ ସ୍ଵାମୀ ମିଳିଲେ ମୋ ପୁର ।

ସପନେ ମୁଁ ଭାବିଥିଲି ଏ ଚରଣ ଧୂଳି

ସଫଳ କରିବି ମୋର ଶିର ପରେ ବୋଳି ।

ବିବାହ ଦିନୁ ହୋଇଲି ଅକାଳେ ବନ୍ଦିନୀ

ସୋଦର ହେଲା ବଇରୀ ମୋର ଭାଗ୍ୟ ଘେନି

ଆହେ ତପୋଧନ ତୁମ୍ଭେ ଦେବଜ୍ଞ ପୁରୁଷ

ସଂଶୟ କର ମୋଚନ ଆହେ ବିଧିଶିଷ୍ୟ ।

ଏତିକିରେ ଦୁଃଖ ମୋର ହେଲାଣି ପୂରଣ

ଆଖିପାଣି ଢଳା ହୋଇଲା କି ନିବାରଣ ।

ଦେଖିଛ ତ ମୋ କଷଣ ଆହେ ବିଧି ସୁତ

ଶାଙ୍କୋଳି ଚିହ୍ନ ରହିଛି ଯାଇ ନାହିଁ କ୍ଷତ ।

କୁମାରୀ ଦିନରୁ ମୋର ଭଗାରୀ ସୋଦର

ରାଣ୍ଡ କରୁଥୁ ହାଣି ସ୍ୱାମୀଙ୍କୁ ମୋହର ।

ବହୁତ ମୋ ବୁକୁଫଟା କାନ୍ଦଣା ସେ ଦେଖି

ବନ୍ଦିଘରେ ମଧୁଶଯ୍ୟା କାଳୁ ମୋତେ ରଖି ।

ଅତି ତେଜବାନ ପୁତ୍ର ଜନମେ ମୋହର

ମୋ କୋଳୁ ଛଡ଼ାଇନେଇ ପ୍ରାଣ ନିଏ ତାର ।

ନାରୀ ଜନ୍ମ କଷ୍ଟ ଭୁଲେ ମାର ଡାକ ଶୁଣି

ମାରି କଷ୍ଟ ହୁଏ ସାର ଝରେ ଆଖିପାଣି ।

ମା କଷଣେ ଝଡ଼ି ପଡ଼େ ଗଛରୁ ପତର

ଆଗେ ମାରେ ମୋର ପୁତ୍ର କଚାଡ଼ି ଶିଳାର ।

ମାଆ ହୋଇ ଛୁଆର କେ ଦେଖିଛ ମରଣ

ଭଗାରୀ ସାଥେ ମୋ ଭାଇ ଦେଇଣ କଷଣ ।

ଏକା ନାହି ଦୁଇଖଣ୍ଡ ଏକା ରକତର

ମୁଁ ହୁଅଇ ବିକଳ ସେ ହସେ କର କର ।

ଦିନ ରାତି କାନ୍ଦି ମରେ ଛୁଆ ମୃତ୍ୟୁ ଦେଖି

ଛଅଟି ପୁତ୍ର ମାଇଲା ମୋ ଆଗରେ ରଖି ।

କଂସଠାରୁ ନିଷ୍ଠୁର କେ ଅଛି ଦୁନିଆଁରେ

ବଡ଼ ଭଉଣୀ ମୁଁ ତାର ନିତି ଗୋଡ଼ ଧରେ ।

ଦିନେ ନ ଚାହେଁ ମୁହଁକୁ କହେ କଟୁକଥା

ହାତେ ନ ମାରି ଭାତରେ କରଇ ହୀନସ୍ଥା ।

ଦେଖିଛ ତ ମୁନି ରାଜକୁଳେ ଜନ୍ମ ହୋଇ

ବିନା ଦୋଷେ ବନ୍ଦିକଲା ମୋତେ କଂସ ନେଇ ।

ସବୁ ବଳୀଠାରୁ ପୁଣି ମୁହିଁ ହୀନିମାନୀ

ମୋ ପାଇଁ ଦିନକୁ ଦିନ ଦଶଟି ଆଇନି ।

ବୃଦ୍ଧକାଳେ ବାପ ମୋହ ପାଇଁ ପଦେ କହି

ରାଜଗାଦି ଛାଡ଼ି ନଗ୍ରେ ପ୍ରହରା କରଇ ।

କାହାକୁ କହିବ ନିଜ ପୁଅ ଅତ୍ୟାଚାର

ନିଜ ରକତ ହୋଇଲା ନିଜକୁ ଜହର ।

ଏହି ଭାଉଜ ମୋହର ବଡ଼ଘର ଝିଅ

ମୋ ରୂପ ଦେଖିଣ ହସୁଥାନ୍ତି ଟହ ଟହ ।

କେଉଁ କଷଣ କହିବି ଦେଖିଛନ୍ତି ମୁନି

ଅନ୍ତନାଡ଼ୀ ଛୁଆ ବାପ ଗୋପ ଗଲା ଘେନି ।

ଦୁଧ ଛୁଆକୁ ମାରିବ ଭଉଣୀ ପୁତନା

ଭାଇକୁ କହି ଚଳିଲା କରିଣ ବାହାନା ।

ପର ପିଲା ମାରୁ ମାରୁ ନିଜେ ପଡ଼ି ମଲା

ଗୁରୁଙ୍କ କଲ୍ୟାଣୁ ମୋର କହ୍ନେଇ ବଞ୍ଚିଲା ।

କେତେ କେତେ କଷଣ ମୋ ପୁତ୍ରକୁ ପଡ଼ିଲା

ଶେଷକୁ କଂସ ମଞ୍ଚାରୁ ଗଡ଼ି ପଡ଼ି ମଲା ।

ଏଣିକି ତୋ ଆଖି ଲୁହଢ଼ଳା ସରିଲାକି

ନେତ୍ର ପିତୁଳି ଦୁହିଁଙ୍କ ବିପତ୍ତି ଗଲାକି ।

ତୁମ୍ଭେତ ସର୍ବଜ୍ଞ ପୁଣି ତ୍ରିକାଳ ଜାଣିଛ

ମୋ ନେତ୍ର ପିତୁଳିଙ୍କର ରିଷ୍ଟ କି ବୁଝିଛ ।

କେତେ କେତେ ବିପଦ ଗୋପରେ ନ ପଡ଼ିଲା

ମାଆ ମଙ୍ଗଳା ଦୟାରୁ ମୋ ନୀଳ ବଞ୍ଚିଲା ।

ଆଉ କେଉଁ ରିଷ୍ଟ ଅଛି କୁହ ମୋ ପୁତ୍ରଙ୍କୁ

ମାର୍ଜ୍ଜନା କରିବି ଆଜି ମାଆ ମଙ୍ଗଳାଙ୍କୁ ।

ପଦଧୂଳି ଦିଅ ମୋର କଳା ମାଣିକକୁ

ତୁମ୍ଭ କଲ୍ୟାଣେ ନ ପଡୁ ରିଷ୍ଟ ମୋ ପିଲାଙ୍କୁ ।

ରଜା ଘରେ ଜନ୍ମ ହୋଇ ସୁଖ ଭୋଗି ନାହିଁ

ଆଠ ବରଷର ପୁତ୍ର ଗୋରୁ ରଖୁଥାଇ ।

ଏ ପରା ପୁତ୍ର ମୋହର ଛେଉଣ୍ଡ ପରାଏ

ପେଟପୁରା ମିଳେ ନାହିଁ ଚୋରି କରି ଖାଏ ।

ବାପ ମାଆ ଥାଉଁ ଥାଉଁ ମଲାଠାରୁ ହୀନ

ଭଗାରୀ କଂସ କରିଲା ଦୁହିଁଙ୍କୁ ବନ୍ଧନ ।

ମାଆ ବାପ ଦୁହେଁ ଆଖି ଲୁହ ଢାଳୁ ଥାଉ

ଅଜ୍ଞାନ ଛୁଆ କଷଣ କେ ବୁଝନ୍ତା ଆଉ ।

ବଣଫଳ ଝର ପାଣି ପିଇ ରଖେ ଗାଈ

ଆଠ ବର୍ଷ ହେଲା ଲୁଗା ପିନ୍ଧି ଜାଣି ନାହିଁ ।

ଚାରି ଆଙ୍ଗୁଳିର ଖଣ୍ଡେ ଲେଙ୍ଗୁଟି ମାରିଣ

କଣ୍ଟାବଣେ ବୁଲେ ଗୋଡ଼େ କଠଉ ମାଡ଼ିଣ ।

ଗୁଞ୍ଜ ଫଳମାନ ଗୁଛି ମୟୂର ପୁଚ୍ଛରେ

ରଙ୍କ ପରି ପିନ୍ଧେ ଧନ କେତେ ଶରଧାରେ ।

ମଣି ମାଣିକ୍ୟ କିପରି ସେ ତ ଚିହ୍ନି ନାହିଁ

ରଜାଘରେ ଜନ୍ମ ହୋଇ କି ଦୁଃଖ ସହଇ ।

ଗଉଡ଼ଙ୍କର ବେଉସା ଶିଖିଲା ଯାଦବ

ଗାଈ ଛନ୍ଦ କାନ୍ଧେଧରି ବୁଲେ ଠାବ ଠାବ ।

ଯାଦବ ବଂଶରେ ଯେହୁ ଅଟଇ ଚନ୍ଦନ

ରିଷ୍ଟ ଯୋଗେ ଗୋପାଳର ଘରେ ନେଲା ଦିନ ।

ଗାଈଙ୍କ ଗୋବର ମୂତ ମାଛି ଭଣ ଭଣ

ମଶା ଡାଆଁଶ ଗୁହାଳେ ଶୋଇବା କଷଣ ।

ଛୁଆ ଦୁଇ ଖଣ୍ଡ ମୋର ଜନମରୁ ଦୁଃଖ

ପେଟ ତାର ପିଠି ହେଲା ଆଉ କେଉଁ ସୁଖ ।

ଆଉ ଏଣିକି ତାହାର ରିଷ୍ଟ କଟିଲା କି ?

କଲ୍ୟାଣ କରିଣ ଦିଅ ଚରଣ ଧୂଳିକି ।

କୁହ ତପୋଧନ ପୁତ୍ରେ ରିଷ୍ଟ ଯଦି ଥାଏ

ପ୍ରତିକାର କରିବି ମୁଁ ମୋର ଶକ୍ତିଯାଏ ।

ନାରଦ କହିଲେ ରାଣୀ ତୁମ୍ଭେ ତ ଉଦାର

ଜଗତର ଚିନ୍ତାମଣି ସନ୍ତାନ ତୁମ୍ଭର ।

ଧର୍ମରାଜ୍ୟ ସଂସ୍ଥାପନ କରିବ ତା ବ୍ରତ

ଇଚ୍ଛାମୟ ତାର ଇଚ୍ଛା ପରେ ଏ ଜଗତ ।

ଭାଙ୍ଗିବା ଯୋଡ଼ିବା କାମ ଅଟଇ ତାହାର

ପେଣ୍ଡୁପରି ହାତେ ତାର ଏହି ଚରାଚର ।

ଜଗତରେ କେହି ନାହିଁ ତାହାକୁ ବାନ୍ଧିବ

କେବଳ ପ୍ରେମ ଭକତି ପାରିଲେ ରହିବ ।

ପ୍ରେମ ପାଇଁ ନିତି ନିତି ହୁଏ ସେ କାଙ୍ଗାଳ

ପ୍ରେମ ଏକ ମହାଧନ ଅଟେ ତା ସମ୍ବଳ ।

ଧନ ଜନ ରାଜପଣ ପ୍ରତିଷ୍ଠା ସମ୍ମାନ

ତା ନୟନେ ମାୟାପରି କରେ ଅନୁମାନ ।

ଧନ ଦେଇ କେହି ତାକୁ ପାଇବା କଠିନ

ରାଜପଣ ପ୍ରତିଷ୍ଠାରେ ନୁହେଁ ସେ ବନ୍ଧନ ।

ଯଜ୍ଞବିଧି ପୂଜାକୁ ସେ କରେ ନାହିଁ ଗଣ୍ୟ

କେବଳ ପ୍ରେମରେ ସେହି ହୁଅଇ ବନ୍ଧନ ।

କୋଟି ଜନମ ସାଧନ ଫଳେ ବ୍ରଜାଙ୍ଗନ

କରିଛନ୍ତି ଅବିଚ୍ଛେଦ୍ୟ ପ୍ରେମରେ ବନ୍ଧନ ।

ପ୍ରେମାଶ୍ରୁ ବିନ୍ଦୁ ସମାନ ନ ବୁଝେ ସେ ଆନ

ଯହିଁ ପ୍ରେମ ତହିଁ ଭକ୍ତି ତହିଁ ଭଗବାନ ।

ସତ୍ୟ ପ୍ରାଣୀ ସଞ୍ଜିବନୀ ଅଟଇ ଯେ ପ୍ରେମ

ପ୍ରେମ ଏକ ଜଗତ ମୋହନ ନିତ୍ୟଧାମ ।

ପ୍ରେମଠାରୁ ଅଟଇଟି ଆନନ୍ଦର ଜାତ

ପ୍ରେମଟି ଅଟଇ ଅନବଦ୍ୟ ଅପ୍ରାକୃତ ।

ରାଜଭୋଗ ଜ୍ଞାନ ଯୋଗ କରମ ଗୁରୁତ୍ୱ

ପ୍ରେମାନନ୍ଦ ପ୍ରେମେ ତାହା ମଣଇ କିଞ୍ଚିତ ।

ସମ୍ପଦ ରାଜଭୋଗରେ ଚାହିଁ ଚେଦିବାକୁ

ବନ୍ଦିହେଲା ପରି ମୋର ନ ଆସେ ମନକୁ ।

ନଦୀକୁ ଯେପରି ବନ୍ଧ ବାନ୍ଧିଥାନ୍ତି ରଖି

ବନ୍ଧ ଭାଙ୍ଗିଗଲେ ହୁଏ ସାଗରର ମୁଖୀ ।

ଗୋଟିଏ ବ୍ରଜ କାମିନୀ ପ୍ରେମ କୋଟି ଧନେ

ମହାଧନୀ ହୋଇ ସେହି ଭ୍ରମଇ ଜୀବନେ ।

ଜାଗ୍ରତ କରିବ ଯଦି ସୁପ୍ତ ବୀଣାଧ୍ୱନି

ରହି ନ ପାରିବ ସେ ତ ଯିବ ତତକ୍ଷଣି ।

ଆଶାର ଅଟ୍ଟାଳି ତବ ଦିନେ ଭାଙ୍ଗି ଦେବ

ତାହାକୁ ବାନ୍ଧିବା ପାଇଁ ସମର୍ଥ କେ ହେବ ।

ସେତ ପରଂବ୍ରହ୍ମ ଚିନ୍ତାମଣି ସମସ୍ତର

ଏପରି ବାନ୍ଧିବ ଭବେ ଶକତି କାହାର ।

ଯେ ଜାଣେ ପ୍ରେମ ଭକତି ସ୍ନେହ ବିନିମୟ

ସେହି ଦାନବ ତାହାକୁ କରି ଦାନ ସ୍ନେହ ।

ସାବଧାନ ଥିବ ଏ କଥାକୁ ରାଜରାଣୀ

ଯାହାକୁ ପୁତ୍ର କହୁଛ ସେ ତ ଚିନ୍ତାମଣି ।

ଚରାଚର ଚିନ୍ତାମଣି ହୋଇଛି ଜନମ

ପ୍ରେମ ରଜ୍ଜୁରେ ବିଶ୍ଵକୁ ବାନ୍ଧିବାକୁ କ୍ଷମ ।

ନିର୍ଭୀକ ସେ ନିର୍ବିକାର ଅଟେ ପ୍ରେମାନନ୍ଦ

ଜଗତଜନ କରତା ସେହି ଆଦିକନ୍ଦ ।

କରୁଣା ସାଗର ବୋଲି ଗାଉଛି ସଂସାର

ମାୟାଧର ନାମ ପୁଣି ହେଉଛି ପ୍ରଚାର ।

ଶ୍ରୀକୃଷ୍ଣ ବାଳ ମୁକୁନ୍ଦ ବରଜ ବିହାରୀ

ଶ୍ରୀକର ଶ୍ରୀଧର ସୀତାକାନ୍ତ ରାବଣାରୀ ।

ଯୁଗେ ଯୁଗେ ହୁଅନ୍ତି ଯେ ମର୍ତ୍ତ୍ୟେ ଅବତାର

ଦୁଷ୍ଟ ମାରି ସନ୍ଥ ପାଳିବାଟି କାମ ତାର ।

ତୁମ୍ଭେ ତାକୁ କୁହ ରାଜ ସମ୍ପଦକୁ ନେଇ

ବାନ୍ଧିବ ପୁତ୍ର ସ୍ନେହରେ ସ୍ଵାର୍ଥ କିଛି ଥୋଇ ।

ସେ ନ ଜାଣେ ଅର୍ଥ ସ୍ୱାର୍ଥ ପ୍ରତିଷ୍ଠା ସମ୍ପଦ

ବାନ୍ଧି ହୁଏ ପ୍ରେମେ ଯେଣୁ ହୁଏ ପ୍ରେମାନନ୍ଦ ।

ନିଖିଳ ଜଗତ ଯାର ଦେହେ ଅଛି ଘେରି

ସବୁକଥା ଜାଣନ୍ତି ସେ ସର୍ବ ଘଟେ ପୂରି ।

ପ୍ରକୃତି ପାପ ସେ ତ ପୁରୁଷ ନିରିମଳ

କାହାରି ସୁଖ ଦୁଃଖରେ ନୁହନ୍ତି ସେ ଭୋଳ ।

ସବୁଛାଡ଼ି ଯେଉଁ ଲୋକ ତାରେ ପ୍ରେମ କରେ

ବନ୍ଧା ହୋଇ ତାର ପ୍ରେମେ ତା ଦୁଃଖ କୁହରେ ।

ସନ୍ତାନ ପ୍ରେମରେ ଯଦି ତାକୁ ବାନ୍ଧିପାର

ବାନ୍ଧିବା ନୁହେଁ ସହଜ ତୁମ୍ଭେ ଚେଷ୍ଟାକର ।

ମାଆ ହୋଇ ସହିଲୁ ତୁ ବହୁତ କଷଣ

ତୋର ଶୋକାକୁଳେ ହେଲା କଂସର ମରଣ ।

ଛଅ ପୁତ୍ର ତୋର ଆଗେ ମରାଇଲା କଂସ

ସପ୍ତ ଗର୍ଭପରେ କଲୁ ଅଷ୍ଟମେ ମୂହାଁସ ।

ଏ ଗର୍ଭ ବଞ୍ଚି ରହିବ କାର ଥିଲା ଆଶା

ଗର୍ଭଉଦେ ବେଳୁଁ କଲ ଧରମେ ଭରସା ।

କେତେ ଦିଅଁ ଦେବତାଙ୍କୁ କରିଛୁ ମନାସ

କଂସ ମୁଖରୁ ବଞ୍ଚାଅ ମୋର ବାଳଶିଷ୍ୟ ।

ତୋ ଆକୁଳ ଦେଖି ଜନ୍ମ ହେଲେ ନାରାୟଣ

ଦେଖୁ ଦେଖୁ କଂସର ଯେ ହୋଇଲା ମରଣ ।

କଷଣ କଟିଲା ବନ୍ଦୀ ଶାଙ୍କୋଳି କଟିଲା

ରାଜରାଣୀ ତୋର ଯଶ ସଂସାର ରଟିଲା ।

ଦୁଃଖ ବେଳ କଥା ସୁଖ ବେଳେ ହୁଏ ଆନ

ଦୁଃଖ ସଙ୍କଳପ ସୁଖେ ପଡ଼େ କି କା ମନ ।

ବନ୍ଦୀଘରେ ରହି ଦୁଃଖେ ହୁଅଇ ଆକୁଳ

ଡାକଇ ଦିଅଁ ଦେବତା କର ଅନୁକୂଳ ।

ସୁଖହେଲେ ପାଶୋରଇ ପୁଣି ପଡ଼େ ରିଷ୍ଟ

ଦୁଃଖେ ସୁଖେ ଭୁଲି ପ୍ରାଣ ପାଉଥାଏ କଷ୍ଟ ।

ଶୁଣି ଦେବକୀ କହିଲେ ଏ କଥା ଯଥାର୍ଥ

ପୁତ୍ର ମୁଖ ଦେଖି ମୁହିଁ ଭୁଲିଛି ସେ ଅର୍ଥ ।

ନିରାଶ୍ରୟ ବନ୍ଦୀ ବହୁ ଦିନୁ ଆକୁଳିତ

ହୋଇଥାଏ ପ୍ରିୟଜନ ଦର୍ଶନେ ଯେମନ୍ତ ।

ସବୁ ଭୁଲି ପୂର୍ବ ସ୍ନେହ ହୁଏ ବିହ୍ୱଳିତ

ସେହିପରି ପାଗଳିନୀ ହେଲି ମୁନି ମୁଁ ତ ।

ନାରଦ କହିଲେ ରାଣୀ ମନେ ହେତୁକର

ସଂକଳ୍ପ କରିଛ କୃଷ୍ଣ ଥିଲେଟି ଗର୍ଭର ।

ଯଦି ଏ ପୁତ୍ର ମୋହର କଂସ ନ ମାରିବ

ପ୍ରଭାସ ତୀର୍ଥରେ ଲକ୍ଷେ ଧେନୁ ଦାନ ଦେବ ।

ଧର୍ମ ବଳୁ କୁମରକୁ ଦେଖି କଂସ ମଲା

କେତେ କେତେ ବିପଦରୁ ଦଇବ ରଖିଲା ।

ଶୁଣି ଦେବକୀ କହିଲେ ଅତି ଦୁଃଖ ବହି

ଭୁଲି ଯାଇଥିଲି ରକ୍ଷା କରିବ ଗୋସାଇଁ ।

ତୁମ୍ଭ କଲ୍ୟାଣରୁ ଏବେ ରିଷ୍ଟ ଦୂର ଗଲା

ଭୁଲି ଯାଇଥିବା କଥା ମୋର ମନେ ହେଲା ।

ମହତ ଲୋକ ବୋଲିଣ ଦେଲି ସିନା କହି

ପୁତ୍ର ମୁଖ ଦେଖି ଭୋଳ ହୋଇଥିଲି ମୁହିଁ ।

ଭଲ କଥା ଗୋଟି ମୋର ବଳାଇଛ ମନ

ଆଜି କହି ପିତାଙ୍କୁ କରିବି ଆୟୋଜନ ।

ଦେବର୍ଷି ନାରଦ ତହୁଁ ବିଦାୟ ହୋଇଣ

ଗଲେ ରାଜସଭା ତହିଁ ଥିଲେ ଉଗ୍ରସେନ ।

ମୁନିଙ୍କୁ ଦେଖିଣ ରାଜା ଆସନେ ବସାଇ

ଏ ସମୟେ ଦେବକୀ ମିଳିଲେ ତହିଁ ଯାଇଁ ।

ମାତାଙ୍କୁ ଦେଖିଣ ରାମ କୃଷ୍ଣ ଦୁଇଭାଇ

ରାଜସିଂହାସନପରୁ ଉଠିଲେକ ଡେଇଁ ।

ଠିଆହେଲେ ଦୁଇ ପୁଅ ମାତା କାନି ଧରି

ଦିଶୁଥାନ୍ତି ସିଂହର ଶାବକ ଯେହ୍ନେ ହରି ।

କୌଶଲ୍ୟାଙ୍କ ପାଖେ ଯଥା ଲକ୍ଷ୍ମଣ ଶ୍ରୀରାମ

ଯମୁନା ସରସ୍ୱତୀଙ୍କର ଗଙ୍ଗା କି ସଙ୍ଗମ ।

ଶ୍ୟାମଳ ଧବଳ ରୂପ କୃଷ୍ଣ ବଳରାମ

ଦେବକୀ ଦେବୀ କନକ ଦେହ ତହିଁ ସମ ।

ପ୍ରଣାମ ହୋଇଲେ ଦେବୀ ପିତାଙ୍କ ଚରଣେ

କଲ୍ୟାଣ କରି ଉଠାଇ ଉଗ୍ରସେନ ଭଣେ ।

ପଚାରନ୍ତି ଦଣ୍ଡଧାରୀ ଶୁଣ ଆଗୋ ମାତ

କହ କି ଅଭାବ ତୋର ହେଲା ଉପସ୍ଥିତ ।

ଶୁଣି ଦେବକୀ କହିଲେ ଶୁଣ ହେ ଜନକ

ମନାସିବା କଥା ଭୁଲିଅଛି ମୁଁ ଅନେକ ।

ଯେତେବେଳେ କାହ୍ନୁ ଥିଲା ଗର୍ଭରେ ମୋହର

ମନାସିଛି ଯଦି ପୁତ୍ର ବଞ୍ଚିବ ଏବାର ।

ପ୍ରଭାସ ତୀର୍ଥରେ କରି ଯଜ୍ଞ ଆୟୋଜନ

ବ୍ରାହ୍ମଣମାନଙ୍କୁ ଦେବି ଲକ୍ଷେଧେନୁ ଦାନ ।

ଆଜି ମନେ ପକାଇଲେ ବିରଞ୍ଚି ନନ୍ଦନ

ସଂକଳ୍ପ କରିଣ ଭୁଲିଥିଲା ମୋର ମନ ।

ଶୁଣି ରାଜା ଉଗ୍ରସେନ ଅତି ତୋଷ ହୋଇ

ଡକାଇ କହିଲେ ତହିଁ ରାମ କୃଷ୍ଣେ ଯାଇ ।

ଆହେ କୃଷ୍ଣ ରାମ ଶୁଣିଲତ ମାତା କଥା

କୁହ କେଉଁ ଦିନ ଦାନ କରିବା ବ୍ୟବସ୍ଥା ।

ଶୁଣି ଧୀରେ କହୁଛନ୍ତି କମଳ ଲୋଚନ

ଭାଗ୍ୟକୁ ଅଛନ୍ତି ଏଥେ ବିଧାତା ନନ୍ଦନ ।

କର ଅଜା ନିକଟରେ ଯଜ୍ଞ ଆୟୋଜନ

ଦେବର୍ଷି କୁହନ୍ତୁ କେବେ ଅଛି ଶୁଭଦିନ ।

ଦେବର୍ଷି କହିଲେ ନିଜେ ବ୍ରହ୍ମାଣ୍ଡପତିଙ୍କୁ

କେଉଁ କଥା ଅଜଣା ବା ରହିଛି ତୁମ୍ଭଙ୍କୁ ।

ଆଝୁଁ ଷଷ୍ଠ ଦିନେ ହେବ କର୍କଟର ଶେଷ

ସେହି ଦିନ କର ଦାନ ଆରମ୍ଭ ଦିବସ ।

ଶ୍ରୀକୃଷ୍ଣ କହିଲେ ଦାନ ପରେ ଯଜ୍ଞ ହେବ

ଆହୁତି ପ୍ରଦାନେ ଅଗ୍ନି ସନ୍ତୁଷ୍ଟ କରିବ ।

ଆମନ୍ତ୍ରିତ କର ମୁନି ତିନିପୁରଯାକ

ମନ ଯାନେ ଯାଇ କରି ପାରିବେ ଏତେକ ।

ନାରଦ କହିଲେ ତାହା ତହିଁ ଅଙ୍ଗୀକାର

ପୁଣି ଶ୍ରୀକୃଷ୍ଣ କହିଲେ ଆହେ ମୁନିବର ।

ଗୋପପୁର ଛାଡ଼ି ଆଉ ସବୁଠାକୁ ଯିବ

ମୋର ନିମନ୍ତ୍ରଣ ସର୍ବଠାରେ ଜଣାଇବ ।

ପୁଣି କହନ୍ତି ସଧୀରେ ବିରଞ୍ଚି ନନ୍ଦନ

ଗୋପେ ନ ବରିବା ହୋଇପାରେ ଅବିଧାନ ।

ପାଳିତ ମାତା ଯଶୋଦା ଆବର ଯେ ନନ୍ଦ

ଚାହିଁଥିବେ ଶୁଣିବାକୁ ତୁମ୍ଭ ଭଲମନ୍ଦ ।

ଶ୍ରୀକୃଷ୍ଣ କହିଲେ ଉଦ୍ଧବଙ୍କୁ ପଠାଇଣ

ସବୁବେଳେ ଭଲମନ୍ଦ ବୁଝିଛି ମୁଁ ଜାଣ ।

ଗୋପ ପ୍ରେମ ଭୁଲିବାକୁ ଅଟେ ମୁଁ ଅକ୍ଷମ

ସହଜେ ତ ବିଶ୍ୱ ହିତେ ଅଟେ ମୋ ଜୀବନ ।

ଯାଅ ମୁନି ଆଉ ସବୁଠାରେ ଆମନ୍ତ୍ରିବ

ପୁଣି ଆସି ଯଜ୍ଞ କାର୍ଯ୍ୟେ ଯୋଗଦାନ ଦେବ ।

ଶ୍ରୀଗୁରୁ ଅଚ୍ୟୁତାନନ୍ଦ ପାଦପଦ୍ମ ଧ୍ୟାୟି

ଦୀନ ଇନ୍ଦ୍ରମଣି ସାହୁ ଗୀତରେ କହଇ ।

 

ଶ୍ରୀକୃଷ୍ଣଙ୍କର ଯଜ୍ଞପାଇଁ ଆଦେଶ ଓ
ଉଗ୍ରସେନଙ୍କର ଭୂମି ନିରୂପଣ

ଏଥୁଅନନ୍ତରେ ଯେ ପରୀକ୍ଷ ମହୀପତି

ଶୁକ ମୁନିଙ୍କ ଚରଣେ କରିଲେ ବିନତି ।

ହେ ମୁନି କୁହ କି ରୂପେ ଯଜ୍ଞର ବିଧାନ

କେଉଁପରି କରିଲେ ସେ ରାଜୀବ ଲୋଚନ ।

ପ୍ରଭାସ ବୋଲି ସେ ତୀର୍ଥ କେଉଁଠାରେ ଅଛି

କୁହ ସଂଶୟ ଫିଟାଇ ମୋତେ ବ୍ୟାସ ବତ୍ସି ।

ଶୁଣ କହୁଅଛନ୍ତି ସେ ବ୍ୟାସଙ୍କ ନନ୍ଦନ

ଏ ଅତି ରହସ୍ୟ କଥା ଶୁଣ ହେ ରାଜନ ।

ମଥୁରା ନଗରୀ ଦକ୍ଷିଣରେ ବହେ ଧାର

କଳକଳ ନାଦିନୀ ଯମୁନା ନାମ ତାର ।

ମଧୁଗିରି ପର୍ବତରୁ ମିଶେ ତହିଁ ଝର

ବହୁତ ଗଭୀର ନଦୀ କୃଷ୍ଣବର୍ଣ୍ଣ ନୀର ।

ବାସ୍ତରୀ ପର୍ବତ ମାଳା ପଶ୍ଚିମ ପ୍ରଦେଶେ

ସରସ୍ୱତୀ ନୀର ଧାର ସେହିଠାରେ ଆସେ ।

ଯମୁନା ଓ ସରସ୍ୱତୀ ଦକ୍ଷିଣ ବାହିନୀ

ଦଧିଚି ଆଶ୍ରମ ତହିଁ ଥିଲେ ମହାଜ୍ଞାନୀ ।

ତାଙ୍କ ଜ୍ଞାନପ୍ରଭା ହେଲା ବିଶ୍ଵେ ଆଲୋକିତ

ଦେବଙ୍କୁ ରଖିଲେ ଅସ୍ଥି ଦାନକରି ସେ ତ ।

ଦେବେ ମିଳି ସେହି ସ୍ଥାନେ କରିଲେ ସ୍ନାହାନ

ପ୍ରଭାସ ତୀର୍ଥ ବୋଲିଣ ହେଲା ତାର ନାମ ।

ସେହି ତୀର୍ଥ ସ୍ଥାନେ ଯଜ୍ଞ କରିବେ ଅଚ୍ୟୁତ

ଉଗ୍ରସେନଙ୍କୁ ଡକାଇ କହନ୍ତି ସମସ୍ତ ।

ଆହେ ଅଜା ଯଜ୍ଞ କାର୍ଯ୍ୟ ଅଛି ଅଳ୍ପଦିନ

ଏ ଭିତରେ କର ତୁମ୍ଭେ ଯଥା ଆୟୋଜନ ।

ଯଜ୍ଞବିଧି ଯୋଗାଡ଼ ହୋ ଆଣ ବେଗକରି

ଛତ୍ର ଚାମର ଆଲଟ ଖଦିମାନ ଧରି ।

ଚଞ୍ଚଳ ଅଣାଅ ଯାଇଁ ସର୍ବ ଶୁଭଫଳ

ଅଣାଅ ଧେନୁ ଓ ବତ୍ସା କରି ଅନୁକୂଳ ।

ଏକବର୍ଣ୍ଣି ଗାଭୀ ବତ୍ସା ଦେଖିଣ ଆଣିବ

ମିଷ୍ଟକ୍ଷୀର ଗାଭୀ ବିଧିମତ ଦେଉଥିବ ।

ଯେଉଁ ଦ୍ୱିଜ ନେବ କ୍ଷୀର ସନ୍ତୁଷ୍ଟେ ଖାଇବ

ତେବେ ସିନା ଧର୍ମଫଳ ଆମ୍ଭଙ୍କୁ ମିଳିବ ।

ଯେଉଁ ଗୋପାଳଙ୍କଠାରୁ ଗାଭୀଟି କିଣିବ

ନ୍ୟାୟ ଅନୁସାରେ ତାର ମୂଲ୍ୟ ଦେଉଥିବ ।

ରାଜାଘର ବୋଲି ଗୋପାଳଙ୍କୁ ଧମକାଇ

କଡ଼େ ଉଣା କଲେ ତାର ଧର୍ମ ଉଣା ହୋଇ ।

ଏଥିପାଇଁ ସାବଧାନ ଥିବ ହେ ରାଜନ

ଶୁଭ କାମରେ ଅନ୍ୟାୟ ନହୁଏ ଯେସନ ।

ପ୍ରଜାମାନଙ୍କୁ ଯଜ୍ଞରେ କାମେ ଖଟାଇବ

ଶ୍ରମ ଅପେକ୍ଷା ଅଧିକ ମଜୁରୀଟି ଦେବ ।

ବେଠି ବେଗାରି ପ୍ରଜାଙ୍କୁ ଖଟାଇବ ନାହିଁ

ନ୍ୟାୟଶ୍ରମ ମୂଲ୍ୟ ଦେବ ଭଣ୍ଡାରୁ ବୁଝାଇ ।

ନିଜ ପରିଶ୍ରମ ଦୁଇଗୁଣ ଖଟାଇବ

ମୁହିଁ ବଡ଼ ପୁଣି ରାଜା ଗର୍ବ ନ କରିବ ।

ସତ କାମେ ସତ ଧନ କର ବିନିମୟ

ତେବେ ସିନା ସତ ଯଜ୍ଞ ଦେବ ପରିଚୟ ।

ଅପୂଜା ଦେବଙ୍କୁ ରାଜ୍ୟେ ପୂଜା ହେ କରାଅ

ଦେବାର୍ଚ୍ଚନ ବିଧିମାନ ସକଳ ଭିଆଅ ।

ଦୈବଜ୍ଞ ବିପ୍ରଙ୍କୁ ବେଗେ ଅଣାଅ ହୋ ଯାଇ

ଶୁଭ ଅନୁକୂଳ ବେଳା କହିବେ ବୁଝାଇ ।

ସବୁ ଶୁଭକାର୍ଯ୍ୟ ତାକୁ ଲୋଡ଼ା ଅଟେ ମୂଳ

ମଙ୍ଗଳାଷ୍ଟକ ପଢ଼ି କରନ୍ତି ଅନୁକୂଳ ।

ଦେବଜ୍ଞ ବିପ୍ରଙ୍କୁ ଆଣ ନିମନ୍ତ୍ରଣ କରି

ସାମବେଦ ଉଚ୍ଚାରିବେ ବିଷ୍ଣୁ ନାମ ଧରି ।

ଦେବତା ବିପ୍ରଙ୍କୁ ବର ଜଣ ଜଣ କରି

ଏ ଦେଶେ ଯେତେ ଶାସନ ରହିଅଛି ପୂରି ।

ଜଣ ଜଣ କରି ବିପ୍ରମାନଙ୍କୁ ବରିବ

ସର୍ବ ଗ୍ରାମ ଦେବତୀଙ୍କୁ ମାର୍ଜ୍ଜନା କରିବ ।

ଖଟଣି ବାରିକ ଆଉ ଗୃହ ସେବାକାରୀ

ଯଥା ବିଧି ମାନ୍ୟ ଦେଇ ଆଣ ଯତ୍ନ କରି ।

ସର୍ବ କୁଟୁମ୍ବ ଅଣାଅ ଗଉରବ କରି

କେହି ଦୁଆରୁ ନିରାଶେ ନ ଯାନ୍ତୁ ହେ ଫେରି ।

ଆଶାକରି ଜଣେ ଯଦି ନିରାଶ ହୋଇବ

ସର୍ବ ଧର୍ମ ସେହି ପାପେ ଧ୍ୱଂସ ହୋଇଯିବ ।

ଅଳ୍ପ ଅଗ୍ନି ଯେଉଁପରି ଦେଶ ଦିଏ ପୋଡ଼ି

ଅଳ୍ପ ପାପ କୋଟି ପୁଣ୍ୟ ନାଶିବଟି ପଡ଼ି ।

କେହି ନ ହେବେ ଯେପରି ଦୁଆରୁ ନିରାଶ

ତୁମ୍ଭେ ରାଜା ତୁମ୍ଭେ ପ୍ରଜା ତୁମ୍ଭଠାରେ ଆଶ ।

ସର୍ବମନ ଦେଇ କର ଶୁଭ ଅନୁଷ୍ଠାନ

ପ୍ରଜାମାନେ କରନ୍ତୁ ଏ ଉତ୍ସବ ପାଳନ ।

ଦ୍ଵାରେ ଦ୍ୱାରେ ମଥୁରାରେ ବସୁ ପୂର୍ଣ୍ଣକୁମ୍ଭ

ସର୍ବେ ଆନନ୍ଦେ ମଜନ୍ତୁ ଛାଡ଼ି ଦମ୍ଭ କ୍ଷୋଭ ।

ରମ୍ଭା ବୃକ୍ଷମାନ ଦ୍ୱାରଦେଶରେ ରୋପିବେ

ପୂର୍ଣ୍ଣକୁମ୍ଭେ ଚୂତ ପତ୍ର ନାରିକେଳ ଦେବେ ।

ଦ୍ଵାରଦେଶେ ଝୁଲାଇବେ ଚୂତ ପତ୍ର ଡାଳ

ନାନ ଫୁଲ ପତ୍ର କରିଥିବେଟି ମଞ୍ଜୁଳ ।

ଛାତପରେ ଉଡ଼ାଇବେ ଯତନେ ଚିରାଳ

ବାୟୁ ମୁଖେ ଜଣାଇବ ଶୁଭ ଅନୁକୂଳ ।

ବାଦ୍ୟକାରମାନଙ୍କୁ ହେ ଦେବ ଆମନ୍ତ୍ରଣ

ତୁରୀ ଭେରୀ ଢୋଲ କଂସା ବସାଇବେ ପୁଣ ।

ମୃଦଙ୍ଗ ପଟ୍ଟହ ତାଳ ସଙ୍ଗେ କରତାଳ

ବଜାଇବେ ଯଜ୍ଞସ୍ଥଳେ ଆନନ୍ଦେ ସକଳ ।

ନୃତ୍ୟକାରୀମାନଙ୍କୁ ହେ ଦେବ ଆମନ୍ତ୍ରଣ

ନାଚିବେ ଆନନ୍ଦେ ନାମ ବ୍ରହ୍ମଙ୍କୁ ଗାଇଣ ।

ଯଜ୍ଞସ୍ଥାନେ ନିଜେ ଯାଇ ଗଢ଼ିବ ହୋ ବାସ

ତିନିପୁର ଲୋକେ ଯହିଁ କରିବେ ଆବାସ ।

ରାଉତ ମାହୁନ୍ତ ସୈନ୍ୟ ସେନାଙ୍କ କୁଟୀର

ରାଜାମାନଙ୍କ ରହିବା ପାଇଁ ବାସ ଘର ।

ପାଞ୍ଚଦିନ ରହିବେଟି ଯଜ୍ଞ ସନ୍ନିଧାନେ

ଖାଇବା ରହିବା ନିତ୍ୟ କର୍ମର ବିଧାନେ ।

ସେହି ଅନୁପାତେ ରହିବାର ବାସଗୃହ

କର ଯଜ୍ଞସ୍ଥାନେ ନେଇ ଧନ ବିନିମୟ ।

ଭଣ୍ଡାରରୁ ଶକଟରେ ବହିନେବେ ଧନ

କରାଇବ ଖାଦ୍ୟଘର ଖାଦ୍ୟର ବିଧାନ ।

ନାନାଦି ଅନ୍ନ ବସନ୍ନ ସହ ପକ୍ୱଫଳ

କରାଇବ ସେ ସ୍ଥାନରେ ଯୋଗାଡ଼ ସକଳ ।

କୃଷ୍ଣଙ୍କୁ ଆଦେଶେ ରାଜା ମନ୍ତ୍ରୀକୁ ଡକାଇ

ନଗରେ ଧ୍ୱଂସା ଦେବାକୁ କହିଲେ ବୁଝାଇ ।

କରଣ ଖୁଣ୍ଟିଆ ଆଦି ରାଉତ ମାହୁନ୍ତ

କାଲି ରାଜ ସଭାଠାରେ ହେବ ଉପସ୍ଥିତ ।

ମଥୁରାରେ ରହିଛନ୍ତି ଯେତେ ମହାରଣା

ସରବେ କାମ କରିବେ ନେଇଣ ପାଉଣା ।

କାଲି ପ୍ରଭାତରୁ କର୍ମ ଆରମ୍ଭ ହୋଇବ

ପ୍ରଭାସ ତୀର୍ଥରେ ଯଜ୍ଞ କରିବେ ମାଧବ ।

ବେଶୀଦିନ ନାହିଁ ମୋଟେ ଅଟେ ଷଷ୍ଠଦିନ

ଦୁଇଦିନେ ହେବ ଆୟୋଜନ ବିଧିମାନ ।

ଦେବକୀଙ୍କ ଧେନୁ ଦାନ ଯଜ୍ଞ ଅଧିବାସ

ପ୍ରଥମ ଦିନରୁ କର୍ମ ହେବ ପରକାଶ ।

କର୍କଟ ଛବିଶଠାରୁ ମାସ ଶେଷଯାଏ

ହେବ ମାହେନ୍ଦ୍ର ଯୋଗଟି ହୋଇଛି ଉଦୟେ ।

ଏହି ପାଞ୍ଚଦିନ ସର୍ବ ମଥୁରାର ଜନ

କରିବେ ନିଜ ବାସରେ ଉତ୍ସବ ପାଳନ ।

କାଲି ପ୍ରଭାତୁ ଶକଟ ଯାନ ବାହନରେ

ପ୍ରଭାସକୁ ନିଅ ସର୍ବ କର୍ମ ଉପଚାରେ ।

ଆଜ୍ଞାପାଇ ମନ୍ତ୍ରୀ ଧ୍ୱଂସା ଦିଆଇଲେ ଦେଶେ

ସଭାଭଙ୍ଗ କରି ରାଜା ଗଲେ ନିଜ ବାସେ ।

କଟାଇଲେ ବିଭାବରୀ ପୁରେ ଉଗ୍ରସେନ

ରାମକୃଷ୍ଣ ମାତା କୋଳେ କରିଲେ ଶୟନ ।

ପ୍ରଭାତ ହୁଅନ୍ତେ ଦେଲା କୁକ୍‌କୁଟ ସଙ୍କେତ

ବ୍ରାହ୍ମ ମୁହୁର୍ତ୍ତରୁ ରାଜା ଉଠିଲେ ତ୍ୱରିତ ।

ପ୍ରଭାତ ସ୍ମରଣ କଲେ ବିରାଟ ପୁରୁଷ

ଜୟ ରାମ ଗୋବିନ୍ଦ ଗୋପାଳ ହୃଷୀକେଶ ।

ଜୟ ହେ ଅଚ୍ୟୁତ ଚରାଚର ଚିନ୍ତାମଣି

ଅନ୍ତର୍ଯ୍ୟାମୀ ଅଣାକାର ଶଙ୍ଖ ଚକ୍ରପାଣି ।

ବିହନ୍ତା ପୁରୁଷ ତୁମ୍ଭେ ଅଟ କ୍ଷୟକାରୀ

ସଂସାର ଖେଳା କରୁଛ ମାୟା ରୂପ ଧରି ।

ତୋର ମାୟା କେ ବୁଝିବ କାର ସମରଥ

ତୁ ଯାକୁ ସଦୟ ହେଉ ପାଏ ତୋର ତତ୍ତ୍ୱ ।

କର୍ମ କ୍ଷେତ୍ରେ ଜନ୍ମଦେଲୁ ଆହେ ଦାମୋଦର

ରାତ୍ରଅନ୍ତେ ଦିବସକୁ ଅନୁଗ୍ରହ କର ।

ମୋହ ମାୟାରୁ ବଞ୍ଚିତ କର ହୃଷୀକେଶ

ଏତିକି ପ୍ରାର୍ଥନା ପଦେ ଜଣାଉଛି ଦାସ ।

ଦେବ ଆଳେ ଶଙ୍ଖଧ୍ୱନି ଶୁଭଇ ପ୍ରଖର

ନିତ୍ୟକର୍ମ କରି ରାଜା ହୋଇଲେ ବାହାର ।

ଛାମୁରେ ଖୁଣ୍ଟିଆ ଆସି ହୋଇଲେ ପ୍ରବେଶ

ପାତ୍ର ମନ୍ତ୍ରୀ କରଣ ଯେ ଡଗରା ଓ ଦାସ ।

ଘୋଷଣା ପାଇଣ ପ୍ରଜା ହୋଇଲେ ହାଜର

ମହାରଣା ଆଦି ଯେତେ କର୍ମ କରିବାର ।

ନିଜେ ରାଜା ହସ୍ତୀ ଚଢ଼ି ଦେବଜ୍ଞକୁ ନେଇ

ପ୍ରଭାସ ତୀର୍ଥରେ ଯଜ୍ଞ କରିବାର ପାଇଁ ।

ଚଳା ଯାନ ଯେ ବାହନ ହୋଇଲେ ହରଷ

କେଉଁ ସ୍ଥାନେ ଯଜ୍ଞ ହେବ ଦେବାକୁ ନିର୍ଦ୍ଦେଶ ।

ଉତ୍ତରକୁ ସରସ୍ୱତୀ ଯମୁନା ସଙ୍ଗମ

ରହିଛି ବିଶାଳ ବଟବୃକ୍ଷ ତାର ନାମ ।

ଅତି ବିସ୍ତୀର୍ଣ୍ଣ ସେ ଭୂମି ଶ୍ୟାମଳ ସୈକତ

ଶ୍ୟାମ ଦୁର୍ବାଦଳ ରାହୁ ବହୁ ଦୀର୍ଘ ପ୍ରସ୍ଥ ।

ଯୋଜନ ଆକାର ଭୂମି ଦୀର୍ଘ ପ୍ରତିକାର

ସରସ୍ୱତୀ ଏ ଯମୁନା ଦକ୍ଷିଣ ନଗର ।

ପଶ୍ଚିମକୁ ହେମମାଳ ପାହାଡ଼ ପ୍ରଦେଶ

ନିର୍ମଳ ଝରଣାଜଳ ମଣ୍ଡେ ପାଦଦେଶ ।

ପୂର୍ବଦିଗେ ବନ ବୃକ୍ଷଲତା ସୁଶୋଭିତ

ସବୁକାଳେ ବହୁଥାଏ ମଳୟ ବସନ୍ତ ।

ପକ୍ଷୀ କୁଳ କଣ୍ଠସ୍ୱର ପ୍ରାଣୀ ମନହରେ

ବୁଲୁଛନ୍ତି ଛାଗ ମୃଗ ଗାଭୀ ସେ ଭୂମିରେ ।

ହିଂସ୍ର ଜନ୍ତୁ ହିଂସା ନାହିଁ ନାହିଁ ଘନ ବନ

ମୟୂର ସଙ୍ଗେ ମୟୂରୀମାନେ ପ୍ରେମେ ମଗ୍ନ ।

ଯମୁନା ଓ ସରସ୍ୱତୀ କୂଳେ ସେହି ପୀଠ

ଦଧିଚୀଙ୍କ ପ୍ରଭା ଯୋଗୁଁ ସେ ପ୍ରଭାସ ଶ୍ରେଷ୍ଠ ।

ଅତି ପୁଣ୍ୟମୟ ସ୍ଥାନ ଜନମନ ହରେ

ଆରୋପିଲେ ଯଜ୍ଞସ୍ଥାନ ନୃପତି ସେଠାରେ ।

ଯଜ୍ଞାଗାର ଆୟତନ ଏକ ଚତୁର୍ଥାଂଶ

ଉପରେ ଟଣାଇ ଚନ୍ଦ୍ରାତପ ଏକବିଂଶ ।

ବିପ୍ରମଣ୍ଡଳ ଦେବତା ମଣ୍ଡଳି ରଖାଇ

ଦର୍ଶକ ରାଜା ପରଜା ବସିବେକ ତହିଁ ।

ଚାରିପାଖେ ଚାରିଜାତି ବିଭିନ୍ନ ଆସନ

କୁଶାସନେ ବିପ୍ର କରିବେ ଯେ ଅଧ୍ୟୟନ ।

ମୃଗ ଚର୍ମ ରଷିଙ୍କର ତାର ପାଶେ ଥୋଇ

ଦେବାଙ୍ଗ ଗାଲିଚା ଫୁଲ ଶଯ୍ୟାରେ ବିଛାଇ ।

ସ୍ୱର୍ଗ ସୁରପତିଙ୍କର ସ୍ୱର୍ଣ୍ଣ ସିଂହାସନ

ଶାର୍ଦ୍ଦୁଳ ଚର୍ମ ଆସନେ ଥିବେ ପଞ୍ଚାନନ ।

ବ୍ରହ୍ମାଙ୍କର କୁଶାସନେ ଆସନେ ମଣ୍ଡଣି

ଆବର ବସିବେ ମର୍ତ୍ତଦେଶ ନରମଣି ।

ହସ୍ତୀ ଦନ୍ତ ପଲଙ୍କରେ ଗାଲିଚା ପକାଇ

ଚାରିଜଣ ଏକାସନେ ବସିଯିବେ ତହିଁ ।

ସ୍ୱର୍ଣ୍ଣ ଖଟେ ହୋଇଥିବ ମାଣିକ୍ୟ ଭୂଷିତ

ବସିବେ ମରତବାସୀ ବିଜ୍ଞାନୀ ପଣ୍ଡିତ ।

ଭୂମିପରେ ରହି ତୁଳି ତଳ୍ପ ସଜାଇବେ

ପ୍ରଜା କର୍ମଚାରୀ ବୃନ୍ଦ ଆସିଲେ ଦେଖିବେ ।

କରାଇଲେ ଚାରିପାଶେ ଆସନ ଏପରି

ପୁରୋଧା କରତା ସ୍ଥାନ କୁଶାସନେ କରି ।

ରୋପଣ କରିବ ରମ୍ଭା ବୃକ୍ଷ ଯତ୍ନ କରି

ଚୂତ ପତ୍ରମାଳା ଚତୁଃପାର୍ଶ୍ୱେ ସରି ସରି ।

ମୁକୁତା ପ୍ରବାଳ ମଣି କାଚ ଓ କାଞ୍ଚନ

ତୋରଣ ସଜାଇ ଦେଇ କରି ସୁଶୋଭନ ।

ଚାରି ପାଖେ ପୂର୍ଣ୍ଣକୁମ୍ଭ ଚୂତ ଡାଳମାନ

ଧାଡ଼ି ଧାଡ଼ି ସଜାଇବ କରିଣ ଯତନ ।

ବୈଡୁର୍ଯ୍ୟ ଚିରାଳ ଆଦି ନିଶାଣ ଓ ଚିତ୍ର

ଚାରିପାଖେ ସଜାଇବ କରି ନାନା ଚିତ୍ର ।

ଚନ୍ଦ୍ରାତପ ଖମ୍ବେ ବାନ୍ଧି ସୁଝୀନ ବସନ

ରକ୍ତ ପୀତ ବିଚିତ୍ର ରଙ୍ଗର ବାସମାନ ।

କାଚ ଖମ୍ବରେ ଖଞ୍ଜିବ ସୁରଙ୍ଗ ଆଲୋକ

ନାନାବର୍ଣ୍ଣେ କାଚ ସଙ୍ଗେ ଜରାଇବ ଠିକ ।

ରକ୍ତପୀତ ସବୁଜରେ ଥିବ ଦିପାବଳୀ

ଇନ୍ଦ୍ର ଗୋବିନ୍ଦ ଚାନ୍ଦୁଆ ମଧ୍ୟେ ଚିତ୍ରାବଳୀ ।

ମଣିମୟ ମାଣିକ୍ୟର ନନ୍ଦାବର୍ତ୍ତ କାମ

ମଧ୍ୟ ଯଜ୍ଞାଗାର କରାଇବ ମନୋରମ ।

ଯିବା ଆସିବାର ପଥ ପୁଣି ପାନ୍ଥଶ୍ରେଣୀ

ରାସ୍ତା ଦୁଇପାଖକୁ ଯେ କରିବ ମଣ୍ଡଣି ।

ଯଜ୍ଞ ଚାରିପାଖେ କରାଇବଟି ପ୍ରାଚୀର

ଯିବା ଆସିବାକୁ ରଖି ଚାରିଗୋଟି ଦ୍ଵାର ।

ମୃତ୍ତିକାର ସିଂହ ଦୁଇପାଖେ ବସାଇବ

ଦେଶ ପତାକା ତା ଆଗେ ନେଇ ଟଙ୍ଗାଇବ ।

ବାଦ୍ୟକାର ନୃତ୍ୟକାର ବସିବା ଆସ୍ଥାନ

ଯଜ୍ଞ ପାଶେ ଉଚ୍ଚ ସ୍ଥାନେ କର ଆୟୋଜନ ।

ଖାଇବା ରହିବା ବାସ କରିବ ଗଠନ

ରାଜଗୃହ ମନ୍ତ୍ରୀଗୃହ ସେନାପତି ସ୍ଥାନ ।

ଧାଡ଼ି ଧାଡ଼ି କରି ପୁର କରିବ ନିର୍ମାଣ

ଭିତରେ ଥିବ ପଲଙ୍କ ତୁଳି ତଳ୍ପମାନ ।

ସ୍ନାନ ଶୌଚ ବିଧିପାଇଁ କରାଇବ ଗୃହ

ଝରିରୁ ନିର୍ମଳ ଜଳ ପାତ୍ରେ ତହିଁ ଥୁଅ ।

ଭଣ୍ଡାର ଗୃହ ରଖିବ ପାକଶାଳା ପାଶ

ପାକଶାଳା କରାଇବ ଭିନ୍ନ ଭିନ୍ନ ଦେଶ ।

ନାନା ପରକାରେ ଅନ୍ନ ରନ୍ଧନର ଘର

ମିଷ୍ଟାନ୍ନ ଗଠନ ପାଇଁ ରଖ ସୂପକାର ।

କ୍ଷୀରି ପୁରୀ ତରକାରୀ ପାଇଁ କର ଘର

ଖାଦ୍ୟ ପରଷିବା ଲୋକ ପରିବେଶ ଯାର ।

ଖାଦ୍ୟ ଜଳପାତ୍ର ପୁଣି ଖାଦ୍ୟର ବାସନ

ଗୋଟି ଗୋଟି ଲେଖି କର ସବୁ ଆୟୋଜନ ।

ଅନ୍ତଃପୁର ବାସିନୀଙ୍କ ରହିବା ଉଆସ

ନାନା ରଙ୍ଗେ ଗଢାଇବ କରିଣ ବିଶେଷ ।

ବୁଲି ବୁଲି ସର୍ବ କହି ଚଳନ୍ତି ନରେଶ

ଅଳ୍ପଦିନ ଅଛି ମାତ୍ର କର କାମ ଶେଷ ।

ମହାରଣାମାନଙ୍କୁ ସେ ବରାଦ ଦେଇଣ

ଚଳନ୍ତି ନିଜ ପ୍ରାସାଦେ ଉଗ୍ରସେନ ରାଣ ।

ଯାହାର ଆଦେଶେ ଜଳେ ଭାସିଲା ପଥର

ଖେପାକେ ଡେଇଁଲା ହନୁ ସପ୍ତ ପାରାବାର ।

ସେ ହରି ଚରଣ ତଳେ ଯାଇ ଥିବ ମନ

ଅନାୟାସେ କରିବ ସେ ଅସାଧ୍ୟ ସାଧନ ।

ଶ୍ରୀଗୁରୁ ଅଚ୍ୟୁତାନନ୍ଦ ପାଦପଦ୍ମ ଧ୍ୟାୟି

ସାତତୋଳା ଇନ୍ଦ୍ରମଣି ଗୀତରେ ଲେଖଇ ।

 

ନାରଦଙ୍କର ତ୍ରିପୁରବାସୀ ଆମନ୍ତ୍ରଣ ଓ
ଗୋପ ବିରହ ଦର୍ଶନ

ପରୀକ୍ଷ କହନ୍ତି ଆହେ ଶୁଣ ତପୋଧନ

ନାରଦ ଯେ ଯାଇଥିଲେ କରି ଆମନ୍ତ୍ରଣ ।

କେଉଁଠାକୁ ଗଲେ ମୁନି କିସ ବା କରନ୍ତି

କହନ୍ତୁ ସଂଶୟ ଫେଡ଼ି ପରାଶର ନାତି ।

ଶୁକ ମୁନି କହୁଛନ୍ତି ଶୁଣ ପରୀକ୍ଷିତ

ଅପୂର୍ବ ଚରିତ ଏହି ଚିତ୍ତବୋଧ ଗ୍ରନ୍ଥ ।

ଶ୍ରୀକୃଷ୍ଣଙ୍କ ଆଦେଶରେ ଦେବର୍ଷି ନାରଦ

ଚଳିଗଲେ ମନଯାନେ ହୋଇଣ ଆନନ୍ଦ ।

ପ୍ରବେଶ ହୋଇଲେ ଯାଇଁ ଅଳକା ଭୁବନ

ସୁରପତି କରିଛନ୍ତି ଯେଉଁଠି ଆସନ ।

ଦେବଙ୍କ ମଣ୍ଡଳେ ଇନ୍ଦ୍ର ହୋଇଛନ୍ତି ସଜ

ତାରା ମେଳେ ଶଶଧର ପ୍ରାଏ ଦିଶେ ତେଜ ।

ତାରକ ବ୍ରହ୍ମ ମନ୍ତ୍ରକୁ ମୁଖେ ଉଚ୍ଚାରିଣ

ଦେବର୍ଷି ମିଳନ୍ତେ ଦେଖି ନିଜେ ସୁର ରାଣ ।

ଆସନ୍ତୁ ଉଠିଣ ରାଜା ବହୁ ମାନ୍ୟ କରି

ଦେବର୍ଷିଙ୍କୁ ବସାଇଲେ କୁଶାସନ ପାରି ।

କୁହ ଦେବ ମଥୁରାରେ ଶ୍ରୀକୃଷ୍ଣଙ୍କ ରସ

କିସ କରୁଛନ୍ତି ପ୍ରଭୁ କମଳା ବିଳାସ ।

ଶୁଣିଣ କହନ୍ତି ପ୍ରେମେ ବିରଞ୍ଚି ନନ୍ଦନ

ମଥୁରା ରାଜପ୍ରାସାଦେ ଛନ୍ତି ଭଗବାନ ।

ମାତାପିତାଙ୍କର ସୁଖ କେ ପାରିବ କହି

ବିଷ୍ଣୁ ମାୟାରେ ସନ୍ତାନ ସ୍ନେହେ ହୋନ୍ତି ବାଇ ।

କ୍ଷଣକେ କହନ୍ତି ବିଷ୍ଣୁ ପୁଣି ମୋ କୁମାର

ଏପରି ମାୟାରେ କ୍ରୀଡ଼ା କରେ ଦାମୋଦର ।

ଦେଖିଲେ ସେ ଭାବ ଆଖି ତହିଁ ଲାଖିଯାଏ

ମାୟାଧରଙ୍କର ମାୟା ବୁଝିବ ବା କିଏ ।

ଦେବକୀ ମାତା କରିବେ ଲକ୍ଷେ ଧେନୁ ଦାନ

ପ୍ରଭାସ ତୀର୍ଥରେ ହେବ ଯଜ୍ଞ ପାଞ୍ଚଦିନ ।

ଆସନ୍ତା କର୍କଟ ମାସ ଛବିଶ ଦିବସେ

ହୋଇବ ଆରମ୍ଭ ଯଜ୍ଞ ଶ୍ରୀକୃଷ୍ଣ ଆଦେଶେ ।

ତ୍ରିପୁରବାସୀଙ୍କୁ କରିବାକୁ ଆମନ୍ତ୍ରଣ

ପଠାଇ ଅଛନ୍ତି ମୋତେ କମଳାରମଣ ।

ଆହେ ଦେବବୃନ୍ଦ ସୁମନସ ସଙ୍ଗେ ଯିବ

ଶ୍ରୀକୃଷ୍ଣ ମାନବ ଲୀଳା ପ୍ରଭାସେ ଦେଖିବ ।

ଶୁଣି ସନମତ କଲେ ସ୍ୱର୍ଗ ଦଣ୍ଡଧାରୀ

ଚଳିଲେ ସେଠାରୁ ମୁନି ମନଯାନ ଧରି ।

ବାୟୁ ଅଗ୍ନି ବରୁଣ ଯେ କୁବେରକୁ କହି

ଗନ୍ଧର୍ବ ଚରଣ ଆଦି ଆମନ୍ତ୍ରଣ ଦେଇ ।

ହୁଁ ଚଳିଗଲେ ମୁନି ପିତାମହ ପାଶ

କରଯୋଡ଼ି ଜଣାଇଲେ ହୋଇଣ ନମସ୍ୟ ।

ଭୋ ପିତା ପ୍ରଭାସେ ଯଜ୍ଞ କରନ୍ତି ଅଚ୍ୟୁତ

ତିନି ଭୁବନ ଲୋକ ଯେ ହେବେ ଏକତ୍ରିତ ।

ମୋର ହସ୍ତେ ଦେଇଛନ୍ତି ଆମନ୍ତ୍ରଣ ଭାର

ଚଳିତ କର୍କଟ ଚବିଶକୁ ଅଛି ସ୍ଥିର ।

ଅତି ନିକଟରେ କରୁଛନ୍ତି ଆୟୋଜନ

ତେଣୁ ପଠାଇଲେ ମୋତେ କମଳ ଲୋଚନ ।

ଦେବଗଣ ସଙ୍ଗେ ନେଇ କରନ୍ତୁ ଗମନ

ଦାନ ସହ ଯଜ୍ଞ ତହିଁ ହେବ ପାଞ୍ଚଦିନ ।

ଶୁଣି ପରମେଷ୍ଠୀ ତାହା କଲେ ସନମତ

ମେଲାଣି ହୋଇ ଚଳିଲେ ତହିଁ ବିଧିସୁତ ।

ମନଯାନରେ ଚଳନ୍ତି ଦେବର୍ଷି ନାରଦ

ବୀଣା ବଜାଇ ନାଚନ୍ତି କୃଷ୍ଣେ ଥାଇ ହୃଦ ।

ଯମ ଭୁବନେ ମିଳିଣ କଲେ ଆମନ୍ତ୍ରଣ

ଚଳିଯାନ୍ତି କୈଳାସକୁ ଗାଇ ନାରାୟଣ ।

ଦ୍ଵାରପାଳ ନନ୍ଦି ଭୃଙ୍ଗୀ ଦେବର୍ଷି ଦେଖିଣ

ଛାଡ଼ିଦେଲେ ଚାହିଁଛନ୍ତି ପାର୍ବତୀ ରମଣ ।

ମନେ ମନେ ମୁନି ଦେଖି କୈଳାସ ନଗର

ଅବସନ୍ତେ ବହେ ତହିଁ ବସନ୍ତ ସମୀର ।

ରତ୍ନମୟ ଚୂଡ଼ା ଏହି କୈଳାସର ଶୃଙ୍ଗ

ଅପୂର୍ବ ସୁଷମା ମଣ୍ଡିଅଛି ଏହା ଅଙ୍ଗ ।

ବୃକ୍ଷମାନେ ହୋଇଛନ୍ତି ଫୁଲେ ସୁଶୋଭନ

ଭ୍ରମର ମାନେ କରନ୍ତି ଆନନ୍ଦ ନର୍ତ୍ତନ ।

ମନ୍ଦାକିନୀ ଧୀରେ ଧୀରେ ଶିଖିଚୁଳ ବହେ

ତୃତବୃକ୍ଷେ କୋକିଳ ଯେ କୁହୁ କୁହୁ କହେ ।

ହର ଉଦ୍ୟାନ ବନ ଏ ଅତି ମନୋହର

ଚୂଡ଼ାପରେ ଦେଖୁଛନ୍ତି ବିରଞ୍ଚି କୁମର ।

ଅଶୋକ ଦୟଣା ମଲ୍ଲୀ ଚମ୍ପା ନାଗେଶ୍ଵର

ତରାଟ ଟଗର ଯାଇ ଯୁଇ ଓ ମନ୍ଦାର ।

କରବୀର ପୁନ୍ନାଗ ପାଟଳି ଗନ୍ଧ ହେନା

ଗୋଲାପ ସୁଗନ୍ଧରାଜ କୃଷ୍ଣ ଛୁରୀଅନା ।

ଧାତୁରା ଗଙ୍ଗଶିଉଳି ଦେବ ପାରିଜାତ

ଶିଙ୍ଗଡ଼ାହାର ନିଆଳି ମୃଚକୁନ୍ଦ କ୍ଷାତ ।

ବିବୃକ୍ଷ ମାଳ ମାଳ ଦିଶେ ଫଳରାଜି

ଧନ୍ୟ ହେଲି ମହେଶଙ୍କ ସ୍ଥାନ ଦେଖି ଆଜି ।

ଧନ୍ୟ ମହେଶ୍ଵର ଶିବ ତ୍ରିପୁର ଈଶ୍ଵର

ଧନ୍ୟ ବ୍ୟାଘ୍ରାମ୍ବର ମୂର୍ତ୍ତି ପାର୍ବତୀଙ୍କ ବର ।

ପଞ୍ଚମୁଖ ତ୍ରିଲୋଚନ ଅତି ସୁଶୋଭିତ

ତ୍ରିଶୂଳ ଅଙ୍କୁଶଧାରୀ ଭସ୍ମ ବିଭୂଷିତ ।

ଗନ୍ଧର୍ବଗଣ ସୁସ୍ୱରେ ଗାଉଛନ୍ତି ଗୀତ

ପନ୍ଦର ନୟନେ ଧ୍ୟାନ ବ୍ରହ୍ମ ପଦେ ଚିତ୍ତ ।

ମନ୍ଦାକିନୀ ବହୁଅଛି ଜଟାରୁ ତୁମ୍ଭର

ଅର୍ଦ୍ଧଚନ୍ଦ୍ର ଭାଲପଟେ ଦିଶେ ମନୋହର ।

ସ୍ତୁତି ଶୁଣି ଦେବର୍ଷିଙ୍କ ଦେବ ପଶୁପତି

ସନ୍ତୁଷ୍ଟ ନୟନେ ଚାହିଁ ବୋଇଲେ ଯେ ଯତି ।

କେଉଁ କାର୍ଯ୍ୟେ ବିଜେକଲେ କୈଳାଶ ନଗର

ସଂଶୟ ବିନାଶି କୁହ ବିଧାତା କୁମର ।

ଶୁଣି କହିଲେ ମହର୍ଷି ଆହେ ଦିଗମ୍ବର

ପ୍ରଭାସ ତୀର୍ଥେ କରନ୍ତି ଯଜ୍ଞ ଚକ୍ରଧର ।

କର୍କଟ ଛବିଶଠାରୁ ତହିଁ ପଞ୍ଚଦିନ

ଉପସ୍ଥିତ ରହି ଯଜ୍ଞ କରିବେ ଦର୍ଶନ ।

କୃଷ୍ଣଙ୍କ ଆଦେଶ ଘେନି ଆସିଅଛି ମୁହିଁ

ତ୍ରିପୁର ବାସୀଙ୍କୁ ଆମନ୍ତ୍ରଣ ଦେବା ପାଇଁ ।

ଶୁଣି ପଞ୍ଚାନନ କଲେ ଯିବାକୁ ସ୍ୱୀକୃତ

ନାରଦ ବିଦାୟ ନେଇ ଚଳିଲେ ତୁରିତ ।

ଲଙ୍କାରେ ପ୍ରବେଶ ହେଲେ ରାଜା ବିଭୀଷଣ

ଧର୍ମ ପାଳି ଚଳାଉଛି ନିଜ ପ୍ରଜାଗଣ ।

ଆମନ୍ତ୍ରଣ ଦେଇ ତହୁଁ ଚଳନ୍ତି ହରଷେ

ଦକ୍ଷିଣ ଦିଗ ନୃପତି ଆମନ୍ତ୍ରିଲେ ତୋଷେ ।

ଦ୍ରାବିଡ଼ ଗୌଡ଼ ପ୍ରଦେଶ ଅତି ମନୋହର

କାଞ୍ଚି କାବେରୀରେ ରହି ହୋଇଲେ ବାହାର ।

ଗୋଦାବରୀ କୂଳ ବୁଲି କଲେ ଆମନ୍ତ୍ରଣ

ମଗଧ କଳିଙ୍ଗ କାନ୍ୟକୁବ୍‌ଜ ସୁଶୋଭିତ ।

ନାଭି ଗୟା ବାରଣସୀ ଶୋଭିତ ନଗର

ବୈତରଣୀ ଗୁପ୍ତ ଗଙ୍ଗା ସୁନିର୍ମଳ ଧାର ।

ଧନ ଧାନ୍ୟେ ପରିପୂର୍ଣ୍ଣ ଅଟେ ସେ ପ୍ରଦେଶ

ବୁଲି ବୁଲି ମୁନି ଆମନ୍ତ୍ରିଲେ ସାରା ଦେଶ ।

ବନାଉଜ କନାଉଜ ଅଙ୍ଗ ବଙ୍ଗ ଦେଶ

ବୁଲି ବୁଲି ଆମନ୍ତ୍ରିଲେ ଯେତେକ ନରେଶ ।

କୋଶଳ ଓ ଗୁଜୁରାଟ ଚମ୍ପାବତୀ ପୁର

କୁଞ୍ଜଗଳ ଇନ୍ଦ୍ରପ୍ରସ୍ଥ ବାରୁଣା ନଗର ।

ନେପାଳ ଭୁଟାନ ଭଟ୍ଟ କାଶ୍ମୀର ପ୍ରଦେଶ

ହିମାଳୟ ପଦପ୍ରାନ୍ତ ବୁଲି ବିଧି ଶିଷ୍ୟ ।

ପାତାଳେ ବାସୁକୀ ରାଜା ବଳି ଦାନବୀର

ଆମନ୍ତ୍ରଣ କରି ମୁନି ହୋଇଲେ ବାହାର ।

ଆସୁ ଆସୁ ପଥେ ମୂନି କରନ୍ତି ବିଚାର

ଦେଖିଯିବା ବୃନ୍ଦାବନ ପୁଣି ଗୋପପୁର ।

ନିତି ଦେଖୁଥିଲି ତହିଁ ରାଧା କୃଷ୍ଣ ଭାବ

ବାଜୁଥିଲା ଯହିଁ ବଂଶୀ କରି ରାଧା ରବ ।

ବିହ୍ୱଳିତ ଚିତ୍ତେ କେତେ ଭାବୁଥିବେ ରାଈ

ଜାତିକୁଳ ବୁଡ଼ାଇଲା ମୁରଲୀ ବଜାଇ ।

ରେ ବଇଁଶୀ ଆଉ ନକର ମୋ ଧେର୍ଯ୍ୟଭଙ୍ଗ

ରେ ବଇଁଶୀ ଆଉ ନକର ମୋ ଶୀର୍ଣ୍ଣ ଅଙ୍ଗ ।

ରେ ବଇଁଶୀ ତୋରଯୋଗୁଁ ହୋଇଲି ମୁଁ ଧ୍ୱଂସ

ଦୟିନୀ କରୁଛି ଆଉ ମୋ ନାମେ ନ ରସ ।

ଧନ୍ୟ ବିରହିଣୀ ବେଶ ରାସେଶ୍ୱରୀଙ୍କର

ତପତ କାଞ୍ଚନ ଜିଣା ବର୍ଣ୍ଣ ଯାହାଙ୍କର ।

ହସ୍ତରେ କଙ୍କଣ ପୁଣି ପୟରେ ନୂପୁର

ଚମ୍ପକ ଚପଳା ଜ୍ୟୋତି ନୁହେଁ ପଟ୍ଟାନ୍ତର ।

ଲଲାଟେ ସିନ୍ଦୁର ଗୋରଚନା ଶୋଭା ପାଏ

ବସ ନ ମେଖଳା କ୍ଷୀଣ କଟୀରେ ମଣ୍ଡାଏ ।

ନୟନେ କଜ୍ଜ୍ୱଳ ରେଖା ଅତି ସୁସଜ୍ଜିତ

ସୁଝୀନ ଶୀତ ପତନୀ ଅଙ୍ଗରେ ଶୋଭିତ ।

ମଖମଲ ଝୁମ୍ପା ବେଣୀ ଚରଣେ ଲମ୍ବିଥାଏ

ପକ୍ୱ ରମ୍ଭା ନଳେ ସତେ ନାଗୁଣୀ ପରାଏ ।

ହାସ୍ୟ ପ୍ରକାଶିଲେ ଜଣାଯାଏ ସେ ଏସନ

ଚନ୍ଦ୍ରମାକୁ ସୁଧାଧାର କରେ ବିତରଣ ।

ଅଙ୍ଗୁଳିରେ ରତ୍ନମୁଦି ପାଉଥାଏ ଶୋଭା

ନାସା ବସଣୀ ନିନ୍ଦଇ ଶୁକ୍ର ତାରା ପ୍ରଭା ।

ଧନ୍ୟ ସେ ବୈକୁଣ୍ଠପତିଙ୍କର ମନୋହାରୀ

ଆଜି ଶ୍ରୀକୃଷ୍ଣ ବିରହେ ଥିବେ କେଉଁପରି ।

ଦେଖିଯିବି ଥରେ ଶ୍ରୀକୃଷ୍ଣଙ୍କ ପ୍ରେମ ସ୍ଥାନ

ବିରହରେ କେଉଁପରି ଛନ୍ତି ଗୋପୀଜନ ।

ବରଜ ଧୂଳିକି ମୋର ଅଙ୍ଗରେ ବୋଳିବି

କୋଟି ପୁଣ୍ୟ ଫଳ ନେଇ ମଥୁରାକୁ ଯିବି ।

ଯେଉଁ କୃଷ୍ଣ ଶେଯେ ଶୋଇ ପୁତନା ମାରିଲେ

ଅଷ୍ଟମଲ୍ଲ ନାଶି ଧରା ଉଶ୍ୱାସ କରିଲେ ।

ଗୋବର୍ଦ୍ଧନ ଟେକି ଦେଲେ କାଣି ଅଙ୍ଗୁଳିର

କାଳୀୟ ଶିରେ ନାଚିଲେ ବିଷ ନାଶି ତାର ।

ଯେହୁ ବିରାଟ ପୁରୁଷ ନର ନାରାୟଣ

ମାୟାବଳେ ଗୋପେ କଲେ ପ୍ରେମ ବିତରଣ ।

ଧନ୍ୟ ଯମୁନା କୂଳିଆ କାଇଞ୍ଚ ମାଳିଆ

ଧନ୍ୟ ଜଗମୋହନ ହେ ଶ୍ରୀଖଣ୍ଡ ଚୂଳିଆ ।

ଧନ୍ୟ କଦମ୍ବ ମୂଳିଆ ଶ୍ୟାମ ନବଘନ

ନିତ୍ୟ ଲୀଳା ରଚିଛ ମାଧବ ବୃନ୍ଦାବନ ।

ଏତେ କହି ଦେବର୍ଷି ଯେ ବୃନ୍ଦାବନ ଗଲେ

ବୃନ୍ଦାବନ ରାସ ସ୍ଥାନ ରହିଣ ଦେଖିଲେ ।

ମଣିହରା ଫଣୀ ପରି ଦିଶେ ଅଶୋଭନ

କୁଳନାରୀର ବୈଧବ୍ୟ ପରି ଦିଶେ ବର୍ଣ୍ଣ ।

ବୃଦ୍ଧଙ୍କର ଦିଶୁନାହିଁ ସତେଜ ବଦନ

ଶୁଭୁନାହିଁ କୋକିଳର କୁହୁ କୁହୁ ସ୍ୱନ ।

ମଉଳା ଫୁଲ କଳିକା ବୃକ୍ଷୁ ପଡୁ ନାହିଁ

ପତ୍ର ଝାଉଁଳିଛି ଶିରା ତାପ ତେଜ ନାହିଁ ।

ଗଛଡ଼ାଳେ ପକ୍ଷୀ ନୀରବରେ ଛନ୍ତି ଚାହିଁ

ଯେଉଁ ଦିଗକୁ ଅକ୍ରୂର ରଥ ଗଲା ନେଇ ।

ମୃଗୁଣୀ ଚାହିଁଛି ପଛେ ବାଘୁଣୀ ଚାହିଁଛି

ହାତୀ ଥୋରେ ଡାଳ ଭାଙ୍ଗି ନୀରବେ ରହିଛି ।

ଜଳ ନାଦିନୀ ଯମୁନା ହୋଇଛି ନିଶ୍ଚଳ

ଗାଈ ବାଛୁରୀ ଚାହିଁଣ ଅଛନ୍ତି କେବଳ ।

ଦେଖି ଦେବର୍ଷି କହନ୍ତି କ୍ରେତାପୁର ପରି

ଯେଉଁ ଦିନକ ଦଣ୍ଡକାରେ ହେଲା ସୀତାଚୋରୀ

ନୀରବ ଦଣ୍ଡକାରଣ୍ୟ ପଶୁ ପକ୍ଷୀ କୁଳ

ରହିଥିଲେ ରଘୁପତି ଦେଖିଲେ ସକଳ ।

ଆଜି ବୃନ୍ଦାବନ ଚାହିଁଛନ୍ତି ସେହିପରି

ମଥୁରାରୁ ଶ୍ରୀକୃଷ୍ଣ ଆସିବେ କେବେ ଫେରି ।

କଦମ୍ବ ତରୁ ତଳକୁ ଗଲେ ତହିଁ ମୁନି

ଦେଖିଲେ ମଉଳାଫୁଲ ରହିଛି ଝଡୁନି ।

ଶିରୀହୀନ ଦିଶୁଅଛି ତା ତନୁ ତଳିମା

ନାହିଁ ଫୁଲ ସଉରଭ ପତ୍ରର ନୀଳିମା ।

ବାଜୁନାହିଁ ମୃଦୁବଂଶୀ ଯମୁନା ପୁଳିନ

ଶୁଭୁନାହିଁ ବ୍ରଜବାଳା ନୂପୁରର ସ୍ୱନ ।

ତମାଳରେ କୁଞ୍ଜଲତା ସଉନ୍ଦର୍ଯ୍ୟ ହୀନ

ବହୁ ନାହିଁ ଗନ୍ଧବହ ଶୀତଳ ପବନ ।

ଅଷ୍ଟକୁଞ୍ଜ ପାଶେ ତହୁଁ ଗଲେ ବିଧିସୁତ

ଲଳିତା ଚନ୍ଦନ ଘୋରୁଅଛି ହୋଇ ବ୍ୟସ୍ତ ।

କେତେ ଘୋରି ରଖିଲାଣି ଆହୁରି ଘୋରୁଛି

ଅନଙ୍ଗ ମଞ୍ଜରୀ ମଲ୍ଲୀମାଳ ଗୁନ୍ଥିଅଛି ।

କେତେ ଗୁଛିଲାଣି ପୁଣି ଗୁନ୍ଥେ ବେଗ ବେଗ

ପାହାଡ଼ ପରାଏ ହାର ହୋଇଲାଣି ଯୋଗ ।

ମଉଳୁ ନାହିଁ ସେ ଫୁଲ ରହିଅଛି ସଜ

ବିଶାଖା ତୋଳୁଛି ଫୁଲ ଆସିବେ ଲୋ ଆଜ ।

ତୁଙ୍ଗବିଦ୍ୟା ଇନ୍ଦୁରେଖା ଗାଉଛନ୍ତି ଗୀତ

ଆସୁଛନ୍ତି ଆସିଲେ ଲୋ ବ୍ରଜକଳା ନାଥ ।

ବୃତାଳା ତ ପଙ୍ଖା ବୁଣେ ଆଉ ଜଣେ ସଖୀ

ତାଳ ଗଛ ଉଚ୍ଚ କାଣ୍ଡି କଲାଣି ନିରେକ୍ଷି ।

ଆହୁରି ବୁଣୁଛି ପଙ୍ଖା ପାଗଳିନୀ ପ୍ରାୟେ

ଆସିଲେ କୃଷ୍ଣ ବିଞ୍ଚିବ ନିତି ଲାଗିଥାଏ ।

କୁଞ୍ଜଠାରୁ କିଛିଦୂରେ ଦେଖିଲେ ମୁନି

ସଖାମାନେ ପ୍ରେମେ ଶ୍ରୀକୃଷ୍ଣଙ୍କ ଭାବ ଘେନି ।

ସୁଦାମା ଗଛରେ ଚଢ଼ି ପାରୁଅଛି କୋଳି

ସୁବଳ ଚାଖିଣ ରଖୁଅଛି ଭଳି ଭଳି ।

ସେହିପରି ସଜ କୋଳି କାଣ୍ଡି ହୋଇଲାଣି

ଆଉ ଆଉ ତୋଳୁଛହିଁ ହେଇ ଆସିଲାଣି ।

ମଧୁମଙ୍ଗଳ ଡାକୁଛି ଆସରେ କହ୍ନାଇ

ଶୁଖିଲା କାଠ ରହିଛି ବଣଭୋଜି ପାଇଁ ।

ପଦ୍ମଫୁଲ ତୋଳି ରଖିଛନ୍ତି ଭାର ଭାର

ଶୁଖୁ ନାହିଁ ପଚୁନାହିଁ ସଜ ଫର ଫର ।

ଗୋପ ଗ୍ରାମ ପାଶେ ଯାଉଛନ୍ତି ମୁନିବର

ଏକୁ ଏକ ଗୋପବାଳୀ କରନ୍ତି ବିଚାର ।

କେ ବୋଲେ ସଖୀ ଉଦ୍ଧବ ଯାଇଥିଲା କହି

ଚାରିଦିନ ପରେ କାହିଁ ନ ଆସେ କହ୍ନାଇ ।

ଆଉ ଏକ ସଖୀ କହେ ଚାଲ ସଜ ହୋଇ

ଯମୁନା ଜଳେ ସ୍ନାହାନ କରିବାର ପାଇଁ ।

ଜଳକ୍ରୀଡ଼ା କରିବା ଗୋ କୂଳେ ରଖି ବାସ

ନିଶ୍ଚେ ବାସ ଚୋର ମିଳିଯିବ ଆମ୍ଭ ପାଶ ।

ଆଉ ଜଣେ କହେ କଥା ମନକୁ ଅଇଲା

ଛୋଟ ମୁଖେ ଗାଳିକଲେ ସେ ଦୋଷ ମାଗିଲା ।

ସେ ରାଗରେ ମଥୁରାରେ କହ୍ନାଇ ରହିଲା

ତୁମ୍ଭେ ଅନାଇ ମରିଲେ ତାର କିସ ହେଲା ।

ସେଠାକରୁ ବିଧିସୁତ ଭାବେ ଭୋଳ ହୋଇ

ଗୋପଦାଣ୍ଡରେ ଯାଆନ୍ତି କୃଷ୍ଣ ନାମ ଗାଇ ।

କେ କୃଷ୍ଣ ରଟଇ ଥାଇ ଗୃହର ଜଞ୍ଜାଳେ

କେ କୃଷ୍ଣ ପ୍ରେମେ ମଜ୍ଜଇ କର୍ମକଲା ବେଳେ ।

ଦଧି ମନ୍ଥନର ବେଳେ ସଙ୍ଗେ କୃଷ୍ଣ ନାମ

କେବା ଲବଣୀ କାଢ଼ଇ କରି କୃଷ୍ଣପ୍ରେମ ।

କେବା ସର ରଖିଅଛି ଦେବ ଶ୍ରୀକୃଷ୍ଣଙ୍କୁ

କେ କୋଳି କିଣି ରଖିଛି ଦେବ କହ୍ନାଇକୁ ।

କେବା ଦାଣ୍ଡେ ନଚାଇବ ଦେଇ ହାତେ ସର

କିଏ ମୁରଲୀ ଶୁଣିବ କରିଣ ଆଦର ।

କେବା ଦୋଳିରେ ବସାଇ ନିଜେ ଝୁଲାଇବ

କେବା ନୀଳମଣି କହି କାନ୍ଧେ ବସାଇବ ।

ଗାଈମାନେ କୃଷ୍ଣ ପ୍ରେମେ ହୋଇଣ ପାଗଳ

ଖୋଜି ବୁଲୁଛନ୍ତି ଗୋପେ ହୋଇଣ ଚଞ୍ଚଳ ।

ସନ୍ତାନ ବତ୍ସଳା ମାଆ ନିଜ ପୁଅ ବାନ୍ଧି

ଯଶୋଦା ଆଗରେ ହେଉଅଛି ପ୍ରତିବାଦୀ ।

ରଖିଦେଲା ନାହିଁ ସର ଚୋର ତୋ କୁମର

ପିଢ଼ାପରେ ପିଢ଼ା ରଖି ଖାଉଛି ଲୋ ସର ।

ଯଶୋଦା କହନ୍ତି କେତେ କହୁ ତୁ ଲୋ ଭଣ୍ଡି

ଛୁଆ ବକଟକ ପେଟେ ଧରିଲାଣି ହାଣ୍ଡି ।

ଆଜି ତୋତେ ବାନ୍ଧିବିରେ ଦଉଡ଼ି ଲଗାଇ

ନିଜ ଘରୁ ସର ଫିଙ୍ଗୁ ଥୁଉ ଥୁଉ କହି ।

ଛାଟ ଧରି ପିଟିବାକୁ ଉଠନ୍ତେ ଜନନୀ

ଛଡ଼ାଇ ନିଏ କେ ଗୋପୀ କହି ନୀଳମଣି ।

ଗୋରୁ ବାହୁଡ଼ାକୁ ଧରି ସରପୁଳି ମାତା

କାହ୍ନୁରେ କାହୁରେ ଭୋକେହେବୁଣିଅବସ୍ଥା ।

ଆସ ବାପ ବଳି କ୍ଷୀର ଖାଇଯିବ ତୋର

ସାରାଦିନ ଖେଳେ ତଣ୍ଟି ଶୁଖିଛିରେ ସାର ।

ଧବଳି ଶ୍ୟାମଳୀ ଗାଭୀ ହମ୍ଭାରଡ଼ି ଦେଇ

ଯଶୋଦା କୋଳକୁ ଦେଖି ହୁଅନ୍ତି ଗୁଡ଼ାଇ ।

ବତ୍ସାକୁ ନ ଦ୍ୟନ୍ତି କ୍ଷୀର ତଳେ ବହେ ଧାର

ପାଟି ଫିଟୁନି ଆଖିରୁ ବହେ ଉଷ୍ମନୀର ।

କା ଦେହ ସହିବ ଗୋପେ କୃଷ୍ଣଙ୍କ ବିରହ

ଉନ୍ମାଦିନୀ ଯଶୋଦାଙ୍କ ଆକୁଳ ହୃଦୟ ।

ରାଗିଲୁକି ବାବୁ ଦିନେ ଅଝଟ ନ ସହି

ବାନ୍ଧି ଘରେ ଦଧି ମନ୍ଥେ କାମେ ଅନ୍ଧାହୋଇ ।

ରାଗେ ଫିଙ୍ଗିଲୁ ପଥର ଭାଙ୍ଗେ ଦଧିଭାଣ୍ଡ

ଛାଟେ ଧରି ଗୋଡ଼ାଇଣ ଦେଲେ କେତେଦଣ୍ଡ

ସେହି ଦୋଷେକଳାଚାନ୍ଦ ଦେଲୁ ବେକେଖୁର

ଦିଶି ଯାଉଛି ଝଲସି ମୋ କାହ୍ନୁ ଶରୀର ।

ଏ ବେଳେ ବାଜିଲା ଦାଣ୍ଡେ ନାରଦଙ୍କ ବୀଣା

ଧାଇଁଲେ ଯଶୋଦା କରି ଗୋଟି କଳପଣା ।

ନାରଦଙ୍କୁ ପ୍ରଣମିଲେ ଯଶୋମତୀ ରାଣୀ

କଲ୍ୟାଣ କରିଲେ ମୁନି ଉଠାଇଣ ପୁଣି ।

ପୁଚ୍ଛନ୍ତି ଯଶୋଦା ମୋର କାହ୍ନୁ କି ଆସିଛି

ତା ଶରୀର କେଉଁପରି କୁହ ବିଧି ବତ୍ସି ।

ନାରଦ କହିଲେ ମାଗୋ ଶରୀରତ ଭଲ

ପ୍ରଭାସ ତୀର୍ଥରେ ଦାନ ଦ୍ୟନ୍ତି ଗୋରୁପଲ ।

ତିନିପୁର ଆମନ୍ତ୍ରଣ ସେଥିପାଇଁ କଲି

କାର୍ଯ୍ୟକାରି ଗୋପବାଟେ ମୁହିଁ ଯାଉଥିଲି ।

ଶୁଣି ଦେବୀ ଯଶୋବନ୍ତୀ କରିଲେ ଘୋଷଣା

ପ୍ରଭାସେ ଦେଖିବା କାହ୍ନୁ ପୂରିବ ବାସନା ।

ନାରଦ ବୋଇଲେ ମାଗୋ ବଡ଼ ଅସଙ୍ଗତ

ଗୋପ ନଗରକୁ ହୋଇ ନାହିଁ ଆମନ୍ତ୍ରିତ ।

ମନାକଲେ କୃଷ୍ଣ ଆମନ୍ତ୍ରଣ ଦେବାପାଇଁ

ମନେ ପଡ଼ିଗଲା ସିନା ଆସିଥିଲି ମୁହିଁ ।

ଯଶୋଦା ଛାଡ଼ିଲେ ଦୁଃଖେ ହତଖର ଶ୍ଵାସ

ଗୋପୀ କହନ୍ତି କାହ୍ନୁର ମନୁ ଆମ୍ଭେ ନାଶ ।

ଏକଥା ବିଚିତ୍ର ଯଦି ମନେ ନାହିଁ ତାର

କିମ୍ପା ପୋଡ଼ାମନ ମୋର ହେଉଛି ଅସ୍ଥିର ।

ମିଛକଥା ମିଛକଥା ମୋର କଳାଚାନ୍ଦ

ସବୁସଞ୍ଜୁଆ ବାପାର କାନ୍ଧେ ମାଗେ ଚାନ୍ଦ ।

ମନେ ନାହିଁ ବାଇଆର ମାତିଛି କାମରେ

ସରପୁଳି ଖାଇବାକୁ ଆସିବ ମୋଠାରେ ।

କହିବ ନାରଦ ତାକୁ ଭୋକ ଶୋଷ ନାହିଁ

କି ପୋଡ଼ା କାମ କରୁଛି ଦେହକୁ ଶୁଖାଇ ।

ଦୁଇ ବକଟ ଛୁଆଙ୍କୁ କି ଅଭାବ ମୋର

କାହାପାଇଁ ବୁଲେ କାହ୍ନୁ ମଥୁରା ନଗର ।

ନନ୍ଦ ବୋଇଲେ ଏତେଲୋକେତେହେଉବାଇ

ଗପି ଯାଉଅଛୁ ପାଟି ଅଠା ହେଉନାହିଁ ।

ପକ୍ଷୀ ଲାଗି ନଥିଲା ସେ ଡାକୁଥିଲା ମାଆ

ଦେଉଥିଲୁ ସରପୁଳି କରୁଥିଲୁ ଆହା ।

ଏବେ ଲାଗିଲା ତା ପକ୍ଷୀ ଲାଗିଣ ଉଡ଼ିଲା

ପ୍ରଭାସ ଯଜ୍ଞକୁ ତୋର ଦୁଆର ପଡ଼ିଲା ।

ଶୁଣିନାହୁଁ କିଲୋ କାକ ପିକର ବେଭାର

ପିକ ପିକ ପୁରେ ଗଲା ଜାତି ଘେନି ତାର ।

ଚାଲ ହେ ନାରଦ ମୁହିଁ ଗୋପାଳଙ୍କୁ ନେଇ

ବୁଝିବି ମୋ ପୁଅ ମନ କିଏ ବିଗାଡ଼ଇ ।

ନାରଦ କହନ୍ତି ନନ୍ଦ ନାହିଁ ଆମନ୍ତ୍ରଣ

ଗଲେ ମୋର ସଙ୍ଗେ ହେବ କଳହ କାରଣ ।

ଆସିବତ ଆସ ବିନା ନିମନ୍ତ୍ରଣେ ନନ୍ଦ

ମର୍ଯ୍ୟାଦା ମିଳିବ ନାହିଁ ଭଲ ଘରେ ମନ୍ଦ ।

ନନ୍ଦ କହେ ବାପ ପୁଅ ମାନ ଅପମାନ

କହିବ ଯାହାର ନ ଥିବଟି ନାକକାନ ।

ନାରଦ ବିଦାୟ ହୋଇଗଲେ ତତକ୍ଷଣ

କଳିପ୍ରିୟ ପାଲାଟିକୁ ଆରମ୍ଭ କରିଣ ।

ଶ୍ରୀଗୁରୁ ଅଚ୍ୟୁତାନନ୍ଦ ଦାସଙ୍କ କଲ୍ୟାଣେ

ଦୀନ ଇନ୍ଦ୍ରମଣି ସାହୁ କୃଷ୍ଣରସ ଭଣେ ।

 

Unknown

ନାରଦ ମଥୁରାରେ ଦେବକୀ ପାଶେ ପ୍ରବେଶ

ଏଥୁଅନ୍ତେ ପରୀକ୍ଷିତ ରାଜା ତୋଷ ହୋଇ

ପଚାରନ୍ତି ଶୁକମୁନି ଚରଣେ ବିନୟୀ ।

ହେ ବ୍ୟାସ ନନ୍ଦନ ବଡ଼ ବିଚିତ୍ର ଏ ବାଣୀ

ଗୋପୀଙ୍କ ନିରାଶ ନନ୍ଦ ଯଶୋଦା ଭାଳେଣି ।

ସହଜେତ କୃଷ୍ଣ ବିଚ୍ଛେଦରେ ପାଗଳିନୀ

ଗୋପି ଗୋପାଳ ଉଦ୍ଧବ କଥା ଥିଲେମାନି ।

ଫେରିବେ ଅଳପ ଦିନେ ଚାହୁଁଥିଲେ ବାଟ

ନିରାଶ ବାଣୀ ଶୁଣାଇ ଦେଲେ ବିଧି ଚାଟ ।

ଶୋକାତୁର ଯଶୋଦାଙ୍କ ମନ ଛନ୍ନଛନ୍ନ

ପୁତ୍ର ଶୋକେ କିବା ହାରିଦେବେ ସେ ଜୀବନ ।

ଗୋପିମାନେ ଶୁଣି ଉନ୍ମାଦରେ ପାଗଳିନୀ

ନନ୍ଦର ହଜିଲା ବୁଦ୍ଧିପୁତ୍ର ଭାବ ଘେନି ।

ପୁଣି କିସ କଲେ ସେ ତ କଳିପ୍ରିୟ ମୁନି

କୁହ ସଂଶୟ ଫିଟାଇ ମୋ ଭକତି ଘେନି ।

ଶୁଣି ଅତି ଭାବେ କହୁଛନ୍ତି ବ୍ୟାସ ବାଳ

କଳିପ୍ରିୟ ନାରଦଙ୍କ ବିଚିତ୍ର କୌଶଳ ।

ଦେବକୀ ପୁତ୍ର ପାଇଣ ଅଭିମାନ କଲା

ବନ୍ଦୀଘରେ ଜଟିଳ ତା ସବୁ କହୁଥିଲା ।

ଚନ୍ଦ୍ରସେଣା ମାତା ସେହି ଦଧି ବିକି ଯାଏ

ଯଶୋଦାଙ୍କ ବିପରୀତ ଦେବକୀଙ୍କୁ କହେ ।

ସହଜେତ ନାରୀ ଜାତି ସରଳ ହୃଦୟ

ପରକଥା ଶୁଣି ଢାଳୁଥାନ୍ତି ଆଖି ଲୁହ ।

ପୁତ୍ର ପାଇ ଭୁଲିଗଲେ ଯଶୋଦାଙ୍କ ଶ୍ରମ

ସବୁବେଳେ ନାମ ଶୁଣି ହୋନ୍ତି ତମ ତମ ।

ସହଜେତ କୃଷ୍ଣ ନାମ ଗରବ ଗଞ୍ଜନ

ମାତାପିତା ବନ୍ଧୁ ଭ୍ରାତା ସବୁ ତା ସମାନ ।

ଦେବର୍ଷି ଅଟନ୍ତି ସ୍ଵଚ୍ଛ ଭକ୍ତଙ୍କ ଉତ୍ତମ

ଗର୍ବ ଧ୍ୱଂସ ପାଇଁ ସଦାବେଳେ ତାଙ୍କ ନାମ ।

ମନଯାନେ ବିଧି ସୁତ କରିଲେ ଗମନ

ମଥୁରାରେ ଦେବକୀଙ୍କୁ କରିଲେ ଦର୍ଶନ ।

ଦେବର୍ଷିଙ୍କୁ ଦେଖି ମାତା ଦେବକୀ ଉଠିଣ

ପ୍ରଣାମ କରିଣ ଆଣି ଦେଲେ କୁଶାସନ ।

ଗଙ୍ଗାଜଳ ଆଣି ମୁନି ପଦ ଧୋଇ ଦେଲେ

ବିନୟ ହୋଇଣ ମାତା ପୁଣି ପୁଚ୍ଛାକଲେ ।

ଆହେ ବିରଞ୍ଚି ନନ୍ଦନ ଯଜ୍ଞ ଆମନ୍ତ୍ରଣ

ସର୍ବଶୁଭେ ବରିଲତ ତିନିପୁର ପୁଣ ।

ବିଧି ସୁତ କହୁଛନ୍ତି ଆଗୋ ରାଜରାଣୀ

ତୋହର ପୁତ୍ର ଅଟନ୍ତି ତ୍ରିପୁର କାରେଣୀ ।

ତାହାଙ୍କ ଆଜ୍ଞା ଅବଜ୍ଞା କିଏ ସେ କରିବ

ଯାହାଙ୍କ ପାଦ ଚିନ୍ତନ୍ତି ବ୍ରହ୍ମା ସଦାଶିବ ।

ସ୍ଵର୍ଗ ଦେବଗଣ ସହ ଆମନ୍ତ୍ରଣ କରି

ପାତାଳେ ବାସୁକୀ ଆଉ ବଳୀ ଦଣ୍ଡଧାରୀ ।

ଶୁଣି କହନ୍ତି ଦେବକୀ ପାତାଳେ ରାଜନ

ଏକା ବାସୁକୀ କରନ୍ତି ମହୀକୁ ଧାରଣ ।

ବଳୀ ରାଜା କିଏ ତାଙ୍କ ଅଛି କେଉଁ ପୁର

ସଂଶୟ ଫିଟାଇ କୁହ ବିରଞ୍ଚି କୁମର ।

ଶ୍ରବଣ କରି କହନ୍ତି ବିଧାତା ନନ୍ଦନ

ସତ୍ୟଯୁଗେ ବଳୀଥିଲେ ମର୍ତ୍ତ୍ୟରେ ରାଜନ ।

ଦାନବଳେ ସ୍ଵର୍ଗେ ଥରିଗଲେ ପୁରନ୍ଦର

ଅତ୍ୟନ୍ତ ଧାର୍ମିକ ବଳୀ ସତ୍ୟବନ୍ତ ଧୀର ।

ସ୍ଵର୍ଗ ଥରିବାରୁ ଦେବ ତୁଲେ ସୁରଗଣ

ଜଣାଇଲେ କରଯୋଡ଼ି ବିରଞ୍ଚି ପ୍ରଦେଣ ।

ହେ ଦେବ ସାବିତ୍ରୀ ପତି ମରାଳ ବାହନ

କର ଦେବ ସ୍ୱର୍ଗ ପୁର ରକ୍ଷାର ବିଧାନ ।

ମର୍ତ୍ତ୍ୟପୁରେ ବଳୀ ଦାନ ଧର୍ମ କମ୍ପେ ପୁର

ରହି ନ ପାରୁଛୁ ଦେବ ଦାନ ବଳେ ତାର ।

ଶୁଣି ବେଦ ପତି ସଙ୍ଗେ ଦେବଙ୍କୁ ଧରିଣ

କ୍ଷୀରସିନ୍ଧୁ ତଟେ ସ୍ତୁତି କଲେ ନାରାୟଣ ।

ନମସ୍ତେ କମଳା ପତି କ୍ଷୀରସିନ୍ଧୁ ବାସୀ

କର କରୁଣା ଏ ଦେବ କୁଳ ଗଲୁ ଭାସି ।

ଦେବତାଙ୍କ ସ୍ତୁତି ଶୁଣି ଦେବ ଦଇତାରି

ବୋଇଲେ ବଳୀର ଦାନେ ସ୍ୱର୍ଗ ଯାଏ ଥରି ।

ଦାନୀପଣ ବଡ଼ ହେବ କରେ ଅଭିମାନ

ଦେଉଅଛ ମଧ୍ୟପୁରେ ବଳୀରାଜା ଦାନ ।

ବାମନ ରୂପେ ଅଦିତି ଗର୍ଭେ ଜନ୍ମହୋଇ

ଦାନ ମାଗି ବଳୀ ଗର୍ବ ଗଞ୍ଜିଲଇଁ ମୁହିଁ ।

ଯାଅ ବେଗେ ନିଶ୍ଚିନ୍ତରେ ଥିବ ସ୍ଵର୍ଗପୁର

ଅଳ୍ପଦିନେ ହେବ ପୁଣି ସ୍ଵର୍ଗ ପୁର ସ୍ଥିର ।

କଶ୍ୟପ ଔରସେ ଦେବୀ ଅଦିତି ଗର୍ଭରେ

ଜନ୍ମହେଲେ ନାରାୟଣ ବାମନ ରୂପରେ ।

ବ୍ରାହ୍ମଣ ବେଶରେ ବଳୀ ଦ୍ଵାରେ ମାଗିଦାନ

ତିନିପାଦ ଭୂମିକଲେ ସଂକଳ୍ପ ବିଧାନ ।

ପାତାଳେ ଚାପିଲେ ବଳୀଛନ୍ତି ସେଇଠାରେ

ବିଷ୍ଣୁଭକ୍ତି ରାଜନ ସେ ପୂଜନ୍ତି ଅମରେ ।

ଶୁଣି ଦେବୀ ଦେବକୀ ଯେ ହେଲେ ହରଷ

କହନ୍ତି ବିଧି ନନ୍ଦନ ମନେ ବହି ତୋଷ ।

ଶୁଣ ଆଗୋ ରାଜରାଣୀ ବିଚିତ୍ର ଘଟଣା

ଗୋପାଳଙ୍କ ପ୍ରେମେ ତବ ପୁତ୍ର ହୋନ୍ତି ବଣା ।

ଯହିଁ ତହିଁ ଶୁଣିଲି ମୁଁ ବହି ବିପରୀତ

ସବୁଙ୍କ କଣ୍ଠରେ କୃଷ୍ଣ ଯଶୋଦାଙ୍କ ସୁତ ।

ନନ୍ଦ ନନ୍ଦନ କହନ୍ତି ବରଜ ଧୁଳିଆ

ବ୍ରଜ ଧୂଳି ଅଙ୍ଗେ ବୋଳି ଭକ୍ତ କାଟେମାୟା ।

ବ୍ରଜ ଦାଣ୍ଡେ ଧୂଳି ବ୍ରହ୍ମା ମଥାରେ ବୋଳନ୍ତି

ନନ୍ଦଦୁଲାଳ ଗୋପାଳ ସମସ୍ତେ ଡାକନ୍ତି ।

ଗୋପୀନାଥ ଆଣ୍ଡୁଆ ଗୋପାଳ ରାଧାକାନ୍ତ

ଗୋଷ୍ଠଚନ୍ଦ୍ରମା ଗୋକୁଳାନନ୍ଦ କଳାଭୂତ ।

ଗିରିଗୋବର୍ଦ୍ଧନ ଟେକା ଯାମଳା ଭଞ୍ଜନ

କାଇଁଞ୍ଚମାଳିଆ ନଟବର ବୃନ୍ଦାବନ ।

ଯମୁନା କୂଳିଆ ପୁଣି ଶ୍ରୀଚଣ୍ଡ ଚୂଳିଆ

ବଂଶୀବଟ ପୀତବଟ ଗୋପାଳ ମେଳିଆ ।

ଗୋପାଳଙ୍କୁ ଅର୍ଘ୍ୟ ନେଇ ଦିଅନ୍ତି ଦେବତା

ଗାର୍ଗ ସାନ୍ଦିପନୀ ମୁନି କରନ୍ତି ବ୍ୟବସ୍ଥା ।

ଭକ୍ତ କି ବୁଝି ନାହାନ୍ତି ଆଜି ପରିଯନ୍ତ

ଦେବକୀ ନନ୍ଦନ କୃଷ୍ଣ ପୁଣି କ୍ଷତ୍ରୀ ସୁତ ।

ମଥୁରାନାମ ବୁଡ଼ାଇ ଗୋପ ହୁଏ ବଡ଼

କ୍ଷତ୍ରୀୟ ମର୍ଯ୍ୟାଦା ସିନା ନାଶନ୍ତି ଗଉଡ଼ ।

ଯାଦବ ବଂଶ ନନ୍ଦନ ବସୁଦେବ ସୁତ

ଲୋକେ ତ ବୁଝୁ ନାହାନ୍ତି ଆଜି ପରିଯନ୍ତ ।

ପ୍ରତିକାର ନ କଲେତ ଆଝୁ ହେବ ବଡ଼

ବେମହତ କରିବେ ସେ ଗୋପରେ ଗଉଡ଼ ।

ରାଜମାତା ଦେବକୀ ଯେ ଅତି କ୍ରୋଧ ହୋଇ

କହନ୍ତି ମୋ ପୁତ୍ର କୃଷ୍ଣ ଯାଦବ ଅଟଇ ।

ଗୋପାଳଙ୍କର ବେଉସା ଅଟେ ଗୋରୁଚରା

ଗୋବର ମୂତରେ ଘାଣ୍ଟି ହୁଅନ୍ତି ସେ ପରା ।

ମହତ ନାହିଁ ତାଙ୍କର କୁଳ ଭୁଆଷୁଣୀ

ହାଟବଜାର କରନ୍ତି ଦଧି ବିକି ପୁଣି ।

ରାଜକୁଳେ ଜନ୍ମ ତା ଯାଦବ ଈଶ୍ଵର

ଖଣ୍ଡାଧରି ଯୁଦ୍ଧେ କାଟିବ ସେ ଶତ୍ରୁଶିର ।

କର୍ମ ବିପାକରେ ଥିଲା ସିନା ଗୋପପୁର

ଏବେ ସେ ଯାଦବପତି ମଥୁରା ଈଶ୍ଵର ।

ନାରଦ କହିଲେ ରାଣୀ ଗୋପଦାଣ୍ଡ ଦେଇ

ଆସୁଥିଲି ଗୋପୀ ଗୋପାଳଙ୍କୁ ଦେଖି ମୁହିଁ ।

ସରବେ କୃଷ୍ଣଙ୍କୁ ଚାହିଁ ହେଉଛନ୍ତି ବ୍ୟସ୍ତ

ଉଦ୍ଧବ ପଠାଇଥିଲେ କାଳେ ଜଗନ୍ନାଥ ।

କଣ୍ଟ ଦେଇ ଆସିଥିଲା ଆଉ ଚାରିଦିନ

ଗୋପୀ ଗୋପାଳ ଚାହିଁଣ କରନ୍ତି ରୋଦନ ।

ନନ୍ଦ ଯଶୋଦା କାନ୍ଦନ୍ତି ହୋଇଣ ଅଧୀର

ଆସିବେ ମଥୁରାପୁର କରନ୍ତି ବିଚାର ।

ଆସିଲେ ଯଶୋଦା କୃଷ୍ଣ ସ୍ନେହ ବଶ ହୋଇ

ଗୋପେ ଯାଇ ପାରିବେସେପ୍ରେମିକଗୋସାଇଁ

ତୁମ୍ଭେ ରାଣୀ ଗୋପାଳଙ୍କୁ କରାଅ ଆକଟ

ଯଜ୍ଞକୁ ଆସିଲେ ନିଶ୍ଚେ ପଡ଼ିବ ସଙ୍କଟ ।

ଶୁଣି ଦେବକୀ କହିଲେ ଆଜିଠାରୁ ଜାଣ

ମଥୁରା ଯେ ଗୋପାଳଙ୍କୁ ହୋଇଲା ବାରଣ ।

ବିଦାୟ ତହିଁ ହୋଇ ଲେ କଳିପ୍ରିୟ ମୁନି

ରାଜସୁତା ଦେବକୀ ଯେ ଦାସୀସଙ୍ଗେ ଘେନି ।

ଯେତେ ଉପସ୍ଥିତ ଥିଲେ ମଥୁରା ପ୍ରହରୀ

ଡକାଇ କହିଲେ ତାଙ୍କୁ ଗୋଟି ଗୋଟି କରି ।

ଆଜିଠାରୁ ଗୋପାଳେ ମୋ କଟକକୁ ମନା

ଜବର କରି ଆସିଲେ ଦେବେ ଜୋରିମାନା ।

ଆଉ ଯେତକ ପ୍ରହରୀ ଯଜ୍ଞଠାକୁ ଯିବ

ଗୋପାଳମାନଙ୍କୁ ତହିଁ କେଭେ ନ ଛାଡ଼ିବ ।

ଯଦି ଜବର କରିଣ ଭିତରକୁ ଯିବେ

ଧକାମାରି ତଡ଼ିଦେବ କହୁଛି ମୁଁ ଭାବେ ।

ମୋହର କଥା ଯଦିତ କରିବ ଲଙ୍ଘନ

ପାଇବ ପୁଣି ଶେଷକୁ ବହୁ ଅପମାନ ।

ଆଉ ଯେତେ ଦାସ ଦାସୀ ଶୁଣ ମୋ ବଚନ

ଗୋପାଳ ଦେଖିଲେ ତଡ଼ି ଦେବ ଅପମାନ ।

ନ ମାନିଲେ ରାଜାଠାରେ ହାଜର କରିବ

ଆଦେଶ ଲଙ୍ଘନ ଯୋଗୁ ଦଣ୍ଡ ସେ ପାଇବ ।

ଏତେ କହି ଦେବକୀ ଚଳିଲେ ଅନ୍ତଃପୁରେ

କିଏ ଉଧୁରିବ ମାୟାଧରଙ୍କ ମାୟାରେ ।

ଶ୍ରୀଗୁରୁ ଅଚ୍ୟୁତାନନ୍ଦ ପାଦେ ଦେଇ ଚିତ୍ତ

ଦୀନ ଉନ୍ଦ୍ରମଣି ଲେଖେ ଚିତ୍ତବୋଧ ଗ୍ରନ୍ଥ ।

 

ମଥୁରାପୁରବାସୀଙ୍କ ଯଜ୍ଞକୁ ଯାତ୍ରା

ଏଥୁ ଅନନ୍ତରେ ସେ ପରୀକ୍ଷ ନରପତି

ଶୁକମୁନିଙ୍କୁ ବିନୟେ ପଚାରୁଅଛନ୍ତି ।

କୁହ ମୁନି କୃଷ୍ଣଲୀଳା ଭକ୍ତି ରସାମୃତ

ଯେଉଁ ନାମ ଧରି ନରେ ହୁଅନ୍ତି ମୁକତ ।

ଦେବକୀଙ୍କୁ ବିଧି ସୁତ କରିଣ ଆକଟ

କେଉଁଠାରେ କିସ କଲେ ତହୁଁ ମୁନିଶ୍ରେଷ୍ଠ ।

ରାଜା ମୁଖୁଁ ଶୁଣି ବାଣୀ ବ୍ୟାସଙ୍କ ନନ୍ଦନ

କହନ୍ତି ଭକତି ଭରେ କୃଷ୍ଣ ରସମାନ ।

ଯେଉଁ କୃଷ୍ଣ ଚରାଚର ଚିତ୍ତ ଚିନ୍ତାମଣି

ଗର୍ବ ଅଭିମାନ ମୋହ ନାଶର କାରେଣୀ ।

ଜାଣିଛନ୍ତି ଅନ୍ତର୍ଯ୍ୟାମୀ ନିଜ ମାତା ମନ

ମୋତେ ପାଇ ଅଭିମାନେ ହେଲେଣି ଉଚ୍ଛନ୍ନ ।

ବୁଝିଣ ନାରଦ କରୁଛନ୍ତି ଉତ୍ତେଜିତ

ସବୁ ଜାଣି ମାୟାଧର କରାନ୍ତି ମୋହିତ ।

ସେ ତ ସନ୍ତାନ ସବୁର ସର୍ବେ ତା ସନ୍ତାନ

ମାତା ପିତା ଭାଇ ବନ୍ଧୁ ଜ୍ଞାତି ପରିଜନ ।

କେବା ପୁତ୍ର ଭାବେ ବସି କେବା ଭ୍ରାତା ପରି

କେ କାହାର କେବା ସଖା ଭକ୍ତି ପ୍ରେମକରି ।

ସବୁ ଜାଣି ରହନ୍ତି ଯେ ନ ଜାଣିଲା ପରି

ନିଜ କଲାକର୍ମ ଫଳ ଭୋଗେ ପ୍ରାଣୀ ଧରି ।

ରାଜା ଉଗ୍ରସେନ ପାଶେ ଥିଲେ ରାମ ହରି

ନାରଦ ମିଳିଲେ ମୁଖେ ନାମବ୍ରହ୍ମ ଧରି ।

ଆସନ୍ତୁ ଉଠିଲେ ରାଜା ତୁଲେ ଦୁଇଭାଇ

ଯଥା ମାନ୍ୟ କରି ବସାଇଲେ ନରସାଇଁ ।

ବିନୟେ କହନ୍ତି ବୃଦ୍ଧ ଆହେ ତପୋଧନ

ଆମନ୍ତ୍ରଣ ହୋଇଲାକି ତିନିପୁର ଗଣ ।

କହନ୍ତି ବିଧି ନନ୍ଦନ ତୁମ୍ଭ ନିମନ୍ତ୍ରଣ

ସମାଦରେ କରିଛନ୍ତି ତ୍ରିପୁର ଗ୍ରହଣ ।

ଦିଅନ୍ତୁ ମେଲାଣି ଆହେ କମଳଲୋଚନ

ଯିବି ନିଜ ଆଶ୍ରମକୁ କରିଅଛି ମନ ।

ସହାସ୍ୟ ବଦନେ କହୁଛନ୍ତି ନାରାୟଣ

କାଲି ଯଜ୍ଞ ଅଧିବାସ ହୋଇବ ଭିଆଣ ।

କର୍ମଫଳେ ଆସିବେ ମୋ ଆମନ୍ତ୍ରଣ ପାଇ

ସନମତ କରିମୁନି ଗଲେ ତୋଷ ହୋଇ ।

ଶ୍ରୀକୃଷ୍ଣ ଚଳିଲେ ନିଜ ଜନନୀଙ୍କ ପୁରେ

ଉଗ୍ରସେନ ରାଜା ଡାକି ସାରଥି ସତ୍ଵରେ ।

ରାଜାଙ୍କ ଡାକରା ଶୁଣି ସେ ରଥ ଚାଳକ

କରଯୋଡ଼ି ଶ୍ରୀଛାମୁରେ କରିଲା ବିଲୋକ ।

ସାରଥିକୁ ଆଜ୍ଞା ଦେଲେ ରଥ ସଜ କରି

ଛାଡ଼ିଆସ ଯଜ୍ଞସ୍ଥାନେ ହେ ସଧବା ନାରୀ ।

ରାଜ ଅନ୍ତଃପୁରବାସିନୀଙ୍କୁ ସଙ୍ଗେ ନେବ

ସାଜି ରହୁବର ଯତ୍ନେ ଛାଡ଼ିଣ ଆସିବ ।

ଆଜ୍ଞା ପାଇ ସାରଥି ଯେ ରଥ ସଜ କରି

ଶୁଭ ଅନୁଷ୍ଠାନେ ରଥ କରଇ ତିଆରି ।

ରାଜ ଭୋଗ୍ୟ ରଥ ଗୋଟି ବିବିଧ ରଙ୍ଗରେ

ରୌପ୍ୟ ପ୍ରଜାପତି ଦେଲା ଗୋଲାପ ସଙ୍ଗରେ

ପ୍ରବାଳ ମୁକୁତା କାଚ କାଞ୍ଚନର ଝରା

ଚାରିପାଖେ ଖଞ୍ଜି ଦେଲା କରି କେରା କେରା ।

ଉପରେ ରଙ୍ଗ ପତନୀ ନାଲି ନେଳି ପୀତ

ପ୍ରତି ଚଉକେ ଉଡ଼ଇ ଏକ ଗୋଟି ନେତ ।

ଚୂଡ଼ା ଉପରେ ରହିଲା ଦଧିଭାଣ୍ଡ ନେଇ

ରାଷ୍ଟ୍ର ସଙ୍କେତ ପତାକା ଉଡ଼ାଇଲା ତହିଁ ।

ମାଣିକ୍ୟରେ ଖମ୍ବମାନ ଦିଶଇ ଶୋଭିତ

ପଦ୍ମଦାଢ଼େ ମରାଳୀ ଯେ ରୂପାରେ ନିର୍ମିତ ।

କଦମ୍ବ ବୃକ୍ଷରେ ପୁଷ୍ପ ଶୁକଶାରୀ ମେଳା

ସୁରମ୍ୟ ଚିତ୍ତରେ କାହିଁ ରାଧାକୃଷ୍ଣ ଲୀଳା ।

କାହିଁ ବକାଚିରା କାହିଁ ଧେନୁକା ନିଧନ

କାହିଁ ଶକଟାର ମୃତ୍ୟୁ ଯାମଳ ଭଞ୍ଜନ ।

ଗିରି ଗୋବର୍ଦ୍ଧନ ଟେକା କାଳୀୟ ଦଳନ

ରାଧା ବିରହିଣୀ କାହିଁ ସୁବଳ ମିଳନ ।

ଗୋରୁ ଗୋଷ୍ଠେ କୃଷ୍ଣ କାହିଁ ଗାଭୀକ୍ଷୀରପାନ

କାହିଁ କୃଷ୍ଣ ବଳରାମ ଅକ୍ରୂର ଦର୍ଶନ ।

କୁବଳୟା ହାତୀ ଯୁଦ୍ଧ ପୁଣି କଂସ ବଧ

ମଥୁରାରେ ଚିତ୍ରକର ହସ୍ତ ଚିତ୍ର ସୌଧ ।

ରକ୍ତ ପୀତ ଲୋହିତରେ ପତନୀ ବେଢ଼ାଇ

ଚିତ୍ର ବିଚିତ୍ର ମଣ୍ଡଣି ଯତନେ କରାଇ ।

ବରଣମାଳା ଧରିଣ ରଥ ଥାଏ ପୁରି

କାର ହସ୍ତେ ଦୀପାବଳୀ କା ହସ୍ତେ ଚାମରୀ ।

ବଧୂମାନଙ୍କୁ କରିଲା ପ୍ରହରୀ ଖବର

ରାଜାଙ୍କ ଆଦେଶ ଯିବ ଯହିଁ ଯଜ୍ଞାଗାର ।

ଆଦେଶ ପାଇଣ ଗୃହକର୍ତ୍ତା ତୋଷ ହୋଇ

ନିଜ ନାରୀମାନଙ୍କୁ ସେ ସୁବେଶ କରାଇ ।

ପଠାଇବୁ କହନ୍ତେ ଚଳିଲା ରାଜଦ୍ଵାରୀ

ବଧୂମାନେ ସଜହେଲେ ଅତି ଯତ୍ନକରି ।

କେ କହେ ଦେଖଲୋ ସାଙ୍ଗ ବସିଲା ବସିଲା

ଯେଉଁ ଦେବକୀ କଷଣ ଆଖି ଦେଖିଥିଲା ।

ତେଲ ବିନା ମୁଣ୍ଡ କେଶ ଉଡ଼େ ଫର ଫର

ପିନ୍ଧିଥିବା ମୋଟା ଲୁଗା ଅଖା ପରକାର ।

ଖାଇବା ପିଇବା କଥା ଏଥିରୁ ବୁଝିବ

ନିତି କଂସ ରଡ଼ି ଶୁଣି ରକତ ଶୁଖିବ ।

ସେ ବେଳେ କଂସର ରାଣୀହୋଇଫୁଲବେଶ

ଦେଖାନ୍ତି ତାର ଆଗରେ ରୂପର ସାବାସ ।

ଆଜି ପୁଣି ଦଇବର ଦେଖ ଗୋ ବିଚାର

କାହାର ଗରବ ନ ରଖନ୍ତି ଚକ୍ରଧର ।

ଧନ୍ୟ ସେ ଦେବକୀ ଦେବୀ ଜୀବନ ଅଟଇ

ଦୁଃଖ ଭୋଗିଥିଲା ଯେଣୁ ସୁଖ ଭୋଗେ ସେହି ।

ସାକ୍ଷାତରେ ନାରାୟଣ ଯାହାର ନନ୍ଦନ

କୋଳରେ ଧରିଲା ସେହି କେଡ଼େଭାଗ୍ୟବାନ ।

ଧନ୍ୟ ସେ କୁଜୀର ବୁଦ୍ଧି ଯେଣୁ ଉଦେହେଲା

କଂସ ଭେଟି ଗନ୍ଧ ନେଇ କୃଷ୍ଣଙ୍କୁ ବୋଳିଲା ।

ପୂରୁବରୁ କେଡ଼େ ଭକ୍ତ ଥିଲା ଲୋ ତାହାର

କୃଷ୍ଣଙ୍କୁ ବେଶ କରିଲା ସେ ହେଲା ସୁନ୍ଦର ।

ଯେ ଦେଖଇ ଥଟ୍ଟାକରି ନାକେ କାଠିଦିଏ

କହେ ଛି ଛି ଲୋ କୁବଜୀ ଅସୁନ୍ଦର କାୟେ ।

ସମସ୍ତ ବୋଲଣା ସହି ହୋଇ ନିଉଛୁଣା

ଦୁଃଖ ସହିଥିଲା ବୋଲି ସୁଖେ ହେଲା ଗଣା ।

ଚିକ୍‌କଣ ଶ୍ୟାମ ଶରୀରେ ଚନ୍ଦନ ସାଜିଲା

ଭକତିରେ ସେହି ପଦେ ମନ ଅରପିଲା ।

ଜାଣିଣ କୁଜୀର ମନ ନରନାରାୟଣ

ଏଡ଼େ ବଡ଼ କୁଜ ତାର କରିଲେ ହରଣ ।

ଏପରି ମୋହିନୀ ବେଶ ତାହାର ଯେ ହେଲା

ଶ୍ରୀକୃଷ୍ଣ ବରିଣ ମଧୁ ବନେ ଦିନ ନେଲା ।

କରିଲେ ବାସନା ପୂର୍ଣ୍ଣ ତାର ହୃଷୀକେଶ

ଧନ୍ୟ ହେଲା କୁଜୀ ପାଇଁ ଶ୍ରୀକୃଷ୍ଣ ପରଶ ।

କେ କହେ ସଜନୀ ଦେଖ ସେ ପ୍ରିୟବତୀର

କୃଷ୍ଣଭାବେ ମଜ୍ଜି ତାର କାଟିଲା କୁମର ।

କେଡ଼େବଡ଼ ଭାଗ୍ୟଗୋଟିତୋହରଗୋହେଲା

ପତି ସଙ୍ଗେ ଧରି କୋଟି ଐଶ୍ଚର୍ଯ୍ୟ ପାଇଲା ।

ଆରକ କହଇ ଧନ୍ୟ ଗୋପପୁର ନାରୀ

ଶ୍ରୀକୃଷ୍ଣ ରସରେ କଟାଇଲେ ବିଭାବରୀ ।

ପୁଣି ଜଣେ ବଧୂ ଆସି ସେଠାରେ ମିଳିଲା

କହେ ଚାଲ ଯଜ୍ଞ ଦେଖିଯିବା ଆଜ୍ଞାହେଲା ।

ପୁଣି ଆରକ କହଇ ଚାଲ ଗୋ ବହନ

ସଫଳ କରିବା ଦେଖି ଶ୍ରୀକୃଷ୍ଣ ବଦନ ।

କୋଟି କଳାକର ରୂପ ସୁନ୍ଦର କହ୍ନାଇ

ବର୍ନ୍ଦପ କି ଅବା ରୂପ ଧରି ଆସିଛଇ ।

କେ ବୋଲଇ ସଖୀ ମନଲାଖି ସଜ ହୁଅ

ଯେଉଁ ରୂପେ ଗୋପୀ କୃଷ୍ଣେ କରାନ୍ତି ଅଥୟ ।

କେଉଁରୂପେ ବିନୋଦିଆ ନାଗର ପାଇଲେ

କୋଟି କନ୍ଦରପ ଶିରୀ ରୂପକୁ ମୋହିଲେ ।

କୃଷ୍ଣ ସଙ୍ଗେ କରିଥିବ ଯେଉଁ ଗୋପୀ ଭାବ

ନାରୀ ଯୌବନକୁ ତାର କରିଛି ସୁଲଭ ।

ଶ୍ରୀ କୃଷ୍ଣ ବୀର୍ଯ୍ୟରେ ଯେଉଁ ପୁତ୍ର ଜନମିବ

ଘଡ଼ିକେ ବଶ କରିବ ବ୍ରହ୍ମା ସଦାଶିବ ।

ସେହି ପୁତ୍ର ହୋଇବ ଏ ସଂସାରେ ପାଳକ

କୃଷ୍ଣ ତେଜୁ ଯେଉଁ ନାରୀ କରିବ ଏତେକ ।

ଧନ୍ୟ ହୋଇବ ଗୋ ନାରୀ ଜନମ ତାହାର

ଦେବକୀ ପରାୟ ଭାଗ୍ୟବତୀ ଯଶ ତାର ।

ନାରୀ ସିନା ନର ରୂପ କରଇ ଗଠନ

ଜନନୀ ସେ ଯେଣୁ ବିଶ୍ଵ କରଇ ରକ୍ଷଣ ।

ଋତୁକାଳେ ସ୍ୱାମୀରୂପ କରିଣ ଧିଆନ

ସ୍ୱାମୀ ତେଜୁ ପୁତ୍ର ପାଇ କରଇ ପାଳନ ।

ନାରୀତ ଜନମ ସିନା ବିଶ୍ଵ ହିତ ପାଇଁ

ନାରୀ ପାଳେ ସର୍ବ କୁଟୁମ୍ବଙ୍କୁ ସ୍ନେହ ଦେଇ ।

ଭାଇ ବନ୍ଧୁ ପିତା ପୁତ୍ର ଭଗିନୀ ଜନନୀ

ସମସ୍ତଙ୍କୁ ସ୍ନେହ ଦିଏ ଭିନ୍ନ ଭିନ୍ନ ମାନି ।

ସ୍ଵାମୀଠାରେ ସ୍ୱାମୀ ସ୍ନେହ ପୁତ୍ରେପୁତ୍ର ସ୍ନେହ

ଘରର ଘରଣୀ ନାରୀ ସ୍ନେହ ତା ହୃଦୟ ।

ସ୍ନେହମୟ କୃଷ୍ଣ ଯାର ପତିରୂପେ ଥିବ

ସେ ନାରୀ ସୌଭାଗ୍ୟବତୀ ଗଣେ ଗଣାହେବ

ଆଉଜଣେ ବଧି କହେ ଶୁଣ ଗୋ ସଙ୍ଗାତ

ଶ୍ରୀକୃଷ୍ଣ ଅଟନ୍ତି ବ୍ରହ୍ମ ଅନାଦି ଅଚ୍ୟୁତ ।

ଯେଉଁ ରୂପେ ଗୋପେ କୃଷ୍ଣ କରିଲେ ବିହାର

ତିନିଦିନ ଛୁଆ କଲା ପୁତନା ସଂହାର ।

ଅତି ଅସମ୍ଭବ କଥା ସମ୍ଭବ ଗୋ ହେଲା

କନିଷ୍ଠ ଅଙ୍ଗୁଳି ଅଗ୍ରେ ପର୍ବତ ଟେକିଲା ।

ଯାର ଅଦ୍ଭୁତ ଶକତି କଂସ ଦେଖି ମଲା

ନର ଦେହେ କି କରନ୍ତା ଆଠବର୍ଷ ପିଲା ।

କୃଷ୍ଣଚନ୍ଦ୍ର ଅଟନ୍ତି ଗୋ ନର ନାରାୟଣ

ଧର୍ମ ଡଙ୍ଗାର ନାଉରୀ ଆହୁଲା ତା ଗୁଣ ।

ଚାଲୁଛନ୍ତି ସତ୍ୟପୋତ ଭବ ପାରାବାରେ

ଅସତ୍ୟ ନାଶିବେ କଂସ ମଲା ଯେ ପ୍ରକାରେ ।

ସେହି ସତ୍ୟ ରୂପେ ସନାତନ ପ୍ରେମମୟ

ଯେଉଁ ନାରୀ ଭାବେ ବାନ୍ଧି କରିବଗୋ ସ୍ନେହ ।

ତାହାର କରୁଣା ଯଦି ହେବ ଗୋ ସଙ୍ଗାତ

ନାରୀ ଜୀବନ ତାହାର ହୋଇବ ଗୋ ସାର୍ଥ ।

ସଂସାର ଶୋକ ମୋହରୁ ସେହି ଉଦ୍ଧରିବ

ସ୍ଵାମୀ ପୁତ୍ର ଧରି ଶ୍ରେଷ୍ଠ ଗୃହିଣୀ ସେ ହେବ ।

ଯେଉଁ ନାରୀ କୃଷ୍ଣପଦେ ଚିତ୍ତ ଦେଇଥାଏ

ତାର ସବୁ କର୍ମ ମଣେ କୃଷ୍ଣ ସେବା ପ୍ରାୟେ ।

ସର୍ବ ଜୀବ ଦିଶେ କୃଷ୍ଣ ସ୍ଵରୂପ ହୋଇଣ

କୃଷ୍ଣ ସବୁ ବ୍ରହ୍ମ ତେଣୁ ସଗୁଣ ନିର୍ଗୁଣ ।

ସ୍ଵାମୀ ରୂପେ ଦେଖେ ପୁଣି ପାଳେ ପୁତ୍ରଧରି

ଇଷ୍ଟ ବନ୍ଧୁ ମିତ୍ର ସହୋଦର ରୂପେ ଧରି ।

ଭାବେ ସବୁକର୍ମ କୃଷ୍ଣଙ୍କର ସେବା ପାଇଁ

ଅନାୟାସେ ପାଏ କୃଷ୍ଣ ରସାମୃତ ସେହି ।

ଧନ୍ୟ ସେ ଗୋପ ଗୋପାଳଗୋପିନୀ ବାଳକ

ଘରେ ରହି କୃଷ୍ଣ ପ୍ରେମାମୃତ କଲେ ଢୋକ ।

ଅନ୍ୟ ଜଣେ ବଧୂ କହେ କହିଲୁ ଯା ମିତ

ମନକୁ ଆସିଲା କୃଷ୍ଣ ଭାବଇ ମହତ୍ୱ ।

ଅନାବିଳ ପ୍ରେମେ ଗୋପୀ ହୋଇଲା ମଗନ

ଆଠ ବରଷର କରିଲେ ଭକ୍ତିରେ ବନ୍ଧନ ।

କୋଟି ଜନ୍ମ ତପସ୍ୟାର ଫଳନେଲେ ସେହି

ବ୍ରହ୍ମ ପୁରୁଷଙ୍କୁ ବାଳ ଭାବରେ ଖେଳାଇ ।

ଚାଲ ଗୋ ସଜ ହୋଇଣ ପ୍ରଭାସକୁ ଯିବା

ଦେବକୀଙ୍କ ଧେନୁ ଦାନ ଦର୍ଶନ କରିବା ।

ଶ୍ରୀକୃଷ୍ଣଙ୍କର ସେ ଯଜ୍ଞ କଲେ ଆୟୋଜନ

ମଧୁପୁରବାସୀ ଆମନ୍ତ୍ରିତ ସର୍ବଜନ ।

ସାରଥି ଆଣିଛି ରହୁବରକୁ ସଜାଇ

ଚାଲ ଗୋ ସର୍ବ ସମ୍ପଦ କୃଷ୍ଣ ପଦେ ଦେଇ ।

ଏତେ କହି ପୁରୁ ସଜ ହୋନ୍ତି ବାମାଗଣ

ଧନ୍ୟ ହେବେ କରି କୃଷ୍ଣ ସ୍ଵରୂପ ଦର୍ଶନ ।

ମଥୁରାର ନରନାରୀ ସର୍ବେ ଆନନ୍ଦିତ

ପ୍ରଭାସ ତୀର୍ଥରେ ସ୍ନାନ କରିବେ ଅଚ୍ୟୁତ ।

ସାଜିଲେ ବାମାଏ ବେଶ ପ୍ରେମେ ହୋଇ ରତ

ନାନା ଶୋଭାମୟୀ ବେଶେ ହୁଅନ୍ତି ଶୋଭିତ ।

କେଶ ଶାମଳିଲେ ବାସ ତଇଳ ଲଗାଇ

ମୃଗମନ୍ଦ ଗନ୍ଧ ବହି ଯାଉଅଛି ଦେହୀ ।

କେତକୀ ପାଖୁଡ଼ା ଗଭାପରେ ମନୋହର

ରୂପାର ଝରା ଖଞ୍ଜିଲେ ବିଚିତ୍ର ପ୍ରକାର ।

ହରିତାଳ ରଙ୍ଗ ମାଥେ ସିନ୍ଦୂରର ଟିପା

କର୍ଣ୍ଣରେ ସୁବର୍ଣ୍ଣ ଫୁଲ ଯୁବା ଅନୁକମ୍ପା ।

ନାସାରେ ବସଣୀ ସ୍ଵର୍ଣ୍ଣ ଗଳେ ମଣିମାଳା

ସାଜିଲେ ସୌନ୍ଦର୍ଯ୍ୟମୟୀ ରୂପ ଦର୍ପ ଦଳା ।

ଚଞ୍ଚଳ ମୃଗ ନୟନା ଥିରି ଥିରି ଚାଲି

ଇନ୍ଦ୍ରଧନୁ ପରି ଭୂରୁ ଦେଖେ ବୁଲି ବୁଲି ।

ଅପୂର୍ବ ବେଶରେ ବାଳୀ ହୋଇଲେ ଶୋଭିତ

ନୀଳାମ୍ବରୀ ପତନୀ ଯେ କାର ବାହରିତ ।

କେହି ବାଳା ଚନ୍ଦନରେ କାଟି ରମ୍ୟ କଲି

ମଧ୍ୟରେ ସିନ୍ଦୂରଟୋପା ଗୋରଚନା ଝିଲି ।

କାଞ୍ଚଲାରେ ଘଞ୍ଚ କୁଚ କଲା ଆଚ୍ଛାଦିତ

ଗଳାର ସୁବର୍ଣ୍ଣହାର ଦିଶେ ତରକିତ ।

ସରୁ କଟୀପରେ ସ୍ୱର୍ଣ୍ଣ ମେଖଳା ସୁନ୍ଦର

ସୁବର୍ଣ୍ଣ କଙ୍କଣ ହସ୍ତେ ଦିଶେ ମନୋହର ।

ବଳୟ ବାହୁଟି ନାନା ଚିତ୍ରରେ ନିର୍ମିତ

ସାରା ସୁନ୍ଦରତା କିବା ହେଲା ଉପସ୍ଥିତ ।

ପାଦରେ ଅଳତା ମୁଦି ସଙ୍ଗକୁ ଝୁଣ୍ଟିଆ

ସାଜିଲେ ଯତନେ ବାମାମାନେ କରି ନୂଆ ।

ସଜ ହୋଇ ଏକ ଏକ ମୃକୁରରେ ଦେଖି

କେଉଁସ୍ଥାନେ କେଉଁ ବେଶେ ସାଜିଲେ ନିରେଖି

ଡକାଡକି ହୋଇ ସର୍ବ ମଥୁରାର ବାଳା

ବାହାରନ୍ତି ଯଜ୍ଞ କୃଷ୍ଣ ଦେଖିବେ ମହିଳା ।

ଏକ ବେଶକୁ ଆରେକ ଦେଖଇ ବିଲୋକି

ବୋଲଇ ସଜନୀ ଏବେ ହେଲୁ ମନଲାଖି ।

କେ ବୋଲଇ ମଥାମଣି ନାହିଁ ଗୋ ମୋହର

ଝରା ଛିଡ଼ିବାରୁ ଦିଶୁଥିଲା ଅସୁନ୍ଦର ।

ଯେତେକହିଲିଗୋ ତାଙ୍କୁ ଗଢ଼ିଦେଲେ ନାହିଁ

ଅଭିମାନ କରି ଯେଣୁ କହିଲେ ଗେହ୍ଲାଇ ।

ଏହାକୁ ଦେଖାଇବ ଗୋ ବିନୋଦିଆ ବେଶ

ଘର ଘରଣୀର ବେଶ ସିନା ସ୍ଵାମୀ ତୋଷ ।

ମୁଁତ ଚାହେଁ ନାହିଁ ବେଶ ଚାହେଁ ଭଲଗୁଣ

ପରସ୍ପର ସ୍ନେହ ଦେଇ ସ୍ନେହ ତୁମ୍ଭେ ଆଣ ।

ନିଜେ ସଜ ହୋଇ ଘର ସଜାଅ ତୁମ୍ଭର

ସେବା ସର୍ବସ୍ୱ ଉତ୍ପନ୍ନ କର୍ମ ତତପର ।

ଏ ଜଗତ ସତ ଭାବି ସତ କର୍ମ କର

ସର୍ବେ ସତ ସତ୍ତା ତୁମ୍ଭେ ସତୀ ଜଗତର ।

ସ୍ୱାମୀ ତୁମ୍ଭ ରୂପ ତୁମ୍ଭେ ସ୍ୱାମୀରୂପ ହୁଅ

କର ସତ ଭାବି ତୁମ୍ଭ ରୂପ ବିନିମୟ ।

ଭକ୍ଷଣ ଭାଷଣ ପରି ସିନା ଆଡ଼ମ୍ବର

ନେତା ଭାଷୁଥାଏ ଯାହା କର୍ମ ଅନ୍ୟ ତାର ।

ସେ ଦିନୁ ରହିଛି ଗୋ ମୋହରି ମଥାମଣି

ଅନ୍ୟ କହେ ହସି ଯାହା କହିଲୁ ମିତଣୀ ।

ସତ ମାନି ଅଛୁ ବୋଲି ସନାତନ କୃଷ୍ଣ

ଶୁଭ କାମେ ଡାକୁଛନ୍ତି ହୋଇଣ ସନ୍ତୁଷ୍ଟ ।

ଧନୀ ଗରିବ ଗୋ କୃଷ୍ଣ ଆଖିକୁ ସମାନ

ଆଖିରେ ଦେଖିଛ କୁଜୀ ଦେଲା କେତେ ଧନ ।

ସ୍ନେହ କରି ଚନ୍ଦନକୁ ଦେଇ ଗୋ ଲଗାଇ

ସ୍ନେହ ମୟ କୃଷ୍ଣ ଦେଲେ କୋଟିରୂପ ତହିଁ ।

କୋଟି ସୁନ୍ଦରୀରୁ ଜଣେ ହେଲା ଗୋ ସେ ଗଣା

ସ୍ନେହମୟ କୃଷ୍ଣ ଦେଲେ ସ୍ନେହର ପାଉଣା ।

ଲକ୍ଷ୍ମୀ ଯାର ପରିଚାରୀ ସୁନ୍ଦରୀଙ୍କ ସାର

ତା ଆଖିକୁ ଦେଖାଇବୁ କେତେ ଗୋ ସୁନ୍ଦର ।

ମାତ୍ର ଦେଶାଚାର ବିଧି ଯେ ଭୂଷଣ ସାର

ସେତେକ ପିନ୍ଧି ମନକୁ ବାନ୍ଧି ତା ରୂପର ।

ଜଗଜ୍ଜନ ଚିନ୍ତାମଣି ସେ କଳା କହ୍ନାଇ

ଚିନ୍ତାମଣି ରୂପେ ଜନ୍ମେ ଜନ୍ମେ ଥିବା ପାଇ ।

ସବୁ କର୍ମ ସେ ପଦରେ କରିଣ ଅର୍ପଣ

ଅନ୍ତେ ଯାଇ ଦେଖିବା ଗୋ ସେ ରଙ୍ଗାଚରଣ ।

ଏହି ପରି କହି ବଧୂ ହୋଇଲେ ବାହାର

ସ୍ୱାମୀ ଚରଣେ ପ୍ରଣମି ଚାଲିଛି ମନ୍ଥର ।

ହାତୀ ଗତିକରି କିବା ଝୁଲି ଝୁଲି ଯାଏ

ମଥୁରା ଦାଣ୍ଡରେ ବଧୂ ଚଳନ୍ତି ଧାଡ଼ିଏ ।

କିବା ଧରାରାଣୀଙ୍କର ଗଳା ସୁନାହାର

ବିଧାତା ବଣିଆ ଖଞ୍ଜି ଗୋଟିଗୋଟି ସାର ।

କଢ଼ି ସଙ୍ଗେ କଢ଼ିବାଳା ହାତ ଧରାଧରି

ରହୁବର ପାଶେ ଯାନ୍ତି ହରିତାଳ ଗୋରୀ ।

ସୁଷମା ମାଲୁଣୀ କିବା ଗୁନ୍ଥି ଫୁଲହାର

ଖଞ୍ଜିଛି ଗୋଲାପ ମଲ୍ଲୀ ମାଳତୀ ଟଗର ।

ଧଳା ଗୋଲାପି ହଳଦି ପାଟ ପୀତାମ୍ବର

ପିନ୍ଧି ମଥୁରାବାଳାଏ ଚାଲିଛନ୍ତି ଧୀର ।

ଏ ଫୁଲ ହାରଟି ପ୍ରଭାସ ଯଜ୍ଞକୁ ଯିବ

ସାରଥି ରଥ ଡାଲାରେ ଯତ୍ନେ ସଜାଡ଼ିବ ।

ତେଣେ ରାଜପୁରେ କୃଷ୍ଣ ମାତା ସଜହୋଇ

ମହାରାଣୀ ଇନ୍ଦୁମତୀ ଯିବେ ଯଜ୍ଞ ଯହିଁ ।

ହେତି ପ୍ରହେଡି ବିଧବା ନଗ୍ରରେ ରହିବେ

ଆଉ ସର୍ବ ଦାସୀ ଯଜ୍ଞାଗାରେ ଯିବେ ।

ଚଳନ୍ତି ରାଜ ମହିଷୀ ଉଗ୍ରସେନ ରାଣୀ

ଦେବକୀ କନ୍ୟା ତାଙ୍କର ସଙ୍ଗେ ଛନ୍ତି ପୁଣି ।

କରିବେ ଦେବକୀ ଦାନ ପ୍ରଭାସ ତୀର୍ଥରେ

ଆମନ୍ତ୍ରିତ ହୋଇଛନ୍ତି ସର୍ବ ଦେବାସୁରେ ।

ଲକ୍ଷେ ଧେନୁ ଦାନ ହେବ ବତ୍ସା ସଙ୍ଗତର

ଦକ୍ଷିଣ ସଙ୍ଗରେ ଦାନ ନେବ ବିପ୍ରବର ।

ରାଜପୁର ଦାସୀ ସଙ୍ଗେ ସିଂହଦ୍ଵାରେ ରାଣୀ

ରହୁବରେ ବସିଲେକ ହୋଇଣ ମଣ୍ଡଣି ।

ମଥୁରାର ବଧୂମାନେ ଏକ ଏକ ହୋଇ

ବସୁଛନ୍ତି ରହୁବରେ ଚିହ୍ନାଚିହ୍ନି ହୋଇ ।

କେ ବୋଲଇ ମାଳତୀ ଲୋ ଆସ ମୋ ପାଖକୁ

ବହୁଦିନେ ଦେଖାହେଲା ଯିବା ପ୍ରଭାସକୁ ।

ଚିହ୍ନି ନ ପାରି ମାଳତୀ ନିରୋଳା ଅନାଏ

ବୋଲେ ଯମୁନା ଚିହ୍ନି ପାରୁନୁ ମୁଁ କିଏ ।

ଏକାଦାଣ୍ଡେ ଧୂଳିଖେଳ ଏକତ୍ର ଗାଧୁଆ

ଏକା ସଙ୍ଗେ ବିଭାଘର ପୁଣି ଭାରନିଆ ।

ମାଳତୀ କୁଣ୍ଢାଇ ଧରି କହେ ଯମୁନାନୀ

ପର ଘର ଗଲେ ପରାଧୀନ ହୀନିମାନୀ ।

ଦିନରାତି କାମକରି ବେଳ ଅଣ୍ଟେ ନାହିଁ

ପିଲା ଦିନ ଖେଳ ଭାବିଲେ ଆସିବ କାହିଁ ।

ଯମୁନା କହଇ ମାଳ ଏ ବିଷ୍ଣୁ ସଂସାର

କେତେବେଳେ କେଉଁ ଭାବ ସବୁ ବିଚିତ୍ରର ।

ଦୁଇ ସଖୀ ବସି ଏକାସନେ କଲେ ଗପ

ଆଲୋଚନା ଘରକଥା ସମୟ ଅଳପ ।

ବାହିବାକୁ ରହୁବର କହିଲେ ଅକ୍ରୂର

ଶଙ୍ଖ ସଙ୍ଗେ ହୁଳହୁଳି ଶବ୍ଦଚମତ୍କାର ।

ଚଳାଇଲେ ରହୁବର ସାରଥି ବହନ

ଅକ୍ରୂର ମନ୍ତ୍ରୀ ଯେ ସଙ୍ଗେ ଗଲେ ଯଜ୍ଞସ୍ଥାନ ।

ରାଣୀ ଡାକି ଜଣେ ଜଣେ ପରିଚୟ ନେଲେ

କେ ନିଜ ନିଜ ଭିତରେ ଆତ୍ମୀୟ ବାଛିଲେ ।

କେହି ବଧୂମାନେ କୃଷ୍ଣ ପଦେ ମନଦେଇ

ଗୁଣୁ ଗୁଣୁ ହୋଇ ନାମ ମୁଖେ ଉଚ୍ଚାରଇ ।

କହେ ପ୍ରଭୁ ଏ ସଂସାରେ ଡଙ୍ଗାର ନାଉରୀ

ସବୁ ଜାଣୁ ଚାଳକ ତୁ ସର୍ବ ଘଟେ ପୂରି ।

ଆମେ ମାଆ କ୍ଷୀର ଖାଇ ଏକ ପେଟୁଜନ୍ମ

ଏକ ଭଉଣୀକୁ ଚିହ୍ନି ପାରିବା ଅକ୍ଷମ ।

ଏହିପରି ସେହି କୃଷ୍ଣ ଭାବେ ହୋଇ ବାଇ

ରଥପରେ ବସି ବାହାରକୁ କେ ଦେଖଇ ।

ଚାଲୁଥାଏ ରଥ ଗଛ ପତ୍ର ଚାଲୁଥାଇ

କେତେଦୂରେ ଆଉ ଯଜ୍ଞ କେବା ନିରଖେଇ ।

ମନ୍ତ୍ରୀ ଅକ୍ରୂର ଯେ ରଥପରେ ବସିଥିଲା

ମଥୁରାବାଳାଙ୍କ ଭାବ କୃଷ୍ଣ ନିରେଖିଲା ।

ଗୋପରେ ଗୋପାଳ ଗୋପୀମାନଙ୍କ ଭକତି

ଦେଖିଲେକି ମନେ ମନେ କହେ କୃଷ୍ଣ ଚିନ୍ତି ।

ଆହେ କୃଷ୍ଣ ଦୟାମୟ ପରଂବ୍ରହ୍ମ ହରି

ପରକୁ ଆପଣା କରୁତୋର ବାହାଦୁରୀ ।

ଗୋପପୁରେ ଗୋପୀ ଗୋପାଳଙ୍କ ପ୍ରେମରସ

ଦେଖି ମନ ଲାଖିଥିଲା ପୁଣି ସେହି ଦୃଶ୍ୟ ।

ମଥୁରାବାଳାଙ୍କ ଭାବ ହୁଏ ସେହିପରି

ଧନ୍ୟ ଏହାଙ୍କ ହୃଦୟ କେତେ ତପକରି ।

ଗୋପ ମଥୁରାରେ ଜନ୍ମ ହୋଇଥିଲେ ଏହି

ବ୍ରହ୍ମ ପୁରୁଷ ପ୍ରେମରେ ହେଲେ ଅବଗାହୀ ।

ଯେଉଁ ପଦ ନଖକୋଣୁ ଗଙ୍ଗା ବହେ ଧାର

ବିରଞ୍ଚି ଚାରିମୁଖରେ ଗୁଣେ ନାମ ଯାର ।

ନିତି ପଦ୍ମାଳୟା ସେବ ହୁଅଇ ତୃପତ

ଶିବ ଧ୍ୟାନ କରି ହୋଇଗଲେ ତିନିନେତ୍ର ।

ସେହି ବିଷ୍ଣୁଙ୍କର ମୁଖ ନିତି ଦେଖିକରି

ଧନ୍ୟ କରୁଛନ୍ତି ଜନ୍ମ ଏହି ନରନାରୀ ।

ଆଗରେ ଯମୁନା ନଦୀ କୂଳେ ଚଳେ ରଥ

ଦେଖି ମଥୁରାବାଳାଏ ହେଲେ ଆନନ୍ଦିତ ।

ଦେଖି ସଖା କଳା ନୀର ଧାର କି ସୁନ୍ଦର

ନାହା ଚଳାନ୍ତି ନାଉରୀ ପାରି ହୋନ୍ତି ନର ।

ଧାଡ଼ି ଧରି ବଗ ଗେଣ୍ଡାଳିଆ ଉଡୁଛନ୍ତି

ସମୁଦ୍ର ପରାଏ ଦେଖ ଲଉଡ଼ି ଖେଳନ୍ତି ।

କୂଳେ ଦେଖ ଫେନ ମାଳା ଦିଶେ ଧଳା ଧଳା

ନାନାଜାତି ପକ୍ଷୀ ତହିଁ କରୁଛନ୍ତି ଖେଳା ।

ଚାଲୁଛନ୍ତି ରହୁବର ଯମୁନା ପୁଳିନେ

ସୂର୍ଯ୍ୟଦେବ ମିଳିଲେଣି ପଶ୍ଚିମେ ଗଗନେ ।

ସୂର୍ଯ୍ୟ ଛାୟା ଜଳେ ପଡ଼ି ଦିଶେ ବିମ୍ବ ପରି

ସହଜେ ଯମୁନା କୃଷ୍ଣଜଳ ଅଛି ପୁରି ।

ପଶ୍ଚିମ ଦିଗରୁ ସରସ୍ଵତୀ ଆସେ ବହି

ଦୁଇ ନଦୀ ସଙ୍ଗମଟି ସୁନ୍ଦର ଦିଶଇ ।

ସେହିଠାରେ ଯଜ୍ଞସ୍ଥାନ ଅଛି ନିରୂପଣ

ଉଡ଼ଇ ଚିରାଳ ମାଳ ବୈଡୁର୍ଯ୍ୟ ନିଶାଣ ।

ରଖାଇଲେ ମନ୍ତ୍ରୀବର ତହିଁ ରହୁବର

ରଥୁ ଉତ୍ତୁରିଲେ ବାଳା ମଣ୍ଡି ଶୋଭାକର ।

ନାରୀମାନଙ୍କ ରହିବାପୁର ସଜାଥିଲା

ଆଗରେ ପ୍ରହରୀ ଏକ ବାଟ ଦେଖାଇଲା ।

ମନ୍ତ୍ରୀସହ ଗଲେ ରାଣୀ ଆନର ଅବଳା

ଦେଖନ୍ତି ବେଶ ବିଚିତ୍ର ଯଦି ଯଜ୍ଞଶାଳା ।

ନିଜେ ରାଜା ଉଗ୍ରସେନ ଦେଖି ଗ୍ରହମାନ

କରାଇ ଅଛନ୍ତି ବିଧିପୂର୍ବ ସେହି ସ୍ଥାନ ।

ଶ୍ରୀଗୁରୁ ଅଚ୍ୟୁତାନନ୍ଦ ପଦେ ଦେଇ ମନ

ଦୀନ ଇନ୍ଦ୍ରମଣି ସାହୁ କରଇ ଲିଖନ ।

 

ଦେବକୀର ଧେନୁଦାନ

ଏଥୁ ଅନନ୍ତରେ ଶୁଣ ପରୀକ୍ଷ ରାଜନ

ଯାହା ଭିଆଇଲେ ପ୍ରଭୁ ରାଜୀବ ଲୋଚନ ।

କର୍କଟ ଛବିଶ ଯେଣୁ ହେଲା ଉପସ୍ଥିତ

ବିଭାବରୀ ଅନ୍ତେ ଆସି ହୋଇଲା ପ୍ରଭାତ ।

ଶଯ୍ୟା ତେଜି ନିତ୍ୟକର୍ମ ବଢ଼ାଇ ରାଜନ

ଉପସ୍ଥିତ ହେଲେ ମଣ୍ଡପର ସନ୍ନିଧାନ ।

ଆମନ୍ତ୍ରିତ ଋଷିବର୍ଗ ବ୍ରାହ୍ମଣଙ୍କ ସ୍ଥାନ

ପଦଧୌତଠାରୁ ଆସନ ଓ ପାଦାସନ ।

ବିଧିପୂର୍ବ ପରି କାମ ଯେପରି ହୋଇବ

କେଉଁ କେଉଁସ୍ଥାନେ କାହାଦ୍ଵାରା କିସ ହେବ ।

ପଦ ଧୋତପାଇଁ ଦ୍ଵାରେ ରଖାଇ ନାପିତ

ନିଜେ ନରପତି ତହିଁ ହେଲେ ଉପସ୍ଥିତ ।

ରାତ୍ର ଥାଉଁ ମଥୁରାର ବହୁ ମାଳାକାର

କରନ୍ତି ପୁଷ୍ପଚୟନ ନାନା କୁସୁମର ।

ହାରକରି ରଖାଇଲେ ମଣ୍ଡପର ପାଶ

ସଭାମଣ୍ଡପ ଫୁଲରେ କରନ୍ତି ସୁଦେଶ ।

ଏ ସମୟେ ମିଳିଲେକ ଆସି ଗାର୍ଗ୍ୟମୁନି

ଯାଦବଙ୍କ ପୁରୋହିତ ଅଟନ୍ତି ସେ ଜ୍ଞାନୀ ।

ଶତଶିଷ୍ୟ ଆସିଥାନ୍ତି ମୁନିଙ୍କ ସଙ୍ଗର

ବେଦପୋଥି ଶ୍ରୂବ ତାମୁପାତ୍ର ଥାଏ କର ।

କେହି କୁଶବଟୁ କେହି ଯଜ୍ଞୋପବୀତକୁ

ହସ୍ତେଧରି ଶିଷ୍ୟମାନେ ଆସିଲେ ଯଜ୍ଞକୁ ।

ସିଂହଦ୍ଵାରୁ ନରପତି ପାଛୋଟିଣ ନେଲେ

ପଦ ଧୌତ କରାଇ ଆସନେ ବସାଇଲେ ।

ଏହାପରେ ଦୈବଜ୍ଞ ବିପ୍ର ଯେ ତହିଁ ମିଳି

ଉଗ୍ରସେନ ନରପତି ଆଣିଲେ ସଙ୍ଖୋଳି ।

ପୁରୋଧାଙ୍କ ସହ କଲେ କର୍ମର ବିଧାନ

ଆଗେ ଘଟ ପୂଜାବିଧି କରି ଆୟୋଜନ ।

ଦେବକୀଙ୍କ ଦାନକାର୍ଯ୍ୟ ହୋଇବ ବିଧାନ

ଯମୁନାକୁ ଯାଇ ବାରି କରିବେକ ପୂର୍ଣ୍ଣ ।

ନୂତନ ଘଟ ଧରିଣ ଦେବୀ ହେଲେ ଉଭା

ମଙ୍ଗଳବାଦ୍ୟ ବାଜିଲା ତୁରୀ ଭେରୀ ଦମା ।

ମୃଦଙ୍ଗ କଂସାଳ ତାଳ ଶଙ୍ଖ ହୁଳହୁଳି

ସମୁଦ୍ର ଲହରୀ ପରି ପଡ଼ିଲା ଉଛୁଳି ।

ଜ୍ୟୋତିଷ ମଙ୍ଗଳାଷ୍ଟକ କରି ଉଚ୍ଚାରଣ

ଯମୁନା ଜଳରେ ଦେବୀ ସ୍ନାହାନ କରିଣ ।

ବେଦବାକ୍ୟେ କାୟା ଶୁଦ୍ଧି କରି ଘଟଭରି

ଆସିଲେ ମଣ୍ଡପେ ଶୁଭ ମହୋତ୍ସବ କରି ।

ଏ ସମୟେ ଶାନ୍ତିପନୀ ଶିଷ୍ୟବର୍ଗ ଧରି

ପ୍ରବେଶିଲେ ଆସନରେ କୁଶାସନ ପାରି ।

ଷୋଡ଼ଶୋପଚାରେ ବନ୍ଦି ଗଣେଶ ଚରଣ

ଅଗ୍ରେ ଘଟ ମଣ୍ଡପରେ କରିଲେ ବରଣ ।

ଆସିଲେ ଶାସନ ବିପ୍ର ଦଳଦଳ ହୋଇ

ପାଛୋଟିଣ ଉଗ୍ରସେନ ବସାଇଲେ ନେଇ ।

ଆସିଣ ଶ୍ରୀକୃଷ୍ଣ ଅଜା ପାଶେ ନିଜେ ରହି

ଜଣ ଜଣ ବିପ୍ରଙ୍କୁ ବସାନ୍ତି ତୋଷେ ନେଇ ।

ଆସିଲେ ବହୁତ ଋଷି ଶିଷ୍ୟ ସଙ୍ଗେ ଧରି

ଆସନେ ବସାନ୍ତି ପ୍ରଭୁ ଜଣ ଜଣ କରି ।

ବସାଇଲେ ମଣ୍ଡପରେ ଗଣେଶ ଆସନ

ଶୁକ୍ଳଧାନ୍ୟ ଅଷ୍ଟଧାତୁ କରିଣ ଯତନ ।

ଦୁର୍ବାଦଳ ବଦରିକା ପତ୍ର ଆବାହନ

ନାରିକେଳ ପରେ ବାସ ଦିଶଇ ଶୋଭନ ।

ପ୍ରଥମେ ଗର୍ଗ କରିଲେ ଭୂମିକୁ ଶୋଧନ

ଆସନ ଶୁଦ୍ଧପ୍ରଣବ ମାତୃକା କରିଣ ।

ବେଦବାକ୍ୟ କଲେ ଗଣପତି ପୂଜାମାନ

ଧୂପଦୀପ ନୈବେଦ୍ୟର ଅଛି ଯେ ବିଧାନ ।

ନାନା ବର୍ଣ୍ଣ ପୁଷ୍ପ ଗନ୍ଧ ଚନ୍ଦନକୁ ଦେଇ

ଦାନ କର୍ମ ଆବାହନ କଲେ ତୋଷ ହୋଇ ।

ଷୋଡ଼ଶ ଉପଚାରରେ ହେବ ଧାତୁ ଦାନ

ପୂର୍ବୁ କରିଅଛି ଦେବୀ ସଂକଳ୍ପ ବିଧାନ ।

କ୍ଷୀରଥିବା ଧେନୁ ବତ୍ସା କରିବେ ସେ ଦାନ

ଶାସନ ବିପ୍ରେ ଆସିଣଛନ୍ତି ହୋଇ ମାନ୍ୟ ।

ହୋଇଲେ ବିପ୍ର ବରଣ ଜଣ ଜଣ କରି

ନିଜ ଗୁରୁକୁଳ ଗୋତ୍ର ସମ୍ପୂର୍ଣ୍ଣ ଉଚ୍ଚାରି ।

ଏକବର୍ଣ୍ଣ ଗାଭୀ ଆଣିଛନ୍ତି ନରବର

ବେଦବାକ୍ୟେ ଉତ୍ସବ କରନ୍ତି ମୁନିବର ।

ସ୍ଵର୍ଣ୍ଣ ରୌପ୍ୟ ତାମ୍ର ମୁକ୍ତା ପ୍ରବାଳାଦି ଦାନ

ଜଳଭୂମି ବୈତରଣୀ ଆବର ବସନ ।

ଶଯ୍ୟା ତିଳ ଉପଚାର ଆଦି ଯେ ବିଧାନ ।

ଷୋଡ଼ଶୋପଚାରେ କଲେ ଉତ୍ସର୍ଗ ଏମାନ ।

ନାନାବିଧ ଉପଚାରମାନ ସମର୍ପିଣ

ରହିଲେ ଧେନୁ ଦେବାଦି ବିପ୍ରଙ୍କୁ ବରିଣ ।

କଳହ କରନ୍ତି ବିପ୍ର ଏକ ଏକ ହୋଇ

ତେଣୁ ରାମ କୃଷ୍ଣ ଦେଲେ ଜଗୁଆ କରାଇ ।

ଜଣେ ବିପ୍ର ଆସି ସାମ ଗୋତ୍ର ଉଚ୍ଚାରିବ

ବେଦ ଉପଚାରେ ଦାନ ସଂକଳ୍ପ ସାରିବ ।

ଦକ୍ଷିଣା ସହିତ ଧେନୁ ବତ୍ସା ହସ୍ତେ ଧରି

ବିଦାୟ ପରେ ଆରେକ ଆସିବ ବିସ୍ତାରି ।

ଗର୍ଗ ମହାମୁନି ମହାବାକ୍ୟ ପଢୁଥାନ୍ତି

ହସ୍ତ ପ୍ରସାରି ବିପ୍ରେ ଯେ ଦାନକୁ ଧରନ୍ତି ।

ଦେବକୀ ଦେବୀ ହସ୍ତରେ ଦେଉଥାନ୍ତି ଦାନ

ତାହାପରେ ଦକ୍ଷିଣା ଦିଅନ୍ତି ସନ୍ତୋଷେଣ ।

ମନରେ ମାନସ କରି କହନ୍ତି ଏ ଧର୍ମ

ମୋର ସନ୍ତାନକୁ ଯେହ୍ନେ ନ ହୋଇବ ବାମ ।

ଆହେ ପ୍ରଭୁ ଉନକୋଟି ଦିଅଁ ଓ ଦେବତା

ମୋର କାହ୍ନୁ ପାଇଁ ଯେ ଯେହ୍ନେନହେଉମୋଚିନ୍ତା ।

ଆଗୋ ମାଆମଙ୍ଗଳାଗୋ ବୁଢୀ ଜାଗୁଳେଇ

ସନ୍ତୋଷେ ରହିବେ ଯେହ୍ନେ ମୋ ରାମକହ୍ନାଇ

ବ୍ରାହ୍ମଣମାନେ ଆସନ୍ତି ଜଣ ଜଣ କରି

ଦେଉଥାନ୍ତି ଦେବୀ ଗାଭୀ ନିଜହସ୍ତେ ଧରି ।

ଜଣେ ଜଣେ ତେଣୁ ଦାନ ଧରିଯାନ୍ତି ଦ୍ୱିଜ

ଆହୁରି ନେବାକୁ କେତେ କରନ୍ତି ଅରଜ ।

ଲୋଭ ମୋହରେ ବିପ୍ରେ ସେ ହୁଡ଼ିଛନ୍ତି ବାଟ

ଅଭିମାନୀ କଂସ ରାଜା ବିପ୍ରେ ଥିଲେ ଖଣ୍ଟ ।

କଂସର ନଥିଲା ଯେଣୁ ସତର ବିଚାର

ସତ କହିଲେ ଦଣ୍ଡିତ ହୁଅନ୍ତି ଛାମୁର ।

ଅତି କପଟୀ ଯଦ୍ୟପି ଆଉ ପ୍ରବଞ୍ଚକ

କଂସ ରାଜାର କରନ୍ତି ନିତି ପ୍ରତି ଟେକ ।

ଖଳକୁହା ଜନ ରାଜ୍ୟେ ଲୁଟୁଥିଲେ ଧନ

ଭୁଲାଉଥିଲେ ରାଜାର ଖଚ କହି ମନ ।

ତାହାର ରାଜ୍ୟେ ବିପ୍ରେ ଯେ ଅତି ଲୋଭାସକ୍ତ

ଧନ ଲାଗି ଜୀବନକୁ ମଣନ୍ତି କିଞ୍ଚିତ ।

ବର୍ତ୍ତମାନ ସତ୍ୟ ନ୍ୟାୟ ହୁଏ ପ୍ରତିଷ୍ଠିତ

ଧରା ପଡ଼ନ୍ତି ଖଚୁଆ ଗର୍ବୀ ଲୋଭାସକ୍ତ ।

ମାତା ଦେଉଛନ୍ତି ଦାନ ରାମ ନାରାୟଣ

ସରବ ଦାନର ଦ୍ରବ୍ୟ ଦିଅନ୍ତି ଆସିଣ ।

ସତ୍ୟବନ୍ତ ବିପ୍ରେ ଦାନ ଦକ୍ଷିଣାକୁ ଦେଇ

ଯାଉଛନ୍ତି ବେଦ ବାକ୍ୟେ ସ୍ୱସ୍ତି ସ୍ଵସ୍ତି କହି ।

ଶ୍ରୀକୃଷ୍ଣ ରାମ ଚରଣେ ଲଗାଇଣ ଧ୍ୟାନ

ବ୍ରାହ୍ମଣମାନେ ନିରେଖି ପ୍ରେମେ ହୋନ୍ତି ମଗ୍ନ ।

ଋଷିମାନେ ବ୍ରହ୍ମପଦେ ମନକୁ ରଖିଣ

ଦେଖୁଛନ୍ତି ନରଦେହେ ରାମ ନାରାୟଣ ।

ଦୁଷ୍ଟ ରାଜାମାନେ ଆମନ୍ତ୍ରଣେ ଆସିଛନ୍ତି

କାଳପରି ରାମକୃଷ୍ଣ ତାହାଙ୍କୁ ଦିଶନ୍ତି ।

ବାଳକ ରୂପ ଦେଖିଣ ହୋନ୍ତି କୁହାକୁହି

କଂସକୁ ଯୁଦ୍ଧେ ମାରିଲା ପ୍ରାୟେ ଦିଶୁନାହିଁ ।

ଦେବତା ତ ଚିରକାଳ ଶତ୍ରୁ ଥିଲେ ତାର

କପଟ କରି ମାରିଲେ ନାମ ଦେଇ ୟାର ।

ସହଜେ ଭଣଜା ପୁଣି ବାଳକ ଏ ଦୁଇ

ଲୋକନିନ୍ଦା ହେବ ବୋଲି ୟାଙ୍କ ନାମ କହି ।

ଚାପୋଡ଼ାକେ ଯେଉଁ କୃଷ୍ଣ ରକ୍ତ ଉଦ୍‌ଗାରିବ

ସେ ପୁଣି ବୀରାଧିବୀର କଂସକୁ ମାରିବ ।

ଗୋପାଳେ ଜାଣନ୍ତି ପୁଣି ଗାରେଡ଼ି ବହୁତ

କାଳୀ ନାଗୁଣୀକୁ ଖେଳାଇବା ଶୁଣିଛତ ।

ଏ ଛାର ବାଳକ ବଳ ବା କେତେ ମାତର

ଏହା ଯୋଗେ ମିଛେ କିମ୍ପା ହୁଅ ଥରହର ।

ତୁଳାକୁଢ଼ ପରି ଯେହୁ ଫୁଙ୍କରେ ଉଡ଼ିବ

ଦିହୁଡ଼ି ନିଆଁ ଆଗରେ ସେ କାହୁଁ ଲଢ଼ିବ ।

ବୁଢ଼ା କୁବଳୟା ହାତୀଟାକୁ ମାରିଦେଲା

ଘୁଣ ଖିଆ ଧନୁଗୋଟେ ଭାଙ୍ଗି ପକାଇଲା ।

ସେଥିପାଇଁ ହେଲା ପୁଣି ଗୋଟେ ବଡ଼ ବୀର

ଦୁର୍ବଳିଆଙ୍କ ମୁଖକୁ ଦିଶେ ସେ ସୁନ୍ଦର ।

କଂସର ପିତ୍ତ ଶ୍ଳେଷମ ମୁଣ୍ଡେ ଚଢ଼ିଥିଲା

ସେ ବେଳେ ପୁଣି ଗାରେଡ଼ି ପ୍ରଭାବ ପଡ଼ିଲା ।

ଦେବତାମାନେ ଅଜଣା ହେଲେ କାଳକୂଟ

ଯୁଦ୍ଧ ନକରି ପଡ଼ିଲା ମଲା କଂସରାଟ ।

ସେହି ପାଇଁ କୃଷ୍ଣ ବୋଲାଉଛି ବଡ଼ ବୀର

ଶୁଣିଲେ ହସିବ ସିନା ଜାଣେ ସେ ସମର ।

ଦେବତାମାନେ ଡରନ୍ତି କୃଷ୍ଣ ନାରାୟଣ

ଦେବକୀ କୋଳେ ଜନ୍ମିବେ ବିଷ୍ଣୁ ନାରାୟଣ ।

ବିଷ୍ଣୁ ନାମ ଶୁଣି ଲୋକେ ଛାନିଆ ହୋଇଣ

ମିଛେ ମିଛେ ଡରି କାଳ କରନ୍ତି ହରଣ ।

କଂସକୁ ଡରାଇ ତାର ରାଜ୍ୟ ହେଲାଠାରୁ

ଦୁର୍ବଳ କରାଇଦେବେ ନାଶିଲେ ଆଗରୁ ।

ବୁଝି ନ ପାରିଣ କଂସ ହେଲା ପ୍ରାଣେନାଶ

ଆଠ ବରଷର ଛୁଆ କରନ୍ତା ବା କିସ ।

ଏତେ କୁହାକୁହି ହୋଇ ହୋଇଲେ ମଉନ

ଆଉ ତହିଁ ଥିଲେ କୃଷ୍ଣ ଭକ୍ତ ଯେ ରାଜନ ।

ଭାଳନ୍ତି ଏ ଚରାଚର ଦୀନ ଚିନ୍ତାମଣି

ଦୀନବନ୍ଧୁ କୃପାସିନ୍ଧୁ ତୋର ଏ କରଣୀ ।

ବୁଝିବାକୁ ଶକତି ବା ହୋଇବ କାହାର

ଯେଉଁ ଖେଳ କରି କରୁ ବିଶ୍ୱକୁ ଉଦ୍ଧାର ।

ମାୟାଧର ତୋର ମାୟା ଦେବେ ଆଗୋଚର

ବୁଝି ପାରିବାକୁ ଭବେ ଶକତି କାହାର ।

ଯୋଗୀଜନ ହୃଦୟରେ ନିତ୍ୟ ତୋର ବାସ

ତୁହି ସିନା କରୁ ଭବେ ପ୍ରେମର ରାହାସ ।

ଦୁଷ୍ଟ କଂସ ଅନୀତିରେ ଧରା ହେଲା ଭୀତ

ସର୍ବ ଦେବତାଏ ତୋର ହେଲେ ଆତଙ୍କିତ ।

ଦୁର୍ନୀତି ସଂହାର ପାଇଁ ହେଲେ ଅବତାର

ରକ୍ଷା କରିବାକୁ ତୋର ଏ ସତ ସଂସାର ।

ଗୋପପୁରେ ରହି ରାଜା କଲୁ ଭାବଗ୍ରାହୀ

ତୋର ପ୍ରଭାବରେ କଂସ ଦେଲା ପ୍ରାଣ ଦହି ।

ତୋତେ ମାରିବାକୁ ପଠାଇଲା ଗୁପ୍ତଚର

ଶେଯ ଛୁଆ ବେଳୁଁ କଲୁ ପୁତନା ସଂହାର ।

ସଂହାର ମୂରତି ତୁହି ପୁଣି ସରଜକ

ତୋରଲୀଳା ନ ବୁଝିଲା କଂସ ପ୍ରବଞ୍ଚକ ।

ନିଜ କର୍ମ କଲା ଫଳେ ହେଲା ସେହୁ ହତ

କରମ କରିତା ତୁହି ଯେଣୁ ଜଗନ୍ନାଥ ।

ଦୁଷ୍ଟକୁ ନିବାରି ଧରା କରିବୁ ଉଶ୍ଵାସ

ଜଗତେ ହୋଇବ ସତ ଧର୍ମ ପରକାଶ ।

ଏ ତୋହର ନିତ୍ୟକର୍ମ ଆହେ ନାରାୟଣ

ନରସିଂହ ରୂପେ ନାଶି ମୁର ଓ ଦାରୁଣ ।

ପୁଣି ଦଶରଥ କୋଳେ ହେଲେ ଅବତାର

ଅତ୍ୟାଚାରୀ ରାବଣକୁ କରିଲ ସଂହାର ।

ଏବେ ଗୋପେ ଲୀଳା କଲ କଂସ ବଧ ପାଇଁ

ଦୁଷ୍ଟମାନଙ୍କୁ ନାଶିଣ ଉଦ୍ଧରିବ ମହୀ ।

ଆହେ ନାରାୟଣ ରାମକୃଷ୍ଣ ଦଇତାରୀ

ମୁକତ ହୋଇଲେ ଭକ୍ତେ ତୋର ନାମଧରି ।

ସଂସାର ଜନେ କରିଲେ ତୋ ନୀତି ପାଳନ

ଗୃହସ୍ଥା କର୍ମ କରିଣ ସୁଖେ ନେବେ ଦିନ ।

ତୋ ଅନୁସରଣ କରିସତ ନିତି ପାଳି

ଭବମାୟାରୁ ତରିବେ କରିଣ ସଙ୍ଖାଳି ।

କାମରୂପା ସନାତନ କର୍ମ ତୋର ସେବା

କର୍ମ ଫୁଲ କର୍ମ ନିତି କର୍ମକୁ ବରିବା ।

କର୍ମର କରତା ତୁହି ଆହେ ଜନାର୍ଦ୍ଦନ

ସରବ ଘଟରେ ଯେଣୁ ଅଟେ ତୋଆସ୍ଥାନ ।

ସ୍ଵଚ୍ଛ ପ୍ରେମକରି ତୋତେ କରିବାକୁ ବଶ

କରାଇଛୁ ଏହି ଲୀଳା ଆହେ ହୃଷୀକେଶ ।

ଲୀଳା ମଧ୍ୟରେ ଅଛି ତୋ ମହତ କରମ

ଅନୀତିକୁ ସଂହାରିବୁ ରଖି ସତଧର୍ମ ।

ସ୍ଵସ୍ତିରାଜାମାନେ ଏହା କରନ୍ତି ବିଚାର

ଦୁର୍ବଳଙ୍କୁ ଅତ୍ୟାଚାରୀଠାରୁ ପ୍ରଭା ତାର ।

ଋଷିମାନେ ଯୋଗାସନେ ଚିନ୍ତି ନାରାୟଣ

ଦେଖୁଛନ୍ତି ଶଙ୍ଖଚକ୍ରଧାରୀ ହେ ସୁଗୁଣ ।

ଅନାଦି ଅନନ୍ତ ହରି ନର ନାରାୟଣ

ନର ଦେହେ କରୁଛତ ଭାବ ବିତରଣ ।

ଭାବକୁ ନିକଟ ଯେଣୁ ଅଭାବକୁ ଦୂର

ଭାବଗ୍ରାହୀ ଭଗବାନ ପ୍ରଭୁ ନିରାକାର ।

ବ୍ରାହ୍ମଣମାନେ କରନ୍ତି ସାମବେଦ ଗାନ

ଓଁକାର ଶବଦେ କମ୍ପି ଉଠଇ ଭୁବନ ।

ଦେବକୀ ଦେବୀଙ୍କ ଧେନୁଦାନ ହେଲା ଶେଷ

କନକାଞ୍ଜଳି ବାନ୍ଧିବେ ହୋଇଣ ହରଷ ।

ଦୁଇପୁତ୍ରଙ୍କୁ କୋଳରେ ବସାଇଲେ ଦେବୀ

କଲ୍ୟାଣ କରନ୍ତି ବିପ୍ରେ ସ୍ଵସ୍ତି ସ୍ଵସ୍ତି ଭାବି ।

କଲ୍ୟାଣ ଅକ୍ଷତ ଶିର ପରେ ପକାଇଣ

ପ୍ରଣବ ଶବଦେ କରୁଛନ୍ତି ଉଚ୍ଚାରଣ ।

ନର ଦେହେ ନାରାୟଣ ଶିରେ ଦୁର୍ବାକ୍ଷତ

ନେଉଛନ୍ତି ବିପ୍ରେ କହି ଅନାଦି ଅଚ୍ୟୁତ ।

ନିଖିଳ କରତା ଯେହୁ ପ୍ରେମାନନ୍ଦ ହରି

ପୁତ୍ରଭାବେ ଦେବକୀଙ୍କ କୋଳେ ବିଜେକରି ।

କରୁଛନ୍ତି ବିପ୍ରଙ୍କର ଆଶିଷ ଗ୍ରହଣ

ଶୁଣୁଛନ୍ତି ତିନିପୁର ଲୋକେ ସେ କଲ୍ୟାଣ ।

ଯାରନାମ ସାରା ବିଶ୍ୱ କଲ୍ୟାଣ କରଇ

ସେ କୃଷ୍ଣ କଲ୍ୟାଣ ଦିଏ ଶିରକୁ ନୁଆଇଁ ।

କଲ୍ୟାଣଟି ଅନାକୃତ ପୁଣି ଅପ୍ରାକୃତ

ଆକୃତି ଯେଣୁ ଶ୍ରୀକୃଷ୍ଣ ପ୍ରକୃତିରୁ ଜାତ ।

ସେଥିପାଇଁ କଲ୍ୟାଣ କୃଷ୍ଣଙ୍କ ଶିରେ ତୋଳି

ଗାର୍ଗ୍ୟ ସାନ୍ଦିପନୀ ମୁନି ଆଶୀର୍ବାଦ ଢାଳି ।

ପୁତ୍ର ଭାବେ ଦେବକୀ ଯେ ବ୍ରାହ୍ମଣ ଚରଣ

ଧୂଳିନେଇ ପୁତ୍ର ମୁଣ୍ଡେ ଦିଅନ୍ତି ବୋଳିଣ ।

କଲ୍ୟାଣ କର ଗୋସାଇଁ ମୋ ତନୟ ଦୁଇ

ବଞ୍ଚିରହନ୍ତୁ ସଂସାରେ ସେ ନିରୋଗୀ ହୋଇ ।

କାନି ପିତାଇ ମାଗୁଛି ବାଳକ ମୋହର

ନ ପାବନ୍ତୁ ରିଷ୍ଟ କଷ୍ଟ ତୁମ୍ଭେ କ୍ଷମାକର ।

ଏତେ କହି ବାଳକକୁ ଠିଆକରି ମାତ

କାନି ପତାଇ ଘେନିଲେ କଲ୍ୟାଣ ଅକ୍ଷତ ।

ଦାନକର୍ମ ଶେଷକରି ଚଳିଗଲେ ମାତ

କାନି ପତାଇ ଘେନିଲେ କଲ୍ୟାଣ ଅକ୍ଷତ ।

ଦାନ କର୍ମ ଶେଷ କରି ଚଳିଗଲେ ମାତ

ବିପ୍ରଙ୍କୁ ଭୋଜନଦେଇ ତୋଷକଲେ ଚିତ୍ତ ।

ଘୃତ ଆହୁତି ଯଜ୍ଞର କର୍ମ ଅଧିବାସ

ଗାର୍ଗ୍ୟ ସାନ୍ଦିପନୀ ଘଟ କର୍ମ କଲେ ଶେଷ ।

ହେ ଗୁରୁ ଅଚ୍ୟୁତାନନ୍ଦ ଜ୍ଞାନ କଳ୍ପତରୁ

ଦୀନ ଇନ୍ଦ୍ରମଣି ସାହୁ ଧ୍ୟାନ କରେଦୂରୁ ।

 

Unknown

ନାରଦଙ୍କଠାରୁ ନିରାଶ କଥା ଶୁଣି
ଗୋପୀଙ୍କର ଚାଞ୍ଚଲ୍ୟ

ପୁଚ୍ଛନ୍ତି ଶୁକମୁନିଙ୍କୁ ରାଜା ପରୀକ୍ଷିତ

ଗୋପରେ ନୈରାଶ୍ୟବାଣୀ କହ ବିଧିସୁତ ।

ଆସିଲାରୁ ଗୋପୀମାନେ କଲେ କି ବିଚାର

କୃଷ୍ଣବିରହିଣୀ ଥିଲେ ଯେ ଗୋପ ନିକର ।

ମୁନିଙ୍କ ବଚନ ଶୁଣି କହୁଥିଲେ ନନ୍ଦ

ପ୍ରଭାସକୁ ଯିବା ସର୍ବେ ଦେଖିବାଗୋବିନ୍ଦ ।

କୁହ ଦେବ ଗୋପୀଙ୍କର କୃଷ୍ଣ ପ୍ରେମରସ

ଶୁଣି ଖଣ୍ଡିବ ଦୂରିତ କାଟି ଭବପାଶ ।

ବ୍ୟାସ ନନ୍ଦନ କହନ୍ତି ଅତି ତୋଷ ହୋଇ

କୃଷ୍ଣ ବିରହିଣୀ ଗୋପୀ କୃଷ୍ଣଭାବ ଧ୍ୟାୟି ।

କୁହାକୋହି ହୋନ୍ତି ପରସ୍ପର କୃଷ୍ଣ ଭାବ

କୃଷ୍ଣ ପ୍ରେମ ପାଗଳିନୀ ହୋଇଣ ସରବ ।

ବୋହିଗଲା ପାଣିଆଉ ଲେଉଟି ଆସିବ

ଚାଲିଗଲା ଯୌବନ କି ଆଉ ଅଙ୍କୁରିବ ।

ଯେଉଁଦିନ କୃଷ୍ଣ ରାମ ଗଲେ ମଥୁରାକୁ

ଚାରିଦିନେ ଆସିବେ ଗୋ କହିଲେ ଆମ୍ଭଙ୍କୁ ।

ଚାରିଦିନ ପାଇଁ ଚାରିଯୁଗ ବହିଗଲା

ପୁଣି ଉଦ୍ଧବ ଗୋ ଚାରିଦିନ ବଢ଼ାଇଲା ।

ଚାରିଦିନ ଯାଇ ଚାରିଯୁଗ ବହିଲାଣି

କାହିଁ ଫେରି ନ ଆସିଲେ ବ୍ରଜ ଚିନ୍ତାମଣି ।

ଏକ ଗୋପିନୀ କହଇ ଶୁଣ ଗୋ ସଙ୍ଗାତ

ଦିନ ଦିନକର କଥା ଆଜି ବିପରୀତ ।

ଯେଉଁଦିନ ବୃନ୍ଦାବନେ ମୁରଲୀ ବାଜିଲା

ଆମ୍ଭମାନଙ୍କ ହୃଦୟ ଦମ୍ଭ ତୁଟାଇଲା ।

ସେଦିନ କାଳିନ୍ଦୀ ଜଳେ କରୁଛୁ ସ୍ନାହାନ

କୂଳରେ ରଖିଣ ଥିଲୁ ପାଲଟା ବସନ ।

କରୁଥିଲୁ ଜଳ ମଧ୍ୟେ ସର୍ବ ସଖୀ ସ୍ନାନ

ଥିଲା କେବଳ ତାଙ୍କରି ଶ୍ୟାମରୂପେ ଧ୍ୟାନ ।

ଜଣା ଗୋ ନଥିଲା କାହିଁ ଆସିଲେ କହ୍ନାଇ

ପାଲଟାବସନ ବୃକ୍ଷପରେ ଦେଲେ ଥୋଇ ।

ଉଲଗ୍ନ ହୋଇ କାଳିନ୍ଦୀ ଜଳରେ ରହିଣ

ଶୀତେ କମ୍ପି ଯାଇଥିଲା ଅଙ୍କ ଆଭରଣ ।

ମିତ ମୋହର ରାଧିକା ତହିଁ ଥିଲେ ମିଶି

ଦେଖୁଥିଲୁ ଶ୍ୟାମରୂପ ଜଳରେ ଭରସି ।

ସେବେଳେ କଦମ୍ବ ଶାଖା ମଧ୍ୟରେ ଶ୍ରୀକୃଷ୍ଣ

ବସି ଚାହିଁଥିଲେ ଜଳେ ହୋଇଣ ସନ୍ତୁଷ୍ଟ ।

ଯଉବନେ ଭରା ସର୍ବେ ଅଚ୍ୟୁତ ଷୋଡ଼ଶୀ

କେକାହାର ମୁଖେ ପାଣି ସିଞ୍ଚେ ହସି ହସି ।

କେହୁ ଉଠନ୍ତି ଉପରେ ଉର୍ଦ୍ଧ୍ୱମୁଖ ହୋଇ

ଜଳରେ କ୍ରୀଡ଼ା କରନ୍ତି ମନେ ଭୟ ନାହିଁ ।

କେ କେଶ ମୁକୁଳା କରି କୁଚପରେ ଥୋଇ

ବୋଲଇ ଦେଖ ସଖୀମୋ ଭରେ ଉମାସାଇଁ ।

କେ ବୋଇଇ ମୁଁ ଭ୍ରମର ଅଛି କୁଚେ ଧରି

କେହୁ ଫୁଫୁକାର କରେ ମୁଖେ ଜଳଭରି ।

କେହୁ ସଖୀ କରେ କର ଛନ୍ଦାଛନ୍ଦି ହୋଇ

କୁମ୍ଭୀର ପରାଏ ବୁଡ଼ି ପୟର ଛନ୍ଦଇ ।

ମୋର ମିତ ରାଧା ବୋଲେ ଦେଖଦେଖ ସଖୀ

ମୋର ଉରେ ରହିଛନ୍ତି ଚକ୍ରବାକ ପକ୍ଷୀ ।

ଆସ ଚକ୍ରବାକ ପକ୍ଷୀ ଦିବସରେ ମେଳ

ରାତ୍ରିରେ ନ ହୋଇ ମେଳ ହୁଅନ୍ତି ବିକଳ ।

ମାତ୍ରମୋର ଉରେ ଯେଉଁ ଚକୋର ଅଛନ୍ତି

କେତେବେଳେ କାହାକୁ ସେ ଛାଡ଼ି ନଦିଅନ୍ତି ।

କେହୁ ବୋଲେ ସଖୀ ବଡ଼ ପାଇଲି କଷଣ

ମୋ ଉରେ ପର୍ବତବେନି ବଢ଼େ ଦିନୁଦିନୁ ।

ଐରାବତ ରୂପେ କୃଷ୍ଣ ରଚିଲେ ଏ ଗିର

ବହିବ ପ୍ରେମ ଜାହ୍ନବୀ ଏଥୁ ଝର ଝର ।

କେ ବୋଲଇ ସଖୀ ଆଗୋ ଶୁଣ ମୋ ବଚନ

ସମୁଦ୍ର ମନ୍ଥନେ ଶିବ ବିଷ କରି ପାନ ।

ନ ପାରିଲେ ସହି ତାଙ୍କ ଶରୀର ଜଳଇ

ମୋଉରେ ରହିଣ ଯେଣୁ ହେଲେ ଜଳଶାୟୀ ।

ଶୀତ ବାତ ବହିଲା ଗୋ ଯହୁଁ ଘନ ଘନ

କମ୍ପିଲା ଶରୀର ଶୀତେ ହୋଇଲୁ ଉଛନ୍ନ ।

କୂଳ ନିରେଖନ୍ତେ ବାସ ଆମ୍ଭର ଗୋ ନାହିଁ

ଚକିତେ ଚାହିଁଲୁ ସର୍ବେ ଲାଜ କଥା ଏହି ।

କିପରି ଗୋ ଜଳ ମଧ୍ୟୁ ହୋଇବା ବାହାର

ସ୍ନାନ ଘାଟକୁ ଆସିଲା ଅବା କେଉଁ ଚୋର ।

କେଣେ ଗଲା ବୋଲି ସର୍ବେ ଭାବିଲେ ମନରେ

କାହାରିଗୋଟିଏ ଶାଢ଼ୀ ନାହିଁ ସେ ସ୍ଥାନରେ ।

ସକଳ ଦେଖିଲେ କୂଳେ ଏଣେତେଣେ ବୁଲି

ବିକଳେ ଖୋଜନ୍ତି ବାସ ଚୋରିହେଲାବୋଲି ।

କେବୋଲେ ପବନ ଶାଢୀ ନେଲାଗୋଉଡ଼ାଇ

କେହି ବୋଇଲା କଦାଚ ଏହା ହୋଇନାହିଁ ।

ଯେବେଗୋ ପବନେ ଶାଢ଼ୀ ଯାଇଥାନ୍ତା ଉଡ଼ି

ଖଣ୍ଡେଅଧେ ହେଲେ କୂଳେ ରହିଥାନ୍ତାପଡ଼ି ।

କେବୋଲେ ଗୋପାଳେ ଯଦି କୂଳେ ଆସିଥିଲେ

ଆମର ଉଲଗ୍ନ ଦେଖି କ୍ରୋଧେ ଶାଢ଼ୀନେଲେ ।

କେହୁ ବୋଲେ ଯିବାଆସିବାର ଜନମାନେ

ଶାଢ଼ୀମାନ ଘେନି ଅବା ପଳାଇଲେ ବନେ ।

କେ ଜାଣେ ଆମ୍ଭରଶାଢ଼ୀ କେମନ୍ତ ଗୋ ଗଲା

ପରାଣେ ନମାରି ଚୋର ଲୋକହସା କଲା ।

ନଦେଖି ବସନ ଯେଣୁ ହୋଇଲୁ ବିକଳ

ଉଚ୍ଚେ ଡାକଦେଲୁ ରଖରଖ ଆଦିମୂଳ ।

ତୁମ୍ଭେ ନ ରଖିଲେ ଆମ୍ଭ ସରିଲା ମହତ

ଲଜ୍ଜା ନିବାରଣ କର ଆହେ ଗୋପୀନାଥ ।

ଶଙ୍ଖ ଚକ୍ର ଗଦା ପଦ୍ମ ଚତୁର୍ଭୁଜେ ଶୋହେ

ଲକ୍ଷ୍ମୀର ବଲ୍ଲଭ ତୁମେ ଅଟ ଦେବରାୟେ ।

ନ ଜାଣିଣ ନାରୀଜାତି ଅରଜିଲୁ ଦ୍ରୋହ

ଶିବପୂଜି ବର ମାଗିଅଛୁ ନନ୍ଦପୁଅ ।

ମତ୍ତଗର୍ବେ ଆମ୍ଭେ ସର୍ବେ ଉଲଗ୍ନ ହୋଇଲୁ

ପାପପୁଣ୍ୟ ନ ବିଚାରି ଜଳରେ ପଶିଲୁ ।

ନାରୀଜାତି ଆଗପଛ ନ କଲୁ ବିଚାର

ପୁଣ୍ୟକୁ ଛାଡ଼ି ପାପରେ ହେଲୁ ଅଗ୍ରସର ।

ବିଶେଷ ଷୋଡ଼ଶୀ ଆମ୍ଭ ଯଉବନ ଭାରୀ

ଯେ ଦିଏ ଆଶ୍ୱାସ ଆମ୍ଭେ ହେଉଟି ତାହାରି ।

ନନ୍ଦରାଜା ଦେଖିଲେ ଗୋ ଘରୁ ତଡ଼ିଦେବ

କଂସରାଜା ଶୁଣିଲେ ତ ମହତ ସାରିବ ।

ଶ୍ରୀକୃଷ୍ଣ ଶୁଣିଲେ ନଚାହିଁବ ସେ ବଦନ

ଆରତେ ଡାକିଲୁ ରଖ ରଖ ଭଗବାନ ।

ଅନ୍ତର୍ଯ୍ୟାମୀ କୃଷ୍ଣ ଆମ୍ଭ ମନକଥା ଜାଣି

କଦମ୍ବ ଡାଳରେ ବସି କଲେ ବଂଶୀଧ୍ୱନି ।

ଚକିତ ହୋଇଲୁ ଆମ୍ଭେ ବଂଶୀଧ୍ୱନି ଶୁଣି

ଚାହିଁଲୁ କଦମ୍ବ ବୃକ୍ଷେ ଛନ୍ତି ନୀଳମଣି ।

ଆମ୍ଭର ବସନ ସବୁ ଅଛି ବୃକ୍ଷଡ଼ାଳେ

ଆନନ୍ଦ ଦୋଳି ଖେଳନ୍ତି ତହିଁ ନନ୍ଦବାଳେ ।

କୋଟିଏ କନ୍ଦର୍ପ ଜିଣି ତନୁ ଅଛି ବହି

ଯୁବତୀମାନଙ୍କୁ ସତେ ଦେବକି ଗୋ ଦହି ।

ବିଚାରିଲେ ବାଳକ ତ ଦିଶେ ଯୁବାରୂପ

କି ଅବା ଆମ୍ଭର ଆଜି ହରିବ ଏ ଦର୍ପ ।

ଏମନ୍ତ ବିଚାରି କୃଷ୍ଣ ରୂପକୁ ଅନାଇଁ

ବୋଇଲୁ ହେ ଶାଢୀ ଚୋରଦିବ ଆଜିକାହିଁ ।

ଗୋପପୁରେ ଲବଣୀକୁ ଖାଇଲେ ଚୋରାଇ

ଆଜି ସେ ଚାଲାଖି ପଣ ଦେବୁଟି ଛଡ଼ାଇ ।

ନିଶ୍ଚେ ହାତଗୋଡ଼ ଆଜି ବାନ୍ଧିବୁ ଚଞ୍ଚଳେ

ବିନା ଦୋଷେ ମୋତେ କିମ୍ପା କରିବ ବନ୍ଧନ

ମୁଁ ତ ଆଣିନାହିଁ ତୁମ୍ଭ ପାଲଟା ବସନ ।

ଗୋପପୁରୁ ଏହିକ୍ଷଣି ଆସିଲି ଗୋ ସଖି

ମୋ ପିତାମହ ଅଛନ୍ତି ମୋତେ ପରାଦେଖି ।

ତୁମ୍ଭ କହିଲା କଥାକୁ ଯିବେ କି ପରତେ

ଏକ୍ଷଣି ଆସିଲି ଦେଖି ଅଛନ୍ତି ସମସ୍ତେ ।

ନିତି ଆସି କଦମ୍ବ ଡାଳରେ ମୁଁ ଖେଳଇ

କେ ରଖିଲା ଶାଢୀ ଏଥି ମୁଁ ତ ଦେଖିନାହିଁ ।

କଂସ ରାଜାଆଗେ ତୁମ୍ଭେଯେବେ ଗୋକହିବ

ଭଣଜା ବୋଲିଣ ସେ ତ ମୋତେ ଛାଡ଼ିଦେବ ।

ଜନମ ଦିନରୁ ମାମୁଁ ମୋ ଚିନ୍ତା କରଇ

ଦେଖିବାକୁ ମୋତେ କେତେ ଅସୁର ପେଶଇ ।

ମାଉସୀ ପୁତନାକୁ ଯେ ପଠିଆଇ ଦେଲା

କ୍ଷୀର ଖାଉ ଖାଉ ମୋର ମାଉସୀତ ମଲା ।

ସାଉସୀ ମରଣକୁ ଶୁଣିଣ ମାମୁଁ ମୋର

ପୁଣି ପଠାଇଲା ବକା ଶକଟା ଅସୁର ।

ସର୍ପ ଅଜଗର ତୃଣା ଯାମଳା ସହିତେ

ସବୁବେଳେ ପଠାଇଛି ବୁଝିବା ନିମନ୍ତେ ।

କେହି ତ ଗୋଟିଏ ଏଥୁଫେରିଯାଇ ନାହିଁ

ଏକଥା ତ ମାମୁଁଙ୍କର କାନେ ନ ବାଜଇ ।

ତୁମ୍ଭ କଥାକୁ ସେ ସତ କରିବ କିମ୍ପାଇଁ

ମୁଁ ନଗଲେ ସୁଦ୍ଧା ମୋତେ ଧରିନେବ ନାହିଁ ।

ଗୋଟିଏ ମାତ୍ର ଭଣଜା ଅଟେ ମୁଁ ତାହାର

ତୁମ୍ଭେ ଗୋପୀମାନେ ମୋତେ କୁହ ଶାଢୀଚୋର

ଏବେ ମୁଁ କହିବି ଯାଇ ମୋ ମାମୁଁ ଆଗର

ଗୋପୀମାନେ ଜଳେ କରୁଥିଲେ ଅନାଚାର ।

ଉଲଗ୍ନ ହୋଇ ଜଳରେ କ୍ରୀଡ଼ା କରୁଥିଲେ

କୂଳରୁ ପବନ ଶାଢ଼ୀ ଉଡ଼ାଇ ରଖିଲେ ।

ମୋତେ କହନ୍ତି କୃଷ୍ଣ ପାଲଟା ଲୁଗା ଚୋର

ଏକଥା ଶୁଣିଣ ମାମୁଁ ହେବେ କୋପଭର ।

ଯାଉଛି ମୋ ମାମୁଁ ଆଗେ ସମସ୍ତ କହିବି

ଗୋପାଳଙ୍କୁ କହି ପୁଣି ମାଡ଼ ମରାଇବି ।

ମାଡ଼ ମାରି ଘରୁ ନିଶ୍ଚେ ଦେବେ ଘଉଡ଼ାଇ

ଜାଣିଛ ଗୋପାଳ ମୂଢ଼ ପଣିଆଟି ଗୋଈ ।

କୃଷ୍ଣର ମୂଖୁ ଏମନ୍ତ ଶୁଣିଣ ବଚନ

ଲଜ୍ଜା ଓ ଭୟରେ ସର୍ବେ ହେଲେ ଛନ୍ନଜନ୍ନ ।

ହେ ଯଶୋଦା ସୁତ ନଟବର ବେଣୁପାଣି

ତୁମ୍ଭଙ୍କୁ ବୁକେଇ ଯିବ କେ କଥାରେ ପୁଣି ।

ସହଜେ ଅବଳା ଜାତି ପୁଣି ବଳହୀନ

ନିତି ଦେଖୁଥାଉ ତୋର ଶ୍ରୀମୁଖ ସ୍ୱପନ ।

ମରଣୁ ବଳି ହୋଇବ ଲାଜ ଆଜ ଦିନ

ନିର୍ଲ୍ଲଜୀ ଗୋପୀ ଚାହିଁବୁ କାହାର ବଦନ ।

ଦନ୍ତେ ତୃଣ ଧରି କହୁଅଛୁ ଗୋପଗୋଈ

ଯାହା ମାଗିବଟି ତାହା ଦେବୁ ହେ କହ୍ନାଇ ।

ଆମ୍ଭର ମାଗୁଣି ତୁମ୍ଭେ ଘେନ ନନ୍ଦବାଳା

ଶାଢ଼ୀ ଦିଅ ନ କରହେ କୃଷ୍ଣ ଆଉହେଳା ।

ଏହା ଶୁଣିଣ କୃଷ୍ଣ ଯେ ହେଲେ ହସ ହସ

ବୋଇଲେ ଏଠାରୁ ଚିହ୍ନିନିଅ ଯେଝାବାସ ।

ଲଜ୍ଜା ଭରେ ନ ସ୍ଫୁରିଲା ଆମ୍ଭର ବଚନ

ଦୁଇକରେ ଢଙ୍କାଇଲୁ ଏନାରୀ ଯୌବନ ।

ଗମନ କରନ୍ତେ କୃଷ୍ଣ କହିଲେ ଗେହ୍ଲାଇ

ଅଧର୍ମ କରିଲ ସିନା ତୁମେ ଗୋପଗୋଈ ।

ଉଲଗ୍ନେ ପଶିଲ ଜଳେ ଥାଏ ବହୁ ଦୋଷ

ଯେଣୁକରି ପାପକୁ ଗୋ କରିଲ ମୁହାଁସ ।

ବେନି କରଯୋଡ଼ି ଧର୍ମେ କର ନମସ୍କାର

ତେବେ ସିନା କିଛି ପାପ କଟିବ ତୁମ୍ଭର ।

ମୁଁ ଯାହା ଆସିଲିଏଥେ ମୂଢ଼ପଣ କଲି

ତୁମ୍ଭ ପାପକର୍ମକୁ ଗୋ ନୟନେ ଦେଖିଲି ।

ଛାଡ଼ିଦେବି ମାନିଲେଟି ବଚନ ମୋହର

ନତୁବା ଜଳରେ ଥାଅଦୋଷ ନାହିଁକାର ।

ପାଲଟା ବସନ କିମ୍ପା ଛୁଇଁବି ଗୋ ମୁହିଁ

ଶୁଣିଲେ ମୋମାତା ଗାଳିଦେବଟି ତୁହାଇ ।

ଏ ବଚନ କୃଷ୍ଣ ମୁଖୁ ଆମ୍ଭେମାନେ ଶୁଣି

ନିଶ୍ଚୟ ମରଣ ହେଲା ଭାବିଲୁ ସେକ୍ଷଣି ।

ଦକ୍ଷିଣ ହସ୍ତକୁ ନେଇ ଦେଲୁ ମସ୍ତକରେ

ବାମକରେ ଆଚ୍ଛାଦିଲୁ ମଦନ ଭଣ୍ଡାରେ ।

ବୋଇଲୁହେ କୃଷ୍ଣଚନ୍ଦ୍ର ଆମ୍ଭ ଶାଢ଼ୀ ଦିଅ

ଦେଖିଣ ଶ୍ରୀକୃଷ୍ଣ ହସୁଥାନ୍ତି ଟହ ଟହ ।

ଶ୍ରୀକୃଷ୍ଣ ବୋଲନ୍ତି ସଖୀ ହୋଇଇକି ବାଇ

ବେନିକର ନଯୋଡ଼ିଲେ ପ୍ରଣାମକି ହୋଇ ।

ନମସ୍କାର ନକଲେ ମୁଁ ନ ଦେବି ବସନ

କେମନ୍ତ ବା ପାପକଥା କରିବି ଗୋପନ ।

କୃଷ୍ଣର ବଚନେ ସର୍ବେ ହେଲେ କୁହାକୁହି

ଅନ୍ତର ନାଥଙ୍କୁ କିମ୍ପା ଲାଜକର ସହୀ ।

ଯେଉଁ କୃଷ୍ଣ ପାଇଁ ଚିନ୍ତା ରଜନୀ ଦିବସ

ଦିନେ ନ ଦେଖିଲେ ସବୁ କଥା ମଣବିଷ ।

ଧର୍ମାଧର୍ମ ପାପ ପୁଣ୍ୟ ଆମ୍ଭେ ଯେ ନ ଜାଣୁ

ମାତା ପିତା ପତିପୁତ୍ର ବୋଲି ତତେମଣୁ ।

ନ ଜାଣୁ ଗୁରୁଗୌରବ ଦେବତା ବ୍ରାହ୍ମଣ

ଯେ ଦିନୁ ତୋପାଦେ ଆମ୍ଭେ ପଶିଲୁ ଶରଣ ।

ଏତେବୋଲି ମସ୍ତକରେ ବେନିକର ଦେଇ

ପ୍ରଣାମ କରି ଚିନ୍ତନ୍ତି ଚିନ୍ତାମଣି ତୁହି ।

ମନ୍ଦ ମନ୍ଦ ହସି କୃଷ୍ଣ ବୋଲନ୍ତି ବଚନ

ଆସ ଗୋପୀମାନେ ନିଅଯେ ଯାହାବସନ ।

ତୁମ୍ଭର ବାସନାପୂର୍ଣ୍ଣ ହୋଇବ ଏଥର

ଯାହା ତୁମ୍ଭେ ଧ୍ୟାନକଲ ଆଗୋ ନାରୀବର ।

ଆଉଜଣେ ଗୋପୀ କହେ ଶୁଣଲୋ ସଙ୍ଗାତ

ଗୋପପୁରେ ରହି ନାମ ନେଲେ ଗୋପୀନାଥ ।

ଅନଙ୍ଗ ମଞ୍ଜରୀ ସ୍ନେହ ଉଚ୍ଚାଟିଆ ହୋଇ

କହିଲା ମିତଣୀ ଆଖି ଥାଇ ହେଲି ବାଇ ।

ଦିନ ଦିନକର କଥା ପଡ଼ିଯାଏ ମନେ

ଜଟିଳା କୁଟିଳା କଥା ଶୁଣିଛତ କାନେ ।

ବହୁତ ଆକଟ କରି ଜଗିଲେ ରାଧାକୁ

ଚନ୍ଦ୍ରସେଣା ଖାଇସାରିଗଲା ଗୋଗୋଷ୍ଠକୁ ।

ରାଧାର ବିରହ ଯେଣୁ କାନ୍ଦିଲା ଅନ୍ତର

ବିରହ ବଇଁଶୀ ବାଇ ଡାକିଲେ ସତ୍ଵର ।

ଆସ ଆସ ପ୍ରେମମୟୀ ଶ୍ରୀମତୀ ରାଧିକେ

ଆସ ଗୋ ଶ୍ରୀକୃଷ୍ଣ ପ୍ରିୟା ଗୋପ ବାନ୍ଧବକେ ।

ଆସ ଗୋ କୃଷ୍ଣ ବିରହୀ ରାଧେ ବିନୋଦିନୀ

ଆସ ରାସେଶ୍ୱରୀ କୁଞ୍ଜ ସୁଷମାଶାଳିନୀ ।

ମୋହର ବଂଶୀ ନିନାଦ ହେଲା ମୁଖରିତ

ଜଟିଳା କୁଟିଳା ହେଲେ ଈର୍ଷାରେ ମୋହିତ ।

ବୃଦ୍ଧା ଜଟିଳାର ନାରୀ ଭାବ ଜାଗରିଲା

ମଇଳା ଯୌବନ ପ୍ରାଣ ମନ ପୁଲକିଲା ।

ଦ୍ୱାରଦେଶୁ ଉଠିଗଲା ସାଜିବାକୁ ବେଶ

ବିଧବା କୁଟିଳା ହେଲା କାମରେ ଅବଶ ।

ମାୟା କଲେ ମାୟାଧର ଲଗାଇ ଭେଳିକି

ମାଆ ଝିଅଙ୍କର ମନ ଉଠିଲା ବଳିକି ।

ଦୁହେଁ ଦୁହିଁଙ୍କର ଘରେ ସାଜୁଛନ୍ତି ବେଶ

ଜଟିଳର ବୃଦ୍ଧା ଦେହ ହେଉନାହିଁ ଦୃଶ୍ୟ ।

ଦୀନହୀନ ଓଠେ ନେଇ ରାଧାଙ୍କ ଅଳତା

ପେଡ଼ି ଶାଢ଼ୀ ସିନ୍ଦୂର କଜ୍ଜ୍ୱଳ କଲା ଚିତା ।

ରାଧାଙ୍କ ଘରୁ ନେଇଣ ସାଜୁଅଛି ବେଶ

ଏ ସମୟେ କୃଷ୍ଣ ପ୍ରେମେ ହୋଇ ରାଧା ବଶ ।

ମୁହଁ ସଞ୍ଜିଆ କୁଞ୍ଜରେ ହେଲେ ପରବେଶ

ସାଜିଛନ୍ତି ବିନୋଦିନୀ ବିନୋଦିଆ ବେଶେ ।

ଦେଖି ଶ୍ରୀମତୀଙ୍କୁ ନୀଳ ରାଜୀବ ଲୋଚନ

ବୋଲନ୍ତି ସଖୀ କିପରି ପଡ଼ିଲା ଗୋ ମନ ।

ବଡ଼ କଠିନ ହୃଦୟ ଅଟେ ଗୋ ତୁମ୍ଭର

କିପରି ତରଳି ସ୍ନେହ ହୋଇଲା ସଞ୍ଚାର ।

ଶୁଣି କହିଲେ ବଚନ ବ୍ରଜ କମଳିନୀ

ତୁମ୍ଭେ ପରା ଚରାଚର ଜନ ଚିନ୍ତାମଣି ।

କେଉଁ କଥା ତୁମ୍ଭଙ୍କୁ ବା ନୋହିଛି ଗୋଚର

ନିତି ନିତି ମୋର ଶାଶୁ ନଣନ୍ଦଙ୍କୁ ଡର ।

ବଡ଼ ଆକଟି ଅଛନ୍ତି ବ୍ରଜପୁର ଲୋକ

ପ୍ରତ୍ୟକ୍ଷ ପ୍ରସାର ପାଇଁ କରିଛନ୍ତି ଲକ୍ଷ୍ୟ ।

ଦେଖିଲେ ସରିବ ସିନା ମହତ୍ୱ ମୋହର

କାହିଁକି ମୋ ନାମେ ବଂଶୀ ବାଅ ନଟବର ।

ହସି କହିଲେ ରାଧାଙ୍କୁ ବ୍ରଜ ଯୁବରାଜ

ଆଜି ସଖି ନିର୍ଭୟରେ ରୁହ ଏହି କୁଞ୍ଜ ।

ଏତେକହି ସୁବଳକୁ ଗୋଷ୍ଠରେ ରଖାଇ

ବୋଇଲେ ସଖା ତୁମ୍ଭଙ୍କୁ ଲାଗିଲିଟି ମୁହିଁ ।

ଏହି ଗୋଗୋଷ୍ଠରେ ମୁହିଁ ଅଛି ରାଧା ତୁଲେ

ଗୋପାଳ ଦେଖି ଜଗିବେ ଜାଣୁଛି ମୁଁ ହେଳେ ।

ତୁମ୍ଭେ ରାତ୍ରରେ ବତ୍ସାକୁ ଧରି ଏଥୁ ଯିବ

କାନ୍ଦୁଛି ବତ୍ସାଛାଡ଼ି ହୋଗୋପାଳେ ବୋଲିବ ।

ଛାଡ଼ିଦେଲେ ମୋ ସାଙ୍ଗରେ କରିବଟି ଦେଖା

ସୁବଳ କହିଲା ଯାଅ ନିର୍ଭୟରେ ସଖା ।

ଗୋଗୋଷ୍ଠରେ ରାଧାକୃଷ୍ଣ ଦେଖିଣ ଗୋପାଳ

ରାଗରେ ଜଗିଲେ ଧାଡ଼ି ଧରି ତତକାଳ ।

ରାତ୍ରରେ ଯାଇ କହିଲେ ନନ୍ଦଙ୍କୁ ଏ କଥା

ତୋର ପୁତ୍ର ଲମ୍ପଟିଆ ନ କରୁ ବ୍ୟବସ୍ଥା ।

ତୋତେ କହିଲେ କହୁଛୁ ସରବେ ମିଛୁଆ

ନିଜେ ଆଖିରେ ଦେଖିବୁ ଯଦି ଏବେ ଆ ଆ ।

ଚନ୍ଦ୍ରସେଣା ନାରୀ ରାଧା କୁଳ ଭୁଆସୁଣୀ

ମାଈଁ ଭଣଜା ଅଟଇ ସଂସାରକୁ ପୁଣି ।

ଗୋରୁ ଗୋପେ ଦଉଡ଼ିଆ ଖଟେ ଶୁଏ ନଟ

ଜାଣିଛନ୍ତି ବ୍ରଜଗାଆଁ କରିଣ ଆକଟ ।

ନନ୍ଦ ବୋଇଲା ଦେଖିବା ଥରେ ରାତି ପାହୁ

ଭଲକରି ଜାଗ ଜଣା ପଡ଼ିବଟି ସେହୁ ।

ଏତେ କହି ନନ୍ଦ ମନେ ହୋଇଲେ ଆକୁଳ

ଜାଣିଲା ଗୋପାଳଙ୍କର ଜଗିବା ସୁବଳ ।

ଦେଖିଲା ଜଗି ଅଛନ୍ତି କରି ଶତେ ପୁର

ଲଉଡ଼ି କେନ୍ଦୁବାଡ଼ି ସେ ଅଛଇ ହାତର ।

ଧରିଣ ବାଛୁରୀଟିଏ କୋଳରେ ସୁବଳ

ବୋଇଲା ଛାଡ଼ ହୋ ବାଟ ବରଗି ଗୋପାଳ ।

ବତ୍ସା ପିଆଇ ଆଣିବି ତଣ୍ଟି ଶୁଖିଯାଏ

ରାବି ରାବି ଥକିଲାଣି କଅଁଳା ଛୁଆଏ ।

ଗୋପାଳେ କହିଲେ ତାକୁ ଛାଡ଼ିଦିଅ ବାଟ

ସେ ଯିବ ଆସିବ କିମ୍ପା କରୁଛ ଆକଟ ।

ଛାଡ଼ିଦ୍ୟନ୍ତେ ସୁବଳକୁ କୃଷ୍ଣ ପାଶେ ଗଲା

ଭୟରେ ଶ୍ରୀମତୀ ଛନ୍ତି ସୁବଳ ଦେଖିଲା ।

ଶ୍ରୀ କୃଷ୍ଣ କହିଲେ ସଖା ହୁଅ ରାଧା ବେଶ

ତୁମ୍ଭ ବେଶ ପିନ୍ଧି ରାଧା ଯାଉ ନିଜ ବାସ ।

ଶୁଣି ବୃଷଭାନୁ ଜେମା ହେଲେ ହସ ହସ

ଖେଳିଲେ ନାସା ବସଣି ହୋଇଣ ସନ୍ତୋଷ ।

ମଥାମଣି କୁଣ୍ଡଳ ଯେ ବଳୟ କଙ୍କଣ

କେୟୁର ରତନ ହାର ମୁଦି ମୁକ୍ତାମାନ ।

ପାଦରେ ଝୁଣ୍ଟିଆ ମଣି ମୟୂର ସୁଝଳି

ପିନ୍ଧିଲେ ସୁବଳ ରାଧା ଭୂଷଣକୁ ଚଳି ।

ରସାଣିଲା ସ୍ଵର୍ଣ୍ଣକାନ୍ତି ଯେଉଁ ରାସେଶ୍ୱରୀ

ପିତାମ୍ବରୀ ଶାଢ଼ୀଖୋଲିଦେଲେ ଦିଗାମ୍ବରୀ ।

ଗଠନ ସ୍ତନ ଯୁଗଳ ପକ୍ୱ ବିମ୍ବ ପରି

ଲୁଚାଇଲେ ଲୁଚୁନାହିଁ ଦିଶେ ତୋ ଅଧରି ।

ଶ୍ରୀକୃଷ୍ଣ ବୋଇଲେ ସଖୀ ବଡ଼ ବିପରୀତ

ଲୁଚାଇଲେ ଲୁଚୁନାହିଁ ସ୍ଵର୍ଣ୍ଣଲିଙ୍ଗ ଏତ ।

ଚନ୍ଦ୍ର କିରଣରେ ରୂପ ଦିଶେ ଝଟଝଟ

ବୋଲନ୍ତି ଗୋ ସଖି ବତ୍ସା ଧରି ଉରପଟ ।

ଯାଅ ବତ୍ସାଛାଡ଼ି ନିଜ ବାସେ ପ୍ରବେଶିବ

ଗୋପାଳେ ଲାଜ ପାଇବେ ସକାଳୁ ଶୁଣିବ ।

କାହାକୁ ଦେଖା ନଦେଇ ଥିବ ପଲଙ୍କରେ

ସକାଳେ ମୁଁ ଯିବି ଆଈ ଡାକନ୍ତି ରଙ୍କରେ ।

ଏଣେ ଜଟିଳାର ଅଙ୍କୁରିଛି ଯଉବନ

ଅଶୀ ବରଷେ ପିନ୍ଧିଛି ରାଧାଙ୍କ ବସନ ।

ଲୋମେ ଚର୍ମ ଚନ୍ଦନରେ କାଟିଅଛି ଚିତା

ଗୋରଚନା କଲି ସଙ୍ଗେ ନାଲି ଟିକାମଥା ।

ଲଗାଇଛି ଧଳାକେଶେ ସୁଗନ୍ଧ ତଇଳ

ବାନ୍ଧିଅଛି ଜୁଡ଼ା ସଙ୍ଗେ ଗୋଲାପର ମାଳ ।

ଚର୍ମପରେ ଲୋଚା ହୋଇଥିଲା ଦୁଇ ସ୍ତନ

ପିନ୍ଧିଛି ରାଧାଙ୍କ କାଛି ଭିଡ଼ିଣ ଯତନ ।

ଚର୍ମପରି ଗାଲ ପଶିଅଛି ପାଟିଟିରେ

ରଞ୍ଜିଛି ବନ ହଳଦୀ ମାଖିଛି ପାଟିରେ ।

କାଟିଣ ସିନ୍ଥାଣି ମଥାମଣି ଅଛି ଗଞ୍ଜି

ଭ୍ରୂଲତା ଉପରେ କାଟିଅଛି କଳା ଲାଞ୍ଜି ।

ଧଳାକେଶ ଜୂଡାଟିରେ ରକତ ଗୋଲାପ

ନହକା କାନରେ ସ୍ୱର୍ଣ୍ଣ କୁଣ୍ଡଳି ଓ କାପ ।

ପାକୁଆ ପାଟିରୁ ସଦା ଲାଳ ଗଳିପଡେ

ଥରା ମୁହଁଟିକୁ ବିନୋଦିନୀ ବେଶଲୋଡ଼େ ।

ହାଡୁଆ ଗୋଡରେ ପୁଣି ନାଲିଆ ଅଳତା

ଯୁବତୀବେଶ ହୋଇଛି ଚନ୍ଦ୍ରସେଣା ମାତା ।

ନାଲି ପାଟଶାଢ଼ୀ ଧରି ମୟୂର ଚୂଳିଆ

ଶାଢ଼ୀ ପିନ୍ଧିଅଛି ନିଜେହୋଇ ବିନୋଦିଆ ।

ହାତରେ କଙ୍କଣ ମୁଦି ବଳୟ କେୟୁର

ହାତ ତଳିପା ଓ ନଖ କରିଛି ଚିତ୍ରର ।

ଗୋଡ଼ରେ ଝୁଣ୍ଟିଆ ତାର ସଙ୍ଗକୁ ନୁପୂର

ରୁଣୁଝୁଣୁ ବାଜିଯାଏ ପଦେ ଚାଲିବାର ।

ବିଧବା କୁଟିଳା ସଧବାର ବେଶ ସାଜି

ଖଟରେ ଶୋଇଛି ନିଦ ଯାଇନାହିଁ ଭାଜି ।

ଚନ୍ଦ୍ରସେଣା ଗୋଗୋଷ୍ଠରେ ଥିଲା ରାତିସାରା

ରାବିଲେ କୁକ୍‌କଟ କୁଆ ବୁଡ଼େ କୁଆଁ ତାରା ।

ପୂର୍ବ ଗଗନରୁ ଉଦେ ହେଲେ ଦିନକର

ପ୍ରବେଶ ହୋଇଲେ ନନ୍ଦ ଗୋଷ୍ଠରେ ସତ୍ୱର ।

ଦେଖିଣ ବ୍ରଜଗୋପାଳ ବୋଇଲେ ହେ ନନ୍ଦ

ପୁଅର ଗୁର ଦେଖିଲେ ହୋଇବ ଆନନ୍ଦ ।

କାନରେ ଶୁଣା ନ ଥିଲା ଆଖିରେ ଦେଖିବ

ଆସ କହି ହାତଠାରି ନେଲେ ସେହିଠାବ ।

ଦଉଡ଼ିଆ ଖଟେ କୃଷ୍ଣ ଆବର ସୁବଳ

ଅଚେତନ ଶୋଇଛନ୍ତି ତହିଁ ଆଦିମୂଳ ।

ସୁବଳ ଉଠିଣ ସଖା ଡାକଦେଲା

ଅଳସ ଭାଙ୍ଗିର କୃଷ୍ଣଙ୍କର ନେତା ହେଲା ।

ଲୋକ ଦେଖିଣ ସୁବଳ ରାଧା ବେଶ ଖୋଲେ

ରାଧା କାହିଁ କହୁଅଛ ନନ୍ଦ ପଚାରିଲେ ।

ସୁବଳ ହୋଇଛି ବୋହୂ ଏତ ପିଲା ଖେଳ

ଗୋପସାରା କରୁଅଛ ମିଛରେ ଚହଳ ।

ଏପରିକି ମୋ ଘରକୁ ଦେବାକୁ ଉଡ଼ାଇ

ରାତି ସାର ବ୍ରଜ ଲୋକ ଅଛ ସଜ ହୋଇ ।

ଆଠ ବରଷର ଛୁଆ ନାମେ କର ଗୋଳ

ଶୁଣିଲା ଲୋକ ହସିବେ କରୁଛ ଚହଳ ।

ଏତେ କହି ନନ୍ଦ ଗଲେ ଆପଣା ଭବନେ

ସବୁଙ୍କ ମୁଖରେ କାଳି ପଡ଼ିଲା ସେସ୍ଥାନେ ।

ମାମୁଁ ସଙ୍ଗେ କୃଷ୍ଣ ଗଲେ ଆଈଙ୍କର ପୁର

ଆଈ ଆଈ ଡାକି କୃଷ୍ଣ ପଶିଲେ ସେ ଘର ।

ବୁଢ଼ୀର ବେଶ ଦେଖିଣ ହଟିଆ ନାଗର

ଦାଣ୍ଡକୁ ଟାଣି ଆଣିଲେ ହସି କର କର ।

ଦାଣ୍ଡସାରା ଲୋକେ ଦେଖି ଜଟିଳାର ବେଶ

ଆଈ ବାହାଘର ଅଜା ଗଲା କେଉଁ ଦେଶ ।

ଏହିପରି ନିତି ନିତି କୃଷ୍ଣଙ୍କର ନଟ

ମୋହନ ବଂଶୀରେ କରୁଥାଆନ୍ତି ଉଚ୍ଚାଟ ।

ଆଉଜଣେ ଗୋପୀ କହେ ଶୁଣଲୋ ସଙ୍ଗାତ

ଦିନେରାଧା ମୁକ୍ତା ନେଇଗଲେ ଗୋପୀନାଥ ।

ମୁକ୍ତାଚୋର ବୋଲି ରାଧା କହିଲେ ଗୋଛଳି

ସେହି ଛଳେ ଯମୁନା କୁଳରେ ବନମାଳୀ ।

ମୁକ୍ତା ଗଛ ଲଗାଇଣ ଫଳାଇଲେ ଫଳ

ଲୁଚି ବସିଲେ ଜଗିଣ ସୁଦାମ ସୁବଳ ।

ମୋ ମିତଣୀ ରାଧା ଗଲେ ଜଳପାଇଁ ତୁଠେ

ଦେଖିଲେ ମୁକୁତାଗଜ ଫୁଲଫଳେ ଲୋଟେ ।

ଆଠଜଣ ଯାକ ସ୍ନେହେ ତୋଳିଲୁ ସେଫଳ

ସ୍ନେହରେ ରାଧା ପିନ୍ଧିଲେ କରି ମୁକ୍ତାମାଳ ।

ସେବେଳେ ପ୍ରବେଶ ହୋଇ ସୁଦାମ ସୁବଳ

ଚୋରଣୀ କରି ବାନ୍ଧିଲେ କରିନାନାଗୋଳ ।

ଯେତେ କହିଲୁ ହୋ ତାଙ୍କୁ ଛାଡ଼ିଦିଅ ବୋଲି

ବୋଇଲେ ରାଜା ହୁକୁମ ଦେଇଛନ୍ତି କାଲି ।

ଶ୍ରୀକୃଷ୍ଣ ଆମ୍ଭର ରାଜା ନନ୍ଦରାଜା ପୁଅ

ସେକହିଲେ ଛାଡ଼ିଦେବୁ ତାଙ୍କ ଆଗେକହ ।

ଶୁଣି ମୋ ମିତଣୀ ରାଧା ବହୁ ଶୋକକରି

ବୋଇଲେ କଳଙ୍କ ଦେବ ନ କହ ଏପରି ।

ଶାଶୁ ନଣନ୍ଦ ମୋହର ବଡ଼ ଦୁରୁଦଣ୍ଡ

ନିତି ସତ ମିଛ କହି ଦେଉଅଛି ଦଣ୍ଡ ।

ବ୍ରଜସାରା ମୋରନାମେ ବାଜେ ନିନ୍ଦାଢ଼ୋଲ

ଜାଣି ସୁଦାମ ସୁବଳ ପୁଣି ଏହା ବୋଲ ।

ନାରୀ ଜାତି ଭୁଆସୁଣୀ ଘରକୋଣେ ଥାଉ

ନିନ୍ଦାହେଲେ କଳଙ୍କେ ମରିବୁ ଚାହୁଁ ଚାହୁଁ ।

ଘରୁତଡ଼ି ଦେବେ କୁଳୁ ଯିବୁ ଏହିକ୍ଷଣି

ଦୋଷକର କ୍ଷମା ମୁଁ ମାଗୁଛି ଧରି ପାଣି ।

ନାନା କଟୁକଥା କହି ସୁଦାମ ସୁବଳ

ବ୍ରଜଦାଣ୍ଡେ ବାନ୍ଧିକଲେ ଚୋରଣୀର ଗୋଳ ।

ଗ୍ରାମସାରା ବୁଲାଇଲେ ଆମ୍ଭଙ୍କୁ ବାନ୍ଧିଣ

ଲାଜଭରେ ଡାକଦେଲୁ ରଖ ନାରାୟଣ ।

ନ ଜାଣିଲା ପରି ତହୁଁ ହୋଇଲେ ପ୍ରବେଶ

କ୍ଷମା ମାଗନ୍ତେ କହିଲେ ହୋଇ ହସହସ ।

ମୁଁ ତ ଚୋର ନନ୍ଦପୁଅ ତୁମ୍ଭେ ତ ଚୋରଣୀ

କ୍ଷମା ଦିଅନ୍ତି ନୃପତି ଦୋଷକଲେ ପ୍ରାଣୀ ।

ରାଧାକହିଲେ ଏ ପ୍ରାଣ ନିଅ ଚିନ୍ତାମଣୀ

ବ୍ରଜସାରା ହଟା ନ ସହିବ ବେଣୁପାଣି ।

ଜାଣି ଆମ୍ଭ ମନ ସେହି ନଟବର ହରି

ଛାଡ଼ିଦେଲେ ଘରେବୁଲୁ ବରଜ ବିହାରୀ ।

ଏହିପରି କେତେ କଥା ମିଛ କରେସତ

କୁଞ୍ଜଲତା ବାହାରି କହିଲା ଦେଖିଛତ ।

ଦିନେ ରାଧା ନାମରେ ଗୋ କଳଙ୍କ ଲାଗିଲା

ଜଟିଳା କୁଟିଳା ଦୁହେଁ କରନ୍ତି ଗୋ ପାଲା ।

ଲଳିତା ହାତେ କହିଲେ ବୃଷଭାନୁ ସୁତା

କହିବୁ କୃଷ୍ଣଙ୍କୁ କଳଙ୍କିନୀର ଅବସ୍ଥା ।

ଯଦି କଳଙ୍କ ମୋହର ନ ନାଶିବେ ହରି

ଆଉ ନ ଦେଖିବେ ମୋତେ ବରଜ ନଗରୀ ।

ଲଳିତା କହନ୍ତେ କୃଷ୍ଣ କହିଲେ ବୁଝାଇ

ଆଜି କଳଙ୍କ ଭଞ୍ଜନ ମୁହିଁ କରିବଇଁ ।

ଯାଅ କହିବୁ ଲଳିତା ବାନ୍ଧବୀକୁ ମୋର

ଆଜି ବିନାଶ କରିବି କଳଙ୍କ ତାହାର ।

ଲଳିତା ଗଲାରୁ କୃଷ୍ଣ ବସିଲେ ମଉନେ

କାହୁଁ ଜ୍ୱର ଆସିଲା ଗୋ ବସିବାରସ୍ଥାନେ ।

ସୁଦାମା ମଧୁମଙ୍ଗଳ ଧରାଧରି ହୋଇ

ଯଶୋଦୀ ଆଗେ କହିଲେ କୃଷ୍ଣ ନ ଉଠଇ ।

କି ଜ୍ୱର ଧରିଲା କରେ ହାତ ମୁଠା ମୁଠା

କଥା କହୁ ନାହିଁ ପାଟି ହୋଇଲାଣି ଅଠା ।

ଯଶୋଦା ଦେଖିଲେ ଜ୍ୱର ବହୁତ ପ୍ରବଳ

ଡାକିକ କହିଲେ ନନ୍ଦଙ୍କୁ ଦେଖ ଗୋ ଚଞ୍ଚଳ ।

କେଉଁଠାରେ ଡରିଲା କି ମୋ ରଙ୍କୁଣୀ ଥାଳ

ଫୁଟିଯାଉଛି ତା ଦେହ ହେଉଛି ଚାଟୁଳ ।

ପାଟି ଓଠ ଶୁଖିଲାଣି ବଢୁଛି ଏ ଜ୍ୱର

ଡକାଅ ବଇଦ ତୁମ୍ଭେ ନ କରି ଉଛୁର ।

ହୁରି ପଡ଼ିଥିଲା ବ୍ରଜେ ଧାଇଁଲେ ସକଳ

ମଣିଷ ଚିହ୍ନୁନାହାନ୍ତି ଜ୍ୱରେ ନନ୍ଦବାଳ ।

କେବା ବଇଦ ଡାକିବ ପାଇଁ ଧାଇଁଗଲା

କେହୁ ଗୁଣିଆ ଆସିଣ କୃଷ୍ଣଙ୍କୁ ଝାଡ଼ିଲା ।

ନନ୍ଦ ଯଶୋଦା ବିକଳ କେ ପାରିବ କହି

ସମସ୍ତ ବିକଳ ହେଲେ ଜଣକର ପାଇଁ ।

ଏ ବେଳେ ମିଳିଲା ସେହି କପଟୀ ବଇଦ

ଚାଲି ପାରୁନାହିଁ କାନ୍ଦେ ଧରିଅଛି ବେଦ ।

ଦେଖି ବଇଦଙ୍କୁ ନେଲେ ନନ୍ଦଙ୍କ ମନ୍ଦିରେ

ନାଡୀଦେଖି ବୈଦ୍ୟଖୋଲି ନିଦାନକୁ ଧୀରେ ।

କହିଲେ ଗୋ ରାଣୀଏହି ଅଟେ ବିଷଜ୍ୱର

ରୋଗୀ ପ୍ରାଣନେବ ଧରି ଅଢ଼ାଇ ପ୍ରହର ।

ବିଷମ ଏ ରୁଦ୍ରଜ୍ୱର ରିଷ୍ଟ ଯୋଗେ ହୁଏ

କେବଳ ରହିଛି ୟାର ଉପାୟ ଗୋଟିଏ ।

ସହସ୍ର ଛିଦ୍ର ଘଟରେ ଆଣି ନଦୀ ନୀର

ସ୍ନାନ କରାଇଲେ ରୋଗୀ ବଞ୍ଚିବ ନିକର ।

ଯେ ଆଣିବ ସତୀ ପତିବ୍ରତା ଆଦି ଥିବ

ସସ୍ର ଛିଦ୍ର ଘଟେ ନୀର ତାହାର ଆସିବ ।

ଅସତୀ ହୋଇଥିଲେ ଜଳ ଘଟୁ ବୋହିଯିବ

ମାତା ଛଡ଼ା ଅନ୍ୟନାରୀ ଦ୍ୱାରା ଭଲ ହେବ ।

ଶୁଣି ନନ୍ଦ ଯଶୋବନ୍ତୀ ଛିଦ୍ର ଘଟ ଆଣି

ମରଣ ପରାଏ ଲାଜ ହେଲା ଲୋ ମିତଣୀ ।

ଡାକନ୍ତି ବଧୂ ଏ ମୋର ଦିଅ ଆଣି ପାଣି

ଏକକୁ ଆରେକ ନେଇ ବୁଡ଼ାଇଲେ ପାଣି ।

ବୋହିଗଲା ଯେଣୁ ସମସ୍ତଙ୍କୁ ଲାଜ ହେଲା

ଭରସି କୁମ୍ଭଙ୍କୁ କେହି କାଖେ ନ ଧରିଲା ।

ଦେଖି ଯଶୋବନ୍ତୀ ମନେ ପାଇଲେ ପରାସ

କିମ୍ପାଇ ଗୋ ବଧୂମାନେ କରିଲ ନିରାଶ ।

ମୋ କହ୍ନାଇ କରିଛି କି କାର କିସ ଦୋଷ

ତେଣୁ ଏବେଳେ କରୁଛ ତାହାକୁ ନିରାଶ ।

କିବା ସରବେ ଅସତୀ ହୋଇଛ ଜାଣିଣ

ଧରମେ ଡରି ନ ଯାଏଁ ରହିଛ ଚାହିଁଣ ।

ଦେଖିଣ ସେଠାରେ ଅଛି କୁଟୀଳା ରହିଣ

ଯଶୋଦା କହିଲେ ସଖୀ ଜଳ ତୁମ୍ଭେ ଆଣ ।

କୁଟିଳା ଲାଜକୁ ଡରି ଗଲା ଜଳ ଆଣି

ଟେକୁ ଜଳଘଟୁ ଯାଇ ନଦୀ ଧରିଲାଣି ।

ତାଳିମାରି ହସିଦେଲେ ନିଜପୁରଲୋକ

କୁଟିଳା ଗଲା ଜଟିଳା ଅଛନ୍ତି ପ୍ରତ୍ୟକ୍ଷ ।

ଏହି ଦୁହେଁ କହୁଥାନ୍ତି ଦେଶର ସେ ସତୀ

ପୋଡ଼ିଗଲା ମୁହଁ ଆଉ କଥା ନ କହନ୍ତି ।

ଯଶୋଦା ବୋଇଲେ ସର୍ବେ ଗୋପପୁର ନାରୀ

ମିଛେ ମୁଣ୍ଡ ଟେକି କୁହ ସତ ବାହାଦୁରୀ ।

ଆଉ କିଏ ଅଛି ଜଳ ଆଣିବ ଘଟରେ

ସମସ୍ତେ ଗଲେଣି ଏକା ଅଛି ମୁଁ ଏଠାରେ ।

ବୈଦ୍ୟ ବୋଇଲେ ଜନନୀ ଜଳଲୋଡ଼ାନାହିଁ

ନନ୍ଦ କହିଲେ ରାଧିକା ଏଠାରେ ତ ନାହିଁ ।

ମାଆ କୁଟିଳା କହିବୁ ରାଧାଙ୍କୁ ବୁଝାଇ

ମୁହିଁ ଜଣେ ରାଜାଝିଅ ସତୀ ଯେ ଅଟଇ ।

ତୁମ୍ଭେ ଅସତୀ ମିଛରେ ପରକୁ କହିଣ

ସଦାବେଳେ ପରପୁରୁଷକୁ ଘରେ ଟାଣ ।

ମୁହଁ ଛାଟି କୁଟିଳା ଯେ ରାଧାକୁ ଡାକିଲା

ଯାଆ ସତୀ ରାଜାଙ୍କର ହୁକୁମ ହୋଇଲା ।

ଶୁଣିଥିଲି ରାଧା ସତୀ ପରୀକ୍ଷା ଗୋପର

ବାହାରିଲେ ମନ ରଖି ଶ୍ରୀକୃଷ୍ଣ ପୟର ।

ଦେଖି ଯଶୋବନ୍ତୀ ହେଲେ ଛିଦ୍ରକୁମ୍ଭ ନେଇ

ରାଧା ଯମୁନାକୁ ଗଲେ ଶ୍ରୀକୃଷ୍ଣଙ୍କୁ ଧ୍ୟାୟି ।

ଜଳ ବୁଡ଼ାଇ ଆଣିଲେ ସର୍ବେ ଛନ୍ତି ଚାହିଁ

ଜଳେ ସ୍ନାହାନ କରିଲେ ବ୍ରହ୍ମାଣ୍ଡ ଗୋସାଇଁ ।

ଭଲ ହେଲା ଜ୍ୱର ନନ୍ଦ କହିଲେ ସେଠାରେ

ଦେଖିଲତ ସତୀ ରାଧା ଏକ ବ୍ରଜପୁରେ ।

ଏହିପରି କେତେକଥା ମନେ ଜପାମାଳି

ବୋଇଲେ ସଜନୀ ମରିବା ଗୋ ଭାଳି ଭାଳି ।

ଚାଲ ସଖୀ ପ୍ରଭାସକୁ ରାଜା ସଙ୍ଗେ ଯିବା

ଏ କ୍ଷୀଣ ଶୁଷ୍କ ରୂପକୁ ତାଙ୍କୁ ଦେଖାଇବା ।

ଆନ ସଖୀ କହେ ଚାଲ କରିବା ବିନତି

ସେ ତ ଦୟାଳୁ ଠାକୁର ଜଗତର ପତି ।

ଆନ କହେ ତାର ଆଗେ ଖାଇବା ଗୋ ବିଷ ।

ନିଶ୍ଚେ ହୋଇବ ତାହାକୁ ନାରୀହତ୍ୟା ଦୋଷ

ଆଉ ଜଣେ ଗୋପିନୀ କରିଲା ପ୍ରତିବାଦ

ପୁତନା ମରିଲା ପାପ ନ ଛୁଇଁଲା ହୃଦ ।

ବଣରେ ମାଇଲା ଷଣ୍ଢଟାକୁ କଚାଡ଼ିଣ

ଗୋରୁହତ୍ୟା ଦୋଷ ତାକୁ ରହିଲା ଡରିଣ ।

ଆମ୍ଭପରି ଶତ ଶତ ନାରୀ ଗଲେ ମରି

ତାହାର କି ଦୋଷ ହେବ କର ବାହାଦୁରୀ ।

ଚାଲ କାଲି ରାଜାସଙ୍ଗେ ସଜ ହୋଇ ଯିବା

ବିନୟ ହୋଇଣ ତାଙ୍କୁ ଫେରାଇ ଆଣିବା ।

ଆଉ ଜଣେ କହେ ଏତେ ଶରଧା ତାହାର

ମନର ପଡ଼ିଲେ ଛାତି ଫାଟିଯାଏ ମୋର ।

ପାଣି ପାଇଁ ଯାଉଥିଲେ କଳସୀ ଛଡ଼ାଇ

କାଖରେ ଧରି କହିବି ପାଣି ଦେବି ମୁହିଁ ।

ମୁହିଁ ପରା ଗୋ ତୁମ୍ଭର ଅଟେ ପରିଚାର

ମୁଁ ଥାଆନ୍ତେ ସରୁକଟି ଭାଙ୍ଗିବ ତୁମ୍ଭର ।

ଚାଲ ଗୋ ସଜନୀ ତାଙ୍କୁ କହିବା ବୁଝାଇ

ନିଶ୍ଚୟ ଆସିବେ ଆମ୍ଭ କଥାରେ କହ୍ନାଇ ।

ଶ୍ରୀଗୁରୁ ଅଚ୍ୟୁତାନନ୍ଦ ଦାସଙ୍କ ଦୟାରେ

ଦୀନ ଇନ୍ଦ୍ରମଣି ସାହୁ ଲେଖଇ ଗୀତରେ ।

 

ପ୍ରଭାସ ଯଜ୍ଞ ଆରମ୍ଭ ନନ୍ଦ ଯଶୋଦା ଓ
ଗୋପୀଙ୍କର ଯଜ୍ଞଠାରେ ପ୍ରବେଶ

ଏଥୁଅନ୍ତେ ଶୁଣ ରାଜା ଯଜ୍ଞର ବିଧାନ

ଅତି ରସମୟ ଏହି କୃଷ୍ଣଲୀଳା ମାନ ।

ବିଶ୍ୱ ହିତ ପାଇଁ ହରି ନର ରୂପ ଧରି

ପ୍ରଭାସ ଯଜ୍ଞ କରନ୍ତି ବ୍ରତ ଅନୁସରି ।

ଦେବକୀ ମାତାଙ୍କ ଧେନୁଦାନ ହେଲା ଶେଷ

ଘୃତାହୁତି ଯଜ୍ଞ ପାଇଁ କରି ଅଧିବାସ ।

ବଢ଼ାଇ ସେଦିନ କାର୍ଯ୍ୟ କାଟି ବିଭାବରୀ

ସୁଖେ ନିଦ୍ରା ଯାଇଥିଲେ ଅନନ୍ତ ବିହାରୀ ।

ରାତ୍ରି ଶେଷେ ଉଷାକାଳେ ପୂର୍ବାକାଶେ ଝଳେ

ବ୍ରାହ୍ମ ମୁହୂର୍ତ୍ତ ସମୟ ଆସିଲା ନିରୋଳେ ।

ଜ୍ୟୋତିହୀନ ଧ୍ରୁବତାରା ପଶ୍ଚିମେ ମିଳାଏ

ଅରୁନ୍ଧତୀ ରେବତୀ ଯେ ପ୍ରଭାହୀନ ହୁଏ ।

ନିଶାଅନ୍ତେ ଉଷା ରୂପ ଦିଶେ ଝଟଝଟ

ରାବଦେଲେ ସରାଗରେ ବାୟସ କୁକ୍‌କୁଟ ।

ଶମ୍ଭୁଆଳେ କମ୍ବୁସ୍ୱନ ପଡ଼ଇ ଉଛୁଳି

ପୁରୋଧା ଗାର୍ଗି ଯେ ନିତ୍ୟକର୍ମେ ଗଲେଚଳି ।

ସାନ୍ଦିପନୀ ଶୁଟି ହୋଇ ଯଜ୍ଞକୁଣ୍ଡେ ରଚି

ବସିଲେ କର୍ତ୍ତା ଶ୍ରୀକୃଷ୍ଣ କୁଶାସନ ବାଛି ।

ଦଶଦିଗେ ଦଶଘଟ ଶୁକ୍ଳଧାନ୍ୟେ ଥୋଇ

ଅକ୍ଷତ ଗୁଆ ହଳଦୀ ପଞ୍ଚବର୍ଣ୍ଣ ଦେଇ ।

କାଟିଲେ ଯତନେ ବୈଶ୍ଵାନରଙ୍କ ମଣ୍ଡଳି

କୋଠିକେ ଗୋଟିଏ ଘଟ ପୂଜା ପାତ୍ର ଥାଳି ।

ଚତୁଷ୍କୋଣ ଯଜ୍ଞକୁଣ୍ଡ ପୁଷ୍କରିଣୀ ପରି

ଆଢ଼ପରେ ଦିଗପାଳ ଆସନକୁ ପାରି ।

ଆବାହନ କଲେ ଅଗ୍ରେ ଗିରିଜା ନନ୍ଦନ

ଧୂପ ଦୀପ ଆଭରଣ ଓ ଗନ୍ଧ ଚନ୍ଦନ ।

ସଂକଳ୍ପ ବିଧିରେ କଲେ ପୂଜା ଆବାହନ

ଦୁର୍ବାକ୍ଷତ ବିଲ୍ୱପତ୍ର ବେଦ ବିଧିମାନ ।

ମଙ୍ଗଳାଷ୍ଟକ ପଢ଼ନ୍ତି ମଥୁରା ଜ୍ୟୋତିଷ

ଶଙ୍ଖ ହୁଳହୁଳି ନାଦେ ଉଛୁଳେ ତ୍ରିଦଶ ।

ଆସନ ଶୁଦ୍ଧି ମାତୁଳ ପର୍ବଣ ଶୋଧନ

କଲେ ଗାର୍ଗୀ ସାନ୍ଦିପନୀ ପୂଜା ଓ ଅର୍ଚ୍ଚନା ।

ଦିଗପାଳଙ୍କୁ ପୂଜିଲେ ଜଣ ଜଣ କରି

ଗ୍ରହ ଉପଗ୍ରହ ବିଶ୍ଵଦେବା ଅନୁସରି ।

ନାନାବିଧେ ପତ୍ର ପୁଷ୍ପ ଉପଚାର ଧରି

ବେଦବାକ୍ୟେ ଜଣେ ଜଣେ ଉଚ୍ଚାରଣ କରି ।

ନିଜେ ଶ୍ରୀକୃଷ୍ଣ କରନ୍ତି ପଦ ସମର୍ପଣ

ଧୂପ ଦୀପ ଗନ୍ଧ ପୁଷ୍ପ ଚନ୍ଦନ ଭୂଷଣ ।

ପୁଷ୍ପାଞ୍ଜଳି ଦେଲେ ପ୍ରଭୁ କମଳା ରମଣ

ବସି ଦେଖନ୍ତି ଦେବତା ରଷି ଓ ବ୍ରାହ୍ମଣ ।

ତାହାପରେ ନୈବେଦ୍ୟଯେ କଲେ ସାନ୍ଦିପନୀ

ବେଦ ପୋଥି ପଢୁଛନ୍ତି ଯତ୍ନେ ଗାର୍ଗମୁନି ।

ମୃଦଙ୍ଗ କଂସାଳ ତାଳ ମଙ୍ଗଳ ମହୁରୀ

ବାଜିଲା ମର୍ଦ୍ଦଳ ଢୋଲ ସଙ୍ଗେ ତୁରୀ ଭେରୀ ।

ହୋମଅଗ୍ନି ସଂସ୍ଥାପନ କଲେ ସାନ୍ଦିପନୀ

ଗାର୍ଗୀଙ୍କର ମୁଖେ ଶୁଭେ ସାମବେଦ ଧ୍ୱନି ।

ହୋମ ଧୂପ ମାଳା କିବା ବସନ୍ତେ କୁହୁଡ଼ି

ହବ୍ୟାଧାର ପାଇ ଜଳେ ପ୍ରଚଣ୍ଡ ଦିହୁଡ଼ି ।

ଋଷିମାନେ ପଢୁଛନ୍ତି ମୁଖରେ ଓଁକାର

ଗହ ଗହ ଶବଦରେ କମ୍ପେ ତିନିପୁର ।

କାହିଁ ହରି ସଂକୀର୍ତ୍ତନ କାହିଁ ତୁରୀଭେରୀ

କାହିଁ ସାଧୁ ଗାଏ ଏକତାର ଯନ୍ତ୍ର ଧରି ।

ସହଜେ ପ୍ରଭାସ ଅଟେ ଯମୁନା ପୁଲିନ

ଯମୁନା ସରସ୍ଵତୀର ଲହରୀ ଗର୍ଜ୍ଜନ ।

ଲୋକ କୋଳାହଳ ଲାଗିଅଛି ମହୋତ୍ସବ

ପୁରୀକ୍ଷିରୀ ପରମାଦେ ଯେ ଯେତେଖାଇବ

ମଥୁରା ନଗରବାସୀ ସର୍ବେ ଉଲ୍ଲସିତ

ଯୁବକ ଯୁବତୀ ସର୍ବେ କୃଷ୍ଣପ୍ରେମେ ରତ ।

ଆନନ୍ଦରେ ଅନ୍ତଃପୁରୁ ଉଠିଆସେ ତାନ

ଜୟ କୃଷ୍ଣ ଯଦୁପତି ଜୟ ଭଗବାନ ।

ବୀଣାତାନେ କୃଷ୍ଣ ଗାଇ ମିଳିଲେ ନାରଦ

ନମୋ ନାରାୟଣ ରାମ କୃଷ୍ଣ ନିତ୍ୟାନନ୍ଦ ।

ଜୟ କମଳା ବଲ୍ଲଭ ଗୋଲକ ବିହାରୀ

ଜୟ ନଟବର ଗିରି ଗୋବର୍ଦ୍ଧନ ଧାରୀ ।

ସିଂହଦ୍ଵାରୁ ଉଗ୍ରସେନ ପାଛୋଟଲେ ମୁନି

ଗଙ୍ଗାଜଳେ ପାଦ ଧୋଇ ଦିଅନ୍ତି ଆସନି ।

ଗୋପେ ନାରଦଙ୍କ କଥା ଚିନ୍ତି ରାଜା ନନ୍ଦ

ଗୋପାଳେ ପ୍ରଜାଙ୍କୁ ଧରି ଦେଖିବେ ଗୋବିନ୍ଦ

ଲକ୍ଷ ଲକ୍ଷ କରି ସରପୁଳି କାନ୍ଧେ ଭାର

ଅଧାମ ଗୋଟିକା ସଙ୍ଗେ ନାନା ଉପହାର ।

ଯଶୋବନ୍ତୀ ସଙ୍ଗେ ନନ୍ଦ ହୋଇଲେ ବାହାର

ପୁତ୍ର ସ୍ନେହେ ପାଗଳିନୀ ରାଣୀ କଳେବର ।

ବାନ୍ଧିନାହିଁ କେଶ ଚରଣକୁ ଅଛି ଲମ୍ବି

ଚନ୍ଦ୍ରକିରଣକୁ ମେଘମାଳା କିମ୍ବା ଚୁମ୍ବି ।

ପିନ୍ଧିଛନ୍ତି ଧଳାଶାଢ଼ୀ କାର୍ଯ୍ୟ ବ୍ୟସ୍ତ ପରି

କାନିରେ ଗଣ୍ଠାଇଛନ୍ତି ସର ପତ୍ରେ ଭରି ।

ଛୁଆଛଡ଼ା ଗାଭୀ ପ୍ରାୟେ ସର୍ବଦା ଅସ୍ଥିର

ଅତି ସ୍ନେହେ ଚକ୍ଷୁ କୋଣୁ ବହିପଡ଼େ ନୀର ।

ଅସଂଯତ କେଶ ପୁଣି ବାସ ଅସଜଡ଼ା

ଆପେ ଚାଲନ୍ତି ଉଦ୍‌ବେଗେ ମାଡ଼ିଣ ଅମଡ଼ା

ଜୀର୍ଣ୍ଣ କଳେବର ନନ୍ଦ କେନ୍ଦୁ ବାଡ଼ି ଧରି

ଚାଲନ୍ତି ଦାଣ୍ଡରେ ପୁତ୍ର ସ୍ନେହେ ଥରି ଥରି ।

ତାଳକନ୍ଦା ଖାଏ କାହ୍ନୁ ଅତି ଶରଧାରେ

ଖରାବେଳେ ଶୁଏ ନାହିଁ ପିଲାଙ୍କ ସଙ୍ଗରେ ।

ତାଳଗଛ ହାଣି କନ୍ଦା ବାନ୍ଧିଣ କାନିରେ

ଚାଲଇ ଗୋପାଳ ଜଣେ ଅତି ଶରଧାରେ ।

କେ ଗୋପିନୀ କ୍ଷୀର କୋଳି କାନିରେ ଧରିଲା

କେ ତାଳ ଚକୁଳି କରି ପସରାରେ ନେଲା ।

କେବା ଯୋଡ଼ପିଠା କରି କାନିରେ ଧରିଲା

କେବା ଦହିକଡ଼ି ନେଲା ଗୋରସକୁ ଦେଲା ।

କେ ବାଡ଼ି କଖାରୁ କାଟି କରିଲା ଶାକର

ଦେଖିଲା ଶ୍ରୀକୃଷ୍ଣ ବସିଥିଲା ଏ ଗଛର ।

କେ ବାଡ଼ି କଦଳୀ କାଟି ଘିଅରେ ଭାଜିଲା

ଶ୍ରୀକୃଷ୍ଣଙ୍କୁ ଦେବ ବୋଲି ଶରଧାରେ ନେଲା ।

କୃଷ୍ଣ ମୋ କଳମ ଶାଗ ଖରଡ଼ାକୁ ଖୁସି

ଖରଡ଼ି ପଖାଳ ସଙ୍ଗେ ଧରି ଥାଏ ରସି ।

କାର ବାଡ଼ିଶିମ୍ବ ଭଜା କେ ବଡ଼ି ଚୁରିଲା

କେବା ଓଲ ସିଝାଇଣ ଚଟଣି କରିଲା ।

କାର ପୋଦିନା ପତର ଚଟଣିକୁ ରସି

କେ ବାଡ଼ି କୋଶଳା ଶାଗେ ହେଉଥାନ୍ତି ଖୁସି ।

ସମସ୍ତେ ସଜାଇ କରି ନେଲେ ପରାସର

କୃଷ୍ଣ ସଖାମାନେ ଶୁଣି ହୋଇଲେ ବାହାର ।

କେ ଧରିଲା ଜାମୁକୋଳି କାହାର କଇଁଥ

କାହାର କାକୁଡ଼ି କାର ପିଜୁଳିକୁ ସାଥ ।

କିଏ ସୀତାଫଳ ଲୁଚାଇଣ ରଖିଥିଲା

କେ ପାକଲା କରମଙ୍ଗା ଲେମ୍ବୁକ ତୋଳିଲା ।

କେ ବାଡ଼ି ଅଏଁଳା ନେଇ ବାନ୍ଧିଲା କାନିର

କେବା ପଦ୍ମଫୁଲ ଧରି ଚାଲିଲା ସଙ୍ଗର ।

କେ ଗାଜର ମୂଳା ନେଲା କାର କନ୍ଦମୂଳ

କେ ଧରିଛି ଭୂଇଁକନ୍ଦା ତାଳଗଜା ଫାଳ ।

ଯୁବତୀ ଗୋପିକା ସର୍ବେ ହୋଇଛନ୍ତି ବାଇ

ଶ୍ରୀକୃଷ୍ଣ ଦେଖିବେ କାନେ ଶୁଣି ସେ ଧାମଇଁ ।

ଯା ବାଡ଼ିରେ ଯେଉଁଫୁଲ କୃଷ୍ଣର ଆଦର

ସବୁଦିନେ ଗୁନ୍ଥି ତାକୁ ରଖଇ ଯତ୍ନର ।

ହାତେ ଧରି ମାଳା ବାଳା ହୋଇଲା ବାହାର

ସ୍ନାନ ସାରି ବାସ ପିନ୍ଧିଥିଲା ନାରୀବର ।

ଅଧା ପିନ୍ଧିଛି ମାଳାରୁ ଧରି ଦାଣ୍ଡେ ହେଲା

କେ ଗୋପୀ ଗୁଞ୍ଜ ଫୁଲର ମାଳା ଗୁନ୍ଥୁଥିଲା ।

ସବୁଦିନେ ଗୁନ୍ଥିମାଳା ଯତ୍ନେ ରଖିଥିଲା

କୃଷ୍ଣ ଦେଖିଯିବା ତାର କାନରେ ବାଜିଲା ।

ମଥା ବାନ୍ଧୁଥିଲା ଅଧେ ଅଛି ମନେ ନାହିଁ

ମତିଛନ୍ନେ ଦେଢ଼ସୁର ହାତଧରି କହି ।

ଯାଉଛି ମୁଁ କୃଷ୍ଣ ଦେଖି ପୁଣି ଫେରିବଇଁ

ଦେଢ଼ସୁର ତାର ଭାବ ଦେଖି ତୁନି ହୋଇ ।

କେତେବେଳେ ଚେତାପାଇ ତାହାଙ୍କୁ ଚିହ୍ନିଲା

ଲଜ୍ଜାଭରେ ମୁଖପୋତି ନିରବେ ରହିଲା ।

କେବା ଚମ୍ପାଫୁଲ ତୋଳି କରିଥିଲା ହାର

ଶୁଣିଲାକ୍ଷଣି ଧରିଣ ହୋଇଲା ବାହାର ।

କେ ମୟୂର ପୁଚ୍ଛେ କରେ ଶ୍ରୀକୃଷ୍ଣ ମୁକୁଟ

ଅତି ଯତ୍ନେ ରଖିଥିଲା ହୋଇଲା ଉଚ୍ଚାଟ ।

ବାହାରିଲା ମୁକୁଟ ଧରି ଗୋପବାଳା

ଲିପୁଥିଲା ଯେଉଁବେଶେ ତାରଘର କଳା ।

କେ ନିଜେ ସ୍ୱାମୀକୁ ତାର ଅନ୍ନ ପରଷୁଛି

ପଡ଼ୋଶୀ ଯୁବତୀ ଡାକଦେଲା ସେ ଶୁଣୁଛି ।

ଦେଉଁ ଦେଉଁ ଭାତସଙ୍ଗେ ତରକାରୀ ଦେଲା

ହାତ ନ ଧୋଇ ସେ ଫୁଲହାରକୁ ଧଇଲା ।

କୃଷ୍ଣ ଦେଖି ଯାଉଛି ଗୋ କହିଚଳି ଯାଏ

ଚକିତ ଭାବେ ତା ସ୍ୱାମୀ ନୟନରେ ଚାହେଁ ।

ନଣନ୍ଦକୁ କହି କେବା ଧାଏଁ ସଜହୋଇ

କଳିହୁଡ଼ି ନଣନ୍ଦ ତା ଚଞ୍ଜଣା କରଇ ।

ବାପଘରୁ ଆସିଲୁ ତୁ କାଲିଆମ ଘର

କେଉଁଦିନ ବଢିଲା ଲୋ କୃଷ୍ଣପ୍ରେମ ତୋର ।

ନ ଶୁଣି ନଣନ୍ଦ କଥା ଯେଣୁ ବାହାରିଲା

ଝିଙ୍ଗାସି ନଣନ୍ଦ ତାକୁ ବାଟ ଓଗାଳିଲା ।

ଏ ବେଳେ ତାହାର ସ୍ୱାମୀ ମସି ପ୍ରବେଶିଲା

ଶ୍ରୀକୃଷ୍ଣ ପ୍ରେମିକା ତାରନାରୀ ସେ ଜାଣିଲା ।

ଭଉଣୀକୁ କହେ ତୁଟା ପାପୀ ଅଲକ୍ଷଣୀ

କୃଷ୍ଣ ଦର୍ଶନେ ବିରୋଧ କଲ ଜାଣି ଶୁଣି ।

ବରଜ ଯୁବତୀ ଛନ୍ତି ଷୋଳସସ୍ର ପରି

ସର୍ବେ ଅନାବିଳ ପ୍ରେମେ ଭଜନ୍ତି ଶ୍ରୀହରି ।

ସ୍ୱାମୀର ସେ ସ୍ୱାମୀ ଯେଣୁ ସର୍ବ ଜନ ସ୍ୱାମୀ

ଚିନ୍ତାରମଣି ଯେ କୃଷ୍ଣ ଅଟେ ଅନ୍ତର୍ଯ୍ୟାମୀ ।

ସନ୍ତୁଷ୍ଟରେ କୃଷ୍ଣନାମକୁ ଯେହୁ ଜପଇ

ତାହାରସେ ଜିହ୍ୱାସ୍ୱର ଥାଇଣ ନ ଥାଇ ।

କୃଷ୍ଣଙ୍କୁ ସନ୍ଦେହ ମନ କଲୁ ଅକାରଣ

ଦେହର ସୁଖକୁ ବଡ଼ କରିଛୁ ଜାଣିଣ ।

ଏତେକରି ନାରୀକୁ ସେ ବେଶ କରାଇଣ

ପଠାଇ ଚଳିଲା ଦୁଗ୍‌ଧ ଭାରକୁ ନେଇଣ ।

କେ ଗୋପ କୃଷ୍ଣ ଦେଖିବ ସାଜେ ଅଳଙ୍କାର

ମଥାମଣି ଭୋଳେବାନ୍ଧେ ଝୁଣ୍ଟିଆ ଅଣ୍ଟାର ।

ଝୁଣ୍ଟିଆକୁ ମଥାମଣି ସ୍ଥାନରେ ରଖିଲା

ନାସାବସଣୀକୁ କାନେ ନେଇ ସଜାଇଲା ।

କେବା ସିନ୍ଦୂରକୁ ଘେନେ କଜ୍ଜ୍ୱଳ ଭାବିଣ

କଜ୍ଜ୍ୱଳ ରଞ୍ଜିଲା ପଦେ ଅଳତା ଭାବିଣ ।

ସନ୍ତାନ ପ୍ରେମେ ଯଶୋଦା ସରପୂଳି ଧରି

କହ୍ନାଇକହ୍ନାଇ ଆଗେଧାଏଁ ବାଟ ବାରି ।

କେତେବେଳେ ଅବାଟରେ କେବେଧରେ ବାଟ

ଆରେ କଳାଚାନ୍ଦ ଶୁଖି ଯିବଣି ତୋ କଣ୍ଠ ।

ଯେ ଯାହାର ସ୍ନେହଧନ ଘେନି ଯାଉଛନ୍ତି

କାହିଁ କେଉଁ ଗହନରେ ଦେଖାତ ନଯାନ୍ତି ।

ନନ୍ଦ ମହାଖୁଡ଼ ସ୍ନେହକେ ପାରିବ କହି

କହ୍ନାଇ କହ୍ନାଇ କହି ଚାଲୁଥାନ୍ତି ଧାଇଁ ।

ଗୋପରଯେତେକ ବୃଦ୍ଧଦେଇ ପୁତ୍ରସ୍ନେହ

ଡାକଦ୍ୟନ୍ତି କହ୍ନାଇରେ ତୋହପରି ପୁଅ ।

ଦିନେ ଦିନେ କାନ୍ଧେ ବସି ମାଗୁ ବାପ ଚାନ୍ଦ

ଭଜନ ବେଳେ ତୋ ନାଚ ଦିଅଇ ଆନନ୍ଦ ।

ନନ୍ଦ କହୁଛନ୍ତି ଆରେ ମୋର କଳାକୃଷ୍ଣ

ବୃଦ୍ଧକାଳେ ତୋତେ ଦେଖିଥିଲି ମୁଁ ସନ୍ତୁଷ୍ଟ ।

ଆରେ ଆଣ୍ଠୁଆଗୋପାଳ କୋଳିଖିଆ କାହ୍ନୁ

ଜୀବନ ନେଉଛୁ କିମ୍ପା ନଯାଉ ତୁ ମନୁ ।

ଆରେ କାଇଁଚ ମାଳିଆ ଶ୍ୟାମଳ ମୂରତି

ନାଲି ହଟହ ମୁଖନୂଆ ମେଘ ଜ୍ୟୋତି ।

ବାଙ୍କ ଚୂଳିଆରେ ବାପ ତିନିବାଙ୍କ ଠାଣି

ବନମାଳୀ ବଣମଲ୍ଲୀ ଫୁଲକୁ ଭାଳେଣି ।

ଆରେ ଚିତାନିଅ ହରି ମନ୍ଦିର ପ୍ରେମିକ

ପୂଜାବେଳେ ଚନ୍ଦନକୁ ଥାଏ ତୋ ସଉକ ।

ଆରେ ବ୍ରଜପୁର ସ୍ନେହବୋଳା ହୃଷୀକେଶ

ଆହାରେ ପୁତନାଖିଆ ଶକଟାର ନାଶ ।

ଆରେ ସର୍ବବୁଲା କୁଞ୍ଜବିହାରୀ ଅଚ୍ୟୁତ

ଆରେ ତୃଣା ଅଘା ଧେନୁକାର ଯମଦୂତ ।

ଆରେ ବକାଚିରା ସ୍ନେହରଙ୍କା ପୀତବାସ

ଏ ବୃଦ୍ଧ ଶରୀରେ ବାପଦେଲୁ କେଉଁଦୋଷ ।

ଆରେ ପୁରନ୍ଦର ଦର୍ପଦଳା ମୋ ମାଧବ

ଆରେ କାଳିଆ କାଳୀୟରଞ୍ଜନ କେଶବ ।

ଆରେ ଦର୍ପଦଳା ସର୍ପବିଷ ପାଣିଖିଆ

ଆହାରେ ମଧୁମୁକୁନ୍ଦ ଯମୁନା କୂଳିଆ ।

ଆରେଗିରି ଗୋବର୍ଦ୍ଧନ ଚୂଳିଆ ମୋହନ

ଆହାରେ ଜାମୁଢ଼ାଳିଆ ମୋସ୍ନେହ ନନ୍ଦନ ।

ଆରେ ନଟବର ନଟକୂଟିଆ କପଟୀ

କେଣେଗଲୁ ବାପନଦେଇ ମୋ ତଣ୍ଟିକାଟି ।

ଆରେ କେଶବ କଂସାରି ଭାବ ଲମ୍ପଟିଆ

ଆରେ ଗୋବିନ୍ଦ ଗୋକୁଳ ନୀଳ ସୁନ୍ଦରିଆ ।

ଆରେ କୂଟ କପଟିଆ ଯମୁନା ଘାଟିଆ

ଆରେ ନବଘନ ଶ୍ୟାମ ଗୁଞ୍ଜରା ପାଟିଆ ।

ଆରେ ବାପ କେଉଁ ଦୋଷ କଲି ମୁଁ ତୁମ୍ଭର

କେଉଁ ଜନ୍ମେ କା ଗଳାରେ ଚଳାଇଲି କ୍ଷୁର ।

ସେହି ପାପୀ ବୋଲି ବାପ କଲୁ ବରଜନ

କାହାର ଛଡ଼ାଇଥିଲି ଖାଇବାର ଅନ୍ନ ।

ଆରେ ବାପ ନୀଳମଣି ମୋ ପଥ ସଙ୍ଖାଳି

ତିନିପୁର ମୋ ନାମକୁ ଦେଲୁ ନିଆଁଗିଳି ।

ଆରେ ବାପ କେଉଁ ଜନ୍ମେ କଲିକାର ଦୋଷ

କାହାର ମିଶାଇଥିଲି ଭୋଜନେ ପାଉଁଶ ।

ଆରେବାପ ନୀଳମଣି ମୋସ୍ନେହ ଖଟୂଲି

ଚାଲୁ ଚାଲୁ ଝୁଣ୍ଟି ନନ୍ଦ ପଡ଼ିଲେ ଧରଣୀ ।

ଅଶୀ ବରଷରେ ବୃଦ୍ଧ ଲୋଚା ଲୋଚା ଚମ

ପୁତ୍ରଶୋକେ ଧାଇଁଛନ୍ତି ନ କରି ବିଶ୍ରାମ ।

ସାଉଁଟି ମଧୁମଙ୍ଗଳ କଲା ତାଙ୍କୁ ଠିଆ

ବୋଲନ୍ତି ନନ୍ଦ ନଯାଏ ଏଜୀବ ବେହିଆ ।

କାହାର କାଟିଛି ଗଲା ପୁତ୍ର କୋଳୁ ତାର

ତେଣୁ ବନମାଳୀ ଗଳା କାଟିଲେ ମୋହର ।

ଆରେ ବ୍ରଜପୁର ରାଜା ନ କଲୁ ବିଚାର

ଯଦି ପାପୀଥିଲି କିମ୍ପା ନ ଦେଲୁ ଜହର ।

ଆରେ ବାବୁ ତୁହି ପରା ବିରାଟ ପୁରୁଷ

ଅନ୍ଧଟାକୁ ଚକ୍ଷୁ ଦେଲୁ ଯିବାକୁ ବିଶ୍ୱାସ ।

ମୁହିଁ ପୁତ୍ରକରି ତୋତେ ସ୍ନେହେଥିଲି ବାନ୍ଧି

କେଉଁ ଦୋଷେ ଛିଣ୍ଡାଇଲୁ ମରୁଛି ମୁଁ କାନ୍ଦି ।

ଆରେ ବାବୁ ନୀଳମଣି ଆଣ୍ଠୁଆ ଗୋପାଳ

ଆସ ଚନ୍ଦନ ଘେନି ଯା ହେଲା ପୂଜା ବେଳ ।

ଆରେ ମଦନ ଗୋପାଳ ପୁତ୍ର ବିନ୍ତାମଣି

ଆରେ ଗାଇବି ଭଜନ ବାଇଣ ଖଞ୍ଜଣି ।

ଆରେ ମୋ ନୀଳସୁନ୍ଦର ବ୍ରଜପୁର ଶଶୀ

ଆସ ମୋ କାନ୍ଧେ ବସିଣ ବଜାଇବୁ ବଂଶୀ ।

ଆରେ ନବ ଦୁର୍ବାଦଳ କରଣ ଶ୍ରୀଧର

ଝୁଲଣ ହାତୀ ମୋହର ସ୍ନେହ ଗନ୍ତାଘର ।

ଆରେ ନିରବ ବରଣ ଦ୍ୱିଜବର ହନ୍ତା

ଆରେ ଯାମଳା ଭଞ୍ଜନ କରୁ କେଉଁ ଚିନ୍ତା ।

ଏହିପରି ପୁତ୍ରଭାବେ ଚିନ୍ତାକରି ନନ୍ଦ

କେନ୍ଦୁବାଡ଼ି ଧରିଥାଏ ଦେଖିବ ଗୋବିନ୍ଦ ।

ଯଶୋବନ୍ତୀ ଶୋକ ଆଉ କେ ପାରିବ କହି

ଗୋପୀମାନଙ୍କର ଭାବ କହି ହେଉନାହିଁ ।

ପଦେ ପଦେ ଚାଲୁଛନ୍ତି ନ ଥାଏ ବିଶ୍ରାମ

ପନ୍ଦର ଯୋଜନ ପଥ କଲେ ଅତିକ୍ରମ ।

ଆଉ ଦୁଇଟି ଯୋଳନ ଅଛି ଯାଗ ଦୂର

ଚାଲୁଛନ୍ତି ବାଧୁନାହିଁ କାହାର ଶରୀର ।

ସର୍ବେ କୃଷ୍ଣ ବିରହରେ କୃଷ୍ଣ କୃଷ୍ଣ ହୋଇ

ଆଗ ବଢାଇଣ ପାଦ ଯାଉଛନ୍ତି ଧାଇଁ ।

ତରୁଲତା ଯେ ଶୁଣିଛି କୃଷ୍ଣ ପ୍ରେମ ହୋଇ

ଅନିମିଷ ନୟନରେ ରହିଥାନ୍ତି ଚାହିଁ ।

ଗୋପ ବାଳକ ବାଳିକା ଗୋପୀ ଆଦିକରି

କୃଷ୍ଣ ଦର୍ଶନକୁ ଧାଇଁଛନ୍ତି ବାଇ ପରି ।

ଯେତେବେଳେ ଅତିପ୍ରେମେ ମଜ୍ଜିଲେ ଗୋପାଳ

ପୁତ୍ର ପୁତ୍ର ଯଶୋବନ୍ତୀ ହେଉଛି ବିକଳ ।

କାନିରେ ବାନ୍ଧିଛି ସର ପୁଡ଼ିଆଟି ସ୍ନେହେ

ଖାଇବ ମୋ ପୁଅ କାଳେ ତଣ୍ଟି ଶୁଖିଯାଏ ।

ଅନାବିଳ ପ୍ରେମ ତାର ଆବିଳତା ନାହିଁ

ଅନ୍ତର୍ଯ୍ୟାମୀ କୃଷ୍ଣ ରହି ପାରିବେ ବା କାହିଁ ।

ଯଜ୍ଞ ବସିଥିଲେ କର୍ତ୍ତା ହୋଇ ନାରାୟଣ

ଜାଣିଲେ ନାରଦଙ୍କର ଅଟେ ଏ ଭିଆଣ ।

ଦେବତାଙ୍କୁ ଦେଖାଇବେ ମୋର ବାଲ୍ୟଖେଳ

ଦେବକୀ ମାତାଙ୍କ ଗର୍ବ ହୋଇବ ନିର୍ମଳ ।

ଏଥିପାଇଁ ମୁନି କରିଛନ୍ତି ଏ ହୁନ୍ଦର

କେତେ କଷ୍ଟେ କାନ୍ଦୁଛନ୍ତି ଜନନୀ ମୋହର ।

ବୃଦ୍ଧ ପିତାଙ୍କ ବିକଳ ସହି ନ ହେଉନାହିଁ

ଅତିକଷ୍ଟ ବାଡ଼ି ଧରି ଆସୁଛନ୍ତି ଧାଇଁ ।

ସ୍ଵଚ୍ଛ ମନେ ମାତା ଡ଼ାକେ କହ୍ନାଇ କହ୍ନାଇ

ବ୍ରାହ୍ମଣ ବେଦ ଓଁକାର କିଛି ଶୁଭୁନାହିଁ ।

ଖସି ପଡ଼ୁଛି ହାତରୁ ସଂକଳ୍ପ ଅକ୍ଷତ

ବସିଲା ସ୍ଥାନରେ ହେଉଅଛି ରୋମାଞ୍ଚିତ ।

ହାତ ଟେକୁଥାନ୍ତି ତାକୁ ରଖିଲା ପରାୟେ

ଗୁଣୁ ଗୁଣୁ ହୋଇ କିସ କହୁଥାନ୍ତି ବହେ ।

ଖଞ୍ଜାଉ ଯେପରି ହରି ନାମେ ହୁଏ ଭୋଳ

ମଦ ଖାଇ ମଦ ପିଇ ରାଜ୍ୟଲାଭ ଗୋଳ ।

ସେହିପରି ଶ୍ରୀକୃଷ୍ଣଙ୍କ ଅଥୟ ହୃଦୟ

ମାତୃଭାବ ଜାଗରିଲା ଦେହ ସମୁଦାୟ ।

ବାଟରେ ଯଶୋଦା ଦେବୀ ଦେଖିଣ ତମାଳ

ଶ୍ୟାମରୂପ ଭାବି ଧାଉଁଥାନ୍ତି କରି କୋଳ ।

ଆରେ ଶ୍ୟାମଘନ ମୋର ଏଡ଼େ ଅମାନିଆ

ଏଡ଼େ ଖରାରେ ହୋଇଛୁ ବଣଟାରେ ଠିଆ ।

ଯୁଗେ ହେଲା ଆସିଲୁଣି ଘରୁରେ କୁମର

କଳାକାଠ ପଡ଼ିଲାଣି ଶରୀର ତୋହର ।

ଏତେ କହି ଆଲିଙ୍ଗନେ ଧରନ୍ତି ତମାଳ

ବାୟାଣୀ ପରାୟ ସଦା ମତି ତା ଚଞ୍ଚଳ ।

ଦଶ ଦିଶ ଦିଶୁଛନ୍ତି କୃଷ୍ଣରୂପ ପ୍ରାୟେ

ଏତେ ଖରାରେ ମୋ ଛୁଆ ତଣ୍ଟି ଶୁଖିଯାଏ ।

ବିହ୍ୱଳିତ ଭାବରାଶି ହୋଇଣ ଉଦୟ

ପୁଣି ଲିଭି ଯାଉଅଛି ମୃଗତୃଷ୍ଣା ପ୍ରାୟ ।

ହତାଶାରେ ଦୀର୍ଘଶ୍ୱାସ ଛାଡ଼ିଲେ ଜନନୀ

ଆଉ କେତେ ପଥ ଅଛି ଜଣାତ ଯାଉନି ।

କେବା ପୁତ୍ରଭାବେ ଭୋଳ କେବା କହେ ଭାଇ

କିଏ ବା ପୁତୁରା ସ୍ନେହେ ଚାଲେ ପଥବାହି ।

ସହଜେ ଗୃହଚାରିଣୀ ସକଳ ଗୋପିକା

ଚାଲି ନାହାନ୍ତି ଜୀବନେ ଏତେବାଟ ଏକା ।

ବାଧୁନାହିଁ କାର ପଦ କହ୍ନାଇର ସ୍ନେହେ

ଗୋପପୁର ବାସୀ ପ୍ରେମେ ବର୍ଣ୍ଣିବ ବା କିଏ ।

ଏତେ ଧନ ଦାନ ଯଜ୍ଞବେଦ ଅଧ୍ୟୟନ

ଯଶୋଦାର ପୁତ୍ର ପୁତ୍ର ନିଷ୍କାମ ଭଜନ ।

ନିଷ୍କାମନା କର୍ମ ସଙ୍ଗେ ମାନସିକ ବ୍ରତ

ହୁଏ କି ସମାନ ଧର୍ମ ବୁଝିବେ ପଣ୍ଡିତ ।

ପୁତ୍ରକହି ନ ଖାଇ ସେ ଖୁଆଇଛି କ୍ଷୀର

କେତେ ନାତ ଖାଇ ମାତା ପୁତ୍ରପାଳେ ତାର ।

ନନ୍ଦ ଯଶୋଦା ଯେସନେ ଚକୋର ଚକୋରୀ

ଧାଇଁଛନ୍ତି କୃଷ୍ଣ ସ୍ନେହେ ନଦୀରେ ପହଁରି ।

ଜଗତ କରତା ତୋର ଜଗତ ରାହାସ

ବ୍ରହ୍ମା ଚାରିମୁଖ ଧରି ନ କରନ୍ତି ଶେଷ ।

ତୁ ତ ସକଳ କରତା ବ୍ରହ୍ମ ନିରାକାର

ଯଶୋଦା ଦେଖିଲେ ପାଟି ମାଟି ଭରିବାର ।

ପେଟ ଭିତରେ ବ୍ରହ୍ମାଣ୍ଡ ଆଦି ଚରାଚର

ଦେଖି ଯଶୋବନ୍ତୀ ମନେ କରନ୍ତି ବିଚାର ।

ବିରାଟ ପୁରୁଷ ଏ ତ ନୁହେଁ ମୋ କୁମର

ଭକ୍ତିରେ ଶିର ନଇଁଲେ ଯୋଡ଼ି ବେନିକର ।

ହେ ପୁରୁଷୋତ୍ତମ ଜଗଜ୍ଜନ ଚିନ୍ତାମଣି

ପୁତ୍ର ଭାବେ ସ୍ନେହକରେ ତୋତେ ଜାଣିଶୁଣି ।

ଶୁଣି ମାୟାଧର ମାୟା କରିଲେ ବିସ୍ତାର

ଭୁଲିଗଲା ସେହୁ କହି କୁମର କୁମର ।

ନନ୍ଦ ଦେଖିଲେ ଦିନେ ପୂଜା ଖଟୁଲିର

ସ୍ନାନସାରି ଶାଳଗ୍ରାମ ପୂଜିବା କାଳର ।

ଶାଳଗ୍ରାମ ଦେଖାଇଲେ କୃଷ୍ଣରୂପ ଧରି

ଶଙ୍ଖ ଚକ୍ର ଗଦା ପଦ୍ମ ଚତୁର୍ଭୁଜ ହରି ।

ଦିବ୍ୟଜ୍ଞାନ ପାଇ ବହୁ ସ୍ତୁତି ଆରମ୍ଭିଲେ

ପୁଣି ମାୟାରେ ମୋହିଲେ ନନ୍ଦ ମୋହଗଲେ ।

ରାସ କ୍ରୀଡ଼ାରେ ଗୋପୀଙ୍କୁ ଚତୁର୍ଭୁଜ ହୋଇ

ଦେଖାଇଲେ ସାରା ସୃଷ୍ଟି କରତାଟି ମୁହିଁ ।

ଗୋପୀଗୋଟିକେ ଗୋଟିଏ କୃଷ୍ଣରୂପ ହେଲେ

ଦେଖିଣ ବ୍ରଜ କାମିନୀ ପାପକୁ ଧ୍ୱଂସିଲେ ।

ଗୋପାଳ ଦେଖିଲେ ଇନ୍ଦ୍ର କୋପକଲା ବେଳେ

ଗୋବର୍ଦ୍ଧନ ଧଇଲେ ସେ କନିଷ୍ଠ ଅଙ୍ଗୁଳେ ।

ଏହିପରି ନାନାମତେ ପାଇ ଦରଶନ

କୋଟି ଜନ୍ମ ପାତକ ନାଶିଲେ ଗୋପଜନ ।

ଅନାବିଳ ପ୍ରେମେ କରିଛନ୍ତି କୃଷ୍ଣ ବିଶ

ତାଙ୍କ ପ୍ରେମରେ କାମନା ନାହିଁ ଭୋକଶୋଷ ।

ପୁତ୍ର ଦୁଇଭାଇ ବନ୍ଧୁ ସଖା କେବା ସ୍ୱାମୀ ପଣେ

ପୂଜନ୍ତି ଭାବରେ ସେହି ଶ୍ରୀକୃଷ୍ଣ ଚରଣେ ।

ଆହେ ଦୟାମୟ ପ୍ରଭୁ କମଳ ଲୋଚନ

ତୁମ୍ଭ ଶ୍ରୀଚରଣ ତଳେ ମାଗୁଅଛି ସ୍ଥାନ ।

କରି କୃପା କୃପାମୟ ଦେବ ଗୋପୀନାଥ

ସଂସାର ଜନ ବିଗ୍ରହ ଗ୍ରହ ହେ ପୂଜିତ ।

ଶ୍ରୀଗୁରୁ ଅଚ୍ୟୁତାନନ୍ଦ ପାଦ ପଦ୍ମ ସ୍ମରି

ଦୀନ ଇନ୍ଦ୍ରମଣି ସାହୁ କରଇ ଗୁହାରି ।

 

ନନ୍ଦ ଓ ଗୋପାଳମାନଙ୍କୁ ଯଜ୍ଞ ପ୍ରହରୀଙ୍କର ଅପମାନ
ଏବଂ ବାକ୍‌ଯୁଦ୍ଧ

ଏଥୁଅନ୍ତେ ଶୁଣ ଆହେ ରାଜା ପରୀକ୍ଷିତ

ଅତି ବିଚିତ୍ର ଅଟେ ଏ କୃଷ୍ଣ ରସ ଗୀତ ।

ନନ୍ଦ ଯଶୋଦା ଗୋପାଳ ଗୋପିନୀ ସକଳ

ପ୍ରଭାସ ଯଜ୍ଞ ପାଖରେ ହେଲେ ଯାଇଁ ଠୁଳ ।

ଶ୍ରୀକୃଷ୍ଣଙ୍କ ସଖାମାନେ ଦୂରୁ ଶୋଭା ଦେଖି

ଆନନ୍ଦେ ନାଚନ୍ତି ମନେ ହୋଇ କୋଟି ସୁଖୀ ।

ଦେଖଲୋ ସଙ୍ଗାତ ଆମ କୃଷ୍ଣ ହୋଇ ରାଜା

କରିଅଛି ଏ ଯାତରା ଉଡ଼ାଇଛି ଧ୍ୱଜା ।

ଦେଖ ଦେଖ ଆମ କୃଷ୍ଣ ଉଡ଼ାଏ ପତାକା

କରିଛି ଯାଗ ଯାତରା ଏଠି ଆସି ଏକା ।

ଦେଖ ଆମ ସଖା ଏଠି ଗଡ଼ ଘେରାଇଛି

ତାହା ଉପରେ ଚାନ୍ଦୁଆ ଦେଖ ଟଣାଇଛି ।

ଦେଖ ଦେଖ ଆମ ସାଙ୍ଗ ବଜାଉଛି ବାଜା

ଦେଖ ଆମ କଳା କୃଷ୍ଣ କଲା ସାଜସଜ୍ଜା ।

ମଧୁମଙ୍ଗଳ କହିଲା ବଣଭୋଜି କରି

ଖାଉଥିବ ଚାଲ ପରଷିବା ତରକାରୀ ।

ସୁଦାମ କହିଲା ସେ ତ ରାଜା ହୋଇଲାଣି

ସୁନା ମୁକୁଟ ପିନ୍ଧିଛି ଦେଖିବା ଏକ୍ଷଣି ।

ଦେଖ ଆସ ସଖା କେତେ ଖୁଆଏ ପରଜା

ଆମ୍ଭଙ୍କୁ ଦେଖିଲେ ଖେଳିବସେ ହୋଇ ରାଜା

ବଣେ ଖେଳୁଥିଲା ସିନା ବୃକ୍ଷଡାଳେ ଦୋଳି

ଏଠି କୋଠା ପାଟଡୋରି ଖେଳେ ବନମାଳୀ ।

ଆମେ ପଞ୍ଚାଇଣ ଦେବା ଦୋଳି ଗୀତ ଗାଇ

ଆମକୁ ଦେଖିଣ ସଖା ହରଷ ହେବଇଁ ।

ଆମ ସଖା ବସିଥିବ ଜଗତି ଉପର

ଆମେ ଚାମର ଢାଳିବା ପାଖରେ ତାହାର ।

ଆମ ସଖା ପିନ୍ଧିଥିବ ହୀରାନୀଳା ହାର

ଆମେ ମଲ୍ଲୀଫୁଲ ଦେବା ଦିଶିବ ସୁନ୍ଦର ।

ଆମ ସାଙ୍ଗ ଭାଙ୍ଗିଥିବ ତ୍ରିଭଙ୍ଗିମା ଜୁଡ଼ା

ଆମେ ତହିଁ ଖୋସିଦେବା ଗୋଲାପର ତୋଡ଼ା

ଆମ ସଖା ବଜାଇବ ସୁନାର ବଇଁଶୀ

ଆମେ ନାଚିବା ତାଥିଆ ହେବେ ସବୁ ଖୁସି ।

ବହୁ ଆନନ୍ଦ ହୋଇଣ ନାଚନ୍ତି ବାଳକ

ଗୋପୀମାନେ ଦେଖିବାକୁ ହୁଅନ୍ତି ଉତ୍ସୁକ ।

ପୁଣି ଦ୍ଵାର ସମ୍ମୁଖରେ ମିଳିଲେ ଗୋପାଳ

ଦଧି ଦୁଗ୍‌ଧ ଭାର ଥୋଇ ଦେଖନ୍ତି ସକଳ ।

ନନ୍ଦରାଜା ଆଗହୋଇ ସଦରକୁ ଯାଇ

କହିଲେ ପ୍ରହରୀ ଦ୍ଵାର ଛାଡ଼ ବେଗହୋଇ ।

ପ୍ରହରୀ କହିଲେ କୁହ ତୁମ୍ଭ ପରିଚୟ

ଅଚିହ୍ନ। ଲୋକି ଛାଡ଼ିବା ହୋଇବ ଅନ୍ୟାୟ ।

କହନ୍ତି ନନ୍ଦ ରାଜନ ଗୋପପୁର ବାସ

ମୋର ପୁତ୍ର ଯଜ୍ଞ କରୁଅଛି ପୀତବାସ ।

କହନ୍ତି ପ୍ରହରୀ ଆହେ ଗୋପପୁର ଜନ

ଏଠାରେ ଯଜ୍ଞ କରୁଅଛି ଦେବକୀ ନନ୍ଦନ ।

ଏ ଯଜ୍ଞେ ଅଛନ୍ତି ଯେତେ ଆମନ୍ତ୍ରିତ ଜନ

ତୁମ୍ଭ ଗୋପୁଏଥେ କେହି ନାହିଁ ତୋ ନନ୍ଦନ ।

ଶୁଣିଣ ଉତ୍ତର ଦେଲେ ଗୋପାଳ ରାଜନ

ମୋ ପୁତ୍ର କୃଷ୍ଣ କରୁଛି ଯଜ୍ଞ ଏହି ସ୍ଥାନ ।

ବାପ ବୋଲି କହି ନାହିଁ କାଳେ ହେବ ରାଗ

ଡରେ ଆମନ୍ତ୍ରଣ ନ କରିଣ କରେ ଯାଗ ।

ଭଲ କାମ କଲେ ବାପା ମାଆ କି ରାଗନ୍ତି

ମନ୍ଦ ନ କରୁ ବୋଲିଣ ମୁଖେ ଗାଳିଦ୍ୟନ୍ତି ।

ଶୁଣିଲି ମୁଁ ହିତ କାମ କରୁଛି ମୋ ପୁତ୍ର

ଡରେ ନ କହିଣ କାହିଁ ଲୁଚାଇଛି ଗାତ୍ର ।

କୃଷ୍ଣ ଯଜ୍ଞ କରୁଛିନା ସେ ମୋର ତନୟ

ଶୁଣି ପ୍ରହରୀ କହନ୍ତି ପାଗଳା କି କହ ।

ସେ ତ ରାଜାଙ୍କର ନାତି କ୍ଷତ୍ରୀୟ ନନ୍ଦନ

ତୁଗୋପାଳ ଗୋରୁ ଚରାଉ ବୁଲିଣ ବନ ।

ବାପ ହୋଇ ଜାଣିନାହୁଁ କାହିଁ ତୋ କୁମର

ବଣେ ଗୋରୁ ରଖୁ ରଖୁ ଖାଇଲେ ଅସୁର ।

ଖୋଜି ଖୋଜି ନ ପାଇଣ ରଜା ଘରେ ଆସି

ଦାବୀ କରୁଛୁ କୁମର ଯଜ୍ଞେ ଯିବୁ ପଶି ।

ରଜାଘର ଯଜ୍ଞ ଏହି ରାଜସୁତଙ୍କର

ହୁକୁମ ହୋଇଛି ଜଗିବାକୁ ସବୁ ଦ୍ଵାର ।

ଗୋପାଳ ମାନଙ୍କୁ ମନା ହୋଇଛି ଏ ଦ୍ଵାର

ବିନା ଆମନ୍ତ୍ରିତ ଯେଣୁ ଅଛି ଗୋପପୁର ।

ରାଜ କଟକଣା ଏଥେ ଆଦେଶ ପାଳନ

ନ କଲେ ହୋଇବ ଦଣ୍ଡ ଏଠାରେ କଠିନ ।

ତୁ ସବୁ ଗୋପାଳଙ୍କ ଗଉରବ ନାହିଁ

ବୋହୂମାନେ ଦାଣ୍ଡେ ହାଟେ ବିକୁଥାନ୍ତି ଦହି ।

ଶୁଣି ଜଣେ ଗୋପାଳ କହଇ ଆଗେ ଆସି

ବଡ଼ ସାହସେ ଖୋଳୁଛ ଜାତିଗୋତ୍ର ବସି ।

ରାଜାର ଚାକର ବୋଲି ବଡ଼କଥା କୁହ

ଆଦେଶ ଲଙ୍ଘିବୁ ଆମ୍ଭେ ରାଜା ଆଗେ କହ ।

ଶୁଣି ପ୍ରହରୀ କହିଲେ ବଡ଼ ତ ସାହସ

ମାଡ଼ ଖାଇ ହାଡ଼ ଭାଙ୍ଗି ଯିବ ଯଦି ପଶ ।

ଗୋପପୁର ହୋଇଛି କି ବୋହୂକୁ ପଠାଇ

ଛିଡ଼ା ହେଲେ ସବୁ ଦୋଷ ଯିବ ପାରହୋଇ ।

ଜାଣି ଶୁଣି ସଙ୍ଗରେ ଆଣିଛ ଦେଖାଇବ

ତାଙ୍କ ସଙ୍ଗେ କଥା ହେଲେ ତୁମ୍ଭେ ପାରହେବ ।

ଏ ମଥୁରାଗଡ଼ ଏଥେ ଯାଦବ କେଶରୀ

ସିଂହାସନେ ବସିଛନ୍ତି କରବାଳ ଧରି ।

ଆଦେଶ ଲଙ୍ଘନ କଲେ ଯୋଡ଼ାଯୋଡ଼ା ହୋଇ

ବଳରେ ଘଣା ପେଲିବା ଗୋଡ଼େ ମାଡ଼ଖାଇ ।

କ୍ଷତ୍ରିୟ କୁମର କୃଷ୍ଣ ଯଦୁ ଶିରୋମଣି

ଗୋପାଳ କହୁଛ ତୁମ୍ଭେ ମୁଖେ ନାହିଁ ପାଣି ।

ଯଶୋଦା ଦେବୀ କହିଲେ ଆଗକୁ ବାହାରି

ଜାତି ଗୋତ୍ର ହୋଇଥାଏ ଯାର ଯେଉଁପରି ।

ଯାହା ଜାତି ଗୋତ୍ର ବାବୁ ତାକୁ ସେହି ବଡ଼

ମୋର ପୁତ୍ର କୃଷ୍ଣ ବୋଲି କରୁଛି ମୁଁ ଦୃଢ଼ ।

ରାଜାଘର ଲୋକ କହି ପାର ଧମକାଇ

ସେଥିପାଇଁ ମାଆ ତାର ପୁଅ କି ଛାଡ଼ଇ ।

ଶୁଣି ପ୍ରହରୀ କହନ୍ତି ତୁ ତ ଗୋପାଳୁଣୀ

କୃଷ୍ଣଙ୍କୁ ପୁଅ କରିଣ ଗଣ୍ଠି ବାନ୍ଧିଲୁଣି ।

ଉଚ୍ଚବାଚ ହୋଇ ସଜ ହୋଇଲେ ଗୋପାଳ

ଛୋଟଲୋକ ମୁଖେ ସଦାଅଛି କଳିଗୋଳ ।

କଂସ ରାଇଜର ଏ ତ ନୃଶଂସ ପାଇକ

ଶିଖିଛନ୍ତି କଂସଠାରୁ କଟୁ କଥା ଯାକ ।

ଛାଡ଼ ବାଟ ଯିବୁ ଆମ୍ଭେ ଯଜ୍ଞ ଦେଖିବାକୁ

ନୋହିଲେ ଧକ୍‌କା ଦେଇଣ ଯିବୁ ଭିତରକୁ ।

କିସ ଗୋଳ ହେଲା ପ୍ରବେଶିଲେ ଉଗ୍ରସେନ

ଦେଖିଲେ କଳି କରନ୍ତି ଆସି ଗୋପିଜନ ।

ପ୍ରହରୀ କହିଲେ ଛାମୁ ରାଜସୁତାଙ୍କର

ମନାଅଛି ଗୋପପୁରବାସୀଙ୍କୁ ଏ ଦ୍ଵାର ।

ଉଗ୍ରସେନ ପଚାରିଲେ ଆହେ ରାଜା ନନ୍ଦ

ଆମନ୍ତ୍ରଣ ପାଇଛ କି ମିଛେ କର ଦ୍ୱନ୍ଦ ।

ନନ୍ଦ କହିଲେ ମୋ ପୁତ୍ର ଜାଣ ତ ରାଜନ

ଆମନ୍ତ୍ରଣ ନ ଦେଲେ କି ହେବି ହତମାନ ।

ଉଗ୍ରସେନ କହିଲେ ଏ ବରଜ ରାଜନ

କାହା ପୁତ୍ର କୃଷ୍ଣ କିଏ ବୁଝୁଛି ଏମାନ ।

ଅସମୟେ ବସୁଦେବ ଆସିଥିଲା ଛାଡ଼ି

ଏବେ ତ ଆଣିଲା ତୁମ୍ଭେ କିମ୍ପା ଆସ ଲୋଡ଼ି ।

ସହଜେ ଆମ୍ଭେ କ୍ଷତ୍ରୀୟ ତୁମ୍ଭେ ତ ଗୋପାଳ

ନିଜ ମର୍ଯ୍ୟାଦା ନ ଜଗି ବୃଥା କର ଗୋଳ ।

ଉଗ୍ରସେନଙ୍କୁ ଅନାଇ ଦେବୀ ଯଶୋବନ୍ତୀ

ପୁତ୍ର ଶୋକ ଦୀର୍ଘଶ୍ୱାସ ଛାଡ଼ି କହୁଛନ୍ତି ।

ଥରୁଛି ଅଧର ଶୁଣି ହତାଶର ବାଣୀ

ଝର ଝର ନୟନରୁ ଝରିପଡ଼େ ପାଣି ।

ଦୁଇ ଚକ୍ଷୁରୁ ବାହାରେ କିବା ଅଗ୍ନିକଣା

ଜାଳିଦେବ ମଥୁରାକୁ ଆସେ କଳପଣା ।

ଶୁଷ୍କ ପୋଖରୀରୁ ନୂଆ ଜଳସ୍ରୋତେ ମୀନ

ଆନନ୍ଦେ କରଇ ଅନ୍ୟ ପୋଖରୀ ଗମନ ।

ଜାଲୁଆ ଧରିଲେ ଯେହ୍ନେ ହୁଏ ଛଟ ପଟ

ସେହିପରି ଯଶୋଦାର ହେଲା ପୁତ୍ର କଷ୍ଟ ।

ନାସ୍ତି ବାଣୀ ଦେଲେ ଉଗ୍ରସେନ ନରବର

କିଏ ବା ସହିବ ଧରି ଜନନୀ ଶରୀର ।

ବାଘୁଣୀ ପରାଏ ଦେବୀ ଛାଡ଼ି ଦୀର୍ଘଶ୍ୱାସ

ଡାକନ୍ତି କାହ୍ନୁରେ ଥରେ ମୋ କୋଳକୁ ଆସ ।

କିଏ ସେ ନେବ ଦେଖିବି ମୋ ଛୁଆ ଛଡ଼ାଇ

ଏଡ଼େ ଶକତି କାହାର ଆସିବ ଏଠାଇ ।

ତୁମ୍ଭ ପରା ରାଜା ହୋଇଅଛ ଉଗ୍ରସେନ

ସତ୍ୟ ଶାନ୍ତିରେ କରୁଛ ଦେଶକୁ ଶାସନ ।

କଂସ ଅନୀତି କରିଣ ନିଜେ ପଡ଼ି ମଲା

ତୁମ୍ଭେ କେଉଁ ନୀତି କରି ଛଡ଼ାଇଣ ପିଲା ।

ଗୋପପୁର ସାରା ନିଅ ନାହିଁ ଦରକାର

ଧନ ରତନ ଯେତେକ ସ୍ଥାବରା ସ୍ଥାବର ।

ଗୋରୁଗାଈ ଆଦି ଯାହା ଅଛଇ ବିଭବ

ରାଜପଣ ହରିନିଅ ମୋ ଦେହ ସହିବ ।

କେବଳ ଫେରାଇ ଦିଅ କୁମର ମୋହର

କାଖେ ଧରି ଚାଲିଯିବି ହୋଇ ଦେଶାନ୍ତର ।

ପରପୁତ୍ର ଛଡ଼ାଇଣ ହେବ ବଡ଼ଲୋକ

ଯଶ ବଦଳରେ ସିନା ଶୁଭୁଥିବ ଧିକ ।

ପ୍ରଜା ପରିଶ୍ରମ ଧନ କୌଶଳେ ହରିଣ

ତାହାରି ଆଗେ ଦେଖାଉଥିଲେ ବଡ଼ପଣ ।

ସେ ପ୍ରଜା ମୁହଁରୁ ବାହାରଇ ହା ହୁତାଶ

ଦିନେ ତା ଧର୍ମରୁ ହୁଏ ବଡ଼ଲୋକ ଧ୍ୱଂସ ।

ଆଖିରେ ଦେଖିଲ ପରା କଂସ ପରି ରାଜା

ଅକାଳେ ଗଡ଼ି ପଡ଼ିଲା ପାଇ ଦୈବ ସଜା ।

ସହଜେ ମୁଁ ନାରୀ ମୋର ସେତକ ସମ୍ବଳ

ମୋ ସନ୍ତାନ ଦେଇ ପଛେ କରୁଥାଅ ଗୋଳ ।

ଅନ୍ଧୁଣୀର ବାଡ଼ି ମୋର ନୟନ ପିତୁଳା

ତଡ଼ି ନ ଦେଇ ହେ ରାଜା କାଟିଦିଅ ଗଳା ।

ମୁଁ ରଙ୍କୁଣୀ ସେହି ମୋର ରତନ ଭଣ୍ଡାର

ଛଡ଼ାଇଲ ହତାଶରେ ଜୀବ ଯିବ ମୋର ।

ଜୀବନ ନେବାକୁ ମୋର ଯଦି ଥାଏ ମନ

ହାତେ ଧରିଅଛି ଖଣ୍ଡା କାଟ ହେ ରାଜନ ।

ଥାଉଁ ଥାଉଁ ଜୀବ ସଙ୍ଖାଳିକୁ ନ ଛାଡ଼ିବି

ସାହା ଇଚ୍ଛା ତାହା କର ନିଜେ ଭାବି ଭାବି ।

ଆସରେ କହ୍ନାଇ ମୋର ରଙ୍କୁଣୀ ପସରା

ଆସ କଳାଚାନ୍ଦ ମୋର ନୟନର ତାରା ।

ଡିମ୍ବ ଥିଲୁ କେତେ ଦୁଃଖେ ମୁହିଁ ଫୁଟାଇଲି

ପେଟକୁ ନଖାଇ ତୋତେ ଖାଦ୍ୟ ଯୋଗାଇଲି ।

କେତେ ବସି ଜଗିଥିଲି ଉଜାଗର ହୋଇ

କେତେ ଦିଅଁ ପୂଜିଥିଲି ବଡ଼ହେବା ପାଇଁ ।

କେତେ ସହିଥିଲି ବାପ ତୋ ପାଇଁ କଷଣ

ପକ୍ଷ ଲାଗିଲା ଉଡ଼ିଣ ଗଲୁ ଅନ୍ୟ ସ୍ଥାନ ।

ଆରେ ନୟନ ପିତୁଳା ମୋ କାଳିଆ ହାତୀ

କେଉଁ ଦୋଷ କଲି ବାପ ଲୁଚିଥିଲୁ ଏଥି ।

ମୁଖ ଦେଖି ଦୁଃଖ ଭୁଲି ଦେଖାଦିଏ କ୍ଷୀର

ନ ଖାଇଣ ଥୁ ଥୁ କରି ଫିଙ୍ଗୁ ମୋ ଉପର ।

ଭୋକ କରିବଣି ବାପ କେଣେ ଅଛୁ ରହି

ସଖା ତୋର ଡାକୁଛନ୍ତି ଲୁଚିଛୁରେ କାହିଁ ।

ଆରେ ମୋ କାଳିଆ ହାତୀ ଗଳା ଗଣ୍ଠିଧନ

ଝୁଲି ଝୁଲି ଆସ ବାପ ଦେଖିବ ନୟନ ।

କଳା ମାଣିକରେ ମୋର କାଳିଆ ସୁନ୍ଦର

କିଏ କାଟିନେଲା ମୋର ଗଳାରତ୍ନ ହାର ।

କେଉଁଠି ରହିଛୁ ମୋର ପ୍ରାଣ କାନ୍ଦିଲାଣି

ଆସ ବାପ ଖାଇ ଯାଅ ଆରେ ନୀଳମଣି ।

ଆହେ ଉନକୋଟି ଦିଅଁ ଈଶ୍ଵରୀ ଈଶ୍ଵର

ରିଷ୍ଟ ପଡିଲା କି ମୋ କାହ୍ନୁକୁ ରକ୍ଷାକର ।

ଶେଯ ଛୁଆ ବେଳୁ କେତେ ଅରିଷ୍ଟି ପଡିଲା

ମଙ୍ଗଳାଙ୍କ ପରସାଦୁ ସବୁ କଟିଗଲା ।

ଯଦି ସନ୍ତାନ ମୋହର ଖାଇବାକୁ କ୍ଷୀର

ଏତେବେଳେ ନ ଆସିଲେ ମରଣ ମୋହର ।

ରୁଷିଛୁ କି କେଉଁ ଖେଳନାକୁ ତୋ ଆଦର

କହିଲେ ଅଣାଇ ଦେବି ଆସ ମୋ କୁମର ।

ଅମାନିଆଁ ହେଲୁ କିରେ ମୋର ଗଳାମାଳୀ

ବଳରାମ ଦେଇଛି କି ତୋତେ ଆଜି ଗାଳି ।

ସେଥିପାଇଁ ଅଭିମାନେ ଲୁଚିଛୁରେ ଧନ

ଆସି ତୋ ପିତାଙ୍କୁ କହି ବୁଝିବା ବହନ ।

ଭାଇ ଭାଇ କଳିକରି ଏଡ଼େ ଅଭିମାନ

ନିତି କାମୁଡ଼ା କାମୁଡ଼ି ପୁଣି ତାକୁ ମାନ ।

କିବା ସାଙ୍ଗମାନେ ତୋତେ ଦେଇଛନ୍ତି ଗାଳି

ସେଥିପାଇଁ ରୁଷିଛୁରେ ମୋର ଗଳାମାଳି ।

ପୁନେଇ ଚନ୍ଦ୍ରମାପରି ମୋ କାଳିଆ ଚାନ୍ଦ

ବାପ କନ୍ଧେ ବସି ମାଗିବୁରେ ଦିଅ ଚାନ୍ଦ ।

ଚନ୍ଦ୍ରଜିଣା ବଦନ ମୋହର କୃଷ୍ଣଚନ୍ଦ୍ର

ମୟୂର ଚନ୍ଦ୍ରିକାଚୂଡ଼ା ମୋ ଗୋପନରେନ୍ଦ୍ର ।

ଧୂଳିଖେଳେ ଭାଙ୍ଗିଥିବ ତୋର ମଥା ଜୁଡ଼ା

କୁଣ୍ଡାଇ ସଜାଡ଼ି ଦେବି କେତକୀର ଜୁଡ଼ା ।

ଶ୍ୟାମଳ ମୁଖରେ ଚନ୍ଦନ ଟିପା ଦେଇ

ଅର୍ଦ୍ଧଚନ୍ଦ୍ର ପରି ବାପ ଦେବିରେ ସଜାଇ ।

ଟିପା ସଙ୍ଗେ ଗୋରଚନା କଲି କାଟିବଇଁ

ନାଚୁଛି ସଞ୍ଜୁଆ ସୁନା ବଇଁଶୀ ବଜାଇ ।

ସକଳ ଚକ୍ଷୁରେ ଦେବି କଜ୍ୱଳର ଗାର

ବଙ୍କା ଆଖି କଜ୍ଜ୍ୱଳ ଦିଶିବ ଧନ ତୋର ।

କାନକୁ କୁଣ୍ଡଳ ଖଞ୍ଜି ଦେବି ଧନ ତୋର

ଝୁଲାଇବି ଖଟୁଲିରେ ମଧ୍ୟାହ୍ନ ଖରାର ।

ହାତରେ ସୁନାବଳୟ ପାଦରେ ନୂପୁର

ଶୁଭି ଯାଉଛିରେ ଧନ ଆଜି ମୋ କର୍ଣ୍ଣର ।

ପିନ୍ଧାଇବି ପୀତବାସ ପୀତ ପଟାନ୍ତର

କାନ୍ଧରେ ଉତ୍ତରୀ ଦେବି ହରିତ ରଙ୍ଗର ।

ତାଳି ମାରିଣ ବାପରେ ବଇଁଶୀ ବଜାଇ

ବଳରାମ ସଙ୍ଗେ ନାଚ କରିବୁ କହ୍ନାଇ ।

ଆସରେ କାଳିଆ ସୁନା ବ୍ରଳ ଯୁବରାଜ

ଖାଇନାହୁଁ ଧନ କମି ଯିବଣି ତୋ ତେଜ ।

କୋଳେ ଧରି ଖୁଆଇବି ଖାଇବୁରେ କ୍ଷୀର

ଆସ ବାପ କେଣେ ଅଛୁ ଗୋକୁଳ ସୁନ୍ଦର ।

ଦଣ୍ଡେ ଗଲେ ଯୁଗପରି ଲାଗେ ବାପ ମୋତେ

କୋଟିଯୁଗ ଗଲାଣିରେ ବଞ୍ଚିବି କେମନ୍ତେ ।

କେଉଁଠାରେ କାହ୍ନୁ ତୋତେହେଲା କିରେ ଜ୍ୱର

ତୋ ରୋଗ ବିଯୋଗ ଝାଡ଼ିଦିଏ ମୋ ଶରୀର ।

କୋଇଲିପରି ତୋ ତୁଣ୍ଡ ମାଆ ମାଆ ଡାକ

କାନକୁ ଶୁଭିଲେ ଛାତି ହୁଏ ଦକ ଦକ ।

ବାପ ତୋର ଚିନ୍ତାକରି ଉଠି ପାରୁନାହିଁ

କେତେ ଯୁଗ ହେଲା ମୁହିଁ ଛପାଇବୁ କାହିଁ ।

କୋଳିବିକା ଆସିଛିରେ ଧାନ ନେଇ ଧାଉଁ

ଆକଟି କହିଲେ କାନ୍ଦି ଧୂଳି ପରେ ଶୋଉ ।

ଧୂଳି ଝାଡ଼ି କୋଳକରି କିଣି ଦିଏ କୋଳି

ଗୋଟେ ଖାଇ ମୁଠେ ଫିଙ୍ଗି କରୁଥାଇ କଳି ।

ଶ୍ୟାମଳି ଧବଳି ଗାଭୀ ଛାଡ଼ିଲେଣି ଘାସ

ସବୁବେଳେ ଖୋଜିବୁଲ ନ ଆସନ୍ତି ବାସ ।

ବାଛୁରୀ ସଙ୍ଗରେ ବାବୁ ଖେଳୁଥାଉ ଖେଳ

କ୍ଷୀର ଖାଇବାକୁ ତୋତେ ଅଣ୍ଟେ ନାହିଁ ବେଳ ।

ଆସ ବାପ ଗୋବିନ୍ଦରେ ମୋ ଗୋଷ୍ଠଚନ୍ଦ୍ରମା

ତୋତେ ନେଇ ସବୁ ଛାଡି ଯିବି ଦେଶସୀମା ।

ଆସରେ ଗୋଷ୍ଠ ଚନ୍ଦ୍ରମା ଗୋକୁଳ ତିଳକ

ନୟନେ ଦେଖିଲେ ତୋତେ ପାଶୋରିବି ଦୁଃଖ ।

କାଇଁଚି ମାଳିଆ ଆରେ ଗୋକୁଳ ସମ୍ରାଟ

ଇନ୍ଦ୍ର ବିବାଦରେ ଗୋପେ ପଡ଼ିଲାରେ ରିଷ୍ଟ ।

କିଏ ଧରିବ ମନ୍ଦର ରେ ଗୋକୁଳଚନ୍ଦ୍ର

ତୋ ଦେଖନ୍ତେ ଗୋପପୁର ହେଲାରେ ସମୁଦ୍ର ।

ସୁଦାମ ତୋ ସାଙ୍ଗ ତୋଳିଛିରେ ଜାମୁକୋଳି

ଖାଉନାହିଁ କୃଷ୍ଣ କୃଷ୍ଣ ଛାଡ଼ିଛି ବୋବାଳି ।

ଗୋପୀମାନେ ସରପୁଳି କାକରାକୁ ଧରି

ଆସି ଡାକୁଛନ୍ତି ଆରେ ବ୍ରଜପୁର ଶିରୀ ।

ଅଜା ବୁଢ଼ା ଡାକିଛିରେ ତୋ ରୂପ ଦେଖିବ

ଆସରେ କାଳିଆହାତୀ ମୋ ଗୋକୁଳ ସର୍ବ ।

ଦୁଃଖିନୀର ଧନ ମୋର ନୟନ ପିତୁଳା

ଶୁଖିନି ମୋ ତଣ୍ଟି କିମ୍ପା ପଡୁ ନାହିଁ ଗଳା ।

ଫାଟି ନ ଯାଏ ମୋ ଛାତିଏ ପୋଡା ଜୀବନ

ରହିଲା ଶୁଣିଣ କେତେ ମାନ ଅପମାନ ।

ଆରେ ଧନ ନୀଳହାତୀକୁ କାହିଁ ରହିଛୁ

କେଉଁ ଅଭିମାନେ ବାପ ମୁହଁ ଛପାଇଛୁ ।

ଶୁଖି ଯିବଣିରେ ବାପ ତୋହର ଅଧର

କିଏ କାହିଁ ରଖାଇଲା କରି କି ମନ୍ତର ।

ଆସ ବାପ କଳାଚାନ୍ଦ ଚାନ୍ଦମୁଖ ତୋର

କାଳି ପଡିବଣି କିଏ ଦେଉଥିବ କ୍ଷୀର ।

ମୋ କାଳ ହେଲା ଅକ୍ରୂର କଂସଦୂତ ହୋଇ

ଆଣିଲା କୋଳରୁ ମୋର ପୁଅକୁ ଛଡ଼ାଇ ।

ଶୁଖିଯିବଣି ମୋ ପୁତ୍ର ହେବଣି ଦୁର୍ବଳ

କିଏ ମନ ଜାଣି ତୋର ସହିବ ଜଞ୍ଜାଳ ।

ଖାଇବାର ବେଳେ ଫିଙ୍ଗି ଥୁ ଥୁ ଥୁ ଥୁ କରି

କିଏ ବସି ଖୋଉଥିବ ଆହୁରି ଆହୁରି ।

ଆରେ ବାପ କଳାଚାନ୍ଦ ମୋ ଅଧା ବାଇଆ

ଆ‘ ବାପ କ୍ଷୀର ଖାଇ କୋଳେ ବସି ଯାଆ ।

ତୋ ଲାଗି ଯମୁନାଜଳ ହୋଇଛି ନିଶ୍ଚଳ

ଡାକୁ ନାହିଁ ବୃନ୍ଦାବନେ ଆଉ ସେ କୋକିଳ ।

କେଉଁ ଦୋଷ ଦେଖି ମୋରରେ କଳାମାଣିକ

ଲୁଚାଇଛୁ ବାପ ତୋର କାଳିଆ ଶ୍ରୀମୁଖ ।

କେଉଁ ଜନ୍ମେ କାର ପୁତ୍ର ଆଣିଲି ଛଡ଼ାଇ

ସେହି ପାପେ ପାପିନୀକୁ ତୁ ଛୁଇଁଲୁ ନାହିଁ ।

କାହେ ମୁଖେ ଦେଇଥିଲି ଭୋଜନରେ ବିଷ

ଆତ୍ମଘାତିନୀରେ ଦେଖିଣ ଛାଡ଼ିଗଲୁ ପାଶ ।

କାର ଗଳା କାଟିଥିଲି ଜୀବ ଥାଇଁ ତାର

ଛଟପଟ ହୋଇଥିଲା ମରଣ ବେଳାର ।

ସେହି ଦୋଷେ ଛଟପଟ କଲୁକି କହ୍ନାଇ

ମହାପାପିନୀର କେଭେ ଗଛ ଫଳେ ନାହିଁ ।

ତୁହି ଫଳ ଫଳି ନିଜେ ଦେଲୁ ଗଳେ ଖୁର

ତ୍ରିଭୁବନକୁ ଅଲଗା କଲୁ ଗୋପପୁର ।

କହିଯାରେ ଥରେ ଆସି ମୋର କଳାହାତୀ

କରିଅଛି କାହାର ମୁଁ କେଉଁଠି ଅନୀତି ।

ଆସରେ କହ୍ନାଇ ମୋର ଆଣ୍ଡୁଆଗୋପାଳ

ମାଆ ମାଆ କହି ଥରେ ହୋଇଯାଅ କୋଳ ।

ଶୁଖିଗଲାଣି ତୋ ମୁଖ ଦିଶେ ମୋ ଆଖିର

କେଉଁ ପାପେ ପାପିନୀକୁ କରିଦେଲୁ ପର ।

ମୁଁ ତ ଜାଣିବାରେ ପାପ କେଭେ କରିନାହିଁ

କେତେ ଉପାସନା ଫଳେ ଆସିଥିଲୁ ତୁହି ।

କେତେ ଦିଅଁ ଦେବତାଙ୍କୁ ମୁହିଁ ସେବିଥିଲି

ନିଶି ଉଜାଗରେ ଶିବ ଦେଉଳେ ରହିଲି ।

ମାସ ମାସ ପାଳିଥିଲି ବରତ ହବିଷ

ମନ ଘେନି ଦେଲେ ତୋତେ ସେହି ଉମାଈଶ ।

ଆଠବାରେ ଚାରିଦିନ କରେ ଉପବାସ

କେତେ ଧେନୁଦାନେ ତୋତେ ପାଇଲିରେ ଶିଷ୍ୟ

ଆଜି ସେ ସୁଖରେ ବାପ ଦେଲୁରେ ପାହାର

ତିନି ଭୁବନୁ କାଟିଲେ ନାଆଁଟି ମୋହର ।

ମଥୁରା ପ୍ରହରୀଠାରୁ କିଏ ନୀଚ ଲୋକ

ଧିକ ଜୀବନରେ ଗାଳି ଶୁଣିଲି ଅନେକ ।

ସେଥିରେ କି ବାପ ମୋର ପାପ କଟି ନାହିଁ

ଆଉ କି ପ୍ରାଶ୍ଚିତ ମୋତେ କହରେ କହ୍ନାଇ ।

ସବୁ ଭୁଲିଯିବି ବାପ କୋଳେ ଆସ ମୋର

କେଉଁ ଅପରାଧେ କାହିଁ ରହିଛୁ କୁମର ।

ଆହାରେ କଳାମାଣିକ ଗଳା ରତ୍ନହାର

କିଏ କରିଛି କହି ମା ଦୋରହା ତୋହର ।

ଆହେ ରାଜା କରିବ ତ ସୁନୀତି ବରଣ

ସାମ ଦାନ ଭେଦ ଦଣ୍ଡ ନୀତିର ଭୂଷଣ ।

ସମାନ ଚକ୍ଷୁରେ ସର୍ବ ପ୍ରଜା ଚଳାଇବ

ଦୁର୍ନୀତି ସଂହାର ନୀତି ବଜାଏ ରଖିବ ।

ସମସ୍ତେ ତୁମ୍ଭ ସନ୍ତାନ ଜନକ ପରାୟେ

କରୁଥିବ ପକ୍ଷହୀନ ହୋଇ ସତ୍ୟ ନ୍ୟାୟେ ।

ଦାନ ଅର୍ଥ ଦୁର୍ନୀତି ଶତ୍ରୁର ଶିରଚ୍ଛେଦ

ଭେଦ କରିବ ସନ୍ଦେହ ହେଲେ ତବ ହୃଦ ।

ଦୋଷୀକୁ ଦଣ୍ଡ ବିଧାନ କରିବ ବିଚାରି

ମୁଁ ତ ପ୍ରଜା ପରତ ଧରିଛ ଦଣ୍ଡଧାରୀ ।

କିଏ ନ ଜାଣେ ଶ୍ରୀକୃଷ୍ଣ ମୋହର କୁମର

କିଏ ନ କହେ ରଥରେ ଆଣିଛି ଅକ୍ରୂର ।

କିଏ ନ କହିବ କୃଷ୍ଣ ଯଶୋଦ କୁମର

କିଏ ନ କହିବ ବନମାଳୀ ଗିରିଧର ।

କିଏ ନ କହିବ ବ୍ରଜ ଧୂଳିଆ ଗୋବିନ୍ଦ

କିଏ ନ କହିବ ଶ୍ୟାମ ଶ୍ରୀ ଗୋକୁଳାନନ୍ଦ ।

କିଏ ନ କହିବ ଶ୍ରୀଗୋପାଳ ଗୋପୀନାଥ

କିଏ ନ କହିବ ବୃନ୍ଦାବନ କଳାନାଥ ।

କିଏ ନ କହିବ ଗୁଞ୍ଜ କାଇଁଚ ମାଳିଆ

କିଏ ନ କହିବ କାହ୍ନା ଯମୁନା କୂଳିଆ ।

କିଏ ନ କହିବ ନନ୍ଦ ନନ୍ଦନ ବଦନ

କିଏ ନ କହିବ ନନୀ ଚୋରା ଜନାର୍ଦ୍ଦନ ।

ଏତେ ନାମ ମୋ କୁମର କିଏ ମିଛ ହେବ

ଆଜି ଶ୍ରୀକୃଷ୍ଣ କ୍ଷତ୍ରୀୟ ମୋତେ ନ ଛୁଇଁବ ।

ରାଜା ହୋଇ ଯଦି ରାଜ୍ୟେ କରିବ ଅନ୍ୟାୟ

କାହାଠାରୁ ପ୍ରଜାମାନେ ପାଇବେ ବା ନ୍ୟାୟ ।

କରୁନାହିଁ ଅଭିଯୋଗ ନ କରେ ମୁଁ ନ୍ୟାୟ

ବିନତି କରୁଛି ରାଜା ଦିଅ ମୋ ତନୟ ।

ଆରେ କାହ୍ନୁ କେଉଁଠାରେ ରହିଛୁରେ ତୁହି

ଏତେ ଡାକିଲଣି ଡାକ ତୋତେ ଶୁଭୁ ନାହିଁ ।

କିବା ଏ ମଥୁରାପୁରେ ନାହିଁରେ ତନୟ

କେଉଁ ଦୂର ଦେଶକୁ ଯାଇଛୁ ନିଶ୍ଚୟ ।

କପଟ କରିଅଛନ୍ତି ମଥୁରାର ଲୋକ

ପର ଛୁଆ ଛଡାଇ ପାଇବେ କେଉଁ ସୁଖ ।

କାନେ ଶୁଣିଥିଲି କଂସ ମଲା ପାପ ଗଲା

ଏବେ ଦେଖୁଛି ତାହା ତ ବିପରୀତ ହେଲା ।

କଂସ ଆଦେଶ ଦେଇଣ ଶେଯ ଛୁଆ ମାରି

କରିଲା ବହୁତ କୀର୍ତ୍ତି ଏ ମଥୁରା ପୁରୀ ।

ଏବେ ତାହାର ପ୍ରଭାବ ଏଠାରେ ରହିଛି

ଛୁଆ ଛଡ଼ାଇ ରଖିବା ଅନୀତି ହେଉଛି ।

ଆସ ବାପା କଳାଚାନ୍ଦ ନ ଇହ ଏ ପୁର

ଏଠାରେ ଅଛଇ କଂସ ପ୍ରେତ କରି ଘର ।

ପ୍ରହରୀଠାରୁ ରାଜାଙ୍କ ମୁଣ୍ଡ ବିଗାଡ଼ିଲା

ବଡ଼ଲୋକରେ ଦୁର୍ନୀତି ଛପିଣ ରହିଲା ।

ଆସରେ ରଙ୍କୁଣୀଧନ ବ୍ରଜ ନଟବର

ତୋତେ ଧରି ମୁହିଁ ଭୁଲିଯିବି ଦୁଃଖ ମୋର ।

ପୁତ୍ର ଶୋକେ ପାଗଳିନୀ ପରି ଯଶୋବନ୍ତୀ

କଳାଚାନ୍ଦ କଳାଚାନ୍ଦ ହୁରି ଛାଡୁଛନ୍ତି ।

ଯଶୋଦାଙ୍କ ପୁତ୍ର ଶୋକ ଅନ୍ତର କ୍ରନ୍ଦନ

ନୀରବେ ବହିଲା ଧୀର ମଳୟ ପବନ ।

ଯମୁନାର ଜଳ ହେଲା କୃଷ୍ଣ ପ୍ରେମେ ମଗ୍ନ

ସେ କ୍ରନ୍ଦନେ ସ୍ଥିର ହେଲା ଗଗନ ପବନ ।

ବୃକ୍ଷଲତା ରାଜି ପଶୁପକ୍ଷୀ ହେଲେ ସ୍ଥିର

ଜନନୀ ପୁତ୍ରର ଶୋକେ ସରବେ ଅଧୀର ।

ଗୋପୀ ଗୋପିକା ଗୋପାଳ ସୁଦାମ ସୁବଳ

ସମସ୍ତେ କରନ୍ତି କୃଷ୍ଣ ନାମରେ ଚହଳ ।

ଶ୍ରୀଗୁରୁ ଅଚ୍ୟୁତାନନ୍ଦ ଦାସଙ୍କ କୃପାରେ

ଦୀନ ଇନ୍ଦ୍ରମଣି ସାହୁ ସେ ନାମକୁ ଧରେ ।

 

Unknown

ଦେବକୀ ବସୁଦେବ ସହିତ ନନ୍ଦ ଯଶୋବନ୍ତୀଙ୍କ
ପୁତ୍ର ପାଇଁ କଳହ

ପଚାରନ୍ତି ପରୀକ୍ଷିତ ଶୁଣ ମୁନିବର

ତବ କୃପାରୁ ଶୁଣିଲି କୃଷ୍ଣରସ ସାର ।

ଶ୍ରୀକୃଷ୍ଣ ତ ଅନ୍ତର୍ଯ୍ୟାମୀ ଅଟନ୍ତି ଶାଶ୍ୱତ

ପୁତ୍ରଶୋକେ ଯଶୋବନ୍ତୀ ନନ୍ଦ ଆକୁଳିତ ।

ଗୋପାଳ ଗୋପୀ ନିଜର ସଖା ସହୋଦର

ସରବେ ଡାକନ୍ତି କୃଷ୍ଣ ଆସ ହେ ସତ୍ୱର ।

ବହୁଦୂରେ ନାହାନ୍ତି ତ ଅତି ନିକଟରେ

କିମ୍ପାଇଁ ଯାଇ ନାହାନ୍ତି କେଉଁ ଉଦ୍ଦେଶ୍ୟରେ ।

ଶୁଣି ସାହସେ କହନ୍ତି ବ୍ୟାସଙ୍କ ନନ୍ଦନ

ଯଜ୍ଞରେ ଦୀକ୍ଷିତ ଛନ୍ତି ରାଜୀବ ଲୋଚନ ।

କର୍ତ୍ତାରୂପେ ଦେଉଛନ୍ତି ବହ୍ନିଙ୍କୁ ଅକ୍ଷତ

ହବ୍ୟାଧାରା ସମର୍ପନ୍ତି ତହିଁ ପୁରୋହିତ ।

କାଳ ନିୟମରେ କରିଛନ୍ତି ଯେ ସଂକଳ୍ପ

ପୂର୍ଣ୍ଣ କରିବେ ଅଖଣ୍ଡ ଆହୁତି କଳାପ ।

ଯଜ୍ଞଠାରେ ଲାଗୁନାହିଁ ଶ୍ରୀକୃଷ୍ଣଙ୍କ ମନ

ଜନନୀ କ୍ରନ୍ଦନ ଧ୍ୱନି ବାଜୁଅଛି କର୍ଣ୍ଣ ।

କଠୋର କର୍ତ୍ତବ୍ୟ ବ୍ରତ ନିରୁପାୟ ହୋଇ

ରହିଛନ୍ତି ନାରାୟଣ ସମସ୍ତଙ୍କୁ ଚାହିଁ ।

ଏ ବେଳେ ଦେବର୍ଷି ଯାଇଁ ଦେବକୀଙ୍କ ପାଶ

କହିଲେ ଗୋ ମାତ ଛାଡ଼ ତୁହି ପୁତ୍ର ଆଶ ।

କହିଥିଲି ଗୋପାଳେ କରିବେ ଅତ୍ୟାଚାର

ଦେଖ ପ୍ରବେଶି ଯଶୋଦା ତୋ ସିଂହଦୁଆର ।

ସାରା ଗୋପର ଗୋପାଳ ସଙ୍ଗତରେ ଧରି

ଆସି ସିଂହଦ୍ୱାରେ ତୋର ପକାନ୍ତି ସେ ହୁରି ।

ଶୁଣି ଦେବକୀ ଗର୍ବରେ ହୋଇଣ ଅଧୀର

ବସୁଦେବଙ୍କୁ କହିଣ ଗଲେ ସିଂହଦ୍ଵାର ।

ଦେବକୀ ପଛରେ ଧୀରେ ବସୁଦେବ ଗଲେ

ଠିଆହୋଇ ଗୋପାଳଙ୍କ ବିକଳ ଦେଖିଲେ ।

ଦେବକୀ ବୋଇଲେ କିସ କରୁଛ ଚହଳ

ଶୁଭ ଦିନଟାରେ କରି କାହିଁକି ଜଞ୍ଜାଳ ।

ଯଶୋବନ୍ତୀ କହିଲେ ଗୋ ଶୁଣ ରାଜରାଣୀ

ଆସି ଅଛି କାହ୍ନୁକୁ ମୁଁ ଦେଖିବି ଭଉଣୀ ।

ଜରାଜୀର୍ଣ୍ଣ ଗୋପରାଜା ଥରେ ସେ ଦେଖିବେ

ତାର ସେ କମଳ ମୁଖ ଦେଖି ତୋଷ ହେବେ ।

ଆଉ ସବୁ ଗୋପ ପ୍ରଜା ଗୋପିନୀ ଗୋପାଳ

ଦେଖିଣ ସେ ରୂପ ଚାଲିଯିବେ ଯେଝା ଆଳ ।

ଆସି ନାହିଁ ଛାଟିବାକୁ ନୋଟିବାକୁ ବଳେ

ତୁମ୍ଭ ଶ୍ରୀକୃଷ୍ଣ ରହିବ ତୁମ୍ଭର ଅଞ୍ଚଳେ ।

ସଫଳ କରିବି ଆଖି ଦେଖି ତାକୁ ଡୋଳେ

ଆଣିଛି ଅଧାମ ସର ଖାଇବ ସେ କାଳେ ।

ଏତିକି ଦେଖିଣ ଥରେ ହୋଇବି ଆନନ୍ଦ

ଥରେ କୋଳେ ଧରିବି ମୁଁ ମୋର କଳାଚାନ୍ଦ ।

ଦେବକୀ କହିଲେ ଥାଉ ଥାଉ ଲୋ ଶରଧା

ତୁହି ଗୋପ ଗଉଡୁଣୀ ସେହି ନା ଯଶୋଦା ।

କି ଛାର ଲବଣୀ ଲାଗି ପୁତ୍ରକୁ ମୋହର

ପଘାରେ ବାନ୍ଧି ପିଟିଣ ଦାଗିଲ ଶରୀର ।

ସେ ଦାଗ ରହିଛି ତାର ଅଙ୍ଗେ ଆଜିଯାଏ

ଛେଉଁଣ୍ଡ ଛୁଆକୁ ତୋର ଏଡ଼େ ନିରିଦୟେ ।

ଶୁଣିଛି ମୁଁ କି ସରାଗେ ରଖିଥି ଆହା

ପୁଅକୁ କହିଲୁ ଶେଷେ ଗାଈଆଳ ଛୁଆ ।

ଖରା କାଳର ବରଷା ଖାଏ ତୋର ଡରେ

ବେତକୋଳି ଝରପାଣି ପିଇ ଦିନ ସାରେ ।

ଧୋଇଗଲା ଅନ୍ତନାଡ଼ ପଡିଗଲା କଳା

ବଞ୍ଚିଥାଆନ୍ତା କି ଗୋପେ ନ ଥିଲା ଜଟିଳା ।

ପରପୁଅ ବୋଲି ସିନା କରୁ ନାନା ବାଇ

କାଳିନ୍ଦୀ ହ୍ରଦେ ପଠାଉ ପଦ୍ମଫୁଲ ପାଇଁ ।

ଏ ପରା ଛୁଆକୁ ନାବ ନଦୀରେ ବୁହାଇ

ଘାଟ ପାର ପଇସାରେ ଘର କଲୁ ତୁହି ।

ପରପୁଅ ବୋଲି ହୀନିମାନ କରିଥାଉ

କପଟ କରି ମୁଠେଲୋ ଖାଇବା ନ ଦେଉ ।

ଖାଇବାକୁ ମାଗିଲେ ଗୋଡ଼ାଉ ଛାଟ ଧରି

ଭୋକେ ପରଘରୁ କରେ ଦହି ଦୁଗ୍‌ଧ ଚୋରି ।

ପେଟ ବିକଳରେ ଖାଏ ସଙ୍ଖୁଡ଼ି ଗୋଟାଇ

ଛେଉଣ୍ଡକୁ ମାରି ହାତ ଯଶ ନେଉ ତୁହି ।

ପୋଡୁ ପୋଡୁଲୋ ତୋ ହାତ ସହେ କେଉଁପରି

ଯଶ ନେଲୁ କେତେ ଛେଉଣ୍ଡ ଛୁଆକୁ ମାରି ।

ଗୋଠକୁ ଯିବାରେ ଦଣ୍ଡ ହୋଇଗଲା ମଠ

ପିଠିକି ବସାଉଥିଲୁ ତେନ୍ତୁଳିର ଛାଟ ।

ଛେଉଣ୍ଡ ବୋଲିଣ ଦେଲୁ ତୁ କେତେ ଲାଞ୍ଛନା

କଂସ କଟକେ ମାରିବି କରିଲା ବାସନା ।

ଜୀବନ ମମତା କଲା ଶେଷକୁ ବର୍ଜନ

ଧିକ ଧିକ ଡାଙ୍କିନୀ ଲୋ ତୋ ଧନ ଅର୍ଜନ ।

ଧିକ ଗୋପ ରାଜପଣ ଲୋ ଶିଶୁଘାତିନୀ

କେତେ କାନ୍ଦି ମରୁ ମିଛେ ବାହୁନି ବାହୁନି ।

ଏ ପରା ପୁଅକୁ ମୋର କଳୁ ଯେ ମୂରୁଖ

ଆହୁରି ବସିଛୁ ରଖି ଥାଆନ୍ତୁ ବାଳକ ।

ଅଳପ କ୍ଷୀର ଗାଭୀର ବତ୍ସା ଖୋଜା ପରି

ହମ୍ବାରଡ଼ି ଦେଇ ଗାଭୀଗୋଷ୍ଠୁ ଆସେଫେରି ।

ତାହା ଭଳି ତୁହି ଆସି ମିଛେ କରୁ ଗୋଳ

ପୁଅ ପୁଅ ଡାକ ପଥେ ପକାଉ ଚହଳ ।

ଜନମ କରିଅଛୁଲୋ କେତେ କଷ୍ଟ ପାଇ

ଗୋପାଳୁଣୀ ଆସୁ କ୍ଷତ୍ରୀପୁତ୍ର ନେବା ପାଇଁ ।

ସବୁବେଳେ ଛୁଆ ଭାବୁ ଧରି ପୁଳେ ସର

ଡାକୁଛୁ କହ୍ନାଇ ଆସ ଖାଇଯିବ କ୍ଷୀର ।

ସେ ତ ରଜାପୁଅ ରାଜା ଅଟେ ମଥୁରାର

ତୋର ପୁଅ ଗାଈଆଳ ପାଇଁ ଦରକାର ।

ରଜାପୁଅ ରାଜାହେଲା ତୁ କରୁ ଲଢ଼ାଇ

ଗଣ୍ଡାଗଣ୍ଡା ମିଳିବେ ତୋ ଗାଈରଖା ପାଇଁ ।

ଏହି ପୁଅ ଲାଗି କେତେ ପାଇଛି କଷଣ

ପାଷାଣ ତରଳି ଯିବ କରିଲେ ଶ୍ରବଣ ।

ତରୁଲତା କାନ୍ଦିବେଲୋ ମୋର ଦୁଃଖ ଶୁଣି

ଏତେକଷ୍ଟେ କୃଷ୍ଣ ଜନ୍ମ ହେଲା ଏ ଧରଣୀ ।

ଛଅଟି ପୁଅ ମୋହର ମାରି କଂସାସୁର

ଏହାକୁ ମାରିବ ବୋଲି କରିଲା ବିଚାର ।

ଦିନରାତି ମୋତେ ବନ୍ଦୀଘରେ ରଖାଇଲା

ବିଭା ବେଦୀରୁ ମୋହର କଷଣ ପଡିଲା ।

ରାଜକୁଳେ ଜନମି ମୁଁ ଆବଲ୍ୟ କଷଣୀ

ଜନ୍ମ କରି ପୁତ୍ର ମାଆ ଡାକ ନୁହେ ଶୁଣି ।

ମାଆ ସିନା ପେଟ ଦୁଃଖ ଜନମ କଷଣ

ସବୁ ଭୁଲେ ପୁତ୍ର ମୁଖ କରିଲେ ଦର୍ଶନ ।

ମୋ କପାଳେ ଦୁଃଖ ଦିଏ ମୋ ଭାଇ କଂସେଇ

ନ ଶୁଣି ବିକଳ ପୁତ୍ର ନିଅଇ ଛଡ଼ାଇ ।

ସେ ବେଳର କଷ୍ଟ ମୋର ଫାଟିଯାଏ ଛାତି

ବିପଦ ଉପରେ ବିଷ୍ଣୁ ବିପଦ ଦିଅନ୍ତି ।

ପଥର ସିନା ତରଳି ଯା ନ ହୁଏ ଲୁହା

ମୋ ଭାଇ ନୃଶଂସ ଅଟେ ଲୁହାଠାରୁ ଲୁହା ।

ଏ କୃଷ୍ଣ ପେଟରେ ଥାଏ ଖାଇଛି ଗୋଇଠା

ବନ୍ଦୀଘରେ ପଡ଼ି ପାଏ ଚାଉଳ ଦିମୁଠା ।

ଏତେ ଦୁଃଖେ ଧରିଛି ମୁଁ ଶ୍ରୀକୃଷ୍ଣଙ୍କୁ କୋଳ

ପେଟରେ ଥାଇ ସେ ଦୁଃଖ ଜାଣେ ଆଦିମୂଳ ।

ସେହି କୃଷ୍ଣ ଲାଗି ମୁହିଁ ଛାତିରେ ପଥର

ଲଦିଥିଲି ସବୁ ଦୁଃଖ ମନେପଡ଼େ ମୋର ।

ସତେ କଂସ ମୁଖବୁ ତୁ ଯିବୁରେ ଉବୁରି

ଦିବାରାତି କଲି ନାରାୟଣଙ୍କୁ ଗୁହାରି ।

ପେଟେ ଥାଉ ଦୁର୍ବଳେ ମୁଁ ଉଠିପାରେ ନାହିଁ

ଦିନରାତି ଆଣ୍ଠୁଭରା ଦେଲେ ଉଠେ ମୁହିଁ ।

ସବୁଦିନେ ଅଧପେଟେ ମିଳେ ମୋତେ ଭାତ

କାହାକୁ କହିବି ବନ୍ଦୀ ନ ଥାଏ ଆୟତ୍ତ ।

ଅନ୍ତଛଡ଼ା ତରକାରୀ ସର୍ବଦା ସପନ

ଏତେ କଷ୍ଟ ପୁତ୍ର ପାଇଁ କାଟିଛି ମୁଁ ଦିନ ।

ମୋର ଦୁଃଖ ଜାଣନ୍ତି ସେ ଧର୍ମ ନିରଞ୍ଜନ

ଦିନରାତି ସେ କରନ୍ତି ଉଦେ ଅସ୍ତମାନ ।

କେତେ ଦିଅଁ ଦେବତାଙ୍କୁ କାନ୍ଦି କହେ ଦୁଃଖ

ମନାସ କରଇ ଦେଖିବାକୁ ପୁତ୍ର ମୁଖ ।

ମୋର ଲୁହ ନିଃଶ୍ୱାସରୁ ମଲା କଂସାସୁର

ପିତୃଋଣ ସୁଝିଦେଲା ଆସି ମୋ କୁମର ।

ଯାଦବ କୁଳରେ କୃଷ୍ଣ ମଧୁପୁର ରାଜା

ଖଟାଇବି ପାଦତଳେ ଲକ୍ଷ ଲକ୍ଷ ପ୍ରଜା ।

ତୁ ତ ଗୋପାଳୁଣୀ ପୁଅ କରାଉ ମୂରୁଖ

ଛୁଆ କାଳୁ ଗୋରୁଚରା ମଣୁ କୋଟି ସୁଖ ।

କୃଷ୍ଣ ଲାଗି ଖାଇଛୁ ଲୋ କହ କେତେ ଶୂଳ

ଅକାରଣ ସିନା ଏଥେ ତ କରୁ ଆସି ଗୋଳ ।

ଅଭିମାନେ ଅନ୍ଧ ହୋଇ ଅଛନ୍ତି ଦେବକୀ

ଯଶୋଦାଙ୍କ ପୁତ୍ରସ୍ନେହ ଦେବେ ବୋଲି ଫାଙ୍କି

ଏ ସମୟେ ନନ୍ଦରାଜା କରନ୍ତି ଉତ୍ତର

ଗୋପାଳ ଗୋପାଳ ରାଣୀ କୁହ ବାରବାର ।

ଅଳପ ଦିନର କଥା ଭୁଲି ଗଲାଣି କି

କଂସରାଜା ଗୋପ କୃଷ୍ଣ ଅଣାଇ ନାହିଁକି ।

ମନ୍ତ୍ରୀ ଅକ୍ରୂର ତୁମ୍ଭର ଘେନି ରହୁବର

ଗୋପପୁରୁ ପୁତ୍ର ଆଣି ନାହିଁ କି ମୋହର ।

ମୁଁ ତ ଗୋପାଳ ମୋ ଜାତି ମୋତେ ଲାଗେ ବଡ଼

ତୁମ୍ଭେ ବଡ ହୋଇ ରାଣୀ ଛୋଟ କଥା ଛାଡ଼ ।

ଯଦି ଏତେ କଥା କୃଷ୍ଣ ମିଛ କରାଇବ

ମୋର ପୁଅ ମୋ କୋଳକୁ ଯଦି ନ ଆସିବ ।

ଜାଣିଣ ମୁଁ ବ୍ରହ୍ମହତ୍ୟା ପାପଠାରୁ ବଡ଼

ତେଣୁ ଛାଡ଼ିଗଲା ପୁତ୍ର ଚଳିବାରୁ ଗୋଡ଼ ।

ଯେଣୁ ଧେନୁର ବତ୍ସାକୁ ଖୁଣ୍ଟେ ବାନ୍ଧିଥିଲି

କ୍ଷୁଧାରେ ଶୁଖି ମରିଲା ବ୍ରହ୍ମହତ୍ୟା ନେଲି ।

ସେହି ମହାପାପ ଫଳ ଫଳିଲା ଏହାର

ବୃଦ୍ଧକାଳେ ଛାଡ଼ିଗଲା ପୋଷିବା କୁମର ।

ମରଣ ବେଳକୁ ତୁଣ୍ଡେ ପାଣି ଦେବା ପାଇଁ

ଆଉ ନ ଫେରିବ ମୋର ବାଇୟା କହ୍ନେଇ ।

ଆରେ କୃଷ୍ଣ ତୁ କି ଘୃଣା କରିଲୁ ଏହାର

ଗୋପାଳ ମୁଁ ଛୋଟଜାତି କୁ ରାଜକୁମାର ।

ଯେତେବେଳେ ନାଲି ଟହ ଟହ ଓଠ ତାର

ମାତା ସ୍ତନ ଧରିବାକୁ ଶକ୍ତି ନାହିଁ ବୀର ।

କିଏ ଦେଲାରେ କୁମର ଚିପୁଡ଼ିକି କ୍ଷୀର

କଅଁଳ ଦେହକୁ ତୁଳା ଶେଯେ କରି ଧୀର ।

ତୋର ମଇଳା ମୂତ୍ରକୁ ଚନ୍ଦନ ପ୍ରକାର

କିଏ ସଫା କରେ ହୋଇ ରାତ୍ର ଉଜାଗର ।

ଏତେ ଦେଖାଶୁଣା କଥା ଜାଣନ୍ତି ସଂସାର

ଏ ମହତ ସେବାକରି ହେଲି ସାତପର ।

ଫାଟିଯାଉ ନାହିଁ ଛାତି ଶୁଣିଲି ମୁଁ ଏହା

ବସୁଦେବ ଘରଣୀର କଥା ଶାଣଦିଆ ।

ରେ କୃଷ୍ଣ ତିନି ଭୁବନ କଲୁ ଆମନ୍ତ୍ରଣ

ଛୋଟ ଜାତି ଭାବି ଗୋପ କରିଲୁ ବାରଣ ।

ଯଜ୍ଞ ଦୁଆରେ ପ୍ରହରୀ ସମସ୍ତଙ୍କୁ ଛାଡ଼େ

ତିନିପୁର ଲୋକ ଯେବା ପଡ଼ନ୍ତି ହାବୁଡ଼େ ।

ତୋର ଯଜ୍ଞକୁ ଯାଆନ୍ତି ଛତିଶ ପାଟକ

କେବଳ ଗୋପ ଗୋପାଳ ଅଛନ୍ତି ଅଟକ ।

ପୁତ୍ର ଜନ୍ମ କରିଥାନ୍ତି ରଖିବାକୁ ନାମ

ମୁଁ ଗୋପାଳ ବୋଲି ହେଲି ସବୁଠୁ ଅଧମ ।

ହୀନ ଅଚ୍ଛବ ନିଊନ ଗୋପପୁର ଜନ

କେଉଁ ପାପେ ଏଡ଼େ ଦଣ୍ଡ ଦେଲୁରେ ନନ୍ଦନ ।

କେଉଁ ଅଭିମାନେ ବାବୁ କରିଛୁ ଏ ମାନ

କେବା ତୋତେ ଗୋପେ ଦେଉଥିଲା ଅପମାନ

ମୋ ପାଖରେ କରିଥିଲୁ ତା ନାମେ ଗୁହାରୀ

ପକ୍ଷଧରିତାର, ତୋତେ ମଣିଲି ବଇରୀ ।

ଏପରି ଅନେକ ସ୍ଥଳେ ହୁଏ ଏହିପରି

ମୁଁ ଜାଣେ ତୋହର ପକ୍ଷ ଏ ଗୋପନଗରୀ ।

ଦେଖିବେ ଗୋପ ଗୋପାଳ ସରିବ ପରଜା

କୁଳବୋହୂମାନେ ଆସିଛନ୍ତି ଛାଡ଼ି ଲଜ୍ଜା ।

ତୋର ସଖାମାନେ ଏଥି ହୁଅନ୍ତି ଆକୁଳ

ଆସିଛନ୍ତି ଦେଖିବାକୁ ତୋ ମୁଖ ମଣ୍ଡଳ ।

ବୃଦ୍ଧ ବୃଦ୍ଧା ଆସିଛନ୍ତି ବାଡ଼ି ଢିରାମାରି

ଚାଲି ନ ପାରଇ ଜରାଜୀର୍ଣ୍ଣ ଥରି ଥରି ।

ଏପରି ଗୋପରେ ତୋର ଶତ୍ରୁ କେହି ନାହିଁ

ସରବେ ତୋର ବିଚ୍ଛେଦେ ହେଉଅଛୁ ଦହି ।

ତୋ ଅଭାବେ ଗୋପଦାଣ୍ଡ ଶମଶାନ ପରି

ଆଉ ଆନନ୍ଦରେ ଦାଣ୍ଡ ଯାଉନାହିଁ ପୂରି ।

ଗୋରୁ ବାହୁଡାକୁ ବାଜୁନାହିଁ ଶିଘାଂବଂଶୀ

ନାଚୁ ନାହାନ୍ତି ଆନନ୍ଦେ ବାଳକେ ଉଲ୍ଲସି ।

ନିର୍ଜୀବ ପରାଏ ଲାଗୁଅଛି ମୋର ପୁର

ହରଷ ନ ଦିଶେ ବାବୁ କାହାରି ମୁଖର ।

ଚନ୍ଦ୍ରସେଣା ତୋର ମାମୁଁ ମିଛେ ଦେଲା ଦୋଷ

କାଳଭୂତ ମୁଖେ ରଖାଇଲା ତାର ବଂଶ ।

ଜଟିଳା ତୋ ଆଈ ତୋତେ କହଇ ଲଗାଇ

ଆଈ ନାତି ପରିହାସ କରୁ ତାର ତହିଁ ।

କେଉଁ ଅଭିମାନେ ତୋର ଆଗେ ନୀଳମଣି

କାଳୀ ନାଗୁଣୀର ବଂଶ କରିଦେଲୁ ପାଣି ।

ତୋ ବିନା ଗୋପୀ ଗୋପାଳ ବରଜ ବାଳକ

ଶିରୀହୀନ ହୋଇ କ!ନ୍ଦୁଛନ୍ତି ବାପ ଦେଖ ।

ଆରେ ଚିନ୍ତାମଣି ଏଥେ ଛନ୍ତି ତିନିପୁର

କେଉଁ ଅଭିମାନ ବାପ କହିଯାଅ ତୋର ।

ନୋହିଲେ ମୋ ମରଣ ହୋଇବ ଆଜଦିନ

କେଉଁ ଦୋଷେ ସହିବି ମୁଁ ଏତେ ଅପମାନ ।

ଥରେ ଦେଖା ଦେଇଥାଅ ବଦନ କମଳ

ଆରେ ମୋ ଜୀବନଧନ ଆଣ୍ଠୁଆ ଗୋପାଳ ।

ତୋର ମୁଖ ଦେଖି ମୋର ହେଉରେ କାରଣ

ଆରେ ମୋ କାଳିଆ ସୁନା ବରଜ କାରଣ ।

ଆସ ବାପ କହ୍ନାଇରେ ପ୍ରଭାତ ଭଜନ

ଶୁଣିବୁ ମାଆ କୋଳରୁ ଉଠି ଜୀବଧନ ।

ଆଣ୍ଠୁଭରା ହୋଇ ମାଆ କୋଳୁ ଆସୁ ଧାଇଁ

ଭଜନ ଶୁଣିଲେ ତାଳି ମାରୁରେ କହ୍ନାଇ ।

ତୋ ତୁଣ୍ଡ ତୁଣ୍ଡରେ କହୁ ଅନାଦି ଅଚ୍ୟୁତ

ବଳରାମଙ୍କୁ ହଲାଇ କାମୁଡ଼ୁ ତା ଗାତ୍ର ।

ରାଗେ ଉଠେ ବଳରାମ ତୋତେ ମାରିବାକୁ

ଗାଳିକରି ତୋଳି ଆଣେ ମୋହରି କୋଳକୁ ।

ଟିକି ହାତ ଦୁଇଟିରେ ମଦିରା ବଜାଇ

ଛୁଆବେଳୁ ରାମକୃଷ୍ଣ ନାମେ ବାଇ ହୋଇ ।

ପ୍ରଭାତରେ ମାଆ ତୋରଛାଡ଼ି ମୋରକୋଳେ

ତରତରେ ଘରକାମ କରଇ ସଅଳେ ।

ନିଜ ଶଉଚ କରମ ଘରେ ବାସି କାମ

ସକାଳୁ ସାରଇ ତାକୁ ନ ଥାଏ ବିଶ୍ରାମ ।

ଭୋକ ହେଲେ ରାହାଧରି କାନ୍ଦୁରେ ଗୋବିନ୍ଦ

ମାଆ ଆସି କ୍ଷୀରଦେଇ କହେ କଳାଚାନ୍ଦ ।

କୋଳେ ଧରିକହେ ମୋର ଶଙ୍ଖାଳି ରଙ୍କୁଣୀ

ଗେହ୍ଲା କରୁଥାଏ ତୋତେ ଆରେ ନୀଳମଣି ।

ନୀଳସୁନ୍ଦର ବରଣ ଚାନ୍ଦ ଅରୁଣିମା

ନାଚୁଛୁ ଆଖିରେ ମୋର ଗୋକୁଳ ଚନ୍ଦ୍ରମା ।

ମୁହଁ ତରତରେ ସ୍ନାନ ପିତୃ ତରପଣ

ସାରି ଚଉଁରାରେ କରେ ତୁଳସୀ ସ୍ମରଣ ।

ନମସ୍ତେ ତ୍ରିପୁରା ମାଗୋ ବିଷ୍ଣୁ ପାଟରାଣୀ

ମୋ ପୁତ୍ର ଆୟୁଷ ଦିଅ କରୁଛି ମାଗୁଣି ।

ଦୁର୍ବା ଦାରୁ ହୁଏ ବାବୁ ଦୟାରେ ତୋହର

ବୃଦ୍ଧକାଳେ ଜନମିଛୁ ଗୋଟିଏ କୁମର ।

ତୋ ଦୟାରୁ ହେଉ ତାର ଦୀର୍ଘାୟୁ ଜୀବନ

ଆୟୁର୍ଦେହୀ ଯଶୋଦେହୀ କର ଗୋ କଲ୍ୟାଣ

ଅନାଇଣ ଥାଏ ତୋର ମାଆ କୋଳେଧରି

ଗୋଡ଼ହାତ ହଲାଉ ତୁ ମୁଖେ ହାତ ଭରି ।

ହସୁକାନ୍ଦୁ ତୁଚ୍ଛାଟାକୁ ରେ କାଳିଆସୁନା

ନଛାଡୁ ମାଆକୁ କେତେକଲେ ସେ ବାହାନା ।

ମୁଁ ଗଲେ ଖଟୁଲି ପାଶେ ପୂଜି ଶାଳଗ୍ରାମ

ବସିଥାଏ ଆଗେ ଯାଇଁ ବଡ଼ ବଳରାମ ।

ଚନ୍ଦନ ଚିତା କରାଇ ଶାଳଗ୍ରାମ ମୋର

ମୁଣ୍ଡେ ଚିତା ଘେନୁଆରେ ନୀଳହାତୀ ମୋର ।

ନୀଳମେଘ ଶଶୀପରି ତୋ ଚନ୍ଦନ ଚିତା

ହରିମନ୍ଦିର ଚିତାକୁ ତୋର ଅନୁକମ୍ପା ।

ସେବାବେଳେ ଗୀତା ପୁସ୍ତକ ତୁ ଟାଣିନେଇ

ନାଳୁଆ ପାଟିରେ ଚାଟୁ ଥାଉରେ କହ୍ନାଇ ।

ଆରେ ବାବୁ ଆଠମାସେ ହେଲୁ ଖଣ୍ଡ ଠିଆ

ଶ୍ୟାମଳ ବଦନେ କରେ ଚନ୍ଦନ ପାଟିଆ ।

ଗୋପ ଗୋବିନ୍ଦରେ ମୋର ନାଚୁ ତାଳିମାରି

ଚୂଳରେ ଶ୍ରୀଖଣ୍ଡ ତାର ମୁକୁଟ ତୋହରି ।

ନବଘନ ଦେହ ଗଳେ ଗେଣ୍ଡୁ ଫୁଲମାଳ

ହରିତ ଅମ୍ବରେ ବାପ ଦିଶେ କି ମଞ୍ଜୁଳ ।

ପୀତପଟ୍ଟ ନଟବର ଶ୍ରୀଖଣ୍ଡ ମୁକୁଟ

ଭୁଲି ନ ଯାଇ ଆଖିକୁ ଦିଶେ ଝଟଝଟ ।

ଆଜି ବସୁଦେବ କହେ ପୁତ୍ର କ୍ଷତ୍ରୀସୁତ

ତ୍ରିପୁରବାସୀ ତ ସର୍ବେ ଛନ୍ତି ଉପସ୍ଥିତ ।

ପାତାଳରୁ ବଳି ସ୍ୱର୍ଗେ ରାଜା ପୁରନ୍ଦର

ବିରଞ୍ଚି ପଞ୍ଚାନନ ଯେ ସର୍ବ ଦେବ ସାର ।

ମର୍ତ୍ତ୍ୟପୁରବାସୀ ସର୍ବ ରାଜନ୍ୟ ମଣ୍ଡଳୀ

ରଖି ବିପ୍ର ଅଗଣିତ ଛନ୍ତି ତୀର୍ଥସ୍ଥଳି ।

ଏ ଶୁଭ ଯଜ୍ଞଟି ବାବୁ ଆୟୋଜନ ତୋର

ବାତ୍ସଲ୍ୟ ସ୍ନେହେ ବସିବୁ କନ୍ଧରେ ମୋହର ।

ସବୁଦିନ ମୋ ଆଖିରେ ତୁହି ଯେ ବାଳକ

ତୋ ମାଆର ସ୍ତନର କ୍ଷୀର ଝରିବ ପ୍ରତ୍ୟକ୍ଷ ।

ତୁ ଯଦି କୁମର ମୋର ମୁହିଁ ତୋ ଜନକ

ଆସ ବାପଧନ ଦୁଃଖ ଯାଉ ମୋର ଅଙ୍କ ।

ଏ ବେଳେ ନାରଦଆସି ହେଲେ ପରିବେଶ

ଦେଖନ୍ତି କୃଷ୍ଣ ବିରହ ଏ ବାତ୍ସଲ୍ୟ ରସ ।

ଦେବଗଣଙ୍କୁ କହନ୍ତି ଦେଖୁଛି ତ ସର୍ବ

ଶ୍ରୀକୃଷ୍ଣ ବାତ୍ସଲ୍ୟ ରସ ହେଉଛି ଉଦ୍ଭବ ।

ତାହା ଶୁଣି ପୁରନ୍ଦର ଭକ୍ତିଭାବ କହି

କହନ୍ତି ମହର୍ଷି ଜନ୍ମଧନ୍ୟ ହେଲି ମୁହିଁ ।

ଶ୍ରୀକୃଷ୍ଣଙ୍କ ବାଲ୍ୟଖେଳ ଗୋପୀଙ୍କ ବିରହ

ବହିଗଲା କଥା ପୁଣି ହୋଇଛି ଉଦୟ ।

ଭକ୍ତ ଭଗବାନ ଯେଣୁ ନୁହେ ଭିନ୍ନାଭିନ୍ନ

ତବ ବାକ୍ୟକୁ ଶ୍ରୀକୃଷ୍ଣ କରି ଅବଧାନ ।

ଦେଖାଇବେ ବାଲ୍ୟଭାବ ପ୍ରଭାସେ ଗୋବିନ୍ଦ

ନୟନେ ଦେଖି ଦେବତା ହୋଇବେଟି ମୁଗ୍‌ଧ ।

କେବଳ ଜନନୀ କୋଳୁ ଖାଇବାକୁ କ୍ଷୀର

ବାଲ୍ୟବେଶେ ଯିବେ ତାହା କରନ୍ତୁ ଏଥର ।

ଆଜି କୃଷ୍ଣ ବାଲ୍ୟଗୁଣେ ମୁଗ୍‌ଧ ଏ ପ୍ରଭାସ

ତରୁଲତା ଆଚ୍ଛାଦିତେ ଏହି ବନଦେଶ ।

ପକ୍ଷୀଙ୍କର କଣ୍ଠସ୍ୱନ ଗଗନ ପବନ

କୃଷ୍ଣ ପ୍ରେମୀ ରସେ ଆଜି ସର୍ବେ ହେଲେ ମଗ୍ନ ।

ଧନ୍ୟ ହେ ବିଧାତା ପୁତ୍ର ବ୍ରହ୍ମର୍ଷି ନାରଦ

କରିଛ ସତ ଭକ୍ତିରେ ବଶ ପ୍ରେମାନନ୍ଦ ।

ପ୍ରେମମୟଙ୍କର ପ୍ରେମ ଯହିଁ ଥାଏ ଯାହା

ତୁମ୍ଭେ ଦୟାକଲେ କରି ପାରିବଟି ତାହା ।

ଏତେ କହି ପୁରନ୍ଦର ହୋଇଲେ ମଉନ

ଦେବେ ମିଳି ପ୍ରଶଂସନ୍ତି ମୁନିଧନ୍ୟ ଧନ୍ୟ ।

କୃଷ୍ଣ ପ୍ରେମ ରସ ଏହି ବାକ୍ୟ ସାରସ୍ୱତ

ବୁଝାଯାଏ ଅନାବିଳ ଭକ୍ତିର ମହତ ।

ଶୁଣି ନାରଦ କହନ୍ତି ଆହେ ଦେବକୁଳ

ଶ୍ରୀକୃଷ୍ଣ ବାତ୍ସଲ୍ୟ ପ୍ରେମେ ଗୋପ ସଖା ମେଳ

ସମସ୍ତେ ଏ ପ୍ରଭାସରେ ଛନ୍ତି ଉପସ୍ଥିତ

କେବଳ ଶ୍ରୀରାଧା ନାମ ଏଠାରେ ଗୁପତ ।

ଶ୍ରୀକୃଷ୍ଣଙ୍କ ମାତା ପିତା ହୁଅନ୍ତି ବିକଳ

ସଙ୍ଗେ ଛନ୍ତି ଗୋପୀ ଗୋପାଳ ଓ ସଖାକୁଳ ।

ସମସ୍ତେ ବାତ୍ସଲ୍ୟ କ୍ରୀଡ଼ା ସୁମରି ସୁମରି

ଶ୍ରୀକୃଷ୍ଣ ବାତ୍ସଲ୍ୟ ରସେ ଛନ୍ତି ମନଭରି ।

ଏହାପରେ ଶ୍ରୀକୃଷ୍ଣ ଯେ ବାଲ୍ୟ ବେଶହୋଇ

କ୍ଷୀର ଖାଇବେ ଦେଖିବ ଥାଅ ତୁମ୍ଭେ ରହି ।

ଯାଉଛି ମୁଁ ଦେଖିବଇଁ ତାଙ୍କ ସଖା ପ୍ରେମ

କିପରି ଭକ୍ତେ ଚିନ୍ତନ୍ତି କରି ସ୍ୱଚ୍ଛକାମ ।

ଚାଲିଲେ ମହର୍ଷି ଯହିଁ ଲାଗିଅଛି ଗୋଳ

ଯଶୋବନ୍ତୀ ନନ୍ଦ ପୁତ୍ର ବିଚ୍ଛେଦ ବିହ୍ୱଳ ।

ଯେହୁ ଜନନୀ ବୈକୁଣ୍ଠପତି ବିଷ୍ଣୁଙ୍କର

ପୁତ୍ରଭାବେ ବିଷ୍ଣୁଙ୍କୁ ସେ ଦେଇଛନ୍ତି କ୍ଷୀର ।

ତାହାଙ୍କର ରୂପ କିସ ବର୍ଣ୍ଣିବି ବା ମୁହିଁ

ସ୍ଵୟଂ ରତ୍ନଗର୍ଭ କିବା ନରରୂପ ହୋଇ ।

କୋଟି ମୁଖେ ଯେଉଁ ନାମ ପୁରାଣ ଗାଇବ

ଇତିହାସ ଯାର ନାମେ ଧନ୍ୟ ହୋଇଥିବ ।

ସନ୍ତାନ ବିଚ୍ଛେଦେ ହୋଇଛନ୍ତି ପାଗଳିନୀ

ରୁପା ଥାଳିଆରେ ସରପୁଳି ଛନ୍ତି ଘେନି ।

କେଶ ଫିଟି ପିଠି ଘେରି କଟିଦେଶେ ଛୁଏଁ

ଆଉଟା ସୁନାର କାନ୍ତି ଦୁଃଖେ ଜଳୁଥାଏ ।

ପୁତ୍ର ବିଚ୍ଛେଦରେ ଅସଜଡ଼ା କଳେବର

ପିନ୍ଧିଛନ୍ତି ଶାଢ଼ୀ ଭିଡ଼ି ହରିତ ଅମ୍ବର ।

ନୀଳରଙ୍ଗ କାଞ୍ଚଲାରେ ଝରେ ସ୍ୱର୍ଣ୍ଣହାର

ଜଗତଜନନୀ ରୂପେ ନାହିଁ ପଟ୍ଟାନ୍ତର ।

କେବଳ ଭାବନାମୟୀ ଭାବ ରାଇଜରେ

ଦିଶୁଛନ୍ତି ଜ୍ୟୋତିହୀନ ଜନନୀ ବେଶରେ ।

ତେଣେ ଦେବକୀ ଅଟନ୍ତି ଗର୍ଭଧାରୀ ମାତା

ଅଭିମାନେ ଯଶୋଦାଙ୍କୁ କରନ୍ତି ଇଙ୍ଗିତ ।

ସହଜେ ବଡ଼ ଘରରେ ଜନମ ତାଙ୍କର

କାର୍ଯ୍ୟ ସାଧନକୁ କହି ଯାଆନ୍ତି ଅପାର ।

ନିଜସ୍ଵାର୍ଥ ହୋଇଗଲେ କଡ଼ାଏ ବ୍ୟାଘାତ

ବ୍ୟାଘ୍ର ପରି ଅଭିମାନେ କରେ ରକ୍ତପାତ ।

ଏ ବେଳେ ପ୍ରବେଶହେଲେ ଦେବର୍ଷି ସେଠାରେ

ଦେବକୀ ପ୍ରଣାମ କଲେ ଆସିଣ ସତ୍ଵରେ ।

ନାରଦଙ୍କୁ ମାନ୍ୟକରି ଦେବକୀ ଅଧୀର

ବୋଲନ୍ତି ହେ ମୁନି ଦେଖ ଯଶୋଦା ବିଚାର ।

ଯାଦବ ନନ୍ଦନ କୃଷ୍ଣ ଯିବ ତାର ଘର

ଆଣିଅଛି ସଙ୍ଗେ ସ୍ୱାମୀ ନେବ ତା କୁମର ।

ମୁନି ବୋଇଲେ ଶ୍ରୀକୃଷ୍ଣ କାହାର ବା ସୁତ

କିଏ କହିବ ଏ କଥା ବଡ ବିପରୀତ ।

ଦୁଇଟି ଜନନୀ ପୁଣି ଦୁଇଟି ଜନକ

କଳି କରୁଛ ତ ଦେଖୁ ତିନିପୁର ଲୋକ ।

ସମସ୍ତଙ୍କ ମନେ ଏବେ ହେଲାଣି ସନ୍ଦେହ

ପ୍ରକୃତ ହୋଇବ ଏଥେ ସତ୍ୟାସତ୍ୟ ନ୍ୟାୟ ।

ଯାହାର ପୁତ୍ର ହୋଇବେ ଶ୍ରୀକୃଷ୍ଣ ସାବ୍ୟସ୍ତ

ସେହି ଡାକି ନେଇଯିବ ଏକଥା ଯଥାର୍ଥ ।

ଶୁଣି କହିଲେ ଦେବକୀ ଆସୁ ଭଲ ଲୋକ

ମୋହର ସାକ୍ଷୀ ଅଛନ୍ତି କହିବେ ଅନେକ ।

ନାରଦଙ୍କୁ ଦେଖି ବସୁଦେବ ତହିଁ ମିଳି

ଚରଣ ରେଣୁ ପାଇଲେ କରି ନିଉଛାଳି ।

ବୋଇଲେ ହେ ମୁନି ତୁମ୍ଭେ ସର୍ବଜ୍ଞ ପୁରୁଷ

ଜାଣୁଅଛି ଗତାଗତ ଆଗତ ଭବିଷ୍ୟ ।

ବିରଞ୍ଚ ନନ୍ଦନ ତୁମ୍ଭେ ଅଟ ଶ୍ରେଷ୍ଠ ଭକ୍ତ

ବିଷ୍ଣୁଙ୍କର ତୁମ୍ଭେ କିଛି ଜାଣ ଆଦି ଅନ୍ତ ।

ତୁମ୍ଭଠାରୁ ଶୁଣି କଂସ ତା ମୃତ୍ୟୁ ଖବର

ମୋତେ ବନ୍ଦୀକରି ରଖାଗଲା ବନ୍ଦୀଘର ।

ଦେଖିଛ କେତେ ଦୁଃଖରେ ବଞ୍ଚିଲା କୁମର

ଅନ୍ତୁଡି ଛୁଆକୁ ଧରି ମେଘ ଅନ୍ଧାରର ।

ନିଶା ଅର୍ଦ୍ଧେ କାଖେ ଜାକି ନେଲି ଗୋପପୁର

ଅଥଳ ଯମୁନା ନଦୀ ବାଟ ଭୟଙ୍କର ।

ପଶିଗଲି ନଦୀଗର୍ଭେ ପ୍ରାଣ ଆଶା ଛାଡ଼ି

ମରିଲେ ବାପ ପୁଅ ଯାଇଥାନ୍ତୁ ବୁଡ଼ି ।

କୃଷ୍ଣ ଯୋଗୁଁ ପାର ହେଲି ନଦୀ ହେଲା ଥଳ

ନାରାୟଣ ସୁମରି ମୁଁ ଗଲି ନନ୍ଦଆଳ ।

ପୁତ୍ରଛାଡ଼ି ପୁତ୍ରୀକୁ ଆଣିଲି ଯେତେବେଳେ

କେହି ନଦେଖିଲେ ସର୍ବେ ଥିଲେ ନିଦ୍ରାକୋଳେ ।

ଏତେ ଦୁଃଖେ କୃଷ୍ଣର ମୋ ରହିଲା ଜୀବନ

କଂସାସୁର ଦେଖି ପ୍ରାଣ କଲା ବିସର୍ଜ୍ଜନ ।

ଏବେ ଦେଖ ନନ୍ଦ ଆସି କହୁଛି ଲଢ଼ାଇ

ପୁଣି ଶ୍ରୀକୃଷ୍ଣଙ୍କୁ ଗୋପପୁରେ ନେବା ପାଇଁ ।

ଏଡ଼େ ଶୁଭଦିନେ ଦେଖ ଅଶୁଭ ଭିଆଇ

କଳି କରେ ବସେ ତାର ପୁତ୍ର ନେବା ପାଇଁ ।

ଏକେ ପୁତ୍ର ମୋର ମୁହିଁ ଜାଣି ତ କ୍ଷତ୍ରୀୟ

ଗୋପାଳେ କହନ୍ତି ବଳେ କରିବେ ତନୟ ।

ଯେତେ କହିଲୁଣି ତିଳେ ହେଲେ ବୁଝୁ ନାହିଁ

ଗୋପୀ ଗୋପାଳଙ୍କୁ ଧରି କଳି କରେ ସେହି ।

ଶୁଣି ନାରଦ କହନ୍ତି ଆହେ ବସୁଦେବ

ମୋ କହିବା କଥା କିଏ ବିଶ୍ୱାସ କରିବ ।

ଏଠାରେ ଅଛନ୍ତି ଯେଣୁ ତିନିପୁର ଲୋକ

ସେ ହାଦେ ଦେଖୁଅଛନ୍ତି ରହିଣ ପ୍ରତ୍ୟକ୍ଷ ।

ଦୁଇପକ୍ଷ କଳିକୁ ଭାଙ୍ଗନ୍ତି ଭଦ୍ରଲୋକ

ବିଚାର ହୋଇବ ଏ କ୍ଷେତ୍ରରେ ନିରପେକ୍ଷ ।

ଦୁଇଜଣ ଜନନୀ ଓ ଜନକ ମିଳିଣ

ପୁତ୍ର ପାଇଁ କଳିକର ଅତ୍ୟନ୍ତ କ୍ରୋଧେଣ ।

କାହାର କୁମର ବୋଲି କହିବି ବା ମୁହିଁ

ଜଣକ କଥା ନୁହଇ କହିଦେବ ସେହି ।

ଦୁଇପକ୍ଷ କାହାକୁ କରିଲେ ସମର୍ଥନ

ସେହି ବୁଝିବ ପ୍ରମାଣ ନେଇ ଏହି ସ୍ଥାନ ।

ବସୁଦେବ କହୁଛନ୍ତି ପ୍ରମାଣ ଦେବଇଁ

ବୁଝନ୍ତୁ କିଏ ବୁଝିବ ନ୍ୟାୟପତି ହୋଇ ।

ନାରଦ ମହର୍ଷି ତହୁଁ ଚଳିଲେ ସତ୍ଵର

ପ୍ରବେଶ ହେଲେ ଶ୍ରୀକୃଷ୍ଣ ସଖାଙ୍କ ପାଶର ।

କୃଷ୍ଣ ସଖା ବାଲ୍ୟଭାବ ସର୍ବଦା ଚପଳ

କାହ୍ନୁ ଆସିବାକୁ ତହିଁ ଆରମ୍ଭନ୍ତି ଖେଳ ।

ଦେଖିଲେ ମୁନି ବାଳକ ତହିଁ କେତେଜଣ

କରିଛନ୍ତି ଧୂଳିଘର କରି ଚାରି କୋଣ ।

ଖନ୍ଦା ଲାଗିଅଛି ହୁଏ ଭୋଜି ମହୋତ୍ସବ

ଭାତ ତିଅଣ ଡାଲିତ ଧୂଳିରେ ସରବ ।

କୃଷ୍ଣ ପାଇଁ ପତରରେ ସାଜୁଛନ୍ତି ସର୍ବ

ଫୁଲହାର ବଣକୋଳି ଯାର ଯେଉଁ ଦ୍ରବ୍ୟ ।

ଆସନ ଓ ପାଦାସନ ଧୂଳିଘରେ ସାଜି

ଦାଣ୍ଡ ସଫା କରୁଛନ୍ତି କୃଷ୍ଣ ଆସେ ଆଜି ।

ନାରଦଙ୍କୁ ଦେଖି ସର୍ବେ କୃଷ୍ଣ ସଖାକୁଳ

ପ୍ରଣାମ କରି ଘେନନ୍ତି ପାଦଧୂଳି ଚୂଳ ।

କେ ବୋଲଇ ଦେହସାରା ମୁନି ପାନଧୂଳି

କୋ ବୋଲଇ ମୁନି ଆସୁଅଛି ବନମାଳୀ ।

ସବୁ ସଖା ମିଳିଗଲେ ନାରଦଙ୍କ ପାଶ

କୁହ ମୁନି କାହ୍ନୁ କିମ୍ପା କରିଅଛି ରୋଷ ।

ନିକଟରେ ଡାକୁଅଛୁ ନ ଶୁଣେ କାହିଁକି

ଆମ୍ଭ ସଖା କଥା ତୁମ୍ଭେ କହି ପାରିବ କି ।

ଶୁଣିଲୁ ପ୍ରଭାସେ କାହ୍ନୁ ଯାଗ କରୁଅଛି

କେତେବେଳୁ ଆସି ଡାକୁଅଛୁ ଶିରୀବତ୍ସି ।

କାହିଁକି ଆସୁନି କୁହ ଆହେ ଭକ୍ତବର

ପାଉନାହିଁ କିନା ସେହୁ ଆମ୍ଭର ଖବର ।

ବୃନ୍ଦାବନେ ଷଣ୍ଢାସୁର ଗିଳିଲା ଆମ୍ଭଙ୍କୁ

ତା ପେଟ ଭିତରୁ କାଢ଼ି କରି ତାକୁ ଡାକୁ ।

ସେଦିନ ଗୋପରେ ଥିଲା ସେଡାକ ଶୁଣିଲା

ଷଣ୍ଢାସୁର ମାରି ଆମ୍ଭଙ୍କୁ ଯେ ଉଦ୍ଧାରିଲା ।

ଦେବର୍ଷି କହନ୍ତି ଆଜି ଆସିବ କହ୍ନାଇ

ତୁମ୍ଭ ଡାକରେ ଆସିବ ଦେଖି ଯିବା ପାଇଁ ।

ଶୁଣି ସୁବଳ ସୁଦାମ ଆନନ୍ଦେ ନାଚିଲେ

ଋଷି ମିଛ କହେ ନାହିଁ ଚରଣେ ପଡ଼ିଲେ ।

ସେଠାରୁ ଚଳନ୍ତି ତୋଷେ ବିରଞ୍ଚି ନନ୍ଦନ

ଦେଖିଲେ ଗୋପ ଯୁବତୀ ତହିଁ ଭାବେ ମଗ୍ନ ।

ଅନିମେଷ ନୟନରେ ରହିଛନ୍ତି ଚାହିଁ

ଦେବେ ଦେଖିବେ ଶ୍ରୀମୁଖ ଭାବଭର ହୋଇ ।

କେ ଗୋପୀ ଶ୍ଵାସ ଛାଡିଣ କହେ ହେ ଶ୍ରୀଧର

ଅବଳାମାନେ କରିଲୁ କି ଦୋଷ ତୁମ୍ଭର ।

ପତି ପୁତ୍ର ତେଜି ଭଜିଲୁଣି ତୋର ପାଦ

ତୁହି ଆମ୍ଭର ନୟନ ଜୀବନ ସମ୍ପଦ ।

ଥରେ ମନେକର ଧନ ହେ ଗୋପୀଜୀବନ

ନିଶାଅର୍ଦ୍ଧେ ବୁଲାଇଲ ନେଇ ବୃନ୍ଦାବନ ।

ତୁମ୍ଭେ ପରା ଭକତର ଅନ୍ତର ଜାଣିଛ

ତୁମ୍ଭେ କି ଅନ୍ତରୁ ଦୂର ଆହେ ଶିରୀବତ୍ସ ।

କେ କରିବ ରକ୍ଷା ଆଉ ତୁମ୍ଭ ଗୋପପୁର

ଯଦି କୋପେ ବରଷିବେ ଆସି ପୁରନ୍ଦର ।

ଆହେ ଗୋପୀନାଥ କିମ୍ପା କରିଲ ଅନାଥ

ଦେଖିଯାଅ ଗୋପୀଙ୍କର ରୂପ ଥରେ ନାଥ ।

କାଣି ଅଙ୍ଗୁଳିରେ ମୁଦି ହେଲାଣି କଙ୍କଣ

ଲାଗୁ ନାହିଁ ଦେହେ ଯାହା ଥିଲା ଆଭରଣ ।

ଭାବି ଭାବି ଗୁଣ ତନୁ କ୍ଷୀଣ ହୋଇଗଲା

ତୁମ୍ଭ କଣ୍ଟ ବେଳ ଚାହିଁ ଚାହିଁ ଦିନ ଗଲା ।

ଆରେ ନବଘନ ଶ୍ୟାମ କାଇଁଚମାଳିଆ

ଥରେ ଆସି ଗୋପଶଶୀ ଗୋପୀ ଦେଖିଯାଆ

ଏହିପରି ଗୋପୀଙ୍କର ନୀରବ କ୍ରନ୍ଦନ

ଶୁଣି ଶୁଣି ଯାଉଛନ୍ତି ବିରଞ୍ଚି ନନ୍ଦନ ।

ଗୋପୀ ଗୋପାଳ ଯଶୋଦା ନନ୍ଦଙ୍କ କ୍ରନ୍ଦନ

କୃଷ୍ଣ ବିଚ୍ଛେଦ ଘାରିଛି ସବୁଙ୍କ ନୟନ ।

ନାରଦ ମହର୍ଷି ଗଲେ ଉଗ୍ରସେନ ପାଶ

ଦେଖି ରାଜା ପାଦେପଡ଼ି ହୋଇଲେ ସନ୍ତୋଷ

ଯଥାଯୋଗ୍ୟ ଆସନେ ବସାଇ ମୁନିବର

ପୁଚ୍ଛନ୍ତି କିପରି ମୁନି ଯଜ୍ଞର ବିଚାର ।

ଶୁଣି ନାରଦ କହନ୍ତି ନିଜେ କର୍ତ୍ତା ହୋଇ

ପଚାରୁଅଛ ମୁଁ ଶୁଣି ସନ୍ଦେହ କରଇ ।

ଉଗ୍ରସେନ ନରପତି ଯୋଡ଼ି ବେନିହସ୍ତ

ବୋଲନ୍ତି ମୁଁ ଯଜ୍ଞଠାରୁ ହୋଇଛି ବଞ୍ଚିତ ।

ଆଗ ହେଲା ଧେନୁ ଦାନ ଦେଖିଛ କେବଳ

ଘୃତାହୁତି ଯଜ୍ଞବେଳୁ ହେଲା ଏ ଚହଳ ।

ଏଠାରୁ ପ୍ରହରୀ ଦେଲା ଖବର ଯାଇଣ

ଗୋପର ନନ୍ଦଙ୍କୁ ହୋଇନାହିଁ ଆମନ୍ତ୍ରଣ ।

ଯଜ୍ଞାଗାରେ ପଶିବାକୁ କରନ୍ତି ଜିଗର

ମନା ଅଛି ବିନା ଆମନ୍ତ୍ରିତ ଛାଡ଼ିବାର ।

ଆସି ସେଠାରେ ଦେଖୁଛି ସେହି ପରମାଦ

ଅତି ଶୋକାକୁଳହୁଏ ଗୋପପୁର ନନ୍ଦ ।

ବସୁଦେବ ଦେବକୀ ଯେ ତାଙ୍କ ପୁତ୍ର ପାଇଁ

ନନ୍ଦ ଯଶୋଦାଙ୍କୁ କିସ କହିଲେ ଲଗାଇ ।

ନାନାକଥା ଅଭିମାନେ ଦେବକୀ କହିଲା

ଶୁଣି ଯଶୋବନ୍ତୀ ପୁଅ ବିଚ୍ଛେଦେ କାନ୍ଦିଲା ।

ପୁତ୍ର ଶୋକେ ଦଶଦିଗ କଲାଣି ନୀରବ

ଗୋପୀ ଗୋପାଳଙ୍କ ଶୋକ କହି ଯେ ନୋହିବ

ମହା ପରମାଦ ଆସି ହେଲା ଉପଗତ

ତେଣୁ ଯଜ୍ଞ ଦେଖିବାକୁ ନ ହେଲି ସମର୍ଥ ।

ନାରଦ କହିଲେ ରାଜା ସବୁଠାରେ ଭଲ

ଶ୍ରୀ କୃଷ୍ଣ ଯେ ଯଜ୍ଞକର୍ତ୍ତା ହେଲେ କଲବଲ ।

ଯଶୋବନ୍ତୀ ସେହି ପୁଣି ବାତ୍ସଲ୍ୟ ମମତା

ଶ୍ରୀକୃଷ୍ଣଙ୍କ ହୃଦୟରେ ଦିଏ ଗୁରୁ ବ୍ୟଥା ।

ଶୁଣି ଉଗ୍ରସେନ ରାଜା କହନ୍ତି ହେ ମୁନି

କିପରି ଏ ସମାଧାନ ହେବେ କଥା ମାନି ।

କରନ୍ତୁ ସେହି ବିଚାର ଆହେ ମୁନିବର

ଦୁଇପକ୍ଷ ଶାନ୍ତି ପାଇଁ କରନ୍ତୁ ବିଚାର ।

ଏତେକହି ଉଗ୍ରସେନ ନାରଦଙ୍କ ତୁଲେ

ଦୁଇପକ୍ଷ କଳିସ୍ଥାନେ ଉପସ୍ଥିତ ହେଲେ ।

ଆହେ ଦୀନଜନ ବନ୍ଧୁ ଜଗତର ନାଥ

ଜଗଜନ ଚିନ୍ତାମଣି କମଳାଙ୍କ କାନ୍ତ ।

ତୁମ୍ଭ ଭକ୍ତି ରସାମୃତ ଚିତ୍ତବୋଧ ଗ୍ରନ୍ଥ

ପଦ ପଦକରେ ଅଛି ଭାବ ହୋଇ ବ୍ୟକ୍ତ ।

କୃଷ୍ଣଙ୍କ ବିଚ୍ଛେଦ ଭାବ ଅତି ସୁମଧୁର

ଭକ୍ତିରେ ବିହ୍ୱଳ ରସ ଲାଗଇ ମଧୁର ।

ନବଧା ଭକ୍ତିରୁ ବଡ଼ ଅଟେ ପ୍ରେମଭକ୍ତ

ଅତି ସ୍ନେହେ ହୁଏ ଭକ୍ତ ପ୍ରେମ ରୋମାଞ୍ଚିତ ।

ପ୍ରେମରୁ ବହିବ ଯେଉଁ ଲୋତକର ଧାର

ଭାବଗ୍ରାହୀ ଭାବେ ତାର ହୁଅନ୍ତି ଅଧୀର ।

ଭକ୍ତ ଭାବେ ଭୋଳ ସେ ତ ଭାବ ବିନୋଦିଆ

ଭାବରେ ଭଜନ୍ତି ଗୋପୀ କୃଷ୍ଣଲୀଳା ଯାହା ।

ରସମୟ ରସିବ ସେ ସଗୁଣ ନିର୍ଗୁଣ

ନମସ୍ତେ ହେ ରାସେଶ୍ଵର କମଳା ରମଣ ।

କୋଟିଜନ୍ମେ ତପକରି ଗୋପେ ଗୋପୀକୁଳ

ଶ୍ରୀକୃଷ୍ଣଙ୍କ ସ୍ନେହ ରସେ ସର୍ବଦା ବିହ୍ୱଳ ।

ଜଗଜନ ଚିନ୍ତାମଣି ଆହେ ଆଦିମୂଳ

ତବ କୀର୍ତ୍ତି ବର୍ଣ୍ଣିବାକୁ କାହିଁ ମୋ ସମ୍ବଳ ।

ତୁମ୍ଭେ କର୍ମମୟ କର୍ମ କରତା ପୁରୁଷ

କରୁଣା ସାଗର ଅନ୍ତର୍ଯ୍ୟାମୀ ହୃଷୀକେଶ ।

ମୁଁ ତ ଅଜ୍ଞାନୀ ମୂରୁଖ କାହିଁ ମୋର ଜ୍ଞାନ

ତୁମ୍ଭରି ମାୟାରେ ଭ୍ରମି ବହିଗଲା ଦିନ ।

ତୁମ୍ଭ ଭକ୍ତିଭାବ କେଉଁ ପରି ଜାଣେ ନାହିଁ

ବାଲିବନ୍ଧେ ସମୁଦ୍ର ଲହଡ଼ିକୁ ରୋକଇ ।

ତୁମ୍ଭର ଯଦି କରୁଣା କିଞ୍ଚିତ ହୋଇବ

ତୁମ୍ଭ ରସମୟ ଲୀଳା ପ୍ରକାଶ ପାଇବ ।

ମୁଁ ତ ଅକିଞ୍ଚନ ତବ ମାୟାରେ ମୁଁ ଅନ୍ଧ

ଯଦି ଦୟା କରିବ ହେ ଗୋକୁଳ ଗୋବିନ୍ଦ ।

ଦିଅ ପ୍ରଭୁ କୃପାଧାରା ରସାମୃତ ଥୋଇ

ପିପିଲିକା ପରି ଭକ୍ତ ଆସ୍ୱାଦନ ପାଇ ।

ପାଇ ରସାମୃତ ଧାରା କାଟୁ ଭବଭୟ

ତାର ରସ ଲିଖନକୁ ହୁଅ ତୁ ସହାୟ ।

ବାମନ ହୋଇ ତୋଳୁଛି ଆକାଶ କୁସୁମ

ତୋର କୃପାହେଲେ ସିନା ହୋଇବି ସକ୍ଷମ ।

ତୁ ଯଦି ସହାୟ ହେବୁ ପୂରିବ ଏ ଗ୍ରନ୍ଥ

ଗୁରୁଭାବେ ଦୟାକର ହେ ଗୁରୁ ଅଚ୍ୟୁତ ।

ତୁ ବସିଲେ କଣ୍ଠେ ମୋର ଚଳିବ କଲମ

ପଦେ ପଦେ ଲେଖିଯିବି ଧରି ତୋର ନାମ ।

କବି ପଣ୍ଡିତ ପଦକୁ ଅଟେ ମୁହିଁ ହୀନ

କୃଷ୍ଣ ଭକ୍ତି ରସ ମୁହିଁ ନ ଜାଣେ ଅଜ୍ଞାନ ।

ତୁହି ଜାଣୁ କିସ ଭକ୍ତି ମୁଁ ଦୀନ ଅସାର

କେବଳ ଜାଣଇ ତୋର ଆଶ୍ରୟ ମୋ ସାର ।

ମାସ୍ତାନୀ ବ୍ରାହ୍ମଣ କୁଳେ ଜନମ ମୋହର

ସାତ ସେଉଳିଆ ଛୋଟ ପଲ୍ଲୀ ଗ୍ରାମେ ଘର ।

ଶ୍ରୀଗୁରୁ ଅଚ୍ୟୁତାନନ୍ଦଙ୍କର ଦୟା ହେଲା

ଚିତ୍ତବୋଧ ତୃତୀୟକୁ ଶରଧା ବଳିଲା ।

ଧ୍ୟାୟି ସେହି ଗୁରୁପାଦ ଲେଖୁଅଛି ଗ୍ରନ୍ଥ

ଇନ୍ଦ୍ରମଣି ସାହୁ ନାମେ ମୂର୍ଖ ଅପଣ୍ଡିତ ।

 

ଦେବକୀ ଓ ଯଶୋଦାଙ୍କ କଳିନିଷ୍ପତ୍ତିକୁ ମଧ୍ୟସ୍ଥ ଭାବେ
ନାରଦଙ୍କୁ ବରଣ କଳି ନିଷ୍ପତ୍ତି ଏବଂ ସମାପ୍ତ

ପରୀକ୍ଷ ରାଜନ ତୋଷେ ଶୁକଦେବ ପୂଜି

କହିଲେ ବିନୟ ମୁନି ତୋଷ ହେଲି ଆଜି ।

ଦେବଙ୍କୁ ଦୁର୍ଲ୍ଲଭ ଶ୍ରୀକୃଷ୍ଣଙ୍କ ପ୍ରେମରସ

ତୁମ୍ଭ ମୁଖୁଁ ଶୁଣି ଆଜି ତୁଟିଲା କଳୁଷ ।

ଦେବକୀଙ୍କର ବଚନ ଶୁଣି ନନ୍ଦରାଣୀ

ପୁତ୍ରଭାବେ ମଜ୍ଜି ଡାକୁଛନ୍ତି ବେଣୁପାଣି ।

ଦେବକୀଙ୍କର ବଚନ ଅତି ଭୟଙ୍କର

ଯଶୋବନ୍ତୀ କିସ ତାଙ୍କୁ ଦିଅନ୍ତି ଉତ୍ତର ।

କୁହ ମୁନି ଦୁହିଁ ଙ୍କର କଳି ସମାଧାନ

କିପରି ହୋଇବ ଶୁଣି ହେବି ତୋଷମନ ।

କହନ୍ତି ବ୍ୟାସ ନନ୍ଦନ ହୋଇ ତୋଷ ଚିତ୍ତ

ଶୁଣ ରାଜା ଏଥୁଅନ୍ତେ କୃଷ୍ଣ ରସାମୃତ ।

ଦେବକୀର କଟୁବାଣୀ ଶୁଣି ଯଶୋବନ୍ତୀ

କହିଲେ ଏତେ ମିଛକୁ କୁହ ବା କେମିତି ।

ଏବେଳେ ଶିଶୁଘାତିନୀ ନ ହେବି କାହିଁକି

ବହି ଗଲା କଥା କିଏ ମନକୁ ଆଣେକି ।

ଦେବକୀ କହନ୍ତି କିସ କରିଛୁଲୋ ମୋର

ବହି ଗଲା ଦିନ ପୁଣି କହୁ ଦିବାକର ।

ଅସମୟ ବେଳେ ଛୁଆ ଛାଡ଼ିଥିଲି ମୁହିଁ

କେଡ଼େ ମାଡ଼ ମାରିଛୁଲୋ ଚିହ୍ନ ଯାଇନାହିଁ ।

ଯାଦବ ଛୁଆକୁ ବଣେ ଚରାଇଲୁ ଗାଈ

ମୂରୁଖ କରିଣ ପୁଣି ଆସିଅଛୁ ଧାଇଁ ।

ଆଉ କିସ କରିଛୁଲୋ ମୋର ଉପକାର

ଗୋପାଳୁଣୀ ଡାକ ଦେଉ କାହ୍ନୁ ମୋ କୁମର ।

ଗୋପ ଗଉଡୁଣୀ ପୁଣି ଏଡ଼େ ତୋ ହଲକ

ଦୁଧେ ପାଣି ଦେଉ ଦେଖି ତୁ ଅଚିହ୍ନା ଲୋକ ।

ଆଉ କିଏ ଥିବ ତୋର ପୁତ୍ର ତୋ କହ୍ନାଇ

ହାଟ ବଜାରରେ କେତେ ସ୍ଵାମୀ ଥିଲେ ରହି ।

ଡାକି ନେଉଥିବେ କାଳେ ଜାଣିଣ କୁମର

ଯାଅ ଖୋଜି ଆସିବୁ ତୁ ସେହି ସ୍ଵାମୀ ପୁର ।

ମଥୁରା ଦେଶରେ କିମ୍ପା କରୁଛୁ ଚହଳ

କଳାଚାନ୍ଦ କଳାଚାନ୍ଦ ମିଛକୁ ବିକଳ ।

ଯଶୋଦା ବୋଇଲେ ତୋର ସ୍ଵାମୀ ଚିହ୍ନ ଅଛି

ତେଣୁ କଂସ ଭିନ୍ନେ ଭିନ୍ନେ କରି ରଖେ ବାଛି ।

ମୁହିଁ ଗାଭୀ ଷଣ୍ଢପରି ବନ୍ଧା ହୁଏ ନାହିଁ

ଋତୁକାଳେ ଷଣ୍ଢ ଚିହ୍ନ ନ ପଠାଏ ଭାଇ ।

ଏହି ଗୋପ ଗୋପାଳୁଣୀ ଉପକାର ଭାଇ

ବସିଅଛି ସିନା ବନ୍ଦୀ ଶାଙ୍ଖୋଳି କଟାଇ ।

ସେ କଥାକି କେହି କେବେ କରନ୍ତି ବିଚାର

ବଡ଼ ଘରେଜନ୍ମ ପୁଣି ରାଜ ପରିବାର ।

ମୋ କରମ ଊଣା ଯେଣୁ କୃଷ୍ଣ କଲା କୂଟ

କେଉଁଦିନ ଅଝଟରେ ପିଟିଥିଲି ଛାଟ ।

ସେହି ଅଭିମାନେ କାହ୍ନୁ କଲୁକିରେ ରୋଷ

ମୁହଁଛଡ଼ା ଦେଉଛୁରେ ଏଥେ ପୀତବାସ ।

ଏବେଳେ ପ୍ରବେଶ ହେଲେ ରାଜା ଉଗ୍ରସେନ

ବସୁଦେବ ନନ୍ଦଙ୍କୁ ଯେ ଡକାଇ ବହନ ।

ବୋଲନ୍ତି ତୁମ୍ଭ କଳହ ଅତି ଅଶୋଭନ

ଏଠାରେ ରହିଅଛନ୍ତି ତିନିପୁର ଜନ ।

କି ରୂପେ କଳହ ଭାଙ୍ଗି ହେବ ତୁମ୍ଭେ ଶାନ୍ତି

ଦୁଇପକ୍ଷ କଳିକଲେ ତୃତୀୟ ଭାଙ୍ଗନ୍ତି ।

କାହାକୁ ମଧ୍ୟସ୍ଥି କଲେ ଭାଙ୍ଗିବ କଳହ

ଶୁଣି ନନ୍ଦ କହୁଛନ୍ତି ଆହେ ମହାଶୟ ।

ଯେହୁ ମଧ୍ୟସ୍ଥି କରିବ ନିରପେକ୍ଷ ହୋଇ

ଦୁଇପକ୍ଷଙ୍କୁ ନ୍ୟାୟରେ ଦେବେ ସମଝାଇ ।

ନିଶ୍ଚୟ ମାନିବି ମୁହିଁ ତାହାଙ୍କ ବଚନ

ଶୁଣି ବସୁଦେବଙ୍କୁ ପୁଚ୍ଛନ୍ତି ଉଗ୍ରସେନ ।

କରଯୋଡ଼ି ବସୁଦେବ କରନ୍ତି ଉତ୍ତର

ଆପଣଙ୍କ ଇଚ୍ଛାପରେ ନିର୍ଭର ମୋହର ।

ତହୁଁ ରାଜା ନନ୍ଦ ବସୁଦେବ ସଙ୍ଗେ ନେଇ

ଦେବର୍ଷି ନାରଦ ପାଶେ ପ୍ରବେଶ କରାଇ ।

ବୋଲନ୍ତି ହେ ମହାଭାଗ ବିରଞ୍ଚି କୁମର

ଏ ଦୁଇ ଜଣଙ୍କୁ କଳି ସମାଧାନ କର ।

ପ୍ରକୃତରେ ଶ୍ରୀକୃଷ୍ଣଙ୍କ ଜନନୀ ଜନକ

ଠିକ ନ୍ୟାୟରେ ବାଛିଣ କହନ୍ତୁ ଏତକ ।

ନନ୍ଦ ବସୁଦେବ କରୁଅଛନ୍ତି ବରଣ

ବିଚାରକ ହୋଇ ନ୍ୟାୟ କରନ୍ତୁ ଭିଆଣ ।

ଦୁଇପକ୍ଷ ନିଜ କଳି ସମାଧାନ ପାଇଁ

ଆପଣଙ୍କ ବିଚାରକୁ ହୁଅନ୍ତି ଆଗ୍ରହୀ ।

ନାରଦ କହିଲେ କୃଷ୍ଣ ଜନମ ବୃତ୍ତାନ୍ତ

କିଏ କହିବ ତାହାର କେଉଁ ରସାମୃତ ।

ଯେଉଁ କୃଷ୍ଣଙ୍କର ମାୟା ଦେବଙ୍କୁ ଦୁର୍ଲ୍ଲଭ

ବ୍ରହ୍ମ ଆଦି ଦେବତାଏ ନ ପାଆନ୍ତି ଠାବ ।

ଶ୍ରୀକୃଷ୍ଣଙ୍କ ଆଦିଅନ୍ତ କେହୁ ଜାଣେ ନାହିଁ

ଶିବ ପଞ୍ଚମୁଖେ କିଛି ନ ପାରନ୍ତି କହି ।

ବିରଞ୍ଚି ଚାରିମୁଖରେ ନ କରେ ବର୍ଣ୍ଣନ

କେଉଁ ରୂପେ କରନ୍ତି ହେ ସୃଷ୍ଟିର ବିଧାନ ।

ସେହି କାଳରୂପ ପୁଣି ସେହି ଯେ ଅକାଳ

ନାହିଁ ରୂପ ନାହିଁ ରେଖ ସବୁର ଯେ ମୂଳ ।

ତୁମ୍ଭେ ଯେଉଁ କୃଷ୍ଣଙ୍କୁ ହେ କରିଛ ଜନମ

କାହିଁପାଇଁ ଆଜି ଏଥେ କଳିକୁ ସକ୍ଷମ ।

କୃଷ୍ଣ ତ ସରବ ସ୍ୱାମୀ ଥାନ୍ତି କ୍ଷୀରାବ୍‌ଧିରେ

ସଦା ମୁଦ୍ରିତ ନୟନ ଅନନ୍ତ ଶଯ୍ୟାରେ ।

ଶ୍ରୀକୃଷ୍ଣଙ୍କ ସେହୁ ପଦୁ ଗଙ୍ଗା ବହିଯାଏ

ବିଷ୍ଣୁ ପଦାଗ୍ର ସମ୍ଭୂତା ଏଣୁ ସେ ବୋଲାଏ ।

ନାଭି କମଳରୁ ବ୍ରହ୍ମା ହୋଇ ଉତପନ୍ନ

କରିଅଛନ୍ତି ଏହି ସୃଷ୍ଟିକୁ ଗଠନ ।

ଯେଉଁ କୃଷ୍ଣ ନାମ ଶିବ କରନ୍ତି ବନ୍ଦନ

ଶ୍ରୀକୃଷ୍ଣ ଅନନ୍ତ ସ୍ଵାମୀ ସ୍ଵୟଂ ନାରାୟଣ ।

ଲକ୍ଷ୍ମୀ ସଦା ପାଦଯୁଗ କରନ୍ତି କାରଣ

ସରସ୍ଵତୀ ରହିଛନ୍ତି ବୀଣା ବଜାଇଣ ।

ଯୋଗ ନିଦ୍ରାରେ ରହନ୍ତି ସର୍ବଦା ସଚେତ

ସେହି ବ୍ରହ୍ମ ଅଣାକାର ଅଟନ୍ତି ଅଚ୍ୟୁତ ।

ଆହୁରି ଅଛନ୍ତି କୃଷ୍ଣ ଶୁଣ ହୋ ରାଜନ

ଅନାଦି ଅନନ୍ତ ଅଣାକାର ଭଗବାନ ।

ଶୂନ୍ୟଠାରୁ ମହାଶୂନ୍ୟ ବିରାଟ ପୁରୁଷ

କୋଟି ସୂର୍ଯ୍ୟଜିଣା ତେଜ ସଦା ଅପ୍ରକାଶ ।

ଅନେକ ମୁଖ ନୟନ ପୁଣି ହସ୍ତ ପଦ୍ମ

ଅନେକ ମୁକୁଟଧାରୀ ଶଙ୍ଖ ଚକ୍ର ଚିହ୍ନ ।

ଅନେକ ଭୁବନ ଦେହେ ଅନେକ ବାହନ

ଅନେକ ଦିଗ ବିଦିଗ ସ୍ଵରଗ ଭୂବନ ।

ଦେବଗଣ ଶିବଗଣ ଅସୁର ଓ ସୁର

ସେ କୃଷ୍ଣ ଦେହୁ ଉତ୍ପନ୍ନ କୋଟି ପାରିବାର ।

ଗ୍ରହ ଉପଗ୍ରହ ନଦନଦୀ ଚରାଚର

ସରବେ ତାର ଦେହରୁ ହୁଅନ୍ତି ବାହାର ।

ଜନ୍ମ ନାହିଁ ଅଜନ୍ମା ସେ ରୂପର ଅରୁପ

ଚରାଚର ଚିନ୍ତାମଣି ଚେତନା ସ୍ଵରୁପ ।

ସରବ ଦେହରେ ତାରି ଥାଏ ଅବସ୍ଥାନ

ପ୍ରକୃତି ସ୍ଵରୁପ ଲକ୍ଷ୍ମୀ ଶରୀର ତା ସ୍ଥାନ ।

ଅପ୍ରକାଶ ରୂପ କୃଷ୍ଣ ସର୍ବ ପିତାପଣେ

ସରବୁ ଅଲଗା ଚିନ୍ତାମଣି ସେ ତ ଜଣେ ।

ମାୟାରୂପ ମାୟାମୟ ବିହାର କରନ୍ତି

ଲକ୍ଷ୍ମୀଶକ୍ତି ସ୍ୱରୂପିଣୀ ପ୍ରକୃତି ପ୍ରବୃତ୍ତି ।

କୃଷ୍ଣ ପାଶେ ରାଧା ନାମ ରାମ ପାଶେ ସୀତା

ନାରାୟଣ ପାଶେ ଲକ୍ଷ୍ମୀ ହୁଅନ୍ତି ଶୋଭିତା ।

ପରମ ପାଶେ ତ୍ରିପୁରା ବେଦ ପାଖେ ଭ୍ରାନ୍ତ

ମାୟାଧର ମାୟାକରି ପାଳନ୍ତି ଜଗତ ।

ମାୟାରେ ମୋହ ହୋଇଣ ପ୍ରତାପୀ ଅସୁର

ଦୁର୍ବଳ ଦେବ ବିପ୍ରଙ୍କୁ କଲେ ଅତ୍ୟାଚାର ।

ଅନନ୍ତ ଅଂଶରୁ କୃଷ୍ଣ ହୋଇ ଅବତାର

ଦୁଷ୍ଟଙ୍କୁ ମାରିଣ କଲେ ଭୂଭାର ଉଦ୍ଧାର ।

ବଦ୍ରିକାରେ ଜନ୍ମ ହେଲେ କୃଷ୍ଣଦାସ ଘରେ

ଶେଷ ନୃସିଂହ ରୂପଟି ଥିଲା ସେ ଯୁଗରେ ।

ଅଯୋନି ସମ୍ଭୂତା ଲକ୍ଷ୍ମୀ ପାରାବାରୁ ଜାତ

ବରୁଣ ରାଜ ତନୟା ହୋଇଲେ ବିଦିତ ।

ମୁର ଦାରୁଣ ରୂପରେ ପ୍ରତାପୀ ଅସୁର

ଧାତାବରେ କଲା ଦେବ ବିପ୍ରେ ଅତ୍ୟାଚାର ।

ମାରିଲେ ତାହାକୁ ହୋଇ ନୃସିଂହ ପୁରୁଷ

ପୁଣି ବୈକୁଣ୍ଠେ ଚଳିଲେ ଦେବ ହୃଷୀକେଶ ।

କିଛିକାଳ ଅନ୍ତେ ଜନ୍ମ ହୋଇଲା ରାବଣ

ବିଶ୍ରବାଋଷି ଔରସୁ ରାକ୍ଷସୀ ଗର୍ଭେଣ ।

ବିଧାତାଙ୍କୁ ତୋଷି ବର ପାଇ ସେ ରାବଣ

ଦେବତା ବିପ୍ରଙ୍କୁ ଦେଲା ବହୁତ କଷଣ ।

ରାମ ଅବତାରେ କୃଷ୍ଣ ଦଶରଥ ଘରେ

ଜନ୍ମହେଲେ ଯାଇଁ ପ୍ରଭୁ କୌଶଲ୍ୟା ଗର୍ଭରେ ।

ଅଯୋନି ସମ୍ଭୂତା ଲକ୍ଷ୍ମୀ ଭୁମିରୁ ଜନମି

ସୀତାରୂପେ ଶ୍ରୀରାମଙ୍କୁ ବରିଲେକ ସ୍ଵାମୀ ।

କିଛିଦିନେ ପିତାସତ୍ୟ ପାଳିଣ ଶ୍ରୀରାମ

ଦଣ୍ଡକା ଅରଣ୍ୟ ମଧ୍ୟେ ଗଢ଼ିଲେ ଆଶ୍ରମ ।

ସୁନାମୃଗ ଦେଖାଇଣ ଲଙ୍କାର ରାବଣ

ଆଶ୍ରମରୁ ସୀତାଙ୍କୁ ସେ ନେଲା ଚୋରାଇଣ ।

ଜାଣିପାରି ରାବଣଙ୍କୁ କରିଲେ ସଂହାର

ସେହି ରାମ ପୁଣି ଗଲେ ବଇକୁଣ୍ଠ ପୁର ।

ଦୁର୍ମିଳା ଔରସେ ଜନ୍ମ ହେଲା କଂସାସୁର

ଦେବତା ବିପ୍ରଙ୍କୁ କଲା ବହୁ ଅତ୍ୟାଚାର ।

ପୁଣି କୃଷ୍ଣ ଜନ୍ମ ହେବେ କାହାର କୋଳରେ

କଳହ ଲାଗିଛି ନ୍ୟାୟ ହୋଇବ ଏଠାରେ ।

ଯଦି ମୋତେ ମଧ୍ୟସ୍ଥିରେ ବରଣ କଲଣି

ନିରପକ୍ଷ ବିଚାର କରୁଛୁ ଆମ୍ଭେ ଜାଣି ।

ସାକ୍ଷ୍ୟ ଲକ୍ଷ୍ୟ ପ୍ରତ୍ୟକ୍ଷଯେ ତିନୋଟିକୁ ନେଇ

ବୁଝିବା ତୁମ୍ଭର ନ୍ୟାୟ ଏ ସ୍ଥାନରେ ରହି ।

ଆଗେ ସାକ୍ଷ୍ୟ ନେଇ ଲକ୍ଷ୍ୟ ପ୍ରତ୍ୟହ ବୁଝିବା

କାହାର କୁମର କୃଷ୍ଣ ବିଚାରି କହିବା ।

ଆଗେ ବସୁଦେବ କହନ୍ତୁ ଯେ କେଉଁପରି

ଶ୍ରୀକୃଷ୍ଣ ପିତା ବୋଲିଣି କହନ୍ତି ବିଚାରି ।

ବସିଛନ୍ତି ଏ ସ୍ଥାନରେ ବହୁ ବିଚାରକ

ସମସ୍ତେ ଜାଣିବେ ସାକ୍ଷ୍ୟ ଲକ୍ଷ୍ୟ ଓ ପ୍ରତ୍ୟକ୍ଷ ।

କହୁଛନ୍ତି ବସୁଦେବ ଶୁଣ ମୋ ଆପତ୍ତି

ଶ୍ରୀକୃଷ୍ଣ ଅଟଇ ଯେଣୁ ମୋହର ସନ୍ତତି ।

ଭଗ୍ନୀ ବିଭା ଦେଇ କଂସ କରିଲା ଉତ୍ସବ

ଏ ବେଳେ ଡାକିଲେ ଆକାଶରୁ ଦେବଦୈବ ।

ରେ କଂସ ଯାହାକୁ ରହୁବରେ ବୁଲୁ ଆଣି

ତାହାର ଅଷ୍ଟମ ଗର୍ଭେ ତୋ ବିନାଶ ପୁଣି ।

ଶୁଣି କଂସ ମନମଧ୍ୟେ କରିଲା ବିଚାର

ମୂଳକୁ ମାରିଲେ କିମ୍ପା ଯିବ ଏତେ ଦୂର ।

କରବାଳ ଧରି କୋପେ ହାଣିବ ବୋଇଲା

ସେତେବେଳେ ଭଗ୍ନୀ ତାର ବହୁ ସ୍ତୁତିକଲା ।

ବୋଇଲା ଯଦି କୁମର ବଇରୀ ତୋହର

ଜନ୍ମ ହେଲେ ଆଣି ଖଟାଇବି ତୋ ପାଦର ।

ତାହା ଶୁଣି କଂସାସୁର କରିଲା ବିଚାର

ମାରିଲେ ତ ନାରୀହତ୍ୟା ହୋଇବ ମୋହର ।

ପୁଣି କହେ ବନ୍ଦୀଘରେ ରଖାଇବି ନେଇ

ଜନ୍ମ ହେଲା ପୁତ୍ର ତାର ଆଣିବି ଛଡ଼ାଇ ।

ଏତେ ଭାବି କଂସ ବନ୍ଦୀଘରେ ରଖାଇଲା

ସହସ୍ର ପ୍ରହରୀ ତହିଁ ନିଯୁକ୍ତ କରିଲା ।

ମାଣେ ମାଣେ ତଣ୍ଡୁଳ ଯେ ଦେଉଥାଏ ପଡ଼ି

ସେତକ ଖାଇଣ ଶତ୍ରୁଭାବେ ଥାଉଁ ପଡ଼ି ।

ଜନ୍ମିଲେ କୁମର ନେଇ ଦେଉ ତା ହସ୍ତର

ନିର୍ଭୟ ଭାବେ ମାରଇ ଦୁଷ୍ଟ କଂସାସୁର ।

ସେ ବେଳେ ଦେବକୀ ଶୋକ କେ ପାରିବ କହି

ମାତା ପିତା ଦୁଃଖ ଅନ୍ତର୍ଯ୍ୟାମୀ ଜାଣୁଥାଇ ।

ଅଷ୍ଟମ ଗର୍ଭକୁ ଦେବକୀର ହେଲା କ୍ଳେଶ

ସେ ଦୁଃଖ ଶୁଣିଲେ କୃଷ୍ଣ ହୋଇ ପରକାଶ ।

ଗର୍ଭେ ଥାଇ ଜନନୀକୁ କହିଲେ ତାହାର

ତୋର ଦୁଃଖ ଯିବ ମାରିବି ମୁଁ କଂସାସୁର ।

ଆଶ୍ଚର୍ଯ୍ୟ ଲାଗିଲା ଯହୁଁ ଏସନ ଶୁଣିଲି

ମନେ ମନେ ଚକ୍ରପାଣି ପଦେ ଧ୍ୟାନକଲି ।

ଦୁର୍ବଳର ସଖା ତୁମ୍ଭେ ପତିତପାବନ

ତୁମ୍ଭ ଜାଣ ତୁମ୍ଭ ମାୟା ଆହେ ସନାତନ ।

ଭାଦ୍ରମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିର

ରାତ୍ର ପ୍ରଥମ ପ୍ରହରେ ଗର୍ଭପୀଡା ତାର ।

ଦ୍ୱିତୀୟ ପ୍ରହର ନିଶା ଅର୍ଦ୍ଧ ସମୟରେ

କଂସ ପ୍ରହରୀ ନିଦ୍ରିତ ଥିଲେ ସେ ବେଳରେ

ଭୂମିଷ୍ଠ ହୋଇଲା କୃଷ୍ଣ ହେଲା ଆଲୋକିତ

ମୋ ହସ୍ତ ପଦ ଶାଙ୍କୁଳି ହେଲା ଶୃଙ୍ଖଳିତ ।

ଅଦଭୁତେ ଖୋଲିଗଲା ହେଲି ମୁଁ ପ୍ରବେଶ

ଦେବକୀ ମୋହ ଭାଙ୍ଗିଲା ଦେଖି ପୁତ୍ର ପାଶ ।

ନୀଳ ଜୀମୂତ ସୁନ୍ଦର ବଦନ ମଣ୍ଡଳ

ବନ୍ଦୀଘର ତାର ତେଜେ ହୋଇଛି ଉଜ୍ଜ୍ୱଳ ।

ଟିକି ମୁଖ ଦେଖି ଦୁଃଖ ଭୁଲିଗଲା ମୋର

କଂସ କଥା ଭାବି ଭୟ କମ୍ପିଲା ଶରୀର ।

ଜାଣି ମୋର ମନ ମାୟାଧର ହୃଷୀକେଶ

ବୋଇଲେ ଯେ ପିତାମାତା ନାଶିବି ମୁଁ କଂସ ।

ଚିନ୍ତା ନକର ଜନକ ମୁହିଁ ଚକ୍ରଧର

ଦେଖାଇଲେ ନିଜ ରୂପ କୋଟି ମନୋହର ।

ପୁଣି ବାଳକ ବେଶରେ କହିଲେ କହ୍ନାଇ

ଗୋପେ ନନ୍ଦ ମନ୍ଦିରରେ ଛାଡ଼ିଆସ ନେଇ ।

ମାୟାବତୀ ଜନମୁଛି ଯଶୋଦା କୋଳରେ

ଅଚେତନ ଥିବେ ମାତ ଆଣିବ ସତ୍ଵରେ ।

ମୋତେ ଛାଡ଼ିଆସ ମୁଁ ବଢ଼ିବି ଗୋପପୁର

ଅଳପ ଦିନେ ମାରିବି ଦୁଷ୍ଟ କଂସାସୁର ।

ଘନ ଅନ୍ଧାର ବରଷେ ମେଘ କରି ଝର

ବନ୍ଦୀଘରୁ ଘେନି କୃଷ୍ଣ ହେଲି ମୁଁ ବାହାର ।

କଂସ ଆଜ୍ଞା ପାଳି ଉଗ୍ରସେନ ନରପତି

ସାରା ରାତି ମଥୁରାରେ ପ୍ରହରା ଦିଅନ୍ତି ।

ସେ ଦେଖିଲେ ବାଟେକୃଷ୍ଣ ନେଉଥିଲାବେଳେ

ନ ଛାଡ଼ି ଧରିଲେ କଂସ ଦେଖାଇବେ ହେଳେ ।

ତାଙ୍କୁ କୃଷ୍ଣ ଦେଖାଇଲେ ନିଜ କଳେବର

କଂସ ମାରି ତୋତେ କରାଇବୁ ନରବର ।

କିଛି ଦୂରେ ପାର ହୋଇ ମୁଁ ଯମୁନା ନଈ

ଗୋପେ ନନ୍ଦ ମନ୍ଦିରରେ ପ୍ରବେଶିଲି ତହିଁ ।

ଯଶୋଦା ଜନ୍ମ କରିଣ ଥିଲେ ଅଚେତନ

କନ୍ୟା ଆଣି କୃଷ୍ଣଙ୍କୁ ମୁଁ ଛାଡ଼ି ସେହି ସ୍ଥାନ ।

ମଥୁରା ବନ୍ଦୀରେ ହେଲି ଆସି ଶୃଙ୍ଖଳିତ

ଉଗ୍ରସେନ ନରପତି ଜାଣନ୍ତି ବୃତ୍ତାନ୍ତ ।

ଶୁଣି ନାରଦ କହନ୍ତି ସାକ୍ଷ୍ୟ ଓ ପ୍ରତ୍ୟକ୍ଷ

ଆଉ କେହି ଜାଣନ୍ତି କି ବାହାରର ଲୋକ ।

ଉଗ୍ରସେନ ନରପତି ତୁମ୍ଭର ଶ୍ୱଶୁର

ତାଙ୍କ ସାକ୍ଷ୍ୟ ନେବାଟା ହୋଇବ ଅସୁନ୍ଦର ।

ପ୍ରତ୍ୟକ୍ଷ ସାକ୍ଷୀ ତୁମ୍ଭର ଆଉ କେ ଅଛନ୍ତି

କୃଷ୍ଣ ଜନ୍ମ ତୁମ୍ଭ କୋଳେ ନିଜେ ଦେଖିଛନ୍ତି ।

ସରବ ଜନ ମନକୁ ହୋଇବ ବିଶ୍ଵାସ

ତିନିପୁର ଲୋକ ଯହିଁ ଦେଖିଛନ୍ତି ଦୃଶ୍ୟ ।

ସତ୍ୟାସତ୍ୟ ନିରପେକ୍ଷ କରିବା ବିଚାର

କେହି ନ କହିବେ ପକ୍ଷାପକ୍ଷ ନୀତି ମୋର ।

ଦେବକୀ ଶୁଣି କହିଲେ ଏତେ କଥା ମିଛ

ବନ୍ଦୀଘରେ ଜନ୍ମ କିଏ କରିଲା କହତ ।

କିଏ ନ ଜାଣେ ମୋ ଭାଇ ନିଷ୍ଠୁର କଂସଇ

ବନ୍ଦୀଘରେ ରଖିଥିଲା ଦୟାଶୂନ୍ୟ ହୋଇ ।

ସେ ଜାଗାରେ କାହିଁକି ରହନ୍ତେ ଭଲଲୋକ

ମୋର ସାକ୍ଷୀ ଦେବା ପାଇଁ ଆସନ୍ତେ ପ୍ରତ୍ୟକ୍ଷ

ଚୋର ଡାକୁ ଆତ୍ମଘାତୀଙ୍କର ସେହି ସ୍ଥାନ

ଭଦ୍ର ଲୋକ ମିଳିବାର ସେ ସ୍ଥାନ କଠିନ ।

ଆଉ କେଉଁଠୁ ଆସିବେ ମୋର ଭଦ୍ରଲୋକ

କୃଷ୍ଣ ଜନ୍ମ କଥା ଶୁଣି ପୁଣି କହିବେ ପ୍ରତ୍ୟକ୍ଷ ।

ନାରଦ କହନ୍ତି କେହି ବନ୍ଦୀ ଯଦି ଥାନ୍ତି

କୁହ ଡାକି ପଚାରିବା କିମ୍ପା କର ଭ୍ରାନ୍ତି ।

ପ୍ରବୃତ୍ତିରେ ପଡ଼ି ସିନା କରିଦିଏ ଦୋଷ

ବନ୍ଦୀଠାରୁ ସତ କଥା ମିଳଇ ଅବଶ୍ୟ ।

ଯଦି କେହି ଦେଖିଥାନ୍ତି ଡାକ ବସୁଦେବ

ପଚାରିବା ସତକଥା କିଛି ଜଣାଯିବ ।

ବଣର ଘଟଣା ଗ୍ରାମେ ହୁଅଇ ବିଚାର

ସାକ୍ଷୀଙ୍କ କଥାରେ ବୁଝି ସତକଥା ତାର ।

ବସୁଦେବ ଦେବକୀ ଯେ ହୋଇଲେକ ତୁନି

ନନ୍ଦଙ୍କୁ ଡକାଇ କହୁଛନ୍ତି ମହାଜ୍ଞାନୀ ।

କୁହ ତୁମ୍ଭ ପୁତ୍ର କୃଷ୍ଣ ଅଟେ କେଉଁପରି

ପ୍ରକୃତ ସାକ୍ଷୀଙ୍କ କଥା ସର୍ବେ ନେବା ଧରି ।

ଶୁଣି କହୁଛନ୍ତି ନନ୍ଦ ଯୋଡ଼ି ବେନିକର

ଭାଦ୍ର କୃଷ୍ଣପକ୍ଷ ଅଷ୍ଟମୀ ଯେ ସେ ଦିନର ।

ବିଭାବରୀ ଅର୍ଦ୍ଧବାସ ସମୟେ କୁମର

ଜନ୍ମ ହୋଇ ମାତୃକୋଳ କରିଲା ସୁନ୍ଦର ।

ବହୁ ଦେବାଦେବୀ ପୂଜି ବୃଦ୍ଧ ସମୟରେ

ପାଇଅଛି ଶ୍ରୀ କୃଷ୍ଣଙ୍କୁ ସନ୍ତାନ ସ୍ନେହରେ ।

ସକାଳୁ ପୁତ୍ରର ମୁଖ ଦରଶନ କଲି

ରିଷ୍ଟଲାଗି ଗୁହ ବିପ୍ରେ ବହୁଦାନ ଦେଲି ।

ଗର୍ଗଋଷି କରିଛନ୍ତି ତା ନାମ କରଣି

ଶ୍ରୀକୃଷ୍ଣ କେଶବ ହୃଷୀକେଶ ଚକ୍ରପାଣି ।

ଉପାଧି ନାମ ତାହାର ହୋଇଛି ଅନେକ

ନୀଳଶଶୀ ପରି ଯେଣୁ ନୀଳମଣି ଡାକ ।

ଚିନ୍ତାମଣି ମୋହର ସେ ଯେଣୁ ଚିନ୍ତାମଣି

ଗୋକୁଳାନନ୍ଦ ଗୋକୁଳ ଆନନ୍ଦ କାରେଣି ।

ହୃଦାନନ୍ଦ ଆଦିକରି ପୁରୁଷ ଉତ୍ତମ

ଯାମଳା ଭଞ୍ଜନ ନବଘନ ଘନଶ୍ୟାମ ।

ବନମାଳୀ ବଂଶୀଧର କାଳିୟ ଗଞ୍ଜନ

କାଳିନ୍ଦୀରେ କଲା କାଳୀଶିରରେ ନର୍ତ୍ତନ ।

ଆଣ୍ଠୁଆ ଗୋପାଳ ଗୋପୀନାଥ ନନ୍ଦବାଳ

କଂସକେଶୀ ବିନାଶନ ମଦନ ଗୋପାଳ ।

ଏହିପରି ବହୁନାମ ଜନ୍ମରୁ ତାହାର

ଦେଇଛନ୍ତି ମୁନିମାନେ ଗୋବର୍ଦ୍ଧନ ଧର ।

ଏହିପରି ନାନା ନାମ ଅଟଇ ତାହାର

ସମସ୍ତେ ଜାଣନ୍ତି କୃଷ୍ଣ ନନ୍ଦର କୁମର ।

ଗୋପରେ ଗୋପଗୋପାଳ ଅଛନ୍ତି ଯେତକ

ହାତେ ନାଭି କାଟିଛନ୍ତି କହିବେ କେତେକ ।

ଗୋପ ଯମୁନାର ଜଳ ଜାଣେ ସେ କହିବ

ବୃନ୍ଦାବନ ଦୃକ୍ଷରାଜି ନିଶ୍ଚେ ଦେଖିଥିବ ।

ଅକ୍ରୂର ଯାଇଣ କଂସ ଧନୁ ଉତ୍ସବକୁ

ଆଣିଅଛି କେହି କି ନ ଜାଣେ ହୋ ତାହାକୁ ।

ପିଲାଦିନୁ କଂସ ଦୃଷ୍ଟି ତାପରେ ପଡିଲା

ତିନିଦିନେ ରାକ୍ଷାସୁଣୀ ପୁତନା ମରିଲା ।

ପାଞ୍ଚଦିନେ ମଲା ପୁଣି ଶକଟା ଅସୁର

ସାତଦିନେ ଟେକି ନେଇ ଗଲା ତୃଣାସୁର ।

ବକାସୁର ବତ୍ସାସୁର ଧେନୁକା ଦଇତ୍ୟ

ବୃନ୍ଦାବନେ ଅଷ୍ଟମଲ୍ଲ ହେଲେ ପ୍ରାଣେ ହତ ।

ପଦ୍ମତୋଳୁ ତୋଳୁ କାଳୀନାଗୁଣୀ ଧ୍ୱଂସିଲା

ମଙ୍ଗଳାଙ୍କୁ ସୁଦୟାରୁ ମୋ ପୁତ୍ର ବଞ୍ଚିଲା ।

କେତେ ରିଷ୍ଟରୁ ମୋ ପୁତ୍ର ଆସିଲା ଉବୁରି

କଂସାସୁର ମନେ ଭାବିଥିଲା ଦେବ ମାରି ।

କେତେ ଦୁଃଖ ନ ସହିଲୁ କାହ୍ନୁ ଲାଗି ମୋର

ବଞ୍ଚିରହୁ ପୁଅ ପଛେ ନ ହେଉ କାହାର ।

ନାରଦ କହିଲେ ଗୋପେ ତୁମ୍ଭ ପ୍ରଜାଜନ

ମିଥ୍ୟା କହିବେ ଯେଣୁ ଯେ ଅଟନ୍ତି ଅଧୀନ ।

ଯଶୋଦାଙ୍କୁ ଦେଖି ମୁନି କହିଲେ ବଚନ

କୃଷ୍ଣଜନ୍ମ ବେଳେ ଥିଲେ କେ ଦେଖଣାଜନ ।

କୃଷ୍ଣ ବିଷୟରେ ତାର ଜନମ ଚରିତ

ଆଉ ଜାଣ ଯଦି କର ମା ତାହା ବ୍ୟକତ ।

ମାତା ଯଶୋବନ୍ତୀ ଶୁଣି ନାରଦ ବଚନ

କହନ୍ତି ମୁଁ ଜନ୍ମ କରିଥିଲି ଅଚେତନ ।

ଆଉ ଗୋପୀମାନେ କାଟିଥିଲେ ନାଭି ତାର

ସେମାନେ ସରବେ ସେହି ଗୋପ ନଗରର ।

ଶୁଣି କହନ୍ତି ବଚନ ଉଠି ମୁନିବର

ଦୁଇପକ୍ଷ ସାକ୍ଷୀମାନେ ନୁହନ୍ତି ଯେ ସ୍ଥିର ।

ଆହେ ଉପସ୍ଥିତ ସଭାସଦ ମାନ୍ୟଗଣ

ଶୁଣିଲେ ଦୁହିଁଙ୍କ ସାକ୍ଷୀ ହେଲା ଅକାରଣ ।

ଆଉ କୃଷ୍ଣ ଜନ୍ମକଥା କିଏ ସେ କହିବ

ବଡ ଅସମ୍ଭବ ହେଲା କିପରି ଛିଡ଼ିବ ।

ତେବେ ଆମ୍ଭେ ଯାଉଅଛୁ ବଳରାମ ପାଶ

ଯଜ୍ଞରେ ଅଛନ୍ତି ଯେଣୁ ବୁଝିବୁ ଅବଶ୍ୟ ।

ଯେବେ କୃଷ୍ଣ ଜନ୍ମକଥା ପାରିବେ ସେ କହି

ନ କହିଲେ ଶ୍ରୀକୃଷ୍ଣଙ୍କୁ ପଚାରିବୁ ତହିଁ ।

ଯଦି କାହାର କୁମର ସେହୁ କହି ଦେବେ

ଆସିଣ କହିବୁ ଦୁଇ ପକ୍ଷ ଥାଅ ଏବେ ।

ଏତେ କହି ମୁନି ଉଗ୍ରସେନ ସଙ୍ଗେ ନେଇ

ଯଜ୍ଞଠାରେ ବଳରାମ କହନ୍ତି ଗୋସାଇଁ ।

ଆହେ ବଳରାମ ତୁମ୍ଭେ କର ଅବଧାନ

ଜାଣ କି କୃଷ୍ଣ ଅଟନ୍ତି କାହାର ନନ୍ଦନ ।

ଶୁଣି ବଳଦେବ କହିଲେ ହେ ମୁନିବର

କର୍କଟ ପୂର୍ଣ୍ଣିମା ଦିନ ଜନମ ମୋହର ।

ଶ୍ରୀକୃଷ୍ଣ ସେହି ଅଷ୍ଟମୀ ତିଥିରେ ଜନମ

ଏକବର୍ଷ ସାତଦିନେ ଜ୍ୟେଷ୍ଠରେ ମୁଁ କ୍ଷମ ।

ଅଟେ ମୁଁ ବାଳକ ଯେଣୁ ହେବି କି ଭାଜନ

ଶ୍ରୀକୃଷ୍ଣ ଯେଉଁ ଜନନୀଠାରୁ ଉତପନ୍ନ ।

ଶୁଣି ମୁନି ଫେରିଆସି କଳହ ସ୍ଥାନକୁ

କହିଲେ ଆସଇ ଏକ କଥା ମୋ ମନକୁ ।

ମୋର ସାକ୍ଷୀ ଗୋପର ଗୋପାଳ ଗୋପଗୋଈ

ପଚାରନ୍ତୁ ସତକଥା କହିବେ ଏଠାଇଁ ।

ବଳରାମ ମନା କଲେ ସେ ଜାଣନ୍ତି ନାହିଁ

ତେଣୁ ମୁଁ ଧର୍ମର ଗୁଳି ଦେଉଛି ପକାଇ ।

ଦୁଇଟି ଜନନୀ ଏକ ବାଳକର ପାଇଁ

ଜିଦିକରି କଳି କରୁଅଛ ଏଥେଁ ରହି ।

ସଭାସ୍ଥିତ ବସିଛନ୍ତି ତିନିପୁର ଲୋକ

ଯଜ୍ଞକୁ ଆସି ଏଠାରେ ଦେଖନ୍ତି ଅନେକ ।

ଦୁଇ ଜଣ ଡାକ ପୁତ୍ର ବାତ୍ସଲ୍ୟ ସୂଚାଇ

ପ୍ରତ୍ୟକ୍ଷ କାହାର ସ୍ତନୁ ର ଯିବ ବହି ।

ପୁତ୍ର ଶୁଣିଧାଇଁ ଆସି କୋଳରେ ବସିବ

ତାହାରି କୁମର କୃଷ୍ଣ ନିଶ୍ଚେ ଜାଣ ହେବ ।

ଶୁଣି ଦେବକୀ କହିଲେ ଏତ ଅସମ୍ଭବ

ଆଠବର୍ଷ ହେଲା ପୁତ୍ର କ୍ଷୀର କି ଝରିବ ।

ଜନନୀ ସ୍ତନରେ କ୍ଷୀର ଥାଏ ପାଞ୍ଚବର୍ଷ

ତେଣିକି ଶୁଷ୍କ ସ୍ତନରେ କ୍ଷୀର ନୁହେଁ ଦୃଶ୍ୟ ।

ନାରଦ କହିଲେ ଛନ୍ତି ତିନିପୁର ଲୋକ

ମୁହିଁ ଅନ୍ୟାୟ କହିଲେ କହିବେ ଅନେକ ।

ଯଶୋଦା କହିଲେ ମାଆ ଆଖି ଛୋଟ ଅଟେ

ଶଏବର୍ଷ ପୁଅ ମାଆ ଆଖିକୁ ବକଟେ ।

ନାରଦ କହିଲେ ଏହା ଅଟଇ ଯଥାର୍ଥ

ଡାକ ଦୁଇ ଜନନୀ ବାତ୍ସଲ୍ୟ ଦେଇ ଚିତ୍ତ ।

ମୁନି କଥା ମାନି ଦେବୀ ଦେବକୀ ଡାକନ୍ତି

ଆରେ ବାସୁଦେବ କୃଷ୍ଣ କଳାକାର ମୂର୍ତ୍ତି ।

ଆସରେ ରଙ୍କୁଣୀ ମୋର ମଥୁରା ରାଜନ

ଆସରେ ଯାଦବ ଯଦୁବଂଶର ଚନ୍ଦନ ।

ମହାପରୀକ୍ଷାରେ ବାପ ଡାକୁଛି ମୁଁ ତୋତେ

ତୁ ମୋର କୁମର କୋଳେ ବସିବୁ ତୁରିତେ ।

ସବୁ ଅରିଷ୍ଟ ମୋହର ତେବେ କଟିଯିବ

ଆସ ଦେବକୀ ନନ୍ଦନ କଂସର ମାଧବ ।

ଆରେ ଗଳାମାଳି ମୋର କୃଷ୍ଣ ବଳରାମ

ଆସରେ ଦୁଃଖିନୀ ଦୁଃଖହରା ଘନଶ୍ୟାମ ।

ଆସ ମୁରାରି ଅଚ୍ୟୁତ ମଦନ ମୋହନ

ଆସରେ କ୍ଷୀର ଖାଇବ ମୋ କୋଳେ ନନ୍ଦନ ।

ଶୁଭୁନାହିଁ ଗହଳରେ ଉଠେ ଯଜ୍ଞଧୂମ

ବ୍ରାହ୍ମଣଙ୍କ ଓଁ କାରରେ ନଥାଏ ବିଶ୍ରାମ ।

ନାରଦ କହିଲେ ଏବେ ଡାକ ଯଶୋବନ୍ତୀ

ସରପୁଳି ଧରି ଦେବୀ ଉଠିଲେ ଝଟତି ।

ଅନ୍ତର ବାହାରେ କୃଷ୍ଣ ସ୍ନେହ ଅବତରି

ଡାକିଦେଲେ ବାମହସ୍ତେ ସ୍ନେହରେ ପ୍ରସାରି ।

ଆସରେ କଳାମାଣିକ ମୋ କାଳିଆ ଶଶୀ

ଆସରେ କାଳିଆ ହାତୀ ମୋ ସ୍ନେହ ତୁଳସୀ ।

ଆରେ ଜଗମୋହନ ମୋ ଯମୁନ କୂଳିଆ

ଆରେ ନଟବର ମୋର କୂଟ କପଟିଆ ।

ଆରେ ଗୋକୁଳ ସୂନ୍ଦର ଶ୍ରୀଖଣ୍ଡ ମୁକୁଟ

ଆରେ ନୟନ ପିତୁଳି ବରଜ ସମ୍ରାଟ ।

ଆରେ ବ୍ରଜ ନନୀଚୋରା ଖେଳୁଆଳ ବୀର

ଭୋକଶୋଷ ହେଲାଣିକି ତୋତେରେ ପାଶୋର

ଜଣାପଡୁନାହିଁ ତୋତେ ବେଳ ଗଡ଼ିଲାଣି

ବସାକୁ ଗଲେଣି ଫେରି ପକ୍ଷୀ ଓ ପକ୍ଷିଣୀ ।

ତେବେ ମନେ ପଡୁନିରେ ଅଝଟିଆ ମୋର

ପେଟି ପିଠି କଲୁକିରେ ବ୍ରଜ କଳାକାର ।

କେତେକାଳୁ ରଖିଲିଣି ତୋର ସରପୁଳି

ତୁ ଖେଳୁଛୁ ଖେଳ ଡାକି ଡାକି ଥକିଲିଣି ।

ସାତ ସକାଳୁ ଖାଇଛୁ ମୋ କୋଳରୁ କ୍ଷୀର

ସ୍ତନ ଭିଡିଲାଣି ପେଟ ଶୁଖିଲାଣି ତୋର ।

ଭୋକ ଲାଗୁନାହିଁ କିରେ ଭକୁଆ କହ୍ନାଇ

ଘରେ ଗୋଡ ନ ଦେଉଣୁ ଆସିଛୁ ପଳାଇ ।

ଆରେ ମୋ କାଳିଆଚାନ୍ଦ ଅନ୍ଧୁଣୀର ବାଡ଼ି

ଆଖି ପଶି ଗଲାଣିରେ ପଡ଼ିବୁ କଚାଡ଼ି ।

କହ୍ନାଇ କହ୍ନାଇ ପ୍ରେମେ ହୁଅନ୍ତି ଅଧୀର

ମାତୃସ୍ନେହ ପୁରିଲାଣି ସ୍ଥାବରା ସ୍ଥାବର ।

ବତ୍ସା ଛାଡ଼ି ଗାଭୀ ଚରିବାକୁ ଯାଇଥିଲା

ତୃଣଛାଡ଼ି ହମ୍ବାରଡ଼ି ଦେଇ ଦଉଡ଼ିଲା ।

ପକ୍ଷୀଣୀ ବସାରେ ଛୁଆ ଛାଡ଼ି ଆସିଥିଲା

ଯଶୋଦା କ୍ରନ୍ଦନେ ତାର ବାତ୍ସଲ୍ୟ ଆସିଲା ।

ଦଉଡ଼ିଲା ଖାଦ୍ୟ ଧରି ଥଣ୍ଟରେ ତାହାର

ନିଜ ପେଟ ପୁରିନାହିଁ ଖାଦ୍ୟ ଛାଡ଼ି ତାର ।

ହରିଣୀ ଚାଟିଲା ତାର ସନ୍ତାନକୁ ଧରି

ହରିଣୀ ଛୁଆକୁ କାନେ ବିଞ୍ଚେ ସ୍ନେହକରି ।

ନିସ୍ତବଧ ହେଲା ଯମୁନା ନଦୀରେ ବିଲୋଳ

ସୁହୁ ଛାଡ଼ି ଧୀର ହେଲା ବହିବା ଅନଳ ।

ଜଳଚର ମୀନ ତାର ପହଁରାକୁ ଛାଡ଼ି

ଖାଦ୍ୟ ପାଇଁ ଯାଇଥିଲା ଆସିଲା ବାହୁଡ଼ି ।

କୋଇଲି କାକ ବସାରେ ଡିମ୍ବ ଛାଡ଼ିଗଲା

ଯଶୋଦାଙ୍କ ପୁତ୍ରଶୋକ ତା ମନେ ପଡ଼ିଲା ।

ବିକଳ ହୋଇ କାନ୍ଦିଲା କୁହୁ ରାବ ଧରି

ଆରେ ମୋ କଷଣି କେବେ ଆସିବୁ ତୁଫେରି ।

ନୀରବରେ ବସି ବୁକୁଫଟା ରାବ ଦିଏ

ଅଣ୍ଡିରା କୋକିଳ ସମ ଦୁଃଖେ ଚାହିଁଥାଏ ।

କାକ ଡିମ୍ବ ଭାବି ତାର କୋଇଲି ଡିମ୍ବକୁ

ମାତୃସ୍ନେହ ଦେଇ ଛୁଆ ଫୁଟାଏ ତାହାକୁ ।

ଛାଡ଼ିଦେଲା ଯେଣୁ ଛୁଆ କୁହୁ କୁହୁ ହୋଇ

ଗୋତ୍ର ସୁମରି କୋଇଲି ମେଳ ନ ଛାଡ଼ଇ ।

କାକ ନାରୀ ଯଶୋଦାର ବିକଳକୁ ଶୁଣି

କାନ୍ଦିଲା ବିକଳେ ସନ୍ତାନର ଗୁଣ ଗୁଣି ।

ଶ୍ୱାନ ବସାରେ ସନ୍ତାନ ଛାଡ଼ି ପେଟ ପାଇଁ

ଯାଇଥିଲା ଆସି ଦେଖେ ସନ୍ତାନଟି ନାହିଁ ।

ଶୃଗାଳ ମୁଖରେ ତାର ସନ୍ତାନ ପଡ଼ିଲା

କାନ୍ଦି କାନ୍ଦି କେତେଦିନୁ ପାଶୋରିଣ ଥିଲା ।

ଯଶୋବନ୍ତୀ ପୁତ୍ର ଶୋକ ତା ମନେ ପଡ଼ିଲା

ଶ୍ୱାନ ନାରୀ ଖାଦ୍ୟ ଛାଡ଼ି ବସିଣ କାନ୍ଦିଲା ।

ଦେବକୀ ଦେବୀ କାନ୍ଦନ୍ତି ନିରିମାଖୀ ହୋଇ

ନିଶ୍ଚୟ ପୁତ୍ରକୁ ଯଶୋବନ୍ତୀ ଯିବ ନେଇ ।

ଯଦି ପେଟେ ଦଶମାସ ଧରିଥିବି ମୁହିଁ

ହେ ଧରମଦେବ ଯେତେ ସତ ଥିବ ରହି ।

ବନ୍ଦିଘରେ ପଡ଼ିଥାଏ ଲୁହାର ଶାଙ୍କୋଳି

ପାଞ୍ଚମାସ ବେଳେ ପେଟ ପଡିଲା ଉଛୁଳି ।

ଭିଡ଼ି ଖଣ୍ଡେ ଲୁଗା ମୁହିଁ ପିନ୍ଧିପାରେ ନାହିଁ

ଆଣ୍ଠୁଭରା ଦେଇ ଚାଲେ କେତେ କଷ୍ଟ ସହି ।

ରୁଚେ ନାହିଁ ଭାତ ପାଟି ଭରିଯାଏ ଛାପ

କେତେ କଷ୍ଟେ ଅରୁଚିରେ ଖାଇଥିବି ବାପ ।

ଫୁଲିଗଲା ହାତ ଗୋଡ଼ ସତେକି ଅଚଳ

ଯମ ଦୁଆରେ ରହିଛି ତୋରଲାଗି ବାଳ ।

ଯଦି ଏତେ କଷ୍ଟ ସହିଥିବିରେ କହ୍ନାଇ

କିପରି ମୋ ପୁତ୍ର ଯଶୋବନ୍ତୀ ଯିବ ନେଇ ।

ଧର୍ମତ ମୋହର କେହି ନ ଦେଖିଛି ଯଦି

ଧର୍ମ ମୋହର ସତର ଧନ ଦେବ ବାନ୍ଧି ।

ଏଣେ ଶ୍ରୀକୃଷ୍ଣ ହୁଅନ୍ତି ବାତୁଳଙ୍କ ପରି

ଦୁଇ ଜନନୀଙ୍କ ହୃଦେ ଅଛନ୍ତି ସେ ପୁରି ।

ଧର୍ମ ସାକ୍ଷୀକୁ ସେ ଛାଡ଼ିଯିବେ ବା କେମନ୍ତେ

ମାତୃଶକ୍ତି ଅଭିଶାପ ପଡ଼ିବ ତୁରିତେ ।

ସ୍ଥିର ହେଉନାହିଁ ମନ ଅଛନ୍ତି ନୀରବ

ଗଛଲତା କାନ୍ଦିଲେଣି କେତେ କେ ସହିବ ।

ଦେଖୁଥିଲେ ଦେବଗଣ କୃଷ୍ଣ ବାଲ୍ୟ ରସ

ଯଶୋଦାଙ୍କ ପୁତ୍ର ସ୍ନେହେ କାନ୍ଦୁଛି ତ୍ରିଦଶ ।

ନାରଦ କରାଇଛନ୍ତି ଅଦ୍ଭୁତ ଘଟଣ

ଭକ୍ତିରେ ସର୍ବଦା ବଶ ସେତ ନାରାୟଣ ।

କେଉଁ ଜନନୀର ମନ କରିବେ ସନ୍ତୋଷ

ତେଣୁ ଶ୍ରୀକୃଷ୍ଣ ହୁଅନ୍ତି ଆକୁଳ ଅବଶ୍ୟ ।

ଏହା ଦେଖି ସୁରପତି ବ୍ରହ୍ମା ପାଶେ ଗଲେ

କରଯୋଡି ବିଧାତାଙ୍କୁ ଇନ୍ଦ୍ର ପଚାରିଲେ ।

ଆହେ ପିତାମହ କିମ୍ପା ଶ୍ରୀକୃଷ୍ଣ ବିରସ

କାହା ପାଖକୁ ନଯାନ୍ତି ଜନନୀଙ୍କ ପାଶ ।

ଇନ୍ଦ୍ରଙ୍କ ବଚନ ଶୁଣି ବିଜେ ପିତାମହ

ବୋଲନ୍ତି ତୁମ୍ଭର ଯୋଗେ ପ୍ରଭୁ ଦୟାମୟ ।

ପଡ଼ିଛନ୍ତି ଦୁଇ ଜନନୀଙ୍କ କଳହରେ

କାହାକୁ ବଡ଼ କରିବ ସଂସାର ନ୍ୟାୟରେ ।

ଆହୁରି କଥାଏ ତୁମ୍ଭେ ଶୁଣ ସୁରପତି

ଦୁଷ୍ଟ ନିବାରଣ ପାଇଁ ତାଙ୍କ ଉତପତ୍ତି ।

ତୁମ୍ଭେ ବାଲ୍ୟଲୀଳା ପାଇଁ ବଳାଇଲ ମନ

ଯଶୋଦାଙ୍କ ସ୍ନେହେ ଗୋପଯିବେ ଭଗବାନ ।

କଂସ ପୁତ୍ର ଦ୍ୱାରା ତୁମେ ହୋଇବ ଦଣ୍ଡିତ

ସୁଯୋଗ ପଡ଼ିଲେ ଦୁଷ୍ଟେ ନ ହୋଇବେ ହତ ।

ଶୁଣି ଦେବଗଣ ମନେ ବଡ଼ ଭୟ କଲେ

ବେଦପତିର ଚରଣେ ସର୍ବେ ଜଣାଇଲେ ।

କରଯୋଡ଼ି କରିଲେକ ବହୁତ ଜଣାଣ

କୁହ ପ୍ରଭୁ ସନ୍ତୋଷରେ ଏହାର କାରଣ ।

ହେ ବିଶ୍ଵ ସର୍ଜ୍ଜନା କର୍ତ୍ତା ମରାଳବାହନ

ବ୍ରହ୍ମା ବିଷ୍ଣୁ ଶିବ ଏକ ଦେହ ନୁହେଁ ଭିନ୍ନ ।

କୁହ ପ୍ରଭୁ ଦୟାକରି ଏହାର ଉପାୟ

ଯେପରି ଗୋପେ ନ ଯିବେ ପ୍ରଭୁ ଦୟାମୟ ।

ଦେବହିତ କାର୍ଯ୍ୟଶୀଘ୍ର କରନ୍ତୁ ସାଧନ

ଅକାରଣେ ଭକ୍ତିଭାବେ ଦେଇଛୁ କଷଣ ।

ଜୟ ହେ ସାବିତ୍ରୀପତି ବିହନ୍ତା ପୁରୁଷ

ଜୟ ହେ ତ୍ରିକାଳଦର୍ଶୀ ପରମେଷ୍ଠୀ ବିଶ୍ୱ ।

ତୁମ୍ଭେ ଚରାଚର ପିତାମାତା ପିତାମହ

କାର ଏ ବିପଦ ବେଳେ ଦେବଙ୍କୁ ସହାୟ ।

ଦେବଙ୍କ ଆକୁଳ ଦେଖି ସାବିତ୍ରୀ ରମଣ

କହନ୍ତି ସନ୍ତୁଷ୍ଟ ହୋଇ କମଳ ଆସନ ।

ଯାଅ ଦେବେ କର ଶାରଦାକୁ ସୁମରଣ

ସେ ଆସିଲେ ସବୁ କାର୍ଯ୍ୟ ହୋଇବ ପୁରଣ ।

ଶୁଣି ପିତାଙ୍କ ବଚନ ଦେବତା ସକଳ

ସୁମରିଲେ ଶାରଦାଙ୍କୁ ସର୍ବ ଦେବକୁଳ ।

ଜୟ ଜୟ ଶାରଦା ଗୋ ବିଷ୍ଣୁ ପାଟରାଣୀ

ଜୟ ଜୟ ସରସ୍ୱତୀ ତ୍ରିପୁର କାରେଣୀ ।

ଜୟ ଜୟ ଶାରଦା ଗୋ ଶ୍ଵେତ ପଟାମ୍ବରୀ

ଜୟ ଜୟ ଶାରଦା ଗୋ ବୀଣା ବାଦ୍ୟକାରୀ ।

ଜୟ ଜୟ ଶାରଦା ଗୋ ମରାଳ ବାହିନୀ

ଜୟ ଜୟ ଶାରଳା ଗୋ ବ୍ରହ୍ମ ସନାତନୀ ।

ଜୟ ଜୟ ଶାରଳା ଗୋ କବିଙ୍କ ଜନନୀ

ଜୟ ଜୟ ଭାରତୀ ଗୋ ଭାରତୀ ମୋହିନୀ ।

ଜୟ ଜୟ ସରସ୍ଵତୀ ଜ୍ଞାନ ଦିବ୍ୟଦେହୀ

ଜୟ ଜୟ ମହାମାୟୀ ରୁପରୂପା ତୁହି ।

ଜୟ ଜୟ ଶାରଦା ଗୋ ଦେବତାଙ୍କ ମାତା

ଜୟ ଜୟ ଶାରଦା ଗୋ ତୁମ୍ଭେ ଦେଇ କଥା ।

ଦେବକୁଳକୁ ବିପଦୁ ତ୍ରେତାରେ ରଖିଲୁ

ମନ୍ଥରା କୈକେୟୀ କଣ୍ଠେ ରହି କାମ କଲୁ ।

ତରଣି କଣ୍ଠରେ ବସି ରାମେ ଦେଲୁ ଗାଳି

ରାବଣ କଣ୍ଠେ ବସିଣ ଦେଲୁ ତାକୁ ବଳି ।

ପୁଣି ଦ୍ଵାପରେ ହୋଇଲା ଏହି ବିଡ଼ମ୍ବନା

ରକ୍ଷାକର ମହାମାୟୀ ପୁରାଅ ବାସନା ।

ଅନନ୍ତ ବିଷ୍ଣୁଙ୍କ ପାଶେ ଥିଲେ ମହାମାୟୀ

ଦେବଙ୍କ ସ୍ତୁତିରେ ତାଙ୍କ ଆସନ କମ୍ପଇ ।

ଜାଣିଲେ ଧାନରେ ଦେବଙ୍କର ଏ ଆକୁଳ

ମରାଳ ବାହନେ ମିଳିଲେ ସେ ତତକାଳ ।

ଅଦୃଶ୍ୟ ଭାବେ ରହିଣ କହନ୍ତି ଜନନୀ

କୁହ ଦେବ କେଉଁ କାର୍ଯ୍ୟେ କରୁଛି ଦଇନି ।

ସୁରପତି କରଯୋଡ଼ି କହିଲେ ଗୋ ମାତ

ବସୁଦେବ କଣ୍ଠେ ବସି କରାଅ ଗୋ ଶାନ୍ତ ।

ଦେବକୀକୁ ବୁଝାନ୍ତୁ ସେ ହୋଇବାକୁ ଶାନ୍ତ

ଯଶୋଦାଙ୍କୁ ତୋଷ ପୁତ୍ର ଆସିବ ଗୋ ଏଥ ।

ବୁଝାଇଣ ବସୁଦେବ ଶାନ୍ତକରୁ ନାରୀ

ଅଭିମାନ ତେଜି ନେଉ କ୍ଷମା ସେ ବିଚାରି ।

ଯଶୋଦାର କୋଳେ ବାଳରୂପେ ଦଇତାରି

କ୍ଷୀର ଖାଇ ନନ୍ଦଙ୍କୁ ତୋଷନ୍ତୁ ଗିରିଧାରୀ ।

ତଥାପି ଗୋପୀ ନିକର ଆଉ ବାଳସଖା

ସନ୍ତୋଷ କରନ୍ତୁ କୃଷ୍ଣ କର ମାତା ଏକା ।

ଦେବକୁଳର ମିନତି ଘେନ ଗୋ ଜନନୀ

ନନ୍ଦ ଯଶୋଦା ଓ ଗୋପୀ ଯିବେ କଥାମାନି ।

ସମସ୍ତଙ୍କ କଣ୍ଠେ ବସି ମାତ ବସି ଗୋ ବହନ

ପାସୋରି ଦିଅନ୍ତୁ ନିଜ ଆତ୍ମା ଅଭିମାନ ।

ଶୁଣି ଦେବୀ ଶାରଦା ଯେ ହୋଇଣ ସନ୍ତୋଷ

ବସୁଦେବ କଣ୍ଠେ ମାତ ବସି କରେ ତୋଷ ।

ଅଭିମାନ ଛାଡ଼ି ବସୁଦେବ ବିଚାରଇ

ଦୁଇଟି ଜନନୀ କ୍ରୋଧେ ଡାକୁଛନ୍ତି ରହି ।

ଜଣକ କୋଳକୁ ଗଲେ ଜଣେ କୋପ ହେବ

ତେଣୁ କୃଷ୍ଣର ଏଥିରେ ଅମଙ୍ଗଳ ହେବ ।

ଦେବକୀଙ୍କୁ ଡାକି ଧୀରେ କହନ୍ତିରେ ସଖୀ

ପୁତ୍ରଟିର ଅମଙ୍ଗଳ କରୁଛ କାହିଁକି ।

ତୁ ତ ଜାଣୁ ଯଶୋଦା ଦେଇଛି ତାକୁ କ୍ଷୀର

ଡାକିଲା ମାତ୍ରକେ କ୍ଷୀର ଶ୍ରବଇ ତାହାର ।

ଗୋପପୁର ବାଲ୍ୟଲୀଳା ଯେଣୁ ସେ କରିଛି

ଯଶୋଦା କ୍ରନ୍ଦନ ତାର ହୃଦୟ ଦହୁଛି ।

ତୁ ତ ଧରମକୁ ସାଥୀ କରି ଢାଳୁ ଲୁହ

କାହା କୋଳକୁ ସେ ଯିବ ଗୋଟିଏ ତନୟ ।

କାହା କୋଳକୁ ସେଯିବ ସେ ନିଶ୍ଚେ କାନ୍ଦିବ

ନୟନ ନୀର ଢାଳିଲେ ତାର କ୍ଷତି ହେବ ।

ତୁ ଯେପରି ସତ ଧର୍ମେ କରୁଅଛୁ ସାକ୍ଷୀ

ସେ ତ କ୍ଷୀର ଦେଇଅଛି ଡରିବ କାହିଁକି ।

ଜନ୍ମ କଲା ଜନନୀ ତୁ ପୁତ୍ର କରି ମାନ

ନୟନୁ ନୀର ଢାଳିଲେ ନ ହେବ ସେ ଆନ ।

ଯାହା ତୁଣ୍ଡ ବାହାରଇ ଭୋଗଇ କୁମର

ମାତା ପିତା ଅଭିଶାପ ସନ୍ତାନକୁ ଘୋର ।

ଆୟୁଷ କମଇ ତାର ଦେହେ କଷ୍ଟ ହୁଏ

ଜାଣି ଶୁଣି ପୁତ୍ର ପାଇଁ କରୁ କିମ୍ପା ଭୟେ ।

ଜାଣି ଶୁଣି ଆମ୍ଭେ ଯଦି ପୁତ୍ର ପାଇଁ କଳି

କରି ନୀର ଢାଳିବା ଯେ ହେବକି ସମ୍ଭାଳି ।

ବଣରେ ହାତୀ ବଢ଼ିଲେ ହୁଏ ରାଜାଙ୍କର

ସେହି ହରି କୃଷ୍ଣ ତୋର ଜନ୍ମିତ କୁମର ।

ତୋର ପୁତ୍ର ତୋ କୋଳକୁ ନିଶ୍ଚୟ ଆସିବ

ଜାଣି ଶୁଣି ଅନ୍ୟାୟ କରିଲୁ ସଖୀ ଭାବ ।

ଜାଣୁ ସବୁ ଫୁଲନାଡ଼ କାଟି ସେ ପାଳିଛି

ସତକଥା ବୋଲି ଦମ୍ଭ ଧରି ସେ ବସିଛି ।

ଉପକାର ବଦଳରେ କଲୁ ଅଭିମାନ

ମିଛେ କଟୁ କହିଦେଲୁ କେତେ ଅପମାନ ।

କହ୍ନାଇ କରିଲା ପୁଣି ଜାଣି ଶୁଣି ଦ୍ରୋହ

ତିନିପୁର ଡାକି ତାକୁ କଲା ନିରାଶ୍ରୟ ।

ତୁହି ଶାନ୍ତ ହୋଇ ତାର ଉପକାର ପାଇଁ

କ୍ଷମା ମାଗିବା ଆମ୍ଭର ଉଚିତ ଅଟଇ ।

ସ୍ୱାମୀ ପବିତ୍ରତା ଯେଣୁ ଅଟେ ସେ ଦେବକୀ

ସ୍ୱାମୀ କଥା ଶୁଣି ଶାନ୍ତ ଭଜିଲା ତେଣିକି ।

ଏ କଥା କେହି ଜାଣୁନି ସଭାସ୍ଥିତ ଜନ

ଯଶୋଦା ବାଳକ ରୂପେ ଡାକନ୍ତି ନନ୍ଦନ ।

ଆକୁଳ ହୋଇଣ ଦେବୀ ଡାକନ୍ତି କହ୍ନାଇ

ସନ୍ତାନ ସ୍ନେହେ କ୍ଷୀର ଯେ ସ୍ରବିଯାଏ ବହି ।

କୃଷ୍ଣ ଭକ୍ତମାନେ ହେଲେ ରୋମାଞ୍ଚିତ ତହିଁ

ନାରଦ ଧରିଣ ବୀଣା ପ୍ରେମେ ହେଲେ ବାଇ ।

ସଭା ମଧ୍ୟରେ ନାଚିଲେ ସଦାଶିବ ପରି

କୃଷ୍ଣ ରସାମୃତ କି ହୋଇଛି କାଦମ୍ବରୀ ।

ଯେତେ କୃଷ୍ଣଭକ୍ତ ଥିଲେ ପ୍ରେମେ ହୋଇଭୋଳ

କୃଷ୍ଣ କୃଷ୍ଣ ନାମେ ସର୍ବେ ହୋଇଲେ ପାଗଳ ।

ବ୍ରାହ୍ମଣମାନେ ସେଠାରେ ଆଚମ୍ବିତ ହୋଇ

ଦେଖୁଥିଲେ କୃଷ୍ଣରସ ଅନିମିଷେ ରହି ।

ପ୍ରେମ ମାଦକରେ ସର୍ବେ ହୋଇଗଲେ ଭୋଳ

ବେଦପୋଥି ସଙ୍ଗେ ତମ୍ବା ପାତ୍ରକଲେ ତାଳ ।

ନାଚିଲେ ଉଦଣ୍ଡ ନାଚେ କୃଷ୍ଣ କୃଷ୍ଣ କହି

ଋଷିମାନେ ବସିଥିଲେ ପ୍ରେମେ ଭୋଳହୋଇ ।

କୋହହୋଇ ଯଶୋଦା ଟାଣେକୋଳେ ଶିଷ୍ୟକୁ

ମୁହଁ ତାର ଚାପିଧରେ ତା ସ୍ତନ ମୂଳକୁ ।

କେହି ଗୁରୁ ଶିଷ୍ୟ ନାହିଁ ଧରି ଆଉ ଋଷି

କୃଷ୍ଣ କୃଷ୍ଣ କହି କହି ଗଡେ ହୋଇ ଖୁସି ।

କେହି ଚିମୁଟାକୁ ପିଟେ କମଣ୍ଡକୁ ଧରି

କୃଷ୍ଣପ୍ରେମେ ରସାମୃତ ମୁଖେ ଗାଇକରି ।

କେ ବଜାଏ ଶଙ୍ଖ କେବା ପିଟା ଘଣ୍ଟା ଧରି

କୃଷ୍ଣନାମ ସଂକୀର୍ତ୍ତନେ ଗାଏ ମୋଦ କରି ।

ରାଜାପ୍ରଜା ଧନୀମାନେ ଜ୍ଞାନୀ ଏକ ହୋଇ

କୃଷ୍ଣ ପ୍ରେମାମୃତ ନାମ ଗାଇଲେ ତୁହାଇ ।

ମଥୁରାର ବଧୂମାନେ ଆମନ୍ତ୍ରିତ ନାରୀ

ସନ୍ତାନ ବତ୍ସଳା ସ୍ତନୁ କ୍ଷୀର ପଡ଼େ ଝରି ।

ହୁଳ ହୁଳି ଦେଉଥାନ୍ତି କୃଷ୍ଣପ୍ରେମେ ମାତି

ସମସ୍ତେ କି କୃଷ୍ଣ ପ୍ରେମ ରସକୁ ପିଅନ୍ତି ।

ଜଗମୋହନ ଯେ ହରି ଛନ୍ତି ବିଜେକରି

ବୃକ୍ଷମାନେ କୃଷ୍ଣ ନାମେ ଅଙ୍କୁରେ ବଲ୍ଲରୀ ।

ଟାଙ୍ଗରା ବୃକ୍ଷ ଅଙ୍କୁରି ନୂଆ ପତ୍ର ଦେଲା

ଜଳିଥିବା ତୃଣ କୃଷ୍ଣ ପ୍ରେମେ ଅଙ୍କୁରିଲା ।

କୃଷ୍ଣ ପ୍ରେମେ ଉଛୁଳିଲା ଆକାଶ ପାତାଳ

ଦିଗପାଳମାନେ ଶୁଣିହେଲେ ପ୍ରେମେ ଭୋଳ ।

କୃଷ୍ଣ ପ୍ରେମେ ପାତାଳର ବାସୁକୀ କମ୍ପଇ

କୃଷ୍ଣ ପ୍ରେମରେ ପ୍ରଭାସ ତୀର୍ଥ ଧରୁଛୁଇଁ ।

ମଥୁରାର ବଧୂମାନେ ପ୍ରେମେ ହେଲେ ବାଇ

ଧନ୍ୟ ଜୀବନ ଶ୍ରୀକୃଷ୍ଣ ରୂପ ଯେ ଦେଖଇ ।

ଉଠିଛି ବ୍ରହ୍ମ ଓଁ କାର ଋଷିଙ୍କ ବଦନେ

କୃଷ୍ଣ ନାମ ମଦିରାରେ ଭୋଳ ଦ୍ୱିଜମାନେ ।

ଉଗ୍ରସେନ ନୟନରୁ ନୀର ଯାଏ ବହି

ସାତବଂଶ ଯାଦବ ଯେ ନାଚୁଛନ୍ତି ତହିଁ ।

ଧରି ବାଳକ ମୂରତି ନର ନାରାୟଣ

ଡେଇଁ ପଡ଼ିଲେ ଯଶୋଦା କୋଳକୁ ବହନ ।

କାଖେ ବସି କ୍ଷୀର ଶୋଷି ଖାଆନ୍ତି ମୁରାରି

ବାମହାତେ ଚାପି ଧରିଛନ୍ତି ନନ୍ଦନାରୀ ।

ସୁନାର ବଇଁଶୀ ଅଛି ଡାହାଣ ହାତରେ

ବାମଗୋଛି ଛାଟି ରାମେ ନ ରଖେ ପାଖରେ ।

କାନ୍ଦି ରାମ କ୍ଷୁଧା ହେଲା କରନ୍ତି ଆର୍ଦ୍ଦୋଳି

ସରପୁଳି ଥାଳି ଦେଲି ଖାଆରେ ସଙ୍ଖାଳି ।

କ୍ଷୀରଛାଡ଼ି କୃଷ୍ଣ ଥାଳିଧରିବେ ତାହାର

ଦୁଇହାତେ ଧରି ସର କାଢ଼ିଣ ଅସ୍ଥିର ।

ପକାଇଲେ ତଳେ ସର ରାଗେ ବନମାଳୀ

ବଳରାମ ନ ଖାଇଣ ବସିଲେ ନିରୋଳି ।

ପୁଣି ଆସି କୋଳେ ବସି ଖାଉଛନ୍ତି କ୍ଷୀର

ନନ୍ଦ ନେଇ ଅକ୍ତରାଳେ ଦେଲେ ରାସେଶ୍ଵର ।

କାନ୍ଦିଲେ ରାଗରେ କୃଷ୍ଣ ମାଆ କାଖେ ରହି

ପିଠିରେ ବଇଁଶୀ ପିଟି ଗରଗର ହୋଇ ।

ଗୋପୀ ଆସି କାହ୍ନୁ କାହ୍ନୁ ଖାଆରେ ସଙ୍ଖାଳି

ମିଛେ ମାଆଙ୍କୁ ମାରୁଛୁ ଲଗାଇଣ କଳି ।

ପୁଣି ସରପୁଳି ନନ୍ଦ ଆଣିଲେ ସଜାଡ଼ି

ଯଶୋବନ୍ତୀ ହାତେ ଦେଲେ କୃଷ୍ଣ ପାଇଁଦାଢ଼ି ।

ବସି କୋଳେ ବସାଇଣ ପୁତ୍ର ଯଶୋବନ୍ତୀ

ସର ଚକଟିଣ ପୁଳିକରି ଖୋଇଦ୍ୟନ୍ତି ।

ବଳରାମ ପାଖେ ବସି ହାତ ବଢ଼ାଇଲେ

ହାମୁଡ଼ିଣ ରାମ ହାତ ଧରନ୍ତି ବିକଳେ ।

ମାତା ଯଶୋବନ୍ତୀ ହାତ ରାମେ ବଢ଼ାଇଲେ

ବାଦ ଲଗାଇଣ ପାଟି ଦେଖାନ୍ତି ପହିଲେ ।

ଥୁ ଥୁ କରି ଫିଙ୍ଗି ଦ୍ୟନ୍ତି ପାଟିରେ ସରକୁ

ବାଦ ଲଗାଇ କାନ୍ଦନ୍ତି ଦେଖିଲେ ରାମକୁ ।

ନନ୍ଦ ଅଝଟିଆ ଦେଖି ନେଲେ କାନ୍ଧପରେ

ଟାଙ୍ଗରା ମୁଣ୍ଡକୁ ଧରି ନାଚନ୍ତି ସଧୀରେ ।

ବ୍ରହ୍ମା ଯାର ପଦଧୂଳି ପାଇଁ କରେ ଧ୍ୟାନ

ଶିବ ଯାହା ଲାଗି ହୋଇଛନ୍ତି ତ୍ରିନୟନ ।

ସେ କୃଷ୍ଣ ବ୍ରହ୍ମକୁ କନ୍ଧେ ବହି ବୁଲେ ନନ୍ଦ

ନିସ୍ତରିଲି ନିସ୍ତରିଲି କରୁଛନ୍ତି ଶବ୍ଦ ।

ନାରଦ ନାଚିଣ ପ୍ରେମେ କୃଷ୍ଣ କୃଷ୍ଣ କହି

ଦେବଗଣଙ୍କୁ ଦେଖାନ୍ତି ଦେଖ ପ୍ରେମ ହୋଇ ।

ଶ୍ରୀକୃଷ୍ଣଙ୍କ ବାଲ୍ୟରସ ଗୋପର ଗୋପାଳ

ଯଶୋବନ୍ତୀ କୋଳେ ଛନ୍ତି ବ୍ରହ୍ମ ଆଦିମୂଳ ।

ସରବେ ପ୍ରେମରେ ମଗ୍ନ ଏ ତୀର୍ଥ ପ୍ରଭାସ

ନନ୍ଦ କନ୍ଧେ ବସି ପ୍ରଭୁ ଦେଖ ବାଲ୍ୟବେଶ ।

ଚନ୍ଦନ ପାଟିଆ ଶ୍ୟାମ ଆଣ୍ଠୁଆ ଗୋପାଳ

ରକତ ଅଧର ଦନ୍ତପନ୍ତୀ କି ମଞ୍ଜୁଳ ।

ଚାରୁ ଗୋରଚନା ସଙ୍ଗେ ବିନୋଦିଆ ଚିତା

ବୀରବର କୋଳେ କଳାକାର ଏ ଶୋଭିତା ।

ଭ୍ରୂଲତା କି ଇନ୍ଦ୍ରଧନୁ ବଙ୍କିମ ଚାହାଣୀ

କଣ୍ଠରେ କୁଣ୍ଡଳ ଘନ ବିନୋଦିଆ ବେଣୀ ।

କୁସୁମ ରାଜି ସଜ୍ଜିତ ଘନଚୂଡା ପରେ

ମୟୂର ପୁଚ୍ଛ ଚନ୍ଦ୍ରିକା ମୁକୁଟ ତହିଁରେ ।

ବକୁଳେ ସଜ୍ଜିତ ଫୁଲ ଦଳ କି ମଞ୍ଜୁଳ

ହରିତ ଅମ୍ବରେ ବେଢ଼ା ମଦନ ଗୋପାଳ ।

କଟିତଟେ ଆଢ଼େଣୀ ଯେ ପାଟ ପୀତାମ୍ବର

ରକ୍ତ ପଦ୍ମପାଦେ ସାଜେ ସୁନାର ନୂପୁର ।

ରୁଣୁ ଝୁଣୁ ନାଦେ ବାଜେ ନଟବର ଚାଲି

ଗୋପସୁତ ସଙ୍ଗେ ଦେଖ ଖେଳୁଛନ୍ତି ଧୂଳି ।

ସୁଦାମ ଆଣିଛି କୋଳି ଅଣ୍ଟାରେ ପୁରାଇ

ଧୂଳିଘରେ ଢାଳି ଦେଲେ ବସିଲେ କହ୍ନାଇ ।

ସବୁ କୋଳି ଚାଖି ଅଛି ମିଠା ଖଟା ତାର

ଖାଇଲେ ବସିଣ କୃଷ୍ଣ ଅତି ସରାଗର ।

ମଧୁମଙ୍ଗଳ କହୁଛି ଆରେ ସର ଚୋର

ଠକିଦେଇ ରହିଲୁ ତୁ ମାମୁଁଘରେ ତୋର ।

ଆମ ବଣଭୋଜି କଥା ଦେଲୁଣି ପାଶୋରି

ରାଜାର ଭଣଜା ବୋଲି ନ କରୁ ଖାତିରି ।

କେତେ କୋଳି ବଣେ ପାଚି ପଡ଼ିଲାରେ ଝଡ଼ି

ତୁ ରହିଲୁ ମାମୁଁ ଘରେ ଆମେ ମରୁ ଲୋଡ଼ି ।

ଗୋପୀମାନେ ଏକୁ ଏକ କାଖେ ଧରିନେଲେ

ଯେ ଯାହାର ସ୍ନେହ ଦ୍ରବ୍ୟ ଆଣି ଖୁଆଇଲେ ।

କାର ଭଲ ଭଜା କାର କଳମର ଶାଗ

କାର ତାଳପିଠା ମଣ୍ଡା କାର ଗୁଡିପାଗ ।

କାହାର ପସରା ଖୋଲି କାଞ୍ଜିକୁ ହାପୁଡ଼ି

କିଏ ଆଣିଥିଲା ଥୋଇଦିଏ ଦହିକଡ଼ି ।

ଏହିପରି ସବୁ ପସରାକୁ ଖୋଲିଦେଇ

ଦୁଇ ହାତରେ ଖାଇଣ ମୁଣ୍ଡରେ ବୋଳଇ ।

ଛାଡ଼ିଦେଇ ଗଲେ ଭକ୍ତେ ନିଅନ୍ତି ଛଡ଼ାଇ

ବ୍ରାହ୍ମଣଠାରୁ ଛତିଶ ପାଟକେ ଯେ ବାଇ ।

ମହାପ୍ରସାଦ ଭାବି ସମସ୍ତେ ପାଆନ୍ତି

କେତେକ ବ୍ରାହ୍ମଣ ନେଇ କାନିରେ ବାନ୍ଧନ୍ତି ।

ବହୁଲୋକ ଛଡ଼ାଛଡ଼ି ଗଡ଼ାପଡ଼ି ହୋଇ

ପାଆନ୍ତି ପ୍ରସାଦ ସଦ୍ୟ ଯାହାକୁ ମିଳଇ ।

କାହା କୋଳେ ଯାଇ କୃଷ୍ଣ କରୁଥାନ୍ତି ଅଳି

ମୋ ପାଇଁ ଆଣିଲୁ ନାହିଁ କିମ୍ପା କ୍ଷୀରକୋଳି ।

ଅଭିମାନ କରି ଘରୁ ସେହି ଆସିଥିଲା

ଭୁଲିଗଲା କୃଷ୍ଣେ କିସ ଦେବି ମୁଁ ବୋଇଲା ।

ଜାଣି ତାକୁ ଅଳି କରୁଥାନ୍ତି ସେହି ଚିଜ

ଅପସରା ମାରନ୍ତି ଭୁଲିଗଲ ମୋତେ ଆଜ ।

ଅଶ୍ରୁଢ଼ାଳି କହେ ଗୋପୀ ଆରେ ବାପଧନ

ତୁ ଆସିଲା ଦିନୁ ଘେନି ଆସିଲୁ ଜୀବନ ।

ଚାହିଁ ଚାହିଁ ତୋବାଟକୁ ସବୁ ଛାଡ଼ିଲିଣି

କେତେ ଫୁଲ ଫଳ ରଖି ପଚି ଶୁଖିଲାଣି ।

ଆସିଛି ବାବୁରେ ଦେଖ ମୋର କଳେବର

ତୋତେ ନ ଖୋଇ ନ ଖାଏ ଜାଣୁ ତ କୁମର ।

କେଉଁଦିନ ଘରେ ଯିବୁ କହରେ କୁମର

ଏ ପିଣ୍ଡେ ପରାଣ ପଶି ହୋଇବ ଅଙ୍କୁର ।

କେ ଗୋପୀ ରାଉଳ ଭାଜି ଆଣିଛି କାନିରେ

ଡେଇଁପଡ଼ି କଳାକାହ୍ନୁ ବସିଲେ କନ୍ଧରେ ।

କାନିରୁ ଗଣ୍ଠି ଫିଟାଇ କହନ୍ତି କହ୍ନାଇ

କିସ ବାନ୍ଧିଛୁ କାନିରେ ଦେଖି ମୋହ ପାଇଁ ।

ଦେଖି ଚାଉଳଭଜା ଖାଆନ୍ତି ହରଷେ

କେବା ବାଡ଼ିଫୁଲ ଗୁନ୍ଥିମାଳା ଦେଲା ତୋଷେ ।

ବେକ ପୁରିଲାଣୀ ଗୋପବାସୀ ଉପହାର

ସମସ୍ତଙ୍କ ମନତୋଷି ଦେଲ ଶିରୀଧର ।

ଗୋପିମାନେ କହୁଛନ୍ତି ଅତ୍ୟନ୍ତ ସ୍ନେହରେ

କେତେଦିନ ରହିବୁରେ ଆଉ ମାମୁଁ ଘରେ ।

ଚାଲ ଆରେ ନୀଳଚାନ୍ଦ ଯିବା ସଙ୍ଗତର

ତୋତେ ନ ଦେଖି ଅନ୍ଧାର ଅଛି ଗୋପପୁର ।

ଯଶୋଦା ଗୋପୀଙ୍କ କୋଳୁନେଲେ ବେଗକରି

କେଶ କୁଣ୍ଡାଇଣ ଦେଲେ କଙ୍କତିକା ଧରି ।

ଆରେ ଦୁଃଖୀ ଘରକଥା ମନେ ପଡୁନାହିଁ

ଚାଲ ମୋ ସଙ୍ଗରେ ବାବୁ ଯଜ୍ଞକୁ ବଢ଼ାଇ ।

ଦେବଗଣ ପଠାଇବେ ତେଣୁ ସରସ୍ୱତୀ

ସମସ୍ତଙ୍କ କଣ୍ଠତଟେ ବସିଲେ ଭାରତୀ ।

କହନ୍ତି କହ୍ନାଇ ମାତ ଦୁଃଖ କର ନାହିଁ

ଅଳପ ଦିନେ ଯିବି ମୁଁ କାମ ସାରିଦେଇ ।

ଅଜା ବୁଢ଼ାଲୋକ ଶତ୍ରୁ ରାଜ୍ୟ ଛଡାଇବେ

ମୁଁ ଏଥେ ରହିଲେ ଶତ୍ରୁ ଡରେ ପଳାଇବେ ।

ଯଶୋଦା କହନ୍ତି ମୋତେ ଲାଗକୋଟିଯୁଗ

ତୋ ଶୁଭ କଥାକୁ କାନ ଡେରିଥାଏ ଆଗ ।

ଚାରିଦିନେ ପଠାଇବୁ ବାବୁରେ ଖବର

ଚାତକୀ ପରାଏ ଚାହିଁଥିବି ରେ କୁମର ।

ଦେବକୀଙ୍କ ଅଭିମାନ ବଡ଼ିମା ଗରବ

ଚୂର୍ଣ୍ଣ ହେଉଅଛି ବଢିଅଛି ସତ୍ୟଭାଗ ।

ତିନିପୁର ଲୋକ ମଧ୍ୟେ ଭାଙ୍ଗିଛି ବଡ଼ିମା

ଆସିଛି ମାନବିକତା ଶାନ୍ତି ଦୟା କ୍ଷମା ।

କାହାକୁ ନ ରେ ସ୍ଵାର୍ଥ ଆଖି ଥାଉ ଅନ୍ଧ

ଧନଜନ ଗଉରବ ଆବର ସମ୍ପଦ ।

ନିଜ ବଡ଼ିମାରେ ପଡ଼ି ନିଜ ସ୍ୱାର୍ଥ ପାଇଁ

ଗୁରୁ ଗଉରବ ସତ ଧର୍ମକୁ ଭୁଲଇ ।

ଶ୍ରୀକୃଷ୍ଣ ଜନନୀ ପୁଣି ଧାର୍ମିକା ଦେବକୀ

ବୁଝି ନିଜ ଗର୍ବ ପରିଣାମ ନିରିମାଖୀ ।

ମିଳିଲେ ସଧୀରେ ଦେବୀ ଯଶୋବନ୍ତୀ ପାଶ

କହନ୍ତି ଭଉଣୀ ମୋର ଖଣ୍ଡିବୁ ତୁ ତୋଷ ।

ଅଭିମାନେ ନ ଚିହ୍ନି ମୁଁ କେତେ ଯେ କହିଲି

ଦୋଷ କ୍ଷମା କରିବୁ ତୁ ଏତେକ ମାଗିଲି ।

ବସୁଦେବ ଆସି ଧରିନେଲେ ନନ୍ଦହାତ

ଚାଲ ଯଜ୍ଞ ସ୍ଥାନ ସର୍ବେ କହନ୍ତି ଅଚ୍ୟୁତ ।

ଯଶୋଦାଙ୍କ ସଙ୍ଗେ ସର୍ବ ଗୋପିନୀକୁ ନେଇ

ଦେବକୀଙ୍କୁ ବସିଥିବା ସ୍ଥାନେ ନେଲେ ତହିଁ ।

ନନ୍ଦ ଆଦି ଗୋପାଳ ଯେ ଗଲେ ଯଜ୍ଞସ୍ଥାନ

ବସିଲେ ଶ୍ରୀକୃଷ୍ଣ ଯଜ୍ଞେ ହୋଇ ତୋଷମନ ।

ଗାର୍ଗମୁନି ଦେଲେ ପଦ ଶ୍ରୀକୃଷ୍ଣଙ୍କ ହସ୍ତେ

ବେଦମନ୍ତ୍ର ଉଚ୍ଚାରିଲେ ଯଜ୍ଞବିଧି ମତେ ।

ନାନାଫଳ ସମର୍ପିଲେ ଋତୁକାଳ କ୍ରମ

ଦଶଦିଗପାଳେ ତୋଷ କରିଳେକ ହୋମ ।

ଦୁର୍ବାକ୍ଷତ ଧରି ପଦ ସମର୍ପନ୍ତି ହରି

ଦଧି ଦୁଗ୍‌ଧ ପଞ୍ଚାମୃତ ଅଗ୍ନି ଶାନ୍ତିକରି ।

ବାଜିଲା ବିବିଧ ବାଦ୍ୟ କମ୍ପିଲା ମେଦିନୀ

ଗାଇଲେ ଭକ୍ତେ ଆନନ୍ଦେ ଜୟକୃଷ୍ଣ ଧ୍ୱନି ।

ହୋମଧୂପେ ଦଶଦିଗ ହେଲା ଆଚ୍ଛାଦିଦ

ଧୂଦ ଦୀପ ନଇବେଦ୍ୟ କଲେ ସମାପତ ।

ହୋମଚରୁ ଦେଲେ ନେଇ ତହିଁ ସାନ୍ଦିପନୀ

କଲ୍ୟାଣ କରନ୍ତି ହସ୍ତ ମୁଣ୍ଡେ ମାରି ମୁନି ।

ଗାର୍ଗ ଶ୍ରୀକୃଷ୍ଣଙ୍କଠାରୁ କର୍ମର ଦକ୍ଷିଣା

ପାଇଣ ହର୍ଷେ କଲ୍ୟାଣ କଲେ ମହାମନା ।

ଆହେ କୃଷ୍ଣ ଅଳ୍ପାୟୁଷ ହେଉ ହେ ତୁମ୍ଭର

ବିଶ୍ଵକଲ୍ୟାଣ କରିଣ ହୁଅ ଯଶୋଧର ।

ଧନଧାନ୍ୟ ବଢୁତବ ସନ୍ତାନ ସମାନ

ଶତ୍ରୁଜୟ କରି ରଖ ଯଶ ଚିରଦିନ ।

ସଂସାର ବନ୍ଧନ ମିଳୁ ସୁଗୁଣ ଯୁବତୀ

ମନ ଘେନି ମିଳୁ ତବ ସନ୍ତାନ ସନ୍ତତି ।

ଧର୍ମେ ମନ ଦେଇ କର ଅଧର୍ମକୁ ନାଶ

ଋଷି ବିପ୍ର ଦେବତାଙ୍କ ମନ କରି ତୋଷ ।

ପିତାମାତା କୋଳେ ଚିରକାଳ ପାଅ ସୁଖ

ଯଜମାନ ଘରୁ ବିପ୍ରେ ନୁହନ୍ତି ବିମୁଖ ।

ସୁଖେ ଏ ସଂସାର ଯାତ୍ରା କର ଚକ୍ରଧର

ଏହି ଆଶୀର୍ବାଦ ସଦା ଅଟଇ ଆମ୍ଭର ।

ଏତେ କହି ପୁରୋହିତ କରି ଯଜ୍ଞ ଶେଷ

ସର୍ବ କୁଟୁମ୍ବଙ୍କୁ ଡକାଇଲେ ହୃଷୀକେଶ ।

ଦେବକୀ ଯଶୋଦା ନନ୍ଦ ଆଉ ବସୁଦେବ

ଉଗ୍ରସେନ ଇନ୍ଦୁମତୀ ହଂସକ ଓ ଡିମ୍ବକ ।

ନାତି କୋଳେ ଧରି ରାଣୀ ରହି ରାଜାପାଶେ

ଯଶୋଦା କୋଳେ ଶ୍ରୀକୃଷ୍ଣନନ୍ଦ ବାମେବସେ ।

ଦେବକୀ କୋଳରେ ରାମ ବାମେ ବସୁଦେବ

ସର୍ବ ଋଷି ବିପ୍ର ଆଶ୍ଵାସିଲେ ଚିର ଧ୍ରୁବ ।

ଦେବ ବଚନରେ କଲେ ଆଶିଷ ବିଧାନ

ଶ୍ରୀକୃଷ୍ଣ ଶିରେ ଅକ୍ଷତ ଦେଲେ ଋଷିଗଣ ।

ମାତାମାନେ ବାନ୍ଧିଲେ ଯେ ଅକ୍ଷତ ଅଞ୍ଜଳି

ସର୍ବେ ନମସ୍କାର କଲେ ବିପ୍ରପାଦେ ମିଳି ।

ଜୟ ଜୟ ଶବଦରେ କମ୍ପଇ ଭୁବନ

ଜୟ କୃଷ୍ଣ ବଳରାମ ଦେବ ଭଗବାନ ।

ସମସ୍ତଙ୍କ ଆଶୀର୍ବାଦ ଚରୁ ଦେଲେ ଋଷି

ମଙ୍ଗଳ ବାଦ୍ୟରେ ପୁର ପଡ଼ଇ ଉଲ୍ଲସି ।

ଋଷିମାନଙ୍କୁ ଦିଶନ୍ତି ବ୍ରହ୍ମ ସନାତନ

ରାଜାମାନଙ୍କୁ ଦିଶନ୍ତି ରାଜନ ନନ୍ଦନ ।

ସାମାଜିକକୁ ଦିଶନ୍ତି ଜଣେ ଆଦର୍ଶକ

ସଭାସ୍ଥଳରେ ଦିଶନ୍ତି ସେ ବ୍ୟବସ୍ଥାପକ ।

ଦେବଗଣଙ୍କୁ ଦିଶନ୍ତି ଗୋଲକ ବିହାରୀ

ଜ୍ଞାନୀଏ ଦେଖନ୍ତି ଜଣେ ବୈଜ୍ଞାନିକ ପରି ।

ଶତ୍ରୁକୁ ଦେଖନ୍ତି ଜଣେ କାଳାନ୍ତକ ଯମ

ବ୍ରାହ୍ମଣମାନେ ଦେଖନ୍ତି ସ୍ଵୟଂ ପରଂବ୍ରହ୍ମ ।

ଅସାଧୁମାନେ ଦେଖନ୍ତି ଏତ ନୀର ଚୋର

ଲମ୍ପଟୀ କହନ୍ତି ଏ ଲମ୍ପଟ ସରଦାର ।

ପାପୀଏ କହନ୍ତି କୃଷ୍ଣ କରେ ବଡ ପାପ

ନିଷ୍ପାପୀ ଦେଖନ୍ତି ଏ ତ ପୁଣ୍ୟର ସ୍ୱରୂପ ।

ମାତାଙ୍କୁ ଦିଶନ୍ତି ମୋର ଅଟେ ଟିକି ପୁଅ

ଯୁବତୀଙ୍କ ଯୁବାପରି ତରଳେ ହୃଦୟ ।

ଏହିପରି ଭାବଗ୍ରାହୀ ଭାବନାର ରୂପ

ବିରହିଣୀଙ୍କୁ ଦିଶନ୍ତି କୋଟି କନ୍ଦରପ ।

ଯଜ୍ଞ କର୍ମ ସାରିଣ ପ୍ରସାଦ ଦେବାପାଇଁ

ଉଗ୍ରସେନ ନରପତି ବ୍ୟବସ୍ଥା କରାଇ ।

ମହତ ଉତ୍ସବ ସର୍ବମାନ୍ୟ ଆୟୋଜନ

ରାଜା ପୂଜା ସର୍ବେ ଏଥି ସମାନ ଆସନ ।

ସର୍ବେ ବସିଗଲେ ହୋଇ ମଣ୍ଡଳୀ ପ୍ରକାର

ପରଷିଲେ ବଛାବଛା ହୋଇ ସୂପକାର ।

ରାମ କୃଷ୍ଣ ବସିଲେ ସେ ମଣ୍ଡଳରେ ଯାଇ

କ୍ଷୀରି ପୂରି ପାଏସ ମିଷ୍ଟାନ୍ନ ଗଲେ ଦେଇ ।

ଅନ୍ନ ଡାଲି ତରକାରୀ ବିବିଧ ପ୍ରକାର

ପିଠାପଣା ଲଡୁ କୋରା ଦେଲେ ସୂପକାର ।

ସର୍ବେ ହସ୍ତଚାଳି କଲେ ସନ୍ତୁଷ୍ଟ ଭୋଜନ

ଧନ୍ୟ ସେ ମଣ୍ଡଳ ଯହିଁ କୃଷ୍ଣ ବିଦ୍ୟମାନ ।

ଅତି ହରଷରେ ସର୍ବେ କରନ୍ତି ଭୋଜନ

ପୁଣି ପୁଣି ପଚାରି ଦିଅନ୍ତି ଯହିଁ ଅନ୍ନ ।

ଗୋପର ଗୋପାଳ ଆଉ ନନ୍ଦ ବସୁଦେବ

ମଣ୍ଡଳୀରେ ବସି ଅନ୍ନକୁ ଭୁଞ୍ଜନ୍ତି ସରବ ।

ଯଶୋଦା ଦେବକୀ ଆଉ ଗୋପିନୀ ନିକର

ମଥୁରାପୁର ବାସିନୀ ହୋଇ ଏକାକାର ।

ମଣ୍ଡଳୀ କରିଣ ଏକ ଆଢ଼େଣୀ ଉଢ଼ାଳେ

ରାଜ ପରିଚାରୀ ରାଣୀ ଭୁଞ୍ଜିଲେ ସକଳେ ।

ହସ୍ତ ଧୋଇ ମୁଖବାସ କରିଲେ ଗ୍ରହଣ

ବିଦାୟ ହୋଇଲେ ରାଜାମାନେ ତତକ୍ଷଣ ।

ବାଦ୍ୟକାରମାନେ ଆସି ଦରଶନ କରି

ବିଦାୟ ହେଲେ ଯଥେଷ୍ଟ ପାଇଣ ମଜୁରୀ ।

ନୃତ୍ୟକାରମାନେ ଆସି କଲେ ଦରଶନ

ନେଲେ ଶାଢ଼ୀ ପରିଶ୍ରମ ପାଇଁ ଯାହା ଧନ ।

ଦେବକୀଙ୍କୁ ଯଶୋଦା ଯେ କହନ୍ତି ଭଉଣୀ

ଚାରିଦିନେ ଖବର ତୁ ଦେବୁ ଜାଣିଶୁଣି ।

ଲେଖିବୁ କାହ୍ନୁ ଖବର ଭଲ ମନ୍ଦ କଥା

ଏତକ ଭୁଲିବୁ ନାହିଁ ମନରେ ରଖିଥା ।

ଜାଣିବୁ ମୋହର ପ୍ରାଣ ଅଟଇଟି ସେହି

କର୍ମ ଲାଗି ପିଣ୍ଡନେଇ ଯାଉଛିଟି ମୁହିଁ ।

ସେ ବାୟା ଭୁଲିଯାଏ ଯେ ତା ଖାଇବା କଥା

ବେଳ ହେଲେ ଡାକିଆଣି କରିବୁ ବ୍ୟବସ୍ଥା ।

ବଡ଼ ବଳରାମ ସବୁବେଳେ ଜଗିଥିବ

ତା କଥା କୃଷ୍ଣ ଶୁଣେନି ଆସିଣ କହିବ ।

ତୁ ଯାଇଁ ଡାକି ଆଣିବୁ ତା କାମ ଭଙ୍ଗାଇ

ନୋହିଲେ ଭକୁଆ ପରି ଥିବ ସେହିଠାଇଁ ।

ଏତକହି ଯଶୋବନ୍ତୀ ଗଲେ କୃଷ୍ଣ ପାଶ

ନନ୍ଦ ବସୁଦେବ ଥିଲେ ହୋଇଣ ହରଷ ।

ଶ୍ରୀଗୁରୁ ଅଚ୍ୟୁତାନନ୍ଦ ପଦେ କରି ଆଶ

ଦୀନ ଇନ୍ଦ୍ରମଣି ସାହୁ କରଇ ପ୍ରକାଶ ।

 

ଶ୍ରୀକୃଷ୍ଣ, ନନ୍ଦ, ଯଶୋଦା ଗୋପୀଙ୍କିପ୍ରବୋଧ ଦେଇ ବିଦାୟ
ଏବଂ ମଥୁରା ଗମନ

ଏଥୁ ଅନ୍ତେ ପରୀକ୍ଷିତ ହୋଇ ଭାବେଭୋଳ

ଶୁକମୁନିଙ୍କୁ ପୁଚ୍ଛନ୍ତି ହୋଇଣ ବିହ୍ୱଳ

ଧନ୍ୟ ମହାମୁନି ଆଜି ଜୀବନ ମୋ ଧନ୍ୟ

କରେ ଶୁଣିଲି ମୁହିଁ କୃଷ୍ଣ ରସମାନ ।

ଗୋପପୁର ଗୋପୀମାନେ ଆସିଥିଲେ ଧାଇଁ

କିପରି ପ୍ରବୋଧ ତାଙ୍କୁ କଲେ ଭାବଗ୍ରାହୀ ।

ତାହା ମୋତେ ବୁଝାଇଣ କୁହ ମହାମୁନି

କର୍ଣ୍ଣରେ ଶୁଣି ପବିତ୍ର ହୋଇବି ସେ ଘେନି ।

ଶୁକମୁନି କହନ୍ତି ଯେ ହରଷ ହୋଇଣ

ଯଶୋଦା କୋଳରୁ ଗଲେ କୃଷ୍ଣ ତତକ୍ଷଣ ।

ବୋଇଲେ ଗୋ ବ୍ରଜନାରୀ କିମ୍ପା ଏତେ ଦୂର

ପାଦରେ ଚାଲି ଆସିଲ କୁହ କି ପ୍ରକାର ।

ସହଜେ କୋମଳ ପାଦ ଅଟଇ ତୁମ୍ଭର

କିମ୍ପା ଏତେ କଷ୍ଟକରି ଆସିଲ ଏଠାର ।

ଜଳ ଛାଡ଼ି ମୀନ କାହିଁ ରହେ କି ନିଶ୍ଚଳେ

ଚନ୍ଦ୍ରକୁ ଛାଡ଼ି କୁମୁଦ ଥିବ କେତେକାଳେ ।

ମୁଁ ଯେ ଏତେଦୂରେ ତୁମ୍ଭେ ଭାବିଛ କିପରି

ଯେତେଦୂରେ ଥିଲେ ନିକଟରେ ଥିଲା ପରି ।

ଅନଙ୍ଗ ମଞ୍ଜରୀ କହେ ହେ ଭାବ ଇମ୍ପଟ

ଦଣ୍ଡେ ନ ଦେଖିଲେ ମନ ଯା ପାଇଁ ଉଚ୍ଚାଟ ।

ସେହି ଯଦି କପଟରେ ଲଗାଇବେ ହଟ

କାହାକୁ କହିବୁ ହଟା କଥା ନନ୍ଦଚାଟ ।

କୋଟି ଯୁଗ ପରି ଯହୁଁ ଲାଗିଲା ବିରହ

ନିଜଘରେ ଲାଗୁଅଛି କଣ୍ଟାବଣ ପ୍ରାୟେ ।

ସହଜେ ଅବଳା ଆମ୍ଭେ ବାକ୍ୟବଳ ହୀନ

ଲତା ପରି ନାରୀଜାତି ହୁଅନ୍ତି ଶୋଭନ ।

କଳ୍ପତରୁ ଅଙ୍ଗେ ଜଡି ଭୂମିରେ ପଡ଼ିଲୁ

ଏତେ ଲୋକହସା ସହି କାହାର ହୋଇଲୁ ।

ବାସୀଫୁଲ ପରି ହେଲା ଦଶାତ ଆମ୍ଭର

ଦେଖ ଗୋପୀଙ୍କର ଦଶା ହେ ନଟ ଶେଖର ।

ଘୋର ନବଘନ ଦେଖି ଯେସନେ ଚାତକ

ଅତି ଆଶାକରି ନାଚେ ହରାଇ ବିବେକ ।

ଜଳଧର ବରଷଇ ଜଳ ପାରାବାରେ

ଟୋପେ ଜଳ ପଡ଼େ ନାହିଁ ଚାତକ ଥଣ୍ଟରେ ।

ନିରାଶରେ ପଡି ହେଉଥାଏ ଛଟପଟ

ସେହିପରି ଗୋପବାସୀ ହୋଇଛୁ ଉଚ୍ଚାଟ ।

ମାଳତୀ ବକୁଳବନ ଥିଲେ ପ୍ରସ୍ଫୁଟିତ

ସରାଗେ ନ ଯାଏ ଯଦି ତହିଁ ମଧୁକୀଟ ।

ଚାହିଁ ଚାହିଁ ଭ୍ରମରକୁ ପଡ଼େ ଶୁଖି ଝଡ଼ି

ସେହିପରି ଗୋପୀକୁଳ ପଡ଼ିଲାଣି ଝଡି ।

ଦେଖ ଗୋପୀନାଥ କର ମୁଦ୍ରିକା ମୋହର

କଙ୍କଣ ହେଲାଣି ଭାବି ନୀଳ କଳେବର ।

ଚମ୍ପକ ଲତିକା କହେ ଆହେ ଗିରିଧର

ଗଙ୍ଗାକୂଳେ ରହି ଶୋଷେ ମରିବା ପ୍ରକାର ।

ଯେବେ ଦୟାନିଧି ନାମ ହୋଇଛି ତୁମ୍ଭର

ନିଧି ତୁଲେ ବନ୍ଧ କରି ଦୟାରୁ ବାହାର ।

କେଉଁ ଦୋଷ କରିଅଛୁ ଶ୍ରୀଚରଣେ ତୋର

ହାତେ ନ ମାରି ମାରିଛୁ ଭାତରେ ଶ୍ରୀଧର ।

ଦେଖ ହେ ଚକାନୟନ ବଙ୍କା ବେଣୁଧର

ତୁମ୍ଭେ ପରା ବୋଲାଉଛ ବ୍ରହ୍ମାଣ୍ଡ ଠାକୁର ।

ବ୍ରହ୍ମାଣ୍ଡ ଅଲଗା କିବା ଏହି ଗୋପୀକୁଳ

ତିନି ଭୁବନ ଅଲଗା କରିଲ କେବଳ ।

ଶିଶିର ପରଶେ ଯଥା ପଦ୍ମହତ ଶିରୀ

ତବ ଅକରୁଣା ନାଶିଲାଣି ବ୍ରଜପୁରୀ ।

ଆଉ ଜଣେ ଗୋପୀ କହେ ଆହେ ଶିରୀଧର

ତୁମ୍ଭ ବିହୁନେ ଦିବସେ ଗ୍ରାମେ ମାଡ଼େ ଡର ।

ଆଉ ରାବୁ ନାହିଁ ସବୁଦିନେ ପିକ ସାରୀ

ଫୁଟୁନାହିଁ ଫୁଲ ନୂଆ ସଉରଭ ଧରି ।

ଗାଈମାନେ ବତ୍ସା ମୁଖେ ନ ଦିଅନ୍ତି କ୍ଷୀର

ବାୟାଣୀ ପରି ବୁଲନ୍ତି ଛାଡ଼ି ତୃଣ ତାର ।

ଆଉ ନାଚୁ ନାହାନ୍ତି ସେ ମୟୂର ମୟୂରୀ

ବୃନ୍ଦାବନ ହୋଇଅଛି ହିଂସ୍ର ଜନ୍ତୁପରି ।

କେତେଦିନ ପ୍ରାଣଛଡ଼ା ପିଣ୍ଡେ ଥିବୁ ହରି

ମୃଗତୃଷ୍ଣା ଜଳେ ତୃଷ୍ଣା ନ ମରିଲା ପରି ।

କୁହ କି କରିବୁ ଗୋପୀ ତବ ତପଚାରୀ

ବସିବୁ କିପରି ତବ ରୂପ ଅନୁସରି ।

ଶୁଣି କହନ୍ତି ଶ୍ରୀମୁଖେ ମଦନ ମୋହନ

ଯାହା କହିଲ ସଜନୀ ଶୁଣ ମୋ ବଚନ ।

ଏ ସଂସାରେ ସୁଖ ଦୁଃଖ ଏକ ବୃକ୍ଷଫଳ

କେହି ଦୁଃଖ ଭୋଗେ କେହି ସୁଖେ କାଟେକାଳ

ବିକାର ଘେନିଏ ସୁଖ ଦୁଃଖ ଗତିକରେ

ତୁମ୍ଭେ ଯାକୁ ଦୁଃଖ କହ ମୁଁ ସୁଖ ବିଚାରେ ।

ଏଣୁ ଦୁଃଖପାଇଁ ନ ହେବଟି ବିଚଳିତ

ସବୁବେଳେ ସ୍ପୃହାହୀନ ହୋଇବ ବାଞ୍ଛିତ ।

ଦିନ ପରେ ରାତି ହୁଏ ରାତ୍ର ଅନ୍ତେ ଦିନ

କାଳର ଅଛଇ ଏହି ନିୟମ ବନ୍ଧନ ।

କର୍ମକ୍ଷେତ୍ର ଅଟେ ଏହି କର୍ମରୁ ଧରମ

କର୍ମ କରିଥିବା ହେତୁ ଜନମିଲା ପ୍ରେମ ।

ଗୋପେ ଗୋପିନୀ ଗୋପାଳ ସ୍ୱଚ୍ଛକର୍ମ କରି

ଅନାୟାସେ କର୍ମଫୁଲ ଦିଅ ମାଳା କରି ।

ଶରଧା ଦେଇ ଶରଧା ନିଅ କରି ପ୍ରେମ

ପ୍ରେମର ବନ୍ଧନ ଅଟେ ସାରସ୍ୱତ ଧର୍ମ ।

ମାତା ପିତା ବନ୍ଧୁ ଭାତ୍ରା ଜାୟା ପରସ୍ପର

ଏ ସର୍ବ ଶୃଙ୍ଖଳା ଅଟେ ଏ ବେନି ସଂସାର ।

କାମନା ଧର୍ମର ନୀତି ନୁହଇଟି ଚିର

ଦେବା ନେବା ପ୍ରେମ ବାଧା ପାଇ ହୁଏ ପର ।

ବାଧା ନ ପାଇ ପ୍ରେମ ରହିଲେ ରହିବଟି ଛାଡ଼ି

ତୁମ୍ଭେ ଯିବ ଏ ପ୍ରେମିକ ନ ଯିବେଟି ଲୋଡ଼ି ।

ମୋତେ ପ୍ରେମ ଦେଇ ପ୍ରେମ ନେବାପାଇଁ ଚାହିଁ

ଆଦାନ ପ୍ରଦାନ ପ୍ରେମ ଅଳ୍ପଦିନ ପାଇଁ ।

ଯଦି ସ୍ୱଚ୍ଛ ପ୍ରେମ କର ବାସନା ବରଜି

ସେହି ପ୍ରେମେ ଚିରଦିନ ରହିବଟି ହେଜି ।

ଜୀବନ୍ତେ ରହିବ ପ୍ରେମ ନେବେ ପ୍ରେମମୟ

ମୁଁ ସମସ୍ତ ଭାବି କର୍ମ କରି ପ୍ରେମ ଦିଅ ।

କର୍ମଟି ମୋହର ପ୍ରେମଫୁଲ ଓ ଚନ୍ଦନ

ମୋ ସନ୍ତୁଷ୍ଟ ପାଇଁ କର୍ମ କର ଚିରନ୍ତନ ।

ମୁଁ ସମସ୍ତଠାରେ ପୁଣି ତୁମ୍ଭେ ମୋହଠାରେ

ଏହିପରି କର୍ମ କଲେ ବିଶ୍ଵପ୍ରେମ ଝରେ ।

ସନ୍ତୁଷ୍ଟ ରହିଲେ ଶାନ୍ତ ହେବ ଏ ହୃଦୟ

ଶାନ୍ତି ରହିଲେ ପାଇବି ସତ୍ୟର ଆଶ୍ରୟ ।

ମିଥ୍ୟା ଅନାଚାର କ୍ରୋଧ ତୋର ମୋରବାଦ

ନ ରହିବ ମୋର ଛାଡ଼ି କର କର୍ମେ ବୋଧ ।

କର୍ମର ଫଳ ପାଇଁ କେ କିଞ୍ଚିତ ନ ଭାଳ

କର୍ମ କଲେ ନିଜେ ନିଜେ ଆସିବ ତା ଫଳ ।

ମୋର ମୋର କହି ମୋତେ ପଡ଼ି ନୁହ ବଣ

ମୁଁ ସବୁରି ତମେ ମୋର ପ୍ରେମ ହେବ ଗଣ ।

ଅଳସ ବିଳାସ ଅଟେ ଅନର୍ଥର ମୂଳ

ଅଳସୁଆର ବିକାର ମାନସ ଚଞ୍ଚଳ ।

ବିଷ୍ଣୁ ମାୟାରେ କରିଲେ ସବୁ ମନ ସ୍ଥିର

ଅନିମିଷେ ନେତ୍ର ଗୋପୀମାନେ ହେଲେଧୀର ।

ପୁଣି କହିଲେ ପୋପିଏ ତୁମ୍ଭ ପ୍ରେମେ ମୋର

ଦିବା ରାତି କରୁଅଛି ବିଦୀର୍ଣ୍ଣ ଅନ୍ତର ।

କେବଳ କର୍ମ ନିମିତ୍ତ ହୋଇଛି ବନ୍ଧନ

କର୍ମସାରି ଯିବି ଫେରି ଆପଣା ଭୁବନ ।

ଦିନରାତି ମନ ପଡ଼େ ଯମୁନା ପୁଲିନ

ନୀପମୂଳ ଅଷ୍ଟକୁଞ୍ଜ ଆଉ ବୃନ୍ଦାବନ ।

ମାତା ପିତା ସ୍ନେହ ଆଉ ତୁମ୍ଭ ପରି ସମ

ଭୁଲିନାହିଁ ଭୁଲିବାକୁ ହେଉଛି ଅକ୍ଷମ ।

ଶୁଣି ଗୋପୀମାନେ କଲେ ଶ୍ରୀକୃଷ୍ଣଙ୍କୁ ଧ୍ୟାନ

ଜୟ ଗୋପୀନାଥ ଜୟ କାଳୀୟ ଗଞ୍ଜନ ।

ଏତେ କହି ରଥେ ବସି ଗଲେ ଗୋପପୁର

ନନ୍ଦ ଯଶୋଦା ଗୋପିନୀ ଗୋପାଳ କୁମର ।

ଖଣ୍ଡେଦୂର ରାମକୃଷ୍ଣ ପାଚ୍ଛୋଟି ଆସିଲେ

ଯଜ୍ଞସ୍ଥାନେ ପ୍ରବେଶିଣ ଆନମନା ହେଲେ ।

ବ୍ରହ୍ମାଙ୍କ ସହିତ ସର୍ବ ଦେବତା ମଣ୍ଡଳି

ବିଦାୟ ନେବାକୁ ବିଷ୍ଣୁ ପାଶେ ଆସି ମିଳି ।

ନାରଦଙ୍କୁ ଅଦୃଶ୍ୟ ହୋଇ କରନ୍ତି ପ୍ରାର୍ଥନା

ଜୟ ହେ ଅଚ୍ୟୁତ ଚରାଚର ବଜ୍ରସେହ୍ନା ।

ତୁମ୍ଭରି ଦୟାରୁ କଲୁ ବାତ୍ସଲ୍ୟ ଦର୍ଶନ

କୃତାର୍ଥ ହୋଇଲୁ କରି ମାତାକୁ ବନ୍ଦନ ।

ଧର୍ମର ରକ୍ଷକ ହରି ଚରାଚର ନାଥ

ତୁମ୍ଭ ଦୟାର ପ୍ରଭାବ ହେଲା ଚରିତାର୍ଥ ।

ଶରଣ ରକ୍ଷଣ ତୁହି ଅନାଦି ପୁରୁଷ

ତୋର କୃପାରୁ ଚଳଇ ଚରାଚର ବିଶ୍ୱ ।

ହେ ପରମ ଚିନ୍ତାମଣି ପ୍ରଭୁ ଦୟାମୟ

ଏ ଦେବକୁଳ ଅଟନ୍ତି ତୁମ୍ଭରି ଆଶ୍ରୟ ।

ଦୁଷ୍ଟ କଂସ ଅତ୍ୟାଚାରୁ କରିଅଛ ପାରି

ଆହୁରି ଦୁଷ୍ଟ ଅଛନ୍ତି ଧରା ଯାଏ ଥରି ।

ତାହାଙ୍କ ବିନାଶ ପାଇଁ ତୁମ୍ଭ ଅବତାର

ଗୋପଲୀଳା ଶେଷକଲା ବଂଶୀ ଧରି କର ।

ଏବେ ଚକ୍ରଧର କର ଭୂଭାର ଉଦ୍ଧାର

ନମୋ ନାରାୟଣ ରାମକୃଷ୍ଣ ଦାମୋଦର ।

ନମୋ କେଶବ କଂସାରି ପ୍ରଭୁ ହୃଷୀକେଶ

ନମୋ ମାଧବ ଅନନ୍ତ ଅଣାକାର ଶେଷ ।

ଶ୍ରୀଚରଣୁ ଦେବକୁଳ ନେଉଛୁ ମେଲାଣି

ଭୂଭାର ଉଦ୍ଧାର କରି ବିଶ୍ଵ ଚିନ୍ତାମଣି ।

ଏତେ କହି ପୁଷ୍ପବୃଷ୍ଟି କରି ଦେବଗଣ

ବିଦାୟ ହୋଇ ଚଳିଲେ ଆପଣା ଭବନ ।

କର ପ୍ରସାରିଣ କଲେ ଦେବଙ୍କୁ ବିଦାୟ

ଋଷିମାନେ ଆଶୀର୍ବାଦ କଲେ ବେଦଧ୍ୟାୟ ।

ଶୀତବାସ ଦେଇ କୁଶାସନ ଗେରୁବସ୍ତ୍ର

ବିଦାୟ କରିଣ ଦେଲେ କଲ୍ୟାଣ ସନ୍ତୁଷ୍ଟ ।

ବ୍ରାହ୍ମଣମାନଙ୍କୁ ଦେଲେ ବହୁବିଧ ଧନ

ଚଳନ୍ତି ବ୍ରାହ୍ମଣ ଗାଇ ଶ୍ରୀ ମଧୁସୂଦନ ।

ସର୍ବକର୍ମ ଶେଷ କରି ସଜାଇଲେ ରଥ

ମାତା ବୃଦ୍ଧମାତା ସଙ୍ଗେ ଚଳିଲେ ଅନନ୍ତ ।

ଉଗ୍ରସେନ ସାତବଂଶ ଯାଦବ ରାଇଣ

ସର୍ବ ଦ୍ରବ୍ୟ ଭଣ୍ଡାରକୁ ନେବାକୁ ବହିଣ ।

ଚଳିଲେ ରାଜ ବିମାନେ ବସୁଦେବ ସଙ୍ଗେ

ମଥୁରାର ବଧୂମାନେ କୃଷ୍ଣରଥ ସଙ୍ଗେ ।

ଯାଉ ଯାଉ ବଧୂମାନେ କରନ୍ତି ବିଚାର

ଧନ୍ୟ ଗୋପୀଙ୍କ ଜୀବନ ଧନ୍ୟ ଗୋପପୁର ।

କରିଛନ୍ତି ଭାବେ ମୋହ ମୋହି ବଂଶୀଧର

କୋଟି ତପସ୍ୟାର ଫଳ କୃଷ୍ଣଙ୍କୁ ସଙ୍ଗର ।

ରଥେ ଦେବକୀ ଜନନୀ କୋଳେ ଚକ୍ରଧାରୀ

ଶ୍ରୀରାମଙ୍କୁ ଇନ୍ଦୁରେଖା ଛନ୍ତି କୋଳକରି ।

ଶ୍ୟାମ ଧବଳ ମୂରତି କୃଷ୍ଣ ବଳରାମ

ମଥୁରା ଚଳନ୍ତି ରଥେ ଦିଶେ କି ସୁଷମ ।

ହୀରା ନୀଳା ବଇଚୁର୍ଯ୍ୟ ଉଡ଼େ ଫର ଫର

ପ୍ରଭାସ ତୀର୍ଥରୁ ରଥ ଚଳେ ଘର ଘର ।

ଷୋଳ ଅଶ୍ଵ ଷୋଳ ଚକେଉଚ୍ଚୈଃ ଶ୍ରବାପରି

ରଥ ଚଳାନ୍ତି ଗଗନେ ଉଡ଼ିଗଲା ପରି ।

ମଥୁରା ନଗରେ ରଥ ହୋଇଲା ପ୍ରବେଶ

ରାଜସିଂହଦ୍ୱାରେ ଅଟକି ହେ ଷୋଳଅଶ୍ୱ ।

ସହଜେ ନେତ୍ର ଉତ୍ସବ ଆଜି ଶୁଭଦିନ

କଳିଯୁଗେ ରଥେ ଆଜି ବିଜେ ଭଗବାନ ।

ବୌଦ୍ଧ ଅବତାର ପୁରୀ କ୍ଷେତ୍ର ନାରାୟଣ

ନନ୍ଦିଘୋଷ ରଥେ ବିଜେ ହୁଅନ୍ତି ଆପଣ ।

ବହୁ ସସ୍ର ବର୍ଷ ପରେ ସେହି ଗୁଣାବଳୀ

ଲେଖୁଅଛି ସୁଦୟା ଯେ କଲେ ବନମାଳୀ ।

ପ୍ରଭାସ ତୀର୍ଥରୁ ରଥେ ରାମ ଚକ୍ରଧର

ମଥୁରା କଟକେ ମଣ୍ଡିଛନ୍ତି କଳେବର ।

ଦିଶି ଯାଉଅଛି ରୁପ ଭାବ ରାଇଜରେ

କିବା ବିଜେ କରିଛନ୍ତି କଳପଣା ପୁରେ ।

ନୀଳଜୀମୂତ ବରଣ ନବଘନ ଶ୍ୟାମ

ବକ୍ଷେ ଝୁଲି ଯାଉଛି କି ସଜମଲ୍ଲୀ ଦାମ ।

କୋଟି କଳ୍ପନାରେ ଯୋଗୀ ଯାହାପାଏ ନାହିଁ

ଗୋଟିଏ ରଥ ଜପିଲେ ମିଳିବେ ସେ କାହିଁ ।

ସହଜେ ଯୁଗ ପ୍ରଭାବେ ମୋହ ଅନ୍ଧ ହୋଇ

ଶ୍ରୀକୃଷ୍ଣ ରୂପ ବର୍ଣ୍ଣିବା ଶକ୍ତି ମୋର ନାହିଁ ।

ଗୁରୁ ରୂପେ ଶ୍ରୀଅଚ୍ୟୁତାନନ୍ଦ ଦାସ ରହି

ଯାହା ସୁଦୟା କରିଣ ଦେଉଛନ୍ତି କହି ।

ତାଙ୍କ ଭାବ ତାଙ୍କ ରସ ମୁଁ କରେ ଲେଖନ

ମୁରୁଖ ଅଧମ ମୁହିଁ ଇନ୍ଦ୍ରମଣି ଦୀନ ।

ଯେଉଁ ଗୁରୁ ତରିପାରେ ଭବ ତରଙ୍ଗିଣୀ

ଗୁରୁଦୟା ହେଲେ ମୂର୍ଖ ହୁଏ ମହାଜ୍ଞାନୀ ।

ମାତ୍ର ମୁହିଁ ଗୁରୁ ମୁଖ୍ୟ ଭାଗ୍ୟ ପାଇ ନାହିଁ

ସ୍ଵଭାବେ ତାଙ୍କ ପ୍ରଭାବେ ଯାହା ଲେଖୁଛଇଁ ।

ସେହି ଗୁରୁଙ୍କ ଆଜ୍ଞା ଶିରପରେ ଧରି

କୃଷ୍ଣରସେ ଚିତ୍ତବୋଧ କହୁଛି ବିସ୍ତାରି ।

 

Unknown

ମଥୁରାରେ ଚନ୍ଦନ ଯାତ୍ରା

ଏଥୁଅନନ୍ତରେ ଯେ ପରୀକ୍ଷ ନରରାଣ

ଶୁକମୁନିଙ୍କ ଚରଣେ ପ୍ରଣାମ କରିଣ ।

ବିନୟ ଭାବରେ ସେହି ଯୋଡ଼ି ବେନିକର

ପୁଣି ପୁଚ୍ଛା କରନ୍ତି ଯେ ଏହି ସମାଚାର ।

କିସ କଲେ ପୁଣି କୃଷ୍ଣ ରହି ମଥୁରାରେ

ମଧୁରା ଲୀଳାକୁ କହ ବୁଝାଇ ଏଠାରେ ।

ତୁମ୍ଭ ଶ୍ରୀମୁଖରୁ ଶୁଣି କୃଷ୍ଣର ଚରିତ

ଏ ଭାବ ମୋହ ବନ୍ଧନୁ ହୋଇବି ମୁକତ ।

ଶୁଣି କହୁଛନ୍ତି ସ୍ନେହେ ବ୍ୟାସଙ୍କର ସୁତ

ମଥୁରାପୁରରେ ରହି ଅଛନ୍ତି ଅଚ୍ୟୁତ ।

ମାତା ପିତା ସ୍ନେହ ଆଉ ରାଜାଙ୍କ ସମ୍ମାନ

ଯେଣେଗଲେ ତେଣେ ପ୍ରଜାକଲେ କୃଷ୍ଣେମାନ୍ୟ

ମଥୁରା କଟକେ ବସୁଦେବର ନଗର

ଅଚିନ୍ତାରେ ରହିଲେ ଯେ ରାମ ଦାମୋଦର ।

ସ୍ଵର୍ଗ ମର୍ତ୍ତ୍ୟ ପାତାଳରେ ଶୁଭେ ଜୟକାର

ଆଲୋକିତ କର୍ମକରୁଛନ୍ତି ଚକ୍ରଧର ।

ସାନ୍ଦିପନୀ ପଣ୍ଡାଠାରୁ ପଢ଼ିଲେକ ପାଠ

ଅଳ୍ପଦିନେ ସର୍ବବିଦ୍ୟା ପଢ଼ିହେଲେ ଶ୍ରେଷ୍ଠ ।

ଗୁରୁଙ୍କର ଷଡ଼ପୁତ୍ର ଦେଲେ ସେ ଆଣି

ଯମଘରୁ ଆଣି ପୁଣି ପ୍ରଭୁ ଚକ୍ରପାଣି ।

ନିଜ ବଡ଼ଭାଇ ଯମଘରୁ ଆଣିଛନ୍ତି

ଦେଖି ମଥୁରାର ପ୍ରଜା ଆନନ୍ଦ ହୁଅନ୍ତି ।

ନାହିଁ ଜରା ନାହିଁ ରୋଗ ମଥୁରା ନଗରେ

ମୃତ୍ୟୁଦେବ ଆସୁନାହିଁ କୃଷ୍ଣଙ୍କ ଆଜ୍ଞାରେ ।

ପ୍ରଜାମାନେ ସର୍ବେ କୃଷ୍ଣଙ୍କର କଲେ ଜୟ

ଶୁଣି କଂସ ପୁତ୍ରଙ୍କର ସହୁନାହିଁ ଦେହ ।

ସମ୍ଭାରେ ରାଜ୍ୟ କରନ୍ତି ଉଗ୍ରସେନ ରାୟ

ରାମକୃଷ୍ଣ ପ୍ରସାଦରୁ ନାହିଁ ତାଙ୍କୁ ଭୟ ।

ସଭାର ଆସ୍ଥାନେ ରାଜା ବିଜେ କରିଛନ୍ତି

ବସୁଦେବ ଅନାଧୃଷ୍ଟ ଆସିଣ ବସନ୍ତି ।

ସାତ୍ୟକି ଯେ ଶକ୍ରାଜିତ ଉଦ୍ଧବ ଅକ୍ରୂର

କୃତବର୍ମା ଆଦିକରି ପ୍ରଧାନ ଯେ ବୀର ।

ରାମକୃଷ୍ଣ ସଙ୍ଗେ ଘେନି ନିଜ ବଡ଼ଭାଇ

ଆସ୍ଥାନରେ ଅଜା ପାଶେ ବସିଲେକ ଯାଇ ।

ବଡ଼ ଭାଇର ଦେହେ ଥାଏ କୃଷ୍ଣ ତେଜ

ଦେଖିଣ ଆନନ୍ଦ ହେଲେ ଯାଦବ ସମାଜ ।

ସାତବଂଶ ଯାଦବ ଯେ ହୋଇଛନ୍ତି ଶୋଭା

ଧାଡ଼ିକରି ଥୋକାଏ ଯେ ହୋଇଛନ୍ତି ଉଭା ।

ରଥ ଗଜ ସହିତରେ ଅଛି ଧାଡ଼ି ଧାଡ଼ି

ଅସ୍ତ୍ରଧାରୀ ବୀରମାନେ ରହିଲେ ସଜାଡ଼ି ।

ବସୁଦେବ ସାନଭାଇ ଅଟନ୍ତି ସୁଦେବ

ପଣ୍ଡିତ ଓ ଜ୍ଞାନୀଗଣ ବୃହସ୍ପତି ଭାବ ।

କ୍ଷତ୍ରୀପଣରେ ଅଟନ୍ତି ସଂଗ୍ରାମ କେଶରୀ

ଉଠିଣ କହୁଅଛନ୍ତି ରାଜାଙ୍କୁ ତିଆରି ।

ଧନ୍ୟ ଉଗ୍ରସେନ ପାଇ ଦୁହିତା ଦେବକୀ

ତ୍ରିଭୁବନ ଧର୍ମଛତି ଦେଇଛନ୍ତି ଟେକି ।

କେବଣ ତୀର୍ଥରେ ବସି କେଉଁ ତପ କଲ

ବିଷ୍ଣୁଙ୍କର ଅଜାହୋଇ କୋଳେ ବସାଇଲ ।

ଧନ୍ୟ ଏ କଟକ ଯଦୁବଂଶ ସଭାଗୋଟି

ଏ ବଂଶର ବାହୁବଳେ ସାଧ୍ୟହେବ ସୃଷ୍ଟି ।

ସମସ୍ତ ଯାଦବ ଏବେ କର ମୋର ବୋଲ

ରାମ କୃଷ୍ଣ ନାମେ ସର୍ବେ ଜୟ ଜୟ ବୋଲ ।

ଯେଉଁ କୃଷ୍ଣ ମୃତ ପିଣ୍ଡ ଆଣିଲା ଜୀଆଇ

ନରଦେହ ଆଲୋକିତ କର୍ମ ସେ କରଇ ।

ତାର ପାଦେ ସେବାକଲେ ସକଳ ଯାଦବ

ଅନ୍ତ କାଳେ ଯାଇଁ ବିଷ୍ଣୁ ପଞ୍ଜରେ ରହିବ ।

ଏତେକହି ସୁଦେବ ଯେହୋଇଲେ ମଉନ

କଂସପୁତ୍ର ନ ଆସନ୍ତି ଆଉ ସଭାସ୍ଥାନ ।

ସବୁବେଳେ ମଲ୍ଲପୁତ୍ରମାନଙ୍କୁ ଧରିଣ

କଟକରେ କରୁଛନ୍ତି ଦୁଷ୍ଟ ଆଚରଣ ।

କଂସ ଥିଲାବେଳେ ତାର ଏ ବେନି କୁମର

ଯେଣେଗଲେ ତେଣେ ପଡ଼ୁଥିଲା ଜୟକାର ।

ଡରେ ପ୍ରଜା କରୁଥିଲେ ଆକୁଳେ ଭକତି

ସବୁବେଳେ ଆଦେଶକୁ ଥିଲେ ହାତପାତି ।

କଂସ ମଲାଠାରୁ ଆଉ ନାହିଁ ସେ ଆଚାର

ଭୟ ଭକ୍ତି ସବୁଦିନେ ରହେ କି କାହାର ।

ଅଧିକାର ଥିଲାବେଳେ ଭୟର ସମ୍ମାନ

କ୍ଷମତା ସରିଲେ ମୁଖେ କହନ୍ତି ଦୁର୍ଜନ ।

ଆଜି ହଂସକ ଡିମ୍ବକ କଂସର କୁମର

ଦେଖି ପ୍ରଜାଙ୍କର ନାହିଁ ସେପରି ଖାତର ।

ଶ୍ରୀକୃଷ୍ଣ ନାମକୁ ସର୍ବେ କରନ୍ତି କୀର୍ତ୍ତନ

କ୍ରୋଧେ କଂସ ପୁତ୍ର ଶୁଣି କରନ୍ତି ଗର୍ଜନ ।

ଅଷ୍ଟମଲ୍ଲଙ୍କର ପୁତ୍ରଥିଲେ ଯେ ଉବୁରି

ତାଙ୍କ ସଙ୍ଗେ ବୁଲି କରୁଥାନ୍ତି ବାହାଦୁରୀ ।

ପିତା ବୈରୀକୁ କିପରି କରିବା ନିଧନ

ଗଉଡ଼ଟା ଆସି କଲା ମଥୁରା ଉଚ୍ଛନ୍ନ ।

ଅଜା ଯାର ଜରାସନ୍ଧ କଂସ ନିଜ ପିତା

ମହାରଥୀ ପଣେ ଆମ୍ଭେ ଅଟୁ ହେ ଗଣିତା ।

ଆତ୍ମ ଅଭିମାନ କରୁଥାନ୍ତି ଅତ୍ୟାଚାର

ଅସୁର ବୁଦ୍ଧିରୁ କାକୁ ନ କରେ ଖାତର ।

ଗୋ ବ୍ରାହ୍ମଣ ହିଂସା ବୃତ୍ତି ସର୍ବଦା କରନ୍ତି

ପରଦାର ପରଧନ ନିର୍ଭୟେ ହରନ୍ତି ।

କହୁଥାନ୍ତି ଉଗ୍ରସେନ ରାଜାଙ୍କୁ ମାରିବା

ମୂର୍ଦ୍ଧା ଅଭିଷେକ ହୋଇ ସିଂହାସନେ ନେବା ।

କୃଷ୍ଣଙ୍କୁ ମାରିବା ଗୁପ୍ତେ ବାଟେ ଘାଟେ ଛପି

ଏକୁଟିଆ ଦେଖି ମାରି ଦେବା ତଣ୍ଟି ଚିପି ।

ଘରେଥିଲେ ରାତିକାଳେ ଜାଳିଦେବା ନିଆଁ

ନୋହିଲେ ହାଣି ପଛରୁ କରିଦେବା ଦାହା ।

ଜୀବନ ତେଜିବା ପଛେ ପିତାଶତ୍ରୁ ପାଇଁ

ଏତେ ବାଗେ ନ ମାରିବା ଯେବେ ବେନିଭାଇ ।

ଦିନୁ ଦିନଗଉଡ଼ର ବଢୁଅଛି ଯଶ

ଏବେଳେ କରିବା ଆମ୍ଭେ ପିତା ବୈରୀନାଶ ।

ଏହାଙ୍କ ଯୋଗେ ଆମ୍ଭଙ୍କୁ ନାହିଁ ଆଉ ଭଲ

ମଥୁରାପୁରେ ଗଉଡ଼ ଆସି ହେଲାଶଲ ।

ପ୍ରଜାମାନେ ଯୁବରାଜଙ୍କର ଅତ୍ୟାଚାର

ନ ସହି କହନ୍ତି ଆସି ରାଜାଙ୍କ ଛାମୁର ।

ଭୋ ରାଜନ ଯୁବରାଜଙ୍କର ଅତ୍ୟାଚାର

କେତେ ସହିବୁ ନକର କିମ୍ପା ପ୍ରତିକାର ।

ପରଦାର ଅତ୍ୟାଚାର ସର୍ବଦା କରନ୍ତି

ପରଧନ ଛଡ଼ାଇଣ ମାଡ଼ ମାରୁଛନ୍ତି ।

ଶୁଣି ରାଜା ଉଗ୍ରସେନ ଡାକି ନାତିକୁ

କୋଳେ ବସାଇ ତିଆରି କହଇ ତାହାକୁ ।

ଆରେ ବାବୁ ରାଜପୁତ୍ର ଅଟେ ଯୁବରାଜ

କମ୍ପା ଦେଶେ କରୁଅଛ ଏ ଅନ୍ୟାୟ କାର୍ଯ୍ୟ ।

ହଂସକ କହଇ ତୁମ୍ଭେ ଅଟ ଅବିଚାରୀ

ବୃଦ୍ଧାଯୋଗୁ ମତିଭ୍ରମ ହୋଇଛି ତୁମ୍ଭରି ।

ଦନ୍ତ ହୀନ ସର୍ପପରି ଗଉଡ଼କୁ ଧରି

କଲ ଭୋଗ ସିଂହାସନ କଳଙ୍କ ବିଚାରି ।

ଯେଉଁ ଗଉଡ଼କୁ ବରଜାତି ସଙ୍ଗକରି

ଛୁଇଁଦେଲେ ସିଂହାସନେ ଅପବିତ୍ର ଧରି ।

ତାଙ୍କୁ କୋଳେ ବସାଇଣ ଭୁଲିଗଲ ଦୁଃଖ

ଦୁଇ ପୁଅଙ୍କୁ ମାରିଣ ପାଉଅଛ ସୁଖ ।

କଂସପରା ପୁତ୍ର ମାରି ଯେ ତୁମ୍ଭେ ଦୋରେହା

କ୍ଷତ୍ରୀ ଧର୍ମ ହୁଡ଼ି କୋଳେ ବସାଇଛି ଯାହା ।

ପୁତ୍ରହନ୍ତା ପାଦେ ସେବା କରେ ଯେହୁ ପାପୀ

ଯେଉଁ ନୀତି ବଳେ ରାଜା ବସିଛ ଅଦ୍ୟାପି ।

ପୃଥିବୀରେ କେତେକାଳ ଥିବ ଦେହ ବହି

ଏତେ ନିସତ ହୋଇଣ ରାଜ୍ୟକର ରହି ।

ଯଦୁ ଭୋଜବଂଶେ ଯେତେ ମହାପାପ ଥିଲା

ଉଗ୍ରସେନ ରୂପଧରି ଜନମ ହୋଇଲା ।

ଏହିଗୁଣ ଦେଖି ତବ ପୁତ୍ର କଂସ ରାଜା

ଛଡ଼ାଇ ନେଇଥିଲା ରାଜ୍ୟ ଧନ ପ୍ରଜା ।

ଜଗୁଆଳ ପଣେ ଦେଇ ଦଣ୍ଡୁଆସି ପଣ

ସିଂହାସନେ ବସି ଚଳାଇଲେ ରାଜପଣ ।

ଯଦ୍ୟପି ତୁମ୍ଭେ ଏପରି ନୋହିଥାନ୍ତ ନଷ୍ଟ

ବୃଦ୍ଧାକାଳେ କିମ୍ପା ପାଇଥାନ୍ତ ପୁତ୍ର କଷ୍ଟ ।

ଗୁଆ ଗଛ ଛାଡ଼ି ତାଳଗଛେ ଫାଶିଦିଅ

ତୁଳସୀକୁ ଛାଡି ବିଛୁଆତି କର ସ୍ନେହ ।

ବିଦ୍ୟାବନ୍ତ ତେଜି ମୂର୍ଖେ କରୁଅଛି ପୂଜା

ବିଷ ଆବୋରି ଅମୃତ କଲ ତେଣୁ ତେଜ୍ୟା ।

ଦ୍ୱିଜବର ଛାଡ଼ିବା ସିନା କରୁଛ ପଠାଣ

ଶିବଲିଙ୍ଗ ଛାଡ଼ି ତୁମ୍ଭେ ପୂଜୁଛ ପାଷାଣ ।

ସୁବର୍ଣ୍ଣକୁ ଛାଡ଼ି ତମ୍ବା ପାତ୍ରକୁ ଧରିଲ

ହାତୀଛାଡି ଗଧ ଆଣି ଚଢ଼ିଣ ବୁଲିଲ ।

ଡିମ୍ବକ କହଇ ବୃଦ୍ଧ ତୁମ୍ଭେ ଦନ୍ତହୀନ

ଖୋସାମଦ କରି ବଞ୍ଚିବ ମା କେତେ ଦିନ ।

ଦନ୍ତହୀନ ସର୍ପ ପରି କରିଛ ବିଚାର

ଯୁକ୍ତି ନ କରିଣ ଶାନ୍ତି କରୁଚ ପ୍ରଚାର ।

ଶୁଣି ଉଗ୍ରସେନ ରାଜା ନାତିକୁ ବୁଝାଇ

ରହ ବାବୁ ଅଭିମାନେ ତୁହି ନୁହ ବାଇ ।

ବାଳକ ବୁଦ୍ଧି ତୁମ୍ଭର ଅଟଇ ଚପଳ

ତୁମ୍ଭ ରାଜ୍ୟ ତୁମ୍ଭେନେବ ମୁଁ ବା କେତେକାଳ ।

ନ ବୁଝ ଅଭିମାନରେ ବାଇଆ ନ ହୋଇ

କଲା କର୍ମ ପ୍ରାଣୀ ଭୋଗେ ତାହା ବୁଝନାହିଁ ।

ପିତା ତୋର ମୋର ହିତ କାନକୁ ନଦେଲା

ନିଜ ଭଗିନୀର ଷଡ଼ ପୁତ୍ରକୁ ମାରିଲା ।

ଦେବଗଣଙ୍କ କପଟ ନ ବୁଝିଲା ସେହି

ଶେଯ ଛୁଆକୁ ମାରିଲା ନିଜରକ୍ଷା ପାଇଁ ।

ତାହାଙ୍କ ଆୟୁଷ ଯେଣୁ ସ୍ଵହସ୍ତେ ହରିଲା

ନିଜର ଆୟୁଷ ଧର୍ମବଳେ କଟିଗଲା ।

ନିର୍ଦ୍ଦୋଷୀକୁ ଦଣ୍ଡ ରାଜଧର୍ମେ ବଡ଼ ପାପ

ଜାଣୁ ଜାଣୁ ତାହା ନ ମାନିଲା ତୁମ୍ଭ ବାପ ।

ନିର୍ଦ୍ଦୋଷୀ ଦେବକୀ ବସୁଦେବ ଦୁଇଜଣ

ଶାଙ୍କୋଳୀ ଦେଇ ବନ୍ଦୀରେ ରଖିଲା ନେଇଣ ।

ରାଜଧର୍ମେ ନିର୍ଦ୍ଦୋଷୀକୁ ଦଣ୍ଡ ଅଟେ ଦୋଷ

ତେଣୁ ଜନ୍ମହେଲେ କାଳରୁପୀ ବିଷ୍ଣୁଅଂଶ ।

ଜାଣୁ ଜାଣୁ ବାବୁ ତୁମ୍ଭେ କୃଷ୍ଣଙ୍କୁ ଦୋରେହା

କଲେ ମୃତ୍ୟୁ ବରିବାରେ ନ ହୁଅ ବାଇଆ ।

ବହୁ ତପେ ରାଜକୁଳେ ଜନମ ତୁମ୍ଭର

ଅଳ୍ପଦିନ ପରେ ରାଜ୍ୟେ ହେବ ଅଧୀଶ୍ଵର ।

ବୋଲନ୍ତି କଂସ ତନୟ ଆହେ ନରପତି

ପିତାଶତ୍ରୁ ନ ମାରି କରିବୁ ନର୍କଗତି ।

ଏ ସଂସାର କେତେଦିନ ପାଇଁ ଶତ୍ରୁପାଦେ

ଶିର ନୁଆଇଁ ଚଳିବୁ ଭାବିନାହିଁ ହୃଦେ ।

ବୃଥା ମରଣକୁ ଡରି ଶତ୍ରୁକୁ ପୂଜିବୁ

ପିତୃହନ୍ତା ପଦେ ପଡ଼ି ଅପଖ୍ୟାତି ନେବୁ ।

ଅଜା ଯାର ଜରାସନ୍ଧ ପିତା କଂସାସୁର

ଶିଶୁପାଳ ମାମୁଁ ସଙ୍ଗେ ଦନ୍ତବକ୍ର ବୀର ।

ଏମାନଙ୍କ ମୁଖେ କାଳିଦେବୁ କାହିଁପାଇଁ

କିମ୍ପାଇ ଡରିବୁ କୃଷ୍ଣେ ମରଣକୁ ଧ୍ୟାୟି ।

ଇନ୍ଦୁମତୀ ରାଣୀ ଶୁଣି ବହୁ ବୁଝାଇଲେ

ବାଳୁଙ୍ଗା କି ଧାନହେବ ଯେତେ ଚେଷ୍ଟାକଲେ ।

କୋଳେ ବସାଇ ନାତିକୁ ପାଟ ମହାଦେଈ

ବୋଲନ୍ତି ସ୍ନେହରେ ତାଙ୍କ ମୁଖେ ଚୁମ୍ବଦେଇ ।

କୃଷ୍ଣ ରାମ ତୁମ୍ଭ ଭାଇ ହୋଇବ ସହାୟ

ମଥୁରା କଟକେ ତୁମ୍ଭେ ହୋଇବରେ ରାୟ ।

କିମ୍ପାଇ ବିରୋଧ ଭାବ କରରେ ନନ୍ଦନ

ସତଧର୍ମ ପାଳନ୍ତି ସେ ଦେବକୀ ଜୀବନ ।

ତାଙ୍କ ସଙ୍ଗେ ଦ୍ରୋହକର୍ମ କେବେହେ ନକର

ନିଆଁ ସଙ୍ଗେ ଜଉ ପରି ଧର୍ମେ ପାପୀନର ।

ତୁଳାକୁଢ଼ ପରି ପାପ ଧନ ବଢ଼ିଥାଏ

କିଞ୍ଚିତ ଧର୍ମଟି ନିଆଁ ସବୁ ଜାଳିଦିଏ ।

ତୁମ ପିତା ପାପ କରି ଅକାରଣେ ମଲା

ଧର୍ମ ସୁମରି ଦେବକୀ ବନ୍ଦିପୁରେ ଥିଲା ।

ଧର୍ମକୁ ସହାୟ ନିତି ହୁଅନ୍ତି ଅନନ୍ତ

ପ୍ରତ୍ୟକ୍ଷ ଅନନ୍ତ କୃଷ୍ଣ ହେଲା ରୁପବନ୍ତ ।

ତୁମ୍ଭ ପୂର୍ବ ତପସ୍ୟାରେ କୃଷ୍ଣ ସହୋଦର

ସବୁବେଳେ ସଖା ହେବ ହେଲେ ରାଜେଶ୍ଵର ।

ବାଳକମତି ଚପଳ ଯେଣୁରେ ତୁମ୍ଭର

ନବୁଝ ଧର୍ମକୁ ବୁଝ ଅଧର୍ମଟି ସାର ।

ଧର୍ମବନ୍ତ ପ୍ରାଣୀ ସଦା ସର୍ବଦା ନିଊନ

ଅନନ୍ତରେ ଶ୍ରୀହରି ତାର ଫେଡ଼ନ୍ତି ଦୁର୍ଦ୍ଦିନ ।

ତୁମ୍ଭେ ବାବୁ ଏହିପରି କର ଅଭିମାନ

ରାମକୃଷ୍ଣ ପରି ଭାଇ ମଣୁଅଛି ମାନ ।

ନ କରି ଦୋରହା ବାପ ତୁମ୍ଭେ ଯୁବରାଜ

ମଥୁରା କଟକେ ତୁମ୍ଭେ ଭୋଗିବ ଐଶ୍ଚର୍ଯ୍ୟ ।

ହଂସକ ଡିମ୍ବକ ଶୁଣି କହନ୍ତି ବଚନ

ଜନ୍ମହେଲେ ପ୍ରାଣୀ ହୁଏ ମୃତ୍ୟୁର ଅଧୀନ ।

ମର୍ତ୍ତ୍ୟପୁରେ କେହି ରହି ନୋହିବେ ଅମର

କେବଳ ଯୁଗକୁ ଯଶ ରହିବଟି ଚିର ।

ପିତା ବୈରୀ ମାତା ବୈରୀ ବଇରୀ ଦାରାର

ଏମାନଙ୍କ ସଙ୍ଗେ ମିତ୍ର ଅଟେ ଅସୁନ୍ଦର ।

କଳେବଳେ କଉଶଳେ ଶତ୍ରୁ କଲେ ନାଶ

ଜୀବନ୍ତ ଯଶ କରିଲେ ସ୍ୱର୍ଗେ ହୁଏବାସ ।

ଶୁଣି ରାଣୀ ଇନ୍ଦୁମତୀ ମୁଣ୍ଡେ ହାତମାରି

ନିଶ୍ଚେ କୃଷ୍ଣ ଯୋଗେ ମୃତ୍ୟୁ ହୋଇବ ଏହାରି ।

ହଂସକ ଡିମ୍ବକ କହିଗଲେ ମାତାପୁରେ

ହେତି ପ୍ରହେତି ବୁଝାନ୍ତି ବସାଇ କୁମରେ ।

ବାପରେ ରଙ୍କୁଣୀଧନ ମାନ ମୋ ବଚନ

କୃଷ୍ଣ ସଙ୍ଗେ ଭ୍ରାତୃ ଭାବ କରେ ସ୍ଥାପନ ।

ପିତାଙ୍କୁ ତୋର ବୁଝାଇ ହେଲୁ ଅପଦସ୍ତ

ଶେଷେ ମଲେ ଲିଭିଗଲା ମଥାରୁ ସୀମନ୍ତ ।

ତୁମ୍ଭେ ପୁତ୍ର ହୋଇ ନ ମାନିଲେ ମାତାଗୀର

କାହା ଘେନି ଆଉ ପ୍ରାଣ ରହିବ ଆମ୍ଭର ।

ହଂସକ ଡିମ୍ବକ ପୁତ୍ର କହନ୍ତି ବୁଝାଇ

ବୀର ପ୍ରସବିନୀ ବୀର ରମଣୀ ତ ତୁହି ।

ଯେଉଁ କୃଷ୍ଣ ଲିଭାଇଛି ମଥାର ସିନ୍ଦୂର

ତୋତେ ଦେଖି କେଉଁ ପୁତ୍ର ଧରିବ ଶରୀର ।

ଜରାସନ୍ଧ ପରି ଅଜା ମାମୁଁ ଶିଶୁପାଳ

କଂସାସୁର ପୁଣି ବୀରଧୂ ପୁତ୍ର ବତ୍ସଳ ।

ଏତେ ଲକ୍ଷଣରେ ଜନ୍ମ ହେବା ଅକାରଣ

ରାଜଶିରୀ ଲୋଭେ ହେଲେ ଶତ୍ରୁର ଚରଣ ।

ଶୁଣି ମାତାମାନେ ପୁଣି ହୋଇଲେ ମଉନ

ରାମ କୃଷ୍ଣଙ୍କୁ ଡକାଇ ରାଣୀଙ୍କ ବନ୍ଧନ ।

ଦେବକୀ ଦେବଙ୍କ ମାତା ସତୀ ଶିରୋମଣି

କୋଳେ ନାତିଧରି କହନ୍ତି ବିନୟ ବାଣୀ ।

ଆରେ କାଳିଆ ଗଞ୍ଜନ ଜଗତ ଚିନ୍ତାମଣି

ତୋର ପାଖେ କରୁଅଛି ଗୋଟିଏ ମାଗୁଣି ।

ହଂସକ ଡିମ୍ବକ ତୋର ମାମୁଁ ପୁଅ ଭାଇ

ମୂର୍ଖ ଭାବେ ନାନାକଥା କହୁଛନ୍ତି ସେହି ।

ତାଙ୍କ ଦୋଷ ଖଣ୍ଡିବୁରେ ବସୁଦେବ ସୁତ

ପିତାର ବଧ ଦେଖିଣ ହୁଅନ୍ତି ଏମନ୍ତ ।

ତାଙ୍କ କଥାରେ ତୁ ଅଭିମାନ ନ କରିଣ

କେଭେ ଅସ୍ତ୍ର ନ ଧରିବୁ କରୁଛି ବାରଣ ।

ଶୁଣି ରାମ କୃଷ୍ଣ ମୁଖେ ହେଲେ ହସ ହସ

ମୁଁ ତ ଦୋଷୀ ମୋତେ କହୁଛନ୍ତି ସଦାଭାଷ ।

ନିରୀହ ରଷି ବ୍ରାହ୍ମଣ ମଥୁରା ପରଜା

କେଉଁ ଦୋଷ କଲେ ନିତି ପାଆନ୍ତି ଗୋସଜା ।

ସୁନ୍ଦରୀ ନାରୀ ଗୋଟିଏ ପ୍ରାଣ ଭୟେ ରହେ

ପରଧନ ପରପୀଡା ପାପ ବଢ଼ିଯାଏ ।

ଯେଉଁ ଦୋଷ ମୋର ପ୍ରାଣୀ ଦଇବ ଚକ୍ରର

ସେ କଥାକୁ ନାତିମାନେ କରନ୍ତି ଜବର ।

କଂସ ମାମୁଁ କଲା କର୍ମେ ପଡ଼ିଲେକ ଗଡ଼ି

ମୋତେ ଦୋଷ ଦେଉଥାନ୍ତି ସିନା ଆଗେପଡ଼ି ।

ନିଜ କଲା କର୍ମମାନ ଫଳିବ ନିୟତ

ମୁଁ କିସ କରିବି ସତ ଧର୍ମକୁ କହତ ।

ଏତେକହି ରାମ କୃଷ୍ଣ ହୋଇଲେ ମଉନ

ମହାରାଣୀ ଇନ୍ଦୁମତୀ ଗଣିଲେ ଦୁର୍ଦ୍ଦିନ ।

ପୁତ୍ରପରି ନାତିମାନେ ନ ଶୁଣନ୍ତି କଥା

ଅସୁର ଭାବେ କରନ୍ତି ହୋଇ ଉନମତ୍ତା ।

ଏଥୁଅନ୍ତେ ଶୁଣ ହେ ରାଜା ପରୀକ୍ଷିତ

ଅପୂର୍ବ ଅଟଇ ଏହି କୃଷ୍ଣ ରସାମୃତ ।

ବୈଶାଖ ଶୁକ୍ଳତୃତୀୟା ତିଥି ଗୁରୁବାର

ରୋହିଣୀ ନାମେ ନକ୍ଷତ୍ର ଅଟେ ସେ ଦିନର ।

ଯୁଗାଦି ତିଥିରେ ଅକ୍ଷୟ ତୃତୀୟା ନାମ

ରୁଚିର ଚନ୍ଦନ ଯାତ୍ରା ହୁଏ ସର୍ବଧାମ ।

ଉତ୍କଳରେ ଦଶମୀରୁ କରନ୍ତି ଉତ୍ସବ

ପଞ୍ଚମୀକୁ ପାଞ୍ଚଦିନେ ତାହା ଶେଷହେବ ।

ସହଜେ ଚନ୍ଦନ ଯାତ୍ରା ଦଶମୀ ସେ ଦିନ

ଯାତ୍ରାକୁ ପାଳନ କରିବାକୁ ଉଗ୍ରସେନ ।

ଜଳରେ ଚନ୍ଦନ ଯାତ୍ରା ଅପୂର୍ବ ଉତ୍ସବ

ଯମୁନା ଭିତରେ ନେଇ ପକାଇଲେ ନାବ ।

ନାବେ କରାଇଣ ମେଢ଼ ମଣ୍ଡପାଦି ଗୃହ

ଜଗତୀ ଅଟ୍ଟାଳିମାନ ଦିଶେ କମନୀୟ ।

ଜଳ ଭିତରେ କରାନ୍ତି ସମସ୍ତ ବିଧାନ

ଚାରିପାଖେ ସିଂହଦ୍ଵାର ଦିଶଇ ଯତନ ।

ଯମୁନା ନଦୀ ଗର୍ଭରେ ନୌକା ଭେଳାକରି

କରନ୍ତି ବିବିଧମତେ ମଣ୍ଡପ ପାଚେରୀ ।

ଦୁଇ ଯୋଜନ ଦୀର୍ଘ ସେ ପ୍ରତି ତାର ଅର୍ଦ୍ଧ

ଏବେ ଆୟତନ ପରା କରନ୍ତି ପ୍ରସିଦ୍ଧ ।

ଯମୁନା ନଦୀର ପ୍ରତି ତହିଁ ଅକଳିତ

କଳନା କରିଲେ ସପ୍ତ ଯୋଜନା ବହୁତ ।

ଗଭୀର ତାହାର କେହି କଳିପାରେ ନାହିଁ

ସମୁଦ୍ରର କଳା ଜଳ ଯମୁନା ବୋଲାଇ ।

ନଦୀ ବେନି କୂଳେ ବନ ପରବତ ମାଳ

ନଗରକୁ ଡେରାବାଡ କଲେ ପ୍ରଜାକୁଳ ।

ହାଟପାଟଣା ବଜାର ବସିଲା କୂଳରେ

ଚାପେ ଉଡ଼ାଇଲେ ରଙ୍ଗ ଚିରାଳ ବିଧିରେ ।

ଇନ୍ଦ୍ରଗୋବିନ୍ଦ ଚାନ୍ଦୁଆ ଟଙ୍ଗାଇଲେ ନେଇ

ନାନାଫୁଲେ ମଣ୍ଡାଇଲେ ଚାପରେକ ନେଇ ।

ପଲ୍ଲବ ତୋରଣ ଚିତ୍ରରେଖା ମାନ ଦେଇ

ନବର ଆବୋରି ଥୋକେ ଦିଅନ୍ତି ସଜାଇ ।

ମଣ୍ଡପ ଚୂଳରେ ସ୍ୱର୍ଣ୍ଣ କଳସ ବସାଇ

ନାନା ରଙ୍ଗେ ବିତପନ ଉଡ଼ାଇଲେ ତହିଁ ।

ତାପରେ ଚଉକିମାନ ଦେଲେକ ବସାଇ

ନାନାବର୍ଣ୍ଣ ଆସନ ଯେ ବସାଇଲେ ତହିଁ ।

ସୋଲ ଭେଳାମାନ ନାବ ପାଶେ ରଖାଇଣ

ରଙ୍ଗ ଚିରାଳମାନଙ୍କୁ ଦେଲେ ବସାଇଣ ।

ଝିଙ୍କର ଛାଏଣି କୋଠ କରି ନାବ ପରେ

ଖଞ୍ଜିଲେ ବିବିଧ ହୀରା ନୀଳା ପ୍ରବାଳରେ ।

ଅଷ୍ଟରତ୍ନ ମଣ୍ଡଣିରେ ନିନ୍ଦେ ସୂର୍ଯ୍ୟପ୍ରଭା

ନାଟ ମଣ୍ଡପ ନୌକାରେ କରି ମନଲୋଭା ।

ରାଜ ପରିବାରୁ ଯିବା ଆସିବାକୁ ପଥ

ଦୁଇପାଖେ ମାର୍ଗମାନ କରିବେ ପ୍ରସ୍ତୁତ ।

ଯାତ୍ରାକୁ ବିଜୟ କଲେ ରାଜା ଉଗ୍ରସେନ

ତାଙ୍କ ସଙ୍ଗରେ ଅଛନ୍ତି ଦେବକୀ ନନ୍ଦନ ।

ରାମକୃଷ୍ଣ ତୁଲେଛନ୍ତି ଆଉ ଷଡ଼ଭାଇ

ଦିଗପାଳ ପରି ରୂପମାନ ବିରାଜଇ ।

ହଂସ ଡିମ୍ବ କଂସ ରାଜା ତନୟ ସଙ୍ଗରେ

ସଙ୍ଗେ ସୁରଥକୁ ଘେନି ବିଜେ ନୃପବରେ ।

ଅଷ୍ଟମଲ୍ଲ ପୁତ୍ରମାନେ ଛନ୍ତି ହୋଇ ତ୍ୱରା

ଇଚ୍ଛନ୍ତି କୃଷ୍ଣ ମାରିବେ ନ ପଡ଼ିଣ ଧରା ।

ସାତ୍ୟକି ସହସ୍ରାଜିତ ଉଦ୍ଧବ ଅକ୍ରୂର

ଏମାନଙ୍କ ସଙ୍ଗେ ସାତବଂଶ ଯଦୁବୀର ।

ବସୁଦେବ କୃତବର୍ମା ଆଦି ବହୁବୀର

ଯାଇଛନ୍ତି ମଣ୍ଡିହୋଇ ଚନ୍ଦନ ଶରୀର ।

ଯମୁନା କୂଳରେ ଯାଇ ସର୍ବେ ହେଲେ ରୁଣ୍ଡ

ବାଜଇ ବିବିଧ ବାଦ୍ୟ କମ୍ପଇ ବ୍ରହ୍ମାଣ୍ଡ ।

ଢୋଲି ମୃଦଙ୍ଗ ଢୋଲକ ସଙ୍ଗେ ତୁରୀଭେରୀ

ବାଦ୍ୟ ସଙ୍ଗେ ନାଚୁଛନ୍ତି କେହୁ ନୃତ୍ୟକାରୀ ।

କୁଟୁମ୍ବଙ୍କୁ ବେନିପାଶେ ରଖି ଉଗ୍ରସେନ

ରାଜ ପରିବାରଙ୍କୁ ସେ କରଇ ଯତନ ।

ଶ୍ରୀକୃଷ୍ଣ ଓ ବଳରାମ କରାଇ ସୁବେଶ

ଚନ୍ଦନ ବୋଳି ଶ୍ରୀଅଙ୍ଗେ କରାଇଲେ ବେଶ ।

ନାତିମାନଙ୍କୁ ଶ୍ରଦ୍ଧାରେ ବୋଳିଲେ ଚନ୍ଦନ

ହରିବୋଲ ହୁଳହୁଳି କରିଇ ଗର୍ଜ୍ଜନ ।

ସମୁଦ୍ର ଲହଡ଼ି କିବା ଉଛୁଳି ପଡ଼ଇ

ଯମୁନା ଗର୍ଜ୍ଜନ ସଙ୍ଗେ ଶବଦ ଶୁଭଇ ।

ଚନ୍ଦନର ପିଚକାରି ଧରିଣ ଶ୍ରୀକୃଷ୍ଣ

ସର୍ବ ଭାଇଙ୍କୁ ମାରିଣ ହୋଇଣ ସନ୍ତୁଷ୍ଟ ।

ମରାମରି ହୁଅନ୍ତି ସେ ହସ କଉତୁକେ

ରାଣୀମାନେ ଦେଖି ଚାହିଁ ଅଛନ୍ତି ପୁଲକେ ।

ହାଟ ବଜାରରୁ କେହି କିଣି ଉପହାର

ପିଲାମାନଙ୍କୁ ଦିଅନ୍ତି କରିଣ ଆଦର ।

ଆଠ ବରଷର ଶିଶୁ ପରାଏ ମୁରାରୀ

ଭାଇମାନଙ୍କ ସଙ୍ଗତେ ନାଚନ୍ତି ଉଭାରି ।

ଇନ୍ଦୁରେଖା ଦେବକୀ ଓ କଂସ ନାରୀମାନେ

ଆନନ୍ଦେ କ୍ରୀଡ଼ନ୍ତି ଚାପେ ଚନ୍ଦନ ଅର୍ଜନେ ।

କେବା ଚନ୍ଦନ ବୋଳଇ ନେଇ କାର ଅଙ୍ଗେ

ନାରୀମାନେ କ୍ରୀଡ଼ୁଛନ୍ତି ଅନ୍ତରାଳେ ରଙ୍ଗେ ।

କାତ କେରୁଆଳ ଧରି ଚଳାନ୍ତି ଯତନେ

ପ୍ରଜାମାନଙ୍କର ଚାପବଳେ ସ୍ଥାନେ ସ୍ଥାନେ ।

ନୃତ୍ୟ କରୁଥାନ୍ତି ରାଜି ଚାପରେ ମାହାରୀ

ଫୁଲମାଳ ରାମକୃଷ୍ଣ ଗଳେ ଦ୍ୟନ୍ତି ଭରି ।

ନଟବର କୃଷ୍ଣ ନେଇ ରଙ୍ଗେ ଫୁଲହାର

ଦିଅନ୍ତି ମାହାରୀ ଗଳେ ତା ନୃତ୍ୟ ବେଳର ।

ସମସ୍ତେ ଉତ୍ସବେ ମାତି କରନ୍ତି ପ୍ରମୋଦ

ଉଛୁଳଇ ଯମୁନାର ଗରଜନ ଶବ୍ଦ ।

ମେଘ ଆଡ଼ମ୍ବର ଛତ୍ର ଦିଶେ କି ମଞ୍ଜୁଳ

ଉଦଣ୍ଡ ଆଲଟ ନେତ ରତନ ଚିରାଳ ।

ଆଲଟ ଚାମର ପୁଷ୍ପ ଦରପଣ ପନ୍ତି

ସୁଗନ୍ଧ ଚନ୍ଦନ ଧୂପ ସଜାଇ ରଖନ୍ତି ।

ଚନ୍ଦନ ବିଧାତା ଚାପ ଅଛଇ ମଣ୍ଡନ

ରାମକୃଷ୍ଣ ହସ୍ତ ଧରି ରାଜା ଉଗ୍ରସେନ ।

ଖୁଣ୍ଟିଆ ଡାକ ଦିଅଇ ମଣିମା ମଣିମା

ଚାମର ଢାଳନ୍ତି ନୃତ୍ୟକାର ହୋଇ ଜମା ।

ନାବ ମଙ୍ଗେ ରାମକୃଷ୍ଣ ହୋଇଛନ୍ତି ଠିଆ

ରାଜା ପଛପଟେ ଆଉ ନାତିମାନେ ଯାହା ।

ପାତ୍ର ମନ୍ତ୍ରୀ ଅମନାତ୍ୟ ବିଶ୍ୱାସୀ ଯେ ଲୋକ

ସେଠାରେ ଲାଗି ଅଛନ୍ତି ସମସ୍ତ ସେବକ ।

ନାଚନ୍ତି ବିବିଧ ରଙ୍ଗେ ନୃତ୍ୟଙ୍ଗିନୀ ଗଣ

ଫୁଲ ଚନ୍ଦନରେ ହୋଇ ନାନା ଆଭରଣ ।

ଛାମୁରେ କରନ୍ତି ବିପ୍ରେ ସାମବେଦ ଧ୍ୱନି

ଜ୍ୟୋତିଷେ ଲଗ୍ନ କହନ୍ତି କାଖେ ପାଞ୍ଜିଘେନି ।

ସିଂହାସନେ ବସିଲେକ ରାଜା ଉଗଅସେନ

ରାମକୃଷ୍ଣଙ୍କୁ କୋଳରେ ବସାଇ ରାଜନ ।

ପବନ ପରାଏ ନାବ ଚଳାନ୍ତି ନାବିକ

ଓଝାଳନ୍ତି କାତ ବାନ୍ଧି ନାଉରୀ ଅନେକ ।

ନାବେ କ୍ରୀଡ଼ା କରୁଛନ୍ତି ରାମ ଚକ୍ରଧର

ନାବେ ନାବ ଧରି ଡେଇଁଥାନ୍ତି କୌତୁକର ।

ପ୍ରଜାମାନଙ୍କର ଚାପ ହୋଇଅଛି ମେଳ

ଡେଇଁ ଡେଇଁ କୃଷ୍ଣ ହୋଇଯାନ୍ତି ତହିଁ ଠୁଳ ।

ପୁରନାରୀ ମାନେ ଦ୍ୟନ୍ତି ଫୁଲ ଓ ଚନ୍ଦନ

ପୁଣି ଅନ୍ୟମାନେ ଯାନ୍ତି ନର ନାରାୟଣ ।

କେଉଁ ଚାପରେ ନାଚନ୍ତି ନର୍ତ୍ତକୀ କଳାପ

ସୁର ଛନ୍ଦେ ଗାଉଛନ୍ତି ବସନ୍ତ ବିଳାପ ।

ରାଜା ଚାପ ରାଣୀ ଚାପ ପ୍ରଜାମାନଙ୍କର

ଯମୁନା ଗରଭେ ଦିଶେ ଅତି ମନୋହର ।

ଶୁଷ୍କ କାଠେ ଛଣପଟ କାଠି ସୋଲଭେଳା

ବିବିଧ ରଙ୍ଗେ ରଞ୍ଜିତ ହୋଇଛି ଶାଙ୍ଖେଳା ।

ସହଜେ ଗ୍ରୀଷମ କାଳ ଉଠେ ଦେହ ଦାହ

ଜଳମଧ୍ୟେ ବହୁଥାଏ ଥଣ୍ଡାବାୟୁ ବହ ।

କୌତୁକରେ ଏକୁ ଏକ କ୍ରୀଡ଼ନ୍ତି ନାବରେ

ଦଶ ପଚିଶ ଚଳାନ୍ତି ଚାପ କେଉଁଠାରେ ।

ନାନା ବାଦ୍ୟ ବଜାଇଣ ଉଲ୍ଲସିତ ମନ

କରନ୍ତି ଗୋକୁଳ ପତି ସ୍ୱରୁପ କୀର୍ତ୍ତନ ।

କାହିଁ ମର୍ଦ୍ଦଳ କଂସାଳ ଛନ୍ଦେ ରଙ୍ଗ ଗୀତ

ନଟୀମାନେ ସ୍ଥାନେ ସ୍ଥାନେ କରୁଛନ୍ତି ନୃତ୍ୟ ।

ରାଜା ନାବେ ବସିଛନ୍ତି କୃଷ୍ଣ କାମପାଳ

ଦେବକୀର ଷଡ଼ପୁତ୍ର ସୁନାସୀ ଦୁଲାଳ ।

ତାରପାଖେ ଆଉ ଏକ ନାବେ ସଜକରି

ଅଷ୍ଟମଲ୍ଲ ପୁତ୍ର ଛନ୍ତି ବାରଜଣ ଭରି ।

ହଂସ ଡିମ୍ବ କଂସ ପୁତ୍ର ଛନ୍ତି ତାଙ୍କ ତୁଲେ

ଉଗ୍ରସେନ କୃଷ୍ଣ ସ୍ନେହ ଦେଖି ମୋହଗଲେ ।

ଅଭିମାନେ ବୋଲୁଛନ୍ତି ଦୁର୍ଜନ ଏ ରାଜା

ପୁତ୍ରହନ୍ତାକୁ ଆଦରି କରୁଅଛି ପୂଜା ।

କେଉଁ ଉପାୟରେ ୟାଙ୍କୁ କରିବା ନିଧନ

ସମ୍ମୁଖଯୁଦ୍ଧରେ ମାରିବାକୁ କେ ଭାଜନ ।

ଉଦ୍ଧବ ଅକ୍ରୂର ଆଦି ସକଳ ଯାଦବେ

ଭିନ୍ନ ଭିନ୍ନ ହୋଇ ରହିଛନ୍ତି ଠାବେ ଠାବେ ।

ନାନାବାଦ୍ୟେ ଉଛୁଳଇ ମଥୁରା ଭୁବନ

ପ୍ରଶଂସା କରନ୍ତି ଆକାଶରେ ମଘବାନ ।

ଦଶମୀ ଯାତ୍ରା ବଢ଼ାଇ ଗଲେ ଯେଝାବାସ

ସୂର୍ଯ୍ୟଅସ୍ତ ଦେଖି ନାବ ରଖାଇ ନରେଶ ।

ଚଳନ୍ତି ନିଜ ବାସକୁ ହରଷିତ ହୋଇ

ଚାପପାଶେ ଯତନରେ ପ୍ରହରୀ ଜଗାଇ ।

ସର୍ବ ସଖା ସଙ୍ଗେ କୃଷ୍ଣ ମଥୁରା ଦାଣ୍ଡରେ

ନାଚି ନାଚି ଯାଉଛନ୍ତି ସଖାଙ୍କ ସଙ୍ଗରେ ।

ଗୃହେ ରହି ନାରୀମାନେ କହନ୍ତି ସଙ୍ଗାତ

ଗୋପ ଗୋଷ୍ଠ ବାହୁଡ଼ା ପରାୟେ ନନ୍ଦସୁତ ।

ନାଚି ନାଚି ଆସନ୍ତି ଗୋ ମଥୁରା ଦାଣ୍ଡରେ

ଷଡ଼ ଭାଇମାନେ ଦେଖ ଅଛନ୍ତି ସଙ୍ଗରେ ।

ସମସ୍ତେ ତ କୃଷ୍ଣପରି ଦିଶେ ମୁଖ ତେଜ

ଏକା ସଙ୍ଗେ ସାତ କୃଷ୍ଣ ସଙ୍ଗେ ଦେବରାଜ ।

ଚନ୍ଦନ ପିଚକାରୀ ଗୋ ଧରିଛନ୍ତି କରେ

ନାଚନ୍ତି ମଥୁରାଦାଣ୍ଡ ପୁରେ ଆନନ୍ଦରେ ।

କେତେ ତପେ ଏତେପୁଣ୍ୟ ହେଲାଗୋ ଆମ୍ଭର

ଚକ୍ଷୁ ସାର୍ଥକ ହୋଇଲା ଦେଖି ଚକ୍ରଧର ।

ପୁରେ ପ୍ରବେଶ ହୋଇଣ ରାମ ବନମାଳୀ

ଷଡ଼ଗୋଟି ଭାଇ ଚାଲୁଛନ୍ତି ଢଳି ଢଳି ।

ଦେବକୀ ଦେବୀର ପୁରି ଉଠଇ ନୟନ

ଭୁଲିଗଲେଣି ସେ ବନ୍ଦୀ ଶାଙ୍ଖୋଳିର ଚିହ୍ନ ।

ଦୁଃଖ ପରେ ସୁଖ ଆସେ ନାନା ରୂପ ଧରି

ଖୁଆଇଲେ ଷଡ଼ ପୁତ୍ରେ ଜଣ ଜଣ କରି ।

ସବା ସାନ କୃଷ୍ଣଚନ୍ଦ୍ର ବଡ଼ ଅଝଟିଆ

ଛଡ଼ାଇ ନିଅନ୍ତି ହାତୁ ଯେସନେ ବାଇଆ ।

ଖୋଇ ଦେଉଁ ଦେଉଁ କାନ୍ଦୁଥାନ୍ତି ମନବାରି

ଦେବକୀ କୋଳେ ଧରିଣ ବୁଝାନ୍ତି ଶ୍ରୀହରି ।

କ୍ରମେ ବିଭାବରୀ ଯହୁଁ ହେଲା ଉପଗତ

ଅଭିମାନେ କଂସ ପୁତ୍ର ହୋଇଣ ମୋହିତ ।

ଗଲେ ଅଷ୍ଟମଲ୍ଲ ପୁତ୍ରମାନଙ୍କ ପାଶକୁ

ପ୍ରବେଶିଲେ ସର୍ବେ ଏକ ସଙ୍କେତ ସ୍ଥାନକୁ ।

ଏକାସନେ ବସି ସର୍ବେ କରନ୍ତି ବିଚାର

ମିଳିଛନ୍ତି ଏକାସନେ ଚଉଦଟି ବୀର ।

କେଶୀର ଦୁଇଟି ପୁତ୍ର ଅଛନ୍ତି ଉବୁରି

ଉଢ଼ଙ୍ଗ ଓ ଅଂଶମାଳୀ ନାମଛନ୍ତି ଧରି ।

ଶକଟା ନନ୍ଦନ ଅଟେ ବୀର ବେଲାବଳୀ

ଅସୁର ସ୍ଵଭାବ ପୁଣି ପିତାପରି ବଳୀ ।

କାଞ୍ଚନ କୁମୁଦ କାଳନାଗ ସଉମିତ୍ର

ବଳବନ୍ତ ଚାରିଜଣ ଷଣ୍ଢାସୁର ପୁତ୍ର ।

ଦାବାନଳ ପ୍ରତାପଏ ପୁତନାର ପୁଅ

ମୁଷ୍ଟିକର ପୁତ୍ର ବେନି ଜୟ ଯେ ବିଜୟ ।

ଚାଣୁର ପୁତ୍ର ଦୁର୍ଗମ ଜଗଜେଠୀ ବେନି

ମହାସୁର ନାମେ ପୁତ୍ର ମୁଷ୍ଟିକର ପୁଣି ।

ସମସ୍ତେ ବସିଲେ ତହିଁ ଏକାସନେ ଯାଇଁ

ଗୋ ବ୍ରାହ୍ମଣ ହିଂସା ବୃତ୍ତି ସର୍ବଦା ଅଟଇ ।

ଅସୁର ବୁଦ୍ଧିରୁ ଦେହେ ନାହିଁ କାର ଜ୍ଞାନ

ସର୍ବଦା ଘେନନ୍ତି ପ୍ରାଣୀମାନଙ୍କ ଜୀବନ ।

ଉଠିକହେ କେଶୀ ପୁତ୍ର ହେ ରାଜନନ୍ଦନ

ଆଜି ଯାହା କଲା ସେହି ବୃଦ୍ଧ ଉଗ୍ରସେନ ।

ରାଜା ଭୋଳେ ଅନ୍ଧ ହୋଇ କରିଲା ଅଜ୍ଞାନ

କୃଷ୍ଣ ବଳପାଇ ନ ଦେଖଇ ବଡ଼ ସାନ ।

ଛୋଟଲୋକ ଯଦି ପାଏ ଉଚ୍ଚ ଅଧିକାର

ଚନ୍ଦ୍ରସୂର୍ଯ୍ୟ ନ ଦିଶଇ ଦିବସ ରାତ୍ରିର ।

ଜାଣୁ ଜାଣୁ ଶତ୍ରୁପଦେ ଅରପିଲା ଚିତ୍ତ

ଗର୍ବେ ଅନ୍ଧହୋଇ ପୁଣି କରେ ବିପରୀତ ।

ବୀର ପରେ ବୀର କଂସ ରାଜାର ତନୟ

ଯାର ବାହୁକୁ ଦେବତା କରିଥାନ୍ତି ଭୟ ।

ତାର ପୁତ୍ର ସେହିପରି ବଳବନ୍ତ ବୀର

ଯାର ନାମେ ସ୍ଵର୍ଗ କମ୍ପୁଅଛି ପୁରନ୍ଦର ।

ତାଙ୍କୁ କାଳେ ସ୍ଥାନ ନାହିଁ ବସିଲା ଗଉଡ଼

ରାଜପଦ ବାଟଛାଡ଼ି ବଣେ ଚାଳେ ଗୋଡ଼ ।

ରାଣୀ ତେଜି ପରିଚାରୀ ସଙ୍ଗେ କଲାପ୍ରୀତି

ନିଜ ନାତି ଥାଇ କୋଳେ ବସିଲା ଅଜାତି ।

ଗଉଡ଼ ବାଉଡ଼ ପୁଣି ହାଉଡ଼ ଯେ ଜାତି

ତାହା ସଙ୍ଗେ ଉଗ୍ରସେନ କରିଲା ପୀରତି ।

ନାନା ପରପଞ୍ଚ ରୂପେ ବଢ଼ି ବାଳକାଳେ

ରାତ୍ର ଦିବସ ବୁଲିଲା ଗଉଡ଼ଙ୍କ ମେଳେ ।

ଭୋଜନ ମୈଥୁନ ନିଦ୍ରା ଗୋପୀ ସଙ୍ଗେ କରି

ମାଉସୀ ପିଉସୀ ଖୁଡ଼ି ମାଈଁ ଭଗ୍ନୀ ହରି ।

ଗୁରୁ ଗଉରବ ଛାଡ଼ି ତ୍ୟାଗକଲା ଲଜ୍ୟା

ମାତା ଭଗିନୀ ସହିତେ କଲା ଏକ ଶଯ୍ୟା ।

ତଟପ୍ରାୟ କରିଥିଲା ନାନାରଙ୍ଗେ ନାଟ

ଘାଟିଆ ହୋଇଣ ପୁଣି ମାଗୁଥିଲା ଘାଟ ।

ବାଳକାଳେ ପୁତନାକୁ ମାଇଳା ପ୍ରତ୍ୟକ୍ଷ

ନାରୀହତ୍ୟା ଦୋଷ କରି ବସେ ରାଜା ପାଖ ।

ବିଶେଷରେ ରାଜଦ୍ରୋହୀ କଲା ପାପକର୍ମ

କଂସକୁ ମାରିବା ଦିନୁ ଛାଡ଼ି ଅଛି ଧର୍ମ ।

ମିଛ ମାୟା ନଟକୁଟ ଜୀବିକା ତାହାର

ଛୁଇଁଲେ ଦୋଷ ବସଇ ରାଜାଙ୍କ ଅଙ୍ଗର ।

ମଣି ସଙ୍ଗେ ସରିସା ସେ କରଇ ପଥର

ଗୁଣୀ ସଙ୍ଗେ ଗଣକକୁ କରେ ଏକାକାର ।

ସୁବର୍ଣ୍ଣ ସଙ୍ଗେ କରଇ ପିତ୍ତଳକୁ ତୁଲ

ହଂସ ସଙ୍ଗେ ବଗଟାକୁ କରଇ ସେ ମୂଲ ।

କୋଇଲିକୁ ଛାଡ଼ି ଶୁଣିଲାଣି ପେଚା ସ୍ୱର

ଅଜାତିକି ପୂଜା କରି ଜାତି କଲା ଦୂର ।

ଶୁଆ ଛାଡି କରୁଅଛି କୁଆକୁଆ ଦର

ରାଜବଂଶ ଛାଡ଼ି କଲା ଗରୁଡ଼ କୁମର ।

କଂସପରି ପୁତ୍ର ମାରିଛି ଯେ ପୁତ୍ରହନ୍ତା

ତାହା ମୁଣ୍ଡରେ ଚନ୍ଦନ ବୋଳାଇ ସର୍ବଦା ।

ବାତୁଳ ପରାଏ କାର୍ଯ୍ୟ କଲା ଉଗ୍ରସେନ

ତାକୁ ମାରି ରାଜ୍ୟ ନେବା ଅଟଇ ବିଧାନ ।

ଶକଟା ନନ୍ଦନ ଉଠି କହେ ବେଲାବଳୀ

ଆଗେ ମାରିବା ଗଉଡ଼ ହୁଏ ମହାବଳୀ ।

ମୋ ଭାଗକୁ ଦିଅ କୃଷ୍ଣ ମାରିବଇ ମୁହିଁ

କେତେ ମାୟା ଜାଣେ ତାର ଦେବି ମୁଁ ଛଡ଼ାଇ ।

ପିତାଙ୍କଠାରୁ ଶିଖିଛି ମୁହିଁ ମାୟା ଯୁଦ୍ଧ

ମାୟାବଳେ କରିବି ମୁଁ ଶ୍ରୀକୃଷ୍ଣକୁ ବଧ ।

ସେ ଯଦି ଜଳରେ ମୀନ ହୋଇଣ ଲୁଚିବ

ପାଣିକୁଆ ହୋଇ ମାରିବଇଁ ଏହାଧ୍ରୁବ ।

ଯଦି ସ୍ଥଳେ ବ୍ୟାଘ୍ର ରୂପେ କରିବ ଗର୍ଜନ

ସିଂହ ରୂପେ ମାଡିବସି ହରିବି ଜୀବନ ।

ଯଦି ଗାତେ ମୂଷା ହୋଇ ପଶିବ ଗଉଡ଼

ନକୁଳ ହୋଇ ଖାଇବି ତାର ହାଡଗୋଡ଼ ।

ସର୍ପ ହେଲେ ହୋଇବି ମୁଁ ବିନତା ନନ୍ଦନ

ମଗର ହେଲେ କୁମ୍ଭୀର ହୋଇବି ମୁଁ ଜାଣ ।

ପକ୍ଷୀ ହୋଇ ଉଡ଼ିଲେ ମୁଁ ଛଞ୍ଚାଣ ପରାଏ

ଗୋଡ଼ାଇ ଧରି ମାରିବି ଦେଖିବ ସଭିଏଁ ।

ଇନ୍ଦ୍ରସମ ବରୁଣ ଓ ନୈରତ ଦେବତା

ଜାଣନ୍ତି ସମସ୍ତେ ଭୟ ନ କହିବେ କଥା ।

କେତେ ଅଛି ବଳତାର ମୁହିଁ ବୁଝିନେବି

ପିତା ବୈରୀ ମାରି ଯଶ ଉଡ଼ାଇଣ ଥିବି ।

ଯେଉଁ ପୁତ୍ର ନ ଶୁଝଇ ପିତୃଋଣ ଏହି

ତା ସମାନ ହୀନବୀର୍ଯ୍ୟ ବଞ୍ଚି ନ ଯୋଗାଇ ।

ଯେ ଆମ୍ଭ ପିତାଙ୍କୁ ମାରି ଅଛନ୍ତି ନିଃଶଙ୍କେ

ତାହାକୁ ମାରିଲେ ଦୋଷ ନ ଲାଗିବ ଅଙ୍ଗେ ।

ଆମ୍ଭେ ତାଙ୍କୁ ନ ମାରିଲେ ପଡ଼ିବା ନରକେ

କି ହେବ ସାମର୍ଥ୍ୟ ପାଇଁ ବଞ୍ଚିଥିଲେ ଥୋକେ ।

ମରିବା ମାରିବା ନୀତି ଅଟଇ ବୀରର

ପଛଘୁଞ୍ଚା କାପୁରୁଷ ପରି ଏ ସଂସାର ।

କଞ୍ଚଣ କହଇ ଉଠି ଷଣ୍ଢାସୁର ପୁଅ

ସହଜ ନୁହେଁ ସେ କୃଷ୍ଣ ଭାବିଚିନ୍ତି କୁହ ।

ତିନିଦିନ ଛୁଆ ପୁଣି ମାଇଲା ପୁତନା

ଏକଥା ଭେଳିକି ପରି ବୁଝିବାକୁ ସିନା ।

ଅଙ୍ଗୁଳି ଅଗ୍ରେ ଟେକିଲା ମନ୍ଦର ପର୍ବତ

ଛୋଟ ବେଳୁ ଅଷ୍ଟମଲ୍ଲ କରିଥିଲା ହତ ।

କାଳି ନାଗୁଣି ମୁଣ୍ଡରେ ନାଚିଲା ସେ ପୁଣି

କୁବଳୟା ହାତୀବଳ ସବୁ ଅଛି ଜାଣି ।

ଲାଞ୍ଜଧରି ବୁଲାଇଲା ତାକୁ ସେ ଗଉଡ଼

କଂସ ଗୁଣ ଭୟେ ପ୍ରାଣଦେଲା କେଡ଼େ ରାଢ଼ ।

ସମ୍ମୁଖେ ଯୁଦ୍ଧରେ ତାକୁ ମାରିବ କହୁଛ

ଅସମ୍ଭବ କଥା କିମ୍ପା ମନରେ ଭାବୁଛ ।

ଭାବୁଛ କି ଛୁଆପରି ଅଟେ ସେ ଗଉଡ଼

କାଳରୂପୀ ରୂପ ତାର ଅଟେ ବଡ଼ ରାଢ଼ ।

ବିଶ୍ୱାସ କରି କପଟେ ଯଦି ମାରିପାର

କର ସବୁ ଏ ସ୍ଥାନରେ ସେପରି ବିଚାର ।

କଳେ ବଳେ କୌଶଳରେ କର ତାକୁ ହତ

ହେୟ ଜ୍ଞାନ କରିବାଟା ବଡ ଅସଙ୍ଗତ ।

ଆଖଡ଼ା ଶାଳରେ ସର୍ବେ ଏକମେଳି ହୋଇ

ମାରିବାଟା ସଙ୍ଗତ ମୁଁ ତାହା ମଣୁଛଇ ।

କିବା କୂଟେ ଭୋଜନରେ ଦିଅ ଭରି ବିଷ

ନିଦ୍ରାକାଳେ ଜଗି ତଣ୍ଟି ଚିପି ନାହିଁ ଦୋଷ ।

ରାତ୍ରେ ବାଟ ଘାଟେ ଜଗି କାଣ୍ଡ ଖଣ୍ଡା ଧରି

ପଛପଟେ ହାଣୁ ମୁଣ୍ଡ କଟୁ ବେଗ କରି ।

ଘରେ ଥିଲେ ଶୋଇ ଅଗ୍ନି ଲଗାଅ ନେଇଣ

ଦ୍ଵାର କିଳିଥିବ ଯେହ୍ନେ ପୋଡ଼ିବ ତକ୍ଷଣ ।

ଏତେ ବାଗେ ନ ମରିବେ ଯେବେ ବେନିଭାଇ

ଜୀବନ ତେଜିବା ଆମ୍ଭେ ପିତାଶତ୍ରୁ ପାଇଁ ।

ଦିନକୁ ଦିନ ବଢ଼ଇ ତାହାଙ୍କର ଯଶ

ବେଳୁ ନ ମାଇଲେ କାଳ ହୋଇବ ଅବଶ୍ୟ ।

କୁମୁଦ କହଇ ଉଗ୍ରସେନକୁ ମାରିବା

ମଥୁରା କଟକେ ଆମ୍ଭେ ନୃପତି ହୋଇବା ।

ବୁଢ଼ାଟାର ଦେଖ କେତେ ଅବିଚାର କଥା

କଂସ ଦଣ୍ଡୁଆସି ବେଳୁ କଲଣି ଅନ୍ୟଥା ।

ସାରୁଗଛ ମୂଳେ ବେଙ୍ଗ ରଜା ହେଲା ପରି

କୃଷ୍ଣ ଗଉଡ଼କୁ କୋଳେ ରଖିଲା ବିଚାରି ।

ଚଉକିଆ ବୁଦ୍ଧି ଯାର ସେ ହୋଇଲା ରାଜା

ପକ୍ଷଧରି ପାଳୁଅଛି କିପରି ପରଜା ।

ବଳହୀନ ଯେଣୁ ଖାଲି କହେ ହୁଅ ଶାନ୍ତ

କ୍ଷତ୍ରିୟ କୁଳେ କଳଙ୍କ ହୋଇଛି ସାମନ୍ତ ।

ଯେଉଁ ସିଂହାସନେ ଦେଖି ଡରେ ପୁରନ୍ଦର

ଆଜିବସି ଅଛି ଶୃଗାଳର ସରଦାର ।

ପରବଳେ ମୋଡୁଅଛି ନିଜେ ବସି ନିଶ

ବୁଝୁନାହିଁ ଭଲମନ୍ଦ ହୋଇବ ନରେଶ ।

ହଂସକ କହଇ କଂସାସୁରର ନନ୍ଦନ

ବୁଦ୍ଧି ହୁଡ଼ିଗଲା ବୁଢ଼ାକାଳେ ଉଗ୍ରସେନ ।

ଶତ୍ରୁ ନୋହିଥିବେ ଏହା କିମ୍ପା ସେ କରନ୍ତା

ଆମ୍ଭଙ୍କୁ ଛାଡ଼ି ଦୁହିତା ପୁତ୍ରକୁ ଧରନ୍ତା ।

ଏତେବଡ଼ ଅଇଶ୍ଚର୍ଯ୍ୟ କରେ ଅକାରଣ

ଆମ୍ଭେ ଦେଖୁଥିବା ରହି ଏଡେକ କଷଣ ।

କେତେକାଳ ତୁନି ହୋଇଥିବା ଏହିପରି

ମାରିବା ମରିବା ନୀତି କରିବା ବିଚାରି ।

ଆମ୍ଭର ପିତା ଅର୍ଜିତ ଅଟଇ ଏ ଧନ

ଜାଣୁ ଜାଣୁ ଏଥେ ପାଉଥିବା ଅପମାନ ।

ବଣୁଆ ଗଉଡ଼ ଗୁଡ଼େ ଧରି ଉଗ୍ରସେନ

ମଥୁରା ରାଜ ସମ୍ପଦ କରିବ ଉଚ୍ଛନ୍ନ ।

ଆମ୍ଭର ଏ ପିତାଙ୍କର ଅଚଳ ସମ୍ପଦ

ଆମ୍ଭବଳେ ମନାକଲେ କରିବ କି ଦ୍ୱନ୍ଦ୍ୱ ।

ଉପାୟରେ ଆଗେ ରାମକୃଷ୍ଣଙ୍କୁ ହୋ ମାର

ବଳେ ଛଡ଼ାଇ ନେବା ସମ୍ପଦ ଆମ୍ଭର ।

ଜାଣନ୍ତୁ ସକଳେ ଉଗ୍ରସେନ ବନ୍ଦିକଲା

ନାତି ଥାଉ ଦୁହିତାର ପୁତ୍ରକୁ ବରିଲା ।

ତେଣୁ ଘଉଡ଼ାଇ ଦେଲେ ଜୀବନେ ନ ମାରି

ନୋହିଲେ ବନ୍ଦିରେ ରଖାଇବା କାଳ ଭରି ।

ସୁଦାମ ପୁତ୍ର ସୁରଥ ଅଟେ ବଡ଼ ଦୁଷ୍ଟ

ଆଗହୁଁ କରିବା ଆମ୍ଭେ ତାରମୁଣ୍ଡ କାଟ ।

ଆଗେ ଥାଉଁ ଗଉଡ଼କୁ ନିତି କରେପୂଜା

ଭାଙ୍ଗିଯିବ ତା ଗାରିମା ଦେଲେ ବଳି ସଜା ।

ଏତେ ବୋଲି ରାଗେ କହେ ଶିର ଝମକାଇ

ଦେବଗଣଙ୍କୁ ଜିଣିଲି ସେନାପତି ମୁହିଁ ।

ମୋର ବଳେ ଦିଗପାଳ ହୁଅନ୍ତି ଅଥୟ

ମାରିବି କୃଷ୍ଣଙ୍କୁ କରି ଯୁଦ୍ଧରେ ଅନ୍ୟାୟ ।

ପୁତନାର ପୁତ୍ର କହେ ଦାବାନଳ ବୀର

ମାତା ବୈରୀ ମାରିବଇଁ ଏ ପ୍ରତିଜ୍ଞା ମୋର ।

ଆଖଡ଼ାଶାଳରେ ସର୍ବେ ପଛପଟେ ଥିବା

ପଛପଟୁ ହାଣି ମୁଣ୍ଡ କାଟିବି ଦେଖିବା ।

ରାମ ଯଦି ଥିବ ତାକୁ ମେଳି ହୋଇ ମାର

ଷଡ଼ ଭାଇଙ୍କୁ ମାରିବା ତାଙ୍କୁ କି ଖାତର ।

ଦାବାନଳ କହେ ଡାକିଆଣ ଉତ୍ସବର

କାଳକୂଟ ଦେବା ନେଇ ଖାଦ୍ୟରେ ତାହାର ।

ରାମସଙ୍ଗେ ଷଡ଼ଭାଇ ଖାଇଲେ ମରିବେ

ଡାକି ଆଣିଲେ ଆସିଲ ନ ତରକେ ଯେବେ ।

ମୁଷ୍ଟିକର ପୁତ୍ର କହେ ବିଜୟ ଉଠିଣ

ଜଗିବା ବାଟରେ ତାକୁ ଆମ୍ଭେ ଷୋଳଜଣ ।

ପଛପଟୁ ଖଣ୍ଡାଧରି କାଟିଦେବା ମୁଣ୍ଡ

ଛଟପଟ ହେଉଥିବ ଆଗେ ପଡ଼ି ପିଣ୍ଡ ।

କହଇ ପୁଣି ସେ ଜୟ କେବେ ଏକା ହୋଇ

ଗଲେ ସିନା ମରିବା ହୋ ବୃଥାଭାବ ଏହି ।

ଚାଣୁର ପୁତ୍ର କହଇ କରିବା ଉପାୟ

ଯମୁନା କୂଳରେ କର ବିଳାସର ଗୃହ ।

ଛଣପଟ ଜଉ ସଙ୍ଗେ ପୁର ନିର୍ମାଣିବା

ପ୍ରତିଷ୍ଠା ଦିବସ କରି କୃଷ୍ଣଙ୍କୁ ଡାକିବା ।

ରାମସଙ୍ଗେ ଷଡ଼ଭାଇ ଯିବେ ସଙ୍ଗହୋଇ

ସେ ଘରେ ଭୋଜନ ଦେବା ବିଷକୁ ଗୋଳାଇ ।

ନମରିଲେ ନିଦ୍ରା ବେଳେ ଘରେ ଥିବେ ଶୋଇ

ଦ୍ୱାର କିଳି ଲଗାଇବା ଚାରିପାଖେ ଜୁଇ

ମରିବେ କୃଷ୍ଣର ସଙ୍ଗେ ରାମ ଷଡ଼ଭାଇ ।

ଶୁଣିଣ ସୁଦାମ କହେ ଉଚିତ ଅଟଇ ।

ଯଦି ଜାଣେ ସବୁ କର୍ମ ଯିବ ପଣ୍ଡ ହୋଇ

ବୃଥା ହେବ ସିନାଭାବ ଭାବନାରେ ରହି ।

ଉପସ୍ଥିତ ବେଳେ କର୍ମ କରିବା ବିଧେୟ

କେତେଦିନ ସହୁଥିବା ରାଜାର ଅନ୍ୟାୟ ।

ମୋ ବିଚାରେ କର୍ମକଲା ବେଳ ଗୋଟି ଏହି

ଚନ୍ଦନ ଚାପରେ ଜଗି ମାର ବେନି ଭାଇ ।

ସହଜେ ଉତ୍ସବ ବେଳ ଅଛି ଚାରିଦିନ

ଏବେଳେ କରିବା ନିଜ ଶତ୍ରୁର ସାଧନ ।

କାଲି ଡାକି ନେବା ବେଳ ପାଞ୍ଚଘଡ଼ି ଠାରେ

ଥିବେ ସର୍ବେ ମଲ୍ଲପୁତ୍ର ନିଜ ଉଦ୍‌ଯୋଗରେ ।

ମହାସୁର କହିଲା ଏ ଅଟଇ ଯଥାର୍ଥ

ସର୍ବ ସୁଯୋଗରେ ବେଳା ହେଲା ଉପସ୍ଥିତ ।

ଏହିବେଳେ ପିତାବୈରୀ ହୋଇବ ସାଧନ

ଏଥକୁ ସର୍ବ ବୀର ହୋ ହୁଅ ସାବଧାନ ।

କାଲି ଡାକିବେ ଆସିବ କୃଷ୍ଣ ରାମ ଦୁଇ

ସେ ମରିଲେ ଉଗ୍ରସେନ ନ ପାରିବ ରହି ।

ଛଡ଼ାଇ ରାଜ୍ୟକୁ କରି ମୁର୍ଦ୍ଧା ଅଭିଷେକ

ସିଂହାସନେ ବସାଇବା ଜ୍ୟେଷ୍ଠ ହେ ହଂସକ ।

କଲା କର୍ମ ଭୋଗିବ ସେ ରାଜା ଉଗ୍ରସେନ

ଦୁହିତା ପୁତ୍ରର ଦେଖି ନଦୀରେ ମରଣ ।

ଜଗଜେଠୀ କହଇ ସେ ବହୁତ ଲୋକରେ

ମୂଷା ତ ମରି ପଶଇ ଯାଇ ତା ଗନ୍ଧରେ ।

ସେହିପରି ହାଳୁହାଳୁ ଆମ୍ଭେ ହେଉଥିବା

ରାମକୃଷ୍ଣ ଖସି ଯିବେ ପଛେ ଭାବିହେବା ।

ସେ ପାଇଁ କର ସରବେ ତାହାର ଉପାୟ

କାର କାମ କିସ ହେବ ସବୁ ବୁଝିନିଅ

ତରକି ଯଦି ନ ଆସେ ଅବିଶ୍ଵାସ କରି

ସବୁ ଭାବନା ସରିବ କହୁଥିଲା ପରି ।

କହିବ ସବୁକାମରେ କଲେ ହୁଏ ଯଶ

ଯଦି କରିପାରେ ମିଳିବ ଯେ ପଉରୁଷ ।

ବେଳା ପାଞ୍ଚଘଡ଼ି ଆଗୁ ନାନାଫୁଲ ଧରି

ଚନ୍ଦନ ଭାଣ୍ଡେ ତ ହାତେ ଧରି ପିଚକାରୀ ।

ଖେଳୁଥିବା ଦାଣ୍ଡେ ଯିବ ସେବେଳେ ହଂସକ

କୃଷ୍ଣ ଯେହେ ଚନ୍ଦନର କରି କଉତୁକ ।

ଡାକି ଆଣିବ ଦାଣ୍ଡକୁ ରାମ ସଙ୍ଗକରି

ଖେଳି ଖେଳି ଦାଣ୍ଡେ ଯିବା ଆନନ୍ଦରେ ଭରି ।

କେହି କାହାରିକୁ ଆଉତହିଁ ନ ଠାରିବ

ସମସ୍ତେ ଯାହାର ସେଉଁ କାମ ସେ ସାରିବ ।

ଯମୁନା କୂଳରେ ଯାଇ ହୋଇଲେ ପ୍ରବେଶ

ଚାପ ଆଣିବ ବିଜୟ କରିଣ ସୁବେଶ ।

ଚାପେ ଯାଇଁ କରିବଇଁ ମୁହିଁ ଯେ ଆସନ

ମଙ୍ଗ ପାଖେ କୃଷ୍ଣ ରାମ ଥିବ ତା ସମାନ ।

ଆଉସବୁ ଖେଳୁଥିବେ ଧରି ପିଚକାରୀ

ଚାପ ବାହିବ ଦୁର୍ଦ୍ଦମ କେରୁଆଳ ଧରି ।

ଯମୁନା ମଝି ନଦୀରେ ନେଇ ରଖାଇବ

ସମସ୍ତେ ବସିବା ଧରି ପିଚକାରୀ ଭାଗ ।

ମୁଁ ଯାଇ ଆଗେ ପେଲିବି ଥଟ୍ଟା ଭାବନାହିଁ

ରାମକୁ ପେଲିବ ନିଜେ ହଂସକ ସେଠାଇଁ ।

କାତ ବାଡ଼ିଧରି ତାଙ୍କୁ ବୁଡ଼ାଇ ମାରିବା

ଜଣକ ଯେ ଆଠ ଜଣ ଜଗି ପିଟୁଥିବା ।

ଅଥଳ ନଦୀ ଯମୁନା ଥଳ କୂଳ ନାହିଁ

ମରିବ ଗଉଡ଼ ଜଳେ ବୁଡ଼ିଣ ସେଠାଇଁ ।

ଡିମ୍ବକ ମନକୁ ଏହା ସମ୍ପୂର୍ଣ ଆସିଲା

ଜଗଜେଠୀ କଥା ମୋର ମନକୁ ଅଣ୍ଟିଲା ।

ଜାଣେ ସମର କୌଶଳ ସେହୁ ପିତା ପରି

ନିଶ୍ଚେ ମରିବ ଶ୍ରୀକୃଷ୍ଣ ସଙ୍ଗେ ରାମ ଧରି ।

ତାର ପଛେ ମଲା ଶବ ଆଣିବା କାଳକୁ

ଶବ ଦାହ କରିଦେବା ନ ରଖି ତାହାକୁ ।

ପିଣ୍ଡଥିଲେ ଦେବେ ଆସି ଦେବେ ଜୀବଦାନ

ସଙ୍ଗେ ସଙ୍ଗେ ପିଣ୍ଡ କରିଦେବା ସେ ଦହନ ।

ଉଗ୍ରସେନକୁ ଆସିଣ ପୁଣି ଧରି ନେବା

ଅବଶେଷେ ନିଆଁ କୁଣ୍ଡେ ଜିଅନ୍ତା ପୋଡିବା ।

ତେବେ ମଥୁରାରେ ପାପ ହୋଇବ ଦହନ

ହଂସକ ହସି କହିଲା ଆସଇ ମୋ ମନ ।

ଏହି ଉତ୍ସବେ ଶତ୍ରୁକୁ ନାଶ କର ଭାଇ

ମଥୁରା ଐଶ୍ଚର୍ଯ୍ୟ ଭୋଗ କରିବାର ପାଇଁ ।

ତୁମ୍ଭ ପିତା କରିଥିଲେ ମୋ ପିତାର ହିତ

ତୁମ୍ଭେ ପୁଣି କରିବ ହେ ମୋହର ବାଞ୍ଛିତ ।

ଅକଣ୍ଟକ ମଥୁରାରେ ସର୍ବେ ସର୍ବା ହୋଇ

ସୁଖରେ ଶତ୍ରୁ ନାଶିବ ହୋଇ ମୋର ଭାଇ ।

ଜରାସନ୍ଧ ଅଜା ଶୁଣି ବହୁ ପ୍ରଶଂସିବେ

ଶିଶୁପାଳ ମାମୁଁ ଆସି କୋଳେ ବସାଇବେ ।

କଣ୍ଟ ଯିବ ଆମ୍ଭର ତ ମରିଲେ ଗଉଡ଼

ନିକ୍ଷତ୍ରି କରଇ କ୍ଷତ୍ରିକୁଳ ଆସି ମୂଢ଼ ।

ମନ୍ତ୍ରୀପଣ ରହିବ ମୋହର ତୁମେ ସଖା

ଚିରଦିନ ପ୍ରାଣବନ୍ଧୁ ଭାବେ ହୋଇ ଲେଖା ।

ସର୍ବେ ଖୁସିହୋଇ ଗଲେ ସଭାଭଙ୍ଗ କରି

ହଂସକ ଡିମ୍ବକ ନିଜ ବାସେ ଆସି ଫେରି ।

ଶୋଇଲେ ହୋଇଛି ତିନି ପ୍ରହର ରଜନୀ

ରାବଇ ବାୟସ ରାତ୍ରେ ପେଚା କରେ ଧ୍ୱନି ।

ନିଦ୍ରାଗଲେ ଯେଣୁ ହେଲା ସପନ ସଙ୍କେତ

ମହର୍ଷି ବାହନେ ପିତା ପାଶେ ଉପସ୍ଥିତ ।

ତୈଳ ଜର ଜର ତନୁ ରକ୍ତ ଫୁଲମାଳ

ଦକ୍ଷିଣକୁ ଯାଉଛନ୍ତି କଂସରାଜା ବାଳ ।

ସ୍ଵପ୍ନେ ପିତା ଆସି କଲେ ଶ୍ରୀମୁଖଚୁମ୍ବନ

ସର୍ବ ମଲ୍ଲମାନଙ୍କୁ ସେ କଲେ ଦରଶନ ।

ମଲ୍ଲ ପୁତ୍ରମାନେ ଦେଖନ୍ତି ଯେ ସେହି ସ୍ୱପ୍ନ

ଚଢ଼ିଛନ୍ତି ସର୍ବେ କରି ମହର୍ଷି ବାହନ ।

ମୃତ ମାଛକେ ଦେଖୁଛି ରାତ୍ର ଶେଷ ଭାଗେ

କେ ମନ୍ଦାର ମାଳା ପିନ୍ଧି ବୁଲେ ଚଉଦିଗେ ।

ରାତ୍ର ସାରା ପେଚା ବସି କରଇ ରୋଦନ

ରାତ୍ରେ କାଉ ବାଉଳାରେ କରୁଛି କ୍ରନ୍ଦନ ।

ଶ୍ଵାନ କ୍ରନ୍ଦନ କରୁଛି ଆସି ଦ୍ୱାର ଦେଶେ

କାଳପରି ବିଭାବରୀ ମାଡ଼ି ମାଡ଼ି ବସେ ।

କୃଷ୍ଣ ଧଳା ହସ୍ତୀପରେ ମଲ୍ଲୀମାଳା ଧରି

ଯାଉଛନ୍ତି ରାମ ସଙ୍ଗେ ପୂର୍ବକୁ ବାହାରି ।

ଏହି ସ୍ୱପ୍ନ ଦେଖୁଥିଲେ ନିଦ୍ରାକାଳେ

ଏ ସମୟେ ସୁପ୍ରଭାତ ହେଲା ତତକାଳେ ।

କୁକ୍‌କୁଟ ସଙ୍ଗରେ ହେଲା ବାୟସ ସଙ୍କେତ

ରାମ କୃଷ୍ଣ ଶଯ୍ୟା ତେଜି ଗାଇଲେ ପ୍ରଭାତ ।

କରନ୍ତି ତାରକ ବ୍ରହ୍ମ ନାମ ଉଚ୍ଚାରଣ

ଆଦର୍ଶ ପୁରୁଷ ଯେଣୁ କମଳା ରମଣ ।

ଆସିଛନ୍ତି ଧର୍ମ କର୍ମ ନୀତିରକ୍ଷା ପାଇଁ

ନିଜେ କରି ସର୍ବେ କର ଦେଉଛନ୍ତି କହି ।

ଋଷିମାନେ ବ୍ରହ୍ମମନ୍ତ୍ର କଲେ ଉଚ୍ଚାରଣ

ଶୌଚ ହୋଇ ବିପ୍ରେ କଲେ ଗାୟତ୍ରୀ ସ୍ମରଣ ।

ପକ୍ଷୀମାନେ ନିଦ୍ରା ତେଜି ବୃକ୍ଷରେ ରାବିଲେ

କାକ ବସା ତେଜି କାଆକାଆ ରାବଦେଲେ ।

ଭଲ୍ଲୁକ ପେଚକ ବୃକ୍ଷ କ୍ରୋଧେ ଆଶ୍ରନେଲେ

ବାଦୁଡ଼ି ଆସିଣ ବୃକ୍ଷ ଡାଳେ ଓହଳିଲେ ।

କୁମୁଦ ମୁଦ୍ରିତ ହେଲା କମଳ ବିକଶେ

ତାରାଗଣ ଲିଭିଗଲେ ପ୍ରଭାକର ତ୍ରାସେ ।

ସାଧବ ଯୁବତୀମାନେ ଲଭିଲେ ବିରସ

ବିଧବାଙ୍କର ମୁଖରେ ଫୁଟି ଉଠେ ହସ ।

କଟୁଆଳମାନେ ଆସି ପ୍ରବେଶିଲେ ବସା

ବୀଟପୀ ନୃପତିଙ୍କୁ ସେ କରିଲେ ନିରାଶା ।

ବେଶ୍ୟାମାନେ ଶ୍ରମନେଇ ବିଟପୁଂସ ତେଜି

ବାଟ ଘାଟେ ପରିମଳ ଅନ୍ଧାର ବରଜି ।

ବିରହିଣୀ ନାୟିକା ଯେ ଛାଡ଼ି ଦୂତୀ ସଙ୍ଗ

ଗୃହେ କର୍ମ ରତ ହେଲେ ସାଜି ନିଜ ଅଙ୍ଗ ।

ଦେବା ଦେବୀ ମନ୍ଦିରରେ ବିଳେ କଲେପୁଜା

ଧୂପ ଦୀପ ନଇବେଦ୍ୟ ଦେଇ ବଳି ଭୋଜା ।

ନିଶାଚର ଜନ୍ତୁମାନେ ଧରିଲେକ ବସା

ପ୍ରହରୀ ବଦଳି ହୋଇ ଚଳିଲେ ସହସା ।

ନିଶି ଅନ୍ତେ ନିତ୍ୟକର୍ମ କରେ ଉଗ୍ରସେନ

ବସୁଦେବ ପୁରୁ ଉଠି ରାମ ଭଗବାନ ।

ଆଦିରେ ଯେ ଷଡ଼ ଭ୍ରାତା ସୁରଥ ସହିତେ

ନିତ୍ୟକର୍ମ ବଢ଼ାଇଲେ ଯେଝା ବିଧିମତେ ।

ମାତା ଦେବକୀ ସାରିଣ ଶଉଚ ବିଧାନ

ପୁତ୍ରଙ୍କର ପାଇଁ କଲେ ନିଯୋଗ ବିଧାନ ।

ମଣୋହି କରାଇ ଦେବୀ ଦେବକୀ ସତ୍ୱର

ପୁତ୍ରମାନଙ୍କୁ ସାଜିଲେ ମଣ୍ଡି କଳେବର ।

ବସୁଦେବ ସ୍ନାନ ସାରି ସେବା କଲାବେଳେ

କୃଷ୍ଣ ମୁଣ୍ଡ ଚିତା ଦେଇଥାନ୍ତି କୌତୂହଳେ ।

ସବୁ ପୁତ୍ର ମୁଣ୍ଡେ ହରି ମନ୍ଦିରର ଚିତା

ଦିଗପାଳ ପରି ପୁତ୍ରେ ସର୍ବ ଉନମତ୍ତା ।

ହେତୀ ପ୍ରହେତୀ କୋଳରେ କଂସ ଡିମ୍ବବେନି

ବସାଇ ସ୍ୱପନ କଥା କହିଲେ ସେ ତୁନି ।

ବାବୁରେ ତୋ ପିତା ମୃତ୍ୟୁ ଆଗଦିନ ମୁହିଁ

ଯେଉଁ ସ୍ୱପନ ଦେଖିଲି ଶୁଣ ମନଦେଇ ।

ମହିଷ ବାହନେ ଯାଉଛନ୍ତି ଦକ୍ଷିଣକୁ

ତୈଳ ଜରଜର ତନୁ ଦେଖି ତୋ ପିତାକୁ ।

ମନ୍ଦାର ପୁଷ୍ପ ଗଳାରେ ଥିଲେ ସେ ମଣ୍ଡିଣ

ଆଜି ପୁତ୍ର ସେହି ରୂପେ ଦେଖିଲି ସ୍ୱପନ ।

ଦୁଇ ଭାଇ ସେହି ବେଗେ ଗଲ ପିତା ପାଶ

ଜାଣୁଛି ବାବୁରେ ଏହା ଅମଙ୍ଗଳ ଆଶ ।

ତେଣୁ କହୁଛିରେ ବାବୁ ଅନ୍ଧୁଣୀ ନୟନ

ରାମକୃଷ୍ଣ ସଙ୍ଗେ କଳି ଅଟେ ଅଶୋଭନ ।

ଅମଳ ବଡ଼ ବାପ ଦେଖଇ ମୁଁ ଡୋଳେ

ଆଉ କିସ ବିପଦ ବା ଅଛି ମୋ କପାଳେ ।

ରାତ୍ରସାରା ପେଚା କରିଅଛି ଏଥେ ରାବ

ଶ୍ଵାନର କ୍ରନ୍ଦନ ଧ୍ୱନି ଶୁଭେ ଅସମ୍ଭବ ।

ବାୟସ ମୁଖକୁ ଚାହିଁ କିମ୍ପା ରାବ ଦିଏ

ଦକ୍ଷିଣ ଅଙ୍ଗ ନୟନ ମୋର କମ୍ପିଯାଏ ।

କାହାସଙ୍ଗେ ବାବୁ ଆଜି କରନାହିଁ ଗୋଳ

ମୁଁ ଜାଣୁଛି ଘଟିବରେ ନିଶ୍ଚେ ଅମଙ୍ଗଳ ।

ମାତାଙ୍କ ବଚନ ଶୁଣି ପୁତ୍ର ଯେ କହଇ

ସ୍ଵପନ କଥାକୁ ସତ ମଣୁ କାହିଁ ପାଇଁ ।

ସ୍ଵପନରେ ସୁନାପୁର ଦେଖିଛି ବହୁତ

କାହିଁ ସ୍ୱପନରେ ଦେଖେ ସବୁ ବିପରୀତ ।

ଦୁର୍ବଳ ଲୋକର ଏହି ଶୁଭାଶୁଭ କଥା

ବଳବନ୍ତ ପକ୍ଷେ ଏହା ଅଟେ ବଡ଼ ବ୍ୟଥା ।

ବୀରନାରୀ ପୁଣି ତୁହି ବୀରର ଜନନୀ

ବୀରକନ୍ୟା ଅଟୁ ଏଡ଼େ ଭୟାଳୁ କି ଘେନି ।

ଦେଖିଅଛ ପିତା ସଙ୍ଗେ ସେନାପତି ହୋଇ

ସ୍ଵର୍ଗ ସିଂହାସନ ଜୟ କରି ଶଚୀସାଇଁ ।

ବୀରର କର୍ତ୍ତବ୍ୟ ଯୁଦ୍ଧ ଦିବାରାତି କାମ

ସେ ପାଇଁ ଅଶୁଭ କରିବା ଅକ୍ଷମ ।

ଯାଉଅଛି ଉତ୍ସବକୁ ମଲ୍ଲପୁତ୍ର ତୁଲେ

ବେଳ ପାଞ୍ଚ ଘଡ଼ିଠାରୁ ଚାପେ ଯିବୁ ଭଲେ ।

ଏତେ କହି ହଂସକ ଡିମ୍ବକ ଭାଇ ବେନି

ଅଷ୍ଟ ମଲ୍ଲପୁତ୍ର ସଙ୍ଗେ ରାଜାଦାଣ୍ଡେ ମାନି ।

ହଂସକ ଚଳିଲା ନିଜେ ବସୁଦେବ ପୁର

ରାମକୃଷ୍ଣ ଅଙ୍ଗଦେଲା ଚନ୍ଦନର ଝର ।

ଡାକଇ ଆସ ଶ୍ରୀକୃଷ୍ଣ ରାମ ସଙ୍ଗେ ଚଳି

ଦାଣ୍ଡେ ଘେନି ଚାପେଯିବା କରିବାରେ କେଳି ।

ଶୁଣି କୃଷ୍ଣ ଦୁଷ୍ଟ କଥା ହୋଇ ହସ ହସ

ଲୋଡ଼ିଲା ଏହାକୁ କାଳ ହେଲେଣି ତ ବେଶ ।

ରାମକୃଷ୍ଣ ଦୁହେଁ ଧରି ନିଜ ପିଚକାରୀ

ଦାଣ୍ଡକୁ ଯାଆନ୍ତି ରାମ ତୁଲେ ଚକ୍ରଧାରୀ ।

ଦେଖି ମଲ୍ଲଙ୍କ କୁମର ହୋଇଲେ ଆନନ୍ଦ

ଆଜି ଶୁଭ ଯୋଗହେଲା ଦେଖିଲେ ଗୋବିନ୍ଦ ।

ନାଚନ୍ତି ସେ ଷୋଳଜଣ ସଙ୍ଗେ ରାମ ହରି

ଗଲେ ମଥୁରା ଦାଣ୍ଡରେ ବହୁ କ୍ରୀଡ଼ାକରି ।

ଆଡ଼ଚିରା ଦେଇ ନାଚ କରନ୍ତି ଗୋବିନ୍ଦ

ସବୁଠାରୁ ସାନପରି ପ୍ରଭୁ ନିତ୍ୟାନନ୍ଦ ।

ତାଳିମାରି ବଳ କଚ୍ଛା କଚ୍ଛି ହେଉଥାନ୍ତି

ଚନ୍ଦନର ପିଚକାରୀ ହରଷେ ମାରନ୍ତି ।

ମଥୁରାରେ ନାରୀମାନେ ହୋଇଲେ ବିକଳ

ଦେବକୀ ଛାଡ଼ିଲା କିମ୍ପା ପୁତ୍ର ଆଦିମୂଳ ।

କି ସୁନ୍ଦର ଦିଶନ୍ତି ଗୋ କଳାଧଳା ଦେହ

ଛୁଆ ସିଂହପରି ଠାଣି ଅତି କମନୀୟ ।

ମଦୁଆ ହାତରେ ବେଦ ପୋଥ ଦେଲା ପ୍ରାଏ

ଅସୁର ପୁଅଙ୍କ ସଙ୍ଗେ ଛନ୍ତି ଦେବରାଏ ।

କଂସ ମଲାଦିନୁ ତାଙ୍କ ପୁତ୍ର ଅତ୍ୟାଚାର

ଶୁଣାଯାଏ ସବୁଠାରେ ଦେଖି ମାଡ଼େ ଡର ।

ମଲ୍ଲପୁଅ ସଙ୍ଗେ ସେତ ବୁଲନ୍ତି ଲୋ ସାହି

କୃଷ୍ଣଙ୍କୁ ମାରିବେ ନିତି ପାଞ୍ଚୁଥାନ୍ତି ଏହି ।

ତାହାଙ୍କ ସଙ୍ଗରେ କିମ୍ପା ଦେବକୀ ନନ୍ଦନ

ଚାପକୁ ଯାଆନ୍ତି ହୋଇ ବିଶ୍ଵାସ ଭାଜନ ।

ମାମୁଁ ପୁଅ ଭାଇ ବୋଲି କରୁଛନ୍ତି ସ୍ନେହ

ଅସୁର ଜାତିରେ ସଦା କୂଟିଳ ହୃଦୟ ।

ଯମୁନା ମଝି ନଦୀରେ ଯଦି ମେଳ ହୋଇ

ବଳ କଚ୍ଛି ମାରିବେ ଗୋ ଜଳରେ ବୁଡ଼ାଇ ।

ଚଉଦ ଜଣ ଅଛନ୍ତି ସର୍ବେ ଏକଜୁଟ

ଦୁଇଜଣ କି କରିବେ ଦେବକୀର ଚାଟ ।

ଆନ କହେ ସଖୀ ଏହା କହୁ କି ନ ଜାଣ

ଏହା ହନୁ ସମୁଦ୍ରକୁ କ୍ଷେପାକେ ଡେଇଁଣ ।

ଲଙ୍କା ପୋଡ଼ି ଆଣିଦେଲା ସୀତାଙ୍କ ସନ୍ଧାନ

ଏକା ଅଗସ୍ତି ସମୁଦ୍ର କଲେ ଚଳୁପାନ ।

ଏକ ସୂର୍ଯ୍ୟ ଆକାଶରେ ପ୍ରକାଶଇ ତେଜ

ଏକା ହୋଇ ଦାନବ ଦଳିଲେ ରଘୁରାଜ ।

ପୁଣି ଆର ବଧୂ କହେ ଶୁଣ ଗୋ ସଙ୍ଗାତ

ଯାହା କହୁଅଛି ତାହା ହୁଅନ୍ତା ଯଥାର୍ଥ ।

ଅତି ବାଳକ ବୟସ ଅଟଇ ୟାଙ୍କର

କଂସ ପୁତ୍ର ମଲ୍ଲପୁତ୍ର ସର୍ବେ ବଳିୟାର ।

ଚାଲ ସଖୀ ସଙ୍ଗହୋଇ ଫେରାଇବା ହରି

ଭାଇ ବୋଲି ଯାଉଛନ୍ତି ସଙ୍ଗରେ ବାହାରି ।

ଆନ କହେ ଦାଣ୍ଡେ ଗଲେ ଦେଖିବେ ଅସୁର

କାଳ ରୂପ ଦେଖି କରିବେ ଗୋ ଅତ୍ୟାଚାର ।

ଚାଲ ସଖୀ ମନାସିକା ମଙ୍ଗଳା ଚରଣ

ବିପଦ ନ ପଶୁ କୃଷ୍ଣ ଫେରନ୍ତୁ ଏକ୍ଷଣ ।

ନ ଜାଣି ଦେବକୀ ପୁତୁରାଙ୍କ ବିଶ୍ୱାସରେ

ଛାଡ଼ିଲା ପୁଅକୁ ପୁଣି କାନ୍ଦିବ ଶେଷରେ ।

ମନାସିଲା ଶୁଭେ ଆଜି ଫେରନ୍ତୁ କହ୍ନାଇ

ମାର୍ଜ୍ଜନା କରିବି ଗ୍ରାମ ଦେବତୀଙ୍କୁ ମୁହିଁ ।

ଆଉ ଜଣେ କହେ କୃଷ୍ଣ ନିଜେ ମାୟାଧର

ମାୟାବତୀ କଥା ତାଙ୍କୁ ହୋଇବ ଗୋଚର ।

ପୁତନାତ ମଥୁରାରେ ବିଷ ଭରିଥିଲା

ଗୋପରେ କିପରି କୃଷ୍ଣ ତାହାଙ୍କୁ ଜାଣିଲା ।

ଶକଟ ହୋଇଣ ଦାଣ୍ଡେ ସେ ଶକଟାସୁର

ରହିଥିଲା ଗୋଡ଼ମାରି ମାରିଲା ଅସୁର ।

ତୃଣାବର୍ତ୍ତ ସାତଦିନେ ଅନ୍ତୁଡ଼ିରୁ ଧରି

ଶୂନ୍ୟେ ନେଉଥିଲା ତଣ୍ଟି ଚିପିଲେ ମୂରାରୀ ।

ମଲା ଶବ ପଡ଼ିଲା ତା ଉପରେ ଗଡ଼ିଣ

କାନ୍ଦୁଥିଲେ ଯଶୋବନ୍ତୀ ନେଲେଗୋ ତୋଳିଣ

ବକାସୁର ପେଟ ମଧ୍ୟେ ଖେଳୁଥିଲେ ଛୁଆ

ଜାଣିଣ ତା ଥଣ୍ଟ ଚିରି ଛଡ଼ାଇଲା ମାୟା ।

ଗୋରୁ ଗୋଠୁ ଷଣ୍ଢ ଚିହ୍ନି ମାରି ଷଣ୍ଢାସୁର

ଅଘା ଧେନୁକାକୁ ବଣେ କରିଲେ ସଂହାର ।

ଇନ୍ଦ୍ର ଗରବ ଗଞ୍ଜିଲେ ଗୋବର୍ଦ୍ଧନ ଧରି

ବତ୍ସା ନେଲେ ବ୍ରହ୍ମା ଦର୍ପ ଗଞ୍ଜିଲେ ମୁରାରୀ ।

କଳାଭୂତ ହୋଇ ଚନ୍ଦ୍ରସେଣାକୁ ଡରାଇ

ରାଧାପୁରେ ଥିଲେ ମାୟାଧର ସେ କହ୍ନାଇ ।

କାଳି ନାଗୁଣୀ ଶିରରେ ନାଚିଲେ ଗୋବିନ୍ଦ

ବିଷପାଣି ଅମୃତ କରିଲେ ଆଦିକନ୍ଦ ।

ଦେଖିଛୁ ତୁ କୁବୁଜୀକୁ କରିଲେ ସୁନ୍ଦରୀ

ଭାଗବତୀ ପୁତ୍ର ଜୀବ ଦେଲେ ନରହରି ।

ତେଜବତୀ ପୁତ୍ର ପତି ଧରି ସ୍ୱର୍ଗ ଗଲା

କୁବଳୟା ହାତୀ ଲାଞ୍ଜ ଧରି ବୁଲାଇଲା ।

କଂସର ଯେ ମଲ୍ଲ ମଲେ ଦେଖିଛି ଆଖିର

ମଞ୍ଚାରୁ ଗଡ଼ି ମରିଲା ଦେଖି କଂସାସୁର ।

ମଲ୍ଲପୁତ୍ର ମାରିବାକୁ କରନ୍ତି ଉପାୟ

ଆଜି ନିଶ୍ଚେ ମରିବେ ଗୋ ଦୁଷ୍ଟ ସମୁଦାୟ ।

ବାଛି ହୋଇ ଆସିଛନ୍ତି ସେ ଚଉଦ ଜଣ

ଆଜି ମଥୁରାରେ ନାଶ ଯିବେ ରକ୍ଷଗଣ ।

ଯାହାଙ୍କ ଡରେ ଗୃହରୁ ନ ବାହାରେ କେହି

ପରଧନ ପରଦାର ବୃତ୍ତିକଲେ ଏହି ।

ତାଙ୍କ ପାଇଁ ରାମକୃଷ୍ଣ ଯାଆନ୍ତି ଗୋ ଚଳି

ଆନ କହେ ବାଳୁତ ତନୟ ରାମହଳୀ ।

କିଏ ଜାଣେ ଦଇବର କେଉଁ ଘଟସୂତ୍ର

କନିଷ୍ଟ ଅଟନ୍ତି ପୁଣି କଂସରାଜା ପୁତ୍ର ।

ନାରୀମାନେ ଡାକନ୍ତି ଯେ ମଙ୍ଗଳା ଚରଣ

ରଖ ଶ୍ରୀକୃଷ୍ଣଙ୍କୁ ମାତ ଘଣ୍ଟ ଘୋଡ଼ାଇଣ ।

ଉଦ୍ଧାର କରି ଗୋ ମାତା ଦେବକୀ ତନୟ

ଶୁଖି ନଥିବ ତାହାର ବନ୍ଦୀ ଆଖିଲୁହ ।

କେତେ କଷଣ ସହିଣ ପାଇଛି କୁମର

ସାରା ଶତ୍ରୁକୁ ନ ପଡୁ ରିଷ୍ଟ ଭୟ ତାର ।

କେତେ କେତେ ବିପଦଗୋ ପଡ଼ିଲା ଗୋପରେ

ଉଦ୍ଧାର କରିଛୁ ମହାମାୟା ଗୋ ସେଠାରେ ।

କଂସ କପଟ କରିଣ ମରିଲା ଶେଷରେ

ପୁଣି ରିଷ୍ଟ ପଡ଼ିଅଛି ରଖ ଗୋ ସତ୍ଵରେ ।

ଆଉ ଜଣେ କହେ ମିଛେ ହେଉଛି ଗୋ ବଣା

ତୁଚ୍ଛାଟାରେ ସିନା କରୁଅଛ କଳପଣା ।

ଶୁଣିଛତ ଅନ୍ଧଟାକୁ ଚକ୍ଷୁଦାନ ଦେଲା

ଷଡ଼ଭାଇ ଯମପୁରୁ ଆଣି ରଖିଲା ।

ଏହି କ୍ଷଣି ବଳିଛାଗ ପରାଏ ଦେଖିବ

ସବୁଦୁଷ୍ଟ ମାରି କଂସ ଫେରିଣ ଆସିବ ।

ଅନ୍ଧକହେ ନୋହିଛନ୍ତି ଚନ୍ଦ୍ର ସୂର୍ଯ୍ୟ ଜାତ

ସେହିପରି ରାକ୍ଷସଙ୍କ ଗର୍ବ ଯେ ବହୁତ ।

ଏତେ କହି ନାରୀମାନେ ରହିଛନ୍ତି ଚାହିଁ

କେବା ଉଚ୍ଚସ୍ଥାନେ କେବା ଯାଇଛି ପଳାଇ ।

ଯମୁନାର ଚାପ ଦିଶେ ଦୂରକୁ ମଣ୍ଡନ

ମନୁଷ୍ୟ ଚିହ୍ନିବା ନଗ୍ରୁ ହୁଅଇ କଠିନ ।

ତଥାପି କୃଷ୍ଣଙ୍କୁ ପୁତ୍ର ପତି ପ୍ରାୟ ମଣି

ଚାହିଁଛନ୍ତି ଅନିମିଷେ ମଥୁରା ତରୁଣୀ ।

କେବା ମନ ବୁଝୁନାହିଁ କରେ ମାନସିକ

କିପରି ଫେରି ଆସନ୍ତୁ ମଥୁରା ତିଳକ ।

ନାରୀମାନେ ହେଉଛନ୍ତି ଚାହିଁଣ ବିକଳ

ଜାଣୁଛନ୍ତି ଅନ୍ତର୍ଯ୍ୟାମୀ ସେ ଆଦିମୂଳ ।

ହଂସକ ହିମ୍ବକ ଛନ୍ତି କଂସର ତନୟ

ମଲ୍ଲପୁତ୍ର ସଙ୍ଗେ ରାମକୃଷ୍ଣ କରି ସ୍ନେହ ।

ନାନାରଙ୍ଗେ କ୍ରୀଡ଼ାକରି ଚଳନ୍ତି ହରଷେ

ଚନ୍ଦନରେ ବୋଳିହୋଇ ନଟବର ବେଶେ ।

ଖେଳ କୌତୁକ ହୁଅନ୍ତି ନାନା ପରକାର

ପ୍ରବେଶ ହୋଇଲେ ଯାଇ ଯମୁନା କୂଳର ।

ଆଡ଼ଚିରା ନଟ ଭଙ୍ଗୀ ବିବିଧ ପ୍ରକାରେ

ପିଚକାରୀ ମରାମରି ହୁଅନ୍ତି ଦେହରେ ।

ଘାଟ ଚାପଧାରୀ ଜଣେ କୂଳକୁ ଅଣାଇ

ଆନନ୍ଦରେ ମଲ୍ଲପୁତ୍ର ଜାଗା ମାଡ଼ିନେଇ ।

କେବା ଚାପେ ସଜ କଲା ବସିବା ଆସନ

କେହି ଚନ୍ଦନ ପିଚିକା କରଇ ଯତନ ।

ଅଷ୍ଟମଲ୍ଲ ପୁତ୍ର ସଙ୍ଗେ ହଂସକ ଡିମ୍ବକ

ଏକା ପାରିଲେ ବସିଲେ ଜାଗାକରି ଠିକ ।

ତସ୍କର ମନ ଯେପରି ପରଦ୍ରବ୍ୟେ ଥାଏ

ଚଉଦଜଣ ବସିଣ ଭାବନ୍ତି ହୃଦୟେ ।

ଗଭୀର ଜଳକୁ ଗଲେ ଲଗାଇବା ଗୋଳ

ଜାଣନ୍ତି ଅନ୍ତର କଥା ସେତ ଆଦିମୂଳ ।

ଚାପପରେ ବଳରାମ ସଙ୍ଗେ ବନମାଳୀ

ହସ ହସ ହୋଇ ନାବେ ବସିଲେକି ବଳି ।

ମାରନ୍ତି ଚନ୍ଦନ ଛେରା ପିଚକାରୀ ମାନ

କେବା ଯମୁନା ଜଳକୁ ଭରିଣ ବହନ ।

ମରାମରି ହୋନ୍ତି ମିଳି ସମସ୍ତ କୁମରେ

ଚାପ ବାହିଣି ନିଅନ୍ତି କେହୁ ବା ବେଗରେ ।

କେବା ଆଡ଼ଚିରା ସାରି ଜଳକୁ ଡେଇଁଣ

ପୁଣି ଉଠି ଚାପେ ଚଢ଼େ କୌତୁକ ବହିଣ ।

ମଲ୍ଲପୁତ୍ର ଚାପନେଲେ ଗହ୍ୱର ଜଳକୁ

ଜାଣିଲେ ଶ୍ରୀହରି ଯେଣୁ ଦୁଷ୍ଟ ସ୍ୱଭାବକୁ ।

ଭାବନ୍ତି ନିଜେ ମାରିବା ହେ ଅଶୋଭନ

ମାଈଁ ମାନେ ଦୋଷ ଦେବେ କରିଣ କ୍ରନ୍ଦନ ।

ଦୁଷ୍ଟଙ୍କୁ ନ ମାରି ଯଦି ଆଜ ଛାଡ଼ିଦେବି

ଦୁର୍ନୀତି କରିବେ ଦେଶସାରା ମୂର୍ଖ ଭାବି ।

ସଦବୁଦ୍ଧି ନ ହେବ ଏ ଯେଣୁ ଦୁଷ୍ଟଜନ

ଅସୁର ସ୍ଵଭାବ ଏ ତ ଅଟନ୍ତି ଅର୍ଜ୍ଜୁନ ।

ଏତେ କହି ମନେକଲେ ବାୟୁ ସୁମରଣ

ନମସ୍ତେ ଜଗତପ୍ରାଣ ପ୍ରାଣ ସମୀରଣ ।

ଜୟ ତୁ ପବନ ଦେବ ସର୍ବ ଅନ୍ତର୍ଯ୍ୟାମୀ

ନିମିଷକେ ଚରାଚର ସୃଷ୍ଟି ପାରୁ ଭ୍ରମି ।

ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଶରୀରେ

ବାସକରି ବହୁଅଛ ପ୍ରାଣ ସ୍ୱରୂପରେ ।

ମେରୁଗିରି ଶତ୍ରୁ ତୁମ୍ଭେ ମହାବଳବନ୍ତା

ତୁମ୍ଭ ବଳ ଭାଙ୍ଗିବାକୁ କେ ନୁହେଁ ଶକତା ।

କଳ୍ପ କଳ୍ପାନ୍ତର କାଳେ ନୁହଁ ତୁମ୍ଭେ କ୍ଷୟ

ଆକୃତି ନାହିଁ ତୁମ୍ଭର ଅନାକୃତି ଦେହ ।

ଅଶେଷ କୋଟି ବ୍ରହ୍ମାଣ୍ଡେ ରହିଅଛୁ ଘୋଟି

ନିମିଷକେ ଜିଣିପାର ଚରାଚର ସୃଷ୍ଟି ।

ସଂସାରେ ନୋହିବ ଯେବେ ତୁମ୍ଭେ ଆତଯାତ

କ୍ଷଣେ ରହି ନ ପାରିବ ଅଶେଷ ଜଗତ ।

ଅଜୀବର ଜୀବ ତୁମ୍ଭେ ଅଟ ଜୀବ ଦାନୀ

ବିହନ୍ତା ପୁରୁଷ ତୁମ୍ଭେ କର ଲାଭ ହୀନି ।

କୀଟୁ ବ୍ରହ୍ମ ପରିଯନ୍ତେ ସୃଷ୍ଟି ତୁମ୍ଭେ ସ୍ଥାପି

ଜଳ ସ୍ଥଳ ଅନଳରେ ରହିଅଛି ବ୍ୟାପି ।

ନମସ୍ତେ ହେ ସମୀରଣ ପୃଥ୍ୱୀ ଆପ ତତ୍ତ୍ୱ

ଅନଳ ଆକାଶ ଘେନି ତୁମ୍ଭେ ପଞ୍ଚଭୂତ ।

ତୁମେ ଯହିଁଅଛ ତହିଁ ରହିଅଛି ଜୀବ

ତୁମ୍ଭେ ଛାଡ଼ିଗଲେ ପ୍ରାଣୀ ହୁଏ ମୃତ ଶବ ।

ଲୌହ ପାଶଧାରୀ ତୁମ୍ଭେ ଶରଚାପ କରି

ବିଜୟ ନାମରେ ମୃଗ ବାହନ ତୁମ୍ଭରି ।

ଅକ୍ଷୟ ପୁରୁଷ ତୁମ୍ଭେ ଯୁଗକଳ୍ପ ମନୁ

ନାନାରତ୍ନ ଆଭରଣେ ଶୋଭାପାଏ ତନୁ ।

ଏସ ନକସ୍ତୁତି ଶୁଣି ଦେବ ଯେ ପବନ

ଅଦୃଶ୍ୟ ସବୁଙ୍କୁ ହୋଇ ଦେଲେକ ଦର୍ଶନ ।

ବୋଇଲେ ହେ ଦୟାମୟ କମଳ ଲୋଚନ

ଦେବହିତେ ନରଦେହେ ହେଲ ଉତପନ୍ନ

କେଉଁ କାର୍ଯ୍ୟ ଆମ୍ଭ ଦ୍ୱାରା ହେବ ନାରାୟଣ ।

କୁହ ପ୍ରଭୁ ମୋହଠାରେ ସଦୟ ହୋଇଣ

ଚରାଚର ଚିନ୍ତାମଣି ତୁମ୍ଭେ ଭଗବାନ ।

ମାୟାବଳେ ନରି ରୂପେ ଧରିଅଛ ବର୍ଣ୍ଣ ।

ଶୁଣି ହରଷେ କହନ୍ତି ଦେବ ହୃଷୀକେଶ

ଏ ସମୟେ ସାହା ହୋଇ କର ଦୁଷ୍ଟ ନାଶ ।

ଅଣଚାଶ ଖଣ୍ଡ ଏକ ହୋଇଣ ବହିବ

ସଙ୍ଗେ ମେଘମାଳା ଆଚ୍ଛାଦିଣ ବରଷିବ ।

ଦୁଷ୍ଟଙ୍କର ଚାପ ନଦୀ ଗର୍ଭେ କର ଚୂର୍ଣ୍ଣ

ଜଳେ ବୁଡ଼ି ମରନ୍ତୁ ଏ ଅସୁର ନନ୍ଦନ ।

ଶ୍ରୀକୃଷ୍ଣ ଆଦେଶ ଘେନି ଉଠିଲା ଧୂମାଳ

ଅଦୃଶ୍ୟ ହୋଇଲା ଦିଗ ବିଦିଗ ସକଳ ।

ଧୂମାଳ ଆସିବା ଦେଖି କୂଳେ ଥିବା ଜନ

ପଳାଇଲେ ପ୍ରାଣ ଭୟେ ଆଶ୍ରୟର ସ୍ଥାନ ।

ଅଣଚାଶ ଖଣ୍ଡ ବାୟୁ ବହିଲା ପ୍ରଖର

ଉଡାଣ ଧୂଳି ବାଲି କଲା ଅନ୍ଧକାର ।

କେହି କାହାକୁ ଆକୁଳେ ଚିହ୍ନି ପାରୁନାହିଁ

ଓଲଟିବ ଚାପ କେବା ଆରତ ହୁଅଇ ।

ପ୍ରଚଣ୍ଡ ହୁଙ୍କାର ନାଦେ ଗର୍ଜଇ ପବନ

ଭୟଙ୍କର ଶବଦରେ ପୁରିଲା ଗଗନ ।

ବାତଘାତେ ଶାଳଶିଳ ପଡ଼ିଲେ ଉପୁଡ଼ି

ଦଶଦିଗ ଅନ୍ଧକାରେ ହେଲା ଧୂଳିଉଡ଼ି ।

କୂଳଲଘିଂ ଉଛୁଳିଲା ଯମୁନାର ଜଳ

ଭୟ ଜୀବଜନ୍ତୁ ମାନେ ହୁଅନ୍ତି ଆକୁଳ ।

ଯାଦବ ଦେଖିଣ ମନେ କଲେ ବଡ଼ ଭୟ

ବୋଲନ୍ତି ଅକାଳେ କିବା ହୋଇବ ପ୍ରଳୟ ।

ବିପରୀତ କଥା ଏତ ଜଣାଶୁଣା ନାହିଁ

କିବା କାଳ ଆସୁଅଛି ସୃଷ୍ଟି ନାଶ ପାଇଁ ।

ପବନରେ କମ୍ପୁଅଛି ଏ ସାରା ଧରଣୀ

କି ଯୋଗରେ ବିଧି ଏହା ଘଟାଇଲା ଆଣି ।

ବିଜୁଳି ଝଲକି ମାରେ ବଜ୍ର ଘଡ଼ିଘଡ଼ି

ମହୀଧରମାନେ କିବା ପଡ଼ିବେ ଉପୁଡ଼ି ।

କଂସ ଡିମ୍ବ ଦୁହେଁ ଦେଖି ମହାଭୟ ପାଇ

ଭୟରେ କହନ୍ତି ମଲ୍ଲପୁତ୍ରକୁ ଅନାଇଁ ।

କେବଣ ଚରିତ ଏହା କଳନା ନ ଯାଏ

ଅଣଚାଶ ମୂର୍ତ୍ତିଧରି ପବନ ତ ବହେ ।

ଦିବସରେ ଦିଶୁଅଛି ସବୁ ଅନ୍ଧକାର

ଧରଣୀ କମ୍ପଇ ଧରାଧର କଳେବର ।

ଘଡ଼ଘଡ଼ି ଚଡ଼ଚଡ଼ି ବିଜୁଳି ପ୍ରଖର

ମୂଷଳ ଧାରା ପ୍ରମାଣେ ବରଷଇ ନୀର ।

ପ୍ରଚଣ୍ଡ ପବନ କରୁଅଛି ଘୋରରଡ଼ି

ଯମୁନା ଉଛୁଳି ଦୁଇକୂଳେ ଯାଏ ଚଢ଼ି ।

ପବନ ଆଘାତେ ଉଠେ ପ୍ରଚଣ୍ଡ ଲହରୀ

କୂଳକୁ ନ ଯାଏ ନାବ ନୁହେଁ ଥୟକରି ।

ଅକାତ ଗଭୀର ନଦୀ ନାହିଁ ପାଶେ କୂଳ

ପରକୁ ମନ୍ଦ ପାଞ୍ଚିଣ ହେବଟି ନିର୍ମୂଳ ।

ଭୋ ଧର୍ମ ଦେବତା ବାରେ କରନ୍ତୁ ସୁଦୟା

ଅଥଳ ସମୁଦ୍ରେ ମଲୁ କେହି ନାହିଁ ସାହା ।

ସର୍ବେ ନାବେ ମରୁଅଛୁ ଧର ହେ ଉଦ୍ଧରି

ପରେ ମନ୍ଦକରି ଫଳ ପାଇଲୁ ତାହାରି ।

ଯେଉଁ କାମେ ଆସିଥିଲୁ ହୋଇଲୁ ବିଫଳ

ଉଦ୍ଧରିଣ ରଖ ଧର୍ମ ହେଲୁଟି ନିର୍ମୂଳ ।

ନାବରୁ ଡେଇଁଣ ଅବା ପହଁରନ୍ତୁ ଜଳେ

ଘୋର ଅନ୍ଧକାର ଉଠି ନ ପାରିବୁ କୂଳେ ।

କାଳବଶେ ହରାଇଲେ ନିଜ ସଦବୁଦ୍ଧି

ସମୂଳେ ବିନାଶ ହେଲେ କଂସର ସମୃଦ୍ଧି ।

କହୁଁ କହୁଁ ଘୋର ବାତ ପ୍ରଚଣ୍ଡ ବହିଲା

କ୍ଷଣିକରେ ଚାପଗୋଟି ଏଣେତେଣେ ଗଲା ।

କୃଷ୍ଣ ବଳରାମକୁ ପବନ କୋଳେ ଧରି

ଯମୁନା କୂଳରେ ଥୋଇଦେଲା ସ୍ଥିର କରି ।

କରକା ଖସି ଆକାଶୁ ପାଷାଣ ପ୍ରକାର

ଚାପଗୋଟି ଭାଙ୍ଗି ହୋଇଗଲା ଶତଚୂର ।

ସୁଉ ସୁଉ ଶବଦରେ ମେଘ ଗରଜନ

ଘଡ଼ ଘଡ଼ି ଚଡ଼ଚଡ଼ି ମାରୁଅଛି ପୁଣ ।

ମାୟାଧରଙ୍କ ମାୟା ଦେବେ ଅଗୋଚର

ତାଙ୍କୁ ମନ୍ଦଚିନ୍ତି କିଏ ହୋଇବ ବା ପାର ।

କଂସ ରାଜାର ତନୟ ହଂସକ ଡିମ୍ବକ

ଏମାନଙ୍କ ସଙ୍ଗେ ଦୁଷ୍ଟ ମରିଲେ ପ୍ରତ୍ୟକ୍ଷ ।

କେଶୀର କୁମର ଉଢ଼ଙ୍ଗ ଯେ ଅଂଶୁମାଳୀ

ଶକଟା ବେନି ନନ୍ଦନ ବୀର ବେଲାବଳୀ ।

କଞ୍ଚନ ଯେ କାଳିନାଗ କୁମୁଦ ସୌମିତ୍ର

ଏ ଚାରିହେଁ ମହାବୀର ଷଣ୍ଢାସୁର ପୁତ୍ର ।

ପ୍ରତାପ ଦାବାନଳ ଯେ ପୁତନାର ପୁଅ

ମୁଷ୍ଟିକର ପୁତ୍ର ବେନି ଜୟ ଯେ ବିଜୟ ।

ଚାଣୁର ପୁତ୍ର ଦୁର୍ଗମ ଆଉ ଜଗଜ୍ଜେଠୀ

ମହାସୁର ନାମେ ଅରିଷ୍ଟର ପୁତ୍ର ଗୋଟି ।

ଏହି ମାନେ ଜଳେ ବୁଡ଼ି ହରାଇଲେ ପ୍ରାଣ

ପରେ ମନ୍ଦକରି ନିଜେ ଭୋଗିଲେ କଷଣ ।

ସହଜେ ଗଭୀର ନଦୀ ଲହରୀ ପ୍ରବାଳ

ସମୁଦ୍ର ପରାଏ ଜାତ ହୁଏ ଫେନ ମାଳ ।

ବିଶେଷରେ ଚାପ ଭାଙ୍ଗି ହେଲା ଖଣ୍ଡ ଖଣ୍ଡ

ଭାସୁଛନ୍ତି ମୃତଶବ ଯାଇ ନଦୀ ଗଣ୍ଡ ।

କେତେ ଶବ ଲହରୀରେ କୂଳେ ଲାଗିଅଛି

କେତେ ଭାସି କୁମ୍ଭୀରର ଆହାର ହୋଇଛି ।

ଭାଙ୍ଗିଲା ଅନେକ ବାସ ନଗର ପାଟଣା

କେତେଘର ଉଡ଼ିଗଲା ନ ହୁଏ ଠିକଣା ।

କ୍ରମେ ଧୂମାଳ ହୋଇଲା ଯେଣୁ ସର୍ବଶାନ୍ତ

ମଥୁରାର ଲୋକେ ଦେଖି ହେଉଛନ୍ତି ବ୍ୟସ୍ତ ।

ରାସ୍ତାମାନଙ୍କରେ ବଡ଼ ଗଛ ଛନ୍ତି ଶୋଇ

କେ ବୋଇଲା ରାମ କୃଷ୍ଣେ ଚାପେଥିଲେ ଯାଇ

କେଣେ ଗଲେ ଦେବକୀର ନନ୍ଦନ ସେଦୁହେଁ

ସଙ୍ଗେ ନେଇ ଯାଉଥିଲେ ଅସୁର ତନୟେ ।

ଆରେକ କହଇ ସଖୀ ଚାପରେ ସେ ଥିଲେ

ଦେଖ ଯମୁନାରେ ଚାପ ଦିଶୁନାହିଁ ଡୋଳେ ।

କାହିଁଥିଲା ଅକାଳର ଅଣଚାଶ ବାତ

ଖସି ପଡ଼ିଲା ପରାଏ କଲା ଉତପାତ ।

ଘର ଛାତ ଉଡ଼ିଗଲା ଘର ସାରା ଜଳ

ଶେଯ ଛୁଆଟା ମୋହର ହେଉଛି ବିକଳ ।

ତିକ୍ତିଗଲି ବରଷାର କି ମୂଷଳ ଧାର

କାନ୍ଥପଡ଼ି ଧନ ଦ୍ରବ୍ୟ ହୋଇଛି ଗୋ ଚୂର ।

କେ ବୋଇଲା ଜଳପାଇଁ ମୁହିଁ ଯାଇଥିଲି

ପବନରେ ସେଠାରୁ ମୁଁ ଆସି ନ ପାରିଲି ।

ଧୂଳି ବାଲି ଉଡ଼ାଇ ଗୋ ଅନ୍ଧାର କରିଲା

ପଡ଼ିଗଲି ଦେଖ ମୋ ପାଦ ଛିଡ଼ିଗଲା ।

ଘର ସାରା ଘର ପୁଣି ପଡ଼ିଗଲା କାନ୍ଥ

ଥିବା ଲୁଗା ଧନ ଦ୍ରବ୍ୟ ହୋଇଛି ଅନାସ୍ଥ ।

କେ ସନ୍ତାନ ଶୁଆଇଛି ଘରେ ତଡ଼ି କାନ୍ଥ

ମଲାଣି ସନ୍ତାନ ତାର କୃଷ୍ଣପାଦେ ଚିତ୍ତ ।

କାର ସ୍ୱାମୀ ଶ୍ରମକ୍ଲାନ୍ତେ ଘରେ ଥିଲା ଶୋଇ

କାନ୍ଥ ପଡ଼ି ପ୍ରାଣ ଗଲା ତାର ଲକ୍ଷ୍ୟ ନାହିଁ ।

ଦାଣ୍ଡରେ ବିକଳ ହୋଇ ଆଗେ ଦଉଡ଼ଇ

ଶୁଭେ କୃଷ୍ଣ ଅଛନ୍ତି କି ଥିଲେ ଚାପେ ଯାଇ ।

ବେନି ନୟନରୁ ବହେ କୃଷ୍ଣ ଲାଗି ନୀର

ଏ ବିପାକେ ଶୁଭେ ଅଛନ୍ତି ନା ନଟବର ।

ଅସୁର ପୁଅଙ୍କ ସଙ୍ଗେ ଗଲେ ଗୋ ଚାପକୁ

ଦଇବ କାହିଁକି ଦେଲା ଏଡ଼େ ବିପଦକୁ ।

କାହାର ଘର ଭାଙ୍ଗିଛି ତାର ଚିନ୍ତା ନାହିଁ

କୃଷ୍ଣ ଶୁଭେ ଅଛନ୍ତି ନ ଦେଖି ଦଉଡ଼ଇ ।

ଧନ ଦ୍ରବ୍ୟ ପୁତ୍ର ସ୍ଵାମୀ କେହି ଖୋଜୁ ନାହିଁ

ସମସ୍ତେ କୃଷ୍ଣ ବିଚ୍ଛେଦ ହୋଇଥାନ୍ତି ବାଇ ।

ଦରିଦ୍ର ରତନ ପରି ଦେଶବାସୀଙ୍କର

ହୋଇଛନ୍ତି କୃଷ୍ଣଚନ୍ଦ୍ର ନୟନ ଚକୋର ।

ବୃଦ୍ଧା ନାରୀମାନେ ଦାଣ୍ଡେ ବାହାର ହୁଅନ୍ତି

ତାଙ୍କ ସଙ୍ଗେ ଧାଇଁଛନ୍ତି ସମସ୍ତ ଯୁବତୀ ।

ସମସ୍ତେ ଚିନ୍ତା କରନ୍ତି ଦେବକୀ ନନ୍ଦନ

ଚାପେ ଯାଉଥିଲେ ସଙ୍ଗେ ଅସୁର ନନ୍ଦନ ।

ନାବ ପରେ ଥିଲେ ହେଲା ଏହିଁ ଅପଘାତ

ସତେ ଶୁଭେ ଅଛନ୍ତି ନା ଦୁଃଖୀର ସଙ୍ଗାତ ।

ଧାଇଁଛନ୍ତି ଆକୁଳରେ କୃଷ୍ଣ କୃଷ୍ଣ କହି

ପ୍ରେମେ ନୟନରୁ ନୀରଧାର ଯାଏ ବହି ।

ଅସୁର ତ କରୁଥିଲେ ମାରିବାକୁ ଚିନ୍ତା

ସବୁବେଳେ କାହ୍ନୁ ସଙ୍ଗେ କରନ୍ତି ଅହନ୍ତା ।

ତାଙ୍କ ସଙ୍ଗେ ଖେଳିଗଲେ କି ଯୋଗେ ଚାପକୁ

ଅକାଳ ଧୂମାଳ ହେଲା ପ୍ରଳୟ ରୂପକୁ ।

କେଣେ ଗଲେ ଦିଶୁନାହିଁ ନଦୀଗର୍ଭେ ଚାପ

କାହିଁ ଗଲେ ନବଘନ ଶ୍ୟାମଳ ସ୍ୱରୂପ ।

କାହାର ନାହିଁ ସେ ବେଳେ ବାହାରର ଜ୍ଞାନ

କୃଷ୍ଣଭାବେ ତରୁଣୀଏ ହୋଇଛନ୍ତି ମଗ୍ନ ।

ଭାବିଥିଲୁ ଦେଖୁଥିବୁ ନଟବର ରୁପ

ତାରଯୋଗୁଁ ମଥୁରାରେ ନାହଁ ରୋଗ ତାପ ।

ନାରୀମାନେ ଧାଇଁଛନ୍ତି ହୋଇଣ ବିକଳ

ଯମୁନା କୂଳ ବାଲିରେ ରାମ ଆଦିମୂଳ ।

ପଡ଼ିଛନ୍ତି ଲହରୀରେ ଭାସିଲା ପରାଏ

ଶ୍ୟାମଳ ଦେହରେ ବାଲି ଜରଜର କାଏ ।

ନାରୀମାନେ ଯାଇ ଧରିବାଲି ପୋଛି ଦେଲେ

ପଚାଶ ହାତରେ ରାମ ପଡ଼ିଛି ଦେଖିଲେ ।

କାହାଘେନି ଶୋଇଛରେ ଦେବକୀ ନନ୍ଦନ

ଅଚେତାରୁ ଚେତାପରି ଦିଶେ ଅନୁମାନ ।

ରକତ ଅଧରୁ ବାଲି ଦିଶେ ଅଳ୍ପ ଅଳ୍ପ

ଚୂଳ ବାଲିରେ ଧୂସର ନ ଦିଶେ ସ୍ଵରୂପ ।

ଗାଉଁଲୀ ଚାହିଁଅଛନ୍ତି ନ କହନ୍ତି କଥା

ଦେଖି ବଧୂମାନେ ସର୍ବେ ପିଟୁଥାନ୍ତି ମଥା ।

ଆରେ କହ୍ନାଇ ତୋ ଆଗେ ଜୀବନ ନ ଗଲା

ବଞ୍ଚିରହି ଏ ବିକଳ ନୟନ ଦେଖିଲା ।

ଯାହାର ମାୟା ଅଟଇ ଦେବେ ଅଗୋଚର

ତାକୁ ବା ଚିହ୍ନିବେ କାହିଁ ନାରୀ ମଥୁରାର ।

କରନ୍ତି ଭକ୍ତ ପରୀକ୍ଷା ସଙ୍ଗେ କଉତୁକ

ମାମୁଁ ପୁଅ ମଲେ ମାଈଁ ଦେବେ ଦୋଷ ଠିକ ।

ଲୋକ ଦେଖିବାକୁ ନଟକୂଟିଆ ଗୋବିନ୍ଦ

ମିଛେ ବାଲିରେ ଗଡ଼ିଣ କରିଛନ୍ତି ଛନ୍ଦ ।

ବିକଳେ କାନ୍ଦନ୍ତି ନାରୀ ଦେଖିଣ କୁରୂପ

କୋଳେଧରି ବାଲିଝାଡ଼ି ନାଶୁଛନ୍ତି ପାପ ।

ଧବଳ ଅଙ୍ଗ ରାମର ତନୁ ଝାଡ଼ିଦେଇ

ପଚାରନ୍ତି ବାବୁ କିମ୍ପା ନ ଗଲ ପଳାଇ ।

କାହା ରଙ୍ଗ ଅଧରରେ କମଳ ଲୋଚନ

ଜଳ ମଧ୍ୟେ ଚାପ ଥିଲା ଆସିଲା ପବନ ।

କାତରେ ଭାଇଙ୍କ ସଙ୍ଗେ ଆମ୍ଭେ ଦୁଇଜଣ

ଥିଲୁ ଅକାଳରେ ନାବେ ନାବ ହେଲା ଚୂର୍ଣ୍ଣ ।

ଅନ୍ଧକାରରେ ବାରି ହେଲା ନାହିଁ ଦ୍ୱୀପ

ବୁଡ଼ିଗଲୁ ଲହରୀ ଯେ ରଖିଲା ସ୍ୱରୂପ ।

ଯମୁନା କୂଳେ ଖୋଜନ୍ତି କମଳାରମଣ

କେଉଁ ଦିଗେ ଥିଲେ ମୋର ଭାଇ ଦୁଇଜଣ ।

ନାରୀଏ ବୋଲନ୍ତି ବାବୁ ତୁମ୍ଭେ ଘରେ ଆସ

ମାତା ଦେବକୀର ବୁଡ଼ି ଯିବଣି ନିଶ୍ଵାସ ।

ଏତେ କହି ସଙ୍ଗେ ଧରି ରାମକୃଷ୍ଣ ଦୁଇ

ମଥୁରା ତରୁଣୀ ଆଣୁଛନ୍ତି ତୋଷବହି ।

ରଙ୍କୁଣୀ ପାଇଲା ପରି ଅମୂଲ୍ୟ ରତନ

ଆଣୁଛନ୍ତି ତରୁଣୀ ଯେ ପ୍ରେମେ ହୋଇ ମଗ୍ନ ।

ଆଣୁଛନ୍ତି ତରୁଣୀ ସ୍ନେହେ କେଶ ଦିଅଇ ସଜାଡ଼ି

କେବା ଦେହରୁ ବାଲୁକା ଦେଉଛନ୍ତି ଝାଡ଼ି ।

ଓଦା ଲୁଗା ବାଲୁକା ରାଶିରେ ଅଛି ପୂର୍ଣ୍ଣ

ଝାଡ଼ି ଦିଅନ୍ତି ତରୁଣୀ କରିଣ ଯତନ ।

କ୍ରମେ ମଥୁରା ଦାଣ୍ଡରେ ହେଲେ ପରବେଶ

କ୍ରମେ ରମଣୀ ପୁତ୍ର ଛାଡ଼ିଗଲା କୃଷ୍ଣ ପାଶ ।

ମୋର ସ୍ୱାମୀ ଘରେ ଦେଖ ପଡ଼ିଅଛି କାନ୍ତ

ବାଳୁତ ପୁତ୍ର ତାହାର ହୋଇଅଛି ହତ ।

ଦାଣ୍ଡେ ରଖିଅଛି ସଙ୍ଗେ ଆଉଜଣେ ମୃତ

ଉଦ୍ଧାର କରିଣ କାନ୍ଥୁ ରଖନ୍ତି ତ୍ଵରିତ ।

ଦାଣ୍ଡରେ ଦେଖିଲେ ଦୂରେ କିମ୍ପାଲୋକ ରୁଣ୍ଡ

ପ୍ରବେଶିଲେ ରାମକୃଷ୍ଣ ଆସିଣ ଯେ ଚାଣ୍ଡ ।

ପଚାରନ୍ତି କିପରି ମରିଲେ ଏହି ଦୁଇ

ଲୋକ କହନ୍ତି ଅକାଳେ କାନ୍ଥଗଲା ଶୋଇ ।

ଜାଣିଲେ ଶିଶୁର ମାତା ମୋତେ ଦେଖିଗଲା

ପୁତ୍ର ମରିଅଛି ତାର ମୁହାଁସ ନ ଦେଲା ।

ବୋଲନ୍ତି ଶିଶୁର ମାତା ନେଉ କୋଳକରି

ସ୍ତନ ତୁଣ୍ଡେ ଦେଉ ପୁତ୍ର ଯାଇ ନାହିଁ ମରି ।

ଯାର ସ୍ୱାମୀ ମରିଥିଲା କହିଲେ ଏସନ

ଡାକି ନେଉ ତାର ନାରୀ ଉଠିବ ବହନ ।

ଏତେ କହି ଦୁଇ ମୃତପିଣ୍ଡ ଦେହେ ହାତ

ଦେଇ କହନ୍ତି ଏମାନେ ଅଛନ୍ତି ଜୀବିତ ।

ଦୟାକୁ ପୁରୁଷ ସେହି ଦେବକୀ ନନ୍ଦନ

ମୃତଲୋକ ଜୀଆଇଲେ ଆସିଗଲା ଜ୍ଞାନ ।

ମଥୁରା ଦାଣ୍ଡରେ ଯାଉଛନ୍ତି ଚକ୍ରପାଣି

ପଡ଼ିଲାଣି ରାଜପୁରେ ପୁତ୍ରର ଭାଳେଣି ।

ଶ୍ରୀଗୁରୁ ଅଚ୍ୟୁତାନନ୍ଦ ପଦେ ଦେଇ ମନ

ଦୀନ ଇନ୍ଦ୍ରମଣି କରେ କୃଷ୍ଣ ରସପାନ ।

 

ମଲ୍ଲପୁତ୍ର ଓ ହଂସଡିମ୍ବ ମୃତ୍ୟୁପରେ ମାତାମାନଙ୍କ ଶୋକ

ଶୁକ ବୋଇଲେ ହେ ଶୁଣ ପରୀକ୍ଷ ନୃପତି

କୃଷ୍ଣ ରସାମୃତ ଏହି ପୁଣ୍ୟମୟ କୀର୍ତ୍ତି ।

ପଦ ପଦକରେ ଝରୁଅଛି ଭକ୍ତିରସ

ଶୁଣିଲେ ମହାପାପୀର ହେବ ପୁଣ୍ୟ ଦୃଶ୍ୟ ।

ରାଜାପୁରେ ଉଗ୍ରସେନ ଦେଖି ଦୁର୍ଘଟନ

ପଠାଇଲେ ଦୂତ ଯାଅ ଯମୁନା ପୁଳିନ ।

ଚାପଖେଳି ଯାଇଥିଲେ ନାତିମାନେ ମୋର

ସଙ୍ଗତରେ ଥିଲେ ଅଷ୍ଟମଲ୍ଲଙ୍କ କୁମର ।

ଏ ବିପଦ ବେଳେ କାହିଁ ରହିଲେ କୁମର

ଶୀଘ୍ର ଆସି ଜଣାଇବ ଯାଅ ହେ ସତ୍ଵର ।

ଦେବକୀ ଓ ବସୁଦେବ ମହାଭୟ ପାଇ

ପ୍ରବେଶିଲେ ରାଜାପାଶେ ବୁଝିବାର ପାଇଁ ।

ଧୂମାଳ ବେଳେ କେଉଁଠି ରହିଲେ କୁମର

ଚାପ ଖେଳି ଯାଇଥିଲେ ରାମ ଯଦୁବୀର ।

ବସୁଦେବ ରାଜା ପାଶେ ନ ଦେଖିଣ ଗଲେ

ଉଗ୍ରସେନ ଦୁହିତାକୁ ବୁଝାଇ କହିଲେ ।

ବହୁବେଳୁ ପଠାଇଛି ମୁହିଁ ରାଜଦୂତ

ଏକ୍ଷଣି କହିବେ ଆସି ସମସ୍ତ ବୃତ୍ତାନ୍ତ ।

ଦୁଷ୍ଟ କଂସପୁତ୍ର ସଙ୍ଗେ ଗଲେ ମୋ କୁମର

ନ ବୁଝି ପଠାଇ ଦେଲେ ହୋଇ ହରବର ।

ଭଲେ ଫେରିବ କି ମୋର ଦୁଇଟି କୁମର

ନିଜ ପଦେ ଚାଲିଗଲେ ଉଗ୍ରସେନ ବୀର ।

ଖଣ୍ଡେ ଦୂରେ ବସୁଦେବ ଦେଖିଲେ କୁମର

ଦୁଇପାଖେ ହାତ ଧରି ଆସନ୍ତି ସତ୍ଵର ।

ଯମୁନା କୂଳରେ ଫେରି ଆସି ରାଜଦୂତ

ବାଟରେ ଉଗ୍ରସେନଙ୍କୁ କହେ ଯୋଡ଼ି ହସ୍ତ ।

ଭୋ ମଣିମା ସାବଧାନେ ଶୁଣ ତଥ୍ୟବାଣୀ

ନିଶ୍ଚୟ ବାରତା ଦେଖି ଆସିଲ ଏକ୍ଷଣି ।

ହଂସକ ଡିମ୍ବକ ନାମେ ଖେଳୁଥିଲେ ଚାପ

ମଲ୍ଲପୁତ୍ରମାନେ ଥିଲେ ତାହାଙ୍କ ସମୀପ ।

ରାମକୃଷ୍ଣ ବସିଥିଲେ ସେହି ନାବପରେ

ମଙ୍ଗ ଛଡ଼ାଇ ନାବକୁ ନେଲେ ବହୁଦୂରେ ।

ପ୍ରଚଣ୍ଡ ପବନେ ନାବେ ନାବ ବାଜି ଚୂର୍ଣ୍ଣ

ହେବାରୁ ମଝି ନଦୀରେ ହେଲେ ଜଳ ମଗ୍ନ ।

ନାବ ସଙ୍ଗେ ବୁଡ଼ିଗଲେ ସର୍ବେ ଏକାବେଳେ

ଲହରୀରେ କେତେ ଶବ ଲାଗିଅଛି କୂଳେ ।

କେତେକ ଭାସନ୍ତି ଶବ ଯମୁନା ଗର୍ଭର

ରାମକୃଷ୍ଣ କୂଳେ ଥିଲେ ଅଚେତ ଶରୀର ।

ମଥୁରା ତରୁଣୀ ତାଙ୍କୁ ସୁସ୍ଥ କରି ଆଣି

ଆବର ଦେଖିଲୁ ମୃତ ଶବଛନ୍ତି ପୁଣି ।

ନାଉରୀ ମଧ୍ୟରୁ ଆଉ ଜଣେ କେହି ନାହିଁ

କେଉଁଆଡ଼େ ଗଲେ ଖୋଜି ନପାଇଲେ କାହିଁ ।

ଶୁଣି ବୃଦ୍ଧ ମହୀପତି ହୋଇଲେ ଆକୁଳ

ବେନି ନେତୃ ବହି ପଡୁଥାଏ ଅଶ୍ରୁଜଳ ।

ଶୋକେ ମୂର୍ଚ୍ଛାଗତ ହେଲେ ଦେବକୀର ପିତା

କପାଳେ ହାତ ମାରିଲେ ସୁମରି ବିଧାତା ।

ସମୂଳରେ ନାଶଗଲା ଏବେ ମୋର ବଂଶ

କେବଣ ଦେବତାଠାରେ କଲି ମୁହିଁ ଦୋଷ ।

ଦିଗପାଳ ସମ ନାତିମାନେ ଗଲେ ମୋର

ବୃଦ୍ଧ ସମୟକୁ ଦୁଃଖ ହେଲା ଗୁରୁତର ।

କି କରିବି ଦଶଦିଗ ଅନ୍ଧାର ଦିଶଇ

ମୂର୍ଚ୍ଛାଗତ ହୋଇ ରାଜା ହେଲେ ଭୂମିଶାୟୀ ।

ସାତ୍ୟକି ସହସ୍ରାଜିତ ଉଦ୍ଧବ ଅକ୍ରୂର

ମୁଖେ ଜଳ ସିଞ୍ଚିବିଞ୍ଚି କୁସୁମ ପଙ୍ଖାର ।

ଶତ୍ରାଜିତ ଅନାଦୃଷ୍ଟ ଆଦି ଯେତେ ବୀର

ଆକୁଳ ହେଲେ ଦେଖିଣ ବୃଦ୍ଧ ମହୀପାଳ ।

ହସ୍ତ ଧରି ଧରି ନେଲେ ରାଜା ଉଗ୍ରସେନ

ଦୀର୍ଘଶ୍ୱାସ ଛାଡ଼ି ରାଜା କରନ୍ତି ରୋଦନ ।

ଜାଣିଣ ଯେ ଉଗ୍ରସେନ କାଳରୂପ ଧରି

କୌଶଳ କାଳହସ୍ତରେ ଦେଲେ ଯମପୁରୀ ।

ଆନ ବଳେ ହୁଅନ୍ତା କି କରିବେ ଏସନ

ବୀର ପଣେ ଦେବଙ୍କୁ ଯେ ଦେଲେ ଅପମାନ ।

ଏତେ ସହଜରେ କିଏ କରନ୍ତା ବିନାଶ

ଦୁଷ୍ଟ ନିବାରଣେ କୃଷ୍ଣ ହୋଇଛି ପ୍ରକାଶ ।

ଶୋକାକୁଳେ ଯାଉଛନ୍ତି ଉଗ୍ରସେନ ରାୟ

ଦାଣ୍ଡରେ ଶୁଣନ୍ତି ମଥୁରାର ପ୍ରଜାଚୟ ।

କହନ୍ତି ଭାରା ଉଶ୍ଵାସ ହୋଇଲା ଆମ୍ଭର

ଅସୁର କରୁଣ ଥିଲେ ବଡ଼ ଅତ୍ୟାଚାର ।

ଅନ୍ତରୁ ଆନନ୍ଦ ଆସେ ବାହାରକୁ ଦୁଃଖ

ଦେଖୁଛନ୍ତି ଯେଣୁ ରାଜା ଉଗ୍ରସେନ ମୁଖ ।

କେହି ପ୍ରଜା କହେ ଆହେ ମଥୁରା ରାଜନ

ତବ ଦେଶୁ ଅତ୍ୟାଚାରୀ ହୋଇଗଲେ ଶୂନ୍ୟ ।

ଚନ୍ଦନ ବୃକ୍ଷ ମୂଳରେ ରହିଥିଲେ ଅହି

କଲା କର୍ମ ଭୋଗ କରି ଚାଲିଗଲେ ସେହି ।

ଏହି ବେଳେ ପାପୀ ପୁଣ୍ୟବନ୍ତ ହୁଏ ଜଣା

ପାପୀ ଗଲେ ଲୋକହସେ ପୁଣ୍ୟକୁ କାନ୍ଦଣା ।

ବୃଥା ଶୋକ କର ସେ କି ଆସିବେ ଏଠାକୁ

ଯେ ଯାଏ ସେ ଆସେ ନାହିଁ ଜାଣ ତ ତାହାକୁ ।

ଏକ ଏକ କାନେ କଥା ହୋଇଣ ପ୍ରଚାର

ରାଜପୁରେ ରାଣୀମାନେ ପାଇଲେ ଖବର ।

ପଡ଼ିଲାକ ଅନ୍ତଃପୁର ମଧ୍ୟରେ ବୋବାଳି

ସମୁଦ୍ର ଗର୍ଜନ ପ୍ରାୟ କ୍ରନ୍ଦନ ଉଛୁଳି ।

ଧାଈ ମୁଦୁସୁଲୀ ପରିଚାରୀ ଓ ପୋଇଲୀ

ଏମାନଙ୍କ ସଙ୍ଗେ ପାଟରାଣୀ ଆହାବୋଲି ।

ନାତି ମୃତ୍ୟୁ ଶୁଣି ପାଟରାଣୀ ଇନ୍ଦୁମତୀ

ଆହା କହି କାନ୍ଦି ତଳେ ଗଡ଼ି ମୂର୍ଚ୍ଛାଯାନ୍ତି ।

କଂସ ନାରୀମାନେ ଶୁଣି ପୁତ୍ର ମୃତ୍ୟୁ ବାର୍ତ୍ତା

ହେତୀ ପ୍ରହେତୀ ସେ ହସଂକ ଡିମ୍ବକ ମାତା ।

ମୂର୍ଚ୍ଛାହୋଇ ଅବନୀରେ ପଡ଼ି ଅସମ୍ଭାଳେ

ଆହେ ପୁତ୍ର କେଣେ ଗଲ କାନ୍ଦନ୍ତି ବିକଳେ ।

ଜରାସନ୍ଧ ନୃପତିର ସେ ବେନି ଦୁହିତା

ବିଧବା ପୁତ୍ରଙ୍କୁ ଚାହିଁ ଛାଡ଼ି ପତି ଚିନ୍ତା ।

ଆହାରେ ମନ୍ଦ ଦଇବ କଲୁକି ବିଚାର

ପତି ନେଇଥିଲୁ ସାଧନ ମେଣ୍ଟିଲା ତୋର ।

ସ୍ଵାମୀକୁ ପାସୋରି ଥିଲୁ ଯାହା ମୁଖ ଚାହିଁ

ତାହାଙ୍କୁ ହରିଲୁ ତୋର ଦୟା ହେଲା ନାହିଁ ।

ଲୁହାଠାରୁ କଠିଣ ତ ହୃଦୟ ତୋହର

କିପରି ତୋ ହାତ ଗଲା କଲୁ ଏ ବିଚାର ।

କାହ। ମୁଖ ଦେଖି ଆଉ କଟାଇବୁ ଦିନ

ବିଧାତା ଭଗାରୀ ହେଲେ ବଞ୍ଚିବୁ କେସନ ।

ଆହେ ପୁତ୍ର ବୋଲି ଅଚେତନ ହେଲେବାଳୀ

ମୁଦୁସୁଲୀମାନେ ଭୂମିପରୁ ଧରି ତୋଳି ।

କେଶଦାସ ଅସମ୍ଭାଳ କରନ୍ତି ରୋଦନ

କଳା ପଡ଼ିଗଲା ସ୍ୱର୍ଣ୍ଣ ଜିଣା ସେ ବଦନ ।

ଦେହରେ ସନ୍ତାପ ମନହେଉଛି ବିକଳ

ଆରେ ହଂସ ଡିମ୍ବ ଆମ୍ଭ ନୟନ ସମ୍ବଳ ।

ଦିଗପାଳ ପରି ତୁମ୍ଭେ ଥିଲରେ କୁମର

ଦିଶିଯାଉଛି ନୟନେ ସେ ମୁଖ ତୁମ୍ଭର ।

କାହାର କେବଣ ଦ୍ରୋହ କଲୁ କରି କୂଟ

ଯୁବାକାଳେ ପଡ଼ିଲା ଏ ପତି ପୁତ୍ର କଷ୍ଟ ।

ଦଶ ଦିଗ ଅନ୍ଧକାର ଦିଶୁଅଛି ଧନ

କାହାମୁଖ ଦେଖି ବାବୁ କାଟିବୁ ଏ ଦିନ ।

ପତି ଯାର କଂସ ଥିଲେ ତିନିପୁରେ ବୀର

ଜରାସନ୍ଧ ପିତା ଯାକୁ ଲକ୍ଷେ ରାଜା ଡର ।

ଏଡ଼େ କୁଳେ ଜନ୍ମ ହୋଇ ହେଲୁ ହିନମାନୀ

ମେଣ୍ଟିଣ ନ ଗଲା ଦଇବର ଏ ଲେଖନୀ ।

ଗଙ୍ଗାକୂଳେ ରହି ପିପାସାରେ ଯାଏ ପ୍ରାଣ

ସପ୍ତନିଧି ଥାଉ ଦରିଦ୍ରତା ଏ କଷଣ ।

କାହାକୁ କହିବୁ ବାବୁ କିଏ ଦେବ ବୁଦ୍ଧି

ପତି ସଙ୍ଗେ ପୁତ୍ରଗଲା ବାମ ହେଲା ବିଧି ।

ବନ ପୋଡ଼ିଗଲେ ଜାଣୁଥାନ୍ତି ସସ୍ରଜନ

ମନ ପୋଡ଼ା ମନେ ମରି ନ ହୋଇବ ଆନ ।

ଆରେ ରଙ୍କୁଣୀ ରତନ ହଂସ ଡିମ୍ବ ବେନି

କେଉଁ ଦୋଷ କଲେ ବାପ ଏଡ଼େ ହୀନମାନୀ ।

ଯେତେ ବୁଝାଇଲି ନ ବୁଝିଲ ପିତା ପରି

ସର୍ବଦା କହିଲେ ନାଶିବାକୁ ପିତା ବୈରୀ ।

ଆଉ କିଏ ଏ ପୁରରେ ହେବ ଆସି ସାହା

କିଏ କହିବରେ ବାବୁ ଆମ୍ଭପାଇଁ ଆହ ।

କାହା ଲାଗି ରଖିଗଲ ସଙ୍ଗରେ ନ ନେଇ

ଚିରଦିନ କନ୍ଦାଇବ ବେଦନାକୁ ନେଇ ।

ବଇରୀ ହୋଇଲେ ଆସି ଦେବକୀ ନନ୍ଦନ

ଆଗେ ସ୍ୱାମୀ ମାରି ପୁତ୍ର କରିଲେ ନିଧନ ।

ବୀରଙ୍କ ଉପରେ ଥିଲ ତୁମ୍ଭେ ମହାବୀର

କ୍ଷଣିକରେ ବାପ ସେମାନଙ୍କୁ ଜିଣିପାର ।

ଆମ୍ଭ ସଙ୍ଗେ ମଲ୍ଲ ପୁତ୍ର ଥିଲେ ବଳିୟାର

ଦେବ ଗନ୍ଧର୍ବକୁ ରଣେ ସାଧ୍ୟ କରିପାର ।

ସାମାନ୍ୟ ବଳରେ କିଏ ପାରନ୍ତା ବା ମାରି

ନିଶ୍ଚୟ ଦେବକୀ ପୁତ୍ର ହୋଇଲା ଭଗାରୀ ।

ମାମୁଁକୁ ମାରି ତାହାର ଆଶା ନ ମେଣ୍ଟିଲା

ପୁଣି କୂଟକରି ମୋର ପୁତ୍ରକୁ ମାରିଲା ।

ଶୋକେ ଦେହ ଦହି ହୁଏ ଦହି ହେଲାପରି

ଅଚେତାରେ ଭୂମିପରେ ଶୋଇଲେ ସୁନ୍ଦରୀ ।

ଆକାଶକୁ ଚାହିଁ ଧର୍ମ କରନ୍ତି ଯେ ସାକ୍ଷୀ

ଭୋ ଧର୍ମ ଦେବତା ଆମ୍ଭେ ହେଲୁ ନିରିମାକ୍ଷୀ ।

ମହାରାଣୀ ଇନ୍ଦୁମତୀ ବାୟାଣୀ ପରାଏ

ନାତିମାନଙ୍କ ମୃତ୍ୟୁରେ ପ୍ରାଣ ଦହି ହୁଏ ।

ପୁତ୍ର ଗଲା ଧୈର୍ଯ୍ୟଧରି ରହିଲା ପାଷାଣୀ

ଏବେ ନାତି ମୃତ୍ୟୁ ଦେଖି ହେଲି ହିନିମାନୀ ।

ଦିଗପାଳ ସମ ନାତି ଦୁଇଟି ମୋହର

କପଟ କରି ମାରିଲା ଦେବକୀ କୁମର ।

ଆଉ କାହା ମୁଖ ଦେଖି ରଖିବି ଜୀବନ

ନିଶ୍ଚୟେ ମୃତ୍ୟୁ ମୋହର ହୋଇଲା ଘଟନ ।

ମାମୁଁକୁ ମାରି ତାହାର ଆଶା ମେଣ୍ଟି ନାହିଁ

ଭାଇକୁ ମାରିଲା ପୁଣି କପଟ କରଇ ।

ଏତେ କହି ରାଜରାଣୀ ହେଲେ ଅଚେତନ

ପୂର୍ଣ୍ଣଚନ୍ଦ୍ର ମୁଖେ ଗ୍ରାସେ ବିଷାଦ ମଳିନ ।

ରାଜପୁରେ ଦେବକୀ ଯେ ହୁଅନ୍ତି ବିକଳ

କାହିଁ ମୋର ରାମ କୃଷ୍ଣ ଦୁଃଖିନୀ ସମ୍ବଳ ।

ଏ ସମୟେ ବସୁଦେବ ସୁଦେବ ଅମାତ୍ୟେ

ସାତ୍ୟକି ଉଦ୍ଧବ ଆଦି ଯାଦବଙ୍କ ସାଥେ ।

ରାମକୃଷ୍ଣ ସଙ୍ଗେ ଧରି ଆସିଲେ ପୁରକୁ

ଦେବକୀ ପାଇଲା ପରି କୋଟି ରତନକୁ ।

କୋଳେ ନେଲେ କୁମରକୁ ଶିର ଝାଡ଼ି ଦେଇ

କାହିଁ ଯାଇଥିଲ ଆରେ ମୋ ବାଳ ତନୟୀ ।

ଆରେ ମୋ ନୟନତାରା ରଙ୍କୁଣୀ ରତନ

ଏ ବିପାକ ବେଳେ କାହିଁ ଥିଲରେ ନନ୍ଦନ ।

ରାମକୃଷ୍ଣ ଆସିବାର ଜାଣି ପୁରଜନେ

ପ୍ରବେଶ ହୋଇଲେ ଆସି ତାଙ୍କ ସନ୍ନିଧାନେ ।

ଧାଈ ମୁଦୁସୁଲୀ ପୋଇଲି ଯେ ପରିବାରୀ

ସମସ୍ତେ ରାମକୃଷ୍ଣଙ୍କ ପାଶେ ଗଲେ ଘେରି ।

ମହାରାଣୀ ଇନ୍ଦୁମତୀ ଆସିଲେ ସେ ସ୍ଥାନ

ଦେଖିଲେ ବିଷାଦ ରାମ କୃଷ୍ଣଙ୍କ ବଦନ ।

ବୋଲନ୍ତିରେ ପୀତବାସ କମଳ ଲୋଚନ

କାହିଁଗଲେ ମୋର ହଂସ ଡିମ୍ବ ଦୁଇଜଣ ।

ଯାଇଥଲେ ଖେଳିବାକୁ ଚନ୍ଦନର ଚାପ

ଏ ଦୁର୍ଯ୍ୟୋଗ ବେଳେ କାହିଁ ରହିଥିଲେ ବାପ ।

ବାପ ଛେଉଣ୍ଡ ଛୁଆ ସେ ନାତି ଦୁହେଁ ମୋର

କେଉଁଠି ରହିଲେ କହ ଆରେ ଦାମୋଦର ।

ପୁଣି ଶ୍ରୀକୃଷ୍ଣ ବିକଳେ କହନ୍ତି ଗୋ ଆଈ

ଦଇବ ବିପାକ ହେଲା ଧୂମାଳ କିମ୍ପାଇ ।

ଯିବାବେଳେ ଆକାଶ ତ ନିରିମଳ ଥିଲା

ଖରା ଦିନଟାରେ ଏତେ ଉତ୍ପାତ ହୋଇଲା ।

ସେ ଚଉଦ ଜଣ ସଙ୍ଗେ ଆମ୍ଭେ ଦୁଇଭାଇ

ଯମୁନା ନଦୀ ମଧ୍ୟରେ ଚାପେ ଥିଲୁ ରହି ।

ଅକାଳ ଧୂମାଳ କାହୁଁ ଥିଲା ଗୋ ଆସିଲା

ସୁଉ ସୁଉ ହୋଇଧୂଳି ବାଲି ଉଡ଼ାଇଲା ।

ଦଶଦିଗ ଅନ୍ଧକାର ଦିଶିଲା ସେ କାଳେ

ଚିହ୍ନିହେଲା ନାହିଁ ନିଜ ଲୋକ ସେହିବେଳେ ।

କାନରେ ସେ ପ୍ରତିଶବ୍ଦ ବାଜି ଘନ ଘନ

ଶୁଭିଲା ନାହିଁ ବଧିର ପରାଏ ବଚନ ।

ଅନ୍ଧପରି ଅଣ୍ଡାଳି ହୋଇଲୁ ଚାପ ପରେ

ଘଡ଼ଘଡ଼ି ଚଡ଼ଚଡ଼ି ଶୁଣି ଆମ୍ଭେ ଡରେ ।

ପ୍ରତିକାର ନ ପାଇଣ ହୋଇଲୁ ଅଧୀର

ମୂଷଳଧାରା ପରାଏ ବରଷିଲା ନୀର ।

ପବନରେ ଅନ୍ୟ ଚାପ ସଙ୍ଗେ ଚାପ ବାଜି

କାଚ କେରୁଆଳ ନ ମାନିଣ ଗଲା ଭାଜି ।

ଆକୁଳରେ କୁଣ୍ଢା କୁଣ୍ଢି ହୋଇଲୁ ସକଳ

ନିଜ ପ୍ରଭୁ ନ ଚିହ୍ନିଣ ସରବେ ବିକଳ ।

ଯମୁନାର ଜଳ ବଢ଼ି ପ୍ରଳୟ ପରାଏ

କ୍ଷଣିକରେ ଆମ୍ଭେ ବୁଡ଼ିଗଲୁ ସମୁଦାୟେ ।

ଦଇବ ଯୋଗେ ଲହଡ଼ି କୂଳେ ଦେଲା ତଡ଼ି

ଅଚେତାରେ ନଦୀକୁଳେ ଥିଲି ମୁହିଁ ପଡ଼ି ।

ନଗର ତରୁଣୀ ମାନେ ଯାଇଥିଲେ ତେଣେ

ସଚେତନ କଲେ ରହିଗଲି ସିନା ପ୍ରାଣେ ।

ରାମଭାଇ ପଡ଼ିଥିଲେ ଖୋଜିଣ ପାଇଲି

ଜୀବନ ଥିବାରୁ କାନ ଫୁଙ୍କି ବଞ୍ଚାଇଲି ।

ମଲ୍ଲଙ୍କ ତନୟ ତହିଁ କୂଳେ ଥିଲେ ଲାଗି

ଦେଖିଲି ପରାଣ ନାହିଁ ଖୋଜିଲି ମୁଁ ବେଗି ।

ଆଉ ସବୁ ପରି ଜଲେ ଭାସୁଅଛି ଶବ

ହଂସ ଡ଼ିମ୍ବକ ଖୋଜିଣ ନ ପାଇଲି ଠାବ ।

ଦେଖ ଆଈ ମୋର ଚୂଳ ମୁଳେ ପଶି ବାଲି

ଲାଗିଅଛି କେତେକଷ୍ଟ ପରାଣେ ପାଇଲି ।

ମୋହପରି ଅଭାଗା କେ ଜଗତରେ ନାହିଁ

ମାମୁଁ ଘର ଆସିଲି ମୁଁ କେତେ ବହି ।

ମୋତେ ଦେଖି ମାମୁଁ ମଲେ ହେଲା ଅପବାଦ

ଏବେ ଦଇବ କରିଲା ଆଣି ଏତେ ଛନ୍ଦ ।

ମାମୁଁ ଘର ପୁଅ ପୁଣି ମୋର ବଡ଼ ଭାଇ

ଖେଳୁ ଖେଳୁ ଯମୁନା ଜଳରେ ମଲେ ସେହି ।

ମୋତେ କାହିଁକି ଦଇବ ପରାଣେ ରଖିଲା

କାହାଘେନି ମାମୁଁ ଘରେ ରହିବ କି ହେଲା ।

ମରିଥିଲେ ମାମୁଁ ଭୁଲିଗଲି ଦେଖି ଭାଇ

ବଡଭାଇ ମୋର ସ୍ନେହ କରୁଥିଲେ ସେହି ।

କେତେ ଶରଧାରେ ମୋତେ ନେଇଥିଲେ ଡାକି

ଚନ୍ଦନ ଚାପ ଖେଳିବା ଆନନ୍ଦେ ପୁଲକି ।

ମୋର ମନ ଖୁସି ପାଇଁ ମାମୁଁ ପୁଅ ଭାଇ

କଳି କରୁଥାନ୍ତି କେତେ ମାଇଁ ତୁଲେ ସେହି ।

କେତେ ଖେଳ କରିବାକୁ କରନ୍ତି ବିଚାର

ମଲ୍ଲଙ୍କ ପୁଅ ସଙ୍ଗତେ ବସି ନିଜନର ।

ନ ସହିଲା ଦଇବ ଯେ ମୋର ଖେଳ ସୁଖ

ସବୁବେଳେ ଦେଉଅଛି ଦୁଃଖ ପର ଦୁଃଖ ।

ଅଥଳ ନଦୀରେ କିମ୍ପା ନ ନେଲା କୁମ୍ଭୀର

ମୋତେ ଛାଡ଼ି ଭାଇଙ୍କୁ ମୋ କରିଲା ଆହାର ।

ମାମୁଁ ମଲାଦିନୁ ଚାହିଁଥିଲେ ମାମୁଁ ପୁଅ

ଏବେ ମୁଁ ଛେଉଣ୍ଡ ହେଲି ଛଡାଇଲୁ ମୋହ ।

କାହା ସଙ୍ଗେ ଖେଳିବୁ ଏ ମଥୁରା ନଗରେ

ମଲ୍ଲପୁତ୍ରମାନେ ମୋତେ ଦେଖନ୍ତି ସ୍ନେହରେ ।

ସମସ୍ତଙ୍କୁ ନେଲା ଯମ ମୋତେ ଦେଲା ଛାଡ଼ି

ଯମୁନା ନଦୀ ଭିତରୁ ଆସିଲି ବାହୁଡ଼ି ।

ସବୁ ସାଙ୍ଗ ଚାଲିଗଲେ ଭାଇ ସଙ୍ଗେ ମୋର

ଜାଣିଲି ଦଇବ ତୋର ବଡ଼ ଅବିଚାର ।

ଏତେ କହି କୃଷ୍ଣ ନୟନରୁ ବହେ ଜଳ

ସମସ୍ତେ ଦେଖନ୍ତି କୃଷ୍ଣ ହୁଅନ୍ତି ବିକଳ ।

ଆହାଭାଇ ଉପକାରୀ ତୁମ୍ଭପରି ସ୍ନେହ

ଆଉ କିଏବା କରିବ ଥରେ ଆସି କୁହ ।

ପିଉସୀ ପୁଅ ବୋଲିଣ ତୁମ୍ଭେ ରାତିଦିନ

ସ୍ନେହକର ରୁଚେନାହିଁ ତୁମ୍ଭଙ୍କୁ ଭୋଜନ ।

ସବୁବେଳେ ଦେଖୁଥିଲୁ ବାଟଘାଟେ ଛକି

ଖଣ୍ଡାଧରି ବୁଲୁଥିଲୁ ଶତ୍ରୁକୁ ବିଲୋକି ।

ମୋର ଭଲପାଇଁ ମଲ୍ଲ ପୁତ୍ରକୁ ଡ଼କାଇ

ଜଗାଇଲ ହାଟ ବାଟ ଘାଟରେ ଛକାଇ ।

ଆହା ଭାଇ କେଣେ ଗଲେ ଏତେ ସ୍ନେହ ଛାଡ଼ି

ତୁମ୍ଭେଗଲ ମୋତେ ସଦାବେଳେ ଲୋଡ଼ିଲୋଡ଼ି ।

ସେଠରେ ମାମୁଁ ଦେଖିଲେ ନିଶ୍ଚେ ଗାଳିଦେବ

ଛାଡ଼ିଗଲେ ଭାଇ ମୋର ବୁଡ଼ାଇଣ ସର୍ବ ।

କହିଗଲେ କାହିଁ ଆଈ କିଏ ତୁମପରି

ସ୍ନେହକରି ଖେଳାଇବ ସଙ୍ଗେ ମେଳିକରି ।

ଯମୁନା ତଟରେ କିଏ କରିବ ବିଚାର

ଆମ୍ଭେ ଖେଳିବାକୁ ଯାଉ ଛଣପଟ ଘର ।

ଶୋକେ ଦେବୀ ଇନ୍ଦୁମତୀ ହୋଇଣ ଅଧୀର

ବୋଇଲେରେ କୃଷ ମାୟାକେ ବୁଝିବ ତୋର ।

ମାୟାଧର ପୁରୁଷ ତୁ ନିର୍ଦ୍ଦୟ ହୋଇଲୁ

ମୋର ସବଂଶକୁ ମାରି ଯଶ ଉଡ଼ାଇଲୁ ।

ମାମୁଁଙ୍କୁ ମାରିଣ ତୋର ସାଧ୍ୟ ନମେଣ୍ଟିଲା

ଭାଇକୁ ମାଇଲୁ ପୁଣି ମୋ ଆଖି ଦେଖିଲା ।

ମୁଁ ପାପିନୀ ଏ ଜୀବନେ କିସ ପ୍ରୟୋଜନ

ପୁତ୍ର ନାତି ମଲେ ଦେଖି ରହିବି କେସନ ।

ଗଳେ ଫାଶ ଦେବି କିବା ଅନଳେ ପଶିବି

ଆତ୍ମାଘାତୀ ହେଲେ ହେବି ସହି ନ ପାରିବି ।

କାହାକୁ କହିବି ମୋର କର୍ମ ଲେଖା ବାଣୀ

ତୋର ଯୋଗେ କୃଷ୍ଣ ମୋର ବଂଶ ବୁଡ଼ିଲାଣି ।

ସେବେଳେ ପ୍ରବେଶହେଲେ ହେତୀଯେ ପ୍ରହେତୀ

କହ ବାପ କୃଷ୍ଣ ମୋର ପୁତ୍ର ଯେ କାହାନ୍ତି ।

ତୋର ସଙ୍ଗେ ଯାଇଥିଲେ ଚନ୍ଦନ ଚାପକୁ

କାହିଁକି ଛାଡ଼ି ରହିଲେ ସେ ତୋର ସାଙ୍ଗକୁ ।

କେଉଁଠି କରିଲ ବାବୁ କୂଟ କରି ହତ

ପତି ମାରିଥିଲୁ ପୁଣି କଲୁ ଏହି କୃତ୍ୟ ।

ଦେବକୀ ଲାଗି ମୋହର ବଂଶ ବୁଡ଼ିଗଲା

କେଉଁ ଦୋଷ କଲେ ପୁତ୍ର ଏତେସରି ହେଲା ।

ତୋର ଭାଇ କଲା ଯେଣୁ ତୋର ପୁତ୍ର ହତ

ପୁତ୍ର ହାତେ ତାଙ୍କୁ ମାରି ହୋଇଲୁ ତୁ ସୁସ୍ଥ ।

ବାଳ କୁମର ତୋହର କଲେ କେଉଁ ଦୋଷ

ତାଙ୍କୁ ମରାଇଣ ଅରଜିଲୁ କେଉଁ ଯଶ ।

କହନ୍ତି ଦେବକୀ ନ କହିବା କଥା କହୁ

ନିଜ କଲା କର୍ମ ଛାଡ଼ି ପରେ ଦୋଷ ଦେଉ ।

ଯେବେଳେ ସ୍ୱାମୀ ତୋହର ମୋତେ ବିନାଦୋଷେ

ବନ୍ଦୀ କରି ରଖାଇଲା ତୁମ୍ଭେ ଥିଲ ପାଶେ ।

ବନ୍ଦୀଘରେ ରଖି ପେଟପୁରା ଖାଦ୍ୟ ପାଇଁ

କେତେ ତୋତେ କହେ ହସୁ ଟହ ଟହ ହୋଇ ।

ମୁଣ୍ଡେ ଦିଏ ନାହିଁ ତେଲ ଚୂଳ ଲଣ୍ଡା ହେଲି

ମୋତେ ଦେଖି ମୁଖ ଛାଟି ଯାଅ ଦେଖିଥିଲି ।

ମୋ ଆଗରେ ଯାଅ ସାଜି ବିନୋଦିନୀ ବେଶ

ନାକରେ ରୁମାଲ ଦିଅ ବାଜିବ ମୋ ବାସ ।

ଅତି ବିକଳରେ ବୋଉ ବୋଉ ଡାକୁଥାଏ

ଶୁଣି ନ ଶୁଣିଲା ପରି କର ଅଭିନୟେ ।

ଶେଯ ଛୁଆ ଛଡ଼ାଇଣ ମାରୁଥିଲା ବେଳେ

କୁହନା ନିର୍ଦ୍ଦୋଶୀ କିମ୍ପା କଚାଡୁଛ ଶିଳେ ।

ଏତେ ଦେଖି କଥା କୁହ ନାହିଁତ ପଦିଏ

ମୋ ଦୋଷ ଦିଅ ମୁଁ ତ ପୁଅକୁ ନ କହେ ।

ଖେଳିଯାଇଥିଲେ ନଦୀ ମଧ୍ୟରେ ଧୂମାଳ

ନାବ ଚୂର୍ଣ୍ଣ କଲା ବୁଡ଼ି ମରିଲେ ସକଳ ।

କାହାର ଏ ଦୋଷ ସବୁ ଦଇବର ଖେଳ

ଧର୍ମବଳେ ବଞ୍ଚି ରହିଗଲେ ମୋର ବାଳ ।

ନିଜ କଲା କର୍ମ ଫଳ ଭୋଗନ୍ତି ସକଳ

ଦଇବ ଦୋଷ ଦିଅନ୍ତି ଭ୍ରମରେ କେବଳ ।

ଇନ୍ଦୁମତୀ କହୁଛନ୍ତି କିମ୍ପା ବାଇ ହୁଅ

ଧରା ଉଶ୍ୱାସିବ ଜନ୍ମ ଦେବକୀର ପୁଅ ।

ଦୁଷ୍ଟମାରି ସାଧୁଜନ ପାଳିବାର ପାଇଁ

କପଟରେ ଜନମ ସେ ନରଦେବ ବହି ।

ନିରାକାର ପୁରୁଷ ସେ ସ୍ଵୟଂ ବିଶ୍ୱବାସ

ପାପପୁଣ୍ୟ ତା ଅଙ୍ଗରେ ଲାଗୁ ନାହିଁ ଲେଶ ।

ଯେ ଯାହାକୁ ମାରିବ ତାକୁ କେରକ୍ଷା କରିବ

ଆମ୍ଭେ ଶୋକ କଲେ ଏତେ କିସ ବା ମିଳିବ

ସେହି କୃଷ୍ଣ ଯଦି କରିବେଟି ଅନୁଗ୍ରହ

ତାର କି ଅଭାବ ହେବ କରି ତାକୁ ଲୟ ।

ହେତୀ ପ୍ରହେତୀ ଅଟନ୍ତି ଅସୁର କୁମାରୀ

କୃଷ୍ଣଙ୍କୁ ଚିହ୍ନିବେ କାହିଁ ଶକତି ତାଙ୍କରି ।

କହୁଛନ୍ତି କ୍ରୋଧେ ପୁଣି କ୍ରନ୍ଦନର ଛଳେ

ନୟନରୁ ନୀରଧାର ବହିଯାଏ ତଳେ ।

ଆରେ କୃଷ୍ଣ ତୋର ଯୋଗୁ ଲିଭିଲା ସିନ୍ଦୂର

ପୁଣି କପଟରେ କଲୁ ପୁତ୍ରକୁ ସଂହାର ।

ଭର୍ତ୍ତାକୁ ପାସୋରି ଥିଲୁ ଦେଖି ପୁତ୍ର ମୁଖ

କା ଘେନି ବଞ୍ଚିବୁ ଆଉ ଅଛି କେଉଁ ସୁଖ ।

ସଂସାରେ ଚାହିଁବୁ ଆମ୍ଭେ ଆଉ କାହା ମୁଖ

ସ୍ଵାମୀ ଶୋକଠାରୁ ବଳିଗଲା ପୁତ୍ର ଶୋକ ।

ଦିଗପାଳ ଚୂଡ଼ାମଣି କଂସ ଯାର ପତି

ଯାର ପିତା ଜରାସନ୍ଧ ତ୍ରିଭୁବନ ପତି ।

ଏଡ଼େ ବଡ଼ କୁଳେ ଆମେ ହୋଇଥିଲୁ ଜାତ

ମେଣ୍ଟନ ନ ହେଲା ଦୁଃଖ ଦଇବର କୃତ ।

ସିନ୍ଧୁଜଳେ ପଶି ଆମ୍ଭ ପାଦ ନ ତିନ୍ତିଲା

ସପ୍ତନିଧି ପାଇ ଦରିଦ୍ରତା ସିନା କଲା ।

ମନ ସିନା ଜାଣୁଅଛି ମନର ବେଦନା

କାହାକୁ କହିବୁ କିଏ ଘେନିବ ସୂଚନା ।

କହନ୍ତି ଶ୍ରୀକୃଷ୍ଣ ମାଇଁମାନଙ୍କୁ ବୁଝାଇ

ଚକ୍ଷୁନୀର ବସନରେ ନିଜେ ପୋଛି ଦେଇ ।

ବୃଥା କିମ୍ପା ରୋଦନ କରୁଛ ଆଗୋ ମାଈଁ

ଏ ସଂସାରେ କର୍ମ ଫଳ ପ୍ରାଣୀ ଭୋଗୁଥାଇ ।

ଯେଯାହା କଲେ କରଇ ସେହିସେ ଫଳ ପାଇବ

କର୍ମ କ୍ଷେତ୍ର ଏ ସଂସାର କର୍ମ ଗୋଟି ଧ୍ରୁବ ।

ସୁଖ ଦୁଃଖ ସୁଖ ଏ ଦେହ ଅଟଇ

ସୁଖ ପରେ ଦୁଃଖ ଦୁଃଖ ପରେ ସୁଖ ହୋଇ ।

ସୁଖ କରିଥିଲେ ପୁଣି ଦୁଃଖ ପାଇବ

କେହିତ କାହାର ନୁହେଁ ଆସେ ଯାଏ ଜୀବ ।

ଏ ସମୟେ ତହିଁ ପ୍ରବେଶିଲେ ଉଗ୍ରସେନ

କହନ୍ତି ବୁଝାଇ ରାଜା ତଥ୍ୟର ବଚନ ।

ଦେବଧିଦେବ ଅଟନ୍ତି ଯେଉଁ ଚକ୍ରଧର

ଶୁଭାଶୁଭ କର୍ମକୁ ସେ କରନ୍ତି ବିଚାର ।

ଭାରା ନିବାରଣ ପାଇଁ ହେଲେ ଅବତାର

ବିନାଶ କରିବେ ପୁଣି ଅବନୀର ଭାର ।

ସ୍ଥାବର ଜଙ୍ଗମ ଆଦି ସୃଷ୍ଟିର କରତା

ଲିହତି ବିହନ୍ତି ସେହି ସରବ କରତା ।

ରାଜାଙ୍କ କଥାରେ ହେଲେ ପୁରବାସୀ ଶାନ୍ତ

ଦେବକୀ ଦେବୀଙ୍କ ପୁରେ ରାମ ଜଗନ୍ନାଥ ।

ନାତିମାନଙ୍କ ଅନ୍ତେଷ୍ଟି କ୍ରିୟା କରାଇଲେ

ଏ ଉତ୍ତାରୁ ପରୀକ୍ଷକୁ ଶୁକ ଯତି ବୋଲେ ।

ସ୍ଵର୍ଗ ଦେବତାଙ୍କ ମେଳେ ଥିଲେ ସୁନାସୀର

ଦୂତ ଜଣାଇଲେ ମର୍ତ୍ତ୍ୟପୁର ସମାଚାର ।

ଭୋଦେବ ମର୍ତ୍ତ୍ୟରେ ଆଜି ନର ନାରାୟଣ

କଂସ ପୁତ୍ରକୁ ସଙ୍ଗରେ ଯମୁନା ନେଇଣ ।

ଅଷ୍ଟମଲ୍ଲପୁତ୍ର ତୁଲେ ସେ ଚଉଦ ଜଣ

ବୁଡ଼ି ମଲେ ଜଳେ ଦେଖି ଆସିଲି ଏକ୍ଷଣ ।

ଆଜିଠାରୁ ମଥୁରାରୁ ହେଲେ ଦୁଷ୍ଟ ହତ

ଶୁଣି ଦେବଗଣ ହେଲେ ହରଷିତ ଚିତ୍ତ ।

ସଭାମଧ୍ୟେ ବୃହସ୍ପତି କହନ୍ତି ବଚନ

କଂସ ପୁତ୍ର ମଲେ ହେବ ଜରାସନ୍ଧ ରଣ ।

ହେତୀ ପ୍ରହେତୀ ଅଟନ୍ତି ଜରାର ଦୁହିତା

କହିବେ ବିନୟ ନାଶଗଲେ ପୁତ୍ରକର୍ତ୍ତା ।

ହେଲା ସୁତ୍ରପାତ୍ର ଏବେ ଦ୍ଵାରିକା ଗମନ

ମଥୁରା ତେଜିବେ ପୁଣି ରାମ ଭଗବାନ ।

ଦେବତାମାନେ ଶୁଣିଣ ହେଲେ ହରଷିତ

ଏଥୁଅନ୍ତେ ଶୁଣ ରସ ରାଜା ପରୀକ୍ଷିତ ।

କଂସର ବନିତା ଫୁସ ଡ଼ିମ୍ବରୁ ଜନନୀ

ଅତି ଦୁଃଖେ ଶାଶୁ ପାଖେ କରିଲେ ଦଇନି ।

ଆଗୋ ମାତ ପତି ପୁତ୍ର ଗଲେ ଯମପୁର

କାହା ମୁଖ ଦେଖି ଦିନ କଟିବ ଆମ୍ଭର ।

ଦିବାରାତ୍ରେ ଅନ୍ତଃପୁରେ ଲାଗିଅଛି ଭୟ

କିପରି କାଳ କାଟିବୁ ଥରୁଅଛି ଦେହ ।

କେଉଁ ଜନ୍ମେ କାହାରି କରିଲୁ କେଉଁ ଦୋଷ

ଯୁବାକାଳେ ଦେଲା ଆସି ପତିପୁତ୍ର କ୍ଳେଶ ।

ନାରୀ ଜନ୍ମ କାହା ଘେନି ହେବ ବା ସୁନ୍ଦର

ଦୁଃଖେ ଦିନ କେଉଁପରି କଟିବ ଏଥର ।

ପିତାପୁରେ ଯିବା ପାଇଁ ମାଗୁଛି ମେଲାଣି

ବଧୂକଥା ଶୁଣି କହେ ଇନ୍ଦୁମତୀ ରାଣୀ ।

ଯାଅ ମାତା କାହାପାଇଁ କରିବିମୁ ମନା

ଯୁବାକାଳେ ପତି ବୃଦ୍ଧା କାଳେ ପୁତ୍ର ସିନା ।

ସହଜେ ଅବଳା ନାରୀ ଅଟେ ବଳହୀନ

କିମ୍ପାଇଁ ମୁଁ ବାଧା ଦେବି ଦୁଃଖ ତୁମ୍ଭ ମନ ।

ଏତେକହି ରାଣୀ ଗଲେ ଉଗ୍ରସେନ ପାଶ

କହିଲେ ବଧୁଏ ଯିବେ ତାଙ୍କ ପିତା ଦେଶ ।

ଅନୁମତି ମାଗୁଛନ୍ତି କୁହ କି ବିଚାର

ଶୁଣି ସନମତି ଦେଲେ ବୃଦ୍ଧ ନରବର ।

ବୁଝାଇ କହିଲେ ବଧୂ ପାଶେ ଯାଇଁ ପ୍ରଜା

ଯାଅ ମାତ କିଛି ଦିନ କର ଦୁଃଖ ତେଜ୍ୟା ।

ପିତା ପୁରେ ରହି ମନ କରିବ ହରଣ

ପୁଣି ଆସ ତୁମ୍ଭ ଗୃହ ନାହିଁ ମୋ ବାରଣ ।

ଜନ୍ମ ଦେଇଅଛୁ ମାତ୍ର କର୍ମ ବଳିୟାର

କେ ଆନ କରିବ ଲେଘାଥିବ ବିଧି ଗାର ।

ପ୍ରଣାମ କରି ଚରଣେ ଗଲେ ପିତା ଘରେ

ପ୍ରବେଶ ହୋଇଲେ ଜରାସନ୍ଧଙ୍କ ପାଶରେ ।

ସିଂହାସନେ ବସିଛନ୍ତି ମଗଧ ଇଶ୍ଵର

ହେତୀ ପ୍ରହେତୀ କାନ୍ଦି କହନ୍ତି ସତ୍ଵର ।

ଭୋପିତା ଦେବାଧିରାଜ କ୍ଷତ୍ରି ଶିରୋମଣି

ବାରେ ଦୟାକରି ଶୁଣ ଆମ୍ଭ ଦୁଃଖବାଣୀ ।

ବସିଥିଲା ଜରାସନ୍ଧ ସନ୍ଦେହ ମନରେ

କିମ୍ପା କନ୍ୟାମାନେ ନିଜେ ଆସିଲେ ମୋପୁରେ

ସ୍ଵର୍ଣ୍ଣ ପଦ୍ମପରି ମୁଖ ଦିଶଇ ମଳିନ

ବହିଯାଏ ନୟନରୁ ନୀର ଘନ ଘନ ।

ଭାବନା ଭାଙ୍ଗି କହଇ ଅସୁର ରାଜନ

କିମ୍ପା କହି ନପଠାଇ ଆସିଲ ବହନ ।

ପୁତ୍ରଙ୍କ ହସ୍ତେ ନ ଦେଲ ଏଠାକୁ ଖବର

ମର୍ଯ୍ୟାଦାରେ ଆସିଥାନ୍ତ ଯା ନଯାନ୍ତ ମୋର ।

ମଥୁରାରେ ଅଧୀଶ୍ଵର ପୁଣି ରାଜମାତା

ଏତେ ଦୁଃଖେ କିମ୍ପା ତୁମ୍ଭେ ଆସିଲ ଗୋମାତା ।

ପତି ଗଲେ ପୁତ୍ର ଦୁହେଁ ଛନ୍ତି ବଳଦନ୍ତ

ତାଙ୍କୁ ଛାଡ଼ି ଆସିବାଟା ହେଲା ଅସଙ୍ଗତ ।

ଏତେ କହି ଉଠାଇଣ କନ୍ୟାକୁ ରାଜନ

ନୟନୁ ଲୋତକ ପୋଛେ କରିଣ ଯତନ ।

କ୍ରୋଧେ ଅଧର ଥରାଇ କହଇ ଯେ ହେତି

ନିର୍ଲଜ ଜୀବନ ଧରି ଥିବୁ କାହା କତି ।

ପୁତ୍ର ଦୁହିଁଙ୍କ ମୁଖକୁ ଦେଖିଥିଲୁ ରହି

ଯମୁନା ଜଳେ ମାରିଲା ଶ୍ରୀକୃଷ୍ଣ ବୁଡ଼ାଇ ।

ସ୍ୱାମୀଙ୍କୁ ମାରିଣ ଏବେ ପୁତ୍ରଙ୍କୁ ମାଇଲା

ଦେବକୀ ତନୟ ମୋର ବଇରୀ ହୋଇଲା ।

ଏ ଜନ୍ମ ବିଫଳ ହେଲା ଆମ୍ଭର ହେ ତାତ

ଇହଲୋକେ ପରଲୋକେ ହୋଇବୁ ଲଜ୍ଜିତ ।

ଅଷ୍ଟମଲ୍ଲ ପୁତ୍ର ସଙ୍ଗେ ଯମୁନାକୁ ନେଇ

ଚନ୍ଦନ ଚାପେ ମାଇଲେ ରାମକୃଷ୍ଣ ଦୁଇ ।

ଏକା ରାମକୃଷ୍ଣ ଯୋଗେ ହେଲା ଏତେ ଦ୍ୱନ୍ଦ

କାହାକୁ କହିବୁ ତହିଁ ଆମ୍ଭ କର୍ମ ମନ୍ଦ ।

ଛୟାଣୋଇ ସସ୍ର ରାଜା ବନ୍ଦି ତୋର ପୁରେ

ତିନିପୁରଯାକ ତୋର ନାମ ଶୁଣି ଡରେ ।

ପୁରନ୍ଦର ତୋର ନାମ ଶୁଣି ଭୟ କରେ

ପାତାଳେ ବାସୁକୀ ରାଜା ଥାଏ ତୋ ଆଜ୍ଞାରେ

ଏଡ଼େ ବଡ଼ କୁଳେ ଜନ୍ମ କର୍ମ ହେଲା ଆନ

ଛାର ଗଉଡ଼ ପୁତ୍ରକୁ ନ ହେଲ ଭାଜନ ।

ଗଣ ଗନ୍ଧର୍ବ କିନ୍ନର ଖେଚର ଭୂଚର

ଜଳଚର ସଙ୍ଗେଛନ୍ତି ଯେତେ ବା ମହୀର ।

ସମସ୍ତେ କରନ୍ତି ତୋତେ ବୀରପଣେ ପୂଜା

ତୋହର କୁମାରୀ ହୋଇ ହୋଇଲୁ ଅପୂଜା ।

ବିଷଧରୁ କୁମାରୀକୁ ଦଣ୍ଡ ଦେଲା ବେଙ୍ଗ

ସିଂହ କନ୍ୟାକୁ ଶୃଗାଳ କଲା ବିକଳାଙ୍ଗ ।

ଏ ଅପମାନରୁ ବଳି ମରଣ ତ ଭଲ

କାହାଲାଗି ସହିବୁ ସଂସାରେ କଲବଲ ।

ଶ୍ରୀଗୁରୁ ଅଚ୍ୟୁତାନନ୍ଦ ଦାସଙ୍କ ସୁଦୟା

ଇନ୍ଦ୍ରମଣି ସାହୁ ଶିଷ୍ୟ ଭାବେ ଲେଖେ ଏହା ।

 

Unknown

ଜରାସନ୍ଧର ଧାଡ଼ି ଓ ଦ୍ଵାରକା ଗମନ

ପଚାରନ୍ତି ପରୀକ୍ଷିତ ଶୁକ ମହର୍ଷିଙ୍କୁ

ଜରାସନ୍ଧ କି ପ୍ରବୋଧ ଦେଲା ଦୁହିତାଙ୍କୁ ।

ବୁଝାଇଣ କୁହ ମୋତେ ଆହେ ତପୋଧନ

ଶୁଣି ତବ ଶ୍ରୀମୁଖରୁ ଯାଉ ପାପମାନ ।

କହୁଛନ୍ତି ଶୁକମୁନି ଅତି ତୋଷ ହୋଇ

କନ୍ୟା ମୁଖୁ ଶୁଣି ନାତି ମୃତ୍ୟୁ ନରସାଇଁ ।

ରାଗେ ପ୍ରଜ୍ଜ୍ୱଳିତ ଅଗ୍ନି ପ୍ରାୟେକ କରିଲା

ଦୁଇଟି ନୟନୁ ତାର ରକତ ବୋହିଲା ।

ଅଧର ଥରାଇ କୋପେ ଧରି କରବାଳ

ବୋଇଲି ସେ ଗଉଡ଼ ଟୋକାର କେତେବଳ ।

ଦେଖ କାପୁରୁଷ ପରି ଯୁଦ୍ଧ କରୁ ନାହିଁ

କପଟ କରି ମାରୁଛି ବିଶ୍ଵାସ ଦେଖାଇ ।

ଭଣଜା ବିଶ୍ଵାସ କରି ମଲା ବୀର କଂସ

ଭାଇ ଭାଇ କହି ହଂସ ଡିମ୍ବ ହେଲେ ନାଶ ।

ବିଶ୍ୱାସ ଦେଖାଇ ଶେଷେ କରଇ ନିଧନ

ସମ୍ମୁଖ ସମର ନ କରିବ କଦାଚନ ।

ଗୋପପୁରେ ଦିନାକେତେ ନଟପଣ କରି

ମାଈଁ ମାଉସୀ ପିଉସୀ କଲା ନିଜ ନାରୀ ।

ମନ୍ତ୍ର କରି ରାତ୍ର ଅର୍ଦ୍ଧେ ବାଏ ଖଣ୍ଡେ ବଂଶୀ

ପୁରୁଷ କୋଳୁ ଯୁବତୀ ପଳାନ୍ତି ଯେ ଖସି ।

ବଣୁଆ ମନ୍ତ୍ର ଜାଣିଛି ବିଷ କରେ ପାଣି

ବଣା କରିଦିଏ ଜନ୍ତୁ ମନ୍ତ୍ର ବଳେ ପୁଣି ।

କଂସର ଅତି ବଳୁଆ କୁବଳୟା ହାତୀ

ଜାଣିଥିଲା ହାତୀବଳ ଯେଣୁ ଭୋଜପତି ।

ମନ୍ତ୍ରବଳେ କୃଷ୍ଣ ତାକୁ କରିଦେଲା କାଠ

ମନ୍ତ୍ରବଳେ ସବୁ ଜନ୍ତୁ ହୁଅନ୍ତି ଯେ ଛୋଟ ।

ବ୍ୟାଘ୍ର ଭାଲୁ ସିଂହ ହାତୀ ଦେଖିଣ ବଣୁଆ

ମନ୍ତ୍ରଧୂଳି ଛାଟିଦେଲେ ହୋଇ ଦୁର୍ବଳିଆ ।

ସେଦିନ କଂସର ଥିଲା ମସ୍ତିଷ୍କ ବିକୃତ

ଭାବିଲା ମୋ କୁବଳୟା ମୋଠାରୁ ଶକତ ।

ତାଙ୍କୁ ମାରିଲାଣି କୃଷ୍ଣ ତାଠାରୁ ସେ ଟାଣ

ଏତେ କହି ଗଡ଼ିପଡ଼ି ହରାଇଲା ପ୍ରାଣ ।

ବୀରଙ୍କର ଚୂଡ଼ାମଣି ଯେଉଁ କଂସାସୁର

ସେ ମଲାରୁ ଅଦଭୁତେ କାଷ୍ଠ ହେଲା ବୀର ।

ବିଶ୍ୱାସରେ ମଲ୍ଲପୁତ୍ର ଓ ହଂସ ଡିମ୍ବକ

ନଦୀ ଗର୍ଭେ ଗଲେ ହେଲା ଧୂମାଳ ଅନେକ ।

ଚାପଗୋଟି ବୁଡ଼ିଗଲା ଯମୁନା ମଧ୍ୟରେ

ରାମ କୃଷ୍ଣ ବୀରପଣ ବଢ଼ଇ ଏଥିରେ ।

ଦେଖିବଇଁ କେତେ ବଳ ଧରିଅଛି ସେହି

ଧରି ଜୀଅନ୍ତାରେ ରଖି ବନ୍ଦୀ କରିବଇଁ ।

ତେବେ ସିନା ମନ ଶାନ୍ତି ହୋଇବ ମୋହର

ସାତବେଣ୍ଟ କରି ଚୁଟି କଟାଇବି ତାର ।

ଖାଇବାକୁ ଦେବି ଖପରାରେ ଗୋଡ଼ି ଭାତ

ପଥର ଘରେ ରଖିବି ଭୋଗୁଥିବ ଶୀତ ।

ନିତି ପ୍ରହରୀ ପିଟିବେ ମୁଖରେ ଗୋଇଠା

ସାରା ଜୀବନ ବନ୍ଦୀରେ ଖୁଆଇବି ମିଠା ।

ନୋହିଲେ ହରିକାଠାରେ ପକାଇ ମାରିବି

ତୋ ଚକ୍ଷୁର ଲୁହ ଧାରା ପୋଛାଇଣ ଦେବି ।

ଯାଅ ମାତ ଅନ୍ତଃପୁରେ ମନୁ ଛାଡ଼ ଶୋକ

ତୋ ପତି ପୁତ୍ରହନ୍ତାର କାଟିବଇଁ ବେକ ।

ଶୃଗାଳକୁ ଖୁଆଇବି ଦେଖିଣ ଗୋ ମାତ

କ୍ଷତ୍ରୀ କନ୍ୟା ହୋଇ କ୍ରନ୍ଦନଟି ଅସଙ୍ଗତ ।

ପ୍ରତିଶୋଧ ନେବି ମାରି ଶତ୍ରଙ୍କୁ ତୋହର

ଚନ୍ଦ୍ର ସୂର୍ଯ୍ୟ ଥିବାଯାଏ ଯଶଥିବ ମୋର ।

ବହୁତ ପ୍ରତିଜ୍ଞା କରି ଅସୁର ରାଜନ

କନ୍ୟାଙ୍କୁ ଗୃହେ ରଖିଲେ କରି ତୋଷମନ ।

ବୁଝାଇଲା ନୟନରୁ ପୋଛିଦେଇ ନୀର

ଯାଉଅଛି ସୈନ୍ୟସେନା ସଜକରି ମୋର ।

ଏତେ କହି ସଜାଇଲା ଚରୁରଙ୍ଗ ବଳ

ମନ୍ତ୍ରୀଙ୍କୁ ପାଶେ ଡାକିଲା ସେ ମଗଧପାଳ ।

ସାଜ ମନ୍ତ୍ରୀ ସୈନ୍ୟ ଆଉ ବିଳମ୍ବ ନ କର

ଆଜି ମଥୁରାରୁ ଆଣି ଗଉଡ଼ କୁମର ।

ରଖାଇ ମୁଁ ବନ୍ଦୀଘରେ ବାନ୍ଧି ପାଦ ହାତ

ହେତି ପ୍ରହେତିଙ୍କ ଶୋକ କରେ ବିଚଳିତ ।

ଶୁଣି ମନ୍ତ୍ରୀ ସଜାଇଲା ମଗଧର ସୈନ୍ୟ

ବାଜିଲା ବୀର ଟମକ କମ୍ପିଲା ଭୁବନ ।

ବୀର ବେଶ ହେଲା ନିଜେ ରାଜା ଜରାସନ୍ଧ

ସଙ୍ଗରେ ଚଳିଲେ ବହୁ ରାଜା ପାରିଷଦ ।

ଚାରି ଊଣା ଲକ୍ଷେ ରାଜାଛନ୍ତି ଅନୁଗତ

ଚଳିଲେ ସଙ୍ଗରେ ହୋଇ ତାର ଅଧୀନସ୍ଥ ।

ଦମଘୋଷ ଦନ୍ତବକ୍ର ଶାଲ୍ୱ ଶିଶୁପାଳ

ଭୀଷ୍ମକ ପୁଣ୍ଡ ରୁକ୍ମଣ ଯୁଦ୍ଧ କୋଟିବଳ ।

ସୈନ୍ୟ ସଙ୍ଗେ ନାୟକ ଯେ ସାଜି ନିଜ ବେଶ

ଯୋଡ଼ା ପାଇକଙ୍କୁ ଠିଆକଲେ କରି ତୋଷ ।

ସୈନ୍ୟ ସେନାପତି ଦଳବଳ ଚତୁରଙ୍ଗ

ଚାଲନ୍ତି ମଥୁରା ଦେଶ କରି ରଣଭଙ୍ଗ ।

ରଥ ସଜାଇଣ ସେହି ମଗଧ ଈଶ୍ଵର

ରଥୀ ବେଶେ ଚଳାଇଲା ଥାଟେ ରହୁବର ।

ଦୂତ ବରଗିଲା ପତ୍ର ଲେଖି ତତକ୍ଷଣ

ନିଅ ଏ ଚିଟାଉ ଦେବୁ ମଥୁରାରେ ଜାଣ ।

ମନ୍ତ୍ରୀକ ପାଶେ ଡକାଇ ଜରାସନ୍ଧ ବୀର

ଲେଖାଏ ଶ୍ରୀମୁଖ ମୁଁ ବୀରାଧି ବୀରବର ।

ମୋ ପିତା ସଙ୍କୋଚନ ଥିଲେ ଶକ୍ତିଶାଳୀ

ତିନିପୁର ଯୋଦ୍ଧାଙ୍କୁ ପାଦରେ ଥିଲେ ଦଳି ।

ମୁଁହିଁ ଶିବଙ୍କ ପ୍ରସାଦେ ତ୍ରିପୁର ବିଜୟୀ

ମଲ୍ଲଯୁଦ୍ଧେ ଲକ୍ଷେ ରାଜା ବନ୍ଦି କଲି ମୁହିଁ ।

ମୋ ନାମେ ସ୍ଵର୍ଗ ଡରୁଥାଏ ପୁରନ୍ଦର

ବାସୁକୀ ତ୍ରାସଇ ନାମ ଶୁଣିଲେ ମୋହର ।

ବ୍ରହ୍ମା ଇନ୍ଦ୍ର ଚନ୍ଦ୍ର ସୂର୍ଯ୍ୟ ଦଶଦିଗପାଳ

କମ୍ପୁଥାନ୍ତି ଭୟେ ଯେହ୍ନେ ମୁହିଁ ତାଙ୍କ କାଳ ।

ମୋ ରଡ଼ି ଯେସନେ ଆଷାଢ଼ର ଘଡ଼ଘଡ଼ି

ବାହୁବଳେ ପାରଇ ମୁଁ ପନ୍ଦର ଉପାଡ଼ି ।

ଆରେ ଉଗ୍ରସେନ ତୁହି କାହା ଭରସାରେ

ଶିଆଳଟାକୁ ପୋଷିଲୁ ସିଂହ ଗହ୍ୱରରେ ।

ବୃଦ୍ଧ ହେଲୁ ବୁଦ୍ଧି ତୋର ହୋଇଗଲା ଅନ୍ଧ

ବ୍ରାହ୍ମଣ ବେଦ ପୋଥିକି ପଢ଼ାଉଛୁ କନ୍ଧ ।

ନ ଜାଣିଲୁ ଭଲମନ୍ଦ ଦୁର୍ବଳିଆ ହୋଇ

ଏବେ ସଦବୁଦ୍ଧି ଧରି ପତ୍ର ପଢ଼ ତୁହି ।

ନନ୍ଦ ଗଉଡ଼ ପୁଅକୁ ବାନ୍ଧି ଆଣିଦିଅ

ଜୀବ ଥିବାଯାଏ ମଥୁରାରେ ରାଜାହୁଅ ।

ନୋହିଲେ ସବଂଶେ ମାରି ଧରି ଗଉଡ଼କୁ

ବାନ୍ଧି ରଖି ବନ୍ଦି ଘରେ ଶିକ୍ଷା ଦେବି ତାକୁ ।

ଗଉଡ଼ ପୁଣି ଗାରେଡ଼ି ଶିଖିଛି ଅପାର

ନ ଜାଣି ମରିଲା କଂସ ବୃଥା କିମ୍ପା ଡର ।

ଯୁଦ୍ଧ କରୁ ନାହିଁ ମନ୍ତ୍ର ବଳେ ଦିଏ ମାରି

ସମ୍ମୁଖ ଯୁଦ୍ଧ ନ କରେ ତୁମ୍ଭେ ଅଛି ଡରି ।

ଗୋପପୁରେ ଗାରେଡ଼ିରେ ବିଷ ଉଡ଼ାଇଲା

ନାଗୁଣୀ ମୁଣ୍ଡରେ ନାଚି ଯଶ ଗୁଡ଼େଇଲା ।

ବଶ୍ୟ ଉଚ୍ଚାଟନ କରି ଗୋପ ଗଉଡୁଣୀ

ହରିଲା ସବୁଙ୍କୁ ବାଇ ହେଲେ କାମେ ପୁଣି ।

ଡର ଛାଡ଼ି ଧରି ଆଣି ପଶ ତୁ ଶରଣ

ନୋହିଲେ ଆଜି ଯୁଦ୍ଧରେ ହୋଇବ ମରଣ ।

ଏହା ଲେଖି ଦୂତ ହସ୍ତେ ପତ୍ର ପଠାଇଲା

ଦୂତ ଯାଇ ଉଗ୍ରସେନ ପାଶେ ନେଇ ଦେଲା ।

ବସିଛନ୍ତି ଉଗ୍ରସେନ ଯାଦବ ସଭାର

ଶ୍ରୀମୁଖ ପଢ଼ିଲା ଆଗେ ମଗଧର ଚାର ।

ଶୁଣି ଭୟକଲେ ଉଗ୍ରସେନ ନରମଣି

ଓଷ୍ଠ ଶୁଖିଗଲା ଥରିଗଲେ ସେହିକ୍ଷଣି ।

ଯାଦବ ବୋଇଲେ ପାଇ ସକଳ ବାରତା

ନିଶ୍ଚୟେ ମରଣ ହେଲା ନହେବ ଅନ୍ୟଥା ।

ଯାର ଘରେ ବନ୍ଦିଛନ୍ତି ରାଜା ସସ୍ରଶତ

ସେ ଯୁଦ୍ଧ କରିଲେ ଥରେ ବାସୁକିର ଗାତ୍ର ।

କଂସ ଥିଲେ ଏତେବେଳେ କରନ୍ତା ସମର

ସେ ଗଲାରୁ ହଂସ ଡିମ୍ବ ଥିଲେ ନାତି ତାର ।

ଅରକ୍ଷ ହୋଇଛି ଯେଣୁ ଏ ମଥୁରାପୁର

କିଏ ବା ଲଢ଼ିବ ଏ ତ ଉଗ୍ରସେନ ଛାର ।

ଦିଗପାଳ ସମ ନାତି ମରନ୍ତେ ତାହାର

ରାଗେ ଯୁଦ୍ଧକୁ ଆସୁଛି ଜରାସନ୍ଧ ବୀର ।

ଆବର କହି ଅଛନ୍ତି କୃଷ୍ଣ ହଳଧର

କି କରିବ ଜରାସନ୍ଧ ରାକ୍ଷସଟା ଛାର ।

ଯାହାର ଆଜ୍ଞାରେ ଜଳେ ପଥର ଭାସଇ

ସେ ଥିଲେ କୋଟି ରାକ୍ଷସ ମରିବେ ଏଠାଇଁ ।

ଯହିଁ ଦେହ ଧରି ରହିଛନ୍ତି ନାରାୟଣ

ତାର ମୁଖ ଦେଖି ଯେବେ ପାଇବା ମରଣ ।

କୋଟି ପାପ ନାଶକରି ବୈକୁଣ୍ଠକୁ ଯିବା

ଏହାଠାରୁ ଭଲଗତି କାହୁଁ ବା ପାଇବା ।

ଏସନ ଭାଳେଣି କରି ବିକଳେ ଯାଦବ

ମନମଧ୍ୟେ ଚିନ୍ତାକଲେ ପ୍ରଭୁ ବାସୁଦେବ ।

ଚାରି ଆସିବାର ଶୁଣି ପ୍ରଭୁ ଶିରୀପତି

ରାଜା ଉଗ୍ରସେନ ପାଶେ ମିଳିଲେ ଝଟତି ।

ରତ୍ନ ସିଂହାସନେ ପରେ ବସି ଦୁଇଭାଇ

ବୋଲନ୍ତି ହେ ଅଜା ଏତେ ବିରସ କିମ୍ପାଇଁ ।

ରାଜା ବୋଲେ ତୁ କିସ ନ ଜାଣୁ ପୀତବାସ

ଯୁଦ୍ଧ କରି ଆସୁଛି ସଙ୍କୋଚନ ଶିଷ୍ୟ ।

ମଗଧ ଦେଶର ରାଜା କଂସର ଶ୍ୱଶୁର

ଜମ୍ବୁଦ୍ୱୀପ ମଣ୍ଡଳେ ସେ ଅଟେ ନୃପବର ।

ଛୟାଣୋଇ ସସ୍ର ରାଜା ବନ୍ଦୀଘରେ ତାର

ସତାଇଶି କ୍ଷୋଣୀ ସୈନ୍ୟସେନା ଯେ ତାହାର

ଲକ୍ଷେ ରାଜାଙ୍କର ସୈନ୍ୟ କଳନାଟି ନାହିଁ

ବିଧବା କନ୍ୟାକୁ ଦେଖି ରାଗେ ସେ ଆସଇ ।

ନାତି ମରଣରେ କ୍ରୋଧେ ସେହି ମନ୍ଦଗତି

ମୋର ପାଶେ ପତ୍ର ଲେଖିଅଛି କୋପେ ଅତି ।

ମଥୁରା କଟକ ଭାଙ୍ଗି କରିବ ସେ ଧ୍ୱଂସ

ତାହା ଶୁଣି ଯାଦବେ ଯେ ପାଉଛନ୍ତି ତ୍ରାସ ।

ସର୍ବ ଶୁଣି କହୁଛନ୍ତି କମଳ ଲୋଚନ

ମୁଁ କି ଜାଣି ନାହିଁ ଜରାସନ୍ଧ ଦୁଷ୍ଟପଣ ।

ନାତି ଜୋଇଁ ମରିବାର ଝିଅଠାରୁ ଶୁଣି

ଆସିଣ ସେ ଅତି ନିକଟରେ ହୋଇଲାଣି ।

ରଣେ ଜିଣି ପାରଇ ସେ ଦୈତ୍ୟ ନାଗ ନରେ

ଛୟାଣାଇ ସସ୍ର ରାଜାବନ୍ଦୀ ତାର ଘରେ ।

ସମଦଣ୍ଡ ସାଜି ଆସେ ଉପ୍ରୋଧ ଉପେକ୍ଷି

ଏବେଳେ ଭଲ କରିଲେ କିଏ ଦେବ ରଖି ।

ନିଜ ଅଙ୍ଗ ବଳ ସିନା ଦରକାର ହେବ

ପର ବଳ ଦରକାର ବେଳକୁ ନ ଥିବ ।

ସାତବଂଶ ଯାଦବ ବା ପଳାଇବ ନାହିଁ

ନିସତ ହୋଇବେ ନିଜ ବଳମୋଟି ହୋଇ ।

ପାର ନ ପାର କରିବା ଆଗରୁ ସମର

ସଙ୍କଟ ପଡ଼ିଲା ବୋଲି ମନରେ ନ ଡର ।

ଜରାସନ୍ଧ ନୃପତିର ହୋଇଣ ବଇରୀ

ପଳାଇଲେ ରକ୍ଷା କେହି ନକରିବେ ଡରି ।

ବର୍ତ୍ତମାନ ଜରାସନ୍ଧ ନ ହୋଇବ ବଧ

ବଧକଲେ ଉଣାହେବ ନୃପତିର ବୃନ୍ଦ ।

ଯୁଧିଷ୍ଠିର ରାଜସୂୟ ଯଜ୍ଞ କରାଇବ

ଏହାଘରୁ ଭୀମ ରାଜାଗଣେ ଉଦ୍ଧାରିବ ।

ଭୀମ ହସ୍ତେ ହେବ ଏହି ଜରାସନ୍ଧ ବଧ

ବର୍ତ୍ତମାନ ଘଉଡ଼ିବା କରି ନାନା ଦ୍ୱନ୍ଦ୍ୱ ।

ହତାଶ ହୁଅନା ଆହେ ଉଗ୍ରସେନ ରାୟ

ସାମାନ୍ୟ ଅସୁର ପାପୀଟାକୁ କର ଭୟ ।

ବୋଇଲେ ଯାଦବେ ତୁମ୍ଭେ ଥିଲେ ଆମ୍ଭପାଶ

କାହାକୁ ନ ଡରି ତୋର ମାନିବୁ ଆଦେଶ ।

ଏତେ କହି ଯାଦବେ ଧରିଲେ ଅସ୍ତ୍ର କର

କହିଲେ ଯେ ଯାହା କାମେ ହୋଇ ତତପର ।

ଏଥୁ ଅନନ୍ତେ ସାବଧାନେ ଶୁଣ ପରୀକ୍ଷିତ

କ୍ରୋଧେ ଅନ୍ଧ ହୋଇଣ ସେ ଜରାସନ୍ଧ ଦୈତ୍ୟ

ଧର ଧର ମାର ମାର କରଇ ଚହଳ

ସସୁଦ୍ର ଲହରୀ ପରି ଶୁଭେ ତହିଁ ଗୋଳ ।

ବନ୍ଦୀ ଅନୁଗତ ତାର ସସ୍ର ସସ୍ର ରାଜା

ସେନାପତି ପଦେ ଆସିଛନ୍ତି ହୋଇ ତାଜା ।

ରଥର ଅଶ୍ଵଥି ଗଜ ରାଉତ ମାହୁତ

ମାତି ଆସନ୍ତି ଧରିଣ ନାନା ଅସ୍ତ୍ର ଶସ୍ତ୍ର ।

ଧାଡ଼ି ଧାଡ଼ି ଦାଢ଼ିଆ ଯେ ନାଲି ପଗଡ଼ିଆ

ନିଶ ମୋଡ଼ି ରଡ଼ି ଛାଡ଼ି ଦେଖାନ୍ତି ବଡ଼ିଆ ।

ପଡ଼ିବାରୁ ସିଂହରଡ଼ି ମେଘ ଘଡ଼ଘଡ଼ି

ସଡକ ରାଜଦାଣ୍ଡରେ ଧୂଳିଯାଏ ଉଡ଼ି ।

ଘୋଟକରେ ଚଟ ଚଟ ପାଣ୍ଢୋଇ ଚପଟ

କଟ ମଟ ରଟ ମଟ ସୈନଙ୍କ ଧପଟ ।

ଯାଦବେ ତରସ୍ତ ହେଲେ ପାଇ ମହାଭୟ

ଆସି କୃଷ୍ଣ ରାମ ଆଗେ କରନ୍ତି ବିନୟ ।

ପ୍ରଳୟ ପରାୟେ ଜରା ଦଳ ବଳ ଧରି

ତର୍ଜନ ଗର୍ଜନ କରି ଆସିଲାଣି ଘେରି ।

ଶରଣ ପଞ୍ଜର ଆହେ ଭକ୍ତଜନ ବନ୍ଧୁ

ମରଣ ବେଳେ ଆଶ୍ରୟ ଦିଅ ଦୀନବନ୍ଧୁ ।

ସସ୍ରାଜିତ ଶକ୍ରାଜିତ ଅନାଧୃଷ୍ଟ ବୀର

ବସୁଦେବ ସାତ୍ୟକି ଯେ ଉଦ୍ଧବ ଅକ୍ରୂର ।

ରାମକୃଷ୍ଣ ମୁଖ ଚାହିଁ ହେଲେ ଶୋକାକୁଳ

ସହଜେ ବାଳକ କି କରିବେ ଏତେ ବଳ ।

ବିରସ ଦେଖିଣ କୃଷ୍ଣ ଯାଦବ ମାନଙ୍କୁ

ବୁଝାଇଣ ବାହାରିଲେ ନିଜେ ସଂଗ୍ରାମକୁ ।

ତାଳଧ୍ୱଜ ନନ୍ଦିଘୋଷ ପୁଷ୍ପକ ବିମାନ

ଆରୋହଣ କଲେ ସଜାଇଣ ଭଗବାନ ।

ସର୍ବ ଯାଦବଙ୍କୁ କହି ଚଳନ୍ତି ଶ୍ରୀହରି

କାହିଁ ଯିବ ନାହିଁ ରୁହ ରାଜାଙ୍କୁ ଆବୋରି ।

ଅନ୍ତରୀକ୍ଷେ ତିନିରଥ ଆସୁଛନ୍ତି ବାହି

ଶତ୍ରୁପକ୍ଷ ରାଜାମାନେ ଦେଖୁଛନ୍ତି ରହି ।

କରନ୍ତି ବିଚାର ଭକ୍ତ ରାଜାମାନେ ତହିଁ

ନିତି ଦେଖିବାକୁ ଯାହା ତପକରୁ ରହି ।

ସେହିପରି ଭାଗ୍ୟବଳେ ଦେଲେ ଦରଶନ

ପବିତ୍ର ହୋଇଲା ଆଜି ଆମ୍ଭ ଯାତ୍ରା ଦିନ ।

ଏତେ ଭାବି ଅନ୍ତରରେ କରୁଛନ୍ତି ସ୍ତୁତି

ନମସ୍ତେ ଜଗତକର୍ତ୍ତା ପ୍ରସନ୍ନ ମୂରତି ।

ଭକତକୁ ଦେଖାଯାଏ ଚତୁର୍ଦ୍ଧା ମୂରତି

ଶଙ୍ଖ ଚକ୍ର ଗଦା ପଦ୍ମ ଧରି ଯଦୁପତି ।

ଦୁଷ୍ଟମାନେ ଦେଖନ୍ତି ଆସଇ ଶତ୍ରୁଯମ

ବାନ୍ଧିନେଲେ ଜରାସନ୍ଧ ହେବ ତୋଷମନ ।

ଆନନ୍ଦ ଦେବ ଆମ୍ଭଙ୍କୁ କେତେ ଯେ ବଧାଇ

କେତେ ତପ କଲେ ଏହିପରି ଯୋଗ ପାଇ ।

କି ସାହସେ ଆସଇ ଏ ଆମ୍ଭ ଭିତରକୁ

ଭଲକରି ଦେଖ ଭାଇ ଏ ତିନିଜଣଙ୍କୁ ।

ଜୀବିତରେ ଧରି ଆମ୍ଭେ ରାଜାପାଶେ ଦେବା

ଜନମାନଙ୍କ ଆଗରେ ମାରିବ ଦେଖିବା ।

ଅତି ନିସତ ହୋଇଣ ଆସଇ ସେ ଏଥ

ଚାରିଆଡ଼େ ଘର ଦେଖି ହୋଇ ବିଚଳିତ ।

ଜରାସନ୍ଧ ପାଶେ ଯାଏ ପଶିବ ଶରଣ

ପଠାଇଲା ଉଗ୍ରସେନ କରିଣ ବାରଣ ।

ସୈନ୍ୟଙ୍କ ଭିତରେ ରଥ ଆସଇ ଯେ ମାଡ଼ି

ଦିଶଇ ଶତ୍ରୁଙ୍କୁ କାଳଯମ ଦେଲା ଧାଡ଼ି ।

ଭୟରେ ଆଡ଼େଇ ହୋଇ ରହନ୍ତି ସଇନ

ଆଗେ ବଳଦେବ ମଧ୍ୟେ ସୁନନ୍ଦା ନନ୍ଦନ ।

ପଛେ ଜଗନ୍ନାଥ ଶୋଭା ନନ୍ଦିଘୋଷ ରଥେ

କାଳାନ୍ତକ ଶର ଶାରଙ୍ଗ ଧନୁ ଯେ ହସ୍ତେ ।

ତେଜାଘାତେ ଶତ୍ରୁ ସୈନ୍ୟ ପଡୁଛନ୍ତି ଢଳି

କେବା ଆଣ୍ଠୋଇ ପଡ଼ିଛି କେବା ମୂର୍ଚ୍ଛାଭଳି ।

ତାଳଧ୍ଵଜ ବଳରାମ ହଳ ଓ ମୂଷଳ

ରଜତ ପର୍ବତ ପରି ହଳ ଓ ମୂଷଳ ।

ଭୀଷଣ ମୂରତି ଦିଶେ କିବା କାଳାନ୍ତକ

ସୃଷ୍ଟି ସଂହାରିବେ କୋପେ ଡରନ୍ତି ଅନେକ ।

ପୁଷ୍ପକ ବିମାନ ମଧ୍ୟେ କଂସର ପୁତୁରା

ଅନର୍ଗଳ ତେଜଧାରୀ ଅଟେ ମହାବୀରା ।

ଦୂତେ ଯେ ରହିଲେ ଯାଇ ଜରା ସନ୍ନିଧ୍ୟର

ଭୋଦେବ ଯେ ରାମକୃଷ୍ଣ ଚଢ଼ିଣ ରଥର ।

ସୈନ୍ୟ ମଧ୍ୟେ ଗଲେ କେହି ନ କହନ୍ତି କିଛି

ପୁଣି ଜରା ରଥୁ ଡେଇଁ ଦେଖିଲା ତେରଛି ।

ରଥପରେ ବସି ଯାଉଛନ୍ତି ତିନିଜଣ

ନାନା ଅସ୍ତ୍ର ଶସ୍ତ୍ରେ ହୋଇଛନ୍ତି ଆଭରଣ ।

ରାଗେ ପ୍ରଜ୍ଜ୍ୱଳିତ ହୋଇ ବୋଲେ ଜରାସନ୍ଧ

ଶତ୍ରୁଗଲା ତୁମ୍ଭେ ମଧ୍ୟେ ହୋଇଲ କି ଅନ୍ଧ ।

କେଉଁଦିଗେ ଗଲା ସେହି ଚଳ ହେ ସତ୍ଵର

ଖୋଜି ମାର ମାର ଶତ୍ରୁ ଆହେ ବୀରବର ।

ଜଗିଅଛି ଏବେ ସର୍ବେ ଆଉ କି କରିବ

ଶତ୍ରୁ ପଳାଇଲେ ଦେଖି ଧାଇଁଲେ ସରବ ।

ଅକଳନା ଥାଟେ ପଶିଗଲା ଶଙ୍କା ନାହିଁ

ସୈନ୍ୟ ସେନାମାନେ ମୋର ଦେଖୁଅଛ ରହି ।

ଗୋଡ଼ାଇଲେ ପଛେ ପଛେ ଆଗେ ଚାଲେ ରଥ

ପଚାଶ ଯୋଜନ ଗଲେ ମଥୁରାର ପଥ ।

ମଣିଭଦ୍ରା ନଦୀତୀରେ ହୋଇଣ ପ୍ରବେଶ

ଦାରୁକ ରଥ ରଖ ହୋ ଦେଲେ ସେଆଦେଶ ।

ଶ୍ରୀକୃଷ୍ଣ ଆଜ୍ଞାରେ ସର୍ବେ ରଖିଲେକ ରଥ

ଚଣ୍ଡି ଚାମଣ୍ଡି ସେ ସ୍ଥାନେ କରୁଛନ୍ତି ନୃତ୍ୟ ।

ଭସ୍ମଲୋଚନକୁ ମହାମାୟୀ ଥିଲେ ମାରି

ସବୁବେଳେ ରକ୍ତର କର୍ଦ୍ଦମ ସେହି ଧରି ।

ଅସୁର ମାଂସ ମେଦରେ ପୂର୍ଣ୍ଣ ସେ ସ୍ଥାନଟି

ଅଶୀଯୂଣ ଦୀର୍ଘ ପ୍ରତି ରହିଅଛି ଫୁଟି ।

ଧର୍ମର ସେ ସ୍ଥାନେ ବଳ ହେବ ଅପ୍ରମିତ

ପାପୀ ବଳବାନ ହେବ ସ୍ଥାନର ମହତ୍ୱ ।

ବଳରାମଙ୍କୁ କହନ୍ତି ଏହି ସ୍ଥାନେ ରହି

ଯୁଦ୍ଧକରି ମାର ଚଣ୍ଡୀ ଭକ୍ଷିବେ ଏଠାଇଁ ।

ଦକ୍ଷିଣ ଦିଗେ ସମର କର ଆହେ ଭାଇ

ପଶ୍ଚିମେ ସୁରଥ ରହୁ ଦୁଇ ଦିଗ ମୁହିଁ ।

ଏ ସମୟେ ପ୍ରବେଶିଲେ ତହିଁ ଶତ୍ରୁଗଣ

ସୁରଥ ସଙ୍ଗରେ ଦମଘୋଷ କଲା ରଣ ।

ଛେଲ ଚକ୍ର ଭୂପାଳ ଭୁଷଣ୍ଡ ମୃଦୁଗର

ଧନୁ ଖଡ୍‌ଗ କୁନ୍ତ ଭାଲ ନାରାଚ ତୋମର ।

ଛୁରୀ ଯମଦାଢ଼ ଗଦା ଶୂଳ ଚକ୍ର ଯଷ୍ଟି

ଏକ ମୁଖେ ସୈନ୍ୟ ପ୍ରହାରନ୍ତି କୋଟିକୋଟି ।

କିଞ୍ଚିତ ଶରେ କାଟିଣ ସୁରଥ ଯେ ବୀର

ଦମଘୋଷ ସଙ୍ଗେ କଲା ବିଚିତ୍ର ବିଚାର ।

ବଡ଼ ବିଚକ୍ଷଣ ସେହି ଉଗ୍ରସେନ ନାତି

କାଟଇ ଚୋଖା ଅସ୍ତ୍ରକୁ ରଣ ରଙ୍ଗେ ମାତି ।

ମାରିଲା ବାବଲ ଅସ୍ତ୍ର କରି ଧନୁ ଟାଣ

କାଟିଲା ସୁରଥ ମାରି ଅର୍ଦ୍ଧଚନ୍ଦ୍ର ବାଣ ।

କତୁରୀ ଶରେ କାଟଇ ସୈନ୍ୟ ମୁଣ୍ଡମାନ

ଗୋଟିଏ ବରତୁ ନାହିଁ ହୁଅନ୍ତି ନିର୍ମୂଳ ।

ରାଗେ ଦମଘୋଷ କହେରେ କଂସ ପୁତୁରା

ତୋ ବଡ଼ବାପା ମୋ ସଙ୍ଗେ ହୁଏ ଧରାପରା ।

ତୁ ବାଳକ କେତେ ଜାଣୁ ଅସ୍ତ୍ରର କୌଶଳ

ଶତ୍ରୁପାଦେ ଗଡ଼ି ଦିନ କାଟିଲୁ ପାଗଳ ।

ସୁରଥ କହଇ ଏ ତ ପରୀକ୍ଷାର ବେଳ

ଦେଖି କେଡ଼େ ଶକ୍ତିଧର କରୁଅଛ ଗୋଳ ।

ରାଗେ ଦମଘୋଷ ଧରି ମାରେ କ୍ଷୁର ଶର

କାଟିଲା ଜ୍ୱାଳାବଳିରେ ତାହା ବୀର ଶୁର ।

ମୋହ ନାସ୍ତେ ମୋହକଲା ସେ ଦମଘୋଷକୁ

ପଶ୍ଚିମ ଦିଗରୁ କଲା ଶେଷ ସେ ସୈନ୍ୟକୁ ।

ଦକ୍ଷିଣରେ ବଳରାମ ସଙ୍ଗରେ ଋକ୍ମଣ

ବହୁତ ଗୋଳ କରଇ ଧରି ସୈନ୍ୟଗଣ ।

ବିଶ୍ଵରୂପ ଧରିହରି ବିନ୍ଧିଲେକ ଶର

ଶରେ ଶର ବାଜି ଅଗ୍ନି ଝରେ ସେ ଭୂମିର ।

ମୂଷଳେ ପ୍ରହାରେ ରାମ ଋକ୍ମଣ ଉପରେ

ଉଡ଼ାଇଣ ଦେଲେ ତାକୁ ସେ ପବନ ଶରେ ।

ଦେଖି ଦନ୍ତବକ୍ର ଆସି କରିଲା ସମର

କୁହୁକ ଶରେ ପଡ଼ିଲା ସେ ବୀର ଭୂମିର ।

ସୈନ୍ୟସେନା ହତକଲେ ମାରି ତୀକ୍ଷ୍‌ଣଶର

ପୂର୍ବ ଉତ୍ତରରେ ଅଛନ୍ତି ନିଜେ ଚକ୍ରଧର ।

ଶାଲ୍ୱ ଶିଶୁପାଳ ଦୁହେଁ କରନ୍ତି ସମର

ମୋହ କଲେ କୃଷ୍ଣ ଧରି କୌମୁଦୀ ମୃଦ୍‌ଗର ।

ବହୁ ସୈନ୍ୟ ହତ ପରେ ଆସେ ବୀରବର

ବୋଇଲା ଗଉଡ଼ ବାଇହେଲୁ ହେବୁ ସାର ।

ଶ୍ରୀକୃଷ୍ଣ କହିଲେ ମିଛେ ମରିବୁ ଅସୁର

ଅକାରଣେ ଆୟୁଷକୁ ଉଣା କଲୁ ତୋର ।

ରାଗେ ଜରା ପ୍ରହାରିଲା ଧରି ଅଗ୍ନିଶର

ନିବାରିଲେ ନାରାୟଣ ମାରି ଜଳଧାର ।

ବୈଷ୍ଣବୀ ଚକ୍ରକୁ ଡାକି ନର ନାରାୟଣ

ବୋଇଲେ ତୁ ଘେନ ବାଛି ପାପୀଙ୍କ ପରାଣ ।

କିଛି ନାହିଁ ଆକାଶକୁ ଘୂରିବୁଲେ ଚକ୍ର

ବାରିକ ଚୂଳ କାଟିଲା ପରି କରେ ବକ୍ର ।

କେ ବୋଲେ ମଲି ହୋ ରାଜାଦେଖ ଚାରିଦିଗ

ଚକ୍ର ପଡ଼ି ଛିଡ଼ିଯାଏ ମୁଣ୍ଡ ଭୂମିଭାଗ ।

କୁଢ଼ କୁଢ଼ ପଡୁଛନ୍ତି ଏକ ସଙ୍ଗେ ଗଡ଼ି

ଭକ୍ତ ପଳାନ୍ତି ପଛକୁ ଦିଏ ଚକୁ ଛାଡ଼ି ।

ଦେଖି ରାଗେ ଜରା କାଢ଼ି ଧରେ ବ୍ରହ୍ମଶର

ଶର ଦେଖି ବିଚାରିଲେ ପଭୁ ଚକ୍ରଧର ।

ଏତ ଅପାଳଟା ବ୍ରହ୍ମଶକ୍ତି ନିରାକାର

ପିଠି ଦେଇ ଘୁଞ୍ଚିଗଲେ ନ ବାଜି ବାଣର ।

ପିଠି ଦେଲେ ବ୍ରହ୍ମଶକ୍ତି ବାହୁଡ଼ିଣ ଯାଏ

ଏତେ କହି ଘୁଞ୍ଚିଗଲେ ତହୁଁ ଦେବତାଏ ।

ଭେଟିଣ ବ୍ରହ୍ମଶକତି ତୂଣୀରେ ପଶିଲା

ଦେଖି ଜରାସନ୍ଧ ବଡ଼ ଆଚମ୍ବିତ ହେଲା ।

ଆସି କୃଷ୍ଣ ବୋଇଲେରେ ବାତୁଳ ତୁ ଜରା

ମୋ ଶର ମୋତେ ମାରୁଛୁନ ହୋଇ ଲାଜରା ।

ଧରି ମନଭେଦି ଶର ତହୁଁ ଚକ୍ରଧର

ତିଆରି କହିଲେ ତୁ ତ ଅନନ୍ତ ଶରୀର ।

ମନଭେଦି ପାଶୁପତ ବୈଷ୍ଣବୀ ଅନନ୍ତ

ନୀଳବାଣ ଭୁଜବଣ ଅପାଲଟା ଅସ୍ତ୍ର ।

ଏହି ଦେବଶର ଅଟେ ସମର ଶକତା

ଅପାଲଟା ଅସ୍ତ୍ର ଏହି ପ୍ରଳୟ କରତା ।

ତିଆରି କହିଲେ ଶରେ କମଳ ଲୋଚନ

କର ମୋହ ଏ ସମରେ ଯେତେ ବୀରଗଣ ।

ତାହା ଶୁଣି ମନଭେଦି ଶୀଘ୍ର ଚଳିଗଲା

ସମରରେ ସର୍ବ ଲୋକ ମୋହ କରିଦେଲା ।

ପୁଣି ପେଶିଲେ ପବନ ଶର ନାରାୟଣ

ଉଡ଼ି ଜରା ପଡ଼ିଲା ସେ ଆପଣା ଭୁବନ ।

ଅପମାନ ପାଇଣ ସେ କ୍ରୋଧେ ବୀର ଜରା

ପୁଣି ଫେରି ଆସିଲା ସେ କରି ସୈନ୍ୟତ୍ୱରା ।

ବାଟେ ଚକ୍ରଧର ତାକୁ ପଅ ଓଗାଳିଣ

କରିଲେ ସେ ଜରାସନ୍ଧ ସଙ୍ଗତରେ ରଣ ।

ଶରେ ଶର ପରିତାଳ କରି ଚକ୍ରଧର

କରିଲେକ ଅସ୍ତ ବ୍ୟସ୍ତ ତାହାର ଶରୀର ।

କ୍ରୋଧେ ଜରାସନ୍ଧ ବିନ୍ଧେ କୋଟିକୋଟି ଶର

କାଟନ୍ତି ଶୂନ୍ୟରେ ତାକୁ ନିଜେ ଦାମୋଦର ।

ବୋଇଲାରେ ଗଉଡ଼ ତୁ ଆଜ ଯିବୁ କାହିଁ

ଚୋରପରି ପଳାଇଛି ନିଜେ ଯହିଁ ତହିଁ ।

ବଳରାମ ଓ ସୁରଥ ମାଇଲେ ସଇନ

ଦେଖି ଜରାସନ୍ଧ ନିଜେ ଭୟକଲା ମନ ।

ପଛଘୁଞ୍ଚା ଦେଇ ତହୁଁ ଗଲା ଅପସରି

ପୁଣି ଆସେ ଯାଏ ପ୍ରଭୁ ଦିଅନ୍ତ ଘଉଡ଼ି ।

ଏହିପରି ବାର ବାର ଯେ ସତର ଥର

ଜରାସନ୍ଧ ଧାଡ଼ିରୁ ରଖିଲେ ଚକ୍ରଧର ।

ଦୟାଳୁ ପୁରୁଷ ସେତ ନର ନାରାୟଣ

ବିଚାର କରନ୍ତି ମନେ କମଳା ରମଣ ।

ମୋ ପାଇଁ ମଥୁରା ଲୋକ ପାଇଲେକ ଦୁଃଖ

ଜରାସନ୍ଧ ଶତ୍ରୁତାରେ ହେଲେଣି ବିମୁଖ ।

ପୁଣି କାଲି ଆସିବ ଯେ ସେ କାଳଦମନ

ଗର୍ଗ ଋଷି କରିଛନ୍ତି ତାକୁ ଉତପନ୍ନ ।

ଗୋପାବଳୀ ଗର୍ଭୁ ସେହି ହୋଇଅଛି ଜାତ

ଯାଦବ କୁଳ ନିପାତ ଅଟେ ତାର ବ୍ରତ ।

ତପେ ତୋଷି ବିଧିବର ପାଇଛି ଅପାର

ବଡ଼ ଦୁଷ୍ଟ ଅଟେ ସେହି ମହ। ବଳିୟାର ।

ଅସ୍ତ ନ ମରିବ ଅଗ୍ନି ଜଳେ ନ ମରଇ

ଦେବ ଦାନବ ଗନ୍ଧର୍ବ ନ ମାରିବେ କେହି ।

ରାତ୍ର ପାହିଲେ ସେ ଆସି ହେବ ଉପଗତ

ଧରିନେବ ଯାଦବଙ୍କୁ ଦେଖିଲେ ତ୍ୱରିତ ।

ପଳାଇ ପଳାଇ ସର୍ବେ ପାଇଲେକ କଷ୍ଟ

ଉଗ୍ରସେନ ପରା ବୃଦ୍ଧହେଲା ଛଟପଟ ।

ଚୌରାଶୀ କୋଟି ଯାଦବ ରହିବେ ବାକାହିଁ

ଉପାୟ କରିବି ଏକ ରାତ୍ର ମଧ୍ୟେ ମୁହିଁ ।

ପୋଡ଼ୁ ଏ ବିବାଦ ଆଉ ଅରଜିବା କେତେ

ବିନାଶ ହେଉ ପୈତୃକ ସମ୍ପଦ ହିଁ ଯେତେ ।

ନିରନ୍ତର ପରମାଦ ଉପୁଯଇଁ ଯହିଁ

ସେ ସ୍ଥାନକୁ ପରିତ୍ୟାଗ କରିବା ଅଟଇ ।

ଏମନ୍ତ ବିଚାର ମନେକରି ଦେବ ସ୍ୱାମୀ

ବରୁଣ ରାଜାଙ୍କୁ ଚିନ୍ତାକଲେ ଅନ୍ତର୍ଯ୍ୟାମୀ ।

ଜୟ ଜୟ ରତ୍ନାକର ଜୟ ପୁଣ୍ୟକାରୀ

ଉତ୍ପତ୍ତି ସ୍ଥିତି ଲୟରେ ତୁମ୍ଭେ ଅଧିକାରୀ ।

ପାତାଳ ତଳ ରସାତଳ ଆଦି ଜିଣି

ଏ ତୁମ୍ଭର ବିଶ୍ଵ ଗର୍ଭ ନୋହେ ପରିମାଣି ।

କ୍ଷୀର ଖାଇ ଇକ୍ଷୁ ଲୁଣ ସୁରା ଘୃତ ଦଧି

ଚୌରାଶି କାଠି ଗଭୀର ଅଟେ ପୟୋନିଧି ।

ବଡ଼ବାନଳ ଭିତରେ ସୁଧାକର କୁଣ୍ଡ

ନବ ଦ୍ୱୀପ ସିନ୍ଦୁ ସାତ ତହିଁ ଏକ ରୁଣ୍ଡ ।

ସେ କୁଣ୍ଡ ଭିତରେ ଅଛି ତୁମ୍ଭର ପାଟଣା

ବାରସ୍ଵତୀ ଭୁବନକୁ କୋଟି ଯୁଣ କିଣା ।

ସେ ପୁରେ ବିଶ୍ରାମ କର ସକୁଟୁମ୍ବ ଘେନି

ନିମିଷକେ ନାଶିପାର ସକଳ ମେଦିନୀ ।

ତୁମ୍ଭେ ଦେବ ଆଦିଅନ୍ତ ତିନିକାଳ ଜ୍ଞାତା

ପ୍ରାଣୀଙ୍କ ଜୀବନ ତୁମ୍ଭେ ଲକ୍ଷ୍ମୀଙ୍କର ପିତା ।

ଅକ୍ଷୟ ଅଜରାମର ତୁମ୍ଭେ ପୁଣ୍ୟଦେହୀ

ତୁମ୍ଭ ଆଦିଅନ୍ତ ମଧ୍ୟ ନ ଜାଣନ୍ତି କେହି ।

ଅଶେଷ କୋଟି ରତନ ତୁମ୍ଭ ଗର୍ଭୁ ଜାତ

ତୁମ୍ଭେ ଭିଆଇଛି ଚରାଚର ଏ ଜଗତ ।

ଗୁଣବନ୍ତ ବଳବନ୍ତ ସୁଜ୍ଞାନୀ ବିବେକ

ଅଷ୍ଟଲୋକ ପାଳଙ୍କର ତୁମ୍ଭେ ଯେ ପାଳକ ।

ନମସ୍ତେ ଏ ରତ୍ନାକରି ଯୁଗ କଳ୍ପ ମନୁ

ନମସ୍ତେ ହେ ରତ୍ନାକର ଅର୍ଥ କାମଧେନୁ ।

ନମସ୍ତେ ହେ ରତ୍ନାକର ଦେବ କାମରୂପୀ

ଅଶେଷ ବ୍ରହ୍ମାଣ୍ଡ ତୁମ୍ଭେ ରହିଅଛ ବ୍ୟାପି ।

ଭୂଲୋକ ଭୂବଲୋକ ଯେ ସ୍ଵର୍ଗ ଲୋକ ମୂଳେ

ଜନଲୋକ ମର୍ତ୍ତ୍ୟଲୋକ ସତ୍ୟଲୋକ ତୁମ୍ଭେ ।

ସୂର୍ଯ୍ୟାଲୋକ ଚନ୍ଦ୍ରଲୋକ ଧ୍ରୁବଲୋକ ଜିଣି

ବ୍ରହ୍ମଲୋକ ରୁଦ୍ରଲୋକ ବିଷ୍ଣୁଲୋକ ପୁଣି ।

ଗୋଲକ ଭୁବନ ନିରଞ୍ଜନ ଲୋକଯାଏ

ଏକଥୋଇ ବଇକୁଣ୍ଠ ଜିଣି ପୁଣ୍ୟମୟେ ।

ଏସନେକ ସ୍ତୁତି ଯହୁଁ କଲେ ନନ୍ଦଚାଟ

ବରୁଣ ଦେବତା ମନେ ଲାଗିଲା ଉଚ୍ଚାଟ ।

ମନ ମଧ୍ୟେ ଜାଣିଲେ ସେ ସୁବିଚାର କରି

ମଥୁରା କଟକେ ମଲେ ସୁମରନ୍ତି ହରି ।

ତରଙ୍ଗ ମନ୍ତ୍ରୀଙ୍କି ରାଇ ପୁଚ୍ଛନ୍ତି ରାଜନ

କିମ୍ପା ସୁମରନ୍ତି ମନେ ନର ନାରାୟଣ ।

ମନ୍ତ୍ରୀବର ବୋଲେ ଜରସନ୍ଧ ରାଜାପାଇଁ

ଲକ୍ଷେ ରାଜା ଧରି ମଥୁରାକୁ ଗ୍ରାସେ ସେହି ।

କାର୍ଯ୍ୟ ଯୋଗେ ନ ମାରନ୍ତି ତାକୁ ନାରାୟଣ

ପୁଣି ଗର୍ଗ ପୁତ୍ର କାଳିଦମନ ଯେ ପୁଣ ।

ଜରା ସଙ୍ଗେ ସାଥିହୋଇ ଆସିବଟି କାଲି

ଅପସରି ଆସିବାକୁ ଭାବିଲେ ସେ ବୁଲି ।

ଜାଗା ଖଣ୍ଡେ ମାଗିବାକୁ ଡାକୁଛନ୍ତି ହରି

ରହିବେ ସେ ନାରାୟଣ ଘର ତହିଁ କରି ।

ବୋଲନ୍ତି ବରୁଣ ପୂର୍ବ ଜାଣେ ମୁଁ ଏମାନ

କୁଶସ୍ଥଳୀ ଦ୍ଵାରକା ସେ କରିବେ ଦହନ ।

ଅନେକ ଦିନ ସେ ଦ୍ଵାର ଗୁପ୍ତ ରହିଥିଲା

ବ୍ରହ୍ମାଙ୍କ ଦିବସେ ଶୁଣି ଉଦିତ ହୋଇଲା ।

ସତର ସସ୍ର ଷାଠିଏ ଯୁଗର ଅନ୍ତରେ

ବସୁ ନାମରେ ଦ୍ଵାପରେ ହୁଏ ସେ ସ୍ଥାନରେ ।

କଂସଯୋଗେ ଜନ୍ମହେଳେ ମର୍ତ୍ତ୍ୟେ ନାରାୟଣ

ଦେବଙ୍କର କଷ୍ଟ ହରି କଲେ ନିବାରଣ ।

ତାହାଙ୍କର ସୃଜିଲା ଏ ସମସ୍ତ ଜଗତ

ସେ ମାଗନ୍ତି ଜାଣି ଯାହା ନୀତିର ମହତ୍ୱ ।

ଏବେ ଗଲା ଦେବତାମାନଙ୍କ ମନୁ ଭୀତି

ଧରାଦେବୀ ଏତେ କାଳେ ହୋଇବେକି ଶାନ୍ତି

ଋଷି ବିପ୍ରଙ୍କର ମନ ହେଲା ଏବେ ସୁସ୍ଥ

ସବଂଶେ ଅସୁର ବଳ ହୋଇବେକ ହତ ।

ଯାହାଙ୍କୁ ବ୍ରହ୍ମାଦି ଦେବେ ନିତ୍ୟ ଧ୍ୟାନକରି

ସେ ଅବ୍ୟକ୍ତ ରୂପ ଆସି ହେଲେ ଦେହଧାରୀ ।

ଯାହାଙ୍କ ନିବାସ ଭୂମି ଦ୍ୱାରକା ନଗର

ରଙ୍ଗା ଅବତାର ଏଥେ କରିବେ ବିହାର ।

ସ୍ୱର୍ଗଠାରୁ ଅଧିକ ଏ ପୁର ଶତ ଗୁଣେ

ଭୋଗିବେ ସ୍ଵର୍ଗ ସମ୍ପଦ ଏଥେ ଜଣେ ଜଣେ ।

ଅଷ୍ଟପାଟ ବଂଶୀ ବିଭାହେବେ ଜଗନ୍ନାଥ

ଲକ୍ଷେ ବାସ୍ତରୀ କୁମର କରିବେ ସେ ଜାତ ।

ପୁତ୍ର ଦଶ ଯେ କୁମର ଦଶ ଯେ ଦୁହିତା

ଏରୂପେ ଦ୍ୱାଦଶ ପାଟ ହୋଇଲା ଗଣିତା ।

ଦ୍ଵାଦଶ ସଙ୍ଗମେ ବିଜେ ହେବେ ଜଗନ୍ନାଥ

ବିଶ୍ଵକର୍ମାକୁ ଡାକିଲା ବରୁଣ ତୁରିତ ।

କହନ୍ତି ହେ ସ୍ୱର୍ଗ ଶିଳ୍ପୀ ପୁର ନିର୍ଭାକର

ଯାଦବକୁଳେ ରହିବେ ଘେନି ଚକ୍ରଧର ।

ଏତେକାଳେ ଏ ସ୍ଥାନରେ ଭାଗ୍ୟ ଉଦେହେଲା

ରହି ଏଠାରେ ବିଷ୍ଣୁ କରିବେକ ଲୀଳା ।

ଶଙ୍ଖ ନିଧି ପଦ୍ମନିଧି ଯେତେକ ସୁବର୍ଣ୍ଣ

ଜଳ ତରଙ୍ଗ ମନ୍ତ୍ରୀ ଯେ ଯୋଗାଇବେ ଘେନ ।

ରତ୍ନ ଭଣ୍ଡାରରୁ କଞ୍ଚି ଖୋଲି ଧନ ନେବ

ରାତ୍ର ମଧ୍ୟେ ସବୁପୁର ନିର୍ମାଣ କରିବ ।

ବିଳମ୍ବ ନକରି ବାବୁ କର ଶୀଘ୍ର ଗତି

ସମସ୍ତ ଆଦେଶ କଲେ ନିଜେ ଜଳପତି ।

ଶତେ ତାଳ ଗଭୀର ହେ ସିନ୍ଧୁ ଯାଉ ଉଡ଼ି

କୁଶସ୍ଥଳିକୁ ଯେ ସିନ୍ଧୁ ରହିଅଛି ମାଡ଼ି ।

ରାଜପୁରେ କଚେରୀ ଓ ସଭାର ମଣ୍ଡପ

କରିବ ଯତନେ ଯେହ୍ନେ ନ ହେବ ଖରାପ ।

ବରୁଣଙ୍କ ଆଜ୍ଞା ଘେନି ବିଶ୍ୱକର୍ମା ଗଲେ

କୁଶସ୍ଥଳୀ ଠାରେ ଯାଇ ପ୍ରବେଶ ହୋଇଲେ ।

ଆପେ ବିଶ୍ଵକର୍ମା କଲେ ସେ ପୁର ନିର୍ମାଣ

ରାଜାପୁର ମନ୍ତ୍ରୀପୁର ରାଜାଙ୍କର ସ୍ଥାନ ।

ନଗର ପାଟଣା ଆଦି ଯହିଁ ଯାହା ଲୋଡ଼ା

ହାତ ଦେଲେ ମନ କଳ୍ପନାରେ ହୁଏ ଗଡ଼ା ।

ନାନ ଫୁଲ ଉପବନେ କ୍ରୀଡ଼ାଗାର ସ୍ଥାନ

ଯାହା କଳ୍ପନା କରିଲେ ହେଲା ତାହା ପୂର୍ଣ୍ଣ ।

ରାତ୍ର ଦୁଇ ପ୍ରହାରକୁ ପୁର ହେଲା ଶେଷ

ତେଣେ ରତ୍ନାକର ପହଞ୍ଚିଲେ ପ୍ରଭୁ ପାଶ ।

କରନ୍ତି ବହୁତ ସ୍ତୁତି ଆସିଣ ବରୁଣ

ଆହେ ପ୍ରଭୁ ସୃଷ୍ଟି କର୍ତ୍ତା ନର ନାରାୟଣ ।

କି ଆଦେଶ ଦିଅ ପ୍ରଭୁ ପାଳିବ ଏ ଦାସ

ହସିଣ କହିଲେ ଜଳପତି ଘେନ ଭାଷ ।

ଅସୁରର ହାତେ ଆଉ ନ ପାରିଲି ରହି

ଖଣ୍ଡିଏ ପୁରକୁ ଜାଗା ପାରିବ କି ଦେଇ ।

ଶୁଣି ଜଳପତି କହନ୍ତି ହେ ଜନାର୍ଦ୍ଦନ

କୁଶସ୍ଥଳୀ ତୁମ୍ଭ ବାସ ରହିଛି ବିଧାନ ।

ଆଜି ତହିଁ ପୁର ନିର୍ମାଣିଣ ବିଶ୍ଵକର୍ମା

ଚାହିଁଥିବ ଯାଦବଙ୍କୁ ପଠାନ୍ତୁ ମଣିମା ।

ତହିଁ ବରୁଣକୁ ପ୍ରଭୁ ଦେଇଣ ବିଦାୟ

ଗରୁଡ଼କୁ ସୁମରିଲେ ପ୍ରଭୁ ଦେବରାୟ ।

ରମ୍ୟକ ଦ୍ୱୀପରୁ ପକ୍ଷୀ ଶୁଣିଣ ସେ ବାଣୀ

ଆସି ପ୍ରବେଶିଲା ପ୍ରଭୁ ପଦେ ତତକ୍ଷଣି ।

ଦେଖିଣ ଶ୍ରୀକୃଷ୍ଣ ଗରୁଡ଼କୁ ପ୍ରଶଂସିଣ

ବୋଇଲେ ହେ ବିଷ୍ଣୁ ଯାନ କରି ପରିତ୍ରାଣ ।

ରାକ୍ଷସ ବଳରେ ଆମ୍ଭେ ହେଲୁ ପରାଜିତ

ମଥୁରା ଛାଡ଼ିବୁ ବେଳ ହେଲା ଉପସ୍ଥିତ ।

ଚାଲ ଦେଖିବା କିପରି ଦ୍ଵାରକାରପୁର

ବିଶ୍ଵକର୍ମା ଗଢ଼ିଛନ୍ତ ଦେଖିବା ସତ୍ଵର ।

ଗରୁଡ଼ ପିଠିରେ ବିଜେକଲେ ଚକ୍ରଧର

ପ୍ରବେଶ ହୋଇଲେ ଯାଇ ଦ୍ଵାରକା ନଗର ।

ବିଶ୍ଵକର୍ମା ଦେଖି ଆସି ପଦେ ପ୍ରଣମିଲା

ସବୁ ପୁରମାନଙ୍କୁ ସେ ନେଇ ଦେଖାଇଲା ।

ପୁଣି ଫେରି ଆସି କହନ୍ତିରେ ପକ୍ଷୀବର

ରାତ୍ରମଧ୍ୟେ ବୋହିନିଅ ଯାଦବ ସତ୍ଵର ।

ଆଦେଶିଲେ ନାରାୟଣ ସକଳ ଯାଦବେ

ସର୍ବ ସମ୍ପଦକୁ ନେଇ ଯାଇ ଏଥୁଁ ବେଗେ ।

ଶୁଣି ରାଜପୁରବାସୀ ହୋଇଲେ ବାହାର

ଡେଣା ବିସ୍ତାରିଲା ପକ୍ଷୀ ଯୋଜନେ ଆକାର ।

ସବୁ ସମ୍ପଦକୁ ଧରି ବସିଲେ ରାଜନ

ଯେତେ ନଗର ପରଜା ଆଦି ଦ୍ରବ୍ୟଧନ ।

ଗାଈ ଗୋରୁ ଛେଳି ମେଣ୍ଢା ଆଦି ଯେତେଜୀବ

ଗୃହପାଳିତ ପଶୁ ଏ ବସିଲେ ସରବ ।

ଚୌରାଅଶୀ କୋଟି ଯାଦବେ ଗଲେ ରାତ୍ରେଚଳି

ସର୍ବ ସମ୍ପଦାଦି ନେଲେ ଯେଝାମନେ ଭାଳି ।

ରାତ୍ର ଅଛି ଛାଡ଼ିଦେଇ ଗଲା ପକ୍ଷୀବର

ଏକା କୃଷ୍ଣ ରହିଲେ ସେ କରିଣ ବିଚାର ।

କପଟେ ମାରିବି ଏକା କାଳ ଦମନିକୁ

ଯାଦବେ ଚାହିଁଣ ଥିବେ ଯିବି ମଥୁରାକୁ ।

ରାତ୍ର ପ୍ରଭାତରୁ କାଳ ଦମନ ଯେ ରାଜା

ଜରାସନ୍ଧ ମିତ୍ର ସଙ୍ଗେ ଧରି ସୈନ୍ୟ ପ୍ରଜା ।

ପ୍ରବେଶ ହୋଇଣ ବେଢ଼ାଇଣ ସର୍ବପୁର

ଖୋଜନ୍ତି ନାହାନ୍ତି କେହି ଗୋଟିଏ ସେଠାର ।

ଚାରିଉଣା ଲକ୍ଷେରାଜା ପଶିଣ ଖୋଜନ୍ତି

କରେ ଅସ୍ତ୍ର ଧରି ବୀରପଣିଆ ଦେଖାନ୍ତି ।

କେହି ନାହିଁ ଜନଶୂନ୍ୟ ମଥୁରା ଖୋଜନ୍ତି

ଭାଙ୍ଗି କବାଟ ଦେଖନ୍ତି ପଶି ଘର ଘର ।

ଜରା ମୁଖ ଚାହିଁ କାଳଦମନ ବୋଇଲା

ଭୋ ମଇତ୍ର ଏ କଥା ତ ବିଚିତ୍ର ଲାଗିଲା ।

ଯାହାର ନିମନ୍ତେ ଆସି ଏତେ କଷ୍ଟ ପାଇଁ

ସର୍ବଘର ତୁଚ୍ଛା କେହି ଜଣେ ଏଥେ ନାହିଁ ।

ଅଦୃଷ୍ଟ ଅଶ୍ରୁତ କଥା ଆମ୍ଭର ଏ ଭଲା

ଏତେଲୋକ ରାତ୍ରେ ଥିଲେ କାହିଁ କେଣେଗଲା

ଆମ୍ଭର ଥାଟ ଅଛନ୍ତି ଚାରିପାରେ ମାଡ଼ି

କେଉଁଠି ରହିଲେ କିବା ଗଲେ ଏଥୁ ଉଡ଼ି ।

ଜଣେହେଁ ମନୁଷ୍ୟ ଏଥେ ନାହାନ୍ତିତ କେହି

କୀଟ ପତଙ୍ଗ ଗୋଟିଏ କେଉଁଠି ନ ପାଇ ।

ଜରା ବୋଇଲା ମୁଁ ପରା କହୁଛି ଆଗହୁଁ

ଅନେକ ଠକି ଗଲାଣି ମୋତେ ଚାହୁଁ ଚାହୁଁ ।

ବଡ଼ମାୟାବୀ ଯେ ଦୁଇଭାଇ ସେ ଅଟନ୍ତି

ଧରୁ ଧରୁ ପକାଇଣ ପେଲି ନେଇ ଯାନ୍ତି ।

କୌଣସି ଉପାୟ ତାକୁ ପାରୁ ନାହିଁ ଜିଣି

ମୋତେ ସେ ଦୁଇ ଭାଇ ଯେ ବହୁ ଠକିଲେଣି ।

ତେଣୁ ମୁଁ ଆସିଛି ତୁମ୍ଭଙ୍କୁ ଯେ ସଙ୍ଗେ ଘେନି

ମୋର ବିଦ୍ୟା ବୁଦ୍ଧି ସବୁ ସମସ୍ତ ଗଲାଣି ।

ତୁମ୍ଭେ ଯାଦବଙ୍କୁ ବଳେ କରିପାର ଜୟେ

ମୁହିଁ ଥକିଲିଣି କରି ବହୁତ ଉପାୟେ ।

ଯେଉଁ ସମୟରୁ ଗଡ଼ ଘେରିଲେକ ଆସି

ରାତ୍ର ବୋଲି ନ ଘେରାଇ ରହିଗଲେ ବସି ।

ମଇତ୍ର ତୁମ୍ଭେ ମୋହର କଲନାହିଁ ବୋଲ

ଅକାରଣେ ଏଡ଼େ ଅପବାଦ ଯେ ପାଇଲ ।

ଦମନ ବୋଇଲେ ମଲା ଗଲା ଦୁହେଁ ସରି

ପଣ୍ଡିତ ଲୋକ ସେ କଥା ଶୋଚନା ନକରି ।

ତୁମ୍ଭେ ଆମ୍ଭେ ଯେହ୍ନେ ଦୁଇଯିବା ଏକାହୋଇ

କ୍ଷଣିକରେ ଯାଦବଙ୍କୁ ପାରିବା ଯେ ଦହି ।

ଲକ୍ଷପୁର କରି ଗଡ଼ ବେଢ଼ାନ୍ତେ ଚୌକତି

ଗଉଡ଼ ପଳାଇଗଲା ମନେ କରି ଭୀତି ।

ପରାଣ ବିକଳେ କାହିଁ ଲୁଚିଲାଣି ଅବା

ଚାଲ ନିର୍ବନ୍ଧ କରିଣ ସମସ୍ତେ ଖୋଜିବା ।

ଏ ରୂପରେ ଦୁଇଦୁଷ୍ଟ ହେଲେ କୁହାକୁହି

ପଦରେ ଯାଉଅଛନ୍ତି ଦୁହେଁ ଯୋଡ଼ି ହୋଇ ।

ପଛରେ ଗୋଡ଼ାଇଛନ୍ତି ଲକ୍ଷେକ ନୃପତି

ବାଙ୍କ ଗଳି କନ୍ଦିମାନ ସର୍ବ ଯେ ଖୋଜନ୍ତି ।

ବିଶ୍ଵକର୍ମାର ଗଠନ ମଥୁରା ନଗରୀ

ବିଚିତ୍ର ଦିଶଇ ଯେହ୍ନେ ବାରସ୍ୱତୀ ପୁରୀ ।

ଶ୍ରଦ୍ଧା ପାଇଣ ଦେଖନ୍ତି ସର୍ବ ଦଣ୍ଡଧାରୀ

ଧନ୍ୟ ଏହି ପୁର ସର୍ବେ ପରଶଂସା କରି ।

କୋଟି ପାଦେ ଲକ୍ଷ୍ମୀ ଏଥେ ବିଜେ କରିଛନ୍ତି

ଏ ପୁରକୁ ଛାଡ଼ିବାକୁ କେ କରିବ ମତି ।

ପୁଣି ଦମନକୁ ଜରା ବୋଲଇ ବଚନ

ଦେଖ ମଇତ୍ର ଏ ପୁର କିପରି ଯତନ ।

କଂସ ସ୍ୱର୍ଗ ସମ୍ପଦକୁ କରି ଛାରଖାର

ଅତି ବିଚିତ୍ରମୟ ଏ କରିଥିଲା ପୁର ।

ଦମନ କହଇ ବଡ଼ ବିଚିତ୍ର ଲାଗଇ

କିପରି ଯାଦବ ଗଲେ ଏଠାରୁ ପଳାଇ ।

ଚତୁର୍ଦ୍ଦିଗ ରାତ୍ର ସାରା ଜଗିଛନ୍ତି ଚାର

କିବା ଉଡ଼ିଗଲେ ସର୍ବେ ଲାଗେଏ ବିଚାର ।

କିବା ବିବର ଏଠାରୁ ଅଛି ପାତାଳକୁ

ବଡ଼ ବିଚିତ୍ର ପରାଏ ଲାଗେ ମୋ ମନକୁ ।

ଶୁଣି ଜରାସନ୍ଧ ବୋଲେ ସବୁ ଦେଖିଲିଣି

କାହିଁ କେଉଁଠାରେ ଗର୍ତ୍ତ ଦେଖୁନାହିଁ ପୁଣି ।

ଏତେ କହି ସିଂହଦ୍ଵାର ଡେଇଁଣ ସେ ଗଲେ

ପଦ୍ମାସନେ ଏକପୁତ୍ର ବସିଛି ଦେଖିଲେ ।

ନୀଳ ଇନ୍ଦିବର ପରି ବିରାଜଇ ତନୁ

ନିର୍ମଳ ଆକାଶେ ଯେହ୍ନେ ଉଦେ କୋଟି ଭାନୁ

ମସ୍ତକରେ ଦିବ୍ୟଚୂଳ କହ୍ନା ପୁଚ୍ଛ ଜିଣି

କନ୍ଧମୂଳ ପରିଯନ୍ତେ ଲମ୍ବ ଅଛି ବେଣୀ ।

ବାହୁରେ ବାଜୁବନ୍ଧ ଯେ କର୍ଣ୍ଣରେ କୁଣ୍ଡଳ

ଶ୍ରୀଭୁଜେ କଙ୍କଣ ଗଳେ ରତ୍ନହାର ମାଳ ।

ଲଲାଟରେ ଚିତା ମୃଗନାଭୀର କସ୍ତୁରୀ

ହୃଦୟରେ ବନମାଳା ଅତ୍ୟନ୍ତ ମାଧୁରୀ ।

ଝୀନବାସ ପରିଧାନ ହୋଇଅଛି ଅଙ୍ଗେ

ବିଦ ମୁଦି କଙ୍କଣାଦି ସ୍ଵର୍ଣ୍ଣହାର ସଙ୍ଗେ ।

ଗୋଡ଼େ ଗୋଡ଼ ବଳା ବାନ୍ଧିଅଛନ୍ତି ବାହୁଟି

ମଣି ମାଣିକ୍ୟ ମୁକୁତା ହୀରା ଗୋଟି ଗୋଟି ।

ଅପୂର୍ବ ବାଳ ମୂରତି କନ୍ଦର୍ପର ପ୍ରଭା

ସିଂହଦ୍ୱାରେ ବସିଛନ୍ତି ଯେ ଦେବାଧି ଦେବା ।

ବିଶ୍ଵକୂଟ ରୂପ ଦେଖି ସର୍ବେ ହେଲେ ମୋହି

ଶ୍ରୀମୁଖକୁ ଉପଲକ୍ଷି ନ ପାରନ୍ତି କେହି ।

ରାଜାମାନେ ବେଢ଼ିଛନ୍ତି ଚତୁର୍ଦ୍ଦିଗ ଘେରି

ଦେଖିବାକୁ ଠେଲାପେଲା ହୁଅନ୍ତି ଆହୁରି ।

ଗହଳରେ ପେଲାପେଲି ହୁଅନ୍ତି ସରାଗେ

ଏକକୁ ପଛ କରିଣ ଏକ ଧାଏଁ ଆଗେ ।

କାଳିଦମନ ବୋଇଲା ଶୁଣରେ ବାଳୁତ

ସର୍ବେ ପଳାଇଲେ ତୁହି ରହିଲୁ କେମନ୍ତେ ।

ସକଳ ଯାଦବ କାହିଁ ଗଲେକ ପଳାଇ

କେଉଁଠି ଅଛନ୍ତି ତାଙ୍କ ପତା ମିଳୁ ନାହିଁ ।

ଦରହ ସିତେ କହନ୍ତି ପ୍ରଭୁ ଚକ୍ରଧର

କାଳଦମନକୁ କୂଟେ ଦିଅନ୍ତି ଉତ୍ତର ।

ଶୁଣ ସାବଧାନେ ଆହେ ଗୋପାବାଳୀ ବଳା

ଈଶ୍ଵର ବନେ ଦମନ ଯୁଦ୍ଧେ ଅନର୍ଗଳା ।

ତୁମ୍ଭ ସମଦଣ୍ଡ ବହିବାର ବାର୍ତ୍ତା ପାଇ

ଯାଦବମାନେ ରହିଲେ ଦ୍ଵାରକାରେ ଯାଇଁ ।

ପଶ୍ଚିମ ସମୁଦ୍ର ମଧ୍ୟେ ଦୁର୍ଜ୍ଜୟ ସେ ବଡ଼

ସ୍ୱର୍ଣ୍ଣମୟ କୁଶସ୍ଥଳୀ ଅତ୍ୟନ୍ତ ସେ ବଡ଼ ।

ବଜ୍ର କିଳିଣି ଦେଇଣ ରହିଛନ୍ତି ତହିଁ

ଶ୍ରଦ୍ଧା ଥିଲେ ସେଠାକୁ ହୋ ଯାଅ ଏଥୁ ବାହି ।

ଜରା ବୋଲେ ମୁହିଁ ବାଟେ ଜଗିଅଛି ମାଡ଼ି

ଏତେ ଲୋକ କେଉଁବାଟେ ଗଲେ ଏଥୁ ଛାଡ଼ି ।

ଦ୍ଵାରୁ ବାହାର ହୁଅନ୍ତେ ପଡ଼ିଥାନ୍ତେ ଭେଟ

କେଉଁ ଉପାୟରେ ଗଲେ ଲାଗଇ ସଙ୍କଟ ।

ପାତାଳ ବିବର ବାଟେ ଗଲେ କି ପଳାଇ

ଚାଲିଗଲେ ପାଦଚିହ୍ନ ଥାଆନ୍ତାଟି ରହି ।

କହନ୍ତେ ଏ ଅସମ୍ଭବ ଶୁଣିଲେ ଅହନ୍ତା

କୃଷ୍ଣ ବୋଇଲେ ସେ ଅଟେ ବିଷ୍ଣୁମାୟା କଥା ।

ତାହା କହିବାକୁ କିଏ ସମର୍ଥ ହୋଇବ

ଯାର ମାୟା ଜାଣି ନ ପାରିବେ ସଦାଶିବ ।

ଦେବ ନିର୍ମାଣ ଦ୍ୱାରକା ଆଗୁ ହୋଇଥିଲା

ଗରୁଡ଼ ପିଠିରେ ନେଇ ସେଠାରେ ଛାଡ଼ିଲା ।

ବସାଇ ପିଠିରେ ପକ୍ଷୀ ଶୂନ୍ୟେ ଗଲା ଉଡ଼ି

ନେଇଣ ସେ ଦ୍ଵାରକାରେ ସମସ୍ତଙ୍କୁ ଛାଡ଼ି ।

କାଳଦମନ ବୋଇଲା ସର୍ବେ ଯେବେ ଗଲେ

ତୁମ୍ଭଙ୍କୁ କାହିଁକି ଏଥେ ଛାଡ଼ିଣ ଚଳିଲେ ।

ଜଗନ୍ନାଥ ବୋଇଲେ ମୁଁ ରହେ ଯହିଁ ପାଇଁ

ସେ କଥା କହୁଛି ଏବେ ଶୁଣ ମନଦେଇ ।

ଚାରିରଥୀ ଲକ୍ଷେ ରାଜା ଆସିଛ ସକଳ

ସଙ୍ଗତେ ଅଛନ୍ତି ଦଶ ଅକ୍ଷୌହିଣୀ ବଳ ।

ସର୍ବ ରାଜାମାନଙ୍କର ଚରଚାର ପାଇଁ

ଅନ୍ନ ବ୍ୟଞ୍ଜନ ଦେଇ ମୁଁ ତୋଷ କରିବଇଁ ।

ଅଶ୍ୱ ଗଜ ପଦାତି ଯେ ଅଛନ୍ତି ବହୁତ

ଧର୍ମହାନୀ ହେବ ଚର୍ଚ୍ଚା ନ କରିଲେ ସେ ତ ।

ଜରା ବୋଇଲେ ମଇତ୍ର ଜାଣ ତଥ୍ୟବାଣୀ

ଏହି ବାଳୁତ ନୁହଇ ଅଟେ ଚକ୍ରପାଣି ।

ତୁମ୍ଭେ ତ ଜାଣନା କହେ ଏ ବଡ଼ କପଟ

ଏହିପରି ବହୁରୁପେ କରୁଥାଏ ନାଟ ।

ଏହି ଧରୁଥାଇ ବହୁରୂପେ ନାନା ବେଶ

ଭଲ ଭଲ ସେନା ୟାର ଯୋଗେ ଗଲେ ନାଶ ।

ସତର ବାର ପର୍ଯ୍ୟନ୍ତ ଧରୁ ଧରୁ ଯାଇଁ

ହୁସିଆର ଧର ପୁଣି ଯିବଟି ପଳାଇ ।

କାଳ ଦମନ କହଇ ଯିବ ଏ କିପରି

ଜାଲେ ପଡ଼ିଲାଣି ଖସିଯିବ କେଉଁପରି ।

ପଚାରଇ ତୁମ୍ଭ ନାମ କିସ ହୋ ନନ୍ଦନ

ଶ୍ରୀକୃଷ୍ଣ ବୋଇଲେ ନାମ ଅଟେ ଜନାର୍ଦ୍ଦନ ।

ଉଗ୍ରସେନ ଝିଅର ମୁଁ ପୁଅ ଅଟେ ନାତି

ମୋର ପିତା ବସୁଦେବ ଏଠାରେ ରହନ୍ତି ।

ଜରା ବୋଇଲା ଏହିଟି ସେହି ଚକ୍ରପାଣି

ଧରି ଆଣି ବାନ୍ଧିଦେବା ବେଳ ଗଡ଼ିଲାଣି ।

ଦମନ କହିଲା କାହିଁ ଏ ବାଳକ ଯିବ

ମୋ ଆଗରୁ ପଳାଇବା ଅଟେ ଅସମ୍ଭବ ।

ଚାରିଆଡ଼େ ଆମ୍ଭ ଥାଟ ରହିଛନ୍ତି ଘେରି

କିପରି ସେ ମୂଷାଯିବ ଜଗିଲେ ମାର୍ଜାରୀ ।

ଆରେ ଗଉଡ଼ ଅକାଳେ ପାଶେ ଦେଲୁଧରା

ଠକି ଯାଇଥିଲୁ କାଳେ ଧରୁ ଧରୁ ପରା ।

ସର୍ବ ଶୁଭେ ହେଲା ତୁମ୍ଭ ଆମ୍ଭ ଭେଟାଭେଟି

ତସ୍କର ତୁ କଟୁଆଳ ଆଗେ ଗଲୁ ଯୋଟି ।

ଆପେ ଆସିଅଛୁ ତୁମ୍ଭ ଶଙ୍ଖୋଳା କାରଣେ

ଦେଖା ଦେଲୁ ଆଗେ ମୁହିଁ ସର୍ବ ଶୁଭକ୍ଷଣେ ।

ଛୟାଣୋଇ ସସ୍ର ରାଜା ଚତୁରଙ୍ଗ ବଳ

ତୋର ଲାଗି ବହୁକଷ୍ଟ ପାଇଲେ ସକଳ ।

ଏବେ ମୋର କାର୍ଯ୍ୟ ଗୋଟି ହୋଇଲା ପ୍ରସିଦ୍ଧି

ବାହାସ୍ଫୋଟ ମାରି ହସେ ସେହି ନୃପନିଧି ।

ଜରା ବୋଲେ ମିତ ବିଚାର କରୁଛ କିସ

ଏହି କୃଷ୍ଣ ଲାଗି ମୋର ହେଲା ସବୁ ନାଶ ।

ଏକା ନାଶକଲା କେତେ ନରପତି ବଳ

ଏହା ଯୋଗୁ ବୁଡ଼ିଗଲା କଂସ ରାଜା କୁଳ ।

ଏହାକୁ ଦେଖିଲେ ଦୁଃଖ ପଡ଼ିଯାଏ ମନେ

ମାରିଦେଲା ଦିଗପାଳ ପରି ନାତିମାନେ ।

ଉପ୍ରୋଧ ନକରି ୟାକୁ ମାରହେ ଚଞ୍ଚଳ

ପଳାଇବ ଚୋର ପରି ଆଗକୁ ତତ୍‌କାଳ ।

କାଳ ଦମନ କହଇ ମୋ ଜାଲରୁ ମାଛ

ପଳାଇବ ଅସମ୍ଭବ ଦେଖ ସତ ମିଛ ।

ମୋ ପିତା ବଇରୀ ଛନ୍ତି ଯାଦବ ସକଳ

ଅପମାନ ଦେଲେ ହୋଇ ବଡ଼ ଜାତି କୁଳ ।

ତାହାଙ୍କ ଅଶ୍ରୟେ ଏହି ଗଉଡ଼ର ପୁଅ

ମାରିଲେ ଛାଡ଼ିବୁ ସବୁ ଦିନକୁ କଳହ ।

ଆଖି ଆଗରେ ବିଧାତା ଭେଟାଇଲା ଆଣି

ଏତେଦିନ ମନସାଧ ମେଣ୍ଟି ଅଛି ପୁଣି ।

କୃଷ୍ଣମୁଖ ଦେଖି କାଳ ଦମନ ବୋଇଲା

କାଳ ତୋହର ଏ ବାର ସମାପତ ହେଲା ।

ସୁମର ଗଉଡ଼ ତୋର ଗୁରୁ ଇଷ୍ଟଜନ

ପଶୁପରି ବଳି ଏଥେ ହୋଇବୁ ନିଧନ ।

ଏତେକହି କୃଷ୍ଣ ଉପରକୁ ଯାନ୍ତେ ଡେଇଁ

ଉଭାହେଲେ ମାୟାଧର ଖଣ୍ଡେ ଦୂର ଯାଇଁ ।

ପବନକୁ ଯେଉଁପରି ହୁଏ ନାହିଁ ଧରି

ଫାଶ ବସାଇଲେ ଫାଶ ଥାଏ ସେହିପରି ।

ପଦ୍ମ ପତରରେ ଜଳ ଲାଗି ରହିଥାଏ

ପାଖେ ଥାଇ ତାହାଠାରୁ ଅଲଗା ସେ ରହେ ।

କାଳଦମନ ପାଖରେ ଥାଇ ନୋହେ ଧରି

ଦେଖି ସର୍ବ ରାଜା ମାନେ ହେଲେ ଠରାଠରି ।

କାଳଦମନ କହଇ ମୃତ୍ୟୁକାଳେ ନର

ଚେଷ୍ଟା କରୁଥାଏ ନିଜେ ବଞ୍ଚିବ ମହୀର ।

ନିସତ ହୋଇଣ ପୁଣ ଲାଗେ ଜୀବମାୟା

ବଳି ପଶୁପରି ଜୀବନକୁ ମାଗେ ସାହା ।

କର୍ମଫଳ ତୋର ନିଶ୍ଚେ ଭୋଗିବୁରେ ବାଇ

କାଳ ଦମନ ପାଖରୁ ଯିବୁ କି ପଳାଇ ।

ଅଠାକାଠି ଚଢ଼େଇର ବାହାଦୁରୀ ପରି

ଆଉ ଜୀବନର ମାୟା ବନ୍ଧୁ ଡରି ଡରି ।

ଜାଣୁଛୁ ମୂରୁଖ ତୋର ଗଉଡ଼ ସ୍ଵଭାବ

ବସୁଦେବ ପୁତ୍ର ନୋହୁ କିଏ ବା କହିବ ।

କ୍ଷତ୍ରିୟ କୁଳେ ମରଣ ମଣଇ ଅମୃତ

ମରଣ ପାଇଁ ସେ ଯେ କେଭେ ନହୁଏ ନିସତ ।

ଏହାକହି ଧନୁଗୁଣ ଟଙ୍କାର ସେ କଲା

ନାଗଫାଶ ଶରଗୋଟି ସୁମରଣା କଲା ।

ଏହିପରି ଦେଖି କାଳଦମନର ଗତି

କପଟ ମନେ ଭାବିଲେ ଦେବ ଶିରୀପତି ।

ମରିବ ନାହିଁ ମୋ ହାତେ ଏ କାଳଦମନ

କପଟେ କରିବି ୟାର ମରଣ ବିଧାନ ।

କାଳଦମନକୁ ଚାହିଁ କହନ୍ତି ମାଧବ

ତୁ କାଳଦମନ ରାଜ କୁଳେ ନେଲୁ ଭାବ ।

କ୍ଷତ୍ରିକୁଳ ଶିରୋମଣି ନୀତିର ପୂଜକ

କିପରି ଅନୀତି କରୁହୋଇ ଅବିବେକ ।

ଦେଖୁଛୁ ଏକାକୀ ମୋର ହାତେ ଅସ୍ତ୍ରନାହିଁ

ଧନୁରେ ଶର ତୁ ଲାଖ କରୁକିସ ପାଇଁ ।

ତୁହି ତ ଭଲରେ ଜାଣୁ ସଂଗ୍ରାମର ବିଧି

ମହାରଥି ହୋଇ କାମ କରୁଛୁ ଅବିଧି ।

ମୁଁ ତ ଜଣେ ତୁମ୍ଭେ ବେଢ଼ିଅଛ ବହୁବୀର

ବିଶେଷରେ ଧର୍ମ ଛାଡ଼ି ଅଧର୍ମକୁ କର ।

ତୁହି ସତ୍ୟ ଜାଣି ଅଛୁ ନୀତି ବେଦକର୍ମ

ନିରସ୍ତ୍ରକୁ ଅସ୍ତ ବାନ୍ଧି ବଢ଼ାଉ ଅଧର୍ମ ।

ସତ୍ୟ ସିନା ଚିରାଚର କରିଅଛି ଜାତ

ସମୁଦ୍ର ସତ୍ୟରେ କୂଳ ଲଙ୍ଘଇ ସେତ ।

କାଳଦମନ ଶ୍ରୀହରି କଥାକୁ ଶୁଣିଣ

ଧନୁ ତଳେ ରଖି କହେ ଶୁଣ ମୋ ବଚନ ।

ଲକ୍ଷେ ରାଜା ଅଛନ୍ତି ଏଠାରେ ଉପସ୍ଥିତ

ଧନୁ ନ ଧରିବି ମୁହିଁ କରୁଅଛି ସତ୍ୟ ।

ଜଣେ ଛଡ଼ା ଦୁଇ ଜଣ ନ କରିବେ ରଣ

କେଉଁ ଯୁଦ୍ଧ ଜାଣୁ ଆରେ ହେଉ କ୍ଷତ୍ରିରାଣ ।

ଶ୍ରୀକୃଷ୍ଣ କହନ୍ତି ମଲ୍ଲଯୁଦ୍ଧ ମୋର ହେଲା

ଶୁଣିଣ କାଳଦମନ କାଚ୍ଛାଭିଡ଼ି ଦେଲା ।

ଜଙ୍ଘେ ହାତ ମାରି କହେ ଆସରେ ଗଉଡ଼

ଏକା ହୋଇ ଧର୍ମ ନ୍ୟାୟ କରି ତୁହି ଲଢ଼ ।

କୃଷ୍ଣର ମିଳାଇ ହାତ କଲେ ପରିତାଳ

ବିନ୍ଧାଣ ଗତି କରିଣ ଦେଖାନ୍ତି କୌଶଳ ।

ଭିଡ଼ି ନେଇଣ ସେ କାଳଦମନ ପ୍ରବଳ

ବିଧାଏ ମାରିଲା ତାର ଥିଲା ଯେତେ ବଳ ।

ବଞ୍ଚାଇଣ ଜଗନ୍ନାଥ ଗଲେ ତହୁଁ ଖସି

ଦେଖି ଧାଇଁ ଧରେ କାଳଦମନ ଯେ ଆସି ।

ବିଚିତ୍ର ଗତିରେ କୃଷ୍ଣ ଧରାଧରି ହୋଇ

ରାଗରେ କାଳଦମନ ବିଧାଏ ଉଞ୍ଚାଇ ।

ଅଦୃଶ୍ୟ ହୋଇଣ ଯାନ୍ତି ଧରୁ ଧରୁ ହାତ

ପୁଣି ଖଣ୍ଡଦୂରେ ଡାକ ଦ୍ୟନ୍ତି ଜଗନ୍ନାଥ ।

ଦଉଡ଼େ କାଳଦମନ ବିଧାକୁ ଉଞ୍ଚାଇ

ଗତିକରି ନାରାୟଣ ଦିଅନ୍ତି ବଞ୍ଚାଇ ।

ପୁଣି ଛାଡ଼ି ଧାଇଁଯାନ୍ତି ଗୋଡ଼ାଏ କୌଣପ

ମାୟାକଲେ ମାୟାଧର ଦେଖାଇ ସ୍ଵରୁପ ।

ଆରେ ଡେଇଁ ଯାଆନ୍ତି ସେ ସତୁରୀ ଯୋଜନ

ରାଗେ ଅଧର କାମୁଡ଼ି ପହଞ୍ଚେ ଦମନ ।

ବୋଇଲାରେ କାହିଁ ଯିବୁ ତୁ ଗଉଡ଼ ଛୁଆ

ଛାଡ଼ିଲା ଧରମ ମୃତ୍ୟୁ ଡାକୁଅଛି ଏହା ।

ପଛେ ପ୍ରବେଶ ହୁଅନ୍ତି ଯେବେ ଶତ୍ରୁବଳ

ଜରାସନ୍ଧ ଆଦି ଯେତେ ଯକ୍ଷ ବୀରକୁଳ ।

ଏହିପରି ଧାଇଁ ଧାଇଁ ହୁଅନ୍ତି ଅଦୃଶ୍ୟ

ପୁଣି ଆଗରେ ଡାକନ୍ତି ରେ ରାକ୍ଷସ ଆସ ।

ପଶ୍ଚିମ ରାଷ୍ଟ୍ର ସେ ତୁଙ୍ଗଭଦ୍ରା ନଦୀ କୂଳେ

ଇନ୍ଦ୍ରଗିରି ନାମେ ତହିଁ ପର୍ବତର ତଳେ ।

ଭରଦ୍ୱାଜ ମହାଋଷି ମଠ କରିଥିଲେ

ମୟନାମେ ବିଶ୍ୱକର୍ମା ପୁର ନିର୍ମାଣିଲେ ।

କୋଶେ ଆୟତନ ତହିଁ ଭିତର ମନ୍ଦିର

ପଞ୍ଚାନବେ ଆୟତନ ବଖରା ତାହାର ।

ହୀରାନୀଳା ବଇଡୁର୍ଯ୍ୟ ଉଡ଼େ ପନ୍ତି ପନ୍ତି

ମଣି ମାଣିକ୍ୟରେ ମାଳା ତହିଁ ଶୋଭା ପାନ୍ତି ।

ଜାଈ ଯୁଈ ମଲ୍ଲୀ ଚମ୍ପା ଆଦି ନାଦେଶ୍ଵର

ଫୁଟିଅଛି ଉପବନ ଦିଶଇ ସୁନ୍ଦର ।

ପୁର ମଧ୍ୟରେ ଅଛଇ ସୁନ୍ଦର ତଳପ

ଶୋଇଛନ୍ତି ମୁଚୁକୁନ୍ଦ ବିଭାଜଇ ରୂପ ।

ଦ୍ୱାରଦେଶେ ଦ୍ୱାରପାଳ ହୋଇଛନ୍ତି ଉଭା

ବିଚିତ୍ରମୟ ପୁରୀ ସେ ଦିଶୁଅଛି ଶୋଭା ।

ତପର ପ୍ରଭାବେ ତହିଁ ନାନା ପକ୍ୱଫଳ

ପୁରି ରହିଅଛି ତହିଁ ଅମୃତ ସମ୍ବଳ ।

ତେତିଶିକୋଟି ଦେବତା ଦେଇଛନ୍ତି ବର

ଅଚେତାରେ ଶୋଇଛନ୍ତି ଅତ୍ୟନ୍ତ ଶାନ୍ତିର ।

ଇଷ୍ଟ ବନ୍ଧୁ କୁଟୁମ୍ବ ଆବର ପ୍ରିୟସିଖା

କେହି ନାହାନ୍ତି ସେ ନିଜେ ଶୋଇଛନ୍ତି ଏକା ।

ବିଚାର କରିଲେ ତହିଁ କମଳାର ବର

ଯାଉଛି ପଶିବି ସର୍ବେ ଦେଖନ୍ତେ ଏ ପୁର ।

ନିଶ୍ଚେ ଗୋଡ଼ାଇ ପଶିଣ ଖୋଜିବ ଅସୁର

ମୁଚୁକୁନ୍ଦକୁ ଭାବିବ ନିଶ୍ଚେ ମୋ ଶରୀର ।

ନ ଉଠିଲେ ମାରିବ ଏ ନିଶ୍ଚେ ମାଲମୁଥ

ନିଦ୍ରା ତେଜି ଦେଖିବେକ ଗନ୍ଧର୍ବ ତୁରିତ ।

ନୟନ ଫେଡ଼ିଲେ ଭସ୍ମ ହେବ ତା ଶରୀର

ମରିବ ଏଠାରେ ନିଶ୍ଚେ ଦୁର୍ଦ୍ଦାନ୍ତ ଅସୁର ।

ସନ୍ନିଧେ କେହି ନାହାନ୍ତି ଶୋଇଛନ୍ତି ଏକା

ଏହି ବେଳେ ଯିବି ଭାବି ଡାକନ୍ତିରେ ବୋକା ।

କୃଷ୍ଣ ଡାକ ଶୁଣି ଧାଇଁ ଆସଇ ଅସୁର

ତା ଦେଖନ୍ତେ ସେ ଘରକୁ ଗଲେ ଦାମୋଦର ।

ଅଦୃଶ୍ୟ ହୋଇ ରହିଲେ ତହିଁ ଚକ୍ରଧର

ଧାଇଁଣ କାଳଦମନ ପଶିଲା ସେ ଘର ।

କେଣେ ପଳାଉ ଗଉଡ଼ ଗାଈଆଳ ଟୋକା

ଚୋର ପରି ଲୁଚି ବୁଲିଲୁଣି କେତେ ବୋକା ।

ମୋ ମୁଖରୁ ରଖିବାକୁ ତ୍ରିଭୁବନେ ନାହିଁ

କେଉଁଠି ଲୁଚିବୁ ଆରେ କାଳିଆ କହ୍ନାଇଁ ।

ଏତେ କହି ଖୋଜଇ ମୋ ଘରେ ପଶି ପଶି

ଦେଖିଲା ପଲଙ୍କ ଜଣେ ଶୋଇଛନ୍ତି ରସି ।

କେହି ନାହିଁ କାହିଁ ଗଲା ଦେଖଇ ଅସୁର

ନିଶ୍ଚେ ମାୟାରେ ଶୋଇଛି ଗଉଡ଼ କୁମର ।

ସହଜେ କ୍ରୋଧ ମଦିରା କରିଅଛି ପାନ

ଦିଶୁନାହିଁ ଉଚ୍ଚ ନୀଚ ଭାବିଲାକ ମନ ।

ଆରେ ଆରେ ଗଉଡ଼ ତୁ କିମ୍ପାଗଲୁ ଶୋଇ

କାଳଯମ ଆଗେ ଶୋଇ କେବା ମୁକ୍ତିପାଇ ।

ପୁଣି ବିଚାରଇ ଅବା ମୋହ ନିଦ୍ରାଗଲା

ଆସୁ ଆସୁ ଏତେ ବେଗେ କିପରି ଶୋଇଲା ।

କିବା କପଟରେ ଏଥେ ମୋହ ନିଦ୍ରା ପାଇ

ବସି ଅଛି ମୋତେ ଏଥେ ଦେବାକୁ ଭଣ୍ଡାଇ ।

ନିଦ୍ରିତ ପ୍ରାଣୀ ମାରିଲେ ପାପ ଶାସ୍ତ୍ର ମତେ

ଏମନ୍ତ ବିଚାର ଅବା ଶୋଇବ ନିସତେ ।

ପୁନରପି ବିଚାରିଲା କିବା ଏ ଦୁର୍ଯୋଗ

ମରଣ କାଳେ ହୁଅଇ ଇନ୍ଦ୍ରପଦ ଭୋଗ ।

ବୋଲେରେ ଛେଉଣ୍ଡ ମତେଦେବାକୁ ଭଣ୍ଡାଇ

ଶୋଇଗଲୁ ଏତେବେଳେ ଛାଡ଼ିଦେବି ମୁହିଁ ।

ତୋ ନିମନ୍ତେ ଏତେ ରାଜା ପରିଶ୍ରମ ପାଇ

ଆସିଛନ୍ତି ଏତେ ବାଟ ମୋ ସଙ୍ଗେ ଗୋଡ଼ାଇ ।

ଏତେ ଭାବି କ୍ରୋଧେ ଚକ୍ଷୁରଙ୍ଗ ଯେ କରିଲା

କର୍ଣ୍ଣ ମୂଳେ ନେଇ ଏକ ବିଧାଏ ମାରିଲା ।

ଆଠସସ୍ର ବର୍ଷ ହେଲା ସେହି ମୁଚୁକୁନ୍ଦ

ନିଦ୍ରା ଯାଇଥିଲେ ଭଳି ପରମ ଆନନ୍ଦ ।

କାଳଦମନ ବିଧାରେ ବହୁ କଷ୍ଟ ପାଇ

ଚାହିଁ ଦିଅନ୍ତେ ପାଉଁଶ ଗଦା ଗଲା ହୋଇ ।

ରୋମ ଟାଙ୍କୁରନ୍ତେ ତହୁଁ ପାଇଲେକ କ୍ଳେଶ

ଅତି କଷ୍ଟ ନିବାରିଲେ ସଂଯମଣି ଶେଷ ।

କାଳଦମନର ମୃତ୍ୟୁ ଦେଖି ରାଜାଗଣ

ଜରାସନ୍ଧକୁ କହନ୍ତେ ଗଲା ସେ ଫେରିଣ ।

ଦମନ ଦୈତ୍ୟକୁ ବହୁ ପ୍ରବୋଧନା କରି

ତାଙ୍କୁ ପଠାଇଲା ତହୁଁ ରାଜ୍ୟେ ଦଣ୍ଡଧାରୀ ।

କାଳଦମନ ରାଜ୍ୟରେ ଥିଲା ତାର ସୁତ

ପିତୃକ୍ରିୟା ସାରି ରାଜ୍ୟେ ହେଲା ଅଭିଷିକ୍ତ ।

ଜରାସନ୍ଧ ଲାଜେ ଧିକ୍‌କାରିଣ ନିଜ ବଳ

ରାଜାମାନଙ୍କୁ ସେ ଦେଲା ବିଦାୟ ସକଳ ।

କହୁଛନ୍ତି ପରୀକ୍ଷିତ ଆହେ ବ୍ୟାସ ସୁତ

ମୁଚୁକୁନ୍ଦ କିଏ କିମ୍ପା ଶୋଇଥିଲା ସେ ତ ।

ଶୁଣି ଶୁକ ପରୀକ୍ଷିତେ କହନ୍ତି ବୁଝାଇ

ତ୍ରେତାରେ ରାବଣ ସ୍ୱର୍ଗ ଜିଣିଲାକ ତହିଁ ।

ସର୍ବ ଦେବ ସମ୍ପଦକୁ ଛାଡ଼ିଣ ଲୁଚିଲେ

ଏ ମୁଚୁକୁନ୍ଦ ଗର୍ନ୍ଧବ ଧନ ଜଗିଥିଲେ ।

ରାମ ଅବତାରେ କଲେ ରାବଣକୁ ହତ

ଦେବତା ନିର୍ଭୟେ ପୁରେ ହେଲେ ଉପଗତ ।

ଏ ଗନ୍ଧର୍ବ ମୁଚୁକୁନ୍ଦ ଧନ ନେଇ ଦେଲା

ତାହା ଦେଖି ଦେବତାଙ୍କ ଶ୍ରଦ୍ଧା ମନେ ହେଲା ।

ବୋଲନ୍ତି ହେ ମୁଚୁକୁନ୍ଦ ମାଗି ଘେନ ବର

ମାଗିଲା ସେ ସନ୍ତୋଷରେ ଆହେ ବେଦବର ।

ବହୁଦିନୁ ଅନଦ୍ରା ମୁଁ ଜଗିଥିଲି ଧନ

ଶୋଇବଇଁ ମନସୁଖେ ମୁହିଁ କିଛିଦିନ ।

ମାତ୍ର ମୋତେ ନ ଡ଼ାକି ଯେ ବଳେ ଉଠାଇବା

ବ୍ରହ୍ମା ବିଷ୍ଣୁ ଶିବ ହେଲେ ସେହି ଭସ୍ମ ହେବ ।

ତାହା ଜାଣିଥିଲେ ସେତ ଜଗତ କରତା

ସେ ବେଳ କପଟ କରି ପାଞ୍ଚିଣ ସେ କଥା ।

ନେଇ ଦୈଢ୍ୟ ମରାଇଲେ ନର ନାରାୟଣ

ଗରୁଡ଼କୁ ସୁମରିଲେ କମଳା ରମଣ ।

ରମ୍ୟକ ଦ୍ୱୀପରୁ ପକ୍ଷୀ ହୋଇଲା ପ୍ରବେଶ

ଆନନ୍ଦେ ସ୍ୱର୍ଗେ ଚଳିଲେ ଯହୁଁ ହୃଷୀକେଶ ।

ଇନ୍ଦ୍ର କରଯୋଡ଼ି ସ୍ଵର୍ଗ ସିଂହାସନ ଦେଇ

ବସାଇ ତେତିଶି କୋଟି ଦେବତା ମିଳାଇ ।

ପିତାମହ ପୁଣି ତହୁଁ କୃଷ୍ଣ ଆଗମନ

ଯମସହ କଲେ ସର୍ବେ ଶ୍ରୀକୃଷ୍ଣ ଦର୍ଶନ ।

ଶ୍ରୀକୃଷ୍ଣଙ୍କୁ ପଚାରନ୍ତି ରାଜା ପୁରନ୍ଦର

କେଉଁ କାର୍ଯ୍ୟେ ବିଜେକଲେ ପ୍ରଭୁ ଦାମୋଦର ।

କୃଷ୍ଣ ବୋଲନ୍ତି ଗୋପରୁ ମଥୁରାକୁ ଗଲି

ଜରସନ୍ଧ ଭୟ ଛାଡ଼ି ଦ୍ଵାରିକା ଆସିଲି ।

ସେଠାରେ ଅସୁର ଭୟ ହେବ ବହୁବାର

ତୁମ୍ଭେମାନେ ମୋତେ ଯଦି ସହାୟ ନ କର ।

ତେବେ ରହି ନ ପାରିବୁ ଆମ୍ଭେ କଦାଚନ

କହିବାକୁ ଆସିଅଛି ହେ ସ୍ୱର୍ଗ ରାଜନ ।

ସୁନାଶିର କରଯୋଡ଼ି ଶଙ୍ଖ ପଦ୍ମନିଧି

ହସ୍ତେ ଧରି କହିଲେ ହେ କୃପାବାରାନିଧି ।

ସମୁଦ୍ର ମନ୍ଥନ କାଳେ ଏ ସର୍ବ ମଳିଲା

ଅଶେଷ ଗୁଣ ଏହାର ଶୁଣ ନନ୍ଦବଳା ।

ଶଙ୍ଖନିଧି ଥିଲେ ଧନ ମନ ଘେନି ପ୍ରାପ୍ତ

ପଦ୍ମନିଧି ଶତ୍ରୁବଳ ଖଣ୍ଡଇ ଦୂରିତ ।

ଶୁଣି ଶ୍ରୀକୃଷ୍ଣ ହସ୍ତରେ ଧରିଣ ଚଳିଲେ

ଗରୁଡ଼ ପୃଷ୍ଠରେ ଯାଇ ଦ୍ଵାରକା ମିଳିଲେ ।

ଦେଖି ପୁରବାସୀମାନେ କରି ସମାଦର

ଦେବକୀ ଯେ ବସୁଦେବ ନେଲେ ପୁତ୍ରଘର ।

ଯେଉଁହରି ଭବଜଳ ଅଟଇ ତରଣୀ

ତାର ଭକ୍ତିରସ ଏହି ଚିତ୍ତବୋଧ ଶୁଣି ।

ପଦ ପଦକରେ ଅଛି କୃଷ୍ଣ ରସାମୃତ

ସ୍ଵପନରେ ଆଜ୍ଞା ଦେଲେ ଶ୍ରୀଗୁରୁ ଅଚ୍ୟୁତ ।

ତୃତୀୟ ଖଣ୍ଡ ଚିତ୍ତବୋଧ କଲି ଶେଷ

ଦୀନ ଇନ୍ଦ୍ରମଣି ସାହୁ କୃଷ୍ଣପଦେ ଦାସ ।